୨୦୨୩ର ହେନଲି ପାସ୍‌ପୋର୍ଟ ସୂଚକାଙ୍କ ପ୍ରକାଶ ପାଇଛି। ପୃଥିବୀର ସମୁଦାୟ ୨୨୭ଟି ଗନ୍ତବ୍ୟ ମଧ୍ୟରୁ ୧୯୨ଟିକୁ ଭିସା-ମୁକ୍ତ ଯାତ୍ରର ସୁବିଧା ସୃଷ୍ଟି କରି ସିଙ୍ଗାପୁରର ପାସ୍‌ପୋର୍ଟ ପୃଥିବୀର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟ ରୂପେ ଉଭା ହୋଇଛି। ପ୍ରକାଶ ଥାଉ କି ଯେଉଁ ଦେଶର ପାସ୍‌ପୋର୍ଟ ଅଧିକରୁ ଅଧିକ ଦେଶକୁ ଭିସାମୁକ୍ତ ଅବାଧ ଯାତ୍ରାର ସୁବିଧା ପ୍ରଦାନ କରିଥାଏ, ତାହା ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବେ ପରିଚିତ ହୁଏ ଏବଂ ତାହାକୁ ‘ପାସପୋର୍ଟର ପାୱାର’ ବୋଲି କୁହାଯାଇଥାଏ। କୁହାଯାଉଛି ଯେ ଚୀନରେ ଘରୋଇ ସଂସ୍ଥାମାନଙ୍କ ଉପରେ ସରକାରୀ ଚାପ ଓ ସେଠାକାର ଭୂ-ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ସେଠାକାର ଧନୀକମାନେ ସିଙ୍ଗାପୁରକୁ ସ୍ଥାନାନ୍ତର ହେଉଥିବା କାରଣରୁ ସିଙ୍ଗାପୁରର ପାସ୍‌ପୋର୍ଟ ଅଧିକ ଶକ୍ତିଶାଳୀ ହୋଇଯାଇଛି।

Advertisment

ସିଙ୍ଗାପୁର ପଛକୁ ତିନି ୟୁରୋପୀୟ ଦେଶ ଜର୍ମାନି, ଇଟାଲି ଓ ସ୍ପେନ୍ ୧୯୦ ଗନ୍ତବ୍ୟକୁ ଭିସା-ମୁକ୍ତ ଯାତ୍ରାର କ୍ଷମତା ସହ ଏହି ସୂଚକାଙ୍କରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ପାଞ୍ଚ ବର୍ଷ ଧରି ଏହି ତାଲିକାର ଶୀର୍ଷ ସ୍ଥାନ ଅଧିକାର କରି ଆସିଥିବା ଜାପାନ ଏଥର ତୃତୀୟ ସ୍ଥାନକୁ ଖସିଆସିଛି; ଜାପାନ ସହ ସମାନ ସ୍ଥାନରେ ଥିବା ଫ୍ରାନ୍‌ସ, ଅଷ୍ଟ୍ରିଆ, ଫିନଲାଣ୍ଡ, ଲକ୍‌ସେମ୍‌ବର୍ଗ, ଦକ୍ଷିଣ କୋରିଆ ଓ ସ୍ବିଡେନ୍ ପାସପୋର୍ଟଧାରୀ ନାଗରିକମାନେ ୧୮୯ଟି ଗନ୍ତବ୍ୟକୁ ଭିସା ବିନା ଯାତ୍ରା କରିପାରିବେ। ୟୁନାଇଟେଡ୍‌ କିଙ୍ଗଡମ୍ ଦୁଇ ସ୍ଥାନ ଉପରକୁ ଉଠି ଆୟର୍‌ଲାଣ୍ଡ, ନେଦରଲାଣ୍ଡ୍‌ସ ଓ ଡେନ୍‌ମାର୍କ ସହ ଏହି ତାଲିକାର ଚତୁର୍ଥ ସ୍ଥାନରେ ଅଛି। ପାଖାପାଖି ଏକ ଦଶନ୍ଧି ତଳେ ଏହି ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଯୁକ୍ତରାଷ୍ଟ୍ର ଆମେରିକା ଗତ ବର୍ଷ ତୁଳନାରେ ଦୁଇ ସ୍ଥାନ ତଳକୁ ଖସି ଅଷ୍ଟମ ସ୍ଥାନ ଅଧିକାର କରିଛି, ଯାହାର ପାସପୋର୍ଟ ମାଧ୍ୟମରେ ଜଣେ ୧୮୪ ଗନ୍ତବ୍ୟକୁ ଅବାଧ ଯାତ୍ରା କରିପାରିବ। ସେନାଗାଲ୍ ଓ ଟୋଗୋ ସହିତ ଭାରତ ଏଥିରେ ୮୦ତମ ସ୍ଥାନ ଅଧିକାର କରିଛି, ଯାହା ଅନୁଯାୟୀ ଭାରତୀୟ ପାସ୍‌ପୋର୍ଟ ସାହାଯ୍ୟରେ ୫୭ଟି ଦେଶକୁ ଭିସା ବିନା ଯାତାୟାତ କରିହେବ। ପାକିସ୍ତାନ ପାସ୍‌ପୋର୍ଟ ଏଥିରେ ୧୦୦ତମ ସ୍ଥାନରେ ଅଛି। ଆଫଗାନ୍ତାନ ପାସପୋର୍ଟ ପୃଥିବୀର ସବୁଠାରୁ ଦୁର୍ବଳ ପାସ୍‌ପୋର୍ଟ ରୂପ ଉଭା ହୋଇଛି ଯାହା ମାତ୍ର ୨୭ଟି ଗନ୍ତବ୍ୟକୁ ବିନା ଭିସାରେ ଭ୍ରମଣ କରିବାର ସୁଯୋଗ ପ୍ରଦାନ କରିଥାଏ।