ମାମୁଘର ସାଧାରଣତଃ ଦୂରରେ ଥାଏ। ଜହ୍ନ ମାମୁ ବି ପୃଥିବୀ ଠାରୁ ଦୂରରେ। ପିଲାମାନଙ୍କ ମା’ମାନେ ଜହ୍ନକୁ ଦେଖାଇ ଆସିବାକୁ ହାତ ଠାରନ୍ତି। କିନ୍ତୁ ଏବେ ଜହ୍ନ ଆମ ପିଲାଙ୍କ ପାଖକୁ ଆସିବ ନାହିଁ, ଆମେ ଯିବୁ ଜହ୍ନ ପାଖକୁ। ଯିବା ବି ଆରମ୍ଭ କରିଛୁ। ଗତ ଜୁଲାଇ ୧୪ ତାରିଖ ଦିନ ଭାରତରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଆଉ ସବୁ କିଛି ଠିକ୍‌ଠାକ୍ ରହିଲେ ଆଗାମୀ ଅଗଷ୍ଟ ୧୮ ତାରିଖ ଦିନ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରଯାନ-୩ ମହାକାଶ ଯାନରେ ଯାତ୍ରା କରୁଥିବା ‘ରୋଭର’ (ବୁଲାଟିଆ ଯନ୍ତ୍ର)। ‘ରୋଭର୍‌’ ହେଉଛି ଏକ ଛୋଟିଆ ମଣିଷ ପରି ଯନ୍ତ୍ରଟିଏ, ଯାହା ଚନ୍ଦ୍ର ପୃଷ୍ଠରେ ବୁଲି ବିଭିନ୍ନ ଅନୁସନ୍ଧାନ କରି ଫଟୋ ଓ ତଥ୍ୟମାନ ପୃଥିବୀ ପୃଷ୍ଠକୁ ପଠାଇବ। ଚାଳିଶ ଦିନ ପରେ ‘ରୋଭର୍‌’ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ। ‘ରୋଭର’ଟି ଦେଖିବ ଚନ୍ଦ୍ରର ପୃଷ୍ଠ ଦେଶଟି କେମିତି, କେଉଁ କେଉଁ ଖଣିଜ ପଦାର୍ଥମାନଙ୍କ ଦ୍ୱାରା ଏହା ଗଠିତ ଓ ଏହାର ଭୂତାତ୍ତ୍ୱିକ ଇତିହାସ କ’ଣ? ଅର୍ଥାତ୍ କେମିତି ଏହି ଚନ୍ଦ୍ର ପୃଷ୍ଠଟି ଗଠିତ ହେଲା।

Advertisment

ଭାରତ ପାଇଁ ବଡ଼ ଗୌରବ ହେଉଛି ଆମେରିକା, ସୋଭିଏତ୍ ୟୁନିୟନ ଓ ଚୀନ୍ ପରେ ଏହା ହେଉଛି ଚତୁର୍ଥ ଦେଶ ଯାହା ଚନ୍ଦ୍ର ପୃଷ୍ଠରେ ଏହାର ଯନ୍ତ୍ରଗୁଡ଼ିକୁ ଓହ୍ଲାଇବ। ଏହା ଦ୍ୱାରା ମହାକାଶ ଜଗତ୍‌ରେ ଭାରତର ଶକ୍ତି ଅଧିକ ସୁଦୃଢ଼ ହେବ। ଏହା ଦ୍ୱାରା ମହାକାଶ କ୍ଷେତ୍ରରେ ଭାରତର ଦକ୍ଷତା ଓ ଅଭିଜ୍ଞତା ମଧ୍ୟ ବଢ଼ିବ, ଯାହା ଭବିଷ୍ୟତରେ ବ୍ୟବହୃତ ହେବ। ଏହା ପୂର୍ବରୁ ୨୦୧୯ରେ ଚନ୍ଦ୍ରଯାନ-୨ ମଧ୍ୟ ମହାକାଶକୁ ଛଡ଼ା ଯାଇଥିଲା, ଯାହା ସଫଳ ହୋଇ ନ ଥିଲା। ଏଥର କିନ୍ତୁ ଯେଉଁ ଯନ୍ତ୍ରପାତିମାନ ଗଢ଼ା ହୋଇଛି, ସେଗୁଡ଼ିକ ‘ଷ୍ଟେଟ୍ ଅଫ୍ ଦ ଆର୍ଟ ମେସିନ୍‌’ ବା ଅତ୍ୟାଧୁନିକ। ଏହାର ପ୍ରତ୍ୟେକଟି ଯନ୍ତ୍ର ଓ ମହାକାଶକୁ ଯାଉଥିବା ଦ୍ରବ୍ୟମାନଙ୍କୁ ଅତି ଯତ୍ନର ସହ ନିର୍ମାଣ କରାଯାଇଛି। ପ୍ରତ୍ୟେକଟି ଯନ୍ତ୍ର ତଥ୍ୟଗୁଡ଼ିକୁ ଠିକ୍ ଭାବରେ ସଂଗ୍ରହ କରି ପାରିବାର ସାମର୍ଥ୍ୟ ନେଇ ନିର୍ମିତ। ଏହି ତଥ୍ୟକୁ ନେଇ ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠରେ ଚନ୍ଦ୍ରର ମଡେଲ ମଧ୍ୟ ତିଆରି କରିପାରିବେ, ଯାହା ବୈଜ୍ଞାନିକ ଓ ଭବିଷ୍ୟତର ମହାକାଶଚାରୀମାନଙ୍କୁ ଚନ୍ଦ୍ର ସହିତ ଅଭ୍ୟସ୍ତ କରିପାରିବ। ଆଗାମୀ ଦିନରେ ଯେତେବେଳେ ମହାକାଶ ଯାନଗୁଡ଼ିକ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବେ, ସେଗୁଡ଼ିକ କେଉଁ କେଉଁ ସ୍ଥାନରେ ଓହ୍ଲାଇବେ, ତାହା ମଧ୍ୟ ବର୍ତ୍ତମାନର ତଥ୍ୟରୁ ନିର୍ଦ୍ଧାରିତ କରିହେବ; କାରଣ ମଣିଷ ଜାତିର ଲକ୍ଷ୍ୟ ହେଉଛି, ଭବିଷ୍ୟତ୍‌ରେ ଚନ୍ଦ୍ର ପରି ଉପଗ୍ରହଟିରେ ଜନବସତି ସ୍ଥାପନ କରିବା; ଯେମିତି ତାହା ହେବ ଦ୍ୱିତୀୟ ପୃଥିବୀ।

ଚନ୍ଦ୍ରଯାନ-୩ରେ ଅଛି ‘ଆଲଫା ପାର୍ଟିକଲ ଏକ୍‌ସ-ରେ ସ୍ପେକ୍ଟକ୍ଟ୍ରୋମିଟର’ (ଏପିଏକ୍‌ସଏସ) ଯାହା ଚନ୍ଦ୍ର ପୃଷ୍ଠରେ ଥିବା ପଥର ଓ ମାଟିରେ କେଉଁ କେଉଁ ଉପାଦାନ ଅଛି ତା’ର ବିଶ୍ଳେଷଣ କରିପାରିବ। ଏହି ପଦାର୍ଥମାନଙ୍କର ରାସାୟନିକ ଚରିତ୍ର ଅନୁଧ୍ୟାନ କରି ବୈଜ୍ଞାନିକମାନେ ଚନ୍ଦ୍ରର ଭୂତାତ୍ୱିକ ଗଠନ ବାବଦରେ ଜାଣିପାରିବେ। ଚନ୍ଦ୍ର ପୃଷ୍ଠର ସୃଷ୍ଟିରେ ଆଗ୍ନେୟଗିରି ଉଦ୍‌ଗିରଣର କେଉଁ ଭୂମିକା ରହିଛି ତଥା ଉଲ୍‌କା ମାଡ଼ ଏହାର ପୃଷ୍ଠ ଦେଶରେ କି ପ୍ରଭାବ ପକାଇଛି, ସେ କଥା ଜଣାପଡ଼ିବ।

ଚନ୍ଦ୍ରଯାନ-୩ ପୃଷ୍ଠରେ ଅଛି ଲେଜର ପରିଚାଳିତ ‘ବ୍ରେକ୍‌ଡାଉନ୍ ସ୍ପେକ୍ଟ୍ରାସ୍କୋପ’ (ଏଲ୍‌.ଆଇ.ବି.ଏସ୍‌)। ଏହି ଯନ୍ତ୍ର ଲେଜର ସ୍ପନ୍ଦନର ବ୍ୟବହାର କରି ଚନ୍ଦ୍ର ପୃଷ୍ଠର ଗଠନ ସମ୍ପର୍କରେ ଅନୁସନ୍ଧାନ କରିଥାଏ। ଲେଜର ଆଲୋକ ଦ୍ବାରା ଚନ୍ଦ୍ର ପୃଷ୍ଠରେ ବିଭିନ୍ନ ପଦାର୍ଥ କେମିତି ଉପସ୍ଥିତ ଅଛନ୍ତି ଓ ସେମାନଙ୍କର ବଣ୍ଟନ କିଭଳି ହୋଇଛି, ସେ କଥାର ଅନୁଶୀଳନ କରିପାରନ୍ତି। ଚନ୍ଦ୍ରର ପଥୁରିଆ ପୃଷ୍ଠଦେଶ ମଧ୍ୟରେ କେଉଁ କେଉଁ ରହସ୍ୟ ଲୁଚିକରି ରହିଛି ସେ କଥା ବୈଜ୍ଞାନିକମାନେ ଜାଣି ପାରିବେ ଚନ୍ଦ୍ରଯାନ-୩ରେ ଥିବା ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭାରି ଯନ୍ତ୍ରରୁ, ଯାହାର ନାମ ହେଉଛି ‘ଲୁନାର ଡଷ୍ଟ୍‌ ଏନାଲାଇଜର’ (ଏଲଡିଏ)। ଏହା ଚନ୍ଦ୍ର ପୃଷ୍ଠରେ ଉଡୁଥିବା ଧୂଳିର ବିଶ୍ଳେଷଣ କରିବ। ଏହି ଅତି ସୂକ୍ଷ୍ମ ଧୂଳି କଣିକା ଭବିଷ୍ୟତରେ ଚନ୍ଦ୍ରଯାନ-୩ରେ ଲାଗିଥିବା ଯନ୍ତ୍ରଗୁଡ଼ିକ ପାଇଁ କିଭଳି ସମସ୍ୟା ଜାତ କରି ପାରନ୍ତି ବା ଚନ୍ଦ୍ରପୃଷ୍ଠରେ ଓହ୍ଲାଉଥିବା ମଣିଷର ସ୍ୱାସ୍ଥ୍ୟ ପାଇଁ କିଭଳି ବିପଦର କାରଣ ହୋଇପାରନ୍ତି; ସେ କଥା ଏହି ମେସିନ୍ ଦ୍ୱାରା ହୋଇଥିବା ବିଶ୍ଳେଷଣରୁ ଜଣାପଡ଼ିବ ଓ ବୈଜ୍ଞାନିକମାନେ ଏହା ଆ‌ଧାରରେ ଭବିଷ୍ୟତ ମହାକାଶ ଯାତ୍ରାର ରୂପରେଖ ତିଅାରି କରିବେ।

ଏହା ଛଡ଼ା ଚନ୍ଦ୍ରଯାନ-୩ ଆଉ ଏକ ଯନ୍ତ୍ରକୁ ବହନ କରୁଛି, ଯାହାର ନାମ ହେଉଛି ‘ଲଂଗମୁୟର ପ୍ରୋବ୍‌’। ଏହି ଯନ୍ତ୍ର ଦ୍ୱାରା ବାହାର ଜଗତର ଘନତ୍ୱ, ଉତ୍ତାପ ଓ ବୈଦ୍ୟୁତିକ ଚରିତ୍ରମାନଙ୍କ ତର୍ଜମା କରାଯାଇ ପାରିବ। ମଣିଷ ଚନ୍ଦ୍ରପୃଷ୍ଠରେ ସ୍ଥାୟୀ ଭାବରେ ରହିବାକୁ ହେଲେ ଏହି ସବୁ ତଥ୍ୟର ଆବଶ୍ୟକତା ଅଛି।

ଚନ୍ଦ୍ରଯାନ-୩ରେ ତିନିଟି ମହାକାଶ ଯନ୍ତ୍ର ରହିଛି: ‘ଅର୍‌ବିଟର’, ଗୋଟିଏ ‘ଲାଣ୍ଡର’ ଓ ତୃତୀୟଟି ‘ରୋଭର’। ‘ଅରବିଟର ରକେଟ’ଟି ଚନ୍ଦ୍ର ଚାରିପଟେ ଘୂରି ବୁଲିବ ପ୍ରାୟ ଗୋଟିଏ ବର୍ଷ। ଏହା ଚନ୍ଦ୍ର ଚାରି ପଟର ପରିବେଶରୁ ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟମାନ ସଂଗ୍ରହ କରିବ। ‘ଲାଣ୍ଡର’ ଯନ୍ତ୍ରଟି ଅତି ଧୀରେ ଚନ୍ଦ୍ରର ଦକ୍ଷିଣ ମେରୁର ଭୂତଳକୁ ସ୍ପର୍ଶ କରିବ, କାରଣ ଯଦି ଏହି ଯନ୍ତ୍ରଟି ଜୋରରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଏ, ତେବେ ଆଘାତର ପ୍ରଭାବରେ ଭାଙ୍ଗିଯାଇ ଅଚଳ ହୋଇଯିବ। ଏହା ଫଳରେ ଏହି ଅଭିଯାନଟି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଯିବ। ଏହି ‘ଲାଣ୍ଡର’ଟି ‘ରୋଭର’କୁ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇଦେବ, ଯାହା ଚାରିଆଡ଼େ ବୁଲି ତଥ୍ୟ ସଂଗ୍ରହ କରିବ। ଏହି ତିନିଟି ମହାକାଶ ଯାନ ମଧ୍ୟରେ ସବୁଠୁଁ ବଡ଼ ହେଲା ‘ଅରବିଟର’। ଏଥିରେ ଅନେକ ପ୍ରକାରର ବୈଜ୍ଞାନିକ ଯନ୍ତ୍ରପାତି ଖଂଜା ହୋଇଛି, ଯାହା ଚନ୍ଦ୍ର ପୃଷ୍ଠରୁ ତଥ୍ୟ ସଂଗ୍ରହ କରିବେ। ଏହି ଯନ୍ତ୍ରଗୁଡ଼ିକ ଚନ୍ଦ୍ରର ଭୂମି, ତା’ର ଜଳବାୟୁ ଓ ଏହାର ମାଧ୍ୟାକର୍ଷଣର ଅନୁଶୀଳନ ମଧ୍ୟ କରିବେ। ଏହି ତିନିଟି ଯାନରେ ଅତି ଶକ୍ତିଶାଳୀ ‘ହାଇ ରିଜୋଲ୍ୟୁସନ’ କ୍ୟାମେରାମାନ ଲଗା ଯାଇଥାଏ, ଯେଉଁମାନେ ଅତି ସ୍ପଷ୍ଟ ଫଟୋ ନେଇ ପାରନ୍ତି, ଯହିଁରୁ ଅନେକ ଧାରଣା ମିଳିପାରେ। ‘ଲାଣ୍ଡର’ ଯାନରେ ଅନେକ ବୈଜ୍ଞାନିକ ଯନ୍ତ୍ରପାତି ରହିଛି, ଯାହା ଚନ୍ଦ୍ରର ଗଠନ, ଏଥିରେ ଥିବା ଖଣିଜ ପଦାର୍ଥ ଓ ଭୂତାତ୍ୱିକ ଇତିହାସ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ। ଏହି ଯନ୍ତ୍ର ‘ଅର୍‌ବିଟର’ ଓ ‘ରୋଭର’ ମଧ୍ୟରେ ଯୋଗଯୋଗ ରକ୍ଷା କରିବ, ଯାହା ଫଳରେ ତଥ୍ୟ ତତ୍‌କ୍ଷଣାତ୍‌ ଭୂପୃଷ୍ଠକୁ ପଠାଯାଇ ପାରିବ ଓ ତଡ଼ିତ୍‌ ବିଶ୍ଳେଷଣ ମଧ୍ୟ କରାଯାଇପାରିବ।

ଅଭିଯାନର ସବୁଠାରୁ ଜଟିଳ ପ୍ରକ୍ରିୟା ନିର୍ବାହ କରିଥାଏ ‘ରୋଭର୍‌’। ଏଥିରେ ଥିବା ଯନ୍ତ୍ରପାତି ଅତି ଗଭୀର ଭାବରେ ଚନ୍ଦ୍ରର ପୃଷ୍ଠଦେଶକୁ ନିରୀକ୍ଷଣ କରିବ। ଏହାର ଗଠନକୁ ଅନୁଶୀଳନ କରିବ। ଅନେକ ପଦାର୍ଥ ଓ ଭୂ-ତାତ୍ୱିକ ଅବସ୍ଥିତିରେ ଅନୁଶୀଳନ କରିବ। ଏହା ଚନ୍ଦ୍ରପୃଷ୍ଠରୁ ପଥର, ଧୂଳିର ନମୁନା ମଧ୍ୟ ସଂଗ୍ରହ କରିବ। ଯେମିତି ୧୯୬୯ର ଆମେରିକାର ଆପୋଲୋ ମହାକାଶ ଯାନରେ ଚନ୍ଦ୍ରପୃଷ୍ଠକୁ ଯାଇଥିବା ମହାକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ ଓ ଲାରି କୋଲିନ୍‌ସ ଚନ୍ଦ୍ରରୁ ପଥର ଓ ମାଟି ପୃଥିବୀକୁ ଆଣିଥିଲେ, ଯାହାକୁ ଲୋକମାନେ ଏବେ ଦେଖି ପାରୁଛନ୍ତି।

ଅତୀତରେ ଆଗ୍ନେୟଗିରି ଉଦ୍‌ଗିରଣ, ଉଲ୍‌କାପାତ ଆଦିର ପ୍ରଭାବର ବିଶ୍ଳେଷଣ ସହ ଚନ୍ଦ୍ରପୃଷ୍ଠରେ ବରଫ ଓ ଜଳ ଅଛି କି ନାହିଁ, ତା’ର ଅନୁଶୀଳନ ଚନ୍ଦ୍ରଯାନ-୩ କରିବ। ଏଥିରୁ ଜହ୍ନରେ ମଣିଷର ବସତି ଭବିଷ୍ୟତରେ ସମ୍ଭବ ହେବ ନା ନାହିଁ, ସେ ବିଷୟରେ ଧାରଣା ଜନ୍ମିବ। ଏହି ଅଭିଯାନ ମଧ୍ୟ ଭବିଷ୍ୟତରେ ‘ଗଗନ ଯାନ’ ଅଭିଯାନକୁ ସଫଳ କରିବ। ‘ଗଗନ ଯାନ’ ଅଭିଯାନରେ ଭାରତ ଚନ୍ଦ୍ର ପୃଷ୍ଠକୁ ମଣିଷ ପଠାଇବ। ଚନ୍ଦ୍ରଯାନ-୩ରୁ ଯେଉଁ ଅଭିଜ୍ଞତା ମିଳିବ, ତାହା ‘ଗଗନ ଯାନ’ ପାଇଁ ସହାୟକ ହେବ। କହିବା ବାହୁଲ୍ୟ ଯେ ଏଭଳି ଅଭିଯାନମାନ ଭାରତର ଯୁବ ବିଜ୍ଞାନୀମାନଙ୍କୁ ମହାକାଶ କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବାକୁ ତଥା ଚମକପ୍ରଦ ସଫଳତା ଆଣିବାକୁ ଉତ୍ସାହିତ କରିବ, ଯାହା ବିଶ୍ୱ ସ୍ତରରେ ଭାରତର ମର୍ଯ୍ୟାଦାକୁ ବଢ଼ାଇବ।

ଅବଶ୍ୟ ଏହା ପରେ ଭାରତର ‘ମଙ୍ଗଳଯାନ’ ଅଭିଯାନ ଆରମ୍ଭ ହେବାର ଅଛି, ଯେଉଁଠି ଭାରତର ମହାକାଶଯାନ ମଙ୍ଗଳ ଗ୍ରହକୁ ଯିବ। ଅବଶ୍ୟ ଏଥିପାଇଁ ଭାରତକୁ ଆନ୍ତର୍ଜାତିକ ସହଯୋଗ ଓ ବନ୍ଧୁତାର ଆବଶ୍ୟକତା ରହିଛି। ଆନ୍ତର୍ଜାତିକ ସ୍ତରରେ ସହଯୋଗ ମିଳିଲେ ଯାଇ ଏହା ସମ୍ଭବ ହୋଇପାରେ। ଏଥି ପାଇଁ ନବ ସର୍ଜନା, ବୈଜ୍ଞାନିକ ଶକ୍ତି ଓ କୌଶଳ ସହିତ ବିଶ୍ବ ସ୍ତରୀୟ କୂଟନୈତିକ ସହଯୋଗର ଏକ ବଡ଼ ଭୂମିକା ରହିବ।

ଚନ୍ଦ୍ରଯାନ-୨ର ବିଫଳତା ବେଳେ ଭାରତୀୟ ମହାକାଶ ସଂସ୍ଥା ‘ଇସ୍ରୋ’ର ମୁଖ୍ୟ ଶିବନ କାନ୍ଦି ପକାଇଥିଲେ। ତେଣୁ ଚନ୍ଦ୍ରଯାନ-୩କୁ ତ୍ରୁଟି ମୁକ୍ତ ରହିବା ଲାଗି ଯଥାସମ୍ଭବ ଉଦ୍ୟମ କରାଯାଇଛି।

୧୯୬୯ ମସିହାରେ ଆମେରିକା ତା’ର ମହାକାଶଚାରୀମାନଙ୍କୁ ଚନ୍ଦ୍ରରେ ଓହ୍ଲାଇ ପାରିଥିଲା। ଏହାର ଅର୍ଦ୍ଧ ଶତାବ୍ଦୀ ପରେ ଭାରତ ଏକ ମହାକାଶଯାନ ମାତ୍ର ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇ ପାରୁଛି ବା ସେ ଦିଗରେ ଉଦ୍ୟମରତ ରହିଛି। ସୁତରାଂ, ଏ କ୍ଷେତ୍ରରେ ଭାରତ କେତେ ପଛରେ ରହିଛି, ତାହା ସ୍ପଷ୍ଟ ଜଣାପଡ଼େ। ତେବେ ଭାରତ ଯେଉଁଭଳି ଭାବେ ଏ କ୍ଷେତ୍ରରେ ଅଗ୍ରସର ହେଉଛି, ତାହା ମଧ୍ୟ ପ୍ରଣିଧାନଯୋଗ୍ୟ। ଏ ବେଗରେ ଅଗ୍ରଗତି କଲେ ଭାରତ ଯେ ଦିନେ ଜହ୍ନ ମାମୁ ଘରେ ଯାଇ ରହିବ, ଏ ଆଶା ଫଳବତୀ ହୋଇପାରେ।

ମୋ: ୯୪୩୭୦୨୦୨୯୦