ବୃକ୍ଷ ସମ୍ପଦର ମହତ୍ତ୍ବ, ଗୁରୁତ୍ବ ଓ ଅନିବାର୍ଯ୍ୟତା ବିଷୟରେ ଜନସାଧାରଣ ସଚେତନ ହୋଇ ଏହାର ଅଭିବୃଦ୍ଧି ନିମନ୍ତେ ଆଗଭର ହେଲେଣି। ପରିଣାମ ସ୍ବରୂପ ବିଗତ କେତେ ବର୍ଷ ମଧ୍ୟରେ ଜଙ୍ଗଲ ପରିସୀମା ବାହାରେ ବୃକ୍ଷାଞ୍ଚଳ ବୃଦ୍ଧି ପାଉଛି। ତେବେ, ଏହାକୁ ଅଧିକ କ୍ରିୟାଶୀଳ କରିବାର ସମୟ ଆସିଯାଇଛି।
ସାଧାରଣତଃ ବନାଞ୍ଚଳ (ଫରେଷ୍ଟ କଭର) ଓ ବୃକ୍ଷାଞ୍ଚଳ (ଟ୍ରି କଭର)କୁ ମିଶାଇ ସବୁଜାଞ୍ଚଳ ଆକଳନ କରାଯାଇଥାଏ। ଭାରତ ବନ ଅନୁସନ୍ଧାନ ସଂସ୍ଥାର ପ୍ରଚଳିତ ପଦ୍ଧତି ଅନୁସାରେ ଏକ ହେକ୍ଟର ଓ ତଦୂର୍ଦ୍ଧ୍ବ ଯେ କୌଣସି ଜମିରେ ମାଲିକାନା ଓ କିସମ ବ୍ୟତିରେକ ଯଦି ୧୦ ପ୍ରତିଶତ ଓ ଅଧିକ ବୃକ୍ଷ ଆଚ୍ଛାଦିତ ହୋଇଥାଏ, ତେବେ ଏହା ବନାଞ୍ଚଳରେ ପରିଗଣିତ ହୁଏ। ସେହିପରି ଜଙ୍ଗଲ ବାହାରେ ୦.୧ରୁ ୧.୦ ହେକ୍ଟର ପର୍ଯ୍ୟନ୍ତ ରାସ୍ତା କଡ଼, ନଦୀନାଳ ବନ୍ଧ, ରେଳଧାରଣା ପାର୍ଶ୍ବ, ବିଭିନ୍ନ ସରକାରୀ, ବ୍ୟକ୍ତିଗତ ଓ ସାମୂହିକ ଇତ୍ୟାଦି ଜାଗାରେ ଥିବା ଗଛଗୁଡ଼ିକୁ ବନାଞ୍ଚଳ ପରିସରଭୁକ୍ତ କରାଯାଇଥାଏ। ଉକ୍ତ ସଂସ୍ଥା ଦ୍ବାରା ପ୍ରକାଶିତ ୨୦୨୧ ମସିହା ବିବରଣୀ ଅନୁଯାୟୀ ଦେଶରେ ୨୦୧୯ରୁ ୨୦୨୧ ମଧ୍ୟରେ ୭୨୧ ବର୍ଗ କିଲୋମିଟର ପରିମିତ ବୃକ୍ଷାଞ୍ଚଳ ବୃଦ୍ଧି ପାଇ ୯୫,୭୪୮ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ହୋଇଛି, ଯାହା ଭୌଗୋଳିକ କ୍ଷେତ୍ରଫଳର ୨.୯୧ ପ୍ରତିଶତ। ଏହି ଅବଧିରେ ୧୫୪୦ ବର୍ଗ କିଲୋମିଟର ବଢ଼ିଥିବା ବନାଞ୍ଚଳର ସିଂହ ଭାଗ ଜଙ୍ଗଲ ବାହ୍ୟଞ୍ଚଳ ବୃକ୍ଷ ବୃଦ୍ଧି ଯୋଗୁଁ ସମ୍ଭବ ହୋଇଛି। ଆମ ରାଜ୍ୟ ଓଡ଼ିଶାର ମଧ୍ୟ ସମାନ ସ୍ଥିତି। ତେଣୁ ଜଙ୍ଗଲ ସହିତ ଅଣ ଜଙ୍ଗଲ ଜମିରେ ସବୁଜିମା ସୃଷ୍ଟି ସମୟର ଆହ୍ବାନ। ଏଥିରେ ବେସରକାରୀ ସ୍ତରରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଉଦ୍ୟମ ବିଶେଷ କରି ପରବର୍ତ୍ତୀ ଯତ୍ନ ଓ ସୁରକ୍ଷା ଅପରିହାର୍ଯ୍ୟ।
ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବ୍ୟାପକ ଚାରା ରୋପଣ ହେଉଥିଲେ ମଧ୍ୟ ଖୁବ୍ କମ୍ ପ୍ରତିଶତ ଚାରାରୁ ଗଛକୁ ଉନ୍ନୀତ ହେଉଛି। ଲଗାଇବା ସମୟର ନିଷ୍ଠା ଆଗକୁ ଆଉ ରହୁନାହିଁ। ଫଳରେ ବୃକ୍ଷ ରୋପଣ କ୍ଷେତ୍ରରେ ଆଶାନୁରୂପ ଲକ୍ଷ୍ୟ ସାଧନ ହେଉନାହିଁ। ରୋପିତ ଚାରା ଗୁଡ଼ିକ ଅଧିକ ମାତ୍ରାରେ ବଢ଼ି ଗଛ ହୋଇପାରିଲେ ସ୍ଥାନୀୟ ଅତ୍ୟାବଶ୍ୟକ ଚାହିଦା ମେଣ୍ଟାଇବା ସହିତ ପ୍ରାକୃତିକ ଜଙ୍ଗଲ ଉପରେ ଚାପ ହ୍ରାସ ପାଆନ୍ତା। ସର୍ବୋପରି ଏହା ଜଳବାୟୁ ପରିବର୍ତ୍ତନକୁ ପ୍ରତିରୋଧ କରିବା ସହିତ ପରିବେଶକୁ ପରିପୁଷ୍ଟ କରିବାରେ ସମର୍ଥ ହୁଅନ୍ତା।
ନୂଆ ଗଛ ସହିତ ପୁରୁଣା ଗଛର ସଂରକ୍ଷଣ ବର୍ତ୍ତମାନର ଗୋଟିଏ ବଡ଼ ସମସ୍ୟା। ବୃକ୍ଷ ସମ୍ପଦର ସୁନିୟନ୍ତ୍ରିତ ବ୍ୟବହାର ଏହାର ମୂଳ ଉଦ୍ଦେଶ୍ୟ। କେତେକଙ୍କ ମତରେ ବୃକ୍ଷ ଛେଦନ ସମ୍ପୂର୍ଣ୍ଣ ନିଷେଧ ହେବା ଦରକାର। ଅପରପକ୍ଷରେ ଉନ୍ନତିଶୀଳ ସମାଜ ପାଇଁ ବିକଳ୍ପ ବିହୀନ ବାଧ୍ୟବାଧକତା କାରଣରୁ ଏହା ଆଦୌ ସମ୍ଭବପର ନୁହେଁ। ସେଥିପାଇଁ ଅନେକ ସମୟରେ ବିଭ୍ରାଟ ଦେଖା ଦେଉଛି। ଜଙ୍ଗଲ ଆଇନ ସ୍ବୀକୃତ ସଂରକ୍ଷିତ, ସୁରକ୍ଷିତ, ସୀମା ନିର୍ଦ୍ଧାରିତ ଇତ୍ୟାଦି ଅରଣ୍ୟରୁ ବିନା ଅନୁମତିରେ ଗଛ କାଟିବା ଅପରାଧ ପାଇଁ ବିଭିନ୍ନ ଦଣ୍ଡର ପ୍ରାବଧାନ ରହିଛି। ଅପର ପକ୍ଷରେ ସର୍ବସାଧାରଣ ସ୍ଥାନରେ ଥିବା ଗଛଗୁଡ଼ିକର ସୁରକ୍ଷା ପାଇଁ କୌଣସି ସ୍ବତନ୍ତ୍ର ଆଇନ ଆମ ରାଜ୍ୟରେ ନାହିଁ। ଏହାର ଫାଇଦା ଉଠାଉଛନ୍ତି ଦୁର୍ବୃତ୍ତ ଓ ଖଳ ପ୍ରକୃତିର ଲୋକେ। ବହୁ ସମୟରେ ଚିନ୍ତାଶୀଳ ବ୍ୟକ୍ତିମାନେ ଏଭଳି ଅବାଧ ଗଛ କଟାର ବିରୋଧ କରି ହଟହଟା ହେଉଛନ୍ତି। ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ ଓ ଦିଲ୍ଲୀ ପ୍ରଭୃତି ରାଜ୍ୟ ବୃକ୍ଷ ସୁରକ୍ଷା ଆଇନ ବହୁ ଆଗରୁ ପ୍ରଣୟନ କରିସାରିଛନ୍ତି। ଓଡ଼ିଶା ସରକାର ଏଭଳି ଏକ ଆଇନ ଆଣିବା ପାଇଁ ବିଭିନ୍ନ ମହଲରୁ ବାରମ୍ବାର ଦାବି ହେଉଛି। ଜଙ୍ଗଲ ବାହାରେ ଥିବା ବିକ୍ଷିପ୍ତ ବର୍ଦ୍ଧିଷ୍ଣୁ ବୃକ୍ଷାଞ୍ଚଳର ସୁରକ୍ଷା ପାଇଁ ଏହା ସମୁଚିତ ପଦକ୍ଷେପ ହେବ।
ସଭାସମିତି ଓ ପ୍ରତୀକାତ୍ମକ ଗଛ ଲଗାଇବାର ବାର୍ଷିକ ପର୍ବ ପାଳନ ଅପେକ୍ଷା ଲକ୍ଷ୍ୟ ଭିତ୍ତିକ ନିରନ୍ତର କାର୍ଯ୍ୟ ହାତକୁ ନିଆଯାଇଥିଲେ ସବୁଜିମା କ୍ଷୟ ପାଇବା ଭଳି ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ। ତେଣୁ, ଆଉ ବିଳମ୍ବ ନ କରି ଅରଣ୍ୟ ଅଭିବୃଦ୍ଧିରେ ଜଙ୍ଗଲ ବିଭାଗକୁ ସହଯୋଗ କରିବା ସଙ୍ଗେ ସଙ୍ଗେ ଏହା ବାହାରେ ଥିବା ଖାଲି ସ୍ଥାନରେ ବୃକ୍ଷାଞ୍ଚଳ କରିବାକୁ ସର୍ବସାଧାରଣ ଅଙ୍ଗୀକାରବଦ୍ଧ ହେବା ଉଚିତ। ତାହା ହେଲେ ଏହା ସଫଳ ଗଣ ଆନ୍ଦୋଳନରେ ପରିଣତ ହୋଇପାରିବ।
ମୋ:୯୪୩୭୦୮୦୨୩୩