ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳତାର ଶିଡ଼ିରେ ଆଉ ଗୋଟିଏ ପାହାଚ ଉପରକୁ ଉଠିଲେ। ସେଦିନ ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ରହିଥିବା ମୁଖ୍ୟମନ୍ତ୍ରୀମାନଙ୍କ ସୂଚୀରେ ଦ୍ବିତୀୟ ସ୍ଥାନକୁ ଉଠିଲେ। ରାଜନୈତିକ ପାଣିପାଗ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ୨୦୨୪ରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ସେ ଯଦି ପୁନର୍ବାର ଜୟଯୁକ୍ତ ହୁଅନ୍ତି, ତେବେ ସେ ବର୍ଷ ଅଗଷ୍ଟ ମାସ ଶେଷ ସୁଦ୍ଧା ସେ ସିକ୍କିମର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ପୱନ୍ କୁମାର ଚାମଲିଂଙ୍କୁ ହଟାଇ ସୂଚୀର ଶୀର୍ଷ ସ୍ଥାନ ଅଧିକାର କରିବେ।
କହିବା ବାହୁଲ୍ୟ, ଭାରତୀୟ ରାଜନୀତିରେ ନବୀନଙ୍କର ଏ ଜୟଯାତ୍ରାର ପଟାନ୍ତର ନାହିଁ। ଆଉ ଓଡ଼ିଶା ଭଳି ରାଜ୍ୟରେ - ଯେଉଁଠି ଅଶୀ ଦଶକର ଆରମ୍ଭ ପର୍ଯ୍ୟନ୍ତ କୌଣସି ସରକାର ନିଜ ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂରଣ କରିପାରି ନ ଥିଲେ - କ୍ରମାଗତ ୨୩ ବର୍ଷ ଧରି ଜଣେ ବ୍ୟକ୍ତି ଅପ୍ରତିଦ୍ବନ୍ଦ୍ବୀ ମୁଖ୍ୟମନ୍ତ୍ରୀ ହୋଇ ରହିବା ଅବିଶ୍ୱସନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ।
କିନ୍ତୁ ପ୍ରକୃତରେ ନବୀନଙ୍କର ଏ ଅପ୍ରତିହତ ଜୟଯାତ୍ରାର ରହସ୍ୟ କ’ଣ? କାହିଁକି ଦେଶର ଅନ୍ୟ ରାଜ୍ୟମାନଙ୍କରେ କାମ କରୁଥିବା ‘ଏଣ୍ଟି-ଇନ୍କୋମ୍ବେନ୍ସି’ (କ୍ଷମତାସୀନ ଦଳ ବିରୋଧରେ ଜନମତ) ଏଠି ବାରମ୍ବାର ଅକାମୀ ହୋଇ ପଡୁଚି? ଖାଲି ସେତିକି ନୁହେଁ, କେବଳ ୨୦୧୪ ନିର୍ବାଚନକୁ ଛାଡ଼ିଦେଲେ ନବୀନଙ୍କ ଦଳର ନିର୍ବାଚିତ ବିଧାୟକଙ୍କ ସଂଖ୍ୟା ଓ ଭୋଟ ହାର କ୍ରମାଗତ ବଢ଼ି ଚାଲିଚି। ଏହି ପ୍ରତିବେଦନର ସୀମିତ ପରିସର ମଧ୍ୟରେ ନବୀନଙ୍କ ୨୩ ବର୍ଷର ନିରବଚ୍ଛିନ୍ନ ରାଜୁତିର ଏକ ସାମଗ୍ରିକ ଆକଳନ କରିବା ଅବଶ୍ୟ ସମ୍ଭବ ନୁହେଁ। (ସତ କହିଲେ ଗୋଟିଏ ପୂର୍ଣ୍ଣାଙ୍ଗ ବହି ମଧ୍ୟ ଏଥିପାଇଁ ଯଥେଷ୍ଟ ହୋଇ ନ ପାରେ)। କିନ୍ତୁ ଓଡ଼ିଶାର ଭୋଟରଙ୍କ ସହ ତାଙ୍କର ପ୍ରଲମ୍ବିତ ‘ହନିମୁନ’ର କେତୋଟି ପ୍ରମୁଖ କାରଣ ନିଶ୍ଚୟ ଦର୍ଶାଯାଇପାରେ।
ଏସବୁ କାରଣ ମଧ୍ୟରେ ସର୍ବାଗ୍ରେ ରହିବ ତାଙ୍କ ପ୍ରତି ଓଡ଼ିଶାର ମହିଳାଙ୍କ ଅକୁଣ୍ଠ ସମର୍ଥନ। ଉଭୟ ୨୦୧୪ ଓ ୨୦୧୯ ନିର୍ବାଚନ ଫଳାଫଳର ବିଶ୍ଳେଷଣରୁ ଏକଥା ଦିବାଲୋକ ପରି ସ୍ପଷ୍ଟ ଯେ ମହିଳା ଭୋଟରମାନଙ୍କ ମଧ୍ୟରୁ ୭୦% ବା ତଦୂର୍ଦ୍ଧ୍ବ ‘ଶଙ୍ଖ’ ଫୁଙ୍କିଛନ୍ତି। ଯେହେତୁ ମହିଳା ଭୋଟରଙ୍କ ସଂଖ୍ୟା ସମୁଦାୟ ଭୋଟର ସଂଖ୍ୟାର ପ୍ରାୟ ଅଧା, ତେଣୁ ଯାହାଙ୍କୁ ମହିଳାମାନେ ଏତେ ସଂଖ୍ୟାରେ ଭୋଟ ଦେବେ ସେ ପରାସ୍ତ ହେବେ ବା କେମିତି? ଏହି ପ୍ରସଙ୍ଗରେ ଆଲୋଚନା ବେଳେ ଜଣେ ବନ୍ଧୁ ପରିହାସରେ କହିଲେ; ‘ଯଦି କେବଳ ପୁରୁଷମାନେ ଭୋଟ ଦିଅନ୍ତେ, ତେବେ ନବୀନ ବାବୁ ନିଶ୍ଚୟ ନିର୍ବାଚନ ହାରିଯାଆନ୍ତେ।’
କିନ୍ତୁ ନବୀନ କାହିଁକି ମହିଳାମାନଙ୍କର ଏତେ ପ୍ରିୟ? ଏହାର ଉତ୍ତର ହେଉଛି ସେମାନେ ପ୍ରକୃତରେ ବିଶ୍ୱାସ କରନ୍ତି ଯେ ମହିଳା ସଶକ୍ତୀକରଣ ନବୀନ ଓ ତାଙ୍କ ସରକାରଙ୍କ ପାଇଁ କେବଳ ଏକ ସ୍ଲୋଗାନ ନୁହେଁ; ଏଥିପାଇଁ ସେ, ତାଙ୍କ ଦଳ ଓ ତାଙ୍କ ସରକାର ପ୍ରତିବଦ୍ଧ। ସମାଲୋଚକମାନେ ଅଭିଯୋଗ କରନ୍ତି ଯେ ‘ମିଶନ ଶକ୍ତି’ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ଏଥିରେ ସାମିଲ କରିବା ଦାବି କେବଳ ଏକ ରାଜନୈତିକ ଭେଳିକି ମାତ୍ର। କିନ୍ତୁ ଏ ସତ୍ୟଟିକୁ ଅଣଦେଖା କରିବା ଉଚିତ ହେବନାହିଁ ଯେ ‘ମିଶନ ଶକ୍ତି’ ଯୋଜନାର ରାଜନୀତୀକରଣ ଓ ସବୁ ବିସଂଗତି ସତ୍ତ୍ୱେ ନବୀନଙ୍କ ଶାସନରେ ଗ୍ରାମାଞ୍ଚଳର ମହିଳାମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇଛନ୍ତି ଏବଂ ଏହାଦ୍ବାରା ସେମାନଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିଛି। ନବୀନଙ୍କ ପ୍ରତି ମହିଳାଙ୍କର ନିଃସର୍ତ୍ତ ଓ ନିରବଚ୍ଛିନ ସମର୍ଥନ ଏଥିପାଇଁ ତାଙ୍କ ପ୍ରତି କୃତଜ୍ଞତାର ଏକ ନିଦର୍ଶନ ମାତ୍ର।
ନବୀନଙ୍କ କ୍ରମାଗତ ନିର୍ବାଚନୀ ସଫଳତାର ଦ୍ବିତୀୟ ବଡ଼ କାରଣ ହେଲା ତାଙ୍କର ‘ସ୍ୱଚ୍ଛ ଓ ନିର୍ମଳ’ ଭାବମୂର୍ତ୍ତି। ଏହାକୁ ବିଡ଼ମ୍ବନା ହିଁ କୁହାଯିବ ଯେ ଯେଉଁ ସରକାରଙ୍କ ଅମଳରେ ପ୍ରାୟ ଗୋଟିଏ ଦଶନ୍ଧି ଧରି ଚାଲିଥିବା ଖଣି ମହାଦୁର୍ନୀତି ଓ ହଜାର ହଜାର କୋଟି ଟଙ୍କାର ଚିଟ୍ଫଣ୍ଡ ଦୁର୍ନୀତି ପରି ରାଜ୍ୟ ଇତିହାସର ସବୁଠାରୁ ବଡ଼ ଦୁର୍ନୀତି ସଂଘଟିତ ହୋଇଛି, ତାହାର ମୁଖ୍ୟଙ୍କ ଧଳା ଫରଫର କୁର୍ତ୍ତାରେ ଏସବୁ ଦୁର୍ନୀତିର ଛିଟା ଆଦୌ ଲାଗିନାହିଁ। କେବଳ ଏ ଦୁଇ ମହାଦୁର୍ନୀତି ନୁହେଁ, ଅନ୍ୟ ବହୁ ଛୋଟ ବଡ଼ ଦୁର୍ନୀତି ସତ୍ତ୍ୱେ ନବୀନଙ୍କ ନିର୍ମଳ ଭାବମୂର୍ତ୍ତିରେ ଯଦି ଆଞ୍ଚ ଆସି ନାହିଁ, ତାହାର ତିନିଟି କାରଣ ଅଛି। ପ୍ରଥମ: ରାଜନୈତିକ ଗୋଟି ଚାଳନା ଓ କେନ୍ଦ୍ରରେ କ୍ଷମତାସୀନ ଦଳ ସହ ମୂଲଚାଲ କରିବାରେ ତାଙ୍କର ବିରଳ ଦକ୍ଷତା। ଦ୍ବିତୀୟ: ‘ଭାବମୂର୍ତ୍ତି ପରିଚାଳନା’ରେ ତାଙ୍କର ଅନୁକରଣୀୟ ପାରଦର୍ଶିତା। ଏବଂ ତୃତୀୟ: ଏସବୁ ଦୁର୍ନୀତିକୁ ନିର୍ବାଚନୀ ପ୍ରସଙ୍ଗ କରିବାରେ ବିରୋଧୀ ଦଳଙ୍କ ସାମଗ୍ରିକ ବିଫଳତା। ସାଧାରଣ ଲୋକେ ବିଶ୍ୱାସ କରନ୍ତି ଯେ ନବୀନଙ୍କ ସରକାରରେ ଓ ଦଳରେ ଦୁର୍ନୀତିଗ୍ରସ୍ତ ନେତା ଥାଇପାରନ୍ତି; କିନ୍ତୁ ସେ ନିଜେ ନିଷ୍କଳଙ୍କ। କେବଳ ନିଷ୍କଳଙ୍କ ନୁହନ୍ତି, ସେ ଦୁର୍ନୀତିଗ୍ରସ୍ତଙ୍କୁ ‘ଛାଡ଼ନ୍ତି ନାହିଁ’। ଏଭଳି ଧାରଣାର କୌଣସି ଯୁକ୍ତିସଙ୍ଗତ ଆଧାର ନାହିଁ, ଏହା ସତ। ଏହା ‘ଚଟୁ ଆମିଷ, ବେଣ୍ଟ ନିରାମିଷ’ ଭଳି କଥା, ଏଥିରେ ଦ୍ବିମତ ନାହିଁ। କିନ୍ତୁ ଏକଥା ସର୍ବଜନବିଦିତ ଯେ ଭାରତୀୟ ରାଜନୀତି ଯୁକ୍ତି, ତଥ୍ୟ, ପ୍ରମାଣ ଆଧାରରେ ପରିଚାଳିତ ହୁଏ ନାହିଁ। ରାଜନୀତି ଏଠି ହେଉଛି ଏକ ‘ପର୍ସେପ୍ସନ୍’ର ଯୁଦ୍ଧ; ଜନମାନସକୁ ନିଜ ସପକ୍ଷରେ ପ୍ରଭାବିତ କରିବାର ଏକ ନିରନ୍ତର ପ୍ରତିଯୋଗିତା। ଏଥିରେ ସନ୍ଦେହ ନାହିଁ ଯେ ନବୀନ ଏ ଯୁଦ୍ଧରେ ତାଙ୍କର ସବୁ ବିରୋଧୀଙ୍କୁ ଧରାଶାୟୀ କରିଛନ୍ତି। ୨୩ ବର୍ଷର ଶାସନ ଓ ବହୁ ଦୁର୍ନୀତି ସତ୍ତ୍ୱେ ସେ ନିଜ ଭାବମୂର୍ତ୍ତି ଅକ୍ଷୁଣ୍ଣ ରଖି ପାରିଛନ୍ତି, ଏହା କମ୍ ବଡ଼ ସଫଳତା ନୁହେଁ।
ନବୀନଙ୍କ ଆଶାତୀତ ସଫଳତାର ଅନ୍ୟ ଏକ ପ୍ରମୁଖ କାରଣ ହେଲା ତାଙ୍କର ବିଚକ୍ଷଣ ରାଜନୈତିକ ବିଚାର ବୁଦ୍ଧି। ସମୟର ଆହ୍ବାନ ଅନୁଯାୟୀ ରାଜନୈତିକ ନିଷ୍ପତ୍ତି ନେବା ଓ ନିଜକୁ ବାରମ୍ବାର ନୂଆ ରୂପରେ, ଅବତାରରେ ଲୋକଙ୍କ ପାଖରେ ଉପସ୍ଥାପନ କରିବାରେ ତାଙ୍କର ଦକ୍ଷତା ସତରେ ଅତୁଳନୀୟ। ତାଙ୍କ ରାଜନୀତିର ଏ ଦୁଇ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଇଁ ଗୋଟିଏ ଲେଖାଏଁ ଉଦାହରଣ ବୋଧହୁଏ ଯଥେଷ୍ଟ ହେବ। ୨୦୧୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏକ ଜାତୀୟ ଇଂରେଜୀ ଚାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ନବୀନଙ୍କୁ ଯେତେବେଳେ ପଚରାଗଲା ଯେ ଯଦି ନରେନ୍ଦ୍ର ମୋଦୀ (ଯେ କି କିଛିଦିନ ମଧ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥାଆନ୍ତି) ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ କ’ଣ ହେବ? ନବୀନ ତାଙ୍କ ସ୍ବଭାବସୁଲଭ ଢଙ୍ଗରେ ଦେଇଥିବା ଧାଡ଼ିକିଆ ଉତ୍ତରରେ କହିଥିଲେ; ‘ଇଟ୍ ଵିଲ୍ ବି ଏ ଡିଜାଷ୍ଟର ଫର ଦି କଣ୍ଟ୍ରି’ (‘ଏହା ଦେଶ ପାଇଁ ଏକ ବିପର୍ଯ୍ୟୟ ହେବ’)। ଏ ବକ୍ତବ୍ୟ ପରେ ଅନେକେ ହୁଏତ ଅନୁମାନ କରିଥିବେ ଯେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦୀର୍ଘ ଏକ ଦଶନ୍ଧି ଧରି କେନ୍ଦ୍ରରେ ଥିବା କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରଙ୍କ ସହ ଅତ୍ୟନ୍ତ ମଧୁର ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖିଥିବା ନବୀନ ବୋଧେ ମୋଦୀଙ୍କୁ ବିରୋଧ କରିବେ। କିନ୍ତୁ ପ୍ରକୃତରେ ହେଲା କ’ଣ, ତାହା ବୋଧହୁଏ ରାଜନୀତିରେ ସାମାନ୍ୟତମ ରୁଚି ରଖୁଥିବା କୌଣସି ଲୋକକୁ ଅଛପା ନାହିଁ। କେବଳ ଏଇ ଗୋଟିଏ ଘଟଣା ନୁହେଁ, ବିଗତ ୨୩ ବର୍ଷ ମଧ୍ୟରେ ନବୀନ ବାରମ୍ବାର ପ୍ରମାଣ କରିଛନ୍ତି ଯେ ତାଙ୍କ ଭଳି ରାଜନୈତିକ ‘ଇନ୍ଷ୍ଟିଙ୍କଟ୍’ ବା ପ୍ରବୃତ୍ତି କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଖୁବ୍ କମ୍ ନେତାଙ୍କ ପାଖରେ ଦେଖାଯାଏ।
ଏଥର ଆସିବା ନିଜକୁ ବାରମ୍ବାର ‘ରିଡିସ୍କଭର୍’ ବା ପୁନଃଆବିଷ୍କାର କରିବାରେ ନବୀନଙ୍କର ଅପୂର୍ବ ଦକ୍ଷତା ପ୍ରସଙ୍ଗକୁ। ୨୦୦୦ ମସିହାରୁ କ୍ଷମତାରେ ଥିବା ନବୀନଙ୍କ ମୁଖ୍ୟମନ୍ତ୍ରିତ୍ବର ପ୍ରଥମ ୧୫-୧୬ ବର୍ଷ ଓଡ଼ିଶାରେ ବୋଧେ କେହି ଜାଣି ନ ଥିଲେ ଯେ ସେ ଜଣେ ଏତେ ବଡ଼ କ୍ରୀଡ଼ା ପ୍ରେମୀ; ଡୁନ ସ୍କୁଲରେ ପଢ଼ିଲା ବେଳେ ହକି ଖେଳୁଥିଲେ; ଗୋଲ୍ କିପର୍ ଥିଲେ। ଆଜି କିନ୍ତୁ ସେ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତରେ ହକିର ‘ମଶୀହା’। ତାଙ୍କରି ଉଦ୍ୟମ ଫଳରେ ଓଡ଼ିଶା କ୍ରମାଗତ ଦୁଇ ଦୁଇ ଥର ବିଶ୍ବ କପ୍ର ଆୟୋଜନ କରି ଏକ ବିରଳ ରେକର୍ଡର ଅଧିକାରୀ ହୋଇ ପାରିଛି।
୨୩ ବର୍ଷ ଧରି ‘ବିଜୁ ବାବୁଙ୍କ ସ୍ବପ୍ନ’ ପୂରଣ କରିବାରେ ନିରନ୍ତର ଓ ନିରଳସ ଉଦ୍ୟମ କରି ଚାଲିଥିବା ନବୀନ ଯଦି ରାଜନୈତିକ ସଫଳତା ହାସଲ କରିବାରେ ନିଜ ପିତାଙ୍କୁ ବହୁ ପଛରେ ଛାଡ଼ି ଦେଇଛନ୍ତି, ତା’ର କାରଣ ହେଲା ସେ ନିଜ ବାପାଙ୍କ ପରି ସ୍ବପ୍ନଦ୍ରଷ୍ଟା ନୁହନ୍ତି; ସେ ଜଣେ ଅତ୍ୟନ୍ତ ବାସ୍ତବବାଦୀ ନେତା। ସେ ଭଲଭାବେ ବୁଝିଛନ୍ତି ଯେ ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରି ସେ ନା ତାଙ୍କର ସ୍ବପ୍ନ ପୂରଣ କରି ପାରିବେ ନା ନିଜର ରାଜନୈତିକ ଅଭିଳାଷ ପୂର୍ଣ୍ଣ କରି ପାରିବେ। ତେଣୁ ତାଙ୍କର ରାଜନୈତିକ ରଣକୌଶଳ ସଂପୂର୍ଣ୍ଣ ଭାବେ ନିର୍ବାଚନ-କେନ୍ଦ୍ରିକ। ନିର୍ବାଚନ ପାଇଁ ସବୁ କଳ, ବଳ ଓ କୌଶଳର ପୂର୍ଣ୍ଣ ବିନିଯୋଗ କରିବା ଏ ରଣନୀତିର ଅଂଶ ବିଶେଷ। ସେ ବିଶ୍ୱାସ କରନ୍ତି ଯେ କେବଳ ଯୁଦ୍ଧରେ ନୁହେଁ, ରାଜନୀତିରେ ମଧ୍ୟ ସବୁ କିଛି ଗ୍ରହଣୀୟ।
ନବୀନଙ୍କ ଅଭୂତପୂର୍ବ ରାଜନୈତିକ ସଫଳତାରେ ଉପରବର୍ଣ୍ଣିତ ସମସ୍ତ କାରଣଗୁଡ଼ିକର ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ତାଙ୍କ ଅବିଶ୍ବସନୀୟ ଜୟଯାତ୍ରାର ସବୁଠାରୁ ବଡ଼ କାରଣ ହେଉଛି ୨୩ ବର୍ଷର ତାଙ୍କ ଶାସନରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ (ଓ କିଛି କ୍ଷେତ୍ରରେ ଈର୍ଷଣୀୟ) ସଫଳତା ହାସଲ କରିଛି। ସବୁ ସଫଳତାର ବିସ୍ତୃତ ବିବରଣୀ ଦେବା ଏଠାରେ ସମ୍ଭବ ନୁହେଁ। କିନ୍ତୁ କିଛି ପ୍ରମୁଖ ସଫଳତାର ଉଲ୍ଲେଖ ନିଶ୍ଚୟ କରାଯାଇ ପାରିବ। ରାଜ୍ୟରେ ରାଜନୈତିକ ସ୍ଥିରତା ଆସିଛି। ଦାରିଦ୍ର୍ୟ, ଅନାହାର ଯଥେଷ୍ଟ କମିଛି। ମାତୃ ଓ ଶିଶୁ ମୃତ୍ୟୁ ହାର ପ୍ରଶଂସନୀୟ ଭାବେ ହ୍ରାସ ପାଇଛି। ଶିଳ୍ପ ଓ ଭିତ୍ତିଭୂମିର ଦ୍ରୁତ ବିକାଶ ଘଟିଛି। ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସାରା ପୃଥିବୀରେ ଏକ ଉଦାହରଣ ସୃଷ୍ଟି କରିଛି। କ୍ରୀଡ଼ା (ଓ ବିଶେଷ କରି ହକି) ଭିତ୍ତିଭୂମିର ବ୍ୟାପକ ବିସ୍ତାର ହୋଇଛି।
କିନ୍ତୁ ଏ ସମସ୍ତ ସଫଳତା ସହିତ ନବୀନଙ୍କ ସରକାରରେ କିଛି ଚରମ ବିଫଳତା ମଧ୍ୟ ଦେଖିବାକୁ ମିଳିଛି। ରାଜନୈତିକ ବ୍ୟକ୍ତି ଓ ନିର୍ବାଚିତ ପ୍ରତିନିଧି (ଏପରିକି ମନ୍ତ୍ରୀ ମଧ୍ୟ) ସଂପୂର୍ଣ୍ଣ ଭାବେ ଅପ୍ରାସଙ୍ଗିକ, ଅପାଙ୍କ୍ତେୟ ହୋଇ ପଡ଼ିଛନ୍ତି। ରାଜ୍ୟ କ୍ୟାବିନେଟ୍ ବୈଠକ କେବଳ ଦସ୍ତଖତ ସଂଗ୍ରହରେ ସୀମିତ ହୋଇ ରହିଯାଇଛି। ଜଣେ ଅଫିସର୍ ମୁଷ୍ଟିମେୟ ଅଫିସର୍ଙ୍କୁ ଧରି ଶାସନ ଚଳାଉଛନ୍ତି।
‘ଗଣତନ୍ତ୍ରର ପବିତ୍ର ମନ୍ଦିର’ ବୋଲି ବିଚାର କରାଯାଉଥିବା ବିଧାନସଭାର ଗରିମା ଭୂଲୁଣ୍ଠିତ ହୋଇଛି। ହାତଗଣତି କେତୋଟି ସଂସ୍ଥାଙ୍କୁ ଛାଡ଼ିଦେଲେ ଗଣମାଧ୍ୟମ ଶାସକ ଦଳର ସଂକୀର୍ତ୍ତନ ଦଳ ପାଲଟି ଯାଇଛି। ପ୍ରତିବାଦର କ୍ଷେତ୍ର କ୍ରମାଗତ ଭାବେ ସଙ୍କୁଚିତ ହୋଇ ଚାଲିଛି। ସାମଗ୍ରିକ ଭାବେ ଦେଖିଲେ ଗଣତନ୍ତ୍ର ଦୁର୍ବଳ ହୋଇଛି।
କିନ୍ତୁ ଲୋକେ ଯଦି ‘ଖୁସି’ ତେବେ ଏଥିରେ ଗଣତନ୍ତ୍ର କ୍ଷୁଣ୍ଣ ହେଲେ ଯାଏ କେତେ, ଆସେ କେତେ? ରାଜନୀତିର ନବ ନିର୍ଦ୍ଧାରିତ ସଂଜ୍ଞା ଅନୁସାରେ ଲୋକଙ୍କ ‘ଖୁସି’ ହିଁ ଗଣତନ୍ତ୍ରର ପ୍ରକୃତ ପରିଚାୟକ।
ମୋ: ୯୯୩୭୨୨୮୧୨୨