ବାଲ୍ୟ ବିବାହ ବିତର୍କ

ଗାନ୍ଧୀ ଦୃଷ୍ଟି - ଗୌରାଙ୍ଗ ଚରଣ ପରିଡ଼ା

ବାଲ୍ୟ ବା ବାଳିକା ବିବାହ ବିରୋଧରେ ଗାନ୍ଧୀଜୀ ତାଙ୍କ ମତ ଖୋଲାଖୋଲି ପ୍ରକାଶ କରୁଥିଲେ। ଜୀବନ କ’ଣ ବୁଝିବା ପୂର୍ବରୁ ଅପ୍ରାପ୍ତ ବୟସ୍କା ଝିଅଟିର ବିବାହକୁ ସେ ଏକ ଅଭିଶାପ ବୋଲି କହୁଥିଲେ।

ବାଲ୍ୟ ବିବାହ ଉପରେ ପ୍ରକାଶିତ ଗାନ୍ଧୀଙ୍କ ଏକ ପ୍ରବନ୍ଧକୁ ନେଇ ପ୍ରାୟ ଏକ ମାସ ଧରି ଥରେ ବିତର୍କ ହୋଇଥିଲା ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ। କିଛି ରକ୍ଷଣଶୀଳ ବୁଦ୍ଧିଜୀବୀ ପ୍ରବନ୍ଧକୁ ସମାଲୋଚନା କରି ‘ୟଙ୍ଗ୍ ଇଣ୍ଡିଆ’କୁ ପତ୍ର ଲେଖିଥିଲେ। ଗାନ୍ଧୀଙ୍କ ଏ ଲେଖା ପ୍ରକାଶ ପାଇଥିଲା ୧୯୨୬ ମସିହା, ଅଗଷ୍ଟ ୨୬ ତାରିଖରେ। ପ୍ରବନ୍ଧର ଶିରୋନାମା ଥିଲା, ‘କର୍ସ ଅଫ୍ ଚାଇଲ୍‌ଡ ମ୍ୟାରେଜ’- ବାଲ୍ୟ ବିବାହର ଅଭିଶାପ। ଏଥିରେ ଗାନ୍ଧୀ ଲେଖିଥିଲେ- ‘ଶ୍ରୀମତୀ ମାର୍ଗାରେଟ ଇ କଜିନ୍‌ସ ମୋତେ ଏକ ହାତ ଲେଖା ଚିଠା ଦେଇଛନ୍ତି। ମାର୍ଗାରେଟଙ୍କ ସେ ଚିଠାରେ ମାଡ୍ରାସରେ ଆତ୍ମହତ୍ୟା କରିଥିବା ଏକ ବାଳିକା ବଧୂର ମକଦ୍ଦମାର ବର୍ଣ୍ଣନା ରହିଛି। ବିବାହ ବେଳେ ଝିଅର ବୟସ ହୋଇଥିଲା ମାତ୍ର ୧୩ ବର୍ଷ। ସ୍ୱାମୀର ବୟସ ଥିଲା ୨୬ ବର୍ଷ। ଏତେ ଶୀଘ୍ର ବାହା ହୋଇ ଘର ସଂସାର କରିବାକୁ ଝିଅଟି ରାଜି ନ ଥିଲା। ବାହାଘରର ତେର ଦିନ ପରେ ଝିଅଟି ପୋଡ଼ିହୋଇ ମୃତ୍ୟୁ ବରଣ କରିଥିଲା। ଏପରି ଅପମୃତ୍ୟୁର ମକଦ୍ଦମା ବିଚାର କରି ବିଚାରପତି ରାୟ ଦେଲେ, ବୟସ୍କ ସ୍ୱାମୀର ଯୌନ ନିର୍ଯାତନା ସହ୍ୟ କରି ନ ପରି ଝିଅଟି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛି। ଯୌନ ଲାଳସା ପାଖରେ ହିତାହିତ ଜ୍ଞାନ ଏବଂ ଦୟାଭାବର କିଛି ମାନେ ନଥାଏ।’

ମାର୍ଗାରେଟଙ୍କ ଏ ଚିଠାକୁ ଆଧାର କରି ଗାନ୍ଧୀ ତାଙ୍କ ପ୍ରବନ୍ଧରେ ମନ୍ତବ୍ୟ ଦେଲେ, ବାଳିକା ବିବାହ ପ୍ରଥା ଏକ ନୈତିକ ତଥା ଦୈହିକ ପାପ। ଏହା ଏକ ନିଷ୍ଠୁର କୁପ୍ରଥା ଯାହା ଉଭୟ ଶରୀର ଓ ଆତ୍ମାକୁ ହତ୍ୟା କରିଥାଏ। ଏପରି ବିବାହ କୌଣସି ଧର୍ମ ଭିତରେ ଯାଏନି। ଏହା ଏକ ଅଧର୍ମ। ଯେଉଁମାନେ ଏହାକୁ ଧର୍ମ ଓ ଶାସ୍ତ୍ରସମ୍ମତ କହି ସମର୍ଥନ ଦିଅନ୍ତି ଏବଂ ପରମ୍ପରାର ଯୁକ୍ତି ଦର୍ଶାନ୍ତି, ସେମାନେ ପ୍ରକୃତରେ ଧାର୍ମିକ ନୁହନ୍ତି।

ଗାନ୍ଧୀ ତାଙ୍କ ଲେଖାରେ ଆହୁରି ବି ସୂଚେଇ ଦେଇଥିଲେ, କେବଳ ଆଇନ କରି ବାଲ୍ୟବିବାହ ପରି କୁପ୍ରଥା ଏବଂ ଜନବିରୋଧୀ ଖରାପ ପରମ୍ପରାକୁ ସମ୍ପୂର୍ଣ୍ଣ ବନ୍ଦ କରିବା କଷ୍ଟ। ଏଥିପାଇଁ ଜନମତ ସୃଷ୍ଟି ହେବା ଦରକାର। ମାଡ୍ରାସର ସେ ଛୋଟ ଝିଅଟିର ଆତ୍ମହତ୍ୟା ଘଟଣା ଘଟି ନଥାନ୍ତା ଯଦି ବାଲ୍ୟବିବାହ ବିରୋଧରେ ବଳିଷ୍ଠ ଜନମତଟିଏ ଏଠି ଥାଆନ୍ତା। ମାଡ୍ରାସରେ ନାବାଳିକାକୁ ବିବାହ କରିଥିବା ବ୍ୟକ୍ତି ଜଣକ ପ୍ରକୃତରେ ନିରକ୍ଷର ନଥିଲା। ସେ ଏକ ଶିକ୍ଷିତ ଟାଇପିଷ୍ଟ ଥିଲା। ଜନମତକୁ ସେ ନିଶ୍ଚୟ ଭୟ କରି ଥାଆନ୍ତା।

ପ୍ରବନ୍ଧରେ ଗାନ୍ଧୀଙ୍କ ଶେଷ କଥା ଥିଲା, କୁପ୍ରଥା ଏବଂ କୁସଂସ୍କାରକୁ ଆବୋରିନେଇ ସ୍ୱରାଜର ଉପଲବ୍‌ଧି କରି ହେବ ନାହିଁ। ପ୍ରଗତିଶୀଳ ଚିନ୍ତା ନ ଥିଲେ ସ୍ୱାଧୀନତା ପ୍ରାପ୍ତି ପରେ ସେହି ସ୍ୱାଧୀନତାକୁ ବଞ୍ଚେଇ ରଖିବା ଅସମ୍ଭବ ହୋଇଥାଏ। ସ୍ୱରାଜର ସ୍ଥାୟିତ୍ୱ ପାଇଁ କେବଳ ରାଜନୈତିକ ସଚେତନତା ଦରକାର ହୁଏ ନାହିଁ। ଏ ସଚେତନତା ସାମଗ୍ରିକ ହେବା ଉଚିତ। ଏହା ସାମାଜିକ, ଶୈକ୍ଷିକ, ନୈତିକ ଏବଂ ଆର୍ଥିକ ହେବା ବି ଜରୁରୀ। ଝିଅର ବିବାହ ବୟସ ପ୍ରତି ପ୍ରଥମେ ବାପା ମା’ ମାନେ ଗମ୍ଭୀର ହେବା ଦରକାର। କେବଳ ବିବାହ ଯୋଗ୍ୟ ଅବସ୍ଥା ହିଁ ବିବାହ ପାଇଁ ଏକମାତ୍ର ଆବଶ୍ୟକତା ନୁହେଁ। ଏଥିପାଇଁ କନ୍ୟାର ଦୈହିକ ଓ ମାନସିକ ପ୍ରସ୍ତୁତି ଦରକାର। ଅଠର ବର୍ଷ ବୟସରୁ କମ୍ ବୟସର ଝିଅକୁ ବିବାହ ଦେବା ଉଚିତ ନୁହେଁ।

‘ୟଙ୍ଗ ଇଣ୍ଡିଆ’ରେ ଗାନ୍ଧୀଙ୍କ ପ୍ରବନ୍ଧ ପଢ଼ି ଏହାକୁ ସମାଲୋଚନା କରି ଜଣେ ଏକ ପତ୍ର ଲେଖିଥିଲେ ଏବଂ ଉକ୍ତ ପତ୍ରକୁ ‘ୟଙ୍ଗ ଇଣ୍ଡିଆ’ରେ ଛାପିବାକୁ ଅନୁରୋଧ କରିଥିଲେ। ପତ୍ର ପ୍ରେରକ ଜଣକ ପ୍ରତିଷ୍ଠିତ ପଣ୍ଡିତ ଥିଲେ। ତାଙ୍କ ଚିଠିରେ ସେ ଲେଖିଥିଲେ- ବାଲ୍ୟବିବାହ ଭାରତ ବର୍ଷ ପାଇଁ ଭଲ। ଆମ ପ୍ରାଚୀନ ଶାସ୍ତ୍ରରେ ଏହା ଅଛି। ମୁନି ଋଷିମାନେ ଏହାକୁ ସମର୍ଥନ କରିଛନ୍ତି। ଏ ପର୍ଯ୍ୟନ୍ତ କୌଣସି ହିନ୍ଦୁ ସମାଜ ସଂସ୍କାରକ କିମ୍ବା ଖ୍ରୀଷ୍ଟିଆନ ମିସନାରି ଏହାର ବିରୋଧ କରି ନାହାନ୍ତି। ଭାରତର ପ୍ରାଚୀନ ବିିଧି ପ୍ରଣେତାମାନେ ବାଲ୍ୟବିବାହ ପ୍ରଥାର ସମର୍ଥନରେ ଯୁକ୍ତି ଦେଇ କହିଛନ୍ତି, ପ୍ରତ୍ୟେକ ଝିଅ କମ୍ ବୟସରେ ବିବାହ କରିବା ଉଚିତ। ନିଜ କନ୍ୟା ପାଇଁ ବର ପସନ୍ଦର ଦାୟିତ୍ୱ କେବଳ ବାପା ମା’ଙ୍କର। ଏ ପସନ୍ଦର ଅଧିକାର କନ୍ୟାର ନୁହେଁ। ଏ ଅଧିକାରରେ ବିପଦ ଅଛି। ପସନ୍ଦରେ ବିଳମ୍ବ ହେଲେ କନ୍ୟା ଅବିବାହିତ ରହିଯିବ। ପତ୍ର ପ୍ରେରକ ଏକଥା ବି ଲେଖିଥିଲେ, ଅଳ୍ପ ବୟସରେ ବିବାହ କରିଥିବା ଝିଅ ନିଜ ସ୍ୱାମୀ ଏବଂ ପରିବାର ପ୍ରତି ବେଶୀ ଅନୁଗତ ରହିଥାଏ। ଜନ୍ମିତ ପିଲାମାନେ ସୁସ୍ଥ ଓ ସବଳ ହୋଇଥାଆନ୍ତି। ବାଲ୍ୟବିବାହ ଭାରତର ସବୁ ଅଞ୍ଚଳରେ ଶହ ଶହ ବର୍ଷ ଧରି ରହିଛି। ସେଥିପାଇଁ ୟୁରୋପୀୟ ଦେଶମାନଙ୍କଠାରୁ ଏକ ଅଧିକ ଶୃଙ୍ଖଳିତ ଏବଂ ନୀତିପୂର୍ଣ୍ଣ ପାରିବାରିକ ବ୍ୟବସ୍ଥାଟିଏ ଭାରତରେ ଏ ପର୍ଯ୍ୟନ୍ତ ତିଷ୍ଠି ରହିପାରିଛି।

ପତ୍ର ପ୍ରେରକଙ୍କ ଏ ଚିଠିକୁ ଗାନ୍ଧୀ ତାଙ୍କ ନିଜର ଅନ୍ୟ ଏକ ପ୍ରବନ୍ଧ ସହ ୧୯୨୬ ମସିହା ସେପ୍‌ଟେମ୍ବର ୯ ତାରିଖ ‘ୟଙ୍ଗ୍ ଇଣ୍ଡିଆ’ରେ ପ୍ରକାଶ କରିଥିଲେ। ଜଣେ କବିଙ୍କ ଉକ୍ତିକୁ ଉଦ୍ଧାର କରି ଗାନ୍ଧୀଜୀ ତାଙ୍କ ଦ୍ବିତୀୟ ପ୍ରବନ୍ଧରେ ଲେଖିଥିଲେ, ସତ୍ୟ ବହୁତ ନିଷ୍ଠୁର ହୋଇଥାଏ। ବେଳେବେଳେ କିଛି ବ୍ୟକ୍ତି ସତ୍ୟର ବାସ୍ତବ ନିଷ୍ଠୁରତାକୁ ସାମନା କରି ନପାରି ଭିନ୍ନ ରଙ୍ଗ ଦେଇ ନିଜ ସୁରକ୍ଷାରେ ନୂଆ ଦର୍ଶନ ତିଆରି କରି ଦେଇଥାଆନ୍ତି। ଏଥିପାଇଁ ଅବଶ୍ୟ କିଛି ଖର୍ଚ୍ଚ କରିବାକୁ ପଡ଼େନି। କିନ୍ତୁ ଏ ଦର୍ଶନ ଯେ ଗୁପ୍ତରେ ତାଙ୍କ ବିବେକକୁ ଆହତ କରୁଥାଏ ସେମାନେ ଏକଥା ଜାଣନ୍ତି। ‘ୟଙ୍ଗ୍‌ ଇଣ୍ଡିଆ’ର ଏ ପାଠକ ତଥା ପତ୍ର ପ୍ରେରକ ତାଙ୍କ ଦର୍ଶନ ନିର୍ମାଣ କଲାବେଳେ ବାସ୍ତବତାକୁ ଲୁଚେଇଛନ୍ତି ଏବଂ ତାଙ୍କର ସମସ୍ତ ଯୁକ୍ତି ଅସମର୍ଥିତ ତଥ୍ୟ ଉପରେ ଆଧାରିତ କରିଛନ୍ତି। ଅଳ୍ପ ବୟସରେ ଝିଅଟିକୁ ବିବାହ ଦେଇ ଅଳ୍ପ ବୟସରେ ମାତୃତ୍ୱର ବୋଝ ଲଦିଦେବା ସମାଜର ହିତରେ ଯାଏନି। ସକାରାତ୍ମକ ଅନୁଭୂତି ଓ ବୈଜ୍ଞାନିକ ଜ୍ଞାନ ବାଲ୍ୟ ବିବାହ ଏବଂ ଅଳ୍ପ ବୟସର ମାତୃତ୍ୱକୁ ପ୍ରତ୍ୟାଖ୍ୟାନ କରେ।

ଗାନ୍ଧୀ ତାଙ୍କ ପ୍ରବନ୍ଧର ଉପସଂହାରରେ ଉଲ୍ଲେଖ କରିଥିଲେ ଯେ ସମାଜର ନୀତି, ନୈତିକତା, ମୂଲ୍ୟବୋଧ ନେଇ ଆମ ଭିତରେ ଅନେକ ଆବିଳତା ଅଛି। ଏହାର ନିରାକରଣ ପାଇଁ ବ୍ୟାପକ ଅଧ୍ୟୟନ, ଗଭୀର ଗବେଷଣା ଦରକାର। ଏବଂ କୌଣସି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମତ ଦେଲାବେଳେ ନିଜର ସ୍ପଷ୍ଟ ଚିନ୍ତା ଓ ନିରପେକ୍ଷତା ରହିବା ଦରକାର। ସତ୍ୟର ଅପଳାପ ହିଁ ଧର୍ମ ଓ ଜାତୀୟ ସ୍ୱାର୍ଥର କ୍ଷତି କରିଥାଏ।

ବିଡ଼ମ୍ବନା ଯେ, ବର୍ତ୍ତମାନର ଆଧୁନିକ ଚିନ୍ତା ଓ ପ୍ରଗତି ସତ୍ତ୍ବେ ବାଲ୍ୟ ବିବାହକୁ ନେଇ ବିତର୍କ ଶେଷ ହେଉନି।

ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର