ଚୀନ କଦାପି ବିଶ୍ୱ ହୃଦୟ ଜିଣି ପାରିବ ନାହିଁ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଲଦାଖର ଗାଲଵନ ଉପତ୍ୟକାରେ ଆମର ଶକ୍ତିଶାଳୀ କମ୍ୟୁନିଷ୍ଟ୍ ପଡ଼ୋଶୀ ସହ ଉତ୍ତେଜନାମୂଳକ ପରିସ୍ଥିତି ପରିପ୍ରେକ୍ଷୀରେ, ନିକଟରେ ଚୀନା ବିଦ୍ବାନ୍‌ ଓ କୂଟନୀତିଜ୍ଞମାନେ ଭାରତୀୟ ଗଣମାଧ୍ୟମକୁ ଗଦାଗଦା ସାକ୍ଷାତକାର ଦେବା ଦେଖି ବିସ୍ମିତ ହେବାକୁ ପଡ଼େ। ‘ଦ ହିନ୍ଦୁ’କୁ ସାକ୍ଷାତକାର ଦେଇ ଜଣେ ବରିଷ୍ଠ ଚୀନା ଶିକ୍ଷାବିତ୍‌ ଯୁକ୍ତି ବାଢ଼ିଛନ୍ତି, ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ତାଙ୍କ ଦେଶ କରୋନା ମହାମାରୀର ଅଧିକ ଉପଯୁକ୍ତ ଓ ଫଳପ୍ରଦ ମୁକାବିଲା କରିପାରିଛି। ଅଶୀରୁ ଅଧିକ ରାଷ୍ଟ୍ରକୁ ତାଙ୍କ ଦେଶ ବିଭିନ୍ନ ପ୍ରକାରର ଚିକିତ୍ସା ସହାୟତା ଯୋଗାଇଥିବା କଥା ସେ ଦାବି କରିଛନ୍ତି। ଏଥି ସହ ସେ ଜୋର‌୍‌ ଦେଇ କହିଛନ୍ତି, ଚାଇନା ସ˚ପର୍କରେ ସକାରାତ୍ମକ ମତ ଦେଉଥିବା ରାଷ୍ଟ୍ର ସ˚ଖ୍ୟା, ନକାରାତ୍ମକ ମତ ଦେଉଥିବା ରାଷ୍ଟ୍ର ସ˚ଖ୍ୟାଠାରୁ ଢେର‌୍‌ ଅଧିକ।

ଇତି ମଧ୍ୟରେ ଭାରତରେ ଅବସ୍ଥାପିତ ଚୀନର ରାଷ୍ଟ୍ରଦୂତ ଏକ ଭାରତୀୟ ଟେଲିଭିଜନ୍‌ ଚାନେଲ୍‌ରେ ତାଙ୍କ ଦେଶ, ଆମ ଦେଶକୁ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଭାରତ ଶୀଘ୍ର ମହାମାରୀ ଉପରେ ବିଜୟ ହାସଲ କରୁ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି- ତାଙ୍କ ଦେଶରୁ ଭାରତ ଚିକିତ୍ସା ସାମଗ୍ରୀ ଆମଦାନି କରିବାର ସମସ୍ତ ବାଟ ସେମାନେ ଉନ୍ମୁକ୍ତ ରଖିଛନ୍ତି।

ନିର୍ଦିଷ୍ଟ ଭାବେ ଚିକିତ୍ସା କ୍ଷେତ୍ରକୁ ସହାୟତା ଯୋଗାଇବା ପାଇଁ ସେ କହିବା ସହ ୧୯୬୨ ପ୍ରାକ୍‌-ଯୁଦ୍ଧକାଳୀନ ‘ହିନ୍ଦୀ-ଚିନୀ ଭାଇ ଭାଇ’ର ପୁରୁଣା ସ୍ଲୋଗାନ୍‌, ଯାହା ଏବେ ବିସ୍ମୃତ, ମନେପକାଇଛନ୍ତି। ଚୀନା ରାଷ୍ଟ୍ରଦୂତ କହିଛନ୍ତି- ଚଳିତ ବର୍ଷ ଭାରତ ଓ ଚୀନର କୂଟନୈତିକ ସ˚ପର୍କକୁ ସତୁରି ପୂରୁଛି। ଆମେ କେବଳ ପଡ଼ୋଶୀ ନୁହନ୍ତି; ବନ୍ଧୁ ଓ ଅ˚ଶୀଦାର ମଧ୍ୟ। ମହାମାରୀ ବିରୋଧୀ ଯୁଦ୍ଧ ଜିଣିବା ପାଇଁ ବିଶ୍ବର ଦୁଇ ଜନବହୁଳ ବିକାଶଶୀଳ ରାଷ୍ଟ୍ର ଭାବେ ଭାରତ ଓ ଚୀନ ଏକତ୍ର କାମ କରିବା ଉଚିତ।

ଚୀନା ପ୍ରତିଷ୍ଠାନର ଏ ଭଳି ମଧୁର ବଚନ କେବଳ ଆମ ପାଇଁ ଏଠାରେ ନୁହେଁ; ଆମେରିକାରେ ମଧ୍ୟ ଏଭଳି ସ୍ବର ଶୁଣିବାକୁ ମିଳିଲାଣି। ତାଙ୍କ ଦେଶକୁ ପାଶ୍ଚାତ୍ୟ ଗଣମାଧ୍ୟମ ଅଯଥା ନିନ୍ଦିତ କରୁଥିବା, ରକ୍ଷଣଶୀଳ ରିପବ୍ଲିକାନ୍‌ ଦୁର୍ଗରୁ ପ୍ରକାଶିତ ‘ଵାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ୍‌’ରେ ଜଣେ ବରିଷ୍ଠ ଚୀନା କୂଟନୀତିଜ୍ଞ ଲେଖିଛନ୍ତି। ସେ କହିଛନ୍ତି ଯେ, କରୋନା ମହାମାରୀ ବିରୋଧରେ ଲଢ଼ିବା ପାଇଁ ଚୀନା ପଦ୍ଧତି ପ୍ରକୃତରେ ଏକ ମଡେଲ୍‌। ତାଙ୍କ ମତାନୁସାରେ ପ୍ରଥମେ ଏହି ମହାମାରୀ ତାଙ୍କ ଦେଶକୁ ଆକ୍ରାନ୍ତ କରିଥିଲା ଏବ˚ ସେମାନେ ସଫଳ ମୁକାବିଲା କରି ଅନ୍ୟ ଦେଶକୁ ମାର୍ଗ ଦେଖାଇଥିଲେ। ସେ ଉହାନ୍‌ର ଲୋକଙ୍କର ଉଚ୍ଚ ପ୍ରଶ˚ସା କରିଛନ୍ତି। ଉହାନ୍‌ବାସୀ ଏକତ୍ର ଦାୟିତ୍ବବାନ ଭାବେ ମହାମାରୀର ମୁକାବିଲା କରି ଅବଶିଷ୍ଟ ବିଶ୍ବକୁ ଅନୁପ୍ରାଣିତ କରିଛନ୍ତି। ମହାମାରୀ ମୁକାବିଲାରେ ଚାଇନିଜ୍‌ ମଡେଲ୍‌ ସଫଳ ହୋଇଛି।

ଚୀନ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରଚାର ଅଭିଯାନ ଅସ୍ବାଭାବିକ। ଏହା ଅନ୍ତରାଳରେ ପାପ ବୋଧ, ଭୟ ଭାବ ସ୍ପଷ୍ଟ ଦୃଶ୍ୟମାନ। ଚୀନା କର୍ତ୍ତୃପକ୍ଷ ଜାଣିଶୁଣି ଏ ଭଳି ଅନେକ କାର୍ଯ୍ୟ କରିଛନ୍ତି, ଯାହା ଦ୍ବାରା ମହାମାରୀ ପ୍ରସାରିତ ହୋଇଛି। ମହାମାରୀ ପୂର୍ବରୁ ମଧ୍ୟ ଏହା ଦାୟିତ୍ବହୀନ ଭାବେ ଅନେକ କାର୍ଯ୍ୟ କରିଥିବାର ଦୃଷ୍ଟାନ୍ତ ରହିଛି। ଏବର ମହାମାରୀ ପରିସ୍ଥିତି ସୃଷ୍ଟି ହେବା ପରେ ପରେ ସେଠାକାର ଯେଉଁ ଡାକ୍ତରମାନେ ପ୍ରଥମେ ଚେତାବନୀ ଦେଇଥିଲେ, ସେମାନଙ୍କୁ ଦଣ୍ତ ଦିଆଯାଇଥିଲା। ଚୀନ ଅନେକ ସପ୍ତାହ ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚାପି ରଖିଥିଲା; ଅବଶିଷ୍ଟ ବିଶ୍ବକୁ ଜଣାଇ ନ ଥିଲା।

ମହାମାରୀ ଆଗାମୀ ଦିନରେ ବିଶ୍ବ ଦରବାରରେ ସେମାନଙ୍କ ଦେଶର ସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ଦ୍ବାରା ଚୀନା ବିଦ୍ବାନ୍‌ ଓ କୂଟନୀତିଜ୍ଞମାନେ ବିଚଳିତ। ଗତ କିଛି ଦଶନ୍ଧି ହେଲା ବିଶ୍ବରେ ଚୀନର ପ୍ରଭାବ କ୍ରମାଗତ ଭାବେ ବଢ଼ିଛି। ଏହାର ଅର୍ଥନୀତି ଆଖିଦୃଶିଆ ଭାବେ ସମୃଦ୍ଧ ହୋଇଛି। ପ୍ରତିରକ୍ଷା ଓ ବୈଷୟିକ ଜ୍ଞାନକୌଶଳରେ ଅଗ୍ରଗତି ହାସଲ କରିଥିବା ହେତୁ ଏହାର ରାଜନୈତିକ ନେତୃତ୍ବର ଆତ୍ମବିଶ୍ବାସ ବଢ଼ିଛି। ଏକ ପ୍ରାଚୀନ ସମୃଦ୍ଧ ସଭ୍ୟତା ଭାବେ ନିଜର ଇତିହାସକୁ ନେଇ ଏହା ସଦା ଗର୍ବିତ। ପ୍ରତିରକ୍ଷା ଓ ବିତ୍ତୀୟ କ୍ଷେତ୍ରରେ ଏହାର ସମୃଦ୍ଧି ଏହାକୁ ବିଶ୍ବ ଦରବାରରେ ପ୍ରଭାବଶାଳୀ କରିଛି। ବିଶ୍ବକୁ ପରିଚାଳିତ କରିବାର ଏବ˚ ଏକ ନୂଆ ରୂପ ଦେବାର ସ୍ବପ୍ନ ଓ ବିଶ୍ବାସରେ ଏବେ ଚୀନ ମସଗୁଲ।

ବିଶ୍ବ ପ୍ରେକ୍ଷାପଟରେ ଚୀନର ସ˚ଭାବ୍ୟ ଉତ୍‌ଥାନ ବାବଦରେ ଅନେକ ଅଣ-ଚୀନା ଲେଖକ ମଧ୍ୟ ପୂର୍ବାନୁମାନ କରିଛନ୍ତି। ଊନବି˚ଶ ଶତାବ୍ଦୀରେ ଗ୍ରେଟ୍‌ ବ୍ରିଟେନ୍‌ ଏବ˚ ବି˚ଶ ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକା ଯେଉଁ ଭଳି ବିଶ୍ବର ମହାଶକ୍ତିରେ ପରିଣତ ହୋଇଥିଲା, ଏକବି˚ଶ ଶତାବ୍ଦୀରେ ପିଉପଲ୍‌ସ ରିପବ୍ଲିକ୍‌ ଅଫ୍‌ ଚାଇନା ସେହି ସ୍ଥାନ ନେବ ବୋଲି ଅନେକ ଦିନରୁ ବହୁଳ ଭାବେ ପ୍ରଚାର ଚାଲିଛି। ମହାମାରୀର ବହୁ ପୂର୍ବରୁ ମୋର କିନ୍ତୁ ଏ ବାବଦରେ ସ˚ଶୟ ଥିଲା। ଚୀନ ଏତେ ସହଜରେ ବ୍ରିଟେନ୍‌ ଓ ଆମେରିକାକୁ ଅତିକ୍ରମ କରି ବିଶ୍ବରେ ସବୁଠାରୁ ପ୍ରଭାବଶାଳୀ ପାଲଟିଯିବ, ଏହାକୁ ମୁଁ ବିଶ୍ବାସ କରୁ ନ ଥିଲି। ଏହାର ମୁଖ୍ୟ କାରଣ ହେଉଛି ଆର୍ଥିକ ଓ ସାମରିକ ସଫଳତା ସତ୍ତ୍ବେ ଚୀନା ସ˚ସ୍କୃତି, ଚୀନା ବାହାରେ ବିଶେଷ ଗ୍ରହଣୀୟ ନୁହେଁ। ଅପର ପକ୍ଷେ ବ୍ରିଟିସ୍‌ ସ˚ସ୍କୃତି ବ୍ରିଟେନ୍‌ ବାହାରେ ଏକଦା ବହୁଳ ଭାବେ ଗ୍ରହଣୀୟ ଥିଲା ଏବ˚ ମାର୍କିନ୍‌ ସ˚ସ୍କୃତି ଏବେ ବି ଆମେରିକା ବାହାରେ ଲୋକପ୍ରିୟ ହୋଇ ରହିଛି।

ହାର୍ଭାର୍ଡ‌୍‌ର ବିଦ୍ବାନ୍‌ ଜୋସେଫ୍‌ ନାଇଙ୍କ ଭାଷାରେ ବିଶ୍ବ ବ୍ୟାପାରରେ ପ୍ରଭାବ ବିସ୍ତାର କରିବା ପାଇଁ ଚୀନର ‘କଠୋର ଶକ୍ତି’ ଥାଇପାରେ; କିନ୍ତୁ, ଏହା କରିବା ପାଇଁ ଏହା ପାଖରେ ‘କୋମଳ ଶକ୍ତି’ର ଅଭାବ। ଊନବି˚ଶ ଶତାବ୍ଦୀରେ ବ୍ରିଟେନ୍‌ ଯେତେ ବେଳେ ବିଶ୍ବ ଅଭିଯାନ ଆରମ୍ଭ କଲା, ଏହା ସହ ଥିଲା ସେକ୍‌ସପିଅର‌୍‌ ଓ ଡିକେନ୍‌ସଙ୍କ ସାହିତ୍ୟ, କ୍ରିକେଟ୍‌ ଖେଳ, ଟେନିସ୍‌, ଫୁଟ୍‌ବଲ୍‌ ଏବ˚ ଅନେକ କିଛି। ଯେତେ ବେଳେ ବି˚ଶ ଶତାବ୍ଦୀରେ ଆମେରିକା ବିଶ୍ବ ବିଜୟ କଲା, ଏହା ସହ ଥିଲା ହଲିଉଡ୍‌, ଜାଜ୍‌ ସଂଗୀତ, ବ୍ଲୁ ଜିନ୍‌ସ ଏବ˚ ଫକ୍‌ନର‌୍‌ ଓ ହେମି˚େଵ ଆଦିଙ୍କ ଉପନ୍ୟାସ।

ଏହା ନିଶ୍ଚିତ ଯେ, ଚୀନ ବିଶ୍ବର ମହାନ୍‌ ପ୍ରାଚୀନ ସଭ୍ୟତା ମଧୢରେ ଅନ୍ୟତମ। ତେବେ, କମ୍ୟୁନିଷ୍ଟ୍ ଚୀନର ନିର୍ମାତା ମାଓ ନିଜ ଦେଶର ଅତୀତର ସମସ୍ତ କଳା, ଐତିହ୍ୟ, ସ୍ଥାପତ୍ୟ ଓ ସାହିତ୍ୟର ଚିହ୍ନ-ବର୍ଣ୍ଣ ସୁଦ୍ଧା ନଷ୍ଟ କରିଦେଇଥିଲେ। ଅପର ପକ୍ଷେ ତାଙ୍କର ରୁଷୀୟ ବନ୍ଧୁମାନେ ଏପରି କରି ନ ଥିଲେ। ସେମାନେ ନିଜ ପ୍ରାଚୀନ ଐତିହ୍ୟର ରକ୍ଷଣାବେକ୍ଷଣ ଦିଗରେ ସମସ୍ତ ପ୍ରଯତ୍ନ ସହ ତାହାର ସ˚ପ୍ରସାରଣ ମଧ୍ୟ କରିଥିଲେ। ବିଶ୍ବ ସ୍ତରରେ ପ୍ରଭାବ ବିସ୍ତାର ପାଇଁ ୧୯୫୦-୬୦ରେ ଯେତେବେଳେ ଆମେରିକା ଓ ସୋଭିଏତ୍‌ ୟୁନିଅନ୍‌ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଚାଲିଥିଲା, ସେଠାକାର ପ୍ରାକ୍‌-କମ୍ୟୁନିଷ୍ଟ୍ କାଳର ମହାନ୍‌ ସ˚ଗୀତଜ୍ଞ ଏବ˚ ଔପନ୍ୟାସିକମାନଙ୍କୁ ଆଗକୁ ଅଣାଯାଇଥିଲା।

ବ୍ରିଟିସ୍‌ ହୁଅନ୍ତୁ ବା ଆମେରିକୀୟ ବା ରୁଷୀୟ, ଯେତେ ବେଳେ ଏସିଆ ଓ ଆଫ୍ରିକାରେ ସେମାନେ ନିଜର ରାଜନୈତିକ ପ୍ରଭାବ ବିସ୍ତାର କରିବାକୁ ଚାହିଁଲେ, ସେମାନଙ୍କ ପ୍ରତି ଭୟ ଭାବ ଜାଗ୍ରତ ହୋଇଥିଲା। କାରଣ ସେମାନେ ବିତ୍ତୀୟ ଓ ସାମରିକ ଦୃଷ୍ଟିକୋଣରୁ ଶକ୍ତିଶାଳୀ ଥିଲେ। ତେବେ, ଉଚ୍ଚ ସା˚ସ୍କୃତିକ ବିଭବ ଯୋଗୁଁ ସେମାନେ ଶ୍ରଦ୍ଧାର ପାତ୍ର ମଧ୍ୟ ହୋଇପାରିଥିଲେ। ସେମାନଙ୍କର କ୍ରୀଡ଼ା, ପୁସ୍ତକ, ସ˚ଗୀତ ଓ ଚଳଚ୍ଚିତ୍ର ଆଦି ଅନ୍ୟ ଦେଶର ଲୋକଙ୍କୁ ଆକର୍ଷିତ ଏବ˚ ପ୍ରଭାବିତ କରିଥିଲା।

ଅତୀତର ମହାଶକ୍ତିମାନଙ୍କ ପାଖରୁ ଆମେ ଲାଭ କରିଥିବା ସା˚ସ୍କୃତିକ ବିଭବ ସହ ତୁଳନା କଲେ, ଚୀନାମାନଙ୍କଠାରୁ ଆମେ ସେମାନଙ୍କ ରନ୍ଧନ ପ୍ରଣାଳୀ ଓ ବିଶେଷ ଖାଦ୍ୟ ଛଡ଼ା ଅନ୍ୟ କିଛି ପାଇବାରନାହିଁ। ସେମାନଙ୍କ ସହ ବୁଝାମଣା ପାଇଁ କେବଳ ଏତକ ଯଥେଷ୍ଟ ନୁହେଁ। ବ୍ରିଟେନ୍‌ ଓ ଆମେରିକାର ରାଜନୈତିକ ପ୍ରଭାବ ବିସ୍ତାର ମୁଖ୍ୟତଃ ସେମାନଙ୍କ ସା˚ସ୍କୃତିକ ବିଭବ ଏବ˚ ମାର୍ଜିତ ଜୀବନଶୈଳୀ ଯୋଗୁଁ ସମ୍ଭବ ହୋଇଥିଲା। ଆମେରିକାର ଭିଏତନାମ ଓ ଇରାକ ନୀତିକୁ ଚାରିଆଡ଼େ ବିରୋଧ କରାଯାଇଥିବା ସତ୍ତ୍ବେ ଆମେ ଜିନ୍‌ସ ପିନ୍ଧିବା, କୋକାକୋଲା ପିଇବା, ରକ୍‌ ସ˚ଗୀତ ଶୁଣିବା, କ୍ଲିଣ୍ଟ୍‌ ଇଷ୍ଟ୍ଉଡ୍‌ ଓ ମେରିଲ୍‌ ଷ୍ଟ୍ରିପ୍‌ ଅଭିନୀତ ଫିଲ୍ମ ଦେଖିବା ବନ୍ଦ କରି ନ ଥିଲେ। ଆମେରିକାର ରାଷ୍ଟ୍ରୀୟ ନୀତି ଆମର ପସନ୍ଦ ହୋଇ ନ ଥିବା ବେଳେ ମଧ୍ୟ ଆମେ ସେଠାକାର ସା˚ସ୍କୃତିକ ବିଭବ ପ୍ରତି ଆକର୍ଷିତ ଥିଲେ।

ଦରିଆ ସେ ପାରେ ଅନ୍ୟମାନଙ୍କ ହୃଦୟ ଜିଣା ଅଭିଯାନରେ ଚୀନାମାନେ ‘କୋମଳ ଶକ୍ତି’ ଅଭାବ ଜନିତ ଗୁରୁତର ଅସୁବିଧା ଭୋଗୁଛନ୍ତି। ‘କୋଭିଡ୍‌ ୧୯’ର ନାମ-ଗନ୍ଧ ନ ଥିବା ପୂର୍ବରୁ ମଧ୍ୟ ଏହି ଅସୁବିଧା ଥିଲା। ମହାମାରୀ ଅତିକ୍ରମ କଲା ପରେ ବି ଏହା ରହିବ। ନିଜ ଚରିତ୍ର ଓ ଆଚରଣର ପରିବର୍ତ୍ତନ ପାଇଁ ଭାରତୀୟମାନେ ଚାନାଙ୍କୁ ଅନୁସରଣ କରିବାର କୌଣସି ସ˚ଭାବନା ନାହିଁ। କେବଳ ଭାରତ ନୁହେଁ ଏସିଆ ଓ ଆଫ୍ରିକାର ଅନ୍ୟ ଅଞ୍ଚଳର ଲୋକେ ମଧ୍ୟ ସେମାନଙ୍କୁ ଗ୍ରହଣ କରିବେନାହିଁ। ସେମାନେ ଆହୁରି ଅଧିକ ସମୃଦ୍ଧ ଓ ଶକ୍ତିଶାଳୀ ହେଲେ ମଧ୍ୟ କୌଣସି ଫରକ ପଡ଼ିବନାହିଁ। ପ୍ରତିଦ୍ବନ୍ଦ୍ବୀ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସେମାନେ ଅନ୍ୟ ଦେଶର ଲୋକଙ୍କୁ ବନ୍ଧୁତା ସୂତ୍ରରେ ବାନ୍ଧି ପାରିବେନାହିଁ କି ନିଜ ଆଡ଼କୁ ଆକର୍ଷିତ କରିପାରିବେନାହିଁ।

ସମ୍ବନ୍ଧିତ ଖବର