ଚୀନର ନବ୍ୟ ବାଣିଜ୍ୟିକ ଉପନିବେଶବାଦ

ଶରତ କୁମାର କର

କରୋନା ସଂକ୍ରମଣ ହେତୁ ଗଲା ତିନି ମାସ ଧରି ପୃଥିବୀ ପ୍ରାୟ ଅଚଳ ହୋଇ ପଡ଼ିଥିବା ବେଳେ ଚକିତ କଲା ଭଳି ଏକ ଭାଇରାଲ ଭିଡିଓ ସର୍ବତ୍ର ଘୂରି ବୁଲୁଛି। ତହିଁରେ ଦର୍ଶାଯାଇଛି କିଭଳି ନିଜ ଦେଶର ପ୍ରମୁଖ କମ୍ପାନି ମୁଖ୍ୟଙ୍କ ସହିତ ଚୀନ୍ ରାଷ୍ଟ୍ରପତିଙ୍କ ଆଲୋଚନା କାଳରେ କୁହାଯାଉଛି ଯେ ଏହି ଦୁଃସମୟରେ ‘ଷ୍ଟ୍ରାଟେଜି’ ବା ରଣନୀତି ତିଆରି କରି ବ୍ୟବସାୟ କର ଏବଂ ପୃଥିବୀକୁ କବ୍‌ଜାକୁ ଆଣ। ଏହାକୁ ଚୀନର ନବ୍ୟ ଉପନିବେଶବାଦ ପ୍ରବଣତା ବୋଲି ମଧ୍ୟ କୁହାଯାଇପାରେ। ଏହି ପରିପ୍ରେକ୍ଷୀରେ ବିଦେଶୀ ପୁଂଜି ନିବେଶ ନେଇ ଆମ କେନ୍ଦ୍ର ସରକାରଙ୍କ ଏକ ନିଷ୍ପତ୍ତି ପ୍ରଣିଧାନଯୋଗ୍ୟ। ଏହା ଅନୁସାରେ ଭାରତର ପଡ଼ୋଶୀ ଦେଶଗୁଡ଼ିକର କୌଣସି ସଂସ୍ଥା ଓ ବ୍ୟକ୍ତି କେନ୍ଦ୍ର ସରକାରଙ୍କ ବିଧିବଦ୍ଧ ସ୍ବୀକୃତି ବିନା ଦେଶର କୌଣସି କ୍ଷେତ୍ରରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ କରିପାରିବେ ନାହିଁ। ପୂର୍ବ ନିୟମ ଅନୁଯାୟୀ ପ୍ରତିରକ୍ଷା, ଟେଲିକମ୍, ମହାକାଶ ଗବେଷଣା, ଆଣବିକ ଶକ୍ତି, ଗଣମାଧ୍ୟମ ପରି କିଛି ସମ୍ବେଦନଶୀଳ କ୍ଷେତ୍ରକୁ ଛାଡ଼ିଦେଲେ ଅନ୍ୟାନ୍ୟ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶରେ ବାଧା ନ ଥିଲା। ଏହି ନିୟମ ଭାରତର ସବୁ ପଡ଼ୋଶୀ ଦେଶ ଲାଗି ଲାଗୁ ହୋଇଥିବା ବେଳେ କେବଳ ଚୀନ ଏ ନେଇ ଭୀଷଣ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଛି ଏବଂ ମାମଲାକୁ ଡବ୍ଲ୍ୟୁ.ଟି.ଓ. ନିକଟକୁ ନେବ ବୋଲି ଧମକ ଦେଇଛି। ଏଥିରୁ ଚୀନର ଅଭିସନ୍ଧି ସ୍ପଷ୍ଟ ହୋଇଥାଏ।

ଭାରତରେ କରୋନା ସଂକ୍ରମଣ କାଳରେ ଯେତେବେଳେ ‘ପିପୁଲ୍‌ସ ବ୍ୟାଙ୍କ୍‌ ଅଫ୍ ଚୀନ’ ଭାରତର ‘ଏଚ୍‌ଡିଏଫ୍‌ସି’ ବ୍ୟାଙ୍କ୍‌ର ସେୟାରରେ ନିଜ ଅଂଶଧନକୁ ୦.୦୮% ରୁ ୧%କୁ ବୃଦ୍ଧି କଲା, ସେତିକିବେଳେ କେନ୍ଦ୍ର ସରକାର ସତର୍କ ହୋଇଯାଇ ଏଭଳି ପଦକ୍ଷେପ ନେଲେ। ଦେଶର ଗୁରୁତ୍ବପୂର୍ଣ୍ଣ ସଂସ୍ଥା ବା ପ୍ରତିଷ୍ଠାନଗୁଡ଼ିକର ଆର୍ଥିକ ଦୁର୍ବଳତାର ସୁଯୋଗ ନେଇ ପୁଂଜି ଖଟାଇବା ନାମରେ ଅଂଶଧନ କିଣି ପରିଶେଷରେ ସେ ସବୁକୁ କବ୍‌ଜା କରିବା ହେଉଛି ଚୀନା ବାଣିଜ୍ୟ ଉପନିବେଶବାଦୀ କୌଶଳର ଅଂଶ। ଇଟାଲିରେ ଚୀନ ତାହା ହିଁ କରିଛି। ଇଟାଲିର ଅନେକ ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କ, ବିତ୍ତୀୟ ସଂସ୍ଥା ଓ ଉଦ୍ୟୋଗ ଏବେ ଚୀନ କବ୍‌ଜାରେ। ଏବେ ପୃଥିବୀର ସର୍ବତ୍ର କରୋନାକାଳୀନ ଆର୍ଥିକ ଦୁଃସ୍ଥିତି ଚୀନ ଲାଗି ଏକ ସୁଯୋଗ ଆଣି ଦେଇଛି। ପୂର୍ବୋକ୍ତ ଭିଡିଓ ତାହା ହିଁ ଦର୍ଶାଇଛି। ତେବେ, ଚୀନର ମତିଗତି ବୁଝି ପାରି ୟୁରୋପିଆନ୍ ୟୁନିୟନ୍, ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆ ଭଳି ଦେଶ ଚୀନର ଏଭଳି ଅତିକ୍ରମଣକୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ନେଇଛନ୍ତି। କିନ୍ତୁ, ଅନ୍ୟାନ୍ୟ ଦେଶ ତୁଳନାରେ ଭାରତର ପ୍ରତିବନ୍ଧ ଚୀନକୁ ଅଧିକ ଆଘାତ ଦେଇଛି। କାରଣ ଭାରତ ଭଳି ଏକ ବୃହତ୍‌ ବଜାର ଚୀନ ହାତରୁ ଚାଲିଯିବା ତା ଲାଗି ଆଦୌ ବରଦାସ୍ତଯୋଗ୍ୟ ହୋଇପାରୁନାହିଁ। ପୁଣି, ଏହା ସହିତ ରହିଛି ଭାରତ ଭଳି ଏକ ପାରଂପରିକ ଶତ୍ରୁ ଓ ପ୍ରତିଦ୍ବନ୍ଦ୍ବୀକୁ ନିଜ ବଶକୁ ଆଣିବାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ। ତେବେ, ଯାହା ଉଦ୍‌ବେଗଜନକ ତାହା ହେଲା ବିଗତ ୫ ବର୍ଷ ଭିତରେ ଚୀନର ପୁଞ୍ଜିନିବେଶକାରୀମାନେ ଭାରତର ଅନେକ ଗୁରୁତ୍ବପୂର୍ଣ୍ଣ ଉଦ୍ୟୋଗରେ ପୁଞ୍ଜି ଖଟାଇ ସାରିଛନ୍ତି। ଯାହାର ମୋଟ ପରିମାଣ ୨୬ ବିଲିଅନ୍‌ ଡଲାରରୁ ଅଧିକ ହେବ।

ଚୀନର ‘ସଂଘାଇ ଅଟୋମୋବାଇଲ’ର ‘ଏମ୍‌ଜି ମୋଟର୍ସ‌୍’ ଓ ‘ଗ୍ରେଟ୍‌ ୱାଲ୍‌ ମୋଟର୍ସ‌୍’ ଭାରତୀୟ ଅଟୋମୋବାଇଲ୍‌ ଶିଳ୍ପରେ ୬ ମାସର ଅବଧିରେ ୫ ହଜାର କୋଟି ଟଙ୍କାର ନିବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ସଂପ୍ରତି ଭାରତର ମୋଟର ଗାଡ଼ି ଶିଳ୍ପ ମାନ୍ଦା ବ୍ୟବସାୟ କାରଣରୁ ଚାପରେ ଥିବାରୁ ଚୀନର କଂପାନିଗୁଡ଼ିକ ତହିଁରେ ପୁଂଜି ଖଟାଇବା ଲାଗି ବ୍ୟଗ୍ର ହୋଇ ବସିଛନ୍ତି। ଇତିମଧ୍ୟରେ ମହାରାଷ୍ଟ୍ରରେ ଥିବା ‘ଜେନେରାଲ୍ ମୋଟର୍ସ‌୍’ର ପ୍ଲାଣ୍ଟ୍‌କୁ ଅଧିଗ୍ରହଣ କରି ‘ଗ୍ରେଟ୍ ୱାଲ୍‌ ମୋଟର୍ସ’ ତା’ର ନିଜ ଗାଡ଼ି ଉତ୍ପାଦନ କରିବ ବୋଲି ଚୁକ୍ତି ଅନୁସାରେ କାର୍ଯ୍ୟ ଆରମ୍ଭ କରିସାରିଲାଣି। ସେହିପରି ଚୀନର ‘ସାଉଥ ଇଣ୍ଡଷ୍ଟ୍ରି’ ଗ୍ରୁପ୍‌ର ‘ଚଙ୍ଗନ୍ ଅଟୋମୋବାଇଲ’ ପୁଞ୍ଜିନିବେଶ ପାଇଁ ହରିଆଣାର ଗୁଡ଼ଗାଓଁରେ ଏକ କାର୍ଯ୍ୟାଳୟ ଖୋଲି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜୁରାଟରେ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ସେହିପରି ଚୀନର ଭାରୀଯାନ ନିର୍ମାଣରେ ଆଗୁଆ ଉଦ୍ୟୋଗ ‘ବିୱାଇଡି’ ଓ ‘ଫୋଟୋନ୍’ ଅଟୋମୋବାଇଲ୍ ଭାରତରେ ଭାରୀ ଯାନ ଓ ବିଦ୍ୟୁତ୍ ଚାଳିତ ଯାନ ତିଆରି ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଟିକିଏ ଭୀତିରେଇ ଦେଖିଲେ ଦିଶିଥାଏ ଯେ ଭାରତରେ ଚାଲିଥିବା କେତେକ ସଫଳ ଇ-କମର୍ସ ସଂସ୍ଥା, ଫାର୍ମାସୁଟିକାଲ ବା ଔଷଧ କଂପାନି, କେମିକାଲ ଉଦ୍ୟୋଗ କ୍ଷେତ୍ରର ପ୍ରଚ୍ଛଦପଟରେ ଚୀନ ରହିଛି। ‘ଫ୍ଲିପ୍‌କାର୍ଟ,’ ‘ମେକ ମାଇଁ ଟ୍ରିପ୍‌’, ‘ବିଗ୍‌ ବାସ୍କେଟ୍‌’, ‘ପେଟିଏମ୍’, ‘ବାଇଜୁସ୍‌’ ଓ ‘ଓଲା’ ଆଦି ପଛରେ ଚୀନର ‘ଟେନସେଣ୍ଟ’, ‘ଆଲିବାବା’ ଓ ‘ବାଇଟଡ୍ୟାନ୍‌ସ’ ଭଳି କମ୍ପାନିର ହାତ ରହିଛି। ଭାରତର ଅନେକ ଷ୍ଟାର୍ଟ ଅପ୍‌ ପଛରେ ଚୀନ କମ୍ପାନିମାନଙ୍କର ପୁଂଜି ରହିଛି। ଏହା ପଛରେ ଥିବା ମୂଳ ଉଦ୍ଦେଶ୍ୟ ହେଉଛି ସନ୍ତର୍ପଣରେ ଭାରତୀୟ ବଜାରରେ ଆପଣା ପ୍ରଭାବ ବିସ୍ତାର କରି ପରିଶେଷରେ ବଜାରକୁ ଦଖଲ କରିବା।

ଜଗତ୍‌କରଣର ଯୁଗରେ ଭୌଗୋଳିକତା ଗୁରୁତ୍ବ ହରାଇଛି। ଭୂଗୋଳ ଆଧାରରେ ଦୂର ଦେଶ ବା ପାଖ ଦେଶ ଭଳି ଅଭିବ୍ୟକ୍ତି ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରାସଙ୍ଗିକତା ହରାଇ ବସିଲାଣି। ପୃଥିବୀର ଯେ କୌଣସି ସ୍ଥାନରେ ବି ‌େହଉ କୌଣସି ଉଦୀୟମାନ ଉଦ୍ୟୋଗ ବା ‘ଷ୍ଟାର୍ଟ ଅପ୍‌’ ପୁଂଜି ବା ଜ୍ଞାନକୌଶଳ ଚାହିଁଲେ ତାହା ଯୋଗାଇବା ଲାଗି ଚୀନ ପ୍ରସ୍ତୁତ ହୋଇ ରହିଛି। ଏହା ସତ ଯେ କରୋନା ସଂକଟ ଦୂର ହେବା ପରେ ଅନେକ କମ୍ପାନି ଚୀନ୍ ଉପରେ ରହିଥିବା ନିର୍ଭରଶୀଳତାକୁ ହ୍ରାସ କରିବାକୁ ଉଦ୍ୟମ କରିବେ। ସେଥିପାଇଁ ସେମାନେ ନିଜର କାରଖାନାକୁ ଚୀନରୁ ହଟାଇ ଅନ୍ୟତ୍ର ନେଇଯିବାର ସମ୍ଭାବନା ଅଧିକ। ସେହିଭଳି ବିଭିନ୍ନ ଦେଶରେ ଚୀନର ପୁଂଜି ବିନିଯୋଗକୁ ସନ୍ଦେହପୂର୍ଣ୍ଣ ନଜରରେ ଦେଖାଯିବ। କିନ୍ତୁ ଚୀନରୁ ଚାଲି ଯାଉଥିବା ଉଦ୍ୟୋଗ‌େର ବିନିଯୁକ୍ତ ହୋଇଥିବା ଚୀନା ପୁଂଜି କାରଣରୁ ସେ ସବୁର ମାଲିକାନାରେ ଚୀନା ପ୍ରଭାବ ଓ ଅଂଶ ରହିବ। ଏହା ଚୀନ ଭଲ ଭାବେ ବୁଝିଥିବାରୁ ତାର ବାଣିଜ୍ୟିକ ଉପନିବେଶବାଦକୁ ଆକ୍ରମଣାତ୍ମକ ଭାବେ ଆରମ୍ଭ କରିଦେଇଛି। ଏଭଳି ସ୍ଥଳେ ଭାରତ ତାର ବାଣିଜ୍ୟିକ ତଥା ରାଷ୍ଟ୍ରୀୟ ସ୍ବାର୍ଥ ବଜାୟ ରଖିବା ଲାଗି କିଭଳି ପଦକ୍ଷେପ ନେବ, ତାହା ଦେଖିବାକୁ ବାକି ରହିଲା।

ସୀତାକୁଟୀର, ଫକୀରାବାଦ, ଠାକୁରପାଟଣା, କେନ୍ଦ୍ରାପଡ଼ା

ସମ୍ବନ୍ଧିତ ଖବର