ଓଁ ଶ୍ରୀରସ୍ତୁ, ଶୁଭମସ୍ତୁ, ଅବିଘ୍ନମସ୍ତୁ!

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ବିଦ୍ବାନ ଓ ବୁଦ୍ଧିମାନ ମାନଙ୍କର ମୂର୍ଖତା ଓ ଅଭିସନ୍ଧିମୂଳକ ଅସତ୍ୟ-କଥନ ଦୁର୍ବିପାକ ବିରୋଧରେ ଏକଜୁଟ ହୋଇ ଲଢ଼ୁଥିବା ଗୋଟିଏ ଦେଶ ବା ଲୋକସମାଜ ପାଇଁ ବିଷ ତୁଲ୍ୟ ପ୍ରାଣଘାତୀ ହୋଇପାରେ। କିନ୍ତୁ ଏମାନେ ଏଭଳି କାହିଁକି କରନ୍ତି? ଏଭଳି କରି ଏମାନେ କେବଳ ସାଧାରଣ ଲୋକଙ୍କ ଘୃଣାର ପାତ୍ର ହୁଅନ୍ତି ନାହିଁ, ସମଗୋତ୍ରୀୟ ସ୍ବଜନ ଓ ସହଶଠାଚାରୀଙ୍କ ଆଖିରେ ମଧୢ ତାଙ୍କର ପତିଆରା ସନ୍ଦିଗ୍‌ଧ ହୋଇଯାଏ। ସାଧାରଣ ଲୋକେ ସହଜ ଜ୍ଞାନ ଓ ସାଧାରଣ ବିଚାରରେ ଯାହା ଦେଖନ୍ତି, ତାକୁ ଯେତେ ଭାଙ୍ଗିଲେ ବି ସେମାନେ ତାକୁଇ ନେଇ ରହନ୍ତି। ବିଶାଳ ପ୍ରଭାବନ୍ତ ବ୍ୟକ୍ତିତ୍ବ ନହେଲେ ସାଧାରଣ ଜନଙ୍କୁ ପ୍ରଭାବିତ କରିପାରିବା ଅସମ୍ଭବ। ଏ ଯେଉଁ ବିଦ୍ବାନ ଓ ବୁଦ୍ଧିମାନ ଏମାନେ ଭାବନ୍ତି ଏମାନେ ଜନମତକୁ ପ୍ରଭାବିତ କରୁଚନ୍ତି, କିନ୍ତୁ ତାହା କାଟୁନାହିଁ, ବର˚ ତାଙ୍କ ନାମ ଏ ଭିତରେ ଖଳନାୟକ ତାଲିକାକୁ ଆସିଗଲାଣି ଲୋକଦୃଷ୍ଟିରେ ସେ କଥା ବି ଜାଣନ୍ତି ନାହିଁ। ସମଗୋତ୍ରୀ ଓ ସହଶଠାଚାରୀ ୟାଙ୍କୁ ଆଉ ଆଉ ସମ୍ମାନ ବି ଦିଅନ୍ତି ନାହିଁ, କାରଣ ସେମାନେ ପ୍ରଥମେ ଜାଣିପକାନ୍ତି ମିଥ୍ୟା ଓ ଅଭିସନ୍ଧିର ମୂଳ କେଉଁଠି। ଏ ଭିତରେ ଏଭଳି ବୁଦ୍ଧିମାନ ବିଦ୍ବାନଙ୍କର ଗୋଟେ ଜମାତ ବି ଗଢ଼ି ଉଠିଲାଣି। ସେମାନେ ଏକାଠି ହେବାର ଏକମାତ୍ର କାରଣ ସାମୂହିକ ଆତ୍ମରକ୍ଷା। ଅରୁନ୍ଧତୀ ରାୟ, ରାମଚନ୍ଦ୍ର ଗୁହା, କବିତା କୃଷ୍ଣନ୍‌, ଅକୀଲ୍‌ ବିଲ୍‌ଗ୍ରାମି, କୁମାର ପ୍ରଶାନ୍ତ ଓ ୟାଙ୍କ ଭଳି ଏକ୍କା ଦୁକ୍କା ଯୋଉଠି ବି ଥା’ନ୍ତୁ ସେମାନେ ପରସ୍ପରର ବିରୋଧ କରନ୍ତି ନାହିଁ ଓ ମୋଦୀଙ୍କ ବିପକ୍ଷରେ ସମସ୍ତେ ଖଡ୍‌ଗହସ୍ତ, ସମସ୍ତେ ସମାନ ଭାବରେ ଜାଣିଶୁଣି ମିଥ୍ୟାର ପକ୍ଷ ନିଅନ୍ତି ଓ ବିଶ୍ଲେଷଣରେ ବିସ୍ମୟକର ଭାବରେ ତଥ୍ୟହୀନ ବିଭ୍ରାନ୍ତିର ରଚନା କରନ୍ତି। କାହିଁକି? ଏମାନଙ୍କ ମୋଦୀ-ଦ୍ରୋହର କାରଣ ଅନେକ। ଏପରିକି ମୋଦୀଙ୍କ ବ୍ୟକ୍ତିତ୍ବକୁ ସହ୍ୟ କରିପାରିବାର ଗୋଟେ ହୀନତାବୋଧ ମଧୢ ୟା ଭିତରେ ଥାଇପାରେ। ରାଜନୈତିକ, ସାମାଜିକ, ବୌଦ୍ଧିକ ଓ ବ୍ୟକ୍ତିଗତ କାରଣ ମାନଙ୍କର ଅନୁଧୢାନ ଖୁବ୍‌ ଅଧିକ ଜରୁରୀ ନୁହେଁ, କାରଣ ଏମାନଙ୍କୁ ସାଧାରଣ ଭାରତୀୟମାନେ ଗୁରୁତ୍ବ ଦିଅନ୍ତି ନାହିଁ। ବୃହତ୍ତର ଦୃଶ୍ୟପଟଟି ଆଲୋକିତ ହୋଇଗଲା ଗତ ସପ୍ତାହରେ ଭାରତର ବିଭିନ୍ନ ଭର୍ଣ୍ଣାକୁଲାର ପ୍ରେସ୍‌ରେ କେତେଗୁଡ଼ିଏ ସିଣ୍ତିକେଟେଡ୍‌ ସ୍ତମ୍ଭର ବିଷୟବସ୍ତୁକୁ ଦେଖି। ଆଶା କରାଯାଉଥିଲା ଯେ କି ସାଧାରଣ, କି ବୁଦ୍ଧିଜୀବୀ ସମସ୍ତେ ଦୁର୍ବିପାକ ସହିତ ଲଢ଼ୁଥିବା ରାଷ୍ଟ୍ର ସହିତ ସହମତ ହେବେ ବା ଗଠନମୂଳକ ପ୍ରସ୍ତାବ ଉପସ୍ଥାପନ କରି ରାଷ୍ଟ୍ରୀୟ ସ˚କଳ୍ପକୁ ଦୃଢ଼ତର କରିବେ। କିନ୍ତୁ ନା; ଅସହମତ ହେବାର ଛିଦ୍ରଟିଏ ନମିଳିଲେ ବି ଏମାନେ କୌଣସିମତେ ଗୋଟିଏ ଗହ୍ବରର ଆବିଷ୍କାର କରିବେ ହିଁ କରିବେ। ଗୋଟିଏ ଉଦାହରଣ ଦିଏଁ। ଯୋଡ଼ିଏ ପ୍ରସଙ୍ଗକୁ ନେଇ ଏଭଳି ତତ୍ତ୍ବଙ୍କ ଦୃଷ୍ଟିକୋଣ ସେ ଉଦାହରଣ। ଗୋଟିଏ ପ୍ରସଙ୍ଗ ବାହାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କର ନିଜ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ଓ ଦ୍ବିତୀୟ ପ୍ରସଙ୍ଗ ନିଜାମୁଦ୍ଦିନ (ଦିଲ୍ଲୀ)ରେ ଧର୍ମସଭାର ଆହ୍ବାନ କରି ସ˚କ୍ରମଣକୁ ବ୍ୟାପକ କରିଦେଇଥିବା ଗୋଷ୍ଠୀ ପ୍ରତି ରାଷ୍ଟ୍ର ଓ ସମାଜର ଦୃଷ୍ଟିକୋଣ।

ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ବିଷୟରେ ବିଦ୍ବାନ କହିଲେ ଯେ ଭାରତ ସରକାର ଲକ୍‌ଡାଉନ୍‌ ଘୋଷଣା କରିବାର ଏତେ ଦିନ ପରେ ଶ୍ରମିକଙ୍କ ଫେରିବା ବିଷୟରେ ଚିନ୍ତା କରିବା ଗୋଟେ ବଡ଼ ଭୁଲ୍‌ ଓ ମୋଦୀ ଏଥିପାଇଁ ଦାୟୀ। ଠିକ୍‌ ତା ହେଲେ କ’ଣ? ଏମାନଙ୍କ ମତରେ ଠିକ୍‌ ହୋଇଥାନ୍ତା ଯଦି ଲକ୍‌ଡାଉନ୍‌ ପୂର୍ବରୁ ଶ୍ରମିକମାନଙ୍କୁ ଘରକୁ ଫେରିବା ପାଇଁ କିଛି ଦିନ ସମୟ ଦିଆଯାଇଥାନ୍ତା। ଅର୍ଥାତ୍‌ ଲକ୍ଷ ଲକ୍ଷ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ଟ୍ରେନ୍‌, ବସ୍‌ ଓ ଯାତାୟାତର ବ୍ୟବସ୍ଥା କରାଯାଇଥାନ୍ତା। ସେମାନେ ଚିନ୍ତା କରୁନାହାନ୍ତି ଯେ ଏହା ଫଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବିପନ୍ନ ହୋଇଥାନ୍ତା, ସ˚କ୍ରମଣ ଭୟଙ୍କର ହୋଇଥାନ୍ତା। ତିନି ଦିନରୁ ସପ୍ତାହେ ଯଦି ଲକ୍‌ଡାଉନ୍‌ ଘୁଞ୍ଚାଇ ଦିଆଯାଇଥାନ୍ତା ଓ ଲକ୍ଷ ଲକ୍ଷ ଲୋକ ଯାତାୟାତ କରିଥାନ୍ତେ, ତେବେ ସେହି ସମୟ ଭିତରେ ଭାରତରେ ସ˚କ୍ରମଣର ସ୍ଥିତି କ’ଣ ହୋଇଥାନ୍ତା? ଏବେ ଯେଉଁ ସମୟରେ ଶ୍ରମିକମାନେ ତାଙ୍କ ରାଜ୍ୟକୁ ଫେରୁଛନ୍ତି, ସେତେବେଳେ ସେ ରାଜ୍ୟମାନଙ୍କରେ ସ˚କ୍ରମଣ ଅଞ୍ଚଳ ଅବରୁଦ୍ଧ କରାଯାଇଚି ବା କ୍ବାରାଣ୍ଟାଇନର ବ୍ୟାପକ ବ୍ୟବସ୍ଥା ମଧୢ କରାଯାଇଚି। ବିଦ୍ବାନମାନେ ଦୁଃଖୀ ଯେ ଭାରତ ତୁରନ୍ତ ଲକ୍‌ଡାଉନ୍‌ କରି ସ˚କ୍ରମଣକୁ ଯୋଉଠି ଥିଲା ସେଇଠି ବନ୍ଦୀ କରିଦେଲେ। ଅର୍ଥାତ୍‌, ଲକ୍‌ଡାଉନ୍‌ ନିଷ୍ପତ୍ତିର ସଫଳତାକୁ ପ୍ରଶ˚ସା କରିବା ପାଇଁ ବାଧୢ ହେବା ତାଙ୍କ ପାଇଁ ସୁଖକର ନୁହେଁ। ଓଡ଼ିଶାରେ ଶ୍ରମିକମାନେ ଏବେ ଫେରୁଚନ୍ତି, ଲକ୍ଷ ଲକ୍ଷ ଶ୍ରମିକ ଏଇ କେତେଦିନ ଭିତରେ ଓଡ଼ିଶାରେ ପ୍ରବେଶ କରିଗଲେଣି, କିନ୍ତୁ ସେମାନଙ୍କୁ ପରିବାର ଓ ବନ୍ଧୁକୁଟୁମ୍ବଙ୍କ ସହିତ ମିଶିବାର ଅନୁମତି ନାହିଁ, ସେମାନେ କ୍ବାରାଣ୍ଟାଇନରେ। ସବୁଠୁ ବଡ଼ କଥା ବାହାରେ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନେ ଓଡ଼ିଶାକୁ ଫେରିବେ ଶ୍ରମିକଙ୍କ ପରେ ଯେତେବେଳେ ସ୍ଥିତି ସରକାରଙ୍କ ନିୟନ୍ତ୍ରଣରେ ଥିବ। ସତର୍କତାର ସହିତ ନିଷ୍ପତ୍ତି ନେବା ହେତୁ ଉଭୟ ଭାରତ ସରକାର ଓ ଓଡ଼ିଶା ସରକାର ପ୍ରଶ˚ସାର ପାତ୍ର। ଆମେ କହିବା କି ଶ୍ରମିକ ଓ ଛାତ୍ରମାନଙ୍କୁ କରୋନା ସ˚କ୍ରମଣର ପ୍ରଥମ ପାଦରେ ହିଁ ଫେରାଇ ଅଣାଯିବା ଉଚିତ ଥିଲା? ଏଭଳି ଦାୟିତ୍ବହୀନ ମନ୍ତବ୍ୟ କ’ଣ ବୁଦ୍ଧିମାନ ଲୋକେ କହନ୍ତି? ଏଥିପାଇଁ କ’ଣ ଆମେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ନିନ୍ଦା କରିବା? କିନ୍ତୁ ନିନ୍ଦୁକ ପାଟିରେ ତୁଣ୍ତି ଲଗେଇବ କିଏ, ଦେଶରେ ଆମର ଗଣତନ୍ତ୍ର ପରା! ମତ ପ୍ରକାଶର ସ୍ବାଧୀନତାର ଅନ୍ତରାଳରେ ଚାଲିଚି ଚକ୍ରାନ୍ତ, ବୁଦ୍ଧିଜୀବୀଙ୍କ ଅବାନ୍ତର ଯୁକ୍ତି ଓ ରାଜନେତାଙ୍କର ଖେଳ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେତିକିବେଳେ ଆଲୋଚିତ ହେବେ, ଯେତେବେଳେ ଆମେ ତାଙ୍କ ନିଷ୍ପତ୍ତିରେ ଅପରିପକ୍ବତା ବା ଅଦୂରଦର୍ଶିତା ଦେଖିବା। ଏଠି ତ ଆମ ପାଇଁ ଭାରତ ସରକାର ଓ ଓଡ଼ିଶା ସରକାର ଦୁହିଁଙ୍କୁ ଦୁହେଁ ସତର୍କ, ଚିନ୍ତାକୁଳ ଓ କର୍ମନିଷ୍ଠ! ଦୋଷ ଦେବା ମିଛରେ? ଓଡ଼ିଆ କାଗଜରେ ଏହିଭଳି ଜଣେ ଅଣଓଡ଼ିଆ ବିଦ୍ବାନ ବିଭ୍ରାନ୍ତିକର ମତ ଦେଇଚନ୍ତି, ଯାହାର ପ୍ରତ୍ୟାଖ୍ୟାନ ଜରୁରୀ। ଉଦାହରଣର ଅନ୍ୟ ପ୍ରସଙ୍ଗଟି ନିଜାମୁଦ୍ଦିନର ଧର୍ମସଭାକୁ ନେଇ। ଏହି ବିଦ୍ବାନ କହୁଚନ୍ତି ଯେ ଧର୍ମଯାଜକ ଦାୟିତ୍ବହୀନ, ଏ କଥା ଠିକ୍‌, କିନ୍ତୁ ଏହି ଘଟନା ପାଇଁ ଭାରତରେ ଏକ ନିର୍ଦ୍ଦିଷ୍ଟ ସ˚ଖ୍ୟାଲଘୁ ସ˚ପ୍ରଦାୟକୁ ସୀମାନ୍ତରିତ କରିବା ବା ଅଭିଯୁକ୍ତ କରିବା ଠିକ୍‌ ନୁହେଁ। କିଏ କଲା? ୟାର କୌଣସି ଦୃଷ୍ଟାନ୍ତ ନାହିଁ, କିନ୍ତୁ ବିଦ୍ବାନ ଏଭଳି ଗୋଟିଏ ମିଥ୍ୟାର ରଚନା କଲେ ତାଙ୍କର ବୌଦ୍ଧିକ ଉଦାରତାର ପରିଚୟ ଦେବା ପାଇଁ। ଗୋଟିଏ ବଡ଼ ଅଭିଯୋଗ ଯେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରକୁ ତାଙ୍କ ସମ୍ବୋଧନରେ କହିଲେ ଯେ ବିପଦ ଟଳିଯିବ, ଲୋକେ ପୁଣି ଉତ୍ସବ ଓ ପୂଜା ତଥା ପର୍ବପର୍ବାଣି ପାଳିବେ, କିନ୍ତୁ ସ˚ଖ୍ୟାଲଘୁଙ୍କ ପର୍ବପର୍ବାଣି ବିଷୟରେ କହିଲେ ନାହିଁ। ପ୍ରମାଣ ହେଲା ଯେ ମୋଦୀ ସ˚ଖ୍ୟାଲଘୁଙ୍କ ଉପରେ ଖପ୍ପା! ହେ ଭଗବାନ, ଏ ମୂର୍ଖଙ୍କର ଏ କି ଯୁକ୍ତି? କିନ୍ତୁ ଏ ଯୁକ୍ତି, ତଥ୍ୟ ନଥିଲେ ବି କରିବାକୁ ହେବ, କାରଣ ପାଠରେ ସେଇଆ ଅଛି।

କୋଉ ପାଠ ସେ? ପାଠଟି ହେଲା ଦୁର୍ବିପାକ ପୁଂଜିବାଦ। ଏ ପାଠ ବିଷୟରେ ନ କହିଲେ ଭାରତୀୟ ରାଷ୍ଟ୍ରବାଦୀ ସରକାରଙ୍କ ଆଭିମୁଖ୍ୟକୁ ବିନା ତଥ୍ୟରେ ପ୍ରତିରୋଧ କରୁଥିବା ଏ ବିଦ୍ବାନଙ୍କର ବୌଦ୍ଧିକ ପରିଚୟ ମିଳିବ ନାହିଁ। ଏ ପାଠ ବିଷୟରେ କହିଲେ ପୋଥି ହେବ, ଏଠି ସ˚କ୍ଷେପରେ କେବଳ ସୂଚାଇ ଦିଏଁ ଯେ ୧୯୫୦ ପରବର୍ତ୍ତୀ ବିଶ୍ବରେ ଏଭଳି ଏକ ବିଚିତ୍ର (ଓ ବିକୃତ) ପୁଂଜିବାଦର ପରିକଳ୍ପନା କେଉଁ ପ୍ରକାରର ଜ୍ଞାନକେନ୍ଦ୍ରରେ ବିକଶିତ ହେଲା। ୧୯୫୦ ପରେ, ଉପନିବେଶ ସମାପ୍ତି ସହିତ ନୂଆ ସାମ୍ରାଜ୍ୟବାଦର ପରିକଳ୍ପନା ଅର୍ଥନୀତିର ବାହନରେ ବିଶ୍ବର ସମସ୍ତ ଜ୍ଞାନକେନ୍ଦ୍ର (ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ସରକାରୀ ଯୋଜନା ନିର୍ମାତା ଓ ନୀତି ନିର୍ଦ୍ଧାରକ ଅନୁଷ୍ଠାନ, ବେସରକାରୀ ସ˚ସ୍ଥା, ନାଗରିକ ଅନୁଷ୍ଠାନ)କୁ ଛୁଇଁଗଲା। ଆସ୍ତେ ଆସ୍ତେ ଜନ୍‌ ମେନାର୍ଡ କେନ୍‌ସ୍‌ଙ୍କର ରାଷ୍ଟ୍ରନିୟନ୍ତ୍ରିତ ବିକାଶବାଦର ତତ୍ତ୍ବ (ଯାହା ଆମେରିକାର ଗ୍ରେଟ୍‌ ଡିପ୍ରେସନ୍‌ ପରେ ‘ନିଉ ଡିଲ୍‌’ ବା ନୂଆ ସମୀକରଣର ଆଶା ନେଇ ଆସିଥିଲା), ଧ୍ବସ୍ତ ହେବାରେ ଲାଗିଥିଲା। ୟାର କେନ୍ଦ୍ର ଥିଲା ଶିକାଗୋ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗ। ପ୍ରଫେସର ହାୟେକ ‘ରୋଡ୍‌ ଟୁ ସର୍ଫଡମ୍‌’ (ଦାସତ୍ବକୁ ରାସ୍ତା)ରେ ଦେଖେଇଲେ ଯେ ବ୍ୟବସ୍ଥାର ପରିଚାଳନା ବଜାର ହାତରେ ନରହି ରାଷ୍ଟ୍ର ହାତରେ ରହିଲେ ଦେଶରେ ବିକାଶର ଦାସ ସୃଷ୍ଟି ହେ‌େବ, ବଜାର ତାର ସ୍ବୟ˚କ୍ରିୟ ପ୍ରାକୃତିକ ସାମର୍ଥ୍ୟ ଫେରି ପାଇବ ନାହିଁ, ତେଣୁ ନିୟନ୍ତ୍ରଣ ବନ୍ଦ କର, ବଜାର ହିଁ ପୁ˚ଜିର ଓ ଶ୍ରମର ନିୟୋଜନ କରୁ। ହାୟେକ୍‌ ଏକଥା କହିଲା ବେଳକୁ କେନ୍‌ସିଆନ୍‌ ଅର୍ଥନୀତି ଲୋକମଙ୍ଗଳକାରୀ ରାଷ୍ଟ୍ରମାନଙ୍କରେ ପ୍ରୟୋଗକୁ ଆସି ସାରିଥିଲା। ତେଣୁ ହାୟେକଙ୍କ ମତ କଣପଟିଆ ହୋଇ ରହିଗଲା। ହାୟେକଙ୍କ ଛାତ୍ର ମିଲ୍‌ଟନ୍‌ ଫ୍ରିଡମ୍ୟାନ୍‌ ଆରମ୍ଭ କଲେ କେନ୍‌ସିଆନ୍‌ ରାଷ୍ଟ୍ର ନିୟନ୍ତ୍ରିତ ବିକାଶବାଦ ବିରୋଧରେ ବୌଦ୍ଧିକ ସ˚ଗ୍ରାମ। ବିଶ୍ବର ଜ୍ଞାନକେନ୍ଦ୍ରମାନଙ୍କରେ ବ୍ୟକ୍ତି ଅଧିକାରର ଯେଉଁ ଉଦାରବାଦୀ ପାଠ ପଢ଼ାଯାଏ ତା’ର ଅନ୍ତଃମୂଳକୁ ସମ୍ପୂର୍ଣ୍ଣ ବିଦାରିତ କରି ରଖିଦେଲା ଫ୍ରିଡମାନଙ୍କ ଅର୍ଥନୀତି। ଏ ଅର୍ଥନୀତି ଶୁଦ୍ଧ ପୁଞ୍ଜିବାଦର ଅର୍ଥନୀତି। ପ୍ରକୃତିର ବାତାବରଣ ଭଳି ବଜାରର ମଧୢ ଏକ ପ୍ରାକୃତିକ ବାତାବରଣ ଅଛି, ତା’ର ନିୟନ୍ତ୍ରଣ ପ୍ରକୃତି ଭଳି ବଜାର ନିଜେ କରୁ। ବଜାରତନ୍ତ୍ରର ଭୟଙ୍କରତା ଏଇଥିରୁ ଅନୁମାନ କରାଯାଇପାରେ ଯେ ପ୍ରାକୃତିକ ଦୁର୍ବିପାକ ମଧୢ ବଜାରର କ୍ରୀଡ଼ାକ୍ଷେତ୍ର ହୋଇପାରେ। ଭୂକମ୍ପ ହେଲେ ବା ମହାମାରୀ ହେଲେ ବଜାର ସେହି କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଯେଉଁଠି ଏହା ଦରକାର। କହିବାରେ ଦ୍ବିଧା ନାହିଁ ଯେ କୋଟି କୋଟି ମଣିଷ ମରିଯିବା ଗୁରୁତ୍ବପୂର୍ଣ୍ଣ ନୁହେଁ, ଗୁରୁତ୍ବପୂର୍ଣ୍ଣ ହେଉଚି କଫିନ୍‌ ଶିଳ୍ପର ପ୍ରଗତି ଓ ମୁନାଫା! ମୁଁ ଅର୍ଥନୀତିଜ୍ଞ ନୁହେଁ, ଫ୍ରିଡମାନ୍‌ ନୋବେଲ୍‌ ବିଜେତା ଅର୍ଥନୀତିଜ୍ଞ (ତିରୋଧାନ: ୨୦୦୬ ), କିନ୍ତୁ କହିବାରେ ମୋର ଆଦୌ ସଙ୍କୋଚ ନାହିଁ ଯେ ଏହି ବିପର୍ଯ୍ୟୟ ପୁଞ୍ଜିବାଦର ତତ୍ତ୍ବ ମଣିଷର ଜ୍ଞାନକ୍ଷେତ୍ରରେ ନୈତିକ ରଚନାକୁ ବିପର୍ଯ୍ୟସ୍ତ କରିଦେଲା। ସେପ୍ଟେମ୍ବର ୧୧, ୨୦୦୧ ପରେ ଆତଙ୍କବାଦର ମୁକାବିଲା ଏକ ଶିଳ୍ପରେ ପରିଣତ ହେଲା। ମୂଳ ବକ୍ତବ୍ୟ ହେଲା ଏହି ଯେ ରାଷ୍ଟ୍ର ଯାହା କରିବ ତାହା ତା’ର ବ୍ୟକ୍ତି ସ୍ବାଧୀନତାକୁ ନଷ୍ଟ କରିବ ଓ ବଜାରର ମୁକ୍ତ ଗତିକୁ ବ୍ୟାହତ କରିବ। ଏ ପାଠ ଉଦାରବାଦୀ ଚିନ୍ତନରେ ଏଭଳି ପ୍ରବେଶ କରିଗଲା ଯେ ରାଷ୍ଟ୍ର, ସମାଜ, ସମୁଦାୟ ଏସବୁ ସନ୍ଦିଗ୍‌ଧ ହୋଇଗଲେ। ବ୍ୟକ୍ତିି ମୁକ୍ତ, ବ୍ୟକ୍ତିର ଉଦ୍ୟୋଗ କରଣୀୟ, ରାଷ୍ଟ୍ରର ହସ୍ତକ୍ଷେପ ଅନାବଶ୍ୟକ, ସମୂହ ଓ ସମାଜ ବଜାରରୁ ତାଙ୍କ ପ୍ରାପ୍ୟ ପାଇବେ। ଏହି ପାଠ ପଢ଼ିଥିବା ୧୯୭୦ ପରର ଗୋଟେ ପିଢ଼ି (ଫ୍ରିଡମାନ୍‌ ଜେନେରେସନ୍‌) ନିଜ ଅଜାଣତରେ ପୁଞ୍ଜିବାଦର ବିଷଜ୍ବାଳାରେ ଦଗ୍‌ଧ ହୋଇ ଚାଲିଚନ୍ତି। ଏମାନେ ରାଷ୍ଟ୍ରର ବିରୋଧ କରିବେ ହିଁ କରିବେ। ଏବେ ବିଶ୍ବମାରୀର ମୁକାବିଲା ଏମାନଙ୍କ ଦୃଷ୍ଟିରେ କ’ଣ ହୋଇପାରେ? ଏଇଆ ଯେ ବିଶ୍ବମାରୀକୁ ମଣିଷର ଉଦ୍ୟୋଗ ପ୍ରସୂତ ବଜାର ହିଁ ନିୟନ୍ତ୍ରିତ କରିବ, ରାଷ୍ଟ୍ର ନୁହେଁ ବଜାର? ଏ ହାସ୍ୟାସ୍ପଦ ଚିନ୍ତନ ପଛରେ ବିପର୍ଯ୍ୟୟ ପୁଞ୍ଜିବାଦର ଅର୍ଥନୈତିକ ଅବଧାରଣା ରହିଚି, ଯାହାକୁ ବିଶ୍ବମାରୀ ବଦଳାଇବ। ରାଷ୍ଟ୍ର ପୁଣିଥରେ ଗୁରୁତ୍ବପୂର୍ଣ୍ଣ ହୋଇ ଉଠିବ ଓ ନୂତନ ଆଶାର ଆଲୋକ ଆସିବ ଶୁଭ ଦୃଷ୍ଟିରୁ, ଲାଭ ଦୃଷ୍ଟିରୁ ନୁହେଁ।

ଭାରତର ସାମାଜିକ- ଅର୍ଥନୈତିକ ବିଚାରରେ ବାଣିଜ୍ୟକୁ ଲକ୍ଷ୍ମୀପ୍ରାପ୍ତିର ମାର୍ଗ ଭାବରେ ସ୍ଥିର କରାଯାଇଚି, କିନ୍ତୁ ସ୍ମରଣରେ ରହୁ ଭାରତ ଏକମାତ୍ର ସଭ୍ୟତା ଯେଉଁଠି ବିନା ଶୁଭରେ ଲାଭର କଳ୍ପନା ନାହିଁ। ଧୋବେଇ ସାହୁର ଏଡ଼େ ଟିକିଏ ତେଜରାତି ଦୋକାନରେ ଟିକି ବାକ୍‌ସଟିଏ, ଯେଉଁଥିରେ ରେଜା ପଇସାର ରୋଜଗାର। ତା’ ଉପରେ ଲେଖାହୁଏ ଓଁ ଶୁଭ ଲାଭ। ଏ ଓଁ ଶୁଭ ଲାଭ ମଧୢ ଲେଖାହୁଏ ଶେଠ୍‌ଜୀଙ୍କର ସର୍ବାଧୁନିକ କ୍ୟାସ୍‌ ରେଜିଷ୍ଟରରେ। ୟାର କାରଣ ଶୁଭ ନ ହେଲେ ଆମର ଲାଭ ଅଲୋଡ଼ା। କେବଳ ଅଲୋଡ଼ା ନୁହେଁ ବର୍ଜ୍ୟ, ଘୃଣ୍ୟ? ଏ ଯେଉଁ ଶିକାଗୋ ସ୍କୁଲ ଅଫ୍‌ ଇକୋନୋମିକସ (ହାୟେକ ଓ ଫ୍ରିଡ୍‌ମାନ୍‌) ଏମାନଙ୍କ ପାଇଁ ବାଣିଜ୍ୟର ସୁଯୋଗ, ଲାଭର ସୌଭାଗ୍ୟ ଦୁର୍ବିପାକରୁ ଆସିପାରେ, ଯଦି ସେଠି ପୁଞ୍ଜି ବିନିଯୋଗର ସୁଯୋଗ ଥାଏ। ଆମ ସଭ୍ୟତା ୟାର ପ୍ରତ୍ୟାଖ୍ୟାନ କରେ। ବର୍ତ୍ତମାନ ଆମ ରାଷ୍ଟ୍ର ଜଣେ ସ୍ପର୍ଶକାତର ମାନବୀୟ ସମ୍ବେଦନାରେ ପୂର୍ଣ୍ଣ ବ୍ୟକ୍ତି (ନରେନ୍ଦ୍ର ମୋଦୀ)ଙ୍କ ନେତୃତ୍ବରେ ଦୁର୍ବିପାକ ବିରୋଧରେ ଜାତୀୟ ଯୁଦ୍ଧର ନେତୃତ୍ବ ନେଉଚି। ଦେଶ ଓ ରାଜ୍ୟମାନେ ବର୍ତ୍ତମାନ ଜୀବନରକ୍ଷା ପାଇଁ ଅଜସ୍ର ଅର୍ଥ ଖର୍ଚ୍ଚ କରୁଚନ୍ତି। କଫିନ ବ୍ୟବସାୟ ଯେଉଁମାନେ କରୁଚନ୍ତି ସେମାନେ ଅନ୍ତତଃ ଆମ ଦେଶର କେହି ନୁହନ୍ତି। କିନ୍ତୁ କଫିନ ବ୍ୟବସାୟର ଅର୍ଥନୀତି ଦ୍ବାରା ବିକଶିତ ବ୍ୟକ୍ତିକୈନ୍ଦ୍ରିକ ପୁଞ୍ଜିବାଦୀ- ଉଦାରବାଦୀ ସମାଜଶାସ୍ତ୍ର ପଢ଼ିଥିବା ଆମ ଦେଶର କିଛି ବାଆଁରା ବୁଦ୍ଧିଜୀବୀ ଜାଣିପାରୁନାହାନ୍ତି ସବୁ କେମିତି ଘଟି ଚାଲିଚି କେବଳ ଶୁଭ ଦୃଷ୍ଟିର ଆଧାରରେ। ଏବେ ଲାଭ ନୁହେଁ ଶୁଭର ଚିନ୍ତା ଜରୁରୀ। ପୁଣି ସବୁକିଛି ଉପରେ ଅଛି ସେଇ ଓଁକାର ଯାହା ଧର୍ମୀୟ ଉଚ୍ଚାରଣ ନୁହଁ ଗୋଟିଏ ଲାଭଦର୍ଶୀ ସଭ୍ୟତାର ବ୍ରହ୍ମନାଦ! ପୃଥିବୀର ସମସ୍ତ ପ୍ରାଣୀ ଓଁକାରର ଶୁଭ ଛାୟାରେ। ଯେତେ ବାଡ଼େଇ ପିଟି ହେଲେ ବି ଏ ଦେଶର ମାଟିରୁ ଉପୁଜିଥିବା ସ˚ସ୍କାରୀ ନେତୃତ୍ବ ଦେଶରେ ଧର୍ମୀୟ, ସା˚ସ୍କୃତିକ ବା ସାମାଜିକ ବିଭେଦ ସୃଷ୍ଟି କରିବ ନାହିଁ।

ଲାଭ ନ ହେଉ, ମଣିଷ ବଞ୍ଚୁ। ଆମେ ଆମର ଶ୍ରେଷ୍ଠ ପ୍ରୟାସ କରିବା। ଶୁଭ ଚିନ୍ତା କରିବା। ବିଘ୍ନ ହରଣ ପାଇଁ ପ୍ରାର୍ଥନା କରିବା: ଶ୍ରୀରସ୍ତୁ! ଶୁଭମସ୍ତୁ! ଅବିଘ୍ନମସ୍ତୁ!

ବାଗର୍ଥ, ଏନ୍ ୨/୨୬
ଆଇଆରସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର