‘ଅମ୍ଫାନ’, ‘ନିସର୍ଗ’ ଓ ବାତ୍ୟାର ଡର

ସ˚ଗ୍ରାମ କେଶରୀ ରାଉତ

ଗଲା ବୁଧବାର ଦିନ ଭାରତର ପଶ୍ଚିମ ଉପକୂଳକୁ ‘ନିସର୍ଗ’ ନାମକ ବାତ୍ୟା ମୃଦୁ ଆଘାତ ଦେଇଛି। ଗଲା ବର୍ଷ ମଧ୍ୟ ଆରବ ସାଗରରେ ଏଭଳି ଏକ ବାତ୍ୟା ଗୁଜରାଟ ଉପକୂଳକୁ ଛୁଇଁବାର ଥିଲା, ଯାହା ପରିଶେଷରେ ଓମାନ ଆଡ଼କୁ ଚାଲିଯାଇଥିଲା। ଆରବ ସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା କମ ରହିଥାଏ। ସେହି କାରଣରୁ କୁହାଯାଇଥିଲା ଯେ ଶହେ ବର୍ଷ ଭିତରେ ମହାରାଷ୍ଟ୍ରର ଉପକୂଳ ତାର ପ୍ରଥମ ବାତ୍ୟା ଦେଖିବ। ଏହା ପୂର୍ବରୁ ୧୮୯୭ରେ ବମ୍ବେକୁ ଏକ ବାତ୍ୟା ଆଘାତ ଦେଇଥିଲା, ଯାହା ଆଉ ଜନସ୍ମୃତିରେ ନାହିଁ। କିନ୍ତୁ ଏହାର ବିପରୀତରେ ବାତ୍ୟା ଆମ ଉପକୂଳ ଲାଗି ନିୟମିତ ଅତିଥିରେ ପରିଣତ ‌େହଲାଣି। ଏଠାରେ ଯେଉଁଭଳି ବାତ୍ୟା ଦେଖିବାକୁ ମିଳିଥାଏ ସେହି ଅନୁସାରେ ‘ନିସର୍ଗ’ ଅତି ନିରୀହ ଶ୍ରେଣୀରେ ଯିବ। ମାତ୍ର ତିରିଶ ଦିନ ଭିତରେ ଭାରତର ଦୁଇ ଉପକୂଳକୁ ଦୁଇଟି ବାତ୍ୟା ଆଘାତ ଦେଇଛି। ପୂର୍ବ ଉପକୂଳକୁ ଆଘାତ ଦେଇଥିବା ‘ଅମ୍ଫାନ’ର ଭୟାବହତା ‘ନିସର୍ଗ’ ତୁଳନାରେ ଅନେକ ଅଧିକ ଥିଲା।

ଏକ ବଡ଼ ଧରଣର ବାତ୍ୟାରେ ଘଣ୍ଟା ପ୍ରତି ଅଢ଼େଇ ଶହରୁ ତିନି ଶହ କିଲୋମିଟର ବେଗରେ ଝଡ଼ ପବନ ବହିଥାଏ। ସମୁଦ୍ର ଜୁଆର ଭୟଙ୍କର ରୂପରେ ଉପକୂଳକୁ ମାଡ଼ି ଆସିଥାଏ। କଚ୍ଚା ଘର ସବୁ ମାଟିରେ ମିଶିଯାଇଥାଏ। ଏପରିକି ପକ୍କା ଘର ମଧୢ କ୍ଷତିଗ୍ରସ୍ତ ହୋଇଥାଏ। ବିଜୁଳି ଖୁଣ୍ଟ, ମୋବାଇଲ ଟାୱାର ଓ ବଡ଼ ଗଛ ସବୁ ଉପୁଡ଼ି ଯିବା ସହିତ ବିଜୁଳି ସରବରାହ ଏବଂ ଟେଲି ସଂଚାର ଅସ୍ତବ୍ୟସ୍ତ ହୋଇଯାଇଥାଏ। କେବଳ ସେତିକି ନୁହେଁ, ବ୍ୟାପକ ଫସଲହାନି ହୋଇଥାଏ। ଗାଁ ଗଣ୍ତା ଗୁଡ଼ିକ ଧ୍ବ˚ସ ସ୍ତୂପରେ ପରିଣତ ହୁଅନ୍ତି। ଏହା ଦ୍ବାରା ସଂପୃକ୍ତ ରାଜ୍ୟ ତଥା ରାଷ୍ଟ୍ରର ଆର୍ଥିକ ଅବସ୍ଥା ଆକ୍ରାନ୍ତ ହୁଏ। ଅସଂଖ୍ୟ ଲୋକଙ୍କର ଆର୍ଥିକ ମେରୁଦଣ୍ତ ଭାଙ୍ଗିପଡ଼େ। ଏହାର ପ୍ରଭାବ ବର୍ଷ ବର୍ଷ ଧରି ପରିଲକ୍ଷିତ ହେଉଥାଏ।

୧୯୭୧ ମସିହାରେ ଓଡ଼ିଶା ଉପକୂଳ‌ ଦେଇ ପ୍ରବାହିତ ଏକ ବଡ଼ ବାତ୍ୟାରେ ୫୦ ହଜାରରୁ (ଅସମର୍ଥିତ ସୂତ୍ର) ଅଧିକ ଲୋକ ପ୍ରାଣ ହରାଇଥିଲେ ବୋଲି କୁହାଯାଏ। ସେହି ଦିନ ଠାରୁ ପ୍ରତ୍ୟେକ ଆଠରୁ ଦଶ ବର୍ଷ ମଧୢରେ ଗୋଟିଏ ଗୋଟିଏ ବାତ୍ୟା ଆମ ଉପକୂଳରେ ଦେଖିବାକୁ ମିଳୁଥିଲେ ହେଁ ୧୯୯୯ର ‘ସୁପର ସାଇକ୍ଲୋନ’ ବା ‘ମହାବାତ୍ୟା’ ପରେ ସେ ସବୁର ସ୍ମୃତି ନିଷ୍ପ୍ରଭ ହୋଇ ଯାଇଛି। ସେହି ଦିନ ଠାରୁ ସଂପ୍ରତି ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ଆଘାତ ଦେଇଥିବା ‘ଅମ୍ଫାନ’ (୨୦୦୪ ମସିହା ଠାରୁ ବାତ୍ୟାର ନାମକରଣ କରାଯାଉଛି) ପର୍ଯ୍ୟନ୍ତ କାଳ ଖଣ୍ଡ ମଧ୍ୟରେ ବାତ୍ୟାର ସ˚ଖ୍ୟା ବୃଦ୍ଧି ପାଇଛି ଏବଂ ପ୍ରାୟ ପ୍ରତି ବର୍ଷେ ବା ଦୁଇ ବର୍ଷରେ ଏଭଳି ବାତ୍ୟା ଆମ ଉପକୂଳରେ ଦେଖିବାକୁ ମିଳୁଛି। ପାଣିପାଗ ବୈଜ୍ଞାନିକଙ୍କ ମତରେ ବିଶ୍ବ ଜଳବାୟୁ‌ ପରବର୍ତ୍ତନ ଓ ବିଶ୍ବ ତାପନ ବୃଦ୍ଧି ହେଉଛି ବାତ୍ୟା ସଂଖ୍ୟା ବୃଦ୍ଧିର ଏକ ବଡ଼ କାରଣ। ଏବେ ପ୍ରତି ବର୍ଷ ଭାରତ ମହାସାଗରରେ ଅତି କମ୍‌ରେ ପାଞ୍ଚଟିରୁ ଅଧିକ ସାଇକ୍ଲୋନ ବା ବାତ୍ୟା ସୃଷ୍ଟି ହେଉଛି। ସେଥିମଧୢରୁ ବଙ୍ଗୋପସାଗରରେ ୪ଟି ଓ ଆରବ ସାଗରରେ ହାରାହାରି ଗୋଟିଏ ବାତ୍ୟା ସୃଷ୍ଟି ହେଉଛି। ସବୁଠାରୁ ବଡ଼ କଥା ହେଲା ୧୯୮୨ ମସିହା ଜୁନ‌୍ ପ୍ରଥମ ସପ୍ତାହରେ ମୌସୁମୀ ପୂର୍ବରୁ (Pre Monsoon) ବାତ୍ୟା ହୋଇ ଓଡ଼ିଶାର ଚାନ୍ଦବାଲି ଅଞ୍ଚଳରେ ପ୍ରଭୂତ କ୍ଷତି ଘଟାଇ ଥିଲା। ତା’ର ୩୮ ବର୍ଷ ପରେ ୨୦୧୯ ମସିହା ମଇ ମାସରେ ‘ଫନି’ ଏବଂ ଗଲା ମଇ ମାସରେ ‘ଅମ୍ଫାନ’ ପ୍ରାକ୍‌ ମୌସୁମୀ ବାତ୍ୟା ରୂପେ ଆବିର୍ଭୂତ ହୋଇଛି। ବର୍ତ୍ତମାନ ଆଉ ଗୋଟିଏ କଥା ମଧ୍ୟ ଅନୁଭବ କରାଯାଉଛି ଯେ ଏଣିକି ଏପ୍ରିଲ୍‌ରୁ ଜୁନ୍‌ ମାସ ମଧୢରେ ବାତ୍ୟାର ଭୟ ବୋଧହୁଏ ଓଡ଼ିଶାର ଉପକୂଳବାସୀଙ୍କୁ ନିୟମିତ ଭାବେ ଘାରିବ। ଆଗରୁ ଉପକୂଳବର୍ତ୍ତୀ ଲୋକେ ଅକ୍ଟୋବରରୁ ଡିସେମ୍ବର ମାସକୁ ବାତ୍ୟା ମାସ ବୋଲି ବିଚାର କରୁଥିଲେ। କିନ୍ତୁ ଏବେ ତା’ ସାଙ୍ଗକୁ ପ୍ରାକ୍‌ ମୌସୁମୀ ବାତ୍ୟାର ଭୟ ଯୋଡ଼ି ହୋଇଯାଇଛି।

ସାଧାରଣତଃ ସମୁଦ୍ର ଭିତରେ ତାପମାତ୍ରା ୨୬.୫˚ ଡିଗ୍ରି ସେଲ୍‌ସିଅସ ରହିଥାଏ। ଯଦି ସମୁଦ୍ରର ଉପରି ଭାଗରେ ତାପମାତ୍ର ବୃଦ୍ଧି ପାଏ, ତେବେ ଲଘୁଚାପ ବା ଡିପ୍ରେସନ ସୃଷ୍ଟି ହୋଇ ବାତ୍ୟାର ରୂପ ନିଏ। ନିକଟରେ ଘଟିଯାଇଥିବା ଅମ୍ଫାନ କ୍ଷେତ୍ରରେ ସମୁଦ୍ରରେ ତାପମାତ୍ରା ୩୧ ଡିଗ୍ରି ସେଲ୍‌ସିଅସକୁ ବୃଦ୍ଧି ପାଇଥିବାରୁ ଏହା ଖୁବ ବଡ଼ ବାତ୍ୟା ବା ସୁପର ସାଇକ୍ଲୋନ୍‌ର ରୂପ ନେଇଥିଲା।

ବାତ୍ୟା ସାଧାରଣତଃ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଦିଗରେ ସୃଷ୍ଟି ହୋଇ ତାହା ‘ଟ୍ରେଡ୍ ଷ୍ଟ୍ରିମ୍‌’ ବା ବାଣିଜ୍ୟ ସ୍ରୋତ ମାଧୢମରେ ଉତ୍ତର ଦିଗକୁ ଧୀରେ ଧୀରେ ଗତି କରି କ୍ରମେ ଭୟଙ୍କର ରୂପ ଧାରଣ କରେ। ଏହା କେତେବେଳେ ଉତ୍ତର ପଶ୍ଚିମ କିମ୍ବା ଉତ୍ତର ପୂର୍ବ ଦିଗକୁ ଗତି କରେ। ଯଦି ଉତ୍ତର ପଶ୍ଚିମ ଦିଗକୁ ଗତି କରେ, ତେବେ ତାହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ର ଓ ତାମିଲନାଡୁରେ ପ୍ରଭୂତ କ୍ଷତି ହେବାର ଆଶଙ୍କା ଥାଏ। ଯଦି ତାହା ଉତ୍ତର ପୂର୍ବ ଦିଗକୁ ଗତି କରେ, ତେବେ ତାହା ଦ୍ବାରା ପଶ୍ଚିମବଙ୍ଗ, ବା˚ଲାଦେଶ ଓ ମିଆଁମାର ଅଞ୍ଚଳରେ କ୍ଷତି ହେବାର ଆଶଙ୍କା ଥାଏ; ଯାହା ଅମ୍ଫାନ ବାତ୍ୟା କ୍ଷେତ୍ରରେ ଦେଖିବାକୁ ମିଳିଲା

ଭାରତ ମହାସାଗରରେ ହେଉଥିବା ବାତ୍ୟାକୁ ‘ସାଇକ୍ଲୋନ’, ପ୍ରଶାନ୍ତ ମହାସାଗରରେ ହେଉଥିବା ବାତ୍ୟାକୁ ଟାଇଫନ, ଆଟ୍‌ଲାଣ୍ଟିକ୍ ମହାସାଗରରେ ହେଉଥିବା ସାମୁଦ୍ରିକ ଝଡ଼କୁ ହରିକେନ ଓ ଅଷ୍ଟ୍ରେଲିଆ ମହାସାଗରରେ ହେଉଥିବା ସାମୁଦ୍ରିକ ବାତ୍ୟାକୁ ଵଲିଵଲି ବୋଲି କୁହାଯାଏ। ପାଣିପାଗ ବିଜ୍ଞାନୀଙ୍କ ବର୍ଗୀକରଣ ଅନୁସାରେ ‘ସୁପର ସାଇକ୍ଲୋନ୍‌’ରେ ଘଣ୍ଟା ପ୍ରତି ୨୨୧ କିଲୋମିଟରରୁ ଅଧିକ ବେଗରେ ପବନ ବହିଥାଏ। ‘ଏକ୍‌ଷ୍ଟ୍ରିମ୍‌ଲି ସିଭିଅର ସାଇକ୍ଲୋନ’ ବା ଚରମସ୍ତରୀୟ ଭୀଷଣ ବାତ୍ୟାରେ ୧୬୭ରୁ ୨୨୦ କିଲୋମିଟର ଘଣ୍ଟା ପ୍ରତି, ‘ଭେରି ସିଭିଅର ସାଇକ୍ଲୋନ’ ବା ଅତି ଭୀଷଣ ବାତ୍ୟାରେ ଘଣ୍ଟା ପ୍ରତି ୧୧୮ରୁ ୧୬୬ କିଲୋମିଟର, ‘ସିଭିୟର ସାଇକ୍ଲୋନ’ ବା ଭୀଷଣ ବାତ୍ୟାରେ ଘଣ୍ଟା ପ୍ରତି ୮୯ରୁ ୧୧୭ କିଲୋମିଟର ଏବଂ ‘ସାଇକ୍ଲୋନ’ ବା ସାଧାରଣ ଶ୍ରେଣୀର ବାତ୍ୟାରେ ଘଣ୍ଟା ପ୍ରତି ୬୨ରୁ ୮୮ କିଲୋମିଟର ଏବଂ ‘ଡିପ୍‌ ଡିପ୍ରେସନ’ ବା ଗଭୀର ଅବପାତରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ଝଡ଼ ପବନ ବହିଥାଏ।

୧୯୯୯ ମହାବାତ୍ୟା ପରେ ସରକାର ପାଣିପାଗ ବିଜ୍ଞାନ ଉପରେ ଗବେଷଣା କାର୍ଯ୍ୟକୁ ଜୋରସୋର କରିଛନ୍ତି। ଯୁଦ୍ଧ ବିଭାଗ DRDO, ଭୂ-ବିଜ୍ଞାନ ଅନୁଷ୍ଠାନ, ପାଣିପାଗ ନିର୍ଦ୍ଦେଶାଳୟ, କୃଷି ବିଶ୍ବବିଦ୍ୟାଳୟ ଓ ଆଇ.ଆଇ.ଟି. ଭଳି ଅନୁଷ୍ଠାନଗୁଡ଼ିକ ଏହି କ୍ଷେତ୍ରରେ ଗବେଷଣା ଜାରି ରଖିଛନ୍ତି। ଏଥିସହ ବିଶ୍ବର ବାତ୍ୟାପ୍ରବଣ ଦେଶ ଯେମିତି କି ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଗବେଷଣା ଜାରି ରହିଛି। ସେହି କାରଣରୁ ବାତ୍ୟାର ଗତିପଥ ଏବଂ ‘ଲ୍ୟାଣ୍ଡ ଫଲ୍‌’ ବା ଭୂମି ସ୍ପର୍ଶ କରିବାର ସମୟକୁ ନିର୍ଭୁଲ ଭାବେ ଯଥେଷ୍ଟ ପୂର୍ବରୁ କହି ଦିଆଯାଇପାରୁଛି। ସେହି କାରଣରୁ ଉଦ୍ଧାର, ଥଇଥାନ ଓ ପୁନର୍ଗଠନ କାର୍ଯ୍ୟରେ ଦକ୍ଷତା ୧୯୯୯ ମହାବାତ୍ୟା ତୁଳନାରେ ଅନେକ ଗୁଣ ଅଧିକ ଦକ୍ଷ ହୋଇପାରିଛି।

ଏ କ୍ଷେତ୍ରରେ ଓଡ଼ିଶାର ଦକ୍ଷତା ବିଶ୍ବସ୍ତରରେ ପ୍ରଶଂସିତ ହୋଇଛି। ମହାବାତ୍ୟା ଆମ ରାଜ୍ୟକୁ ଯେଉଁ ଆଘାତ ଦେଇଥିଲା ସେଥିରୁ ଶିଖି ଏଣିକି ଆମ ରାଜ୍ୟ ପରବର୍ତ୍ତୀ ଭୀଷଣ ବାତ୍ୟ‌ାଗୁଡ଼ିକରେ ଜୀବନ ହାନିର ସଂଖ୍ୟାକୁ ଯଥାସମ୍ଭବ ନଗଣ୍ୟ ସ୍ତରରେ ରଖି ପାରିଛି।

ମୋ:୯୪୩୭୮୧୮୨୩୩

ସମ୍ବନ୍ଧିତ ଖବର