ଅମାନିଆ, ତର୍କପ୍ରିୟ ଭାରତୀୟ!

ତିର୍ଯକ୍‌

କୁହାଯାଇଥାଏ ଯେ ଈଶ୍ବର ଯଦି ଆଦାମ ଓ ଇଭଙ୍କୁ ସେହି ନିଷିଦ୍ଧ ଫଳ ଖାଇବାକୁ ମନା କରି ନ ଥାଆନ୍ତେ, ତେବେ ସେମାନେ ହୁଏ’ତ ତାହା କେବେ ବି ଖାଇ ନ ଥାଆନ୍ତେ। କାରଣ ଅବଜ୍ଞା କରିବା ବା ଅମାନିଆ ହେବା ପ୍ରତ୍ୟେକ ମଣିଷର ପ୍ରକୃତିଗତ। କିନ୍ତୁ ଏହା ଭାରତୀୟଙ୍କ ପାଖରେ ଟିକିଏ ଅଧିକ ପରିମାଣରେ ଦେଖାଯାଇଥାଏ। ସଡ଼କରେ ଟ୍ରାଫିକ୍‌ ନିୟମ ଭାଙ୍ଗିବା ଠାରୁ ଆରମ୍ଭ କରି ଧାଡ଼ି ଭାଙ୍ଗିବା ପର୍ଯ୍ୟନ୍ତରେ ପ୍ରାୟ ସବୁ କାମରେ ଭାରତୀୟମାନେ ତାଙ୍କ ଅମାନିଆ ଗୁଣକୁ ପ୍ରଦର୍ଶନ କରିଥାଆନ୍ତି। ବୋଧହୁଏ, ସେଥି ଲାଗି ସିଙ୍ଗାପୁରରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ସକାଶେ ଅତି କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ‘ସାମାଜିକ ଦୂରତା‌’ ନିୟମ ଭାଙ୍ଗିଥିବା ଅଭିଯୋଗରେ ନଅ ଜଣ ଭାରତୀୟ ଛାତ୍ରଙ୍କୁ ବିପୁଳ ଅର୍ଥ ଜରିମାନା ଦ୍ବାରା ଦଣ୍ଡିତ କରାଯାଇଛି। ପ୍ରକାଶ ଥାଉ କି ସିଙ୍ଗାପୁରରେ ଆଇନକୁ ଅମାନ୍ୟ କରିବା ଆଦୌ କୋହଳ ଦୃଷ୍ଟିରେ ଦେଖାଯାଇ ନଥାଏ ଏବଂ ସିଙ୍ଗାପୁରବାସୀ ମଧ୍ୟ ଅତ୍ୟନ୍ତ ନିୟମ ଅନୁବର୍ତ୍ତୀ। ଏଭଳି ସାହସ ବୋଧହୁଏ କେବଳ ଭାରତୀୟମାନେ ପ୍ରଦର୍ଶନ କରିପାରନ୍ତି!

ଘଟଣାରୁ ପ୍ରକାଶ ଯେ ଏହି ନଅ ଜଣ ଯାକ ଗୋପନରେ ଜଣେ ବନ୍ଧୁଙ୍କ ଘରେ ପାର୍ଟି କରୁଥିଲେ। ସେମାନଙ୍କ ଭିତରେ କୌଣସି କାରଣରୁ ଯୁକ୍ତିତର୍କ ଲାଗିବାରୁ ଉଚ୍ଚ ସ୍ବରରେ କଥାବାର୍ତ୍ତା ଶୁଣି ଜଣେ ପଡ଼ୋଶୀ ପୁଲିସକୁ ଖବର ଦେବାରୁ ସେମାନେ ଧରାପଡ଼ିଲେ। ଏହାଦ୍ବାରା ସେମାନେ ପ୍ରକୃତ ଭାରତୀୟ ବୋଲି ଆଉ ଥରେ ପ୍ରମାଣିତ କରିଛନ୍ତି। କାରଣ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ଦ୍ବାରା ଲିଖିତ ବହୁଚର୍ଚ୍ଚିତ ପୁସ୍ତକ ‘ଦ ଆର୍ଗୁମେଣ୍ଟେଟିଭ୍‌ ଇଣ୍ଡିଆନ୍’ ବା ‘ତର୍କପ୍ରିୟ ଭାରତୀୟ’ରେ ସେ ବହୁ ଉଦାହରଣ ଜରିଆରେ ଦେଖାଇ ଦେଇଛନ୍ତି ଯେ ଭାରତୀୟମାନେ ଭାରି ତର୍କପ୍ରିୟ। ତର୍କବିତର୍କର ପରଂପରା ଭାରତରେ ବହୁ ପ୍ରାଚୀନ କାଳରୁ ବିଦ୍ୟା ଲାଭର ଏକ ଅଂଶ ହୋଇ ରହି ଆସିଛି। ଏହି ନଅ ଜଣ ତରୁଣ ଛାତ୍ର ବୋଧହୁଏ ସେୟା ପ୍ରମାଣ କରି ତଣ୍ଡ ଗଣିଛନ୍ତି। କିନ୍ତୁ ଏ ଦୁଇଟି ଯାକ ଭାରତୀୟ ଗୁଣ ଆମ ଦେଶର ଭାବମୂର୍ତ୍ତିକୁ ଉଜ୍ଜ୍ବଳ କରିବାରେ ଆଦୌ ସହାୟକ ହୋଇନାହିଁ। ଏଣୁ ଏଭଳି କରୁଥିବା ଭାରତୀୟମାନେ ନିଜକୁ ଶୀଘ୍ର ସୁଧାରିବା ଆବଶ୍ୟକ।

ସମ୍ବନ୍ଧିତ ଖବର