ଲକ୍‌ଡାଉନ୍‌ର ଏକ ଅକ୍ଷମଣୀୟ ଅଦୂରଦର୍ଶିତା

ଅମିୟ ଭୂଷଣ ତ୍ରିପାଠୀ

ଇ˚ରେଜୀରେ ସେମାନଙ୍କୁ Children of a lesser God ବୋଲି କୁହାଯାଉଛି, କାରଣ ଲାଗୁଛି ସତେ ଯେମିତି ସେମାନେ କୌଣସି ଉପଦେବତାଙ୍କ ସନ୍ତାନ; ସେମାନେ ଆଉ କେହି ନୁହନ୍ତି, ଆମ ଦେଶର କୋଟି କୋଟି ଶ୍ରମିକ, ଦିନ ମଜୁରିଆ, ଯେଉଁମାନେ ନିଜର ଭିଟାମାଟି ଛାଡ଼ି ହଜାର ହଜାର ମାଇଲ ଦୂରରେ ସକାଳୁ ସନ୍ଧ୍ୟା ଯାଏ ଖଟି ମଜୁରି ପାଆନ୍ତି ଓ ଗୁଜରାଣ ମେଣ୍ଟାନ୍ତି। ଏମାନଙ୍କ ଖଟଣି ଫଳରେ ଆମେ ଭଗବାନଙ୍କ ସନ୍ତାନ ଗଣ ଆରାମରେ ରହିପାରୁ; ଆମ ଗୃହ ନିର୍ମାଣ ଠାରୁ ଆରମ୍ଭ କରି ରକ୍ଷଣାବେକ୍ଷଣ, ସୁଖସ୍ବାଚ୍ଛନ୍ଦ୍ୟ ସମ୍ଭବ ହୋଇପାରିଥାଏ।

ମାର୍ଚ୍ଚ ୨୪ ତାରିଖରେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯେ ତାଙ୍କ ପ୍ରତ୍ୟେକ କାର୍ଯ୍ୟ କିଛି ନାଟକୀୟ ଶୈଳୀରେ ଆରମ୍ଭ କରିଥାନ୍ତି, ୨୧ ଦିନ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଦେଲେ, ମାତ୍ର ୪ ଘଣ୍ଟା ନୋଟିସ୍‌ରେ। ସମଗ୍ର ଦେଶରେ ସାଧାରଣ ଜନଜୀବନ ଅଚଳ ହୋଇଗଲା। ଏହା ନିଶ୍ଚିତ ରୂପେ ଆବଶ୍ୟକ ଥିଲା। ମାର୍ଚ୍ଚ ୧୫ ତାରିଖରେ ଦେଶରେ କୌଣସି ଉଦ୍‌ବେଗ ଜନିତ ପରିସ୍ଥିତି ନାହିଁ ବୋଲି ସେ କହିଥିବା ବେଳେ ୨୦ ତାରିଖରେ ଜନତା କର୍ଫ୍ୟୁ ଘୋଷଣା କଲେ ଓ ୨୨ ତାରିଖ ୫ଟା ବେଳେ ୫ ମିନିଟ୍‌ ପାଇଁ ଦେଶବାସୀ ଶଙ୍ଖ, ଗିନି, ଖୋଳ, କରତାଳ, ବାଜା ବଜାଇ କରୋନା ଯୋଦ୍ଧା ଅର୍ଥାତ୍‌ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସେବାରତ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ସମ୍ବୋଧନ କଲେ। ମୋଦୀଙ୍କ ଏ ଅନୁରୋଧରେ ଉତ୍ସାହିିତ ଦେଶବାସୀ ୨୨ ତାରିଖ ୫ ଘଣ୍ଟାରେ ୫ ମିନିଟ୍‌ ବିଭିନ୍ନ ଧ୍ବନିରେ ଦେଶକୁ ତରଙ୍ଗାୟିତ କରି ଦେଲେ। ସେଦିନ ସ˚କ୍ରମିତଙ୍କ ସ˚ଖ୍ୟା ଥିଲା ୩୯୬।

୨୦ ତାରିଖ ଆଗରୁ ବିରୋଧୀ ଦଳ, ବିଶେଷଜ୍ଞ ଓ କିଛି ରାଜ୍ୟ ଲକ୍‌ଡାଉନ୍‌ ଘୋଷଣା ପାଇଁ ଜୋର ଦେଇଥିଲେ। କେରଳ, ଓଡ଼ିଶା ଓ ମହାରାଷ୍ଟ୍ର ଆଦି ରାଜ୍ୟମାନେ ଏ ଦାବି କରିଥିଲେ। ଓଡ଼ିଶା ପ୍ରଥମ ରାଜ୍ୟ ରୂପେ ୨୪ ତାରିଖ ଆଗରୁ ଲକ୍‌ଡାଉନ୍‌ ଘୋଷଣା କରିଥିଲା।

୨୫ ମାର୍ଚ୍ଚରୁ ଜନଜୀବନ ଅଚଳ ହେଲା ବେଳେ ଦେଶର କୋଟି କୋଟି ଅସ˚ଗଠିତ ଶ୍ରମିକ (ଯେଉଁମାନଙ୍କ ସ˚ଖ୍ୟା ୬/୭ କୋଟି ହେବ)ଙ୍କ ଅବସ୍ଥା କ’ଣ ହେବ ସେ ବିଷୟରେ ସରକାର ଚିନ୍ତା କରିଥିଲେ କି ନାହିଁ, ଜଣା ପଡ଼ୁନାହିଁ। ମୋଦୀଙ୍କ ସମ୍ବୋଧନରେ ଏ ଗରିବ ବର୍ଗଙ୍କ ପାଇଁ କିଛି ବାର୍ତ୍ତା ନ ଥିଲା। ଫଳରେ ମାସ ଶେଷ ବେଳକୁ ସମଗ୍ର ଦେଶରେ ସେମାନଙ୍କ ଦୁର୍ଦଶା ରାସ୍ତା ଉପରକୁ ଆସିଲା। ଶ୍ରମିକମାନେ ନିଜ କାର୍ଯ୍ୟକ୍ଷେତ୍ରରେ ରୋଜଗାର ହରାଇ ଏକ ଅସ୍ଥିର ଭବିଷ୍ୟତ ନେଇ ନିଜ ନିଜ ଭିଟାମାଟିକୁ ଫେରିଲେ। ଦେଶସାରା ପରିବହନ, ରେଳ, ରାସ୍ତା ବନ୍ଦ ହୋଇଯାଇଥିଲା। ସୁତରା˚ ସେମାନେ ଚାଲି ଚାଲି ମାଇଲ ମାଇଲ ଯିବାର ଦୃଶ୍ୟ ଆଖିକୁ ଆସିଲା। ଠିକ୍‌ ଏ ସମୟରେ ଏପ୍ରିଲ ୩ ତାରିଖରେ ମୋଦୀ ତାଙ୍କ ରାଷ୍ଟ୍ରକୁ ଦ୍ବିତୀୟ ସମ୍ବୋଧନ କରି ଦେଶବାସୀଙ୍କୁ ବିମୋହିତ କରି ଦେଲେ। ତାଙ୍କ ଅନୁରୋଧରେ ୫ ତାରିଖ ରାତ୍ରି ୯ ବଜେ ୯ ମିନିଟ୍‌ ଲାଗି ସମଗ୍ର ଦେଶବାସୀ ନିଜ ଘର ଅନ୍ଧାର କରି ପ୍ରଦୀପ ପ୍ରଜ୍ଜ୍ବଳନ କରି ନିରବରେ ପ୍ରାର୍ଥନା କଲେ। ୧୩୮ କୋଟି ଭାରତୀୟଙ୍କ ଏକତାର ବଳ ଓ ପରାକାଷ୍ଠାରେ କରୋନା ପରାହତ ହେବ ବୋଲି ସେ କହିଲେ। ମୋଦୀ-ମୁଗ୍‌ଧ ଜନତା କହିଲେ ଏ ଦିନ ଓ ସମୟ କୁଆଡ଼େ ଜ୍ୟୋର୍ତିବିଜ୍ଞାନୀମାନେ ଗ୍ରହମାନଙ୍କ ସ˚ଚାଳନକୁ ପରୀକ୍ଷା କରି ସ୍ଥିର କରିଥିଲେ। ସେଦିନ କରୋନା ସ˚ଖ୍ୟା ୩୦୭୯କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ତାହା ୨ ଲକ୍ଷ ୨୫ ହଜାର ଉପରକୁ ଗଲାଣି।

ଏଠାରେ ଲକ୍‌ଡାଉନ୍‌ ପାଳନ ଉପରେ କିଛି କହିବା ଆବଶ୍ୟକ। ଏହା ସେ ପରି କିଛି ନୂଆ ନୁହେଁ। ପୃଥିବୀରେ ମହାମାରୀ ସମୟରେ ଏହା ଆଗରୁ ପାଳନ କରାଯିବାର ଦୃଷ୍ଟାନ୍ତ ଅଛି। କରୋନା ପରି ସମଗ୍ର ବିଶ୍ବକୁ ୧୯୧୮ରେ ମହାମାରୀ ସ୍ପେନିସ୍‌ ଫ୍ଲୁ ଆକ୍ରାନ୍ତ କରିଥିଲା। ଆମେରିକାର କାନ୍‌ସାସରେ ଆରମ୍ଭ ହୋଇ ସ୍ପେନ ଓ ତା’ପରେ ବମ୍ବେ ଆସିଲା। ସମଗ୍ର ପୃଥିବୀରୁ ୫ କୋଟି ଲୋକ ମୃତ୍ୟୁବରଣ କଲେ, ଯାହା ମଧୢରୁ ଭାରତର ସ˚ଖ୍ୟା ଥିଲା ପ୍ରାୟ ଏକ କୋଟି। ୧୦୦ ବର୍ଷ ପରେ ଆମେ ବିଶ୍ବରେ ଏକ ଅଗ୍ରଣୀ ଗଣତନ୍ତ୍ର। ବୈଜ୍ଞାନିକ ଜ୍ଞାନ ଓ ଦକ୍ଷତା ଅସାଧାରଣ ରୂପେ ବୃଦ୍ଧି ପାଇଛି ଏବ˚ ଲକ୍‌ଡାଉନ୍‌ର ଯାହା ନିୟମ ପାଳନ କରିବା କଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆନ୍ତରିକତା ସହିତ ପାଳନ କରୁଛନ୍ତି। କେରଳ ପରେ ଓଡ଼ିଶାରେ ଲକ୍‌ଡାଉନ୍‌ ପାଳନ ପ୍ରଶ˚ସା ଅର୍ଜନ କରିଛି।

କରୋନା ଆରମ୍ଭ ସମୟରେ ଦେଶରେ ଗତ କେତେ ବର୍ଷ ହେଲା ସକ୍ରିୟ ଥିବା ବିଭାଜିତ ମନୋଭାବ ସ୍ଥାନରେ ଯେଉଁ ଅଭୂତପୂର୍ବ ଐକ୍ୟ ଓ ଏକତାର ମାନସିକତା ଆବିର୍ଭାବ ହୋଇଥିଲା, ଏପ୍ରିଲ ପ୍ରଥମ ସପ୍ତାହ ବେଳକୁ ତାହା ମଳିନ ହେବାକୁ ଲାଗିଲା। ଦିଲ୍ଲୀ ନିଜାମୁଦ୍ଦିନ ମରକଜରେ ବିଭିନ୍ନ ଦେଶରୁ ଆସିଥିବା ତବଲିଘି (ଯେଉଁମାନଙ୍କ ମଧ୍ୟରୁ ଅଧିକା˚ଶ କରୋନା ସ˚କ୍ରମିତ ଥିଲେ)ଙ୍କ ସହ ସ˚ସ୍ପର୍ଶରେ ଆସିଥିବା ଭାରତୀୟ ପ୍ରତିନିଧିମାନେ ଯେତେବେଳେ ନିଜ ନିଜ ସ୍ଥାନକୁ ଫେରିଲେ, ଦେଶରେ କରୋନା ସ˚କ୍ରମିତଙ୍କ ସ˚ଖ୍ୟା ବୃଦ୍ଧି ପାଇଲା। ଓଡ଼ିଶାରେ ମଧୢ ଏ ସ˚ଖ୍ୟା ବଢ଼ିଲା। ଏହା ପରେ ବିଜେପିର ନେତାମାନେ ସିଧାସଳଖ ଇସଲାମ ଧର୍ମାବଲମ୍ବୀମାନଙ୍କୁ ଦୋଷ ଦେଲେ, କରୋନା ସ˚ଖ୍ୟା ବୃଦ୍ଧି ପାଇଁ ଏହା ଏକ ଷଡ଼୍‌ଯନ୍ତ୍ର ଏବ˚ ଦେଶରେ ମୋଦୀଙ୍କ ବଳିଷ୍ଠ ନେତୃତ୍ବରେ ଆୟତ୍ତ ହେବାକୁ ଯାଉଥିବା ଏ ବ୍ୟାଧିକୁ ବ୍ୟାପକ କରିବାର ଏହା ଏକ ଉଦ୍ୟମ ବୋଲି ଜଣେ ନେତା କହିଲେ। ଐକ୍ୟ ଓ ଏକତା ଉଭେଇ ଗଲା ଓ ବିଭାଜିତ ମାନସିକତା ଫେରି ଆସିଲା। ଏ ଦୋଷାରୋପ ଅତି ଦୁର୍ଭାଗ୍ୟଜନକ ଥିଲା, କାରଣ କରୋନା କେବେ ଗୋଷ୍ଠୀ, ବର୍ଗ ଓ ସୀମା ଦେଖେ ନାହିଁ। ଓଡ଼ିଶାରେ କରୋନା ଆରମ୍ଭ ହେଲା ବିଦେଶ ଫେରନ୍ତାଙ୍କ ଠାରୁ, ତବଲିଘି ଏ ସ˚ଖ୍ୟା ବଢ଼ାଇ ଦେଲେ, କୋଲକାତା ଫେରନ୍ତା ଆହୁରି ବଢ଼ାଇଲେ ଓ ବର୍ତ୍ତମାନ ବମ୍ବେ, ସୁରଟ ଓ ଅନ୍ୟାନ୍ୟ ପ୍ରାନ୍ତରୁ ଫେରୁଥିବା ଓଡ଼ିଆମାନେ ଏ ସ˚ଖ୍ୟାକୁ ଚିନ୍ତାଜନକ ସ୍ତରରେ ପହଞ୍ଚାଇଛନ୍ତି। ଏ ସମସ୍ତଙ୍କୁ କ’ଣ ଦୋଷ ଦେଇହେବ?

ତା’ପରେ ଆସିବା ଏ ଲକ୍‌ଡାଉନ୍‌ର ଅକ୍ଷମଣୀୟ ଦିଗକୁ ଯାହା ଆରମ୍ଭରେ କହିଛି। ଏଠାରେ ମନେପଡ଼େ ୧୯୪୭ରେ ଦେଶ ବିଭାଜନ ଓ ସ୍ବାଧୀନତା ପ୍ରାପ୍ତିର ସମୟ। ଆମେ ଥିଲୁଁ ‘ମିଡ୍‌ ନାଇଟ୍‌ସ ଚିଲ୍‌ଡ୍ରେନ’ ବା ମଧୢ ରାତ୍ରିର ସନ୍ତାନ; ଯେଉଁମାନେ ଶୈଶବ ଅବସ୍ଥାରୁ ଗତ ଆଠ ଶତାବ୍ଦୀ ଧରି ଇଣ୍ତିଆର ସୁଖରେ ଓ ଭାରତର ଦୁଃଖରେ ଅ˚ଶୀଦାର ହୋଇ ଆସିଛନ୍ତି। ଦେଶ ବିଭାଜନ ପରେ ଶରଣାର୍ଥୀମାନଙ୍କ ପାକିସ୍ତାନରୁ ଭାରତ ଆଗମନର କରୁଣ କାହାଣୀ ଉପରେ ପୁସ୍ତକ ପଢ଼ିଛୁଁ, ଫିଲ୍ମ ଦେଖିଛୁଁ। ଖୁସବନ୍ତ ସି˚ଙ୍କ ‘ଏ ଟ୍ରେନ ଟୁ ପାକିସ୍ତାନ’ ଏ ଯାଏ ମନକୁ ଆଚ୍ଛନ୍ନ କରି ରଖିଛି। ଏ ଅସହାୟ, ବାସହୀନ ଓ ବୁଭୁକ୍ଷୁ ଲୋକେ ଆଶ୍ରୟ, ସାହାରା ଓ ସହାନୁଭୂତି ପାଇଁ ଭାରତ ଆଗମନ କରିଥିଲେ। ପଞ୍ଜାବ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଶରଣାର୍ଥୀଙ୍କ ସୁଅ ଛୁଟିଲା। ସରକାର ସେମାନଙ୍କୁ ଆଦରର ସହ ଗ୍ରହଣ କଲେ ଓ ତାଙ୍କ ଥଇଥାନ କଲେ। ଶୁଣିଛୁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଡାକରା ପାଇ ୟୁପିର ଓଡ଼ିଆ ଆଇ.ସି.ଏସ୍‌ ଅଫିସର କୃପାସିନ୍ଧୁ ମିଶ୍ରଙ୍କ ଦିଲ୍ଲୀ ଶରଣାର୍ଥୀ ଶିବିରମାନଙ୍କ ଦାୟିତ୍ବ ଗ୍ରହଣ ଓ ଗୁଳି ମାଡ଼ରେ ତାଙ୍କର ନିଧନର କଥା। ସ୍ବାଧୀନତା ଦିନ ମହାତ୍ମା ଗାନ୍ଧୀଙ୍କ ଦିଲ୍ଲୀରେ ନ ରହି କଲିକତା ଯାଇ ହିନ୍ଦୁ ମୁସଲିମ ଏକତା ପାଇଁ ଅନଶନ। ସେ ସମୟରେ ଶରଣାର୍ଥୀମାନଙ୍କ ଯାତ୍ରା ଦିଲ୍ଲୀ ଲାହୋର ମଧୢରେ ଆବଦ୍ଧ ଥିଲା। ୨୦୨୦ରେ ପୁଣି ଏକ ଯାତ୍ରା ଦେଖୁଛୁ ଅତି ବୃହତ କଳେବରରେ ସମଗ୍ର ଦେଶରେ। ଏ ଯାତ୍ରାର ପଥିକ ହେଲେ ଦେଶର କୋଟି କୋଟି ଅଭାଗା ଗରିବ ଅସ˚ଗଠିତ ଶ୍ରମିକ। ଜାମ୍ମୁ କାଶ୍ମୀରରୁ କେରଳ ଓ ଗୁଜରାଟରୁ ଆସାମ ପର୍ଯ୍ୟନ୍ତ। ଓଡ଼ିଶା କଥା ଦେଖନ୍ତୁ ଲକ୍ଷ ଲକ୍ଷ ଓଡ଼ିଆ ଶ୍ରମିକ ବମ୍ବେ, ଅହମଦାବାଦ, ସୁରତ, ଦିଲ୍ଲୀ, କଲିକତା, ମାଡ୍ରାସ ଓ ହାଇଦ୍ରାବାଦରେ ଅଛନ୍ତି, ତା’ଛଡ଼ା କାଶ୍ମୀରରେ ଅଛନ୍ତି, ହିମାଚଳ ପ୍ରଦେଶରେ ଅଛନ୍ତି। ଲକ୍‌ଡାଉନ୍‌ ପରେ କେତେଦିନ ବିନା ଆୟରେ ରହିପାରିବେ! ସୁତରା˚ ପ୍ରଥମ ଲକ୍‌ଡାଉନ୍‌ରେ ହିଁ ଶ୍ରମିକମାନେ ଘରବାହୁଡ଼ା ଆରମ୍ଭ କରିଦେଲେ। ପରିବହନର ଅବର୍ତ୍ତମାନରେ ଏ ନିଦାଘ ଖରାରେ ପାଦରେ ଚାଲି ଚାଲି ଯାଉଥିବାର କରୁଣ ଦୃଶ୍ୟ ହୃଦୟ ବିଦାରକ ଥିଲା। ଏହା କ’ଣ ପ୍ରଧାମମନ୍ତ୍ରୀ ଓ ସରକାର ଦେଖିପାରିଲେ ନାହିଁ? କିନ୍ତୁ ଦିଲ୍ଲୀର ରାଇସିନା ହିଲ୍‌ରେ ବିରାଜମାନ କରୁଥିଲା ଅବୋଧୢ ନିରବତା।

ମେ ୧ ତାରିଖରେ ଦିଲ୍ଲୀର ରାଜପଥରେ ଆଉ ଏକ ନାଟକୀୟ ଘଟଣା ଦେଖିବାକୁ ମିଳିଲା। ଏହାକୁ କୁହାଗଲା ‘ଵାରିିଅର ଟୁ ଵାରିଅର’ ବା ‘ଯୋଦ୍ଧାଙ୍କ ଠାରୁ ଯୋଦ୍ଧାଙ୍କ ପର୍ଯ୍ୟନ୍ତ।’ ଭାରତର ସ୍ଥଳ, ଆକାଶ ଓ ନୌବାହିନୀର ମୁଖ୍ୟମାନେ ପୂରା ପୋଷାକରେ ନିଜକୁ ଶୋଭିତ କରି ମେ ମାସର ଖରାରେ ଇଣ୍ତିଆ ଗେଟ୍‌ ସାମନାରେ ଗଣମାଧୢମକୁ ବିବୃତି ଦେଲେ ଯେ, ପ୍ରତିରକ୍ଷା ବଳ କରୋନା ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ଓ ଦେଶର ରକ୍ଷା ପାଇଁ ସେମାନେ ଜାଗ୍ରତ। ସେନାବାହିନୀ ମାର୍ଚ୍ଚ କଲେ, ଆକାଶ ବାହିନୀ ସାରା ଦେଶରେ ସୁସଜ୍ଜିତ ବିମାନରୁ ଫୁଲ ପକାଇଲେ ଓ ନୌବାହିନୀର ଜାହାଜମାନେ ସାଗରରେ ନିଜ ପରାକାଷ୍ଠା ଦେଖାଇଲେ। ଏ ବ୍ୟୟ ବହୁଳ ଆଡ଼ମ୍ବରପୂର୍ଣ୍ଣ ପ୍ରକ୍ରିୟା ବେଳେ ଦେଶସାରା ଅସହାୟ ଶ୍ରମିକମାନେ ଖରାରେ ଘରକୁ ବାହୁଡ଼ୁ ଥିଲେ।

ଦ୍ବିତୀୟ ଲକ୍‌ଡାଉନ୍‌ ଆଗରୁ ଅବସ୍ଥା ଅସମ୍ଭାଳ ହେଲା ଓ ଦିଲ୍ଲୀ, ମୁମ୍ବାଇ, ପୁନା, ସୁରତରେ ଶ୍ରମିକମାନେ ହଜାର ହଜାର ସ˚ଖ୍ୟାରେ ଏକାଠି ହୋଇ ଦାବି କଲେ ଟ୍ରେନ୍‌ର ବ୍ୟବସ୍ଥା ହେଉ। ସେତେବେଳେ ମାସ୍କ୍‌ ବା ସାମାଜିକ ଦୂରତ୍ବର ମୂଲ୍ୟ ନ ଥିଲା। ରାସ୍ତାରେ ଚାଲିଲା ବେଳେ ପଥିକମାନେ ଚେତା ହରାଇଲେ। ସ୍ବାସ୍ଥ୍ୟ ପ୍ରଭାବିତ ହେଲା, ଗର୍ଭବତୀ ମହିଳା ସନ୍ତାନ ଜନ୍ମ ଦେଲେ, ଶହ ଶହ ଲୋକ ଦୁର୍ଘଟଣାରେ ମଲେ। ପୃଥିବୀର ବୃହତ୍ତମ ଗଣତନ୍ତ୍ରରେ ଏ ଥିଲା ବିଶାଳତମ ଯାତ୍ରା, ଯାହାର ଯାତ୍ରୀ ଥିଲେ ଅନାହୂତ, ଅପା˚କ୍ତେୟ, ଯେଉଁମାନେ କ୍ଷମତାସୀନ ଶାସକମାନଙ୍କ ଅବିମୃଶ୍ୟକାରିତା ଓ ସମ୍ବେଦନଶୂନ୍ୟତାକୁ ପ୍ରତିଫଳନ କରୁଥିଲେ। ଶେଷରେ ସରକାର କହିଲେ ଟ୍ରେନ୍‌ ଚାଲିବ ଓ ଶ୍ରମିକମାନେ ଘରକୁ ଯାଇ ପାରିବେ। କିନ୍ତୁ ଏହାର କାର୍ଯ୍ୟକାରିତା ଅସ୍ପଷ୍ଟ ରହିଗଲା। କୁହାଗଲା, ଯେଉଁମାନଙ୍କ ଲକ୍ଷଣ ନାହିଁ, ସେମାନେ ଯିବେ, ଭଡ଼ା ଉପରେ ସରକାର ନିରବ ରହିଲେ ଓ ରାଜ୍ୟ ସରକାରମାନଙ୍କୁ ଦାୟିତ୍ବ ଦିଆଗଲା, ସେମାନେ ଅନ୍ୟ ରାଜ୍ୟ ସଙ୍ଗେ ଆଲୋଚନା କରି ଟ୍ରେନ ମାର୍ଗ ଠିକ୍‌ କରିବେ। ଏହା ଏକ ଅସମ୍ଭବ ପରିସ୍ଥିତି ଥିଲା। କାରଣ ସମ୍ବିଧାନରେ ଏହା କେନ୍ଦ୍ରର ଦାୟିତ୍ବ ଅଧୀନରେ।

ବର୍ତ୍ତମାନ ଶ୍ରମିକ ଟ୍ରେନ୍‌ ଚାଲୁଛି। ୮୫ ପ୍ରତିଶତ ଭଡ଼ା କେନ୍ଦ୍ର ଦେବ ଓ ସମସ୍ତେ ଆସି ପାରିବେ। ଏ ପ୍ରକ୍ରିୟା ନିଶ୍ଚିତ ରୂପେ ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ କରାଯାଇ ପାରିଥାନ୍ତା ଓ ଗଣମାଧୢମ କହୁଥିବା ପୃଥିବୀର ବୃହତ୍ତମ ଲକ୍‌ଡାଉନ୍‌ରେ ଏ କଳଙ୍କର ଛିଟା ଲାଗି ନଥାନ୍ତା।

ଏ ସମସ୍ୟା ନିକଟ ଭବିଷ୍ୟତରେ ସମାଧାନ ହେବାର ଆଶା ନାହିଁ। କରୋନା ଚିନ୍ତାଜନକ ଭାବେ ବଢ଼ି ଚାଲିଛି। ଏ ସମୟରେ ଭାରତ କରୋନା ଯୁଦ୍ଧରେ ବିଶ୍ବରେ ଅଗ୍ରଣୀ, ସ˚ଗ୍ରାମ ସଫଳ, ୬ ମାସରେ ସ୍ବଦେଶୀ ଟିକା, ୩ ମାସରେ ଆୟୁଷ ଔଷଧ ଆଦି ଭଳି ବାହାସ୍ଫୋଟନ ନ କରି ଏକାଗ୍ର ଚିତ୍ତରେ କରୋନା ନିରାକରଣ ପାଇଁ ସମସ୍ତେ ଉତ୍ସର୍ଗୀକୃତ ହୁଅନ୍ତୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜ ଆମ ଅର୍ଥନୀତିକୁ ଉଜ୍ଜୀବିତ କରିବା ଛଡ଼ା ଶ୍ରମିକମାନଙ୍କ ପାଇଁ କେତେଦୂର ମଙ୍ଗଳଦାୟକ ହେବ, ଦେଖିବା ବାକି ରହିଲା।

୯୮ ଏ, ସୂର୍ଯ୍ୟନଗର
abtripathy@ yahoo.com

ସମ୍ବନ୍ଧିତ ଖବର