ସରକାରଙ୍କ ଅର୍ଥନୈତିକ ପ୍ରାଥମିକତା ବଦଳିବ?

ସହଦେବ ସାହୁ

କିଛି ଦିନ ଭିତରେ ଏମିତି କିଛି ଦୃଶ୍ୟ ଟିଭି କିମ୍ବା ଖବରକାଗଜରୁ ଆଖିରେ ପଡ଼ୁଛି। ଦୃଶ୍ୟ (୧): କିଛି ଶ୍ରମିକ ରେଳ ଧାରଣାରେ ଚାଲି ଚାଲି ଶୋଇପଡ଼ିଥିଲେ। ରେଳ ଚଳାଚଳ ବନ୍ଦ ଥିଲା। କିନ୍ତୁ ଗୋଟିଏ ମାଲବାହୀ ରେଳ ଚଢ଼ିଗଲା ଫଳରେ ଷୋହଳ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଲା। ରେଳ ଧାରଣାରେ ପଡ଼ି ରହିଥିଲା କିଛି ଶୁଖିଲା ରୁଟି। ଦୃଶ୍ୟ (୨): ରାଜ୍ୟର ସୀମାନ୍ତ ତନଖି ଫାଟକରେ ଜଗି ରହିଛି ପୁଲିସ ଏବ˚ ସୀମାନ୍ତର ଗଳାବାଟକୁ ଜଗିଛନ୍ତି ସୀମାନ୍ତ ଗ୍ରାମରେ ବାସ କରୁଥିବା ଗ୍ରାମବାସୀ, ଯେମିତି ପ୍ରବାସୀ ଶ୍ରମିକ ରାଜ୍ୟ ବାହାରୁ ରାଜ୍ୟ ଭିତରକୁ ପଶି ନପାରିବେ। ଦୃଶ୍ୟ (୩): ନିଜ ଘରେ ପହଞ୍ଚିବାକୁ ରାଜ୍ୟ ବାହାରୁ ଶହ ଶହ କିଲୋମିଟର ଚାଲି ଆସୁଥିବା ଜଣେ ବାର ତେର ବର୍ଷର ପିଲାର ଘରେ ପହଞ୍ଚିବାକୁ ଦଶ ବାର କିଲୋମିଟର ପୂର୍ବରୁ ମୃତ୍ୟୁ।

ଏମିତି ଦୃଶ୍ୟ ଏବେ ସବୁଦିନ ଦେଖିବାକୁ ମିଳୁଛି। ଯେଉଁ ରାଜ୍ୟରେ ଏହି ଶ୍ରମଜୀବୀମାନେ କାମ କରୁଛନ୍ତି, ସେମାନଙ୍କର ଅର୍ଥାବସ୍ଥାକୁ ସମୃଦ୍ଧ କରିବାରେ ସାହାଯ୍ୟ କରୁଛନ୍ତି, ସେହି ରାଜ୍ୟର ସରକାର ଏପରି ଦୁର୍ଦ୍ଦିନରେ ସେମାନଙ୍କୁ ପଚାରୁ ନାହାନ୍ତି ଏବ˚ ନିଜ ରାଜ୍ୟର ଅଧିବାସୀମାନେ ମଧୢ ସେମାନଙ୍କୁ ହତାଦର କରୁଛନ୍ତି। ଆମ ରାଜ୍ୟରେ କରୋନା ପାଇଁ କଟକଣା ଲାଗୁ ହେବା ପରେ ପ୍ରଥମେ ପ୍ରଥମେ ପ୍ରବାସୀ ଶ୍ରମିକ କାଳେ ପଶି ଆସିବେ ସେଥିପାଇଁ ତନଖି ଫାଟକରେ ପୁଲିସ ମୁତୟନ ହୋଇଥିଲେ ଏବ˚ ସୀମାନ୍ତ ଗଳାବାଟକୁ ଗ୍ରାମବାସୀମାନେ ଜଗିଥିଲେ। ଜଣେ ମହିଳା ବି.ଡି.ଓ ଜଣେ ପ୍ରବାସୀ ଶ୍ରମିକଙ୍କ ଚଉଦ ପୁରୁଷ ଉଦ୍ଧାର କରି ଗାଳି ଦେଉଥିବାର ଦୃଶ୍ୟ ସାମାଜିକ ଗଣମାଧୢମ ଏବ˚ ଟିଭିରେ ବେଶ କିଛିଦିନ ଘୂରି ବୁଲୁଥିଲା। କରୋନା ଏବ˚ ଏହି ମଣିଷମାନଙ୍କର ଦୁରବସ୍ଥା ଓ କରୁଣ କାହାଣୀ ରାଜ୍ୟର ପ୍ରକୃତ ଅବସ୍ଥା, ଆମର ତଥାକଥିତ ଅର୍ଥନୈତିକ ପ୍ରଗତିକୁ ଲୋକଲୋଚନକୁ ଆଣିଛି ଏବ˚ ସାମାନ୍ୟ ବିବେକ ଥିବା ମଣିଷକୁ ଚେତେଇ ଦଉଛି।

ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଖଟିବାକୁ ଯିବାର ମୁଖ୍ୟ କାରଣ ହେଉଛି ନିଜ ରାଜ୍ୟରେ କାମ ମିଳୁନି; ଅନ୍ୟ ଅର୍ଥରେ ରାଜ୍ୟ ରୋଜଗାର ସୃଷ୍ଟି କରିବାରେ ବିଫଳ ହୋଇଛି। ଓଡ଼ିଶାର କଳାହାଣ୍ତିର ଲୋକେ ଯାଆନ୍ତି ଆନ୍ଧ୍ର ଏବ˚ ତେଲେଙ୍ଗାନାରେ ଇଟାଭାଟିରେ କାମ କରିବାକୁ, ବଲାଙ୍ଗୀରର ଲୋକେ ରାୟପୁରରେ ରିକ୍‌ସା ଟାଣିବାକୁ, ଯାଜପୁରର ବାସିନ୍ଦା କଲିକତାରେ ଝୋଟ ବୋହିବାକୁ, ଗଞ୍ଜାମର ଲୋକେ ସୁରଟରେ ସୂତାକଳରେ କାମ କରିବାକୁ କିମ୍ବା ଅନ୍ୟ ଜିଲ୍ଲାର ଲୋକେ କର୍ଣ୍ଣାଟକ, ତାମିଲନାଡୁ କିମ୍ବା ପଞ୍ଜାବ, ହରିୟାନାରେ ଠିକା ଶ୍ରମିକ ହିସାବରେ ରାସ୍ତା, ପୋଲକାମ କିମ୍ବା ଗୃହ ନିର୍ମାଣ କାମରେ ନିୟୋଜିତ ହେବାକୁ। ଏପରି ଦାଦନ କିମ୍ବା ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଯେ ଜଣା ନ ଥିଲା, ତାହା ନୁହେଁ। କେତେବେଳେ କେମିତି ଖବରକାଗଜରେ କିମ୍ବା ଟିଭିରେ ଇଟାଭାଟିରେ କାମ କରୁଥିବା କିମ୍ବା ଠିକାଦାର ଦ୍ବାରା ଶୋଷିତ ହେବା ଖବର ପ୍ରକାଶ ପାଉଥିଲା। କିନ୍ତୁ ତାହା ଅନ୍ୟାନ୍ୟ ସମ୍ବାଦ, ରାଜନୀତି, ନାରୀ ନିର୍ଯ‌ାତନା, ଗଣଦୁଷ୍କର୍ମ ଇତ୍ୟାଦି ଖବର ଭିତରେ ହଜିଯାଉଥିଲା ଏବ˚ ଲୋକଙ୍କ ଉପରେ ସେତେ ପ୍ରଭାବ ପକଉନଥିଲା। ଏବେ କରୋନା ପାଇଁ ସଙ୍ଗରୋଧ ଲାଗୁ ହେଲା ପରେ ଦୁଇତିନି ମାସ ହେଲା ପ୍ରାୟ ସବୁଦିନ ଖବରକାଗଜ ଓ ଟିଭି ଚାନେଲରେ ଏହି ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା ଦେଖିବାକୁ ମିଳୁଛି ଏବ˚ ଦେଶ ସ୍ବାଧୀନ ହେବାର ଏତେ ବର୍ଷ ପରେ ଆମେ କେଉଁଠି ପହଞ୍ଚିଛୁ ବା କୋଉଠି ଅଛୁ, ତାହା ସୂଚେଇ ଦଉଛି।

୨୦୧୧ ମସିହା ଜନଗଣନା ଅନୁସାରେ ଦେଶରେ ୬୧.୫% ଲୋକ ଚାଷ ଉପରେ ନିର୍ଭର କରୁଥିଲା ବେଳେ ଓଡ଼ିଶାରେ ୭୦% ଲୋକ ଚାଷ ଉପରେ ନିର୍ଭର କରନ୍ତି। ଆଶାନୁରୂପକ ଅମଳ ହେଉନଥିବାରୁ ଚାଷ ପ୍ରତି ଚାଷୀ ବିମୁଖ ହେଉଛି। ବଲାଙ୍ଗୀରର ବ˚ଗୋମୁଣ୍ତାର ଜଣେ ଚାଷୀ ଦୁଇବର୍ଷ ହେଲା ଚାଷ କରୁନାହାନ୍ତି। କାରଣ, ତାଙ୍କର ଚାଷ ଇନ୍ଦ୍ରଦେବଙ୍କ କରୁଣା ଉପରେ ନିର୍ଭର କରେ। ଜଳସେଚନର ସୁବିଧା ନାହିଁ। କେବଳ ଧାନ ଚାଷ ହୁଏ। ଅମଳ ପାଇଁ ଯେତେ ଖର୍ଚ୍ଚ ହୁଏ, ବିକ୍ରି କଲେ ବଜାରରେ ମୂଲ୍ୟ ଉଠେ ନାହିଁ। ବିଭିନ୍ନ କାରଣରୁ ଧାନ ବା ଚାଉଳର ଦରବୃଦ୍ଧି ଘଟୁନାହିଁ। ତେଣୁ ସେ ସରକାରଙ୍କର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌.ଏସ୍‌.ପି ଉପରେ ନିର୍ଭର କରନ୍ତି। ଧାନ ସ˚ଗ୍ରହ କରିବାକୁ ଠିକ ସମୟରେ ମଣ୍ତି ବସେ ନାହିଁ। ତାଙ୍କର ଅଭିଯୋଗ ମିଲ୍‌ ମାଲିକ ଓ ସରକାରୀ କର୍ମଚାରୀଙ୍କ ସଲାସୁତୁରାରେ ମଣ୍ତି ବସିବା ଘୁଞ୍ଚିଯାଏ। ଧାନ ରଖିବାକୁ ଗୋଦାମ ଘର ନାହିଁ। ଅଭାବୀ ବିକ୍ରି କରିବାକୁ ଚାଷୀ ବାଧୢ ହୁଏ। ଯେହେତୁ ଜଳସେଚନର ବ୍ୟବସ୍ଥା ନାହିଁ, ତେଣୁ ସେ ଧାନ ବ୍ୟତୀତ ଅନ୍ୟ କିଛି ଚାଷ କରିପାରନ୍ତି ନାହିଁ।

ଅନ୍ୟପକ୍ଷରେ ଦେଖାଯାଉଛି, ଯେଉଁ ଅଞ୍ଚଳରେ ପରିବା ଚାଷ ହେଉଛି, ଅଧିକ ଅମଳ ହୋଇଗଲେ ପରିବା ଦର ଖସିଯାଉଛି ଏବ˚ ବିକ୍ରି ହୋଇପାରୁନାହିଁ। ଚାଷୀ କ୍ରୋଧରେ ବା ଅଭିମାନରେ ପରିବା ରାସ୍ତାରେ ଢାଳି ଦେଇ ବିକ୍ଷୋଭ କରୁଛି। ଅଧିକ ପରିବା ଅମଳ ହେଲେ ରଖିବା ପାଇଁ ଶୀତଳ ଭଣ୍ତାର ନାହିଁ। ଚାଷ ଓ ଚାଷୀର ଉନ୍ନତି ପାଇଁ ଆବଶ୍ୟକ ଜଳସେଚନ, ଗୋଦାମଘର, ଶୀତଳ ଭଣ୍ତାର ଯାହାକି ଏ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ହୋଇପାରି ନାହିଁ। ଚାଷୀ ଚାଷ କରିବାକୁ ଇଚ୍ଛା କରୁନାହିଁ।

ବର୍ଦ୍ଧିତ ଜନସ˚ଖ୍ୟାକୁ କୃଷି କେବେ ନିୟୋଜିତ କରିପାରିବ ନାହିଁ। ସେଥିପାଇଁ ଶିଳ୍ପାୟନ ଆବଶ୍ୟକ। କିନ୍ତୁ ଓଡ଼ିଶାରେ ବଳକା କୃଷିଶ୍ରମିକଙ୍କୁ ନିୟୋଜିତ କରିବାକୁ ଯଥେଷ୍ଟ ଶିଳ୍ପାୟନ ହୋଇପାରିନାହିଁ। ଶିଳ୍ପ ବିଭାଗର ଜଣେ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଓଡ଼ିଶାରେ ତିନି ଲକ୍ଷ ୯୨ ହଜାର କ୍ଷୁଦ୍ର ଓ ମଧୢମ (ଏମ୍‌.ଏସ୍‌.ଏମ.ଇ) ଶିଳ୍ପ ରହିଛି, ପୁଣି ସେଥିରେ ସେବା କ୍ଷେତ୍ର ରହିଛି ଯେଉଁଠି ଅଟୋରିକ୍‌ସା, ଟ୍ୟାକ୍‌ସି ଡ୍ରାଇଭର ଅନ୍ତର୍ଭୁକ୍ତ। ଏହି କ୍ଷୁଦ୍ର ଓ ମଧୢମ ଶିଳ୍ପରେ ୧୫ ଲକ୍ଷ ୩୦ ହଜାର ଲୋକ କାମ କରନ୍ତି। ବୃହତ୍‌ ଶିଳ୍ପ ସ˚ଖ୍ୟା ଦୁଇଶହ ତିନି ଏବ˚ ଏଥିରେ ଏକ ଲକ୍ଷ ଦଶ ହଜାର ଲୋକ ନିୟୋଜିତ। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌, ନାଲ୍‌କୋ ପରି ସରକାରୀ ଶିଳ୍ପଦ୍ୟୋଗରେ ଅତି ବେଶିରେ ଲକ୍ଷେ ଲୋକ କାମ କରୁଥିବେ। ଅର୍ଥାତ୍‌, ସମସ୍ତ ଶିଳ୍ପରେ ସବୁ ମିଶି କୋଡ଼ିଏ ଲକ୍ଷ ଲୋକ କାମ କରୁଥିବେ, କିନ୍ତୁ ଓଡ଼ିଶାର ଲୋକସ˚ଖ୍ୟା ସାଢ଼େ ଚାରି କୋଟିରୁ ଅଧିକ।

ହସ୍ତଶିଳ୍ପର ଅବସ୍ଥା ନୈରାଶ୍ୟଜନକ। ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଅନେକ ହସ୍ତଶିଳ୍ପ ଲୋପ ପାଇଯାଉଛି। ଯେମିତି କୁମ୍ଭାର ଏବେ ମାଟି ହାଣ୍ତି ଗଢ଼ୁନି। ମାଟିହାଣ୍ତିର ବ୍ୟବହାର ଏବେ ନାହିଁ; କେବଳ, କେହି ମରିଗଲେ ମାଟିହାଣ୍ତି ଯାହା ଶୁଦ୍ଧିକ୍ରିୟାରେ ଆବଶ୍ୟକ। ତେଣୁ କୁମ୍ଭାର ତା’ର ଜୀବିକା ହରାଉଛି। ଏବେ ଆଉ କେହି କ˚ସାବାସନ ବ୍ୟବହାର କରୁନି। କ˚ସାରୀର କାମ ନାହିଁ। ପାରମ୍ପରିକ ହସ୍ତଶିଳ୍ପର କାରିଗର ଏବେ ଚାଷ କିମ୍ବା ଶିଳ୍ପ ଆଡ଼କୁ ମୁହାଁଉଛି। କିନ୍ତୁ ସେପରି କାରିଗରଙ୍କୁ ଗ୍ରହଣ କରିବାକୁ ଚାଷ କିମ୍ବା ଶିଳ୍ପ ସେତେ ସକ୍ଷମ ହୋଇପାରି ନାହିଁ।

ଓଡ଼ିଶାରେ କୃଷିର ଅନୁନ୍ନତ ଅବସ୍ଥା; ଶିଳ୍ପାୟନ ଯଥେଷ୍ଟ ନୁହେଁ, ହସ୍ତଶିଳ୍ପ ରୁଗ୍‌ଣ ପ୍ରାୟ। ଦେଶ ସ୍ବାଧୀନ ହେବାର ତେସ୍ତରି ବର୍ଷ ପରେ ରାଜ୍ୟବାସୀଙ୍କର ତଥା ଦାଦନ ଓ ପ୍ରବାସୀ ଶ୍ରମଜୀବୀଙ୍କର ଦୟନୀୟ ଅବସ୍ଥା ଲଜ୍ଜାଜନକ ନିଶ୍ଚୟ। ପ୍ରଥମ ପର୍ଯ୍ୟାୟରେ ଯେତେବେଳେ ବିଦେଶରୁ ପ୍ରବାସୀ ଭାରତୀୟ ଆସିଲେ ଏବ˚ କରୋନା ସ˚କ୍ରମଣ ଘଟିଲା, ଓଡ଼ିଶାରେ ଆକ୍ରାନ୍ତଙ୍କ ସ˚ଖ୍ୟା ନଗଣ୍ୟ ଥିଲା, ଯେହେତୁ କେରଳ, କର୍ଣ୍ଣାଟକ କିମ୍ବା ମହାରାଷ୍ଟ୍ର ପରି ଅଧିକ ସ˚ଖ୍ୟକ ଓଡ଼ିଆ ବିଦେଶରେ ନାହାନ୍ତି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା ବୃଦ୍ଧି ପାଇଛି ରାଜ୍ୟ ବାହାରେ କାମ କରୁଥିବା ଦାଦନ, ଠିକା ଶ୍ରମିକ, ପ୍ରବାସୀ ଶ୍ରମଜୀବୀଙ୍କ ଘର ବାହୁଡ଼ା ପରେ। କରୋନା ମହାମାରୀ ଚେତେଇ ଦଉଛି ଆମର ଅର୍ଥନୈତିକ ପ୍ରଗତି ଯଥେଷ୍ଟ ହୋଇନାହିଁ। କୃଷି ଉପରେ ରାଜ୍ୟର ସତୁରି ପ୍ରତିଶତ ଲୋକ ନିର୍ଭର କରନ୍ତି, ତେଣୁ ସରକାରଙ୍କର ଅର୍ଥନୈତିକ ପ୍ରାଥମିକତା କୃଷି ହେବା ଜରୁରୀ। କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଭିତ୍ତି ସର˚ଚନା ଆବଶ୍ୟକ, ଜଳସେଚନ, ଗୋଦାମଘର, ଶୀତଳଭଣ୍ତାର ନିର୍ମାଣ କରାଯିବା ଦରକାର। ଶିଳ୍ପର ବିକାଶ ପାଇଁ ପ୍ରକୃଷ୍ଟ ପରିବେଶ ସୃଷ୍ଟି କରାଯିବା ଆବଶ୍ୟକ। ଆଶା କରିବା କି ସରକାର ତାଙ୍କର ଅର୍ଥନୈତିକ ପ୍ରାଥମିକତା‌େର ପରିବର୍ତ୍ତନ ଆଣିବେ।

[email protected]

ସମ୍ବନ୍ଧିତ ଖବର