ଶ୍ମଶାନ ବୈରାଗ୍ୟ

ଆମରି କଥା - ନାରାୟଣ ମିଶ୍ର

ସ˚ସ୍କୃତରେ ଏକ ଶ୍ଳୋକ ଅଛି:- ‘‘ପୁରାଣାନ୍ତେ ମୈଥୁନାନ୍ତେ ଶ୍ମଶାନାନ୍ତେ ଚ ଯା ମତି; ସା ଯଦି ଶୁଚିର ଚେତ୍‌ ସ୍ୟାତ୍‌, କୋ ନ ମୁଚ୍ୟତେ ବନ୍ଧନାତ୍‌!’’ ଅର୍ଥାତ୍‌ ପୁରାଣ ଶୁଣି ଫେରିବା ବେଳର ଭକ୍ତି, ମୈଥୁନ ଶେଷର ଉଦାସୀନତା ଏବ˚ ଶ୍ମଶାନରୁ ଫେରିବା ବେଳର ବୈରାଗ୍ୟ ଯଦି ଆମ ଭିତରେ ରହିଯାଆନ୍ତା, ତେବେ ଆମେ ନିଶ୍ଚିତ ବନ୍ଧନମୁକ୍ତ ହୋଇଯାଆନ୍ତେ! କିନ୍ତୁ ଏମିତି ହୁଏ ନାହିଁ। ପୁରାଣ ଶୁଣିବାକୁ ଯିବା ବେଳେ ଆମ ଭିତରେ ଗୋଟାଏ ଅହଙ୍କାର ଆସେ ଯେ ବହୁ ଲୋକ ଭଗବାନଙ୍କ କଥା ଶୁଣିବାକୁ ମନ କରୁ ନଥିବା ବେଳେ ଆମେ କେଇଜଣ ଆଧୢାତ୍ମିକବାଦୀ ମନକୁ ଈଶ୍ବରଙ୍କ ଆଡ଼କୁ ନେଉଛୁ। ପୁରାଣ ଶୁଣିବା ପରେ ଫେରିବା ରାସ୍ତାରେ ଆମେ ଈଶ୍ବରଙ୍କ ଅଖଣ୍ତ କ୍ଷମତା, ସତ୍ୟର ବିଜୟ, ଧର୍ମ ମାର୍ଗର ଉପକାରିତା ଉପରେ ବିଶ୍ବାସ ଆଣୁ। କର୍ମ କରି ଈଶ୍ବରଙ୍କ ଉପରେ ଫଳ ଛାଡ଼ିଦେଲେ ସେ ନିଶ୍ଚୟ ଜଗତ୍‌ପିତା ହିସାବରେ ଆମକୁ ସମସ୍ତ ବିପଦରୁ ରକ୍ଷା କରିବେ- ଏଇ ବିଶ୍ବାସ ଆସେ। କିନ୍ତୁ ଘରେ ପହଞ୍ଚିଗଲେ ବା ତା’ପୂର୍ବରୁ ଆମେ ସେ କଥା ଭୁଲିଯାଉ। କ’ଣ କଲେ ଆମ ଜମିବାଡ଼ି ଘରଦ୍ବାର ବା କ୍ଷମତା ବଢ଼ିବ ସେଇ ଚିନ୍ତାରେ ବ୍ୟସ୍ତ ରହୁ। ପୁଅ ପରୀକ୍ଷାରେ ଭଲ କଲେ ତା’ ପରିଶ୍ରମ ଓ ଆମ ଚେଷ୍ଟାକୁ ଆମେ ମନେ ମନେ ଧନ୍ୟବାଦ ଦେଉ, ଆଉ ଫେଲ ହୋଇଗଲେ ଭାଗ୍ୟ ଓ ଭଗବାନଙ୍କୁ ଧିକ୍କାର କରୁ। ମହର୍ଷି ନାରଦ ଥରେ ଜାଣିଶୁଣି ଦୁଇଜଣ ତପସ୍ୟାରତ ସନ୍ନ୍ୟାସୀଙ୍କ ବିଷୟରେ ଭଗବାନଙ୍କୁ ପଚାରିଲେ। ଭଗବାନ କହିଲେ- ଯିଏ ପନ୍ଦର ବର୍ଷ ତପସ୍ୟା କରିସାରିଲାଣି, ତାକୁ ମୋ ଦର୍ଶନ ପାଇବାକୁ ଆହୁରି ପଚିଶ ବର୍ଷ ତପସ୍ୟା କରିବାକୁ ହେବ। ଦ୍ବିତୀୟ ସନ୍ନ୍ୟାସୀ ଯିଏ କୋଡ଼ିଏ ବର୍ଷ ତପସ୍ୟା କରି ସାରିଲେଣି, ତାଙ୍କୁ ଆହୁରି ତିରିଶ ବର୍ଷ ତପସ୍ୟା କରିବାକୁ ହେବ। ନାରଦ ଯେତେ ବେଳେ ଏଇ କଥା ପ୍ରଥମ ସନ୍ନ୍ୟାସୀଙ୍କୁ କହିଲେ, ସେ ହଠାତ୍‌ ରାଗିଗଲେ ଆଉ କହିଲେ- ‘ଗତ ପନ୍ଦରବର୍ଷ ମୁଁ କେତେ କଷ୍ଟ କରିଛି ମୁଁ ଜାଣେ, ଆଉ ଚାରି ପାଞ୍ଚ ବର୍ଷ କଥା ଅଲଗା। କିନ୍ତୁ ଆହୁରି ପଚିଶ ବର୍ଷ ମୁଁ ତପସ୍ୟା କରିପାରିବି ନାହିଁ। ମୋର ଭଗବାନଙ୍କ ଦର୍ଶନ ଦରକାର ନାହିଁ।’ ଦ୍ବିତୀୟ ସନ୍ନ୍ୟାସୀ ଜଣକ ଦେବର୍ଷି ନାରଦଙ୍କ ମାଧୢମରେ ଭଗବାନଙ୍କ ସନ୍ଦେଶ ପାଇ ଆନନ୍ଦରେ ନାଚି ଗଲେ ଆଉ କହିଲେ- ‘ମାତ୍ର ତିରିଶ ବର୍ଷ କାହିଁକି, ତିନି ଜନ୍ମ ପରେ ହେଲେ ମଧୢ ଭଗବାନ ମୋତେ ଯେ ନିଶ୍ଚିତ ଦର୍ଶନ ଦେବେ ବୋଲି କହିଛନ୍ତି ଏତିକି ଯଥେଷ୍ଟ। ସନ୍ନ୍ୟାସୀଙ୍କ ଖୁସିର ନାଚ ସରିବା ପୂର୍ବରୁ ଭଗବାନ ସେଠାରେ ଆବିର୍ଭୂତ ହେଲେ। ନାରଦ ପଚାରିଲେ- ‘ପ୍ରଭୁ, ଆପଣ ତ ତିରିଶ ବର୍ଷ କଥା କହିଥିଲେ, ଏବେ କେମିତି ହଠାତ୍‌?’ ଭଗବାନ କହିଲେ- ମୋ କଥା ଉପରେ, ମୋ ଉପରେ ଆଉ ତୁମ କଥାରେ ତାର ଏତେ ଆସ୍ଥା ଦେଖି ମୁଁ ଆଉ ଡେରି କରିବା ଉଚିତ ମନେ କଲି ନାହିଁ।’ ତେଣୁ ବିଶ୍ବାସ ହିଁ ବଡ଼ କଥା। ବିଜ୍ଞାନ ଶାସ୍ତ୍ରରେ ଆଗ ଦେଖ, ତା’ପରେ ବିଶ୍ବାସ କର; କିନ୍ତୁ ଦର୍ଶନ ଶାସ୍ତ୍ରରେ ଆଗ ବିଶ୍ବାସ କର, ତା’ପରେ ଦର୍ଶନ ନିଶ୍ଚିତ ମିଳିବ। ଦର୍ଶନ ନ ମିଳିଲେ ବି ଈପ୍‌ସିତ ଫଳ ନିଶ୍ଚୟ ମିଳିବ। ତେଣୁ ଯଦି କେବଳ ପୁରାଣ ଶୁଣିବା ବେଳେ ବା ତା’ପରେ କିଛି କ୍ଷଣ ପର୍ଯ୍ୟନ୍ତ ଈଶ୍ବରଙ୍କୁ ବିଶ୍ବାସ କରି ପରେ ପରେ ସେ ସବୁ ଭୁଲି ସ˚ସାର କାର୍ଯ୍ୟରେ ଲାଗିଯିବା ତେବେ ପୁରାଣ ପାଠର ଆବଶ୍ୟକତା କ’ଣ?

ଦ୍ବିତୀୟତଃ, ସ୍ତ୍ରୀ ସହ ମିଶିବା ପରେ ଆମ ମନ ଭିତରେ ଉଦାସୀନତା ଆସେ। ଆମେ ଭାବୁ, ୟା ପରେ ଆଉ ମୁଁ କାମାସକ୍ତ ହେବି ନାହିଁ। ସ୍ତ୍ରୀ ମୋହଗ୍ରସ୍ତ ହେବି ନାହିଁ। ବରଂ ଅନ୍ୟ ସବୁ କାମରେ ଏଣିକି ବ୍ୟସ୍ତ ରହିବି ଓ ଈଶ୍ବର ଆରାଧନା କରିବି। ଯେଉଁଠି ‘କାମ’ ଅଛି ସେଠାରେ (ସେ ମନ ମଧୢରେ) ‘ରାମ’ ରହିବେ ନାହିଁ ଇତ୍ୟାଦି ଇତ୍ୟାଦି। କିନ୍ତୁ ଅଳ୍ପ କେଇଘଣ୍ଟା ବା କେଇ ଦିନ ପରେ ‘ଆରେ ଢମଣା, ବୁଲିବୁଲି ଆସି ସେଇ ଅଗଣା’ ଭଳି ଅବସ୍ଥା ହୁଏ। ଯଦି ଏହା ନ ହୁଅନ୍ତା, ଆମେ ନିଶ୍ଚିତ ସନ୍ଥ ତୁଳସୀଦାସ ହୋଇଯା’ନ୍ତୁ। ଏ ସ˚ସାର ଭିତରେ ଆମର ସେ ଜ୍ଞାନ ଉଦୟ ହୁଏ ନାହିଁ। ଆମ କର୍ମ ଆମକୁ ପୁଣି ଘାଣ୍ଟି ହେବା ପାଇଁ ବାଧୢ କରେ।

ତୃତୀୟତଃ, ଶ୍ମଶାନରେ ନିଜ କୁଟୁମ୍ବ ଲୋକଙ୍କ ଶବ ସତ୍କାର କରି ଫେରିବା ବେଳେ ଆମେ ଅନୁଭବ କରୁ ଯେ ଏ ଲୋକଟା ତା’ର କୋଟି କୋଟି ସ˚ପତ୍ତିରୁ କାଣିଚାଏ ବି ନେଇପାରିଲା ନାହିଁ। ତା’ ନାଁ ବୁଡ଼ିଗଲା। ସ˚ସାର କେବଳ ମାୟାମୟ ଓ ଅସ୍ଥାୟୀ। ଜନ୍ମ ମାତ୍ରେ ହିଁ ଆୟୁଷ କମି କମି ଚାଲେ। ଏ ସବୁ ଅନୁଭବ କିଛି ଘଣ୍ଟା ପରେ ଚାଲିଯାଏ। ଶ୍ମଶାନରୁ ଫେରିବା ବେଳେ ଯେଉଁ ବୈରାଗ୍ୟ ମନ ମଧୢରେ ଆସେ, ତାହା ଯଦି ସ୍ଥାୟୀ ହୋଇଯା’ନ୍ତା, ତେବେ ଅନେକ ଆମ ଭିତରୁ ମୁକ୍ତିର ପଥ ପାଇଯା’ନ୍ତେ- ସେମିତି ପ୍ରାୟ ହୁଏ ନାହିଁ। ଜଣେ କୋଟିପତି ବ୍ୟବସାୟୀ ଅଳ୍ପ କିଛି ସମୟ ପରେ ମରିଯିବେ ଜାଣି ମୃତ୍ୟୁଶଯ୍ୟାରେ ପଚାରିଲେ- ‘‘ମୋ ସ୍ତ୍ରୀ କାହିଁ?’’ ସ୍ତ୍ରୀ କହିଲା- ‘‘ମୁଁ ଏଇଠି ତୁମ ମୁଣ୍ତ ପାଖରେ।’’ ତା’ପରେ ତିନି ପୁଅଙ୍କ କଥା ପଚାରିଲେ। ସେମାନେ କହିଲେ- ‘‘ଆମେ ତୁମ ବାଁ ଓ ଡାହାଣ ପଟେ ଠିଆ ହୋଇଛୁ।’’ ଚାକର କାହିଁ ବୋଲି ପଚାରିବାରୁ ଚାକର ଗୋଡ଼ ତଳ ପଟେ, ଠିଆ ହୋଇଛି ବୋଲି କହିଲା। ଏତକ ଶୁଣି ମୃତ୍ୟୁ ଶଯ୍ୟାରେ ଥିବା ବ୍ୟବସାୟୀ ରାଗି ଯାଇ କହିଲେ- ‘ତୁମେ ସମସ୍ତେ ତ ଏଇଠି, ତା’ହେଲେ ଦୋକାନରେ କିଏ ଅଛି?’ ଏହାର ଅର୍ଥ ଶେଷ ନିଃଶ୍ବାସ ଯାଏ ମନ ସେଇ ଟଙ୍କା ପଇସା ଓ ଲାଭକ୍ଷତି ପାଖରେ ଲାଖି ଥାଏ।

ଆମେ ଅଭିଭାବକମାନେ ଟଙ୍କା ରୋଜଗାର ଓ ପଦୋନ୍ନତି ଆଦିକୁ ଶ୍ରେୟ ଭାବି ପିଲାମାନଙ୍କୁ ‘ସ˚ସ୍କାର’ କ’ଣ ଶିଖାଇଲୁ ନାହିଁ। ପିଲାଟିକୁ ପଚରା ଗଲା ଦ୍ରୌପଦୀଙ୍କ ବସ୍ତ୍ରହରଣ କିଏ କରୁଥିଲା? ସେ କହିଲା ‘କୁମ୍ଭକର୍ଣ୍ଣ।’ ଉତ୍ତର ଭୁଲ୍‌ ଏବ˚ ଦୁଃଶାସନ ବୋଲି କହିଲେ ଠିକ୍‌ ହୋଇଥା’ନ୍ତା କିନ୍ତୁ ଏହା ଶୁଣି ସେ ଓଲଟା ପଚାରୁଛି-‘ଦୁଃଶାସନ ଜାଗାରେ କୁମ୍ଭକର୍ଣ୍ଣ ବସ୍ତ୍ର ହରଣ କଲେ ଅସୁବିଧା କ’ଣ?’ ଏଗୁଡ଼ାକ ତ ପ୍ରଥମରୁ ଏମ୍‌.ଏ. ଭିତରେ କେଉଁଠି ଆମକୁ ପଢ଼ାଯାଇନି! ସତ କଥା, ସିଏ ତ କଲେଜ ଅଧୢାପକ (ଗୁରୁ)ଙ୍କ ସହ ଏକା ଭଳି ଜିନ୍‌ ପ୍ୟାଣ୍ଟ୍‌ ଓ ରଙ୍ଗିନ ଗଞ୍ଜି ପିନ୍ଧି ସିନେମା ଦେଖିଲା। ଘରେ ଟଙ୍କା ରୋଜଗାରରେ ବ୍ୟସ୍ତ ବାପ, ମା’ଙ୍କ ଠାରୁ ରାମାୟଣ ବା ମହାଭାରତ କ’ଣ ଜାଣିଲା ନାହିଁ, ସ୍କୁଲ୍‌, କଲେଜ କେଉଁଠି ବି ଆଧୢାତ୍ମିକ ପୁସ୍ତକଟିଏ କୋର୍ସ ଭିତରେ ନାହିଁ। ତେଣୁ ଆମ ପିଲାଏ ମାନସିକ ପୂରଣ ପାଇଁ ଶ୍ରାବଣ ମାସରେ ବାହୁଙ୍ଗିରେ ଜଳ ନେଇ ଗଲାବେଳେ ‘ଗଣେଶ ଡାଡି ପାର‌୍‌ କରେଗା, ପାର୍ବତୀ ହଜ୍‌ବ୍ୟାଣ୍ତ୍‌ ପାର‌୍‌ କରେଗା’ ବୋଲି କହିବା ବେଳେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି? ରାମ, କୃଷ୍ଣ, ଶିବ, ଦୁର୍ଗା ବା ଗଣେଶଙ୍କ ଫଟୋ ପଢ଼ା ଟେବୁଲ୍‌ ଆଗରେ ନ ଟାଙ୍ଗି ବିରାଟ କୋହଲୀ ଓ ଆଲିଆ ଭଟ୍ଟଙ୍କ ଫଟୋ ଟାଙ୍ଗି ସେ ପାଠ ପଢ଼ୁଛି। ତା’ଠାରୁ ଆଉ କ’ଣ ଆଶା କରାଯାଇପାରିବ?

ଆମର ବି ଘରେ ପୂଜା ହେଉଥିବା ଠାକୁରଙ୍କ ଉପରେ ବିଶ୍ବାସ ନାହିଁ। କେବଳ ଫଳ ପ୍ରାପ୍ତି ପାଇଁ ଆମେ ଘଣ୍ଟି ବଜାଇ, ଧୂପ ଦେଇ, ସନ୍ଦେଶ ଭୋଗ କରୁଁ। ଆମ ପିଲାମାନେ କଲୋନିରେ ଗଣେଶ ପୂଜା ଚାନ୍ଦା ଆଦାୟ କରି ସେଥିରୁ ପ୍ରଥମେ ମଦ, ମା˚ସର ଭୋଜି ପାଇଁ ଟଙ୍କା କାଢ଼ି ଅଲଗା କଲା ପରେ ମୂର୍ତ୍ତି କିଣିବା କଥା ଚିନ୍ତା କରୁଛନ୍ତି। ଆମ ଚରିତ୍ରର ଏଭଳି ଅଧୋପତନ ଘଟିଲାଣି ଯେ ରେଳ ଦୁର୍ଘଟଣାରେ ମରି ପଡ଼ିଥିବା ଯାତ୍ରୀଙ୍କ ପ୍ୟାଣ୍ଟ୍‌ ଓ ବାକ୍‌ସ ଦରାଣ୍ତୁଛୁ, କାଳେ କିଛି ମିଳିଯିବ! ଅବଶ୍ୟ ସମସ୍ତେ ଏଭଳି ନୁହନ୍ତି, ଆମ ପିଲାମାନଙ୍କ ମଧୢରୁ ଅନେକ ସ˚ସ୍କାରୀ ଆଧୢାତ୍ମିକବାଦୀ ପିଲା ମଧୢ ଅଛନ୍ତି। କିନ୍ତୁ ନିୟମିତ ସତ୍‌ସଙ୍ଗ ବିନା ଆମର ବା ଆମ ପର ଯୁବପିଢ଼ିଙ୍କର ଯେ ବାସ୍ତବ ଉନ୍ନତି ହେବ ନାହିଁ; ଏହା ଧ୍ରୁବ ସତ୍ୟ। ତେଣୁ ଚାଲନ୍ତୁ ଦିନ ମଧୢରୁ କିଛି ସମୟ କାଢ଼ି ଆଧୢାତ୍ମିକ ଚିନ୍ତା କରିବା। ତା ନ ହେଲେ ପୁରାଣ, ମୈଥୁନ ବା ଶ୍ମଶାନ ପରର ବୈରାଗ୍ୟ କ୍ଷଣସ୍ଥାୟୀ ହୋଇ ଆମର ଦ୍ରୁତ ଅଧୋଗତି ଘଟାଇ ଚାଲିଥିବ।

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର