୧୯୫୬ରେ ରାମ ନବମୀ ଅବସରରେ, ବେଙ୍ଗାଲୁରୁର ଫୋର୍ଟ‌୍‌ ହାଇସ୍କୁଲ୍‌ ପ୍ରାଙ୍ଗଣରେ ବଡ଼େ ଗୁଲାମ ଅଲୀ ଖାଁଙ୍କ ‘ହ˚ସଧ୍ୱନି’ ଗାୟନ, ନିଶ୍ଚିତ ଭାବେ ବହୁ ଭାଷା, ଧର୍ମ, ଅଞ୍ଚଳ, ସ˚ଗୀତ ପର˚ପରା, ସ୍ଥାପତ୍ୟ ଶୈଳୀ ଓ ରାଜନୈତିକ ଶାସନର ମିଶ୍ରଣ ଥିଲା। ଏହା ଆମ ଦେଶର ସା˚ସ୍କୃତିକ ବିବିଧତା ଓ ସଭ୍ୟତା ପ୍ରତି ଏକ ଗୌରବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

Advertisment

ଅଧିକା˚ଶ ଦିନ ସନ୍ଧ୍ୟାରେ, ନିଜ କାମରୁ ଅବ୍ୟାହତି ନେଇ, ରାତ୍ରିକାଳୀନ ଖାଦ୍ୟ ପୂର୍ବରୁ ମୁଁ ପ୍ରାୟ ଏକ ଘଣ୍ଟା ଭାରତୀୟ ଶାସ୍ତ୍ରୀୟ ସ˚ଗୀତ ଶୁଣେ। ପୂର୍ବେ ବର୍ଷ ବର୍ଷ ଧରି ସ˚ଗ୍ରହ କରିଆସିଥିବା କାସେଟ୍‌ ଓ ସିଡି ଶୁଣୁଥିଲି; ଆଜିକାଲି ‘ୟୁଟ୍ୟୁବ୍‌’ର ବିଶାଳ ଭଣ୍ତାରରେ ନିଜ ପସନ୍ଦର ସ˚ଗୀତ ଅନ୍ବେଷଣ କରୁଛି। କେତେ ବେଳେ କୌଣସି ଜଣେ ନିର୍ଦିଷ୍ଟ କଳାକାର ବା ନିର୍ଦିଷ୍ଟ ରାଗ ପସନ୍ଦ କରୁଛି ତ ପୁଣି କେତେ ବେଳେ ଅତୀତରେ ଭଲ ଲାଗିଥିବା ସ˚ଗୀତ ଖୋଜି ଶୁଣୁଛି। କିଛି ଦିନ ତଳେ ‘ୟୁଟ୍ୟୁବ୍‌’ ପ୍ରଦତ୍ତ ଶୀର୍ଷ ତାଲିକାରେ ଉସ୍ତାଦ ବଡ଼େ ଗୁଲାମ ଅଲୀ ଖାଁ ଗାଇଥିବା ‘ହ˚ସଧ୍ବନି’ ରାଗ ସ୍ଥାନ ପାଇଥିଲା। ତାଙ୍କ ଗାୟନ ଶୁଣିଲି। ପୁଣି ଥରେ ଶୁଣିଲି। ପୁଣି ଶୁଣିଲି।

୧୯୦୨ରେ ପଶ୍ଚିମ ପ˚ଜାବ ଅନ୍ତର୍ଗତ କସୁରରେ ବଡ଼େ ଗୁଲାମ ଅଲୀ ଖାଁ ଜନ୍ମ ହୋଇଥିଲେ। ତାଙ୍କ ପିତା ଅଲୀ ବକ୍‌ସ ଥିଲେ, ପାତିଆଲା ରାଜ୍ୟର ଶିଖ ମହାରାଜାମାନଙ୍କର ପୃଷ୍ଠପୋଷକତାରେ ପ୍ରତିଷ୍ଠିତ ‘ପାତିଆଲା ଘରାନା’ର ଗାୟକ। ଦେଶ ବିଭାଜନ ବେଳେ ବଡ଼େ ଗୁଲାମ ପାକିସ୍ତାନ ଚାଲିଯିବାକୁ ପସନ୍ଦ କରିଥିଲେ। ତେବେ, ସେଠାରେ ଶାସ୍ତ୍ରୀୟ ସ˚ଗୀତର ଶ୍ରୋତା ପାଇବା କଠିନ ବୋଲି ଉପଲବ୍‌ଧି ହେବା ପରେ ଭାରତ ଫେରି ଆସିଥିଲେ। ଏବର ତୁଳନାରେ, ୧୯୫୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆତ-ଯାତ ହେବା ଅପେକ୍ଷାକୃତ ସହଜ ଥିଲା। ବଡ଼େ ଗୁଲାମ ପହଞ୍ଚିଥିଲେ ବମ୍ବେରେ। ସେତେ ବେଳେ ଅବିଭାଜିତ ବମ୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ମୋରାରଜୀଭାଇ ଦେଶାଇ। କେହି ଜଣେ, ତାଙ୍କ ଅପ୍ରୀତିକର ଅବସ୍ଥା ବାବଦରେ ମୋରାରଜୀଭାଇଙ୍କ ଧ୍ୟାନ ଆକର୍ଷଣ କଲେ। ମୋରାରଜୀଭାଇ ତାଙ୍କ ରହଣି ପାଇଁ ଏକ ସରକାରୀ ଘର ଯୋଗାଇ ଦେଲେ। ସେହି ସମୟରେ ପଣ୍ତିତ ଜଵାହରଲାଲ ନେହରୁ ନେତୃତ୍ବାଧୀନ କେନ୍ଦ୍ର ସରକାର ପାକିସ୍ତାନରୁ ଭାରତ ଆସୁଥିବା ମୁସଲମାନମାନଙ୍କର ନାଗରିକତା ଲାଭ ପାଇଁ ସରଳ ବ୍ୟବସ୍ଥା କରିଥିଲା।

କର୍ଣ୍ଣାଟକ ଶାସ୍ତ୍ରୀୟ ସ˚ଗୀତ ପର˚ପରାରେ ‘ହ˚ସଧ୍ବନି’ ଏକ ସୁନ୍ଦର-ସୁମଧୁର ରାଗ। ଅଷ୍ଟାଦଶ ଶତାବ୍ଦୀରେ ରାମସ୍ବାମୀ ଦୀକ୍ଷିତର ଏହାକୁ ସୃଷ୍ଟି କରିଥିବା କହାଯାଏ। ଅନେକ ଗୀତ ଏହି ରାଗ ଉପରେ ଆଧାରିତ; ଯେମିତି କି ‘ବାତାପି ଗଣପତି˚’: ଏମ୍‌ଏସ୍‌ ଶୁଭଲକ୍ଷ୍ମୀ ଏବ˚ ଏମ୍‌ଏଲ୍‌ ବସନ୍ତକୁମାରୀଙ୍କ ଗାୟନ ମାଧ୍ୟମରେ ଏହା ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଥିଲା। ତେବେ ଗୋଟିଏ ସମୟରେ ହିନ୍ଦୁସ୍ତାନୀ ସ˚ଗୀତଜ୍ଞମାନେ ମଧ୍ୟ ଏହାକୁ ନିଜ ପାଇଁ ବ୍ୟବହାର କରୁଥିଲେ।

ମୁଁ କର୍ଣ୍ଣାଟକୀ ସ˚ଗୀତ ତୁଳନାରେ ହିନ୍ଦୁସ୍ତାନୀ ସ˚ଗୀତ ଅଧିକ ଶୁଣେ। ଉସ୍ତାଦ ଅମୀର ଖାଁ ଓ କିଶୋରୀ ଆମୋନକରଙ୍କ କଣ୍ଠ ଏବ˚ ପାନ୍ନାଲାଲ ଘୋଷଙ୍କ ବ˚ଶୀବାଦନ ମାଧ୍ୟମରେ ମୁଁ ଅନେକ ଥର ‘ହ˚ସଧ୍ବନି’ ଶୁଣିଛି। ତେବେ, ଏବେ ପ୍ରଥମ ଥର ପାଇଁ ବଡ଼େ ଗୁଲାମଙ୍କ କଣ୍ଠରେ ଶୁଣିଲି। ସେ ମୋର ପସନ୍ଦର ଶାସ୍ତ୍ରୀୟ ଗାୟକ। ପୂର୍ବରୁ ତାଙ୍କ କଣ୍ଠରେ ‘ପାହାଡ଼ୀ’ ଓ ‘ବିହାଗ’ ଶୁଣିଥିଲି। ଶାସ୍ତ୍ରୀୟ ସ˚ଗୀତ ବାବଦରେ ଅଧିକ ଜ୍ଞାନ ଥିବା ଜଣେ ବନ୍ଧୁଙ୍କ ଠାରୁ ଶୁଣିବା ପରେ ନିଶ୍ଚିତ ହେଲି ଯେ ବଡ଼େ ଗୁଲାମ କ୍ବଚିତ୍‌ ‘ହ˚ସଧ୍ବନି’ ରାଗ ଗାଇଛନ୍ତି ଏବ˚ ଏହା ଏକ ଅତି ସ୍ବତନ୍ତ୍ର ରେକର୍ଡି˚।

‘ୟୁଟ୍ୟୁବ୍‌’ରେ ଅଧିକ ଅନୁସନ୍ଧାନ କରି ଜାଣିବାକୁ ପାଇଲି ଯେ ‘ହ˚ସଧ୍ବନି’ ରାଗରେ ଏହି ନିର୍ଦିଷ୍ଟ ଗାୟନଟି ଏକ ସ˚ଗୀତ ସମ୍ମିଳନୀ କାଳର। ୧୯୫୬ରେ ମୋ ସହର ବେଙ୍ଗାଲୁରୁରେ ଏକ ସ˚ଗୀତ ସମ୍ମିଳନୀ ଅବସରରେ ସେ ଏହି ରାଗରେ ଗାଇଥିଲେ। ଏହି ଜାଣି ଆନନ୍ଦିତ ହେଲି। ରାମ ନବମୀ ମହୋତ୍ସବ କାଳରେ ଉକ୍ତ ସ˚ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ବାର୍ଷିକ ସ˚ଗୀତ ସମ୍ମିଳନୀ ସହରର ସ˚ଗୀତ ପ˚ଜିକାର ଏକ ମହତ୍ତ୍ବପୂର୍ଣ୍ଣ ଅ˚ଶ; ଏହା ପୂର୍ବରୁ ଥିଲା ଏବ˚ ଏବେ ମଧ୍ୟ ଅଛି। ଏହା ସର୍ବଦା ଚାମରାଜପେଟସ୍ଥିତ ଫୋର୍ଟ‌୍‌ ହାଇସ୍କୁଲ୍‌ର ବିଶାଳ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥାଏ।

ଯେଉଁ ଦୁର୍ଗ (ଫୋର୍ଟ‌୍‌) ନାମରେ ଉଚ୍ଚ ବିଦ୍ୟାଳୟଟି ନାମିତ, ସେଇଟି ମୂଳତଃ ମୃତ୍ତିକା ନିର୍ମିତ। ଏହାର ନିର୍ମାଣ ଷୋଡ଼ଶ ଶତାବ୍ଦୀରେ କେମ୍ପେଗୌଡ଼ା କରାଇଥିଲେ। ପରେ ହାଇଦର ଅଲୀଙ୍କ ଦ୍ବାରା ପ୍ରସ୍ତରରେ ଏହାର ପୁନର୍ନିର୍ମାଣ କରାଯାଇଥିଲା। ଅଷ୍ଟାଦଶ ଶତାବ୍ଦୀରେ ତାଙ୍କ ପୁତ୍ର ଟିପୂ ସୁଲତାନ ଦୁର୍ଗଟିକୁ ସଜାଇ ଥିଲେ। ବିଦ୍ୟାଳୟର କୋଠା-ବାଡ଼ି ବି˚ଶ ଶତାବ୍ଦୀର ଆଦ୍ୟ ଭାଗରେ ବ୍ରିଟିସ୍‌ ଔପନିବେଶିକ ଶୈଳୀରେ ନିର୍ମିତ।

ଗତ କିଛି ବର୍ଷ ହେଲା ମୁଁ ବେଳେ ବେଳେ ରାମ ନବମୀକାଳୀନ ସ˚ଗୀତ ସମ୍ମିଳନୀରେ ଉପସ୍ଥିତ ରହିଛି। ୧୯୫୬ରେ ମୋର ଜନ୍ମ ହୋଇ ନ ଥିଲା। ଜାଣିବାକୁ ପାଇଲି, ସେତେବେଳେ ବେଙ୍ଗାଲୁରୁର ପ୍ରସିଦ୍ଧ ସ˚ଗୀତ ପୃଷ୍ଠପୋଷକ ଶିବରାମ ଓ ଲଳିତା ଉଭୟକର ଶ୍ରୋତାମଣ୍ତଳିରେ ବଡ଼େ ଗୁଲାମଙ୍କ ଗାୟନ ଶୁଣିଥିଲେ। ଭାବୁଛି, ଶ୍ରୋତାଙ୍କ ଭିତରେ ଆହୁରି ମଧ୍ୟ ଉପସ୍ଥିତ ଥିବେ, ଶାସ୍ତ୍ରୀୟ ସ˚ଗୀତ ପ୍ରିୟ ପଦାର୍ଥ ବିଜ୍ଞାନୀ ସିଭି ରମଣ। ମୋର କିଛି ମଉସା ଓ ମାଉସୀ ମଧ୍ୟ ଥିବେ, ଯେଉଁମାନେ ସେତେ ବେଳେ ଚାମରାଜପେଟରେ ରହୁଥିଲେ।

ବେଙ୍ଗାଲୁରୁର ଫୋର୍ଟ‌୍‌ ହାଇସ୍କୁଲ୍‌ ପଡ଼ିଆରେ ଅନୁଷ୍ଠିତ ରାମ ନବମୀକାଳୀନ ବାର୍ଷିକ ସ˚ଗୀତ ସମ୍ମିଳନୀରେ ବଡ଼େ ଗୁଲାମ ଅଲୀ ଖାଁ ‘ହ˚ସଧ୍ବନି’ ଗାଇଥିବା ଜାଣି ମୁଁ ପୁଲକିତ। ସେ ଭାରତର ଜଣେ ମୁସଲମାନ ଗାୟକ, ଯାହାଙ୍କ ଜନ୍ମ ଏକଦା ଯେଉଁଠି ହୋଇଥିଲା, ତାହା ଏବେ ପାକିସ୍ତାନରେ ଏବ˚ ଯିଏ ଶିଖ ରାଜା-ମହାରାଜାଙ୍କ ପୃଷ୍ଠପୋଷକତାରେ ସମୃଦ୍ଧ ହିନ୍ଦୁସ୍ତାନୀ ସ˚ଗୀତର ଜଣେ ପ୍ରସିଦ୍ଧ ଉସ୍ତାଦ। ବ୍ରିଟିସ୍‌ କାଳରେ ନିର୍ମିତ ତଥା ଉଭୟ ହିନ୍ଦୁ ଓ ମୁସଲମାନ ଶାସକଙ୍କ ଦ୍ବାରା ବିକଶିତ ଦୁର୍ଗ ନାମାନୁଯାୟୀ ନାମିତ ଏକ ବିଦ୍ୟାଳୟ ପ୍ରାଙ୍ଗଣରେ ମହାନ୍‌ ହିନ୍ଦୁ ଦେବତାଙ୍କ ପର୍ବ ଅବସରରେ ସେ ଗାଇଥିଲେ କର୍ଣ୍ଣାଟକ ସଂଗୀତ ପର˚ପରାର ରାଗ।

ଯେଉଁ ବର୍ଷ ସ˚ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ସେହି ବର୍ଷର ମଧ୍ୟ ମହତ୍ତ୍ବ ରହିଛି। ୧୯୫୬ରେ ଦକ୍ଷିଣ ଭାରତର କନ୍ନଡ଼ ଭାଷାଭାଷୀ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା କର୍ଣ୍ଣାଟକ ରାଜ୍ୟ। ବ୍ରିଟିସ୍‌ ଶାସନାଧୀନ ଭାରତରେ କନ୍ନଡ଼ ଭାଷୀମାନେ ମୁଖ୍ୟତଃ ମହୀଶୂର ଓ ହାଇଦରାବାଦ ରାଜ୍ୟ ଏବ˚ ବମ୍ବେ ଓ ମାଡ୍ରାସ ପ୍ରେସିଡେନ୍‌ସିର ବାସିନ୍ଦା ଥିଲେ। ସ୍ବାଧୀନତା ପରେ କନ୍ନଡ଼ ଭାଷୀ ଅଞ୍ଚଳଗୁଡ଼ିକୁ ନେଇ ଏକ ରାଜ୍ୟ ଗଠନ ଦାବି ଜୋର‌୍‌ଦାର ହୋଇଥିଲା ଏବ˚ ତାହାର ସୁଫଳ ସ୍ବରୂପ ୧୯୫୬ରେ କର୍ଣ୍ଣାଟକ ପ୍ରଦେଶର ସୃଷ୍ଟି।

ପ୍ରସିଦ୍ଧ କନ୍ନଡ଼ ଲେଖକ କୋଟା ଶିବରାମ କରନ୍ଥ ଏକଦା ମନ୍ତବ୍ୟ ଦେଇଥିଲେ: ଭାରତୀୟ ସ˚ସ୍କୃତି ଏକକ ନୁହେଁ। ଏକକ ସ˚ସ୍କୃତି ଭାବେ ଏହା ବାବଦରେ ଆଲୋଚନା କରିବା ଅସ˚ଭବ। ଏବର ଭାରତୀୟ ସ˚ସ୍କୃତି ଏତେ ବିବିଧ ଯେ ଏହାକୁ ସ˚ସ୍କୃତିମାଳା କହିବା ଅଧିକ ଯଥାର୍ଥ ହେବ। ଆମ ସ˚ସ୍କୃତିର ମୂଳ ସୁପ୍ରାଚୀନ। କାଳକ୍ରମେ ଏହା ବହୁ ଜାତି ଓ ସ˚ପ୍ରଦାୟର ଲୋକଙ୍କ ଦ୍ବାରା ବିକଶିତ ଏବ˚ ସମୃଦ୍ଧ ହୋଇଛି। ତେଣୁ, ଏହାର ଉପାଦାନ ସ˚ଖ୍ୟା ଏତେ ଅଧିକ ଯେ, କେଉଁଟି ନିଶ୍ଚିତ ଭାବେ ସ୍ଥାନୀୟ ଓ କେଉଁଟି ବାହ୍ୟ, ତଥା କେଉଁଟିକୁ ଶ୍ରଦ୍ଧାର ସହ ଗ୍ରହଣ କରାଯାଇଛି ଏବ˚ କେଉଁଟିକୁ ବଳ ପୂର୍ବକ ଲଦିଦିଆଯାଇଛି ସେ ବାବଦରେ ଜାଣିବା ଓ କହିବା ଅସ˚ଭବ। ଭାରତୀୟ ସ˚ସ୍କୃତିକୁ ଏ ଭଳି ଦୃଷ୍ଟିକୋଣରୁ ଦେଖିଲେ, ଏଥିରେ ସ୍ବଦେଶ ଅନୁରାଗର ସ୍ଥାନ ନ ଥିବା ହୃଦ୍‌ବୋଧ ହେବ।

କରନ୍ଥଙ୍କ ସହ ରବୀନ୍ଦ୍ରନାଥ ଠାକୁରଙ୍କ ଏକ ମନ୍ତବ୍ୟ ଜାଣିବା ହେଉ। ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ଆମର ସା˚ସ୍କୃତିକ ବିବିଧତା ସ˚ପର୍କରେ ଏକଦା ସେ କହିଥିଲେ: କେହି ଜାଣନ୍ତି ନାହିଁ, କାହା ଡାକରାରେ, କେତେ ଅଜଣା ସ୍ଥାନରୁ ଏତେ ସ˚ଖ୍ୟକ ମଣିଷ ରୂପୀ ଝରଣା ବହିଯାଇ, ଏକ ସାଗରରେ ମିଶିଯାଇଥିଲେ। ଏଠାରେ ଆର୍ଯ୍ୟ ଓ ଅଣଆର୍ଯ୍ୟ, ଦ୍ରାବିଡ଼, ଚାଇନିଜ୍‌, ଶକ ଓ ହୁନ ଏବ˚ ପଠାଣ ଓ ମୋଗଲ ଏକାକାର ହୋଇଯାଇଛନ୍ତି।

କରନ୍ଥ ଓ ଠାକୁର ଯେଉଁ ସାସ୍କୃତିକ ବିବିଧତା ମଧ୍ୟରେ ଏକତା କଥା କହିଥିଲେ, ତାହା ଆମ ଶାସ୍ତ୍ରୀୟ ସ˚ଗୀତ ସମେତ ଭାରତୀୟ ଜୀବନର ଅଧିକା˚ଶ କ୍ଷେତ୍ରରେ ଦେଖିବାକୁ ମିଳେ। ବାଦନ ହେଉ କି ରାଗ ବା ଗାୟନ, ଆମେ କହିପାରିବା ନାହିଁ ଏଥିରେ ହିନ୍ଦୁ କ’ଣ ଓ ମୁସଲମାନ କ’ଣ; ଏହାର କେଉଁ ଅ˚ଶ ସ୍ଥାନୀୟ, କେଉଁ ଅ˚ଶ ବାହ୍ୟ। ଆମ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀୟ ସ˚ଗୀତର ପ୍ରଶ˚ସକ କି ନୁହେଁ, ମୁଁ ଜାଣେନା। ସେ ହୁଅନ୍ତୁ ବା ନ ହୁଅନ୍ତୁ, ତାଙ୍କ ସହ ସମସ୍ତ ହିନ୍ଦୁତ୍ବବାଦୀଙ୍କୁ କହିବି ଯେ ମୁଁ ଏଠାରେ ବର୍ଣ୍ଣନା କରିଥିବା ରାଗ ଓ ସ˚ଗୀତ ‘ୟୁଟ୍ୟୁବ୍‌’ରେ ଅଧ ଘଣ୍ଟା ଶୁଣନ୍ତୁ। ତାହା ପରେ ସେମାନେ ଭାରତ ବାବଦରେ ନିଜର ଅପ୍ରଶସ୍ତ ଚିନ୍ତାଧାରା ହୁଏ’ତ ବଦଳାଇବେ! ୧୯୫୬ରେ ରାମ ନବମୀ ଅବସରରେ, ବେଙ୍ଗାଲୁରୁର ଫୋର୍ଟ‌୍‌ ହାଇସ୍କୁଲ୍‌ ପ୍ରାଙ୍ଗଣରେ ବଡ଼େ ଗୁଲାମ ଅଲୀ ଖାଁଙ୍କ ‘ହ˚ସଧ୍ବନି’ ଗାୟନ, ନିଶ୍ଚିତ ଭାବେ ବହୁ ଭାଷା, ଧର୍ମ, ଅଞ୍ଚଳ, ସ˚ଗୀତ ପର˚ପରା, ସ୍ଥାପତ୍ୟ ଶୈଳୀ ଓ ରାଜନୈତିକ ଶାସନର ମିଶ୍ରଣ ଥିଲା। ଏହା ଆମ ଦେଶର ସା˚ସ୍କୃତିକ ବିବିଧତା ଓ ସଭ୍ୟତା ପ୍ରତି ଏକ ଗୌରବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି; ଏବ˚ ପ୍ରସଙ୍ଗ କ୍ରମେ ଏକ ସୁମଧୁର ସ˚ଗୀତ ମଧ୍ୟ।