କାହିଁ ସେ ଉଜ୍ଜ୍ବଳ ଆମେରିକା?

ବିଜନ କୁମାର ମହାପାତ୍ର

ନିଜକୁ ସର୍ବାଧିକ ଉଦାରବାଦୀ, ସଭ୍ୟ ଓ ଗଣତାନ୍ତ୍ରିକ ବୋଲି କହି ଅନ୍ୟମାନଙ୍କୁ ମାନବିକ ଅଧିକାରର ପାଠ ପଢ଼ାଉଥିବା ଆମେରିକା ଏବେ ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନର ନିଆଁରେ ଜଳୁଛି। ମିନେପୋଲିସରେ ଜର୍ଜ ଫ୍ଲଏଡ୍‌ ନାମକ ଜଣେ ୪୬ ବର୍ଷ ବୟସ୍କ କୃଷ୍ଣକାୟ ବ୍ୟକ୍ତି ପ୍ରକାଶ୍ୟ ଦିବାଲୋକରେ ଶ୍ବେତାଙ୍ଗ ପୁଲିସ କର୍ମଚାରୀଙ୍କ ଦ୍ବାରା ନିହତ ହେବା ପରେ ତାର ପ୍ରତିବାଦରେ ଆନ୍ଦୋଳନ ସମଗ୍ର ଆମେରିକାକୁ ବ୍ୟାପିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସାମରିକ ବାହିନୀଙ୍କୁ ଲଗାଇ ଆନ୍ଦୋଳନକାରୀଙ୍କୁ ଗୁଳି କରି ଅଶାନ୍ତିର ନିଆଁକୁ ନିର୍ବାପିତ କରିବା ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଧମକ ଓ ନିହାତି ବେପରୁଆ ଟୀକାଟିପ୍ପଣୀ ଏହି ନିଆଁକୁ କେବଳ ତେଜାଇ ନାହିଁ, ଏହାକୁ ଯୁକ୍ତରାଷ୍ଟ୍ର ଆମେରିକାରୁ ବାହାରକୁ ନେଇ ଇ˚ଲଣ୍ତରେ ମୁଣ୍ତ ଟେକିବା ଲାଗି ସୁଯୋଗ ଦେଇଛି।

ଗଲା ମେ ୨୫ ତାରିଖରେ ମିନେପୋଲିସ ସହରରେ କର୍ମଚାରୀ ଡେରେକ ସାଭିନ ନାମକ ଜଣେ ଗୋରା ପୁଲିସ ଜାଲ୍‌ ନୋଟ୍‌ ଭଙ୍ଗାଇବା ଅଭିଯୋଗରେ ଜର୍ଜ ଫ୍ଲଏଡଙ୍କୁ ଗିରଫ କଲା ବେଳେ ତାଙ୍କୁ ତଳେ ପକାଇ ତାଙ୍କ ବେକକୁ ଆଣ୍ଠୁରେ ଏତେ ଜୋରରେ ମାଡ଼ି ଦେଇଥିଲେ ଯେ ଶ୍ବାସରୁଦ୍ଧ ଅବସ୍ଥାରେ ଛଟପଟ ହୋଇ ଫ୍ଲଏଡଙ୍କ ମୃତ୍ୟୁ ଘଟିଥିଲା। ଫ୍ଲଏଡ୍‌ କରୁଣ ଭାବେ ନିଶ୍ବାସ ନେଇ ପାରୁନାହାନ୍ତି ବୋଲି ଚିତ୍କାର କରୁଥିବା ସତ୍ତ୍ବେ ସାଭିନ ତାହା ଶୁଣି ନ ଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେଲା ପରେ ବିପୁଳ ଜନ ଆକ୍ରୋଶ ସୃଷ୍ଟି ହୋଇ ବର୍ଣ୍ଣ ବୈଷମ୍ୟବାଦୀ ବିକ୍ଷୋଭ ବିଭିନ୍ନ ସହରକୁ ବ୍ୟାପି ଯାଇଛି ଓ ହି˚ସାତ୍ମକ ମୋଡ଼ ନେବାରେ ଲାଗିଛି। ତେବେ, କେବଳ କୃଷ୍ଣକାୟ ନୁହନ୍ତି, ଶ୍ବେତାଙ୍ଗମାନେ ମଧୢ ଏଥିରେ ସାମିଲ ହୋଇଛନ୍ତି ଏବ˚ ‘ବ୍ଲାକ୍‌ ଲାଇଭସ ମ୍ୟାଟର’ ନାମକ ଏକ ଅଭିଯାନ ଜନ୍ମ ନେଇଛି।

୧୯୬୮ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଶେଷ ଥର ଲାଗି ଏଭଳି ବ୍ୟାପକ ହି˚ସାକାଣ୍ତ ଦେଖିବାକୁ ମିଳିଥିଲା। ସେହି ବର୍ଷ ଏପ୍ରିଲ ୪ ତାରିଖରେ କୃଷ୍ଣକାୟଙ୍କ ଅଧିକାର ପାଇଁ ସ˚ଗ୍ରାମ କରିଥିବା ପ୍ରସିଦ୍ଧ ଗାନ୍ଧୀବାଦୀ ନେତା ମାର୍ଟିନ ଲୁଥର କିଙ୍ଗ୍‌ଙ୍କ ହତ୍ୟା ପରେ ତାହା ସ˚ଘଟିତ ହୋଇଥିଲା। ସେଥିରେ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଜଣେ ଶ୍ବେତାଙ୍ଗଙ୍କ ଗୁଳିରେ ଏହି ମହାନ ନେତା ପ୍ରାଣ ହରାଇଥିଲେ।

କହିବା ବାହୁଲ୍ୟ ଯେ ଉପରକୁ ଜଣା ପଡୁ ନ ଥିଲେ ମଧୢ ଆମେରିକୀୟ ସମାଜରେ ସର୍ବଦା ସୁପ୍ତ ଭାବେ ବର୍ଣ୍ଣ ବୈଷମ୍ୟ ରହି ଆସିଛିି। ବିଶେଷ କରି ଶ୍ବେତାଙ୍ଗ ପୁଲିସଙ୍କ ଦ୍ବାରା କୃଷ୍ଣକାୟଙ୍କ ହତ୍ୟା ଓ ନିର୍ଯାତନା ନିୟମିତ ଅନ୍ତରାଳରେ ସେଠାରେ ଆଲୋଡ଼ନ ଓ କ୍ଷୋଭ ସୃଷ୍ଟି କରିଥାଏ। ସ˚ପ୍ରତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଭଳି ଜଣେ ଶ୍ବେତାଙ୍ଗବାଦୀ ବିଭାଜନକାରୀ ବ୍ୟକ୍ତି ରାଷ୍ଟ୍ରପତି ହୋଇଥିବା ହେତୁ ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ କିଛି ବର୍ଷ ଧରି ଆମେରିକାରେ ଶ୍ବେତାଙ୍ଗମାନେ ଅତି ଦକ୍ଷିଣପନ୍ଥୀ ବର୍ଣ୍ଣବାଦୀ ହେବାରେ ଲାଗିଛନ୍ତି। ତେଣୁ ଟ୍ରମ୍ପ୍‌ଙ୍କ ପଛରେ ମଧୢ ଏମାନଙ୍କ ସମର୍ଥନ ରହିଛି।

ଆମେରିକାରେ ବର୍ଣ୍ଣବୈଷମ୍ୟର ଇତିହାସ ତିନି ଶହ ବର୍ଷ ପୁରୁଣା। ଆଜିକାର କୃଷ୍ଣକାୟ ଆମେରିକୀୟମାନଙ୍କ ପୂର୍ବଜମାନେ ଆଫ୍ରିକା ମହାଦେଶରୁ କ୍ରୀତଦାସ ଭାବେ ଆସିଥିଲେ। ଏମାନେ କିଭଳି ଅତି ଦୟନୀୟ ସ୍ଥିତିରେ ରହୁଥିଲେ ତାର ଏକ ମର୍ମଭେଦୀ ଆଭାସ ହାରିଏଟ ଷ୍ଟୋଙ୍କ ଉପନ୍ୟାସ ‘ଅଙ୍କଲ ଟମ୍‌ସ କେବିନ୍‌’ (ଟମ୍‌ କକାଙ୍କ କୁଟୀର)ରେ ମିଳେ। ୧୭୯୦ ମସିହାରେ ଆମେରିକାରେ ମୋଟ ଜନସ˚ଖ୍ୟାରେ କୃୃଷ୍ଣକାୟଙ୍କ ସ˚ଖ୍ୟା ଥିଲା ୧୯.୩%। କିନ୍ତୁ ସେମାନଙ୍କର କୌଣସି ନାଗରିକ ଅଧିକାର ନ ଥିଲା। ମାନବବାଦୀ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନ୍‌ ଦେଶରୁ କ୍ରୀତଦାସ ପ୍ରଥା ଲୋପ କରିବା ପରେ କୃଷ୍ଣକାୟମାନଙ୍କୁ ସମାନ ଅଧିକାର ମିଳିଥିଲା। କିନ୍ତୁ ପରବର୍ତ୍ତୀ କାଳରେ ଆମେରିକାର ଅନେକ ରାଜ୍ୟ କୃଷ୍ଣକାୟଙ୍କ ଅଧିକାର ଛଡ଼ାଇ ନେବାରୁ (୧୮୯୬ରେ ଆମେରିକାର ସୁପ୍ରିମକୋର୍ଟ ମଧୢ ଏହାକୁ ଅନୁମୋଦନ କରିଥିଲେ) କୃଷ୍ଣକାୟମାନଙ୍କ ଅବସ୍ଥା ପୁଣି ଶୋଚନୀୟ ହୋଇ ପଡ଼ିଥିଲା। ତେବେ, ଗଲା ଶତାବ୍ଦୀର ପଞ୍ଚମ ଦଶକରେ କୃଷ୍ଣକାୟମାନଙ୍କ ଲାଗି ସମାନ ଅଧିକାର ସକାଶେ ଆନ୍ଦୋଳନ ପୁଣି ମୁଣ୍ତ ଟେକିବାରେ ଲାଗିଲା। ୧୯୫୬ ମସିହାରେ ଆଲାବାମା ରାଜ୍ୟର ମଣ୍ଟଗୋମରୀ ସହରରେ ରୋଜା ପାର୍କସ ନାମକ ଜଣେ କୃଷ୍ଣକାୟ ମହିଳା ଏକ ବସ୍‌ରେ ଯାତ୍ରା କରୁଥିବା ବେଳେ ଜଣେ ଶ୍ବେତାଙ୍ଗ ତାଙ୍କୁ ସେ ଆସନ ଛାଡ଼ିବାକୁ ବାଧୢ କରିବାରୁ ପାର୍କସଙ୍କ ପ୍ରତିବାଦ ଏହି ଆନ୍ଦୋଳନକୁ ଏକ ସ˚ଗଠିତ ରୂପ ଦେବାରେ ସୂତ୍ରଧର ରୂପେ ସାବ୍ୟସ୍ତ ହୋଇଥିଲା। ଏହି ଆନ୍ଦୋଳନ ମାର୍ଟିନ ଲୁଥର କିଙ୍ଗ୍‌ ଜୁନିଅରଙ୍କ ନେତୃତ୍ବରେ ଶେଷରେ ସଫଳ ହେଲା ଏବ˚ କୃଷ୍ଣକାୟମାନେ ସମାନ ଅଧିକାର ଲାଭ କରିଥିଲେ। ଏହାର ଅନେକ ବର୍ଷ ପରେ ଯାଇ ୨୦୦୯ରେ ବାରାକ ଓବାମା ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ଅବସ୍ଥାପିତ ହେଲେ।

ଏବେ ଆମେରିକାର ୩୩ କୋଟି ଲୋକଙ୍କ ମଧ୍ୟରୁ କୃଷ୍ଣକାୟ ଜନସ˚ଖ୍ୟା ପାଖାପାଖି ୪ କୋଟି ହେବ। ତଥାପି କୃଷ୍ଣକାୟଙ୍କୁ ଆଜି ବି ଦ୍ବିତୀୟ ଶ୍ରେଣୀର ନାଗରିକ ଭଳି ଦେଖା ଯାଉଛି। ଆମେରିକାରେ କରୋନା ମହାମାରୀରେ ମୃତ୍ୟୁବରଣ କରିଥିବା ୧ ଲକ୍ଷ ୭ ହଜାର ଲୋକଙ୍କ ଭିତରେ କୃଷ୍ଣକାୟଙ୍କ ସ˚ଖ୍ୟା ଶ୍ବେତାଙ୍ଗଙ୍କ ତୁଳନାରେ ତିନି ଗୁଣ ହେବ। ଏହାର କାରଣ ଅଧିକା˚ଶ କୃଷ୍ଣକାୟ ଦରିଦ୍ର ଏବ˚ ସେମାନେ ବିଭିନ୍ନ ବସ୍ତି ଭଳି ଅଞ୍ଚଳରେ ରହି ସ˚କ୍ରମଣରେ ଅଧିକ କ୍ଷୟକ୍ଷତିର ଶିକାର ହେଉଛନ୍ତି। ତେବେ ଯାହା ଉଦ୍‌ବେଗଜନକ ତାହା ହେଲା ଏହି ଘଟଣାରୁ ଡୋନାଲଡ୍‌ ଟ୍ରମ୍ପ୍‌ ରାଜନୈତିକ ରୁଟି ସେକିବା ଆରମ୍ଭ କରି ଦେଇଛନ୍ତି। କରୋନା ମୁକାବିଲାରେ ତାଙ୍କ ସରକାରର ବିଫଳତା ହେତୁ ଆଉ ମାତ୍ର ପାଞ୍ଚ ମାସ ପରେ ହେବାକୁ ଥିବା ନିର୍ବାଚନ ଜିଣିବା ତାଙ୍କ ଲାଗି ଅତ୍ୟନ୍ତ କଠିନ ସାବ୍ୟସ୍ତ ହେବା ନିଶ୍ଚିତ। ତେଣୁ ସେ ଏହି ଘଟଣାରେ ଶ୍ବେତାଙ୍ଗ ଏବ˚ କୃଷ୍ଣକାୟଙ୍କ ମଧୢରେ ଏକ ବିଭାଜନ ସୃଷ୍ଟି କରାଇ ନିର୍ବାଚନ ଜିଣିବାର ରଣ କୌଶଳକୁ ଆପଣାଇଛନ୍ତି। କିନ୍ତୁ ସେ ମନେ ରଖିବା ଉଚିତ ଯେ ଏଭଳି କରି ଯଦିବା ସେ ନିର୍ବାଚନ ଜିଣନ୍ତି, ତାହା କିନ୍ତୁ ସାରା ପୃଥିବୀ ସମକ୍ଷରେ ଆମେରିକାର ଦୟନୀୟ ପରାଜୟ ବୋଲି ସାବ୍ୟସ୍ତ ହେବ। ଆମେରିକାର ଭାବମୂର୍ତ୍ତି ଧୂଳିସାତ୍‌ ହେବ। ଉଜ୍ଜ୍ବଳ ଆମେରିକାର ଔଜ୍ଜଲ୍ୟ ମଳିନ ପଡ଼ିଯିବ।

ଚାଣକ୍ୟ ନଗର, ଲା˚ଜିପଲ୍ଲୀ
ବ୍ରହ୍ମପୁର-୭୬୦୦୦୮
ମୋ -୯୭୦୩୬୯୦୮୪୭

ସମ୍ବନ୍ଧିତ ଖବର