କରୋନା ପରିସ˚ଖ୍ୟାନ- ଏକ ତର୍ଜମା

ଅମିୟ ଭୂଷଣ ତ୍ରିପାଠୀ

ବର୍ତ୍ତମାନ ଏପରି ଏକ ପରିସ୍ଥିତି ଉପୁଜିଛି ଯେଉଁଠାରେ କେନ୍ଦ୍ର ସରକାରଙ୍କ କରୋନା ପରିସ˚ଖ୍ୟାନ ଉପରେ ବିବୃତିମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବମୂର୍ତ୍ତି ସଙ୍ଗେ ଓତଃପ୍ରୋତ ଭାବେ ଜଡ଼ିତ। ଫଳରେ ଏକ ନିରାସକ୍ତ ଆଲୋଚନା ଓ ତଥ୍ୟ ଉପସ୍ଥାପନ ସମ୍ଭବ ହୋଇପାରୁନାହିଁ। କରୋନା ସମସ୍ୟା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକକ ସମ୍ବୋଧନ ଓ ସର୍ବତ୍ର ତାଙ୍କର ଚିତ୍ରର ଉପସ୍ଥିତି ଏଭଳି ଧାରଣାଟିଏ ଦେଇଥାଏ। ତା’ପରେ ଦଳର ଅତି ପ୍ରଭାବଶାଳୀ ସୋସିଆଲ ମିଡିିଆରେ ମିଥ୍ୟା ଓ ଅର୍ଧ ସତ୍ୟର ବାର୍ତ୍ତା ଛୁଟୁଛି, ଯାହାର ସାରା˚ଶ ହେଲା ବିଶ୍ବରେ କରୋନା ମହାସ˚ଗ୍ରାମର ଏକ ମହାରଥୀ ହେଉଛନ୍ତି ମୋଦୀ ଯାହାଙ୍କ ଦ୍ବାରା କରୋନା ପରାହତ ହେବ। ନିମ୍ନରେ ଏ ସମ୍ବନ୍ଧୀୟ କିଛି ଉଦାହରଣ ପ୍ରଦତ୍ତ ହେଲା।

ମୋଦୀ ପ୍ରଥମ ଲକ୍‌ଡାଉନ୍‌ ଆଗରୁ ସମ୍ବୋଧନରେ କରୋନା ଯୁଦ୍ଧକୁ ମହାଭାରତ ଯୁଦ୍ଧ ସଙ୍ଗେ ତୁଳନା କରି କହିଲେ ମହାଭାରତ ଯୁଦ୍ଧ ୧୮ ଦିନରେ ସମାପ୍ତ ହୋଇଥିଲା; ସେହିପରି କରୋନା ଯୁଦ୍ଧ ୨୧ ଦିନରେ ସମାପ୍ତ ହେବ। ଏବେ ପଞ୍ଚସ୍ତରି ଦିନ ପରେ ଯୁଦ୍ଧରେ ବିରତିର ସମ୍ଭାବନା ନାହିଁ ଓ ସ˚ଖ୍ୟା ସେ ଦିନର ୩୫୦ରୁ ଏବେ ୩ ଲକ୍ଷ ଆଡ଼କୁ ଧାଉଁଛି। ମାର୍ଚ୍ଚ-ଏପ୍ରିଲ ମାସ ବେଳକୁ ଏକ ବାର୍ତ୍ତା ଆସିଲା ଯେ ଜି ୨୦ ଦେଶମାନଙ୍କ ନେତାମାନେ ମୋଦୀଙ୍କୁ ଏହି କରୋନା ଯୁଦ୍ଧରେ ନେତୃତ୍ବ ନେବାକୁ ନିବେଦନ କରୁଛନ୍ତି। ପୁଣି ସାମାଜିକ ଗଣମାଧୢମରେ ଦେଖିବାକୁ ମିଳିଲା ଯେ ବିଖ୍ୟାତ ଅଭିନେତା ଅମିତାଭ ବଚ୍ଚନ ତାଙ୍କ ଗମ୍ଭୀର ସ୍ବରରେ ମୋଦୀଙ୍କ ଅତୁଳନୀୟ ଜୀବନର ଗାଥା ‘କବ ତକ୍‌ ରୋକୋଗେ’ ନାମକ ଏକ ମର୍ମସ୍ପର୍ଶୀ କବିତା ମାଧୢମରେ ଗାନ କରୁଛନ୍ତି। ପରେ ଜଣାପଡ଼ିଲା ସବୁ ଫେକ୍‌ ବା ଜାଲ ଥିଲା। ଅମିତାଭ କହିଲେ ଯେ ସେ ସେହି କବିତା ୨୦୧୯ରେ ଆବୃତି କରିଥିଲେ ‘କୌନ ବନେଗା କରୋଡ଼ପତି’ ସୋ’ରେ। କବିତାର ରଚୟିତା କ୍ଷୋଭ ପ୍ରକାଶ କଲେ। ଏଥିରୁ ଜଣାପଡ଼ିବ ଆମେ କିପରି ମିଥ୍ୟାର ପ୍ରହେଳିକା ଦ୍ବାରା ଆଚ୍ଛାଦିତ।

ସେ ପରିପ୍ରେକ୍ଷୀରେ ଆସିବା ଚତୁର୍ଥ ବାର୍ତ୍ତା ଓ ପରିସ˚ଖ୍ୟାନକୁ। ଏ ବାର୍ତ୍ତାମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଲା ସଫଳ ସ˚ଗ୍ରାମୀ ରୂପେ ମୋଦୀଙ୍କ ଭାବମୂର୍ତ୍ତି ଅକ୍ଷୁଣ୍ଣ ରଖିବା। ସ˚ଖ୍ୟାର ସତ୍ୟତା ବଜାୟ ରଖିବାକୁ ହେଲେ ପରିବେଷଣର ଚିତ୍ରକୁ ବଦଳାଇବାକୁ ହେବ। ସାରା˚ଶ ହେଲା ଦେଶରେ ପ୍ରତିଦିନ କରୋନା ସ˚ଖ୍ୟା ବୃଦ୍ଧି ପାଉଥିଲେ ମଧୢ ଆମ ସ୍ଥିତି ବିଶ୍ବର ବିତ୍ତଶାଳୀ ଓ ଉନ୍ନତ ରାଷ୍ଟ୍ରମାନଙ୍କ ତୁଳନାରେ ଭଲ ବୋଲି ଦର୍ଶାଇବାକୁ ହେବ। ସମଗ୍ର ୟୁରୋପ ଓ ଆମେରିକାର ଜନସ˚ଖ୍ୟା ୧୦୦ କୋଟି ହେବ। କିନ୍ତୁ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା ୪୦ ଲକ୍ଷ ପାଖାପାଖି, ଅର୍ଥାତ୍‌ ସମଗ୍ର ସ˚ଖ୍ୟାର ୬୦ରୁ ୭୦ ପ୍ରତିଶତ। ଆମ ଦେଶରେ ୧୩୮ କୋଟି ଜନସ˚ଖ୍ୟା ଥାଇ କରୋନା ଆକ୍ରାନ୍ତ ୨ ପ୍ରତିଶତରୁ କମ୍‌। ଆଉ ଏକ ବାର୍ତ୍ତାରେ ଆସିଲା ବ୍ରାଜିଲ ଓ ଆର୍ଜେଣ୍ଟିନାର ୨୫ କୋଟି ଜନସ˚ଖ୍ୟା ମିଶାଇଲେ ଭାରତର ସ୍ଥିତି ଯେ ଅତି ଉତ୍ତମ ଏଥିରେ ସନ୍ଦେହ ନାହିଁ। ଏଠାରେ ଉହ୍ୟ ରହିଗଲା ଭାରତରେ ୧୩୮ କୋଟି ଜନସ˚ଖ୍ୟାରୁ ପ୍ରାୟ ୯୦ କୋଟି ଗ୍ରାମାଞ୍ଚଳରେ ରହିଛି ଓ ସେମାନଙ୍କ ରେଳ ଓ ବସ୍‌ରେ ଗମନାଗମନ ୟୁରୋପ ଓ ଆମେରିକା ତୁଳନାରେ ଅନେକ ସୀମିତ।

ଦେଶକୁ ଦିଗ୍‌ଦର୍ଶନ ଦେବାରେ ଦେଶର ଏକ ସର୍ବୋଚ୍ଚ ଅନୁଷ୍ଠାନ ନିତି ଆୟୋଗଙ୍କ ଯୁକ୍ତି ଆହୁରି ଦାୟିତ୍ବହୀନ। ଜଣେ କହିଲେ ମେ ୧୫ ତାରିଖ ସୁଦ୍ଧା କରୋନା ଲୋପ ପାଇବ; ପରେ ଅସ୍ବୀକାର କଲେ। ଆୟୋଗ କହିଲେ ଲକ୍‌ଡାଉନ୍‌ ନ ହୋଇଥିଲେ କରୋନା ସ˚ଖ୍ୟା ୧୫ରୁ ୧୬ ଲକ୍ଷ ଓ ମୃତ୍ୟୁ ସ˚ଖ୍ୟା ୫୦୦୦୦ ଟପି ଥା’ନ୍ତା। କେଉଁ ତଥ୍ୟ ଭିତ୍ତିରେ ଆୟୋଗ ଏହା କହିଲେ?

ଏ ପରିପ୍ରେକ୍ଷୀରେ ନିତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ବିବୃତି ତାତ୍ପର୍ଯ୍ୟପୂର୍ଣ୍ଣ ଓ ହାସ୍ୟାସ୍ପଦ। ସେ କହିଲେ ଆକ୍ରାନ୍ତଙ୍କ ସ˚ଖ୍ୟା ଚିନ୍ତାଜନକ ନୁହେଁ, କେତେ ଆରୋଗ୍ୟ ହେଉଛନ୍ତି ଓ ମୃତ୍ୟୁ ହାର ଦେଖିଲେ ଭାରତର ସ୍ଥିତି ଖୁବ୍‌ ଭଲ। ଆରୋଗ୍ୟ ୪୦ ପ୍ରତିଶତରୁ ଅଧିକ ହେଲା ବେଳେ ମୃତ୍ୟୁ ପ୍ରତି ନିୟୁତରେ ମାତ୍ର ୨ (ତାଙ୍କ ବିବୃତି ସମୟରେ) ଯେତେବେଳେ ୟୁରୋପ ଓ ଆମେରିକାରେ ଏହା ୪୦୦ ରୁ ୫୦୦। ରୋଗ ଚିହ୍ନଟ ହେଲେ ସିନା ଆରୋଗ୍ୟ କଥା ଉଠିବ, କିନ୍ତୁ ପରିସ˚ଖ୍ୟାନ ପରିସରକୁ ଆଣିଲେ ଭାବମୂର୍ତ୍ତି ପାଇଁ ଅସୁବିଧା। ଏଠାରେ ପ୍ରାସଙ୍ଗିକ ହେବ ଭାରତକୁ ପୂର୍ବ ଓ ଦକ୍ଷିଣ ଏସିଆର ଦେଶମାନଙ୍କ ସଙ୍ଗେ ତୁଳନା କରିବା ଓ ଚିହ୍ନଟ ସ˚ଖ୍ୟା ଉପରେ ଗୁରୁତ୍ବ ଦେବା। ସୁଦୂର ପ୍ରାଚ୍ୟ ଜାପାନରୁ ଆରମ୍ଭ କରି ଦକ୍ଷିଣ କୋରିଆ, ଚୀନ, ବର୍ମା, ବା˚ଲାଦେଶ, ନେପାଳ, ଶ୍ରୀଲଙ୍କା, ମାଲେସିଆ, ଇଣ୍ତୋନେସିଆ, ଥାଇଲାଣ୍ତ ଓ ଫିଲିପାଇନ ଭଳି ଦେଶମାନଙ୍କ ଜନସ˚ଖ୍ୟା ହେବ ୩୨୦ କୋଟି, ଅଥଚ କରୋନା ପଜିଟିଭ ସ˚ଖ୍ୟା ହେଲା ୨ ଲକ୍ଷ ୧୦ ହଜାର। ଚୀନକୁ ଛାଡ଼ି ଦେଲେ ୧୭୦ କୋଟି ଜନସ˚ଖ୍ୟାରେ କରୋନା ପଜିଟିଭ ହେବେ ୧ ଲକ୍ଷ ୩୦ ହଜାର। ମୃତ୍ୟୁ ହାର ଦେଖିଲେ ଏକ ନିୟୁତରେ ଜାପାନରେ ୭, ଦକ୍ଷିଣ କୋରିଆରେ ୫, ଚୀନରେ ୩, ଭାରତରେ ୫, ବା˚ଲାଦେଶରେ ୫, ମାଲେସିଆରେ ୪, ଇଣ୍ତୋନେସିଆରେ ୭, ନେପାଳରେ ୦.୪, ଥାଇଲାଣ୍ତରେ ୦.୮ ଓ ଶ୍ରୀଲଙ୍କାରେ ୦.୫।

ବର୍ତ୍ତମାନର ପରିସ୍ଥିତି ଅନୁଧୢାନ କଲେ ଦେଖିବା ଭାରତ ଏସିଆରେ କରୋନା ଆକ୍ରାନ୍ତରେ ସର୍ବୋଚ୍ଚ ସ୍ଥାନରେ ଓ ବିଶ୍ବରେ ପ୍ରଥମ ୫ରୁ ୬ ସ୍ଥାନରେ ଅଛି। ଲକ୍‌ଡାଉନ କୋହଳ କଲା ପରେ ମୋଦୀ ସରକାର ବାସ୍ତବତା ଦେଖନ୍ତୁ। ଅଗ୍ରାଧିକାର ଭିତ୍ତିରେ ରୋଗୀ ଚିହ୍ନଟ କରନ୍ତୁ; କାରଣ ଏ ଦିଗରେ ଭାରତ ଅତି ପଛରେ। ପାଶ୍ଚାତ୍ୟ ଓ ଆମେରିକାରେ ୧ ନିୟୁତରେ ଏହା ୭୦-୮୦ ହଜାର ହୋଇଥିଲା ବେଳେ ଭାରତରେ ମାତ୍ର ୩୩୦୦। ଦକ୍ଷିଣ କୋରିଆରେ ଏହା ୨୦୦୦୦, ମାଲେସିଆରେ ୧୭୦୦୦, ନେପାଳରେ ୮୦୦୦, ଥାଇଲାଣ୍ତରେ ୬୦୦୦ ଓ ଶ୍ରୀଲଙ୍କାରେ ୩୫୦୦। କେନ୍ଦ୍ର ସରକାର ପ୍ରତି ନିୟୁତରେ ଅନ୍ତତଃ ୧୦୦୦୦ ପରୀକ୍ଷା ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆସନ୍ତା ୧୫ ଦିନ ଭିତରେ ପ୍ରବାସୀ ଶ୍ରମିକମାନଙ୍କ ଗମନାଗମନର ପରିସମାପ୍ତି ଘଟିବ। ଉପରୋକ୍ତ ଲକ୍ଷ୍ୟ ଅନୁସାରେ ପରୀକ୍ଷା କରାଗଲେ ଓ ଆବଶ୍ୟକ ସ˚ଗରୋଧ ପାଳନ କରାଗଲେ ସ˚କ୍ରମଣର ମାତ୍ରା କମିବାର ସମ୍ଭାବନା ରହିଛି।

୯୮ ଏ ସୂର୍ଯ୍ୟନଗର
abtripathy@ yahoo.com

ସମ୍ବନ୍ଧିତ ଖବର