ଆତ୍ମନିର୍ଭରଶୀଳତା ଆତ୍ମକୈନ୍ଦ୍ରିକ ବ୍ୟବସ୍ଥା ନୁହେଁ

ମହାମେଘବାହନ ଐର ଖାରବେଳ ସ୍ବାଇଁ

କରୋନା ମହାମାରୀ ମୁକାବିଲା କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭରଶୀଳ ଭାରତ’ ପାଇଁ ଏକ ଯୁଦ୍ଧ ଡାକରା ଦେଇଛନ୍ତି। ଅଧିକା˚ଶ ପଦାର୍ଥ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ନହେଲେ ଊନବି˚ଶ ଶତାବ୍ଦୀ ଇ˚ଲାଣ୍ତର, ବି˚ଶ ଶତାବ୍ଦୀ ଆମେରିକାର ହେବା ପରି ଏକବି˚ଶ ଶତାବ୍ଦୀ ଭାରତର ହୋଇପାରିବ। ଏହାର ଅର୍ଥକୁ ଏଇଆ ବୁଝାଯାଇପାରେ ଯେ, ଭାରତ ତା’ର ଆବଶ୍ୟକତା ପାଇଁ କେବଳ ନିଜ ଦେଶରେ ଉତ୍ପାଦିତ ଦ୍ରବ୍ୟ ଉପରେ ନିର୍ଣ୍ଣୟ କରିବ। ବିଦେଶରୁ ପ୍ରାୟ କିଛି ଆମଦାନି କରିବ ନାହିଁ। ଅର୍ଥାତ୍‌, ଭାରତ ହେବ ଏକ ଆତ୍ମକୈନ୍ଦ୍ରିକ ଅର୍ଥନୀତି। କରୋନା ସୁରକ୍ଷା ପୋଷାକ ପି.ପି.ଇ.କୁ ଏ ଦେଶ ନିଜେ ତିଆରି କରିବ, ବିଦେଶରୁ ଆମଦାନି କରିବ ନାହିଁ।

ଅବଶ୍ୟ ପରବର୍ତ୍ତୀ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ଆତ୍ମନିର୍ଭରଶୀଳ ଭାରତର ଅର୍ଥ ଆତ୍ମକୈନ୍ଦ୍ରିକ ଭାରତ ନୁହେଁ। ଅର୍ଥାତ୍‌, ଏ ଦେଶ କେବଳ ନିଜ ଭିତରେ ବାନ୍ଧିହୋଇ ରହିବ ନାହିଁ। ଅନ୍ୟ ଦେଶମାନଙ୍କ ସହ ଦ୍ରବ୍ୟର ଉତ୍ପାଦନ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା କରିବ ମଧୢ। ଅଶୀ ଦଶକ ପୂର୍ବରୁ ଭାରତର ଏକ ଅବରୁଦ୍ଧ ଅର୍ଥନୀତି ଥିଲା। କୌଣସି ବିଦେଶୀ କମ୍ପାନିମାନଙ୍କୁ ଭାରତ ମଧୢକୁ ଆସିବାକୁ ଅନୁମତି ଦିଆଯାଉନଥିଲା। ସେତେବେଳେ ଭାରତରେ ଜୋତା କମ୍ପାନି କହିଲେ କେବଳ ବାଟା ଜୋତା, କାଳି କହିଲେ ସୁଲେଖା କାଳି, କଲମ କହିଲେ ପ୍ଲାଟୋ କଲମ, ଗାଡ଼ି କହିଲେ ଆମ୍ବାସଡ଼ର ଓ ମଟର ସାଇକେଲ କହିଲେ ରାଜଦୂତ, ସ୍କୁଟର କହିଲେ ବଜାଜକୁ ବୁଝାଉଥିଲା। ସ୍କୁଟର ଯୌତୁକ ଦେବାକୁ ଚାହୁଁଥିବା ବାପାମାନେ ଧାଡ଼ି ଲଗାଇ ଆଉ କେହି ପାଇଥିବା ସ୍କୁଟରକୁ କଳା ବଜାରରେ ଚଢ଼ା ଦାମ୍‌ ଦେଇ କିଣୁଥିଲେ। କହିବାକୁ ଗଲେ ସାରା ଭାରତର ଦୋକାନ ବଜାର ଏକାପରି ଦିଶୁଥିଲା। ଜନତା ପାର୍ଟି ସରକାର ୧୯୭୭ରେ କ୍ଷମତାକୁ ଆସିବା ପରେ ‘କୋକା କୋଲା’, ‘ଆଇ.ବି.ଏମ.’ ପରି ଆମେରିକୀୟ କମ୍ପାନିମାନଙ୍କୁ ଭାରତରୁ ବାହାର କରିଦିଆଗଲା। ସେତେବେଳେ ସାରା ଭାରତବର୍ଷ ଏକ ବନ୍ଦ ମାନସିକତା, ଚାମଚାଗିରି ଓ ସାଧାରଣତ୍ବ ଉପରେ ଚାଲିଥିଲା। ଉତ୍କର୍ଷ, ପ୍ରତିଦ୍ବନ୍ଦ୍ବିତା ଉପରେ ଆଦୌ ଗୁରୁତ୍ବ ଦିଆଯାଉନଥିଲା। ସ୍ବଦେଶୀ ନାମରେ ଚାଲୁ ମାଲ୍‌ର ବ୍ୟବହାର ହେଲା, ଯାହାର ମାନ ଅତି ନିମ୍ନ ଓ ମୂଲ୍ୟ ଅନେକ ଅଧିକ। ସେତେବେଳେ ବିଦେଶକୁ ଯାଇ ଜଣେ କିଛି ଦ୍ରବ୍ୟ ଆଣିଲେ ତାହାକୁ ‘ଫରେନ ମାଲ୍‌’ କହି ଚାରିଆଡ଼େ ବୁଲାଇ ବୁଲାଇ ଦେଖାଇ ଦିଆଯାଉଥିଲା। ବିଦେଶୀ ମାଲ୍‌କୁ ଆଣିଥିବା ବ୍ୟକ୍ତି ପାଇଁ ଏହା ଗର୍ବର କାରଣ ଥିଲା। ଦେଶୀ ପଦାର୍ଥକୁ ସେତେବେଳେ କେହି ଆଦର କରୁନଥିଲେ। ଲାଇସେନସ୍‌, ପରମିଟ୍‌ରାଜ ଥିଲା ସେତେବେଳର ମୁଖ୍ୟ ବ୍ୟବସ୍ଥା। ଯିଏ ଲାଞ୍ଚ ଦେଇପାରିଲା, ଧରାଧରି କଲା, ତାହାକୁ ହିଁ ଲାଇସେନସ୍‌ ମିଳିଲା।

ଅନ୍ୟ ପକ୍ଷରେ ମାଓ ସେ ତୁଙ୍ଗଙ୍କ ମୃତ୍ୟୁ ପରେ ଚୀନ୍‌ର ନେତା ଡେଙ୍ଗ ଜିଆଓ ପିଙ୍ଗ, ଚୀନ୍‌ର ଅର୍ଥନୀତିକୁ ୧୯୭୮ ବେଳକୁ ଖୋଲିଦେଲେ। ଏହାକୁ କୁହାଗଲା ‘ଖୋଲାଦ୍ବାର ଅର୍ଥନୀତି’। ଡେଙ୍ଗ କହିଲେ ‘ହଜାରେ ଫୁଲ ଚାରିଆଡ଼େ ଫୁଟୁ’। ସେଥିପାଇଁ ସେ ଦେଶକୁ ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କର ଧାଡ଼ି ଛୁଟିଲା। ଏମାନଙ୍କୁ ଚୀନ୍‌କୁ ଆସିବାକୁ ଖୋଲାଖୋଲି ସ୍ବାଗତ କରାଗଲା। ନାନା ପ୍ରକାରର ସରକାରୀ ସୁବିଧାସୁଯୋଗ ସେମାନଙ୍କୁ ଦିଆଗଲା। ଏଣୁ ଏବେ ପାଞ୍ଚ ଲକ୍ଷରୁ ଅଧିକ ବିଦେଶୀ ଛୋଟ ବଡ଼ କମ୍ପାନି ଚୀନ୍‌ରେ ସ୍ଥାପିତ ହୋଇଛନ୍ତି ଓ ଏ ଦେଶକୁ ଦ୍ବିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିସାରିଲେଣି। ଚୀନ୍‌କୁ ପ୍ରଥମ ଅର୍ଥନୀତି କରିବାକୁ ସେଠାରେ ଚେଷ୍ଟା ଚାଲିଛି। ପୃଥିବୀର ଅନେକ କମ୍ପାନି ଏବେ ଚୀନ ଉପରେ ଯନ୍ତ୍ରା˚ଶ ପାଇଁ ଏକାନ୍ତ ନିର୍ଭରଶୀଳ। ବିଭିନ୍ନ ଦେଶର (ଭାରତକୁ ମିଶାଇ) ଛୋଟ ବଡ଼ ଶିଳ୍ପପତିମାନେ ଏବେ ସେଠାକୁ ଯାଇ ଶିଳ୍ପ ପ୍ରତିଷ୍ଠା କରି, ସେଠାରେ ଉତ୍ପାଦନ କରି, ତାହାକୁ ଆଣି ଅନ୍ୟତ୍ର ବିକ୍ରି କରୁଛନ୍ତି। ଏବେ କରୋନା ମହାମାରୀକୁ ନେଇ ଚୀନ ଉପରେ ସାରା ବିଶ୍ବରେ ପ୍ରତ୍ୟୟର ଅଭାବର ସୃଷ୍ଟି ହୋଇଥିଲେ ମଧୢ ହଠାତ୍‌ ଉଦ୍ୟୋଗଗୁଡ଼ିକ ସେଠାରୁ ପଳାଇ ଆସିବେ ବୋଲି କହୁନାହାନ୍ତି। ଯାହା ଖାଲି ଏ କଥା ଶୁଣାଯାଉଛି।

ଜଗତ୍‌କରଣ ପ୍ରକ୍ରିୟା ଚୀନ୍‌କୁ ଏଭଳି ସାହାଯ୍ୟ କରିଛି। ଆମେରିକା ମଧୢ ଏଥିରେ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌, ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ, ବ୍ରାଜିଲର ରାଷ୍ଟ୍ରପତି ବୋଲସେନାରୋ, ହଙ୍ଗେରୀର ରାଷ୍ଟ୍ରପତି ଭିକ୍‌ଟର ଓରବାନ ଆଉ ତୁର୍କୀର ରାଷ୍ଟ୍ରପତି ତାୟିପ ଏର‌୍‌ଡୋଗାନ ସମସ୍ତେ ସେହିପରି ସ୍ବଦେଶୀ କଥା କହିବାକୁ ଆରମ୍ଭ କଲେଣି। ଡୋନାଲ୍‌ଡ ଟ୍ରମ୍ପ୍‌ ଯେତେବେଳେ ୨୦୧୬ରେ ଆମେରିକାର ରାଷ୍ଟ୍ରପତି ହେଲେ ନିର୍ବାଚନ ପ୍ରଚାର ବେଳେ ସେ କହିଲେ ଚୀନ, ଭାରତ ଆଦି ଦେଶମାନେ ଆମେରିକାର ଚାକିରିକୁ ନେଇଯାଉଛନ୍ତି। ତେଣୁ ଏହାକୁ ବନ୍ଦ କରାଯିବ। ଆମେରିକାର ଚାକିରି କେବଳ ଆମେରିକୀୟଙ୍କ ପାଇଁ ସ˚ରକ୍ଷିତ ରହିବ। ଏହା କହି ସେ ଜିତିଗଲେ। କିନ୍ତୁ ନିର୍ବାଚନ ଜିତିବା ପରେ ତାଙ୍କର କଥାକୁ ସେ ରଖିପାରିଲେ ନାହିଁ। ଆମେରିକାର କମ୍ପାନିମାନେ ଟ୍ରମ୍ପ୍‌ଙ୍କୁ କହିଲେ, ବିଶ୍ବ ବଜାରରେ ପ୍ରତିଦ୍ବନ୍ଦ୍ବିତା କରି ତିଷ୍ଠି ରହିବାକୁ ହେଲେ ବିଦେଶୀ ଶ୍ରମିକ ଓ କର୍ମଚାରୀ ଲୋଡ଼ା। କାରଣ ସେମାନେ କମ ଦରମାରେ ଅଧିକ କାମ କରୁଛନ୍ତି। ଆମେରିକାର ଶ୍ରମିକ ଅଧିକ ଦରମା ନେଇ କମ କାମ କରେ। ସେମାନେ କହିଲେ, ଶିଳ୍ପମାନଙ୍କର ଦ୍ରବ୍ୟ ବିଶ୍ବରେ ପ୍ରତିଦ୍ବନ୍ଦ୍ବିତା କରି ଅଧିକ ବିକ୍ରି ହେଲେ ସେମାନଙ୍କର ଲାଭ ବଢ଼ିବ। ଆଉ ସେମାନେ ସେମାନଙ୍କ କମ୍ପାନିକୁ ଆହୁରି ବିସ୍ତାର କରିପାରିବେ। ଏହାଦ୍ବାରା ମଧୢ ଆମେରିକାର ଲୋକଙ୍କ ପାଇଁ ଆହୁରି ଭଲ ଦରମାର କାମ ସୃଷ୍ଟି ହେବ। ଆମେରିକା ଲୋକଙ୍କୁ ଅଧିକ ଭଲ ଦରମାର କାମ ମିଳିବ। ବେପାରରୁ ଆସିଥିବା ଡୋନାଲ୍‌ଡ ଟ୍ରମ୍ପ୍‌ ଏହି କଥାକୁ ଠିକ୍‌ ବୁଝିଗଲେ ଓ ଅନ୍ୟ ଦେଶରୁ ଆମେରିକାକୁ ଯାଉଥିବା ଲୋକଙ୍କୁ ରୋକିଲେ ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ସ୍ବୀକାର କରିଛନ୍ତି ଯେ, ଅର୍ଥନୀତିରେ ଆଗକୁ ବଢ଼ିବାକୁ ହେଲେ ଭାରତକୁ ବିଶ୍ବ ବଜାରର ଦ୍ରବ୍ୟ ପ୍ରସ୍ତୁତି ହାରରେ ଗୋଟିଏ ମୂଲ୍ୟଯୁକ୍ତ କଡ଼ି ହେବାକୁ ପଡ଼ିବ। ଚୀନ ପରି ଭାରତ ଏପରି ଦ୍ରବ୍ୟ ତିଆରି କରିବ ଯାହାକୁ ନ ନେଲେ ବଡ଼ ଦ୍ରବ୍ୟଟିଏ ତିଆରି ହୋଇପାରିବ ନାହିଁ। ଚୀନ ଆଜି ଠିକ୍‌ ସେଇଆ କରୁଛି। ଏହାର କୁଶଳୀ ଶ୍ରମିକ, ଅପେକ୍ଷାକୃତ କମ ଦରମାରେ କାମ କରୁଥିବା ଶ୍ରମିକ (ଯାହା ଚୀନ ପାଇଁ ଯଥେଷ୍ଟ) ଓ ଅଧିକ ଉତ୍ପାଦନକ୍ଷମ ଶ୍ରମିକ ଚୀନକୁ ବିଶ୍ବ ବଜାରରେ ଅଧିକ ପ୍ରତିଦ୍ବନ୍ଦ୍ବୀ କରି ଠିଆ କରିଛନ୍ତି।

ଭାରତ ଆତ୍ମନିର୍ଭରଶୀଳ ହେବା କଥା କହିବା ବେଳକୁ ଯେଉଁ ବିଦେଶୀ ପୁଞ୍ଜିକୁ ଆମେ ଆକର୍ଷିତ କରିବା ପାଇଁ ଗୁରୁତ୍ବ ଦେଉଛୁଁ, ସେମାନଙ୍କ ଭିତରେ ଆଶଙ୍କା ସୃଷ୍ଟି ହେଉଛି। ସେମାନେ ଆଶଙ୍କା କରୁଛନ୍ତି, ହୁଏତ ଭାରତକୁ ସେମାନେ ଆସିଲେ, ଦେଶୀ କମ୍ପାନିମାନଙ୍କ ସହ ସେମାନଙ୍କୁ ଅସମତୁଲ ପ୍ରତିଦ୍ବନ୍ଦ୍ବିତାରେ ଓହ୍ଲାଇବାକୁ ପଡ଼ିବ। ହୁଏତ ଭାରତରେ ସରକାର ଦେଶୀ କମ୍ପାନିମାନଙ୍କୁ ଅଧିକ ସୁବିଧା ଦେବେ ଓ ସେମାନଙ୍କ ତଣ୍ଟି ଚିପିଦେବେ। ଭାରତ ଗତ ୨/୩ ବର୍ଷ ମଧୢରେ ବିଦେଶରୁ ଆମଦାନି ଅନେକ ଦ୍ରବ୍ୟ ଉପରେ ଅଧିକ କର ଲାଗୁ କରିଥିବାରୁ ସେମାନେ ଏହି ଆଶଙ୍କା କରୁଛନ୍ତି। ଭାରତରେ ନିମ୍ନମାନର ଓ ଅଧିକ ମୂଲ୍ୟର ଉତ୍ପାଦନ କରୁଥିବା କମ୍ପାନିମାନେ ଦେଶୀ ନାମରେ ଦାବି କରୁଛନ୍ତି ଯେ ସରକାର ତାଙ୍କ ଜିନିଷ କିଣି ନିଅନ୍ତୁ। ଭାରତର ଧାନ ଚାଷୀମାନେ ବି କହୁଛନ୍ତି ସେମାନଙ୍କ ଉତ୍ପାଦିତ ଧାନର ମାନ ଯେତେ ଖରାପ ହେଉ ବା ସେଥିରେ ଅଗାଡି, ମଲାଧାନ ଯେତେ ଥାଉ ନା କାହିଁକି ସରକାର ତାହାକୁ ଅଧିକ ମୂଲ୍ୟ ଦେଇ କିଣି ନିଅନ୍ତୁ। ଖାଉଟିର ଯେ ଗୋଟିଏ ମନ ବା ବାଛିବାର ଇଚ୍ଛା ଅଛି, ସେ କଥା ଅନେକ କ୍ଷେତ୍ରରେ ଆଦୌ ବିଚାର କରାଯାଏନି। ଦେଶୀ ନାମରେ ସବୁ କିଛି ନିମ୍ନମାନର ଦ୍ରବ୍ୟ ଖାଉଟି ଗ୍ରହଣ କରୁ, ଏ କଥା ଉତ୍ପାଦକମାନେ ଚାହାନ୍ତି।

କିନ୍ତୁ ଭାରତରେ ଚେଷ୍ଟା କଲେ ଦେଶୀ କମ୍ପାନିମାନେ ମଧୢ ଉଚ୍ଚମାନର ଦ୍ରବ୍ୟ ଯଥାଯଥ ମୂଲ୍ୟରେ ବଜାରକୁ ଛାଡ଼ିପାରିବେ। ବାବା ରାମଦେବଙ୍କ ‘ପତଞ୍ଜଳି’ କମ୍ପାନିକୁ ନଜରକୁ ନିଆଯାଉ। ଏହି କମ୍ପାନିର ଉତ୍ପାଦିତ ଅଧିକା˚ଶ ଖାଦ୍ୟଦ୍ରବ୍ୟ ଯଥା ତେଲ, ଘିଅ, ବିସ୍କୁଟ, ମହୁ ଇତ୍ୟାଦି ଉଚ୍ଚମାନର ଓ ବିଦେଶୀ କମ୍ପାନିମାନଙ୍କ ସହ ଏହା ପ୍ରତିଦ୍ବନ୍ଦ୍ବିତାରେ ପାରି ଉଠିଛି, ଏ ସଙ୍କେତ ସାରା ଦେଶକୁ ଯାଇଛି। ଏହି କମ୍ପାନିର ଉତ୍ପାଦିତ ଦ୍ରବ୍ୟକୁ ଗ୍ରାହକମାନେ ଅଧିକ କିଣୁଛନ୍ତି। ବର˚ ବହୁରାଷ୍ଟ୍ରୀୟ କମ୍ପାନିମାନେ ଏହାର ଉତ୍ପାଦିତ ଦ୍ରବ୍ୟ ସହ ପ୍ରତିଦ୍ବନ୍ଦ୍ବିତା କରିବାରେ ଲାଗିଛନ୍ତି। ପ୍ରତିଦ୍ବନ୍ଦ୍ବିତାର ସୂଚନା ଦେଇ ବିଜ୍ଞାପନ ମଧୢ ଦେଉଛନ୍ତି।

ଏଣୁ ନରେନ୍ଦ୍ର ମୋଦୀ ଆତ୍ମନିର୍ଭରଶୀଳ ଭାରତ ପାଇଁ ଉଦ୍ୟମ କଲାବେଳେ କେମିତି ଭାରତ ଗୁଣାତ୍ମକ ଦୃଷ୍ଟିରୁ ଅଧିକ ଦ୍ରବ୍ୟ ଉତ୍ପାଦନ କରିପାରିବ ଓ ଉତ୍କର୍ଷର ପ୍ରତିପାଦନ କରିପାରିବ, ତାହା ଉପରେ ଅଧିକ ଗୁରୁତ୍ବ ଦେବା ଦରକାର। ବିଦେଶୀ କମ୍ପାନିମାନଙ୍କୁ ଭାରତକୁ ଆଣି ସେମାନଙ୍କ ସହ ଗୁଣ ଓ ମାନର ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଦେଶୀ କମ୍ପାନିମାନଙ୍କୁ ପ୍ରୋତ୍ସାହିତ କରାଯାଉ।

ବିଦେଶୀ ପୁଞ୍ଜି ଓ କମ୍ପାନିମାନଙ୍କୁ ଭାରତକୁ ଆକର୍ଷିତ କରିବା ପାଇଁ ଜମି, ଶ୍ରମିକ, ଭିିତ୍ତିଭୂମିକୁ ନେଇ ଯେଉଁ ପୁରୁଣାକାଳିଆ ଆଇନମାନ ଅଛି, ତାହାକୁ ବଦଳାଇ ଦିଆଯାଉ। ଭାରତରେ ଓ ବିଭିନ୍ନ ରାଜ୍ୟମାନଙ୍କରେ ବ୍ୟବସାୟ କରିବା ବାତାବରଣକୁ ସୁଗମ କରିଦିଆଯାଉ। ଟିକସକୁ କେବଳ କମାଇ ଦେଲେ ହେବନାହିଁ, ଟିକସ ଦାନ ପଦ୍ଧତିକୁ ସରଳ କରିଦିଆଯାଉ।

ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର