ବର୍ତ୍ତମାନ ବିଶେଷଜ୍ଞମାନଙ୍କର କରୋନା ଦର୍ଶନ ଲୋକକଥାରେ ବର୍ଣ୍ଣିତ ଜନ୍ମାନ୍ଧମାନଙ୍କର ହସ୍ତୀ ଦର୍ଶନ ସଦୃଶ ମନେ ହୁଏ। ଲୋକକଥାରେ ଗୋଟିଏ ହାତୀକୁ ଛଅଜଣ ଅନ୍ଧ ସ୍ପର୍ଶ କରି ବର୍ଣ୍ଣନା କରୁଛନ୍ତି। ଜଣେ ଅନ୍ଧ ଯଦି ହାତୀର କାନକୁ ଛୁଇଁ ଏହା ଏକ କୁଲା ପରି କହୁଛି ଆଉ ଜଣେ ତା’ର ଗୋଡ଼କୁ ଧରି ଏହା ଏକ ଖୁଣ୍ଟି ବୋଲି କହୁଛି। ତୃତୀୟ ଅନ୍ଧଟି ହାତୀର ଲାଞ୍ଜକୁ ଟାଣି ‘‘ଏଇଟା ଗୋଟେ ଦଉଡ଼ି’’ କହୁଥିବା ବେଳେ ଚତୁର୍ଥ ଓ ପଞ୍ଚମ ଅନ୍ଧ ଦୁଇଜଣ ହାତୀର ଦାନ୍ତ ଓ ଶୁଣ୍ଢକୁ ସ୍ପର୍ଶ କରି ଯଥାକ୍ରମେ ଏହା ଏକ ବର୍ଚ୍ଛା ଓ ସାପ ସଦୃଶ କହି ଅନ୍ୟମାନଙ୍କୁ ଡରେଇ ଦେଉଛନ୍ତି। ବର୍ଚ୍ଛା ଓ ସାପ କଥା ଶୁଣି ସମସ୍ତେ ଡରରେ ଦୌଡ଼ିଲା ବେଳେ ଷଷ୍ଠ ଅନ୍ଧଜଣକ ହାତୀର ଗୋଟେ ପଟ ପିଠିକୁ ଛୁଇଁ କହୁଛି, ‘‘ଭାଇମାନେ, ଡରିବାର କିଛି ନାହିଁ; ଏଇଟା ଗୋଟେ ଘରର କାନ୍ଥ ସଦୃଶ ଯାହାକୁ ଆଉଜିକି ମୁଁ ଏଠି ଛିଡ଼ା ହୋଇଛି।’’
ବନ୍ଧୁଗଣ, ଆଜିକାଲି ବିଭିନ୍ନ ଚିକିତ୍ସକ ଓ ସ˚କ୍ରାମକ ରୋଗ ବିଶେଷଜ୍ଞମାନଙ୍କର କରୋନା ଦର୍ଶନ ଠିକ୍ ଏହି ଜନ୍ମାନ୍ଧମାନଙ୍କର ହସ୍ତୀ ଦର୍ଶନ ସଦୃଶ ଲାଗୁଛି। କିଏ କହୁଛି କରୋନା ବାଦୁଡ଼ି ଖାଇ ହୋଇଛି ତ କିଏ କହୁଛି ଏହା ବଜ୍ରକାପ୍ତାରୁ ଆସିଛି। ଏମାନଙ୍କ ଭିତରେ ଅନେକ ଏମତି ଅଛନ୍ତି ଯେଉଁମାନେ କହୁଛନ୍ତି ଯେ କରୋନା ବାଦୁଡ଼ି କି ବଜ୍ରକାପ୍ତାରୁ ନୁହେଁ, ଏହା ଚୀନ୍ ଉହାନ ନଗରୀର ଏକ ଲାବୋରଟାରିରେ ତିଆରି ହୋଇଛି। ଏହି ଭୂତାଣୁ ମାଧୢମରେ ବିଶ୍ବ ନେତୃତ୍ବ ହାସଲ କରିବା ଚୀନ୍ର ଏକ ଚକ୍ରାନ୍ତ ଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ କେମିତି କେଜାଣି ଏଇଟି ଭୁଲରେ ଲାବୋରଟାରିରୁ ଖସି ବାହାରକୁ ପଳେଇ ଆସିଛି।
ଅନ୍ଧାର ଘରେ ବାଡ଼ି ବୁଲେଇବା ପରି କରୋନା ନିରାକରଣ ପାଇଁ ମଧୢ ନାନା ମୁନିଙ୍କର ନାନା ମତ ପ୍ରକାଶ ପାଉଛି। ପ୍ରଥମେ ଏହି ମୁନିମାନେ କହିଲେ ଯେ ସୁସ୍ଥ ଲୋକମାନଙ୍କର ତୁଣ୍ତି ବାନ୍ଧିବାର ଆବଶ୍ୟକତା ନାହିଁ, ତେଣୁ ତୁଣ୍ତି ପାଇଁ ଔଷଧ ଦୋକାନମାନଙ୍କରେ ଯାଇ ଅଯଥା ଭିଡ଼ କରନ୍ତୁ ନାହିଁ। ଏ କଥା ଶୁଣି ଆମେ ସବୁ ମୁହଁରୁ ତୁଣ୍ତି ଖୋଲି ଫିଙ୍ଗି ଦେଲୁ। ଏବେ ପୁଣି କହିଲେଣି ତୁଣ୍ତି ବାନ୍ଧିବା ଅନିବାର୍ଯ୍ୟ ନ ହେଲେ ପାଞ୍ଚଶହ ଟଙ୍କା ତଣ୍ତ ଗଣିବାକୁ ପଡ଼ିବ। ଭୟରେ ପୁଣି ତୁଣ୍ତି ବାନ୍ଧିବା ଆରମ୍ଭ କରିଦେଲୁ। ଏବେ ପୁଣି କେତେ ମୁନି କହିଲେଣି ଯେ ସର୍ବଦା ମୁହଁରେ ତୁଣ୍ତିବାନ୍ଧି ରଖିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ଏହା ଫୁସଫୁସ ଭିତରକୁ ଅମ୍ଳଜାନ ପ୍ରବେଶକୁ ସଙ୍କୋଚନ କରୁଛି। ଏ କଥା ଶୁଣି ଆମକୁ ବର୍ତ୍ତମାନ ଖୁବ୍ ସାବଧାନତାର ସହ ଏହି ତୁଣ୍ତିମାନଙ୍କ ସହିତ ଚଳିବାକୁ ପଡ଼ୁଛି। ବାନ୍ଧିଲେ ଜୀବନକୁ ଡର ମାଡୁଛି। ନ ବାନ୍ଧିଲେ ପୁଲିସକୁ ଡର ମାଡୁଛି।
ସାନିଟାଇଜର କଥା ବି ସେଇୟା। ପ୍ରଥମେ କହିଲେ ଖାଇବା ପୂର୍ବରୁ ଭଲ କରି ହାତକୁ ସାବୁନରେ ଧୋଇ ପାପୁଲିକୁ ଦୁଇବୁନ୍ଦା ସାନିଟାଇଜରରେ ପୋଛିକି ଖାଇବ। ଏବେ କହିଲେଣି ଏ ଗୁଡ଼ାକ କେମିକାଲ୍ସରୁ ତିଆରି, ତେଣୁ ଖାଇବା ପୂର୍ବରୁ ଏଥିରେ ହାତ ପୋଛିବା କ୍ଷତିକାରକ ଅଟେ। ଖବରକାଗଜ ଉପରେ ବି ସେଇ ଅନୁଭୂତି। ପ୍ରଥମେ କୁହାଗଲା ଯେ ଖବରକାଗଜ ମାଧୢମରେ କରୋନା ପ୍ରବେଶ କରିବାର ସମ୍ଭାବନା ରହିଛି। ଏ କଥା ଶୁଣି ଆମେ ସବୁ ଖବରକାଗଜ ପଢ଼ିବା ବନ୍ଦ କରିଦେଲୁ। ହକରମାନେ ମଧୢ ଖବରକାଗଜ ଆଉ ଛୁଇଁଲେ ନାହିଁ। କେତେ ତ ବାହାରୁ ଖବରକାଗଜ କ’ଣ ଘରେ ଆଇରନ ମାରି ପଢ଼ିିବାକୁ ଲାଗିଲେ। ଏବେ କିନ୍ତୁ ବାରମ୍ବାର ଛାପିଲେଣି ଯେ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ। ଖବରକାଗଜ ମାଧୢମରେ କରୋନା ସ˚କ୍ରମଣର ଆଦୌ ସମ୍ଭାବନା ନାହିଁ। ଏକଥା ଶୁଣି ଆମେ ପୁଣି ଖବରକାଗଜ ପଢ଼ିବା ଆରମ୍ଭ କରିଦେଲୁଣି। ଏଣେ ପଢୁଛୁ ତେଣେ ଡରୁଛୁ।
ଲକ୍ଡାଉନ୍ ଓ ସଟ୍ଡାଉନ୍ ଓଗେରା ମଧୢ ସେଇ ବିଭିନ୍ନ ମତାମତ ଦେଇ ଗତି କରୁଛି। କିଏ କହୁଛି ଲକ୍ଡାଉନ୍ ଅନିବାର୍ଯ୍ୟ ତ କିଏ କହୁଛି ଏହାର ଆବଶ୍ୟକତା ହିଁ ନାହିଁ। ‘‘ହେଇଟି ଦେଖୁନାହାନ୍ତି, ଟାଇଵାନ ଓ ତିବ୍ଦତ ସବୁ ଚୀନର ପଡ଼ୋଶୀ ରାଜ୍ୟ। ଏଠି ତ ଲକ୍ଡାଉନ୍ ନାହିଁ, କି ସଟ୍ଡାଉନ୍ ନାହିଁ, କାହିଁ ଏଠି ତ ଲୋକମାନେ ମରୁନାହାନ୍ତି?’’ ଯିଏ କିନ୍ତୁ ଲକ୍ଡାଉନ୍ ସପକ୍ଷରେ ଅଛି ସିଏ କହୁଛି ଯେ ଯଦି ଏମିତି କଥା ତେବେ ଆମେରିକା ଓ ଇଟାଲିରେ ଲକ୍ଷ ଲକ୍ଷ ଲୋକେ ମରୁଛନ୍ତି କାହିଁକି? ଏମିତି ଯୁକ୍ତିତର୍କ ଚାଲିଥିବା ବେଳେ ଆଉ କେତେ ମୁନି ଏବେ କହିଲେଣି ଯେ, ଡରିବାର ଆବଶ୍ୟକତା ନାହିଁ କାରଣ ଯେତେ କରୋନା ହେବ ସେତେ ଭଲ ଅର୍ଥାତ୍ କରୋନା ହେଲେ ଯାଇ କରୋନା ଛାଡ଼ିବ। କରୋନା କୁଆଡ଼େ ଯିବାର ନାହିଁ। ଏହା ଏଇଠି ରହିବ। ପ୍ରଥମେ କହୁଥିଲେ ‘ଦେଶ ଜିତିବ, କରୋନା ହାରିବ।’ ଏବେ କହିଲେଣି ‘କରୋନା ସହ ଆମକୁ ବଞ୍ଚିବାକୁ ପଡ଼ିବ।’
ଆଜ୍ଞା, ଏତେ ସବୁ ପ୍ରସିଦ୍ଧ ଚିକିତ୍ସକ ଓ ସ˚କ୍ରାମକ ରୋଗ ବିଜ୍ଞାନୀମାନଙ୍କର ଯୁକ୍ତି ଶୁଣି ଆମେ ନିର୍ବାକ ହୋଇ ପଡ଼ୁଛୁ। ୟାଙ୍କୁ ଶୁଣିଲେ ଜୀବିକା ଗଲା। ତାଙ୍କୁ ଶୁଣିଲେ ଜୀବନ ଗଲା। କୌଣସି ପଦକ୍ଷେପକୁ ପ୍ରତିବାଦ କରିବାର ଯୁ ମଧ୍ୟ ନାହିଁ। ପ୍ରତିବାଦ କଲେ କୁହାଯାଉଛି ‘ଚୁପ୍ ରହନ୍ତୁ, ଆପଣ କ’ଣ ବିଶେଷଜ୍ଞମାନଙ୍କଠୁ ବେଶୀ ଜାଣିଛନ୍ତି? ଅଯଥା ଯୁକ୍ତି କରି କରୋନାକୁ ନିମନ୍ତ୍ରଣ କରନ୍ତୁ ନାହିଁ।’
ଏଇଠି ଗାଉଁଲି କଥାଟିଏ ମନେ ପଡୁଛି। ଥରେ ଗାଁରେ ଜଣେ ବ୍ୟକ୍ତିର ସ୍ତ୍ରୀ କୌଣସି ରୋଗରେ ମରିଗଲା। ଡାକ୍ତରବାବୁ ବି ଚେକ୍ କରି ଡେଥ୍ ସାର୍ଟିଫିକେଟ ଦେଇଦେଲେ। ଗାଁ ଲୋକମାନେ ତାକୁ କୋକେଇରେ ବାନ୍ଧିବୁନ୍ଧି ମଶାଣିକୁ ନେଇ ଯାଉଥିବା ବେଳେ ସେ ହଠାତ୍ କୋକେଇରୁ ଉଠି ବସି ପଡ଼ି କହିଲା, ‘ଆରେ ହେ, ମୋତେ କୁଆଡ଼େ ନେଉଛ? ମୁଁ ପରା ବଞ୍ଚିଛି।’ ଏ କଥା ଶୁଣି ପାଖରେ ଚାଲୁଥିବା ତା’ ସ୍ବାମୀ ତା’ ଗାଲକୁ ଶକ୍ତ ଚଟକଣିଟେ ପକେଇ ଦେଇ କହିଲା ‘ଚୁପ୍, କୋକେଇରେ ଶୋଇବୁ ନା ଏଇନେ ଦେଖୁବୁ? କହିଲା କ’ଣ ନା ମୁଁ ବଞ୍ଚିଛି? ହଇଲୋ, ତୁ କ’ଣ ଡାକ୍ତରବାବୁଙ୍କଠୁ ବେଶୀ ଜାଣିଛୁ?’
୯୭, ଜନପଥ, ଭୁବନେଶ୍ବର
ମୋ: ୯୪୩୭୦୬୭୫୬୭