ବିଜ୍ଞାନ, ବିକାଶ ଓ ପ୍ରକୃତି

କୁମାର ପ୍ରଶାନ୍ତ

ବିଜ୍ଞାନର ରାଜନୀତି ଏବ˚ ବିଜ୍ଞାନ ପ୍ରତି ରାଜନୀତି ସର୍ବଦା ଆତ୍ମଘାତୀ। ସରଳ ଜୀବନ ବଞ୍ଚ। ଅଯଥା ଆରାମ ଖୋଜି ବିପଦକୁ ଡାକନାହିଁ। ନିର୍ଲୋଭ-ନିର୍ଲିପ୍ତ ରହ। ମନେପକାଅ ଗାନ୍ଧୀଙ୍କୁ ଯିଏ କହିଥିଲେ: ସ୍ବ-ଇଚ୍ଛାରେ ସ୍ବୀକାର କରାଯାଇଥିବା ଦାରିଦ୍ର୍ୟ, ଅସଲରେ ଧନବାନର ପରିଚୟ

ସେତେ ବେଳେ ‘ଅମ୍ଫାନ୍‌’ ଆସିଥିଲା ଏବଂ ଯାଇଥିଲା; ଆଉ ଏବେ ‘ନିସର୍ଗ’ ଆସିଲା ଏବଂ ଗଲା। ଲୋକେ ଆଶ୍ବସ୍ତ- ଯାହା ହେଉ ଚାଲିଗଲା; ବିପଦ ଟଳିଗଲା! ‘ଅମ୍ଫାନ୍‌’ ଓଡ଼ିଶାକୁ ଛୁଇଁ ଚାଲିଯାଇଥିଲା। ‘ନିସର୍ଗ’ ବି ମୁମ୍ବାଇରେ ସେ ଭଳି କୌଣସି ବଡ଼ ଧରଣର କ୍ଷତି ନ ଘଟାଇ, ଚାଲିଯାଇଛି। ବାତ୍ୟା ଦୁର୍ବଳ ହୋଇଗଲା! ବାତ୍ୟା ଦୁର୍ବଳ ହୋଇଗଲା ବୋଲି ଆମେ ଜାଣିଲେ କେମିତି? ମୃତକଙ୍କ ସ˚ଖ୍ୟାରୁ ଉତ୍ତର ମିଳିଯାଏ। ଏତେ କମ୍‌ ଲୋକଙ୍କ ଜୀବନ ଗଲା; ତାହା ହେଲେ କ’ଣ ବାତ୍ୟା ଶକ୍ତିଶାଳୀ ଥିଲା! ତେବେ, ଏ ଭଳି ହିସାବ କେବଳ ଭୁଲ୍‌ ନୁହେଁ, ବିପଜ୍ଜନକ ମଧ୍ୟ। କୌଣସି ବାତ୍ୟା ଏମିତି ପଳାଏନାହିଁ। ଯିବା ପୂର୍ବରୁ ଅନେକ କିଛି କହି, ଦେଖାଇ, ଯାଇଥାଏ। ଏହା ମଧ୍ୟ କହିଯାଇଥାଏ- ପୁଣି ଥରେ ଆସିବି।

ଜ୍ଞାନର ଅନ୍ବେଷଣରେ ବିଜ୍ଞାନ ସମୃଦ୍ଧ ହେବା ସହ ମଣିଷକୁ ସୁରକ୍ଷିତ କରିଛି। ବାତ୍ୟା ଭଳି ପ୍ରାକୃତିକ ବିପଦ ଆସିବା ପୂର୍ବରୁ ଜଣାପଡ଼ିଯାଉଛି। ଆଉ ଆମେ ବିଭିନ୍ନ ଉପାୟରେ ଜୀବନ ବଞ୍ଚେଇପାରୁଛେ। ଧନ-ସ˚ପତ୍ତିର କ୍ଷୟ-କ୍ଷତି ହେଉଛି, ସତ ଜୀବନ ବଞ୍ଚିଯାଉଛି। ବିଜ୍ଞାନ ଏହାଠାରୁ ଅଧିକ କିଛି କରିପାରିବନାହିଁ। ବିଜ୍ଞାନର ସ˚ପର୍କ ଜ୍ଞାନ ସହ। ଏହା କ’ଣ ଘଟିଲା, କାହିଁକି ଘଟିଲା, ବୁଝେଇଦିଏ। ବଞ୍ଚିବାର ବା ବର୍ତ୍ତିବାର ପ୍ରୟାସ ଆମ ନିଜକୁ କରିବାକୁ ପଡ଼େ। ପ୍ରୟାସ ନ କଲେ, ଆମର ଜୀବନ ଯିବ। ବିଜ୍ଞାନ ନା ‘ତାଲାବନ୍ଦୀ’ କରିବାକୁ ଆସିବ ନା ଆମକୁ ‘ସ˚ଗରୋଧ କେନ୍ଦ୍ର’ରେ ବନ୍ଦ କରିବାକୁ।

ଏସବୁ ଘଟିବାର କାରଣ ବିଜ୍ଞାନ ଆମକୁ କହିସାରିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ଘଟୁଛି। ଆମେ ସର୍ବଦା ଜଳ ଓ ବାୟୁର କ୍ଷତି ଘଟାଇଚାଲିବା ଏବ˚ ଏଥି ସହିତ ଆମର ଜୀବନ ସ୍ବାଭାବିକ ଭାବେ ଚାଲିବ ବୋଲି ଆଶା କରିବା; ଏହା କ’ଣ ସ˚ଭବ? ବିଜ୍ଞାନ କହେ, ଏ ପରି ହୋଇପାରିବନାହିଁ। ମଣିଷ ଜଳ ଓ ବାୟୁରେ ପରିବର୍ତ୍ତନ କଲେ ପରିବେଶରେ ପରିବର୍ତ୍ତନ ଆସିବ। ଏହା ନିଧାର୍ଯ୍ୟ। କାରଣ ଏସବୁ ଏକ ସନ୍ତୁଳିତ ଚକ୍ରରେ ବନ୍ଧା। ବାୟୁରେ ଅଙ୍ଗାରକାମ୍ଳ ପରିମାଣ ବଢ଼ିଲେ, ତାହାର କୁପ୍ରଭାବ ପରିବେଶ ଉପରେ ପଡ଼ିବ। ଅଙ୍ଗାରକାମ୍ଳ ବଢ଼ିଲେ, ତାପମାତ୍ରା ବଢ଼ିବ। ତାପମାତ୍ରା ବଢ଼ିଲେ, ଯେଉଁଠି ବରଫ ଥିବ, ତରଳିବ। ଏହାର ପରିଣାମ ସ୍ବରୂପ ବରଫ ପାହାଡ଼, ହିମନଦୀ ଆଦି ଧସିବ ଏବ˚ ସମୁଦ୍ରର ଜଳ ସ୍ତର ବଢ଼ିବ। ସମୁଦ୍ର ସୀମା ଅତିକ୍ରମ କରି, ସ୍ଥଳଭାଗ ଆଡ଼କୁ ମୁହାଁଇବ। ଏହା ଧୀରେଧୀରେ ଗାଁ-ଗଣ୍ତା, ହାଟ-ବାଟ, ସହର-ବଜାରକୁ ଗ୍ରାସ କରିବ। ସମୁଦ୍ର ପାଣି ପ୍ରଭାବରେ ଆସି ନଦୀ ଜଳ ଲବଣାକ୍ତ ହେବ। ଫଳରେ ମଧୁର ଜଳ ପରିମାଣ କମିବ। ପାନୀୟ ଜଳର ଅଭାବ ଦେଖାଯିବ। ଚାଷ-ବାସ ପ୍ରଭାବିତ ହେବ। ଭୂମିର ଉତ୍ପାଦିକା ଶକ୍ତି କମିବ। ଫସଲ ଓ ବୃକ୍ଷ-ଲତା ନଷ୍ଟ ହେବ। ଅକାଳ ପଡ଼ିବ, ବାତ୍ୟା ଓ ଭୂକ˚ପ (ଗତ କିଛି ଦିନ ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଥର ମୃଦୁ ଭୂକ˚ପର ଝଟକା ଲାଗିଲାଣି। ଭୂତତ୍ତ୍ବବିତ୍‌ମାନେ କହୁଛନ୍ତି, ଏହା ଭଲ ଲକ୍ଷଣ ନୁହେଁ; କିଛି ବି ଘଟିପାରେ) ବଢ଼ିବ। କେବଳ ଏତିକି ନୁହେଁ ‘କରୋନା’ ଭଳି ଅଜଣା ମହାମାରୀର ଆକ୍ରମଣ ବଢ଼ିବ। ଜଳବାୟୁରେ ପରିବର୍ତ୍ତନ ଭୂତାଣୁ ସୃଷ୍ଟିର ଏକ କାରଣ। ଜଳ-ବାୟୁ ପରିବର୍ତ୍ତନରୁ ସୃଷ୍ଟ ନୂଆ ନୂଆ ଭୂତାଣୁ ବାବଦରେ ଆମେ କିଛି ଜାଣିବା ପୂର୍ବରୁ, ସେମାନେ ଆମକୁ ମାରିଚାଲିବେ। ‘କରୋନା’ର ସୃଷ୍ଟି କେଉଁଠୁ, ଏହାର ମୂଳ ବାହକ କିଏ ବା କେଉଁ ପ୍ରାଣୀ, ଏ ପର୍ଯ୍ୟନ୍ତ ଆମେ ଜାଣିିପାରିନାହେଁ। ଆମେ ଏହା ଜାଣିବା ବେଳକୁ ପୁଣି କୌଣସି ନୂଆ ଭୂତାଣୁ ଜନ୍ମ ହୋଇସାରିଥିବ। ଏହା ଏବର ନୁହେଁ। କେବେଠାରୁ ଏ ପରି ଘଟିଆସିଲାଣି। ଆଗକୁ ମଧ୍ୟ ଘଟିଚାଲିବ। ଅଙ୍ଗାରକାମ୍ଳର କାନ୍ଧରେ ବସିଛି ରୋଗ ଏବ˚ ଆମ ବିକାଶର ସ୍ବର୍ଣ୍ଣିମ ମହଲର କାନ୍ଧ ଉପରେ ଅଙ୍ଗାରକାମ୍ଳ ବସିଛି।

ଅଙ୍ଗାରକାମ୍ଳକୁ ରୋକିବା ପାଇଁ ଏବେ କାହା ପାଖରେ କୌଣସି ଉପାୟ ନାହିଁ। କାରଣ, ଏହାକୁ ଆମେ ବିକାଶର ଆଧାର ବନାଇଛେ। ଅଙ୍ଗାରକାମ୍ଳର ବିପଜ୍ଜନକ ଚରିତ୍ରକୁ କେବଳ ପ୍ରକୃତି ଜାଣେ। ଆଉ କେବଳ ପ୍ରକୃତି ଦ୍ବାରା ଏହାକୁ ଜବତ କରାଯିବା ସ˚ଭବ। କେଉଁ କାଳୁ ପ୍ରକୃତି ମଧ୍ୟ ଏହା କରିଆସିଥିଲା। ତେବେ, ଆମେ ହସ୍ତକ୍ଷେପ କରିବାରୁ ପ୍ରକୃତି ଏବେ ଅସହାୟ। ଆମେ ପ୍ରକୃତି କୋଳରେ ଲୁକ୍କାୟିତ କୋଇଲା ବାହାରକରି ବିଦ୍ୟୁତ୍‌ ଉତ୍ପାଦନ କରୁଛେ। ପ୍ରାକୃତିକ ତୈଳ ବାହାରକରି କାର‌୍‌ ଓ ଉଡ଼ାଜାହାଜ ଉଡ଼ାଉଛେ। ବିଦ୍ୟୁତ୍‌ ଓ କାର‌୍‌ ମଧ୍ୟରେ ଅନେକ କିଛି ଆମର ଆରାମ ପାଇଁ ଉଦ୍ଦିଷ୍ଟ। ଏ ସମସ୍ତଙ୍କ କାମ ଗୋଟିଏ- ନିଜ ଭିତରେ ଥିବା ଅଙ୍ଗାରକାମ୍ଳକୁ ବାହାରକରି, ପଦାରେ ଛାଡ଼ିବା। ଜଳ ଓ ବାୟୁ ଉପରେ ଅଙ୍ଗାରକାମ୍ଳର ଲଗାତାର ଆକ୍ରମଣ ଚାଲିଛି। ପ୍ରକୃତିର ଯନ୍ତ୍ରୀମାନେ ଏହାକୁ ରୋକିବା ପାଇଁ ରାତି-ଦିନ କାମ କରୁଛନ୍ତି; ହେଲେ, ଆଉ ପାରୁନାହାନ୍ତି। କାରଣ, ଆମ ଦ୍ବାରା ଯେତିକି ପରିମାଣର ଅଙ୍ଗାରକାମ୍ଳ ସୃଷ୍ଟି ହେଉଛି, ତାହାକୁ ଜବତ କରିବା, ପ୍ରକୃତିର କ୍ଷମତା ବାହାରେ। ଆମେ ବଜାରରୁ କୌଣସି ଯାନ୍ତ୍ରିକ ଉପକରଣଟିଏ କିଣିଲେ, ତାହାକୁ ତା’ର କ୍ଷମତା ଅନୁଯାୟୀ ବ୍ୟବହାର କରିଥାଉ। କ୍ଷମତା କେତେ, ଆମେ ଭଲ ଭାବେ ଜାଣିଥାଉ। ତେଣୁ, ସେହି କ୍ଷମତା ଭିତରେ ହିଁ ବ୍ୟବହାର କରୁ। କ୍ଷମତା ବାହାରେ ବ୍ୟବହାର କଲେ, ଉପକରଣ କାମ ଦିଏନାହିଁ। ପ୍ରକୃତି ସହ ମଧ୍ୟ ଏ ପରି ଘଟିଥାଏ। ଏହା ନିଜର କ୍ଷମତା ବାହାରେ କାମ କରିପାରେନାହିଁ।

ସାରା ସ˚ସାର ‘କରୋନା’ ଦ୍ବାରା ଆକ୍ରାନ୍ତ ହେବାର ଗୋଟିଏ ସୁଫଳ ଆମେ ସମସ୍ତେ ଦେଖୁଛେ ଏବ˚ ତାହା ହେଉଛି ପ୍ରକୃତିର ଅବସ୍ଥାରେ ପରିବର୍ତ୍ତନ। ଏହା ପୁଣି ଥରେ ହସିଉଠିଛି। ଜଳ ଓ ବାୟୁରେ ପ୍ରଦୂଷଣ କମ୍‌। ‘ନମାମି ଗଙ୍ଗେ’ ପରିଯୋଜନା ‘ତାଲାବନ୍ଦୀ’ରେ। ତେବେ, ଏହା ବିନା ଗଙ୍ଗା ନିର୍ମଳ ହେବାରେ ଲାଗିଛି, ଯାହା ଆମେ କେବେ ଦେଖି ନ ଥିଲେ। ହିମାଳୟର ଉଚ୍ଚ ଶୃଙ୍ଗଗୁଡ଼ିକ ଦୂର ଦୂରକୁ ଦିଶୁଛି। ଏ ଭଳି ପକ୍ଷୀ ଆଖିରେ ପଡ଼ୁଛନ୍ତି, ଯେଉଁଗୁଡ଼ିକ ବିଲୁପ୍ତ ହୋଇଯାଇଥିବା, ଆମେ ଧରିନେଇଥିଲେ। କେବଳ ବିକାଶ ଅଟକିଯାଇଥିବାରୁ ଏ ପରି ଘଟିଛି। ବିକାଶ ବନ୍ଦ ହେବାରୁ ପ୍ରକୃତି ପୂର୍ଣ୍ଣ କ୍ଷମତାର ସହ କାର୍ଯ୍ୟ କରିପାରୁଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଆମେ ଜୀବନ-ଶୈଳୀ ବଦଳାଇଲେ ହିଁ ପ୍ରକୃତି ବଞ୍ଚିବ, ଧରିତ୍ରୀ ତିଷ୍ଠିବ। କେବଳ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା କମ୍‌ କରିବା ଦ୍ବାରା ଏହା ସ˚ଭବ ହେବ।

‘କରୋନା’ ତ ବସିଛି। ଏହା ଆଗରେ ଆମେ ଲାଚାର। କାରଣ, ଆମେ ଏହାକୁ ଜାଣିନେ। ଆମ ଶରୀର ପାଇଁ ଏହା ନୂଆ। ରୋଗ-ପ୍ରତିରୋଧକ ଶକ୍ତି ଏହା ସହ ଲଢ଼ୁଛି। ଏବେ ନ ହେଲେ ବି ପରେ ଜିତିବ। ସେଥି ପାଇଁ ସମୟ ଲାଗିବ। ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ, ସେମାନେ ଏହି ସ˚ଘର୍ଷ କାଳରେ ପ୍ରାଣ ହରାଇବେ। ଏ ସମୟରେ ପ୍ରକୃତି କେବଳ ନିରବଦ୍ରଷ୍ଟା। ଏହା ସଦୟ ବା ନିର୍ଦୟ ନୁହେଁ; କେବଳ ତଟସ୍ଥ।

ତେଣୁ, ପୂର୍ବରୁ କହିଥିଲି- କୌଣସି ବାତ୍ୟା ହେଉ କି ଭୂତାଣୁ, ତାହାର ନାମ ଯାହା ହେଉ ନା କାହିଁକି, ତାହା ପ୍ରକୃତରେ ଦୁର୍ବଳ ହୁଏନାହିଁ। କେବଳ, ଗଲା ବେଳେ କହିଯାଏ, ପୁଣି ଥରେ ଫେରିବ। ଏ ପରି କେଉଁ କାଳୁ ଗଡ଼ିଆସିଲାଣି। ରୋଗ ଓ ପ୍ରାକୃତିକ ବିପର୍ଯ୍ୟୟ ଆମକୁ ଶିକ୍ଷା ଦିଏ- ସୁଧୁରିଯାଅ, ତୁମେ ଯାହାକୁ ‘ବିକାଶ’ କହୁଛ, ତାହା ପ୍ରକୃତରେ ‘ବିନାଶ’। ଏ ପରି ନଗର ଗଢ଼ନାହିଁ, ଯେଉଁଠି ମଣିଷ-ମଣିଷ ଭିତରେ ଦୁଇ ଗଜର ବ୍ୟବଧାନ ରହିବନାହିଁ। ପ୍ରକୃତି ସହ ଖେଳନାହିଁ। ପ୍ରକୃତି ସହ ଖେଳିଲେ, ଏହା ତୁମ ସହ ଖେଳିବ। ସେତେ ବେଳେ କେହି ତୁମକୁ ରକ୍ଷା କରିପାରିବେନାହିଁ। ବିଜ୍ଞାନର ରାଜନୀତି ଏବ˚ ବିଜ୍ଞାନ ପ୍ରତି ରାଜନୀତି ସର୍ବଦା ଆତ୍ମଘାତୀ। ସରଳ ଜୀବନ ବଞ୍ଚ। ଅଯଥା ଆରାମ ଖୋଜି ବିପଦକୁ ଡାକନାହିଁ। ନିର୍ଲୋଭ-ନିର୍ଲିପ୍ତ ରହ। ମନେପକାଅ ଗାନ୍ଧୀଙ୍କୁ ଯିଏ କହିଥିଲେ: ସ୍ବ-ଇଚ୍ଛାରେ ସ୍ବୀକାର କରାଯାଇଥିବା ଦାରିଦ୍ର୍ୟ, ଅସଲରେ ଧନବାନର ପରିଚୟ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର