ଆମ ନଗରୀ ଓ ମହାନଗରୀ

ହିରଣ୍ୟ ମହାନ୍ତି

ନବରତ୍ନ କମ୍ପାନି ମଧ୍ୟରୁ ଅନ୍ୟତମ ‘ଏନ୍‌.ଟି.ପିସି’ ଦ୍ବାରା ୨୦୧୪ ମସିହାରେ ‘ଦି-ଷ୍ଟେଟ୍‌ସମ୍ୟାନ ଫେଷ୍ଟିଭାଲ’ ନାମରେ ପ୍ରକାଶିତ ଏକ ଆକର୍ଷଣୀୟ ପତ୍ରିକାରେ ସ୍ଥାନିତ ଏକ ପ୍ରବନ୍ଧର ଶୀର୍ଷକ ଥିଲା ‘ଅର୍ବାନ ଡେଭେଲପ୍‌ମେଣ୍ଟ ଇନ୍‌ ଇଣ୍ତିଆ ଆଣ୍ତ ଚାଇନା’। ତାହାର ଲେଖକ ଥିଲେ ବିକ୍ରମ ସେନ, କଲିକତା ବିଶ୍ବବିଦ୍ୟାଳୟର ଜଣେ ଖୁବ୍‌ ନାମକରା ପ୍ରଫେସର।

ପ୍ରବନ୍ଧଟିର ପ୍ରାରମ୍ଭରେ ଲେଖକ ଲେଖିଥିଲେ ଯେ ଚାଇନାର କୌଣସି ଏକ ନଗରର ସଡ଼କ ଉପରେ ଯାତାୟାତ କରୁଥିବା ଲୋକମାନଙ୍କ ପୋଷାକ ପରିଚ୍ଛଦ ଓ ସେମାନଙ୍କ ମୁହଁରେ ପ୍ରକଟ ହେଉଥିବା ପ୍ରସନ୍ନତାରୁ କେବଳ ସେମାନଙ୍କ ଦମ୍ଭ ଭାବ ବା ଶାରୀରିକ ସୁସ୍ଥତା ଜଣା ପଡ଼ି ନ ଥାଏ, ଏହା ମଧୢ ବୁଝି ହେଉଥାଏ ଯେ ସେମାନଙ୍କର ନଗର ପରିଚାଳନାର ସ୍ତର କେତେ ଉଚ୍ଚ। ସେମାନେ ପରିଧାନ କରୁଥିବା ପୋଷାକରୁ ଜଣାପଡ଼ିଯାଏ ଯେ ସେମାନଙ୍କର ଆର୍ଥିକ ସ୍ଥିତି ଉନ୍ନତ। ରାଜପଥ ଉପରେ ପରିଚିତମାନଙ୍କ ସହିତ ଭେଟ ହେଲେ ସେମାନେ ସହର୍ଷ ସେମାନଙ୍କୁ ସ˚ଖୋଳି ଥାଆନ୍ତି, କିନ୍ତୁ ସାକ୍ଷାତଟି ଅଳ୍ପ କଥାବାର୍ତ୍ତାରେ ସମାପ୍ତ ହୋଇଥାଏ। ସହରୀ ଚୀନାମାନଙ୍କ ମୁହଁ ପ୍ରାୟତଃ ଭାଙ୍ଗ ବିବର୍ଜିତ ଓ ଚିକ୍କଣ ଏବ˚ ଚୀନ ଭଳି ଏକ ରାଷ୍ଟ୍ରରେ ରହିଥିବା ସତ୍ତ୍ବେ ସେମାନେ ବ୍ୟକ୍ତି ସ୍ବାଧୀନତା ଅଭାବ ଦ୍ବାରା ଯେ ଜର୍ଜରିତ, ତାହା ନିରେଖି ଦେଖିଲେ ମଧୢ ଜାଣି ହୁଏ ନାହିଁ। ସେମାନେ ନିଜ ବ୍ୟବସ୍ଥାକୁ ନେଇ ସୁଖୀ ଓ ସନ୍ତୁଷ୍ଟ ଥିବା ଭଳି ମନେ ହୁଅନ୍ତି। ଅପର ପକ୍ଷରେ ଆମ ରାଷ୍ଟ୍ର ଭାରତ (ତୃତୀୟ ବିଶ୍ବର ସବୁଠାରୁ ବଡ଼ ଗଣତାନ୍ତ୍ରିକ ବ୍ୟବସ୍ଥା)ରେ- ଯେଉଁଠି ଗଣମାଧୢମ ସଦା ଜାଗ୍ରତ, ବିଭିନ୍ନ ଗଣତାନ୍ତ୍ରିକ ଅନୁଷ୍ଠାନ ଚଳଚଞ୍ଚଳ- ରାସ୍ତାରେ ଚାଲୁଥିବା ଲୋକେ ଅନବରତ କିନ୍ତୁ ଅନାବଶ୍ୟକ ଭାବେ ପ୍ରସଙ୍ଗ କ୍ରମେ ହେଉ ବା ବିନା ପ୍ରସଙ୍ଗରେ ବେଶ୍‌ ବାବଦୂକ ହୋଇଥାଆନ୍ତି। ବ୍ୟବସ୍ଥା ପ୍ରତି ହେଉ ବା ରାଜନୀତି ପ୍ରତି ହେଉ; ସେମାନଙ୍କ ବକ୍ତବ୍ୟରେ ଅସନ୍ତୋଷ ବାରି ହୋଇପଡ଼େ।

ପ୍ରଫେସର ବିକ୍ରମ ସେନ ତାଙ୍କ ପ୍ରବନ୍ଧରେ ଏହିପରି ଉପୋଦ୍‌ଘାତଟିଏ ଦେଇ ଭାରତୀୟ ସହରର ସମସ୍ୟା ପାଇଁ ଦେଶର ଜନସ˚ଖ୍ୟାକୁ ପ୍ରମୁଖ ଭାବେ ଦାୟୀ କରିଛନ୍ତି। ସେ ଲେଖିଛନ୍ତି ଯେ ୨୦୧୧ ଜନଗଣନା ଅନୁସାରେ ଆମ ଦେଶରେ ୫୦୦୦୦୦ରୁ ଅଧିକ ସ˚ଖ୍ୟକ ବ୍ୟକ୍ତି ବସବାସ କରୁଥିବା ନଗରୀର ସ˚ଖ୍ୟା ଥିଲା ୯୨। ସେହି ସବୁ ସହରର ଜନସ˚ଖ୍ୟାର ହାରାହାରି ଅଭିବୃଦ୍ଧି ପୂର୍ବ ଜନଗଣନା ତୁଳନାରେ ଥିଲା ୩୬% ଅଧିକ। ତେବେ ଏହି ୯୨ଟି ନଗର ମଧୢରୁ ୭ଟିରେ ଜନସ˚ଖ୍ୟା ଏହି ସମୟ ଖଣ୍ତରେ ୨ ଗୁଣ ହୋଇଯାଇଥିଲା: ସେହି ସହରଗୁଡ଼ିକ ଥିଲେ ଉତ୍ତରପ୍ରଦେଶର ନଇଡ଼ା, ଫିରୋଜାବାଦ ଓ ଲୋନୀ, ବିହାରର ବିହାର, ଧାନବାଦ ଓ ବେଗୁସରାଇ ଏବ˚ ହରିଆନାର ଗୁଡ଼ଗାଓଁ। କିନ୍ତୁ ପୂର୍ବ ଜନଗଣନା କାଳ ଅର୍ଥାତ୍‌ ୨୦୦୧ ବେଳକୁ ଏହିସବୁ ନଗରମାନଙ୍କର ଆୟତନ ଓ ପରିବେଶ ଯାହା ଥିଲା, ୨୦୧୧ ମସିହା ବେଳକୁ ସେ ସବୁ ପ୍ରାୟ ସମାନ ଥିଲା। ସହରର ପରିମଳ, ରାଜପଥ ଓ ସ୍ବାସ୍ଥ୍ୟସେବା ସ୍ଥିତିରେ କୌଣସି ଉନ୍ନତି ଆସି ନ ଥିଲା। ଏଭଳି ସ୍ଥିତିରେ ଜନସ˚ଖ୍ୟାରେ ବିପୁଳ ବୃଦ୍ଧି ସ୍ବାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଶିକ୍ଷା ଓ ଗମନାଗମନ ବ୍ୟବସ୍ଥା ପର୍ଯ୍ୟନ୍ତରେ ପ୍ରାୟ ସମସ୍ତ ଭିତ୍ତିଭୂମି ଉପରେ ଉତ୍କଟ ପ୍ରତିକୂଳ ପ୍ରଭାବ ପକାଇଥିଲା। ସେହିପରି ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମଦାବାଦ, ସୁରାଟ, ବିଶାଖାପାଟଣା, ପିମ୍ପ୍ରି, ନଭି ମୁମ୍ବାଇ, ମାଙ୍ଗାଲୋର ଏବ˚ ରାୟପୁର ଭଳି ନଗରୀମାନଙ୍କରେ ଜନସ˚ଖ୍ୟାରେ ପ୍ରାୟ ୫୦ ଶତା˚ଶ ବୃଦ୍ଧି ଘଟିଥିଲା। କିନ୍ତୁ ଏହି ସମୟ ଭିତରେ ଭାରତର ଚାରି ମେଟ୍ରୋ ମହାନଗରୀ ଭିତରୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ଜନସ˚ଖ୍ୟା ବୃଦ୍ଧିର ହାର ଥିଲା ମାତ୍ର ୫.୩୭ ଶତା˚ଶ। ଏହି ସବୁ ମଧୢରେ ଦୂରଦୃଷ୍ଟିସ˚ପନ୍ନ ଓ ସୁପରିଚାଳନାର ନକ୍‌ସା ଭିଲାଇ, ରାଉରକେଲା, ଦୁର୍ଗାପୁର, ସାଲେମ୍‌, ଗାଜିଆବାଦ, ନେଲୋର, ଚଣ୍ତୀଗଡ଼ ପରି କିଛି ଶିଳ୍ପ ନଗରୀ ଓ ମାଙ୍ଗାଲୋର, ପାରାଦୀପ, କୋଚି, କାଣ୍ତଲା, ବିଶାଖାପାଟଣା ଏବ˚ ମୁନ୍ଦ୍ରା ଭଳି କିଛି ବନ୍ଦର ନଗରୀମାନଙ୍କରେ ପରିଦୃଷ୍ଟ ହୋଇଥିଲା। ଏ ସବୁ ସହରରେ ଜନସ˚ଖ୍ୟା ଯେ ବଢ଼ି ନଥିଲା ବା ବଢୁନାହିଁ, ତାହା ନୁହେଁ; ପରିବେଶ ଓ ପରିସ୍ଥିତି ମଧୢ ଅନେକ ସମୟରେ ବିଶୃଙ୍ଖଳିତ; ତଥାପି ପରିଚାଳନାଗତ ଦକ୍ଷତା ଓ ପୁରୋଦୃଷ୍ଟି ପାଇଁ ଏ ସବୁ ସହର ବେଶ୍‌ ଜୀବନ୍ତ ଓ ଚଞ୍ଚଳ ହୋଇ ରହିଛି।

୨୦୧୨ ମସିହା ଜାତିସ˚ଘର ରିପୋର୍ଟ ଅନୁସାରେ ଜାପାନରେ ମୋଟ ଲୋକସ˚ଖ୍ୟାର ୯୪%, ଫ୍ରାନ୍‌ସରେ ତାର ୮୬% ଓ ଯୁକ୍ତରାଷ୍ଟ୍ର ଆମେରିକାରେ ତାର ୮୪% ନଗର ବାସିନ୍ଦା ଥିଲେ। ସେହିପରି ୮୦% ବ୍ରିଟିସ, ୭୪% ରୁଷ ନଗର ବାସିନ୍ଦା ଥିଲେ। ଏପରିକି କୃଷିରେ ପ୍ରାଧାନ୍ୟ ଲାଭ କରିଥିବା ପ୍ରସିଦ୍ଧ ସହର ସୁଇଜରଲ୍ୟାଣ୍ତ ଓ ହଲାଣ୍ତର ୭୪% ନଗର ବାସିନ୍ଦା ଥିଲେ। ନଗରରେ ସହଜ ଓ ଆଧୁନିକ ଜୀବନ ବଞ୍ଚିବା ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିର ସହଜଲଭ୍ୟତା କାରଣରୁ ତଥା ରୋଜଗାର ହାତପାହାନ୍ତାରେ ଥିବାରୁ ଅଧିକ ଲୋକ ନଗରରେ ରହିବାକୁ ସ୍ବାଭାବିକ ଭାବେ ଇଚ୍ଛୁକ। ୨୦୧୨ ମସିହା ଜନଗଣନାର ହିସାବ ଫର୍ଦ୍ଦରେ ଭାରତୀୟମାନେ ଇଣ୍ତୋନେସିଆ ଓ ଚାଇନାଠାରୁ ପଛରେ ପଡ଼ିଥିବା ଜଣାପଡ଼ିଛି। ୨୦୧୪ ମସିହାରେ ନାଇଜେରିଆ ଓ ଘାନା ପ୍ରଭୃତି ଆଫ୍ରିକୀୟ ଦେଶମାନେ ‘ସ୍ବାସ୍ଥ୍ୟକର ନଗର-ନିବାସ-ପରିଯୋଜନା’ ଆଧାରରେ ଆମକୁ ପଛରେ ପକାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆମର ୭୫% ନଗରୀ ଓ ମହାନଗରୀ ଜନ୍ମ ଲାଭ କରିଥିଲେ ରାଜା, ମହାରାଜା, ପେଶଵା, ବାଦଶାହାମାନଙ୍କର ରାଜଧାନୀ ସହର ଭାବରେ। ବ୍ରିଟିସମାନେ ଆମକୁ ଦେଇଥିଲେ ଗୋଟିଏ ‘ରାଜନୈତିକ-ଏକକ’ର ପରିଚୟ। ତତ୍‌କାଳୀନ ରାଜଧାନୀ ସହରମାନଙ୍କରେ ରାଜନୈତିକ, ଶୈକ୍ଷିକ, ସା˚ସ୍କୃତିକ, ଏପରିକି ସାମରିକ ଓ ବ୍ୟାବସାୟିକ ଜୀବନ ଥିଲା ଖୁବ୍‌ ସୀମିତ। କିନ୍ତୁ ଆଜି ସ୍ବାଧୀନ ଭାରତର ନଗରୀ ଓ ମହାନଗରୀମାନେ ପୃଥିବୀର ଅନ୍ୟତମ ସର୍ବାଧିକ ଜନାକୀର୍ଣ୍ଣ ଅଞ୍ଚଳରେ ପରିଣତ ହୋଇଛନ୍ତି। କିନ୍ତୁ ଜନସ˚ଖ୍ୟା ବୃଦ୍ଧିକୁ ତାଳ ଦେଇ ନଗରୀ ଓ ମହାନଗରୀଗୁଡ଼ିକର ଧାରଣ କ୍ଷମତା ଓ ପରିଚାଳନାଗତ ଦକ୍ଷତାରେ ଅଭିବୃଦ୍ଧି ଘଟି ନ ଥିବା ହେତୁ ଆମ ସହରଗୁଡ଼ିକ ବିଶ୍ବସ୍ତରୀୟ ହେବାରୁ ପଛରେ ପଡ଼ି ଯାଇଛନ୍ତି।

ଗଜପୀଠ, ପୁନ୍ଦାଳୋ, କେନ୍ଦ୍ରାପଡ଼ା
ମୋ:୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର