କରୋନା ସମୟରେ ବିଶ୍ୱ ଭ୍ରମଣ : ଓଡ଼ିଆ ବନ୍ଧୁଙ୍କ ସହ ଭେଟ ଓ କଥାବାର୍ତ୍ତା

ଧର୍ମେନ୍ଦ୍ର ପ୍ରଧାନ

କରୋନା ଆମର ଜୀବନଶୈଳୀ, କାର୍ଯ୍ୟ ଏବଂ ଚିନ୍ତାକୁ ବଦଳାଇଛି। ଲୋକଙ୍କ ପାଖରେ ପହଞ୍ଚିବାର ନୂଆ ଶିକ୍ଷା ଦେଇଛି ମହାମାରୀ କରୋନା। ଗତ କିଛି ସପ୍ତାହରେ ମୁଁ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀଙ୍କ ସହ କଥା ହେବାର ସୁଯୋଗ ପାଇଛି। ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ଆରମ୍ଭ ହୋଇଥିବା ଅନୌପଚାରିକ କଥାବାର୍ତ୍ତା ପରବର୍ତ୍ତୀ ପର୍ଯ୍ୟାୟରେ ମୋ ପାଇଁ ଅନେକ ଶିଖିବାର ସୁଯୋଗ ଦେଇଛି। ମୋତେ ଲାଗୁଥିଲା ଯେପରି ମୁଁ ବିଶ୍ୱ ଭ୍ରମଣରେ ଅଛି ଏବଂ ଓଡ଼ିଶାର ବନ୍ଧୁମାନଙ୍କ ସହ ବିଭିନ୍ନ ଦେଶ ଭ୍ରମଣ କରୁଛି। ଗତ ୬ ବର୍ଷରେ ସରକାରୀ କାର୍ଯ୍ୟରେ ବିଦେଶ ଭ୍ରମଣ କରୁଥିବା ବେଳେ ମୁଁ ସର୍ବଦା ଭାରତୀୟ ଲୋକ, ବିଶେଷ ଭାବରେ ଓଡ଼ିଆ ବନ୍ଧୁମାନଙ୍କୁ ଭେଟିବାକୁ ଚେଷ୍ଟା କରୁଥାଏ। ତେବେ ଏଥର କରୋନା ମହାମାରୀ ସମୟରେ ଟେକ୍ନୋଲୋଜି ପ୍ଲାଟ୍‌ଫର୍ମରେ ସିଧାସିଧା କଥା ହେବା ଥିଲା ସଂପୂର୍ଣ୍ଣ ଏକ ଭିନ୍ନ ଅନୁଭୂତି।

ଉପସାଗରୀୟ ଦେଶ ସମୂହ ଠାରୁ ଦକ୍ଷିଣ ପୂର୍ବ ଏସିଆ, ପୂର୍ବ ଏସିଆରୁ ୟୁରୋପ ଏବଂ ରୁଷ୍‌ରୁ ଆମେରିକାରେ ଥିବା ଓଡ଼ିଆ ବନ୍ଧୁମାନଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂରେ କଥା ହେବା ସମୟରେ ମୋତେ ପୁରୁଣା ବନ୍ଧୁମାନଙ୍କ ସହ ପୁଣି ଥରେ ଭେଟ ହେବାର ସୁଯୋଗ ମିଳିଥିଲା। ଏପରିକି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମୁଁ ଗତ କିଛି ବର୍ଷରେ ବିଭିନ୍ନ ସ୍ଥାନରେ ସାକ୍ଷାତ୍ କରିଥିଲି। ହ୍ୟୁଷ୍ଟୋନର ଡା. ଦେବାନନ୍ଦ ପତି, ମସ୍କୋର ସନ୍ତୋଷ ମିଶ୍ର, ମିଆଁମାରର ଶୀତଲ ପଲ୍ଲବାବୁ, ୟୁଏଇର ସମୀର ଏବଂ ଡା. ଖୁଂଟିଆ, ଟୋକିଓର ବେହେରା ମହାଶୟଙ୍କ ଭଳି ଅନେକ ବନ୍ଧୁଙ୍କୁ ପୁନର୍ବାର ଦେଖି ଖୁସି ଲାଗିଲା। ଯେତେବେଳେ କୋଭିଡ-୧୯ ଆମର ଜୀବନଶୈଳୀକୁ ବାଧାପ୍ରାପ୍ତ କରୁଥିଲା ଏହା ଆମକୁ ଭର୍ଚୁଆଲ ଦୁନିଆରେ ବନ୍ଧୁମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବାକୁ ସୁଯୋଗ ମଧ୍ୟ ଦେଇଛି।

ଗତ କିଛି ବର୍ଷ ଭିତରେ ମୁଁ ସାରା ବିଶ୍ୱରେ ଓଡ଼ିଆ ଲୋକଙ୍କୁ ଭେଟିବା ବେଳେ ସମସ୍ତଙ୍କ ଭିତରେ ଗୋଟିଏ କଥା ସମାନ ଦେଖିଛି। ତାହା ହେଉଛି ବିଭିନ୍ନ ଉପାୟରେ ରାଜ୍ୟର ଉନ୍ନତି ପାଇଁ ଯୋଗଦାନ କରିବା ନିମନ୍ତେ ତାଙ୍କର ଦୃଢ ଇଚ୍ଛା। ଓଡ଼ିଶାର କଲ୍ୟାଣ ପାଇଁ ଯୋଡ଼ି ହେବାକୁ ସେମାନଙ୍କର ବହୁତ ଆଗ୍ରହ ରହିଛି। ଏହା ସର୍ବଦା ଦେଖାଯାଇଛି ଯେ ସେମାନେ ରାଜ୍ୟର ଭଲ ପାଇଁ କିଛି ନୂଆ ପରାମର୍ଶ ଦେବାକୁ ଚେଷ୍ଟା କରନ୍ତି। ଅନେକ ଆଇଡିଆ ଏବଂ ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥାନ୍ତି। କିଛି ନହେଲେ ମଧ୍ୟ ସେମାନେ ଓଡ଼ିଶାର ପ୍ରଗତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥାନ୍ତି। ସେମାନଙ୍କ ମଧ୍ୟରେ ଅନ୍ୟ ଏକ ସାଧାରଣ କଥା ହେଉଛି ଯେ ସେମାନେ ସମସ୍ତେ ଓଡ଼ିଶା ପାଇଁ ଗର୍ବ ଅନୁଭବ କରନ୍ତି ଓ ଓଡ଼ିଆରେ କଥା ହେବାକୁ ପସନ୍ଦ କରନ୍ତି ଏବଂ ଆମ ରାଜ୍ୟର ବିଭିନ୍ନ ପ୍ରସଙ୍ଗଗୁଡ଼ିକୁ ନେଇ ନିଜର ଆବେଗ ମଧ୍ୟ ପ୍ରକାଶ କରିଥାନ୍ତି। ଏଥର ଭିଡିଓ କନ୍‌ଫରେନ୍‌ସରେ ସେମାନଙ୍କ ମଧ୍ୟରେ ଜଣେ କେହି ବି ବ୍ୟକ୍ତିଗତ କାମ ପାଇଁ ଆଗ୍ରହ ପ୍ରକାଶ କରି ନଥିଲେ । ବରଂ ସେମାନେ ସମସ୍ତେ ରାଜ୍ୟ ପାଇଁ ଚିନ୍ତା ପ୍ରକଟ କରିଥିଲେ। ବାସ୍ତବରେ ସେମାନେ ନିଜ ଅଂଚଳର ଲୋକଙ୍କ ଉନ୍ନତି ପାଇଁ ପରାମର୍ଶ ଦେଇଥିଲେ।

ସେମାନଙ୍କ ସହ କ୍ରମାଗତ ଆଲୋଚନା କରିବା ସମୟରେ ମୁଁ ସ୍ୱିଡେନ୍‌ରେ ରହୁଥିବା ପିକେ ମହାନନ୍ଦିଆଙ୍କୁ ଭେଟିବାର ସୁଯୋଗ ପାଇଥିଲି। ୭୦ ବର୍ଷ ବୟସ୍କ ଏହି ପ୍ରଖ୍ୟାତ କଳାକାର ଏବଂ ଲେଖକ ମୂଳତଃ ଆଠମଲ୍ଲିକ ଅଂଚଳର ଏବଂ ସେ ଯୁବସୁଲଭ ହୃଦୟର ବ୍ୟକ୍ତିତ୍ୱ। ତାଙ୍କ ବ୍ୟକ୍ତିତ୍ୱ ଆମ ପାଇଁ ବେଶ ଜଣାଶୁଣା ଏବଂ ୧୯୭୭ ମସିହାରେ ନିଜର ଜୀବନସାଥୀକୁ ପାଇବା ପାଇଁ ସାଇକେଲ ଯୋଗେ ଭାରତରୁ ସ୍ୱିଡେନ୍‌ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଆମ ପାଇଁ ବେଶ ଜଣାଶୁଣା। ତାଙ୍କର ଏହି କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ। ସେ ଓଡ଼ିଶାକୁ ସ୍ୱିଡେନ୍‌ରେ ଗୌରବାନ୍ୱିତ କରିଛନ୍ତି ଏବଂ ଭାରତୀୟ ଓ ୟୁରୋପର ଓଡ଼ିଆ ସମୁଦାୟ ତାଙ୍କୁ ବେଶ ସମ୍ମାନ କରିଥାନ୍ତି। ସେ ଓଡ଼ିଶାର ଅବିସ୍ମରଣୀୟ ଆତ୍ମାକୁ ପ୍ରତିନିଧିତ୍ୱ କରି ଆମ ସମସ୍ତ ଓଡ଼ିଆଙ୍କୁ ଅତ୍ୟନ୍ତ ଗୌରବାନ୍ୱିତ କରିଛନ୍ତି।

ବନ୍ଧୁମାନଙ୍କ ମଧ୍ୟରେ ସିଙ୍ଗାପୁରସ୍ଥିତ ମନିଟାରି ଅଥରିଟିରେ ଜଣେ ମୁଖ୍ୟ ଅଧିକାରୀ ଭାବେ କାମ କରୁଥିବା ସୋପ୍ନେନ୍ଦୁ ମହାନ୍ତି ବିଶ୍ୱ କୋଭିଡ ପରବର୍ତ୍ତୀ ସମୟରେ ଭାରତ ପାଇଁ ଭବିଷ୍ୟତର ଆଶା ପରିପ୍ରେକ୍ଷୀରେ ଉତ୍ସାହଭରା ଟିପ୍ପଣୀ ଦେଇଛନ୍ତି। ସେ ସଠିକ୍ ଭାବରେ କହିଛନ୍ତି ଯେ ଡିଜିଟାଲ ସାକ୍ଷରତା ତଥା ଡିଜିଟାଲ ଟେକ୍ନୋଲୋଜିକୁ ବ୍ୟବହାର କରି ସରକାରୀ ଯୋଜନାକୁ ସାଧାରଣ ଲୋକଙ୍କ ସହ ଯୋଡ଼ିବା କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଭାରତ ପାଖରେ ଅଧିକ ଅନୁଭବ ତଥା ଭିତ୍ତିଭୂମିର ସୁବିଧା ରହିଛି। ଏହା ଆମ ଦେଶରେ ବିଦେଶୀ ପୁଞ୍ଜିନିବେଶକୁ ଆକର୍ଷିତ କରିବ। ସ୍ପେନ୍‌ରେ ରହୁଥିବା ଓଡ଼ିଆ ଛାତ୍ରୀ ସ୍ୱସ୍ତି ମିଶ୍ର ନିକଟରେ କୋଭିଡ୍ ରୋଗକୁ ହରାଇ ନିଜର ସାହସର ପ୍ରଦର୍ଶନ କରିଛନ୍ତି। ତାଙ୍କର ଏହି ରୋମାଞ୍ଚକାରୀ ଅଭିଜ୍ଞତା ବର୍ତ୍ତମାନ ସମୟରେ ଯୁବଗୋଷ୍ଠୀ ପାଇଁ ପ୍ରରଣାଦାୟୀ। ସେହିପରି ଜନଜାତି ଅଧ୍ୟୁଷିତ କନ୍ଧମାଳ ଅଂଚଳର ଆଦିତ୍ୟ ମଧ୍ୟ ଅନୁରୂପ ଭାବେ ନିଜର ସାହସ ଦେଖାଇ ମାର୍ଚ୍ଚ ୨୦୨୦ରେ ଭାରତରେ ଲକ୍‌ଡାଉନ୍ ହେବାର ଠିକ୍ ପୂର୍ବରୁ ଚୀନ୍‌ର ଗ୍ୱାଙ୍ଗଯୋହକୁ ଯାତ୍ରା କରିଥିଲେ। ଏହି ସବୁ ଦୃଷ୍ଟାନ୍ତ ଓଡ଼ିଆଙ୍କ ଭିତରେ ଥିବା ସାହସକୁ ପ୍ରତିଫଳିତ କରେ। ଦୁର୍ଭାଗ୍ୟବଶତଃ ତାଙ୍କ ପିତାମାତା ତାଙ୍କୁ ହାଇଦ୍ରାବାଦରେ ଛାଡ଼ିବା ପାଇଁ ଆସି ଲକ୍‌ଡାଉନ୍ କାରଣରୁ ସେଠାରେ ଅଟକି ଯାଇଥିଲେ।

ଆମର ଓଡ଼ିଆ ଲୋକ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି। ଟୋକିଓରେ ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ଚୌଧୁରୀ ରୁଦ୍ର ଚରଣ ମହାନ୍ତି ଜାପାନର ଶିକ୍ଷା ବ୍ୟବସ୍ଥାରେ ଖୁବ କମ ବୟସରୁ ପିଲାମାନଙ୍କ ମଧ୍ୟରେ ସ୍ୱଚ୍ଛତା ଓ ପରିଚ୍ଛନ୍ନତାର ବ୍ୟାବହାରିକ ପ୍ରୟୋଗର କଥା କହିଥିଲେ। ଏହା ଜାପାନର ଲୋକଙ୍କୁ ସ୍ୱଚ୍ଛତା ବଜାୟ ରଖିବା ଏବଂ କରୋନା ପୃଷ୍ଠଭୂମିରେ ମାସ୍କ୍‌ ପିନ୍ଧିବା କାମରେ ସାହାଯ୍ୟ କରୁଛି। ଦକ୍ଷିଣ କୋରିଆ ଏବଂ ଚୀନ୍‌ରେ ରହୁଥିବା ବନ୍ଧୁମାନେ ‘ଆରୋଗ୍ୟ ସେତୁ’ ଭଳି ଅନ୍ୟାନ୍ୟ ମଡେଲ ତଥା ଟ୍ରାକିଂ ପ୍ଲାଟ୍‌ଫର୍ମ ସହିତ ଦେଶରେ ପାଳନ କରାଯାଉଥିବା ନିୟମ ଗୁଡ଼ିକର ସମାନ ଉଦାହରଣ ଦେଇଥିଲେ। ସେହିପରି ଆଲୋଚନା ସମୟରେ ନେଦରଲ୍ୟାଣ୍ଡ ଏବଂ ସ୍ୱିଡେନ୍‌ର ବନ୍ଧୁମାନେ ସେଠାରେ କିପରି ଲକ୍‌ଡାଉନ୍‌କୁ ବାଧ୍ୟତାମୂଳକ କରା ନଯାଇ କୋଭିଡ ସହିତ ଲଢେଇ କରିବାର ଭିନ୍ନ ମଡେଲ ଅନୁସରଣ କରାଯାଇଛି, ତାର ଉଦାହରଣ ଦେଇଥିଲେ। ଆୟରଲ୍ୟାଣ୍ଡରେ ଥିବା ଡା. ଦିଲ୍ଲୀପ ମହାପାତ୍ର ଭୁବନେଶ୍ୱରରେ ଷ୍ଟେମ୍‌ ସେଲ୍ ଓ ଜିନୋମ ଗବେଷଣା ସହ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ କାମ କରୁଛନ୍ତି। ଏହି ପ୍ରକ୍ରିୟାରେ ତାଙ୍କ ସହ କଥା ହେବାର ସୌଭାଗ୍ୟ ମିଳିଲା।

ଉପସାଗରୀୟ ଦେଶସମୂହ ଯଥା ୟୁଏଇ, ସାଉଦିଆରବ, ଓମାନ, କତାର, କୁଏତ ଏବଂ ବାହାରିନ୍‌ରେ ରହୁଥିବା ଓଡ଼ିଆ ସମୁଦାୟ ବର୍ତ୍ତମାନର ପ୍ରତିକୂଳ ସମୟରେ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି। ସେମାନେ ଭାରତୀୟ ଦୂତାବାସ ସହ ମିଶି ଚିକିତ୍ସା, ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ସେମାନଙ୍କ ସହ ଆଲୋଚନା କରିବା ସମୟରେ ସେମାନେ ଅସହାୟ ତଥା ଇଚ୍ଛୁକ ଥିବା ଓଡ଼ିଆ ଲୋକଙ୍କୁ ସ୍ୱରାଜ୍ୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ତଥା ଅଧିକରୁ ଅଧିକ ସିଧାସଳଖ ବିମାନ ପାଇଁ ବ୍ୟବସ୍ଥା କରିବା କଥା ଉଠାଇଥିଲେ।

ଦୂରଦୂରାନ୍ତରେ ରହୁଥିବା ସମସ୍ତ ଓଡ଼ିଆମାନେ ଓଡ଼ିଶା, ଗ୍ରାମ ତଥା ସହରର ବିକାଶ ପାଇଁ ଚେଷ୍ଟିତ। ସେହିପରି ସମସ୍ତ ଓଡ଼ିଆ ଜଗନ୍ନାଥ ସଂସ୍କୃତି ସହ ମଧ୍ୟ ଜଡ଼ିତ। ଆମେରିକାର ଆଲାବାମାରେ ଆମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଥିଲୁ, ଯେତେବେଳେ ଡା. ଭାଗବତ ସାହୁ ଏକ ଜଗନ୍ନାଥ ମନ୍ଦିରରେ ଥାଇ ଭିଡିଓ କନ୍‌ଫରେନ୍‌ସିଂରେ ସାମିଲ ହୋଇଥିଲ। ଆୟରଲ୍ୟାଣ୍ଡରେ ଡା. ମହାପାତ୍ରଙ୍କ ଭଳି ହ୍ୟୁଷ୍ଟୋନରେ ମଧ୍ୟ ଡା. ପତି ଏବଂ ଡା. ଆଦିତ୍ୟ ସାମଲ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ସେହିପରି ସ୍କଟ୍‌ଲ୍ୟାଣ୍ଡରେ ଓଡ଼ିଆ ସମୁଦାୟ ଏଡିନବର୍ଗଠାରେ ରଥଯାତ୍ରା ଆୟୋଜନ କରିବା କଥା ମୋତେ ଖୁସି ଦେଇଥିଲା।

ସମସ୍ତ ଓଡ଼ିଆ ବନ୍ଧୁମାନଙ୍କର ଅଭିଜ୍ଞତା ଏବଂ ଜ୍ଞାନ ମୋ ପାଇଁ ଉତ୍ତମ ଶିକ୍ଷା ଥିଲା। ଏହା ମୋର ମନର ଦୃଢ଼ତାକୁ ମଜଭୁତ କରିଛି। ଆମକୁ ସେମାନଙ୍କର ପ୍ରତିଭା, ନିସ୍ୱାର୍ଥପର ଅଙ୍ଗୀକାରଦ୍ଧତା ଏବଂ ଆଧୁନିକ ତଥା ଉନ୍ନତ ଓଡ଼ିଶା ଗଠନର ସ୍ବପ୍ନ ନିମନ୍ତେ ସେମାନଙ୍କୁ ସୁଯୋଗ ଦେବା ପାଇଁ ପଡ଼ିବ। ଓଡ଼ିଶାର ବିକାଶ ସହିତ ପ୍ରବାସୀ ଓଡ଼ିଆଙ୍କୁ ଯୋଡ଼ିବା ପାଇଁ ଆମକୁ ଉପାୟ ଖୋଜିବା ଆବଶ୍ୟକ। ଓଡ଼ିଶାର ବିକାଶ ଅଧ୍ୟାୟରେ ସେମାନେ ସେତେ ଅଂଶୀଦାର ଅଟନ୍ତି, ଯେତିକି ଆମେମାନେ ଓଡ଼ିଶାର ଅଭିବୃଦ୍ଧି ପାଇଁ ଅଛୁ। ଏବେ ରାଜ୍ୟ ସରକାର ଏବଂ ମୋ ଭଳି ଓଡ଼ିଆ, ଯେଉଁମାନେ କେନ୍ଦ୍ର ସରକାରଙ୍କ ସହ କାର୍ଯ୍ୟ କରୁଛନ୍ତି ଏବଂ ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆ ଲୋକମାନେ ଏକାଠି ହୋଇ ରାଜ୍ୟର ଉନ୍ନତି ପାଇଁ କାମ କରିବାର ସମୟ ଆସିଛି ।

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ଓ ଇସ୍ପାତ ମନ୍ତ୍ରୀ
ଭାରତ ସରକାର, ନୂଆଦିଲ୍ଲୀ

ସମ୍ବନ୍ଧିତ ଖବର