ମାଟିର ଡାକ, ମା’ର ଡାକ!

ସ୍ୱଦେଶ ସୁନ୍ଦର ପଟ୍ଟନାୟକ

ଭାରତ ଆଉ ବିକାଶଶୀଳ ନୁହଁ, ପୂରା ବିକଶିତ। ଚୀନ୍‌କୁ ଛାଡ଼ିଦେଲେ ଏସିଆର ସବୁଠାରୁ ଶକ୍ତିବାନ ରାଷ୍ଟ୍ର। ପରମାଣୁ ବୋମା ବି ସଜାଡ଼ି ରଖିଛି। ଚନ୍ଦ୍ର ପିଠିରେ ଛିଡ଼ା ହେବାକୁ ଯାଉଛି। ମଙ୍ଗଳକୁ ହାତ ବଢ଼ାଇ ସାରିଲାଣି। ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ରଙ୍କ ସହିତ ପାଞ୍ଚରେପଞ୍ଚା ହେବାକୁ ମନ। ସୁରକ୍ଷା ପରିଷଦର ସ୍ଥାୟୀ ଚୌକି ପାଇଁ ଦାବିଦାର। ପିଲେ ତ ବିଦେଶରେ ଚମକୁଛନ୍ତି, ଚମକାଉଛନ୍ତି ବି। ଦେଶରେ ବୁଲେଟ୍‌ ଗାଡ଼ି ଚାଲିବା ଯୋଜନା ଚାଲିଛି। ତା’ଠାରୁ ଅଧିକ ବେଗରେ ଗଡ଼ିବ ପ୍ରଗତିର ଚକ। ଆଉ ଝୋପଡ଼ି ରହିବ ନାହିଁ। ଭୋକରେ କେହି ମରିବେ ନାହିଁ। ଗରିବ ହଟିବେ, ଗରିବୀ ହଟିବ। ଦେଶ ଘିଅମହୁରେ ଭାସିବ। ରାମରାଜ୍ୟ ପ୍ରତିଷ୍ଠା ହେବ।

କିନ୍ତୁ ହଠାତ୍‌ ଏ କ’ଣ ହେଲା? କାହୁଁ ଅଇଲା ଏ କରୋନା ଭୂତ? କାଳିଆ ମେଘ ପରି ସବୁଆଡ଼େ ଛାଇ ଗଲା। ଗଣ୍ଡା ଗଣ୍ଡା ମୁଣ୍ଡ ଖାଇବାରେ ଲାଗିଛି। ଚାରିଆଡ଼େ ଆତଙ୍କ। ମୁକାବିଲା ପାଇଁ ସରକାର ଅଣ୍ଟା ଭିଡ଼ିଲେ। ତାଲା ବନ୍ଦ କଲେ। ନେତା କହିଲେ, ମୁଖା ପିନ୍ଧ, ଚାରି କାନ୍ଥ ଭିତରେ ରହ। ଲୋକଙ୍କ ସହ ସମ୍ପର୍କ ତୁଟାଅ। ହାତ ମୁହଁ ଧୋଇ ଯୁଦ୍ଧ କର। ଲୋକେ ବି ତାଙ୍କରି କଥାରେ ହଁ ଭରିଲେ। ଡାକରା ଶୁଣି ବାଲକୋନି ଉପରୁ ତାଳି ମାରିଲେ। ଦୀପ ଜାଳିଲେ। ଗୀତ ଗାଇଲେ ‘ଯା ଯା ରେ ଯା କରୋନା, ଯା ଯା।’ ପୃଥିବୀ ସାରା ହୁରି ପଡ଼ିଲା ଭାରତ ପରି ଦେଶ ବିଶ୍ବରେ ବିରଳ। କି ମନ୍ତ୍ର ଫୁଙ୍କିଲା ଜେଜାଣି କରୋନା ବାଘ ଗଦ ଶୁଂଘିଲା ପରି ଘୁମେଇ ପଡ଼ିଲା। ସମସ୍ତେ ଆଖି ତରାଟି ଚାହିଁଲେ। ବାଃ ବାଃ କଲେ। ଆମକୁ ସୁନା ପିଲା, ଚୀନ୍‌କୁ ଗ’ ପିଲା କହିଲେ। ଆମ ଛାତି ଛପନ ଇଞ୍ଚରୁ ଅଧିକ ଫୁଲି ଉଠିଲା।

ସବୁ ତ ଠିକ ଥିଲା। ହଠାତ୍‌ ବେଲୁନ୍‌ଟା ଫୁସ୍‌ ହୋଇଗଲା।

ଏତେ ସୁନ୍ଦର ଜରିଦିଆ ଲଡ଼ୁ ଭିତରେ ଏ କି ସାଲୁବାଲୁ? କୁଆଡୁ ଆସିଲେ ଏମାନେ? ରାସ୍ତାରେ, ଘାଟରେ, ବସ୍‌ଷ୍ଟାଣ୍ଡ୍‌ରେ, ଛକଜାଗାରେ, ପୋଲ ଉପରେ, ତଳେ ସବୁଠି ନାହିଁ ନଥିବା ହାଉଯାଉ। ଜାତୀୟ ରାଜପଥରେ ଖାଲି ତାଙ୍କରି ଧାଡ଼ି। ଯୁବକଯୁବତୀ, ବୁଢ଼ାବୁଢ଼ୀ, ପିଲାପିଲି, ଛୋଟାକୁଜା ସମସ୍ତେ ଚାଲିଛନ୍ତି। ସମସ୍ତଙ୍କ ମୁଣ୍ଡରେ ଗଣ୍ଠିଲି, କାନ୍ଧରେ ବୋଝ। ମାଇପିଙ୍କ ସଂଖ୍ୟା ଅଧିକ; ପେଟରେ ଛୁଆ, କାଖରେ ଛୁଆ। କାନି ଧରି କୁନିକୁନି ଖୋଜମାନେ ବି ପଛରେ ଧାଇଁଛନ୍ତି। ସମସ୍ତେ ଲେଉଟାଣି ଜୁଆରରେ ଭାସୁଛନ୍ତି: ଘରକୁ ଫେରିବେ। ଶହ ଶହ ମାଇଲ ଚାଲିବେ। ନା ଖାଇବା ନା ପିଇବା। ନା ଖରା ନା ବର୍ଷା। ନା ବାଘ ନା ଭାଲୁ। କାହାକୁ ଖାତିର ନାହିଁ। ଚାଲିଛନ୍ତି ତ ଚାଲିଛନ୍ତି। ପେଟର ଜ୍ବାଳାରେ ଦିନେ ସେମାନେ ‘ମାଟିର ଡାକ’ ଶୁଣି ମଧ୍ୟ ନଶୁଣିଲା ପରି ଗାଁ ଛାଡ଼ିଥିଲେ। ‘ଯନ୍ତ୍ର ଦାନବର ମନ୍ତ୍ର’ରେ ମୁଗ୍‌ଧ ହୋଇ ତା’ରି ଶରଣ ପଶିଥିଲେ। ଆଜି ହେଜିଲେ ଅସଲ ସାହାରା କିଏ। ମନେ ପଡ଼ିଲା ଗାଁ ମାଟି, ହାତ ପସାରି ଯିଏ ଚାହିଁ ବସିଛି ତା’ରି ଫେରିବା ବାଟକୁ। ତା କୋଳକୁ ନିଶ୍ଚୟ ଫେରିବେ। ଏବେ ନିଜ ମାଟିରେ ଖଟି ଖାଇବେ। ସେଇଠି ଜିଇଁବେ, ସେଇଠି ମରିବେ।

ଏଣେ ଟେଲିଭିଜନ ପରଦାରେ ବିଚିତ୍ର ଦୃଶ୍ୟ। ଛାତି ଫଟା କାହାଣୀ। କେଉଁଠି ଦଶ ବର୍ଷର ବାଳିକାଟିଏ ହଜାରେ ମାଇଲ ଚାଲି ଚାଲି ଗାଁ ମୁଣ୍ଡରେ ଟଳି ପଡ଼ିଛି ତ କେଉଁଠି ସତୁରି ବର୍ଷର ମା’ଟିଏ ପୁଅର କାନ୍ଧରେ ସବାର ହୋଇଛି। କିଏ ବୁଢ଼ା ବାପକୁ ଚକ ଲଗା ପିଢ଼ିଟିରେ ବସାଇ ରଥ ପରି ଟାଣି ନେଉଛି ତ ଆଉ କିଏ ଜେଜେ ମା’କୁ ସାଇ‌େକଲରେ ବସାଇଛି।

ପୁଣି କେହି କେହି ପିଆଜ ବୁହା ଟ୍ରକ୍‌ରେ ହେଉ, ପଥର ବୋ‌େଝଇ ଟ୍ରଲିରେ ହେଉ ବା କଂକ୍ରିଟ୍‌ ଘୋଳା ମେସିନରେ ଲୁଚି ଛପି ଘରକୁ ଫେରିବା ପାଇଁ ହାଇଁ ପାଇଁ। ପୁଣି କେଉଁଠି ହତଭାଗାଙ୍କ ଉପରେ ରେଳ ଗାଡ଼ି ମାଡ଼ି ଗଲାଣି ତ କେଉଁ ବସ୍‌ ଘାଟିରୁ ଖସି ଜୀବନ ନେଲାଣି। ସବୁଠି ଦୁଃଖର, ଦୁର୍ଦଶାର ଦାରୁଣ ଛବି। ଏଣେ କରୋନା ବି ଲାଞ୍ଜ ଫୁଲାଇ ଗର୍ଜି ଉଠୁଛି।

ଏ ସମସ୍ତ ଦୃଶ୍ୟପଟ ପ୍ରତି ସମ୍ପୂର୍ଣ୍ଣ ଅପରିଚିତା ନାତୁଣୀ ପଚାରିଲା, ‘ଏମାନେ ସବୁ କିଏ?’
ଉତ୍ତର ଦେଲି, ‘ବାହାରେ ରହୁଥିବା ଶ୍ରମିକ।’
‘ଏମାନେ କ’ଣ କରନ୍ତି, କେଉଁଠି ଥା’ନ୍ତି?’

ଉତ୍ତରରେ କହିଲି, ‘ଫ୍ୟାକ୍ଟରିରେ କାମ କରନ୍ତି। ପାଣିକଳ ତୟାର କରନ୍ତି। ବିଭିନ୍ନ ସରଞ୍ଜାମ ସଜାଡ଼ନ୍ତି। ଜୀବନକୁ ପାଣି ଛଡ଼ାଇ ନଳା ଭିତରେ ପଶି ନର୍ଦ୍ଦମା ସଫା କରନ୍ତି। ବିଦ୍ୟୁତ ଖୁଣ୍ଟରେ ଚଢ଼ି ତାର ଖଞ୍ଜନ୍ତି, ଓହଳି ଓହଳି ଟଣା ତାରରୁ ଗଛ ଡାଳ ଅଲଗା କରନ୍ତି। ଖଣି ଭିତରେ ପଶି କୋଇଲା ଖୋଳନ୍ତି। ମାଟି ହାଣନ୍ତି। ପଥର ବୁହାନ୍ତି।’

ପୁଣି ନାତୁଣୀର ପ୍ରଶ୍ନ: ‘ଏମାନଙ୍କୁ ଆମେ ଆଗରୁ ଜାଣି ନଥିଲେ କିପରି? ସେମାନଙ୍କ ସମ୍ପର୍କରେ କାହିଁ କେବେ ଚିନ୍ତା କରିବା ଦୂରେ ଥାଉ ଚର୍ଚ୍ଚା କରିବା ତ ମୁଁ ଶୁଣିନି।’

କଠିନ ପ୍ରଶ୍ନ। ତଥାପି ଉତ୍ତର ଦେଲି, ‘ତୋ ଦାନ୍ତ ଦୁଇ ଧାଡ଼ି ତୋତେ କେତେ ସେବା ଦେଉଛି ଜାଣିଛୁ ତ, ତେବେ ତା କଥା କେବେ ଭାବିଛୁ ନା ତା’ର ଯତ୍ନ ନେଇଛୁ? ଦାନ୍ତ ଯେତେବେଳେ ପଡ଼ିଯିବ ବା ପୋକ କାଟିବ ସେତିକି ବେଳେ ହିଁ ତା ସମ୍ପର୍କରେ ସଚେତନ ହେବୁ। ନୁହଁ କି ? ଠିକ୍‌ ସେମିତି ଅସଲ ସେବା ଯେଉଁମାନେ କରିଥା’ନ୍ତି, ତାଙ୍କ କଥା ଆମେ ଭାବୁନା, ସେବାର ଅଭାବରେ ହିଁ ସେମାନଙ୍କୁ ଖୋଜୁ।’

ନାତୁଣୀର ପ୍ରତିକ୍ରିୟା: ମୁଁ ବୁଝି ପାରୁ ନାହିଁ ସେମାନେ ରାଜରାସ୍ତାକୁ ଆସିଲେ କାହିଁକି? ମୁଁ ବି ଭାବୁଥିଲି, ‘ସତେ ତ! ବର୍ତ୍ତମାନ ତ ସରକାର ବହୁତ କିଛି କରୁଛନ୍ତି। ସ୍ବତନ୍ତ୍ର ରେଳଗାଡ଼ି, ବସ୍‌ର ବ୍ୟବସ୍ଥା କଲେଣି। ରହିବା ଖାଇବା ବନ୍ଦୋବସ୍ତ କରୁଛନ୍ତି। ତା’ଛଡା କଞ୍ଚା ପଇସା ବି ଦେଉଛନ୍ତି। ଆଜିର ଏ ସବୁ ଖର୍ଚ୍ଚ ପ୍ରଥମରୁ ତ କରି ପାରିଥା’‌େନ୍ତ। ସେମାନେ ଯେଉଁଠି ଅଛନ୍ତି ସେଠାକୁ ଲୋକ ପଠାନ୍ତେ। ବୁଝାଇ କହନ୍ତେ, ‘ବାବୁରେ, ଭାତ ହାଣ୍ଡି ଯେଉଁଠି ସେ ଜାଗା ଛା’ଡ଼େନା। ଏ ବିପତ୍ତି ଆଜି ଅଛି କାଲିକି ଚାଲିଯିବ। ଧୈର୍ଯ୍ୟ ଧର। ଆମେ ତୋ ପଛରେ ଅଛୁ। ବଞ୍ଚିବା ପାଇଁ ଯାହା ନିତାନ୍ତ ଆବଶ୍ୟକ ତାହା ଆମେ ଭରଣା କରିବୁ।’ ଏ ପ୍ରକାର ଭରସା ପାଇ ହୁଏତ ସେମାନେ ଯେଉଁଠି ଥିଲେ ସେଠି ରହିଥା’ନ୍ତେ। ଏତେ କଷ୍ଟ ଭୋଗି ନଥା’ନ୍ତେ। ଦେଶର ଏ ବୀଭତ୍ସ ଦୃଶ୍ୟ ଦେଖିବାକୁ ପଡ଼ନ୍ତା ନାହିଁ।

ମୁଁ କହିଲି: ସରକାର ପ୍ରଥମରୁ ଚିନ୍ତା କରିଥିଲେ ଭଲ ହୋଇଥାନ୍ତା। ବେଳେବେଳେ ବଡ଼ ବଡ଼ ଲୋକେ ଛୋଟଛୋଟ କଥା ଭୁଲି ବଡ଼ ବଡ଼ ଭୁଲ କରିପକାନ୍ତି। ଏମିତି ଭୁଲ ସେଦିନ ସାହେବମାନେ ନଅଙ୍କ ଦୁର୍ଭିକ୍ଷ ବେଳେ କରିଥିଲେ। ଭୁଲି ଗଲେ ଯେ ଗୋଟିଏ ଜାତି ବଞ୍ଚିବାକୁ ହେଲେ ଦୁଇବେଳା ଦି ବକତ ଖାଇବା ଆବଶ୍ୟକ। ଗବ ଗଛକୁ ଧାନଗଛ ବୋଲି ଭାବି ନାହିରେ ତେଲ ଦେଇ ଶୋଇ ଗଲେ। ଚେତା ପଶିଲା ବେଳକୁ ନେଡ଼ି ଗୋଡ଼ କହୁଣିକୁ ବୋହି ସାରିଥିଲା। ଲକ୍ଷ ଲକ୍ଷ ଲୋକ ପୋକ ମାଛି ପରି ମରି ସାରିଥିଲେ। ତେବେ ତାର ପ୍ରତିକ୍ରିୟାରେ ଓଡ଼ିଆ ଜାତିର ଏକ ଅଦ୍ଭୁତ ନବ ଜାଗରଣ ସୃଷ୍ଟି ହୋଇଥିଲା। ଫଳରେ ଓଡ଼ିଆ ଭାଷା ବଞ୍ଚିଲା, ଓଡ଼ିଆ ଜାତି ତାର ‘ହୃତ ଗୌରବ’ ଫେରି ପାଇଲା। ଉତ୍କଳ ଜନନୀ ସାରା ଜଗତ୍‌ ଆଗରେ ମୁଣ୍ଡଟେକି ଛିଡ଼ା ହେଲା।

ଆଜିର ଏ ଘରବାହୁଡା ବ୍ୟାକୁଳତା ଅସଂଖ୍ୟ ଶ୍ରମିକଙ୍କ ହତାଶାର ହାହାକାର ନୁହଁ, ଆଉ ଏକ ନୂତନ ଜାଗରଣର ସୂତ୍ରପାତ। ଏ ଜାଗରଣ ଗ୍ରାମାଞ୍ଚଳର ଅଭ୍ୟୁତ୍ଥାନ ପାଇଁ। ଚାଷୀ ମୁଲିଆଙ୍କ ସମୃଦ୍ଧି ପାଇଁ, ସମ୍ମାନ ପାଇଁ, ସମାନତା ପାଇଁ। ଏକ ସୁଖଶାନ୍ତିମୟ ସବୁଜ ବିପ୍ଳବ ପାଇଁ। ଏହା ମାଟିର ଡାକ, ମା’ର ଡାକ।

ଏନ୍ ୩/୩୧୬, ଆଇ.ଆର୍. ସି. ଭିଲେଜ
ଭୁବନେଶ୍ବର-୧୫
ମୋ-୯୪୩୭୪୯୦୯୨୭

ସମ୍ବନ୍ଧିତ ଖବର