ଚୀନୀ ଚରିତ୍ର

ଅବନୀ ର˚ଜନ ନାୟକ

ଚୀନର ସାମ୍ରାଜ୍ୟବାଦୀ ଓ ଅଶାନ୍ତି ସୃଷ୍ଟିକାରୀ ଚରିତ୍ରକୁ ବୁଝିବା ଲାଗି ଗୋଟିଏ ଉଦାହରଣ ଯଥେଷ୍ଟ। ତାହା ହେଲା ଏହା ଯେ ଚୀନର ସୀମାକୁ ଲାଗିଥିବା ଦେଶଗୁଡ଼ିକର ସ˚ଖ୍ୟା ୧୪, ଅଥଚ ୨୩ଟି ଦେଶ ସହିତ ତା’ର ସୀମା ବିବାଦ ରହିଛି ବୋଲି ତାର ଦାବି। ଏବେ କରୋନା ‘ପାଣ୍ତେମିକ’ ହେବା ପରେ ଓ ତହିଁରେ ଚୀନର ସନ୍ଦିଗ୍‌ଧ ଭୂମିକା ସତ୍ତ୍ବେ ଟିକିଏ ହେଲେ ବି ବିବେକ ଦ˚ଶନର ଶିକାର ନ ହୋଇ ଚୀନ ଆରମ୍ଭ କରିଥିବା ଉତ୍ପାତରୁ ଏବେ ପୃଥିବୀର ସବୁ ଦେଶ ଅସଲ ଚୀନୀ ଚରିତ୍ରକୁ ବୁଝି ସାରିଲେଣି।

୧୯୬୨ ମସିହା ଭାରତ-ଚୀନ୍‌ ଯୁଦ୍ଧ ପରେ ବିଚ୍ଛିନ୍ନ ହୋଇ ପଡ଼ିଥିବା କୂଟନୈତିକ ସମ୍ପର୍କକୁ ୧୯୭୬ ମସିହାରେ ପୁନଃ ସ˚ଯୋଗ କରାଯିବା ପରେ ଦୁଇ ଦେଶ ମଧୢରେ ବନ୍ଧୁତା ଖାତିରରେ ଅନେକଗୁଡ଼ିଏ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୯୮୮, ୧୯୯୩ ଓ ୧୯୯୬ ମସିହାରେ ସମ୍ପାଦିତ ହୋଇଥିବା ଚୁକ୍ତିଗୁଡ଼ିକ ଏହି ପରିପ୍ରେକ୍ଷୀରେ ଉଲ୍ଲେଖଯୋଗ୍ୟ। ଦ୍ବିପାକ୍ଷିକ ବିବାଦ ସମାଧାନ ପାଇଁ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ସୃଷ୍ଟି କରିବା, ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ସଶସ୍ତ୍ର ସେନା ମୁତୟନ ଓ ସାମରିକ କାର୍ଯ୍ୟାନୁଷ୍ଠାନକୁ ବାରଣ କରିବା ସହିତ ସୀମା ନିକଟରେ ଶାନ୍ତି, ଶୃଙ୍ଖଳା ଓ ସ୍ଥିତାବସ୍ଥା ବଜାୟ ରଖିବା ଇତ୍ୟାଦି ସେହି ଚୁକ୍ତିଗୁଡ଼ିକରେ ସ୍ପଷ୍ଟ ଭାଷାରେ ବର୍ଣ୍ଣନା କରାଯାଇଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ଚୀନ୍‌ ପକ୍ଷରୁ ଚୁକ୍ତି ଖିଲାପକାରୀ ଘଟଣାଗୁଡ଼ିକ ଦୃଷ୍ଟିଗୋଚର ହୋଇଆସୁଛି। ଅଗଷ୍ଟ ୨୦୧୭ ଡୋକଲାମ ସୀମାତିକ୍ରମ ଘଟଣା ସହିତ ସେହି ବର୍ଷ ୪୨୬, ୨୦୧୬ରେ ୨୭୩, ୨୦୧୮ରେ ୧୭୦, ୨୦୧୯ରେ ଶତାଧିକ ଥର ଏବ˚ ଚଳିତ ବର୍ଷ ଏପ୍ରିଲ ୨୦୨୦ ସୁଦ୍ଧା ୧୩୦ ଥର ଚୀନ୍‌ ସେନା ସୀମାତିକ୍ରମ କରି ଭାରତୀୟ ଭୂଖଣ୍ତରେ ପ୍ରବେଶ କରି ସମ୍ପାଦିତ ଚୁକ୍ତିଗୁଡ଼ିକୁ ଅବମାନନା କରିଛି। ସ˚ପ୍ରତି ଭାରତ ଓ ଚୀନ ମଧୢରେ ଥିବା ‘ପ୍ରକୃତ ନିୟନ୍ତ୍ରଣ ରେଖା’ ବା ‘ଏଲ୍‌ଏସି’ ଠାରେ ଦେଖା ଦେଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ୧୯୬୨ ମସିହା ଯୁଦ୍ଧ ପରଠାରୁ ଚୀନ ଦ୍ବାରା ଧାରବାହିକ ଭାବରେ ସୀମାତିକ୍ରମ କରିବାର ଏଭଳି ଅନେକ ଏକପାଖିଆ ଉଦ୍ୟମ ପ୍ରଣିଧାନଯୋଗ୍ୟ। ଏହା ଦ୍ବାରା ଚୀନ ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତାବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଇଚ୍ଛୁକ। କିନ୍ତୁ ଭାରତର କୂଟନୈତିକ ଓ ସାମରିକ କାର୍ଯ୍ୟାନୁଷ୍ଠାନ ହେତୁ ଚୀନ ସବୁ ଥର ପଛକୁ ହଟିବାକୁ ବାଧୢ ହୋଇଛି। ଏଠାରେ ଏଭଳି କିଛି ଘଟଣାର ଆଲୋଚନା କରାଯାଇଛି।

୧୯୬୭ ମସିହା ସେପ୍‌ଟେମ୍ବର ମାସରେ ସିକିମ ନିକଟସ୍ଥ ନାଥୁଲା ନିକଟରେ ଚୀନ ସୈନିକମାନଙ୍କ ଅନୁପ୍ରବେଶ ବିରୋଧରେ ଭାରତୀୟ ସେନା ଏକ ବୃହତ୍‌ ସାମରିକ କାର୍ଯ୍ୟାନୁଷ୍ଠାନ କରି ସଫଳତା ପାଇଥିଲା। ଚାରିଦିନ ଧରି ଚାଲିଥିବା ସେହି ସାମରିକ ଅଭିଯାନରେ ପ୍ରାୟ ୩୪୦ ଚୀନ ସୈନିକ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ ୪୫୦ ଜଣ କ୍ଷତାକ୍ତ ହୋଇଥିଲେ। ଭାରତ ପକ୍ଷରୁ ପ୍ରାୟ ୮୮ ଜଣ ସୈନିକ ସହିଦ ହୋଇଥିବା ବେଳେ ୧୬୩ ଜଣ ଆହତ ହୋଇଥିଲେ। ଭାରତୀୟ ସେନାର ଦୃଢ଼ ପ୍ରତିରୋଧ ବଳରେ ଚୀନ ସେନା ପଛଘୁଞ୍ଚା ଦେଇଥିଲା। ସେତେବେଳେ ସିକିମ ଏକ ସ˚ରକ୍ଷିତ ରାଜ୍ୟ ଥିଲା ଏବ˚ ସେହି ଘଟଣାର ଆଠ ବର୍ଷ ପରେ ଭାରତର ଅନ୍ୟତମ ରାଜ୍ୟ ଭାବରେ ଅନ୍ତର୍ଭୁକ୍ତ ହେଲା।
ସେମିତି ୧୯୮୬-୮୭ ମସିହାରେ ଅରୁଣାଚଳସ୍ଥିତ ସୋମଦୁରୋଙ୍ଗ ଚୁ ଉପତ୍ୟକା ନିକଟରେ ଆଉ ଗୋଟିଏ ବଡ଼ ଉତ୍ତେଜନା ସୃଷ୍ଟି ହୋଇଥିଲା। ତାଵଙ୍ଗ ଜିଲ୍ଲାର ସୋମଦୁରୋଙ୍ଗ ଚୁ ନଦୀକୂଳସ୍ଥିତ ଥାନଡ୍ରୋଙ୍ଗ ଚାରଣ ଭୂମିରେ ଚୀନ୍‌ ସେନା ଅନୁପ୍ରବେଶ କରି ସମଗ୍ର ଶୀତ ଋତୁ ସେଠାରେ ଉପସ୍ଥିତି ଜାହିର କରିବାକୁ ମନସ୍ଥ କରିଥିଲେ। କିନ୍ତୁ ଭାରତୀୟ ସେନାବାହିନୀର ପର୍ବତ ଡିଭିଜନର ଏକ ବ୍ରିଗେଡକୁ ଆକାଶ ମାର୍ଗରେ ନେଇ ଜିମିଥାଙ୍ଗ ଅଞ୍ଚଳର ଏକ ଶିଖରରେ ମୁତୟନ କରାଗଲା। ତେବେ ସେ ସମୟରେ ଚୀନ ଗସ୍ତରେ ଥିବା ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରୀ କାସ୍‌ପର େଵନବର୍ଗରଙ୍କୁ ତତ୍କାଳୀନ ଚୀନ ରାଷ୍ଟ୍ରପତି ଡେଙ୍ଗ ଜିଆଓପିଙ୍ଗ କହିଥିବା କଥାଟିଏ େଵନବର୍ଗର ତାଙ୍କ ଦେଶ ଫେରନ୍ତା ବାଟରେ ନୂଆଦିଲ୍ଲୀରେ ପ୍ରଘଟ କରି ଦେବା ପରେ ଭାରତୀୟ ସେନାର ପ୍ରାୟ ୫୦,୦୦୦ ସୈନିକ ଅସ୍ତ୍ରଶସ୍ତ୍ର ଓ ହେଲିକପ୍‌ଟର ସହିତ ସମଗ୍ର ପୂର୍ବାଞ୍ଚଳରେ ମୁତୟନ ହେଲେ। ଡେଙ୍ଗ ଜିଆଓପିଙ୍ଗ େଵନବର୍ଗରଙ୍କୁ କହିଥିବା ସେହି କଥାଟି ଥିଲା: ଭାରତକୁ ଉଚିତ ଶିକ୍ଷା ଦିଆଯିବ। ସେ ଯାହା ହେଉ, ଏହା ପରେ ଭାରତୀୟ ପଦାତିକ ଓ ଆକାଶ ବାହିନୀ ମିଳିତ ଭାବେ ‘ଅପରେସନ ଚେକରବୋର୍ଡ’ ନାମରେ ଏକ ମିଳିତ ସମରାଭ୍ୟାସ ଆରମ୍ଭ କରିଦେଲେ, ଯାହା ଅକ୍ଟୋବର ୧୯୮୬ରୁ ମାର୍ଚ୍ଚ ୧୯୮୭ ପର୍ଯ୍ୟନ୍ତ ଚାଲିଲା। ଏହା ସହିତ ତାଳ ଦେଇ ଭାରତର ପଶ୍ଚିମ ସୀମା ରାଜସ୍ଥାନ ଅଞ୍ଚଳରେ ପ୍ରାୟ ଛଅ ଲକ୍ଷ ସୈନିକ ଆଉ ଏକ ବୃହତ ସାମରିକ ଯୁଦ୍ଧାଭ୍ୟାସ ‘ଅପରେସନ ବ୍ରାସଟାକ୍‌ସ’ ଆରମ୍ଭ କଲେ। ଏହି ସମୟ ଖଣ୍ତରେ ଚୀନ ସହିତ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରାଗଲା। ଏଭଳି ଯୁଦ୍ଧ ଆଶଙ୍କାର ଘନଘଟା ମଧୢରେ ତତ୍କାଳୀନ ଭାରତୀୟ ବୈଦେଶିକ ମନ୍ତ୍ରୀ ନାରାୟଣ ଦତ୍ତ ତିଵାରୀ ଚୀନ ଗସ୍ତ କଲେ। ତା’ପରେ ଦୁଇ ଦେଶର ଫିଲ୍‌ଡ କମାଣ୍ତରଙ୍କ ମଧୢରେ ବାର୍ତ୍ତାଳାପ ହେଲା ଓ ଉଭୟ ଦେଶ ଆପଣା ସେନା ପ୍ରତ୍ୟାହାର କରି ନେଇଥିଲେ।

୨୦୧୩ରେ ଦୌଲତବେଗ ଓଲଡି ଅଞ୍ଚଳରେ ଚୀନ ସେନା ଅନୁପ୍ରବେଶ କରିଥିଲା। ଅନୁପ୍ରବେଶ ସ୍ଥଳୀରୁ ୩୦୦ ମିଟର ବ୍ୟବଧାନରେ ଭାରତୀୟ ସେନା ତତ୍‌କ୍ଷଣାତ ସେମାନଙ୍କ ପ୍ରତିରୋଧ କଲେ ଓ ଆପଣା ଉପସ୍ଥିତି ଜାହିର କଲେ। ଦୁଇ ଦେଶ ମଧୢରେ ପୁଣି ବାର୍ତ୍ତାଳାପ ଆରମ୍ଭ ହେଲା। ଏହି ସମୟରେ ଚୀନ ସାମରିକ ଟ୍ରକ୍‌ ଓ ହେଲିକପ୍‌ଟର ପଠାଇ ସୀମାରେ ଉତ୍ତେଜନା ବୃଦ୍ଧି କରିବାକୁ ଲାଗିଲା। କିନ୍ତୁ ଚୀନର ଏ ଚାପ ପ୍ରୟୋଗ କୌଶଳ ବ୍ୟର୍ଥ ହେଲା। ତିନି ସପ୍ତାହ ଅସ୍ଥିରତା ପରେ ଉଭୟ ପକ୍ଷ ପୁଣି ପ୍ରକୃତ ନିୟନ୍ତ୍ରଣ ରେଖା ଠାରୁ ପଛକୁ ହଟିଲେ।

ସେମିତି ୨୦୧୪ ମସିହାରେ ଚୁମାର ଠାରେ ଚୀନ ସେନାର ଅତିକ୍ରମଣର ପ୍ରୟାସ ଭାରତୀୟ ସେନାଙ୍କ ବିରୋଧର ସାମନା କରିଥିଲା। ଏକୋଇଶ ଦିନ ମୁହାଁମୁହିଁ ହୋଇ ରହିବା ପରେ ଚୀନା ସୈନ୍ୟ ପ୍ରଥମେ ସେମାନଙ୍କ ତମ୍ବୁ ହଟାଇ ନେଇଥିଲେ ଓ ପୂର୍ବେ ଯେଉଁ ସ୍ଥାନରେ ପଇଁତରା ମାରୁଥିଲେ, ସେଠାକୁ ଫେରିଯିବାକୁ ରାଜି ହୋଇଥିଲେ।

ତା’ ପରେ ଆସିଥିଲା ଡୋକଲାମ ମୁହାଁମୁହିଁ ସ୍ଥିତି। ଭାରତ, ଚୀନ ଓ ଭୂଟାନ ତ୍ରିଛକରେ ଅବସ୍ଥିତ ଡୋକଲାମକୁ ନିଜ ଅଧିକାରକୁ ଆଣି ପାରିଲେ। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସହିତ ଭାରତର ଯୋଗାଯୋଗ ବିଚ୍ଛିନ୍ନ ହେବ ବୋଲି ଧରି ନେଇ ଚୀନ ସେନା ୨୦୧୭ରେ ସେଠାରେ ଏକ ରାସ୍ତା ନିର୍ମାଣ କରୁଥିଲା। ପ୍ରକୃତ ନିୟନ୍ତ୍ରଣ ରେଖାର ସ୍ଥିତାବସ୍ଥା ପରିବର୍ତ୍ତନ କରୁଥିବା ଚୀନ ସେନାର ଏହି ରାସ୍ତା ନିର୍ମାଣ ଉଦ୍ୟମକୁ ଭାରତୀୟ ସେନା ବିରୋଧ କଲେ। ସୁତରା˚, ସେଠାରେ ଉତ୍ତେଜନା ସୃଷ୍ଟି ହେଲା। ସେହି ସମୟ ମଧୢରେ ଚୀନର ଗଣମାଧୢମ ‘ଗ୍ଲୋବାଲ ଟାଇମ୍‌ସ୍‌’, ‘ଜିନହୁଆ’ ଇତ୍ୟାଦି ଭାରତ ବିରୋଧରେ ଯୁଦ୍ଧ ହିଁ ଏକମାତ୍ର ବିକଳ୍ପ ବୋଲି କହି ଏକ ମନସ୍ତାତ୍ତ୍ବିକ ଯୁଦ୍ଧ ଆରମ୍ଭ କରିଦେଲେ। ଭାରତ ଉପରେ ଚାପ ପ୍ରୟୋଗ କରିବାକୁ ଯାଇ ଚୀନ ତିବ୍ଦତ ନିକଟରେ ସମରାଭ୍ୟାସ ଆରମ୍ଭ କରିଦେଲା। କିନ୍ତୁ ଭାରତ ନିଜ ସ୍ଥିତିରେ ଦୃଢ଼ ରହିବା ସହିତ ବିପୁଳ ସ˚ଖ୍ୟକ ସୈନିକଙ୍କୁ ନେଇ ‘ଅପରେସନ ଜୁନିପେର’ ଆରମ୍ଭ କଲା। ପରିଶେଷରେ ଦୀର୍ଘ ୭୩ ଦିନର ମୁହାଁମୁହିଁ ସ୍ଥିତି ପରେ ଉଭୟ ପକ୍ଷ ଡୋକଲାମରୁ ହଟିଲେ।

ଚୀନର ସାମ୍ରାଜ୍ୟବାଦୀ ଓ ଅଶାନ୍ତି ସୃଷ୍ଟିକାରୀ ଚରିତ୍ରକୁ ବୁଝିବା ଲାଗି ଗୋଟିଏ ଉଦାହରଣ ଯଥେଷ୍ଟ। ତାହା ହେଲା ଏହା ଯେ ଚୀନର ସୀମାକୁ ଲାଗିଥିବା ଦେଶଗୁଡ଼ିକର ସ˚ଖ୍ୟା ୧୪, ଅଥଚ ୨୩ଟି ଦେଶ ସହିତ ତା’ର ସୀମା ବିବାଦ ରହିଛି ବୋଲି ତାର ଦାବି। ଏବେ କରୋନା ‘ପାଣ୍ତେମିକ’ ହେବା ପରେ ଓ ତହିଁରେ ଚୀନର ସନ୍ଦିଗ୍‌ଧ ଭୂମିକା ସତ୍ତ୍ବେ ଟିକିଏ ହେଲେ ବି ବିବେକ ଦ˚ଶନର ଶିକାର ନ ହୋଇ ଚୀନ ଆରମ୍ଭ କରିଥିବା ଉତ୍ପାତରୁ ଏବେ ପୃଥିବୀର ସବୁ ଦେଶ ଅସଲ ଚୀନୀ ଚରିତ୍ରକୁ ବୁଝି ସାରିଲେଣି।

ମୋ: ୭୦୦୮୪୮୪୧୩୩
[email protected]

ସମ୍ବନ୍ଧିତ ଖବର