ବିଷାଦଗ୍ରସ୍ତ ମାନବ ସମାଜ

କରୋନା ପାନ୍‌ଡେମିକ୍‌ - ଗୋବିନ୍ଦ ପଟ୍ଟନାୟକ

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଦେଶରେ ମାନସିକ ରୋଗରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଭାରତୀୟ ‘ସାଇକିଆଟ୍ରି ସୋସାଇଟି’ ଦ୍ବାରା କରାଯାଇଥିବା ସର୍ଭେରେ ମାନସିକ ରୋଗ ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ୍ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏହି ସର୍ଭେରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ପ୍ରତି ୫ ଜଣ ଭାରତୀୟଙ୍କ ମଧ୍ୟରୁ ଅତି କମରେ ଜଣେ ଜଣେ ମାନସିକ ରୋଗରେ ପୀଡ଼ିତ। ସୂଚନାଯୋଗ୍ୟ ‌େଯ କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ବରେ ଲୋକଙ୍କ ଜୀବନ ଶୈଳୀ ଏବଂ ଅର୍ଥନୀତି ଆଦି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ଆମେରିକା‌ର ସାନଡିଗୋ ୟୁନିଭର୍ସିଟି ଏବଂ ଫ୍ଲୋରିଡା ଷ୍ଟେଟ ୟୁନିଭର୍ସିଟି ଗବେଷକଙ୍କ ମତରେ ମାନସିକ ଅବସାଦ ଆମେରିକା ଅଧିବାସୀଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ପ୍ରତି ଚାରି ଜଣରେ ଜଣେ ମାନସିକ ରୋଗର ଶିକାର। ଚାକିରି ଚାଲିଯାଇଥିବା ଯୁବଗୋଷ୍ଠୀଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଇଛି।

ସମଗ୍ର ବିଶ୍ବରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥିବା‌ କରୋନା ଭାଇରସର ବିସ୍ତାର ସହ ମାନସିକ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ଗୋଟିଏ ସପ୍ତାହରେ ଏପରି ରୋଗୀମାନଙ୍କ ସଂଖ୍ୟାରେ ହାରାହାରି ୧୫ରୁ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ଏହା ହଠାତ୍‌ ଘଟିଥିବାରୁ ଏହାର କାରଣ କରୋନା ବୋଲି ଧାରଣା ଦୃଢ଼ ହୋଇଛି। ସୂଚନାଯୋଗ୍ୟ ଯେ ତାଲାବନ୍ଦ ସମୟରେ ବ୍ୟବସାୟ, ଚାକିରି, ରୋଜଗାର ଓ ସଂଚୟ ହରାଇବା ଭୟ ବଢ଼ିବାରେ ଲାଗିଛି। କୋଭିଡ-୧୯ ମହାମାରୀରେ ମୃତକଙ୍କ ପରିବାର ଯେତିକି ମାନସିକ ଅବସାଦର ଶିକାର ହେଉଛନ୍ତି ଆର୍ଥିକ ମାନ୍ଦାବସ୍ଥା, ପାରିବାରିକ ଅଶାନ୍ତି ଓ ବିଭିନ୍ନ ସାମାଜିକ ସମସ୍ୟାର ସମ୍ମୁଖୀନ ହୋଇ କୋଟି କୋଟି ଲୋକ ଅବସାଦର ଶିକାର ହେଉଛନ୍ତି। ଲକ୍ଷଣ ନଥାଇ କ‌େରାନା ପଜିଟିଭ ଚିହ୍ନଟ ହେବା ବା ଏହି ଭୂତାଣୁ ଭିନ୍ନ ଭିନ୍ନ ରୂପ ବଦଳାଇବା ଭଳି ପରିସ୍ଥିତି ଜନିତ ଭୟ ଅନେକଙ୍କୁ ଆଶଙ୍କା ଓ ବିଷାଦଗ୍ରସ୍ତ କରୁଛି। ଏଭଳି ମହାମାରୀ ପାଇଁ ଅଦ୍ୟାବଧି କୌଣସି ପ୍ରତିଷେଧକ ଟିକା ବା ବଟିକା ନ ବାହାରିବା ମଧ୍ୟ ଉଦ୍‌ବେଗ ଓ ବିଷାଦର କାରଣ ହୋଇଛି। ଆମ ଦେଶର ଲକ୍ଷ ଲକ୍ଷ ଦାଦନ ଶ୍ରମିକଙ୍କ ଘରବାହୁଡ଼ାକୁ ନେଇ ଯେଉଁ ମର୍ମନ୍ତୁଦ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା ଅନେକଙ୍କୁ ବିମର୍ଷ କରିଛି।

କୌଣସି ଘଟଣାର ସତ୍ୟାସତ୍ୟ ନେଇ ଯାଞ୍ଚ କରିବା, କିଛି ନକାରାତ୍ମକ ଘଟଣା ଘଟିବ ବୋଲି ଚିନ୍ତା କରିବା, ଅତୀତ କଥା ବାରମ୍ବାର ମନେ ପକାଇବା ବା ଅତୀତକୁ ବାରମ୍ବାର ଝୁରି ହେବା, ସବୁ କିଛି ଥାଇ ନିଜକୁ ଦୋଷୀ ବୋଲି ମନେ କରିବା, ବାରମ୍ବାର ଭୋକ ଲାଗିବା ବା ବାରମ୍ବାର ଖାଇ ଚାଲିବା, କୌଣସି ନିର୍ଦ୍ଦିଷ୍ଟ କାମରେ ମନ ନ ଲାଗିବା, ନିଦ ନହେବା ଭଳି ଲକ୍ଷଣମାନ ଅବସାଦଗ୍ରସ୍ତ ଠାରେ ଦେଖାଯାଏ, ଯାହା ଏବେ ଅନେକଙ୍କ ଠାରେ ନୂଆ ଉପସର୍ଗ ଭାବେ ଦେଖିବାକୁ ମିଳୁଛି।

ଏ ସଂପର୍କରେ ଜାତିସଂଘ ମହାସଚିବ ଆକ୍ଟୋନିଓ ଗୁଟେରେସ ମଧ୍ୟ ସତର୍କ କରାଇ ଦେଇଛନ୍ତି। ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ସରକାର, ସୁଶୀଳ ସମାଜ ଏବଂ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଆହ୍ବାନ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ଜାତିସଂଘ ମୁଖ୍ୟ କହିଛନ୍ତି ଯେ ଏବେ କୋଭିଡ-୧୯ ମାନସିକ ଚାପ ବୃଦ୍ଧିର କାରଣ ହୋଇଛି। ଏକାନ୍ତବାସ, ଯାତାୟାତ କ୍ଷେତ୍ରରେ କଟକଣା, ପରିବାର ଚଳାଇବା କଷ୍ଟ ଓ ଭବିଷ୍ୟତକୁ ନେଇ ଅନିଶ୍ଚିତତା ତଥା ଆଶଙ୍କା ଲୋକଙ୍କ ମାନସିକ ଚାପକୁ ବଢ଼ାଇ ଦେଇଛି। କରୋନା ମହାମାରୀ ବିରୋଧରେ ଆଗ ଧାଡ଼ିରେ ଲଢୁଥିବା ସ୍ବାସ୍ଥ୍ୟ ସେବା କର୍ମଚାରୀ ବା ପୁଲିସଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତରେ ଅଧିକାଂଶ ଏବେ ମାନସିକ ଚାପରେ। କିନ୍ତୁ ଦୀର୍ଘ କାଳ ଧରି ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରକୁ ଅବହେଳା କରାଯାଉଥିବାରୁ ଏବେ ତା ଉପରେ ଗୁରୁତ୍ବ ପ୍ରଦାନ କରାଯିବା ଅତ୍ୟନ୍ତ ଜରୁରୀ। ସରକାରୀ ସ୍ୱାସ୍ଥ୍ୟସେବାର ଏହା ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେବା ଆବଶ୍ୟକ। ଏହାକୁ ପ୍ରାଥମିକତା ନ ଦେଲେ ମାନବ ସମାଜର ଏକ ବୃହତ୍‌ ଭାଗ ମାନସିକ ସଂକଟର ସମ୍ମୁଖୀନ ହେବ।

ମାନସିକ ରୋଗୀ ସଂଖ୍ୟା ‌ଚୀନରେ ସର୍ବାଧିକ ହୋଇଥିବା ବେଳେ ଭାରତ ଦ୍ବିତୀୟରେ ରହିଛି। ପରନ୍ତୁ ଚୀନରେ ମାନସିକ ରୋଗ ଚିକିତ୍ସା କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରାଯାଉଛି। ଆମ ଦେଶରେ ମଧ୍ୟ ଏହି କ୍ଷେତ୍ରରେ ଅଧିକ ପୁଞ୍ଜି ଲଗାଣର ଆବଶ୍ୟକତା ରହିଛି।

ମୋ- ୮୨୮୦୩୩ ୬୩୦୦

ସମ୍ବନ୍ଧିତ ଖବର