ରାଗ ‘ଦେଶ’

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ଶଙ୍କରାଚାର୍ଯ୍ୟ ମଣ୍ତନ ମିଶ୍ରଙ୍କୁ ତର୍କ ପାଇଁ ଆହ୍ବାନ କଲା ବେଳେ କହିଥିଲେ: ହେ ପଣ୍ତିତ ପ୍ରବର ଆପଣଙ୍କ ଜ୍ଞାନର ଭଣ୍ତାର ଦ୍ବୈତର ଅସତ୍ୟ ପ୍ରତିଷ୍ଠାରେ ନିୟୋଜିତ, ମୋର ଅଦ୍ବୈତର କ୍ଷୀଣ ରଶ୍ମିଟିଏ ଆପଣଙ୍କର ସମଗ୍ର ଭଣ୍ତାରକୁ ଉଜାଡ଼ି ଦେଇପାରେ, କାରଣ ଅଦ୍ବୈତ ହିଁ ସତ୍ୟ!

ଗତବର୍ଷ ଇତିହାସବିଦ୍‌ ରୋମିଲା ଥାପରଙ୍କୁ ନିବେଦିତ ସମ୍ମାନ ଗ୍ରନ୍ଥର ପ୍ରକାଶନ ସହିତ ଅନ୍ତତଃ ମୋ ପାଇଁ ଭାରତରେ ଚଳନ୍ତି ଇତିହାସ-ଦୃଷ୍ଟିର ପୃଷ୍ଠପଟ ଉଦ୍‌ଘାଟିତ ହୋଇଗଲା। ରୋମିଲା, ସ୍ବାଧୀନତା ପରବର୍ତ୍ତୀ ଭାରତର ନୂଆ ତର୍ଜମା ପାଇଁ ତତ୍ପର ଐତିହାସିକମାନଙ୍କ ମଧ୍ୟରେ ଅନ୍ୟତମ, କିନ୍ତୁ ତାଙ୍କର ଇତିହାସ ଦୃଷ୍ଟିରେ ବିଚାର ଧାରାର ଏକ ବିରୋଧାଭାସ ଥିଲା, ଯାହାକୁ ମୁଁ ଜଣେ ଛାତ୍ର ଭାବରେ ଅସ୍ପଷ୍ଟ ରୂପରେ ଦେଖିଥିଲି ଓ ସେ ଅସ୍ପଷ୍ଟତା ଏକ ସନ୍ଦିଗ୍ଧତାରେ ପରିଣତ ହୋଇଥିଲା ତାଙ୍କର ‘ଶକୁନ୍ତଳା ପାଠ’ (ଶକୁନ୍ତଳା: ଟେକ୍ଟସ୍‌୍‌, ରିଡ଼ିଙ୍ଗ୍‌ସ, ହିଷ୍ଟ୍ରୀଜ୍‌/ କଲମ୍ବିଆ ୟୁନିଭରର୍ସିଟି ପ୍ରେସ୍‌, ୨୦୧୧) ପରେ। ଏ ସନ୍ଦର୍ଭ ମୁଁ ଏଠି ଉପସ୍ଥାପିତ କରୁଚି ଏଇଥି ପାଇଁ ଯେ ଭାରତକୁ ଭାରତୀୟ ଦୃଷ୍ଟିରେ ଦେଖିବାର ଉଦାହରଣ ପଛରେ ଗୋଟିଏ ବିଚିତ୍ର କିସମର ସ˚କୀର୍ଣ୍ଣତା ବି ଥିଲା ଯାହା ଫଳରେ ଭାରତକୁ ଇତିହାସରେ ପୂର୍ଣ୍ଣ ରୂପରେ ଆମେ କେବେବି ଦେଖିପାରିଲେ ନାହିଁ। ରୋମିଲା ଥାପରଙ୍କ ସହିତ ଐତିହାସିକ ଇରଫାନ୍‌ ହବିବଙ୍କ ନାମ ମଧ୍ୟ ସ୍ମରଣ କରାଯାଇପାରେ। ହବିବ୍‌ ଜଣେ ମାର୍କ‌୍‌ସିଷ୍ଟ ଐତିହାସିକ ଅଥଚ ବିସ୍ମୟକର ଭାବରେ ତାଙ୍କର ଇତିହାସ ଦୃଷ୍ଟିରେ ବି ଉଦାରବାଦ ପ୍ରେରିତ ଏକ ବିଚିତ୍ର ସ˚କୀର୍ଣ୍ଣତା ଥିଲା। ରୋମିଲା ଥାପର ଓ ଇରଫାନ ହବିବ ଦୁହେଁ ୧୯୩୧ରେ ଜନ୍ମ ନେଇଥିଲେ ଓ ଭାରତର ସ୍ବାଧୀନତା ପ୍ରାପ୍ତି ବେଳକୁ ଏ ଦୁହିଁଙ୍କୁ ଷୋହଳ ବର୍ଷ ହୋଇଥିଲା। ସେତେବେଳେ ସେମାନେ କଲେଜ ପାଠ ଆରମ୍ଭ କରିସାରିବେଣି ନିଶ୍ଚୟ। କହିବାରେ ଦ୍ବିଧା ନାହିଁ ଯେ ରୋମିଲା ଥାପର ଓ ଇରଫାନ ହବିବ ଦୁହେଁ ନିଜ ନିଜ କ୍ଷେତ୍ରରେ ପାରଙ୍ଗମ ବିଶ୍ଳେଷଣକାରୀ ବିଦ୍ବାନ। କ୍ଷେତ୍ର ପ୍ରାଚୀନ ଭାରତ, କିନ୍ତୁ ରୋମିଲାଙ୍କ ଦୃଷ୍ଟି ନିବଦ୍ଧ ସାମାଜିକ ପାଠ ଉପରେ, ହବିବଙ୍କ ଦୃଷ୍ଟି ନିବଦ୍ଧ ଶ୍ରେଣୀ ସ˚ଘର୍ଷ ଉପରେ। ୟାର ପରିଣତି ଏହି ଯେ ଏମାନେ ଉପସ୍ଥାପିତ କରିଥିବା ଇତିହାସ ଶୁଭ୍ର ନୁହେଁ ରଞ୍ଜିତ। ରୋମିଲାଙ୍କ ସାମାଜିକ ପାଠର ଆଜେଣ୍ତା ସହିତ ଆମେ ପରିଚିତ ହେଲେ, ଯେତେବେଳେ ଷଷ୍ଠ ଶ୍ରେଣୀର ସ୍କୁଲ ପାଠ ବହିରୁ ପ୍ରାଚୀନ ଭାରତରେ ଗୋ-ମା˚ସ ଭକ୍ଷଣର ଗୋଟିଏ ବକ୍ତବ୍ୟ କାଟି ଦିଆଗଲା। ଉତ୍‌କ୍ଷିପ୍ତ ରୋମିଲା ୟାକୁ ବିଜେପି ସରକାରର ଗୈରିକ ଆଜେଣ୍ତା ବୋଲି କହିଲେ। ମୁଁ ସେ ପର୍ଯ୍ୟନ୍ତ ଜାଣିନଥିଲି ଯେ ଷଷ୍ଠ ଶ୍ରେଣୀର ଗୋଟିଏ ପାଠ୍ୟପୁସ୍ତକ ରୋମିଲାଙ୍କ ଭଳି ଜଣେ ଉଚ୍ଚକୋଟୀର ଇତିହାସବିଦ୍‌ ଲେଖିଥାଇ ପାରନ୍ତି! ଏବେ ସମ୍ମାନ ଗ୍ରନ୍ଥରୁ ଜାଣୁଚି ଯେ ଇତିହାସ ପାଠରେ ଖାଦ୍ୟ ଓ ବ୍ୟଞ୍ଜନର ଇଙ୍ଗିତ ଦେଇ ରୋମିଲା ଏ ସଙ୍କେତ ଦେଉଥିଲେ ଇତିହାସ କେବଳ ଆଧିପତ୍ୟର ବିବରଣୀ ନୁହେଁ, ଏହା ଏକ ସାମାଜିକ ପାଠ ଯେଉଁଥିରେ ଉଦାରବାଦୀ ସମ ଦୃଷ୍ଟିର ସାହିତ୍ୟ ପ୍ରବେଶ କରାଇବା ଦରକାର। କିନ୍ତୁ ଗୋ-ମା˚ସ ଭକ୍ଷଣ ଯଦି ଏକ ଐତିହାସିକ ତଥ୍ୟ ଭାବରେ ତାଙ୍କର ‘ପ୍ରାଚୀନ ଭାରତର ଇତିହାସ’ ଗ୍ରନ୍ଥରେ ନ ରହେ, ତେବେ ଇତିହାସର ସାମାଜିକ ପାଠରେ କି ବିବୃତି ଆସିବ? ମୋ ଦୃଷ୍ଟିରେ କିଛି ବି ତ ନାହିଁ, ପିଲାଏ ବି ଅଯଥା ମା˚ସ ଭକ୍ଷଣକୁ ନେଇ ଚର୍ଚ୍ଚା କରିବେ ନାହିଁ, କିନ୍ତୁ ନା, ଆଉ କିଛି ରହୁ ନ ରହୁ ଗୋମା˚ସ ଭକ୍ଷଣ କଥାଟା କୁଆଡେ଼ ଅତି ଗୁରୁତ୍ବପୂର୍ଣ୍ଣ।

ଏବେ ‘ଶକୁନ୍ତଳା’ ପାଠରେ ରୋମିଲା କି କୁଟିଳ ଓ ବକ୍ର ଦୃଷ୍ଟିରେ ଶକୁନ୍ତଳାଙ୍କୁ ଦେଖି ଭାରତର ଇତିହାସରେ ବ୍ରାହ୍ମଣ୍ୟବାଦୀ ରାଜତନ୍ତ୍ରର ଉତ୍‌ଥାନ ଓ ପତନ ଲକ୍ଷ୍ୟ କରୁଚନ୍ତି ତାହା ବିସ୍ମୟକର। ‘ମହାଭାରତ’ରୁ ‘ଟାଗୋର’ଙ୍କ ପର୍ଯ୍ୟନ୍ତ ଯେତେ ଯିଏ ‘ଶକୁନ୍ତଳା’ଙ୍କ ଚରିତ୍ରକୁ ନେଇ ଲେଖିଚନ୍ତି, ସବୁଥିରୁ ରୋମିଲା ବର୍ଣ୍ଣ ବିଚାରର ତଥ୍ୟ ବାହାର କରିଚନ୍ତି। ଅନ୍ୟ ଭାବରେ କହିଲେ ସେ ଆମକୁ ଉପରେ ଉପରେ ‘ଶକୁନ୍ତଳା’ର ନାରୀ-ବ୍ୟକ୍ତିତ୍ବ ସହିତ ପରିଚିତ କରାଇଲା ବେଳେ ତଳେ ତଳେ ଗୋଟିଏ ବିଡ଼ମ୍ବିତ ଜାତି-ସ˚କ୍ରମିତ ସମାଜକୁ ହିଁ ଦେଖୁଚନ୍ତି। କହିବାରେ ଦ୍ବିଧା ନାହିଁ ଯେ ରୋମିଲାଙ୍କ ଶକୁନ୍ତଳା ପାଠ ପୂର୍ବାଗ୍ରହ ର˚ଜିତ। ଇରଫାନ ହବିବଙ୍କର ଇତିହାସ ଦୃଷ୍ଟିରେ ଯେଉଁ ଶ୍ରେଣୀ ସ˚ଘର୍ଷର ତର୍ଜମା, ତାହା ମଧୢ ଏହି ଉପର-ତଳ ଦ୍ବୈତରେ ରଞ୍ଜିତ। କୃଷି ଓ କୃଷିଜୀବୀର ଜୀବନଧାରା ଭାରତ ପାଇଁ ନିଶ୍ଚୟ ଗୁରୁତ୍ବପୂର୍ଣ୍ଣ, କିନ୍ତୁ ଯେଉଁ ତଥ୍ୟକୁ ଇରଫାନ ହବିବ ଶ୍ରେଣୀ ସ˚ଘର୍ଷର ଦୃଷ୍ଟିରୁ ଆଲୋଚନା କରିଚନ୍ତି, ତାହା ପ୍ରାକୃତିକ ଐତିହାସିକ ଦୃଷ୍ଟି ନୁହେଁ, ତାହା ବିଚାରଧାରାର ଲାବ୍‌-ପ୍ରସ୍ତୁତ ଏକ ରସାୟନ। କୁହାଯାଇପାରେ ଯେ ସ୍ବାଧୀନତା ପରବର୍ତ୍ତୀ ଭାରତରେ ବୌଦ୍ଧିକ ଉଦାରତାର ବିପର୍ଯ୍ୟୟର ଗୋଟିଏ ବଡ଼ କାରଣ ପୂର୍ବାଗ୍ରହ। ୟାକୁ ଆହୁରି ସ୍ପଷ୍ଟ କହିଲେ ବୋଧହୁଏ ଏଇଆ କୁହାଯିବ ଯେ ନିଷ୍କର୍ଷ ଆଗରୁ ପ୍ରସ୍ତୁତ ହୋଇ ରହିଚି, ଘଟନା ଓ ଚରିତ୍ରମାନଙ୍କୁ ତର୍ଜମା କରି ସେଇ ନିଷ୍କର୍ଷର ବାହକ ଭାବରେ ନିର୍ମାଣ କରିବାକୁ ପଡ଼ିବ। ଇ˚ରେଜମାନଙ୍କ ଦ୍ବାରା ରଚିତ ‘ଓରିଏଣ୍ଟାଲିଷ୍ଟ୍‌’ ଇତିହାସକୁ ବଦଳାଇ ସ୍ବାଧୀନ ଭାରତରେ ଏ ନୂଆ ଐତିହାସିକ କି ମାନକ ସ୍ଥାପନ କଲେ? ଏଠି ‘ଓରିଏଣ୍ଟାଲିଜ୍‌ମ’ ଶବ୍ଦର ସାମାନ୍ୟ ଅର୍ଥପ୍ରକାଶ ଜରୁରୀ। ଏଡଵାଡ଼ର୍ ସଇଦ୍‌, କଲମ୍ବିଆ ବିଶ୍ବବିଦ୍ୟାଳୟର ସାହିତ୍ୟ ପ୍ରଫେସର ଓ ପ୍ରସିଦ୍ଧ ଲୋକବିଦ୍ବାନ୍‌ (ପବ୍ଲିକ୍‌ ଇଣ୍ଟେଲେକ୍‌ଚୁଆଲ୍‌), ରୋମିଲା ଥାପର ଓ ଇରଫାନ ହବିବଙ୍କ ଠାରୁ ଚାରିବର୍ଷ ସାନ ଓ ୧୯୭୮ରେ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଓରିଏଣ୍ଟାଲିଜ୍‌ମ୍‌’ ପ୍ରକାଶିତ ହୋଇଥିଲା। ସେଥିରେ ସେ ଉପନିବେଶମାନଙ୍କର ଇତିହାସ ସାମ୍ରାଜ୍ୟବାଦୀ ଐତିହାସିକଙ୍କ ଦ୍ବାରା ଲେଖା ହେବାର ପ୍ରକ୍ରିୟା ଉପରେ ଗୋଟିଏ ଅନ୍ତର୍ଭେଦୀ ଟିପ୍ପଣି ଦେଇଥିଲେ, ଯାହାକୁ ଏକ ତତ୍ତ୍ବ (ଓରିଏଣ୍ଟାଲିଜ୍‌ମ୍‌) ବୋଲି ବର୍ତ୍ତମାନ ଗ୍ରହଣ କରାଯାଉଚି। ସେ କହିଲେ ଯେ ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଐତିହାସିକମାନେ ପୂର୍ବ (ଇଷ୍ଟ)ର ଇତିହାସ ସେହିଭଳି ଲେଖିଛନ୍ତି, ଯେଭଳି ସେମାନେ ତାକୁ ଦେଖିବାକୁ ଚାହିଁଚନ୍ତି। ଅର୍ଥାତ୍‌ ସାମ୍ରାଜ୍ୟବାଦୀ ଐତିହାସିକ ମନ ସ୍ଥିର କରିଚନ୍ତି ଯେ ଭାରତରେ କେବଳ ସାପ, ଭୂତ, ଭୋକିଲା, ଲଙ୍ଗଳା ଲୋକ ରହନ୍ତି। ୟାକୁ ସିଦ୍ଧ କରିବା ପାଇଁ ଇତିହାସକୁ ବି ସେଇ ଆଡକୁ ମୋଡ଼ି ଆଣି ନିଷ୍କର୍ଷରେ ପହଁଚିଗଲେ। ‘ଓରିଏଣ୍ଟାଲିଜ୍‌ମ୍‌’କୁ ଔପନିବେଶିକ ଇତିହାସର ଇତର ଦୃଷ୍ଟି କୁହାଯାଇପାରେ। ଏ ଇତର ଦୃଷ୍ଟିରୁ ଭାରତୀୟ ଇତିହାସକୁ ମୁକ୍ତ କରିବାର ଦାୟିତ୍ବ ଥିଲା ରୋମିଲା ଥାପର ଓ ଇରଫାନ ହବିବଙ୍କ ଭଳି ଐତିହାସିକଙ୍କ ଉପରେ। କିନ୍ତୁ ସେମାନେ କଲେ କ’ଣ? ସେମାନେ ତାଙ୍କର ପୂର୍ବାଗ୍ରହ ରଞ୍ଜିତ ଦୃଷ୍ଟିରେ ଭାରତର ଇତିହାସକୁ ଦେଖିଲେ ଓ କହିବାକୁ ଗଲେ ଗୋଟେ ନିଓରିଏଣ୍ଟାଲିଷ୍ଟ୍‌’ ଇତିହାସ-ଦୃଷ୍ଟିର ସ୍ଥାପନା କଲେ। ଅର୍ଥାତ ଭାରତୀୟ ସମାଜରେ ସ˚ସ୍କୃତିର ବା ଚୈତନ୍ୟର କୌଣସି ଯୋଡ଼ ନାହିଁ, ଏହା ବହୁ ଫାଟରେ ବିଦୀର୍ଣ୍ଣ।

ଅନ୍ୟ ଭାବରେ କହିଲେ ଏମାନେ ଭାରତୀୟତାର କୌଣସି ମହାପାଠ ସମ୍ଭବ ନୁହେଁ ବୋଲି ବିଚାର କରନ୍ତି। ମୋର ଗୁରୁଙ୍କ ଗୁରୁଶ୍ରେଣୀୟ ଏଡେ଼ ମହାନ୍‌ ବିଦ୍ବାନ୍‌ ଏମାନେ; କ’ଣ ଏତିକି ଜାଣନ୍ତି ନାହିଁ ଯେ ତଥ୍ୟ ଦୃଷ୍ଟିରେ ଗୋଟିଏ ଦେଶରେ ଅସ୍ତିତ୍ବ ନିର୍ମାଣ ହୁଏ ନାହିଁ? ଅସ୍ତିତ୍ବର ଭୂଲୋକ ଭୂଗୋଳ ନିର୍ମାଣ କରିସାରିଚି। ଇତିହାସର କାମ ସ˚ଗଠିତ ଓ ସାମୂହିକ ଏକ ଲୋକଜୀବନର ଦୃଷ୍ଟି ନିର୍ମାଣ କରିବା। ୟାକୁ ଅସ୍ତିତ୍ବବାଚୀ ଐତିହାସିକ, ଶୁଭଦୃଷ୍ଟି କୁହାଯିବ। ୟାକୁ ଗ୍ରହଣ କରିବାରେ ଏତେ ଅସ୍ବସ୍ତି କାହିଁକି? ଅସ୍ବସ୍ତି ଏଇଥିପାଇଁ ଯେ ଏମାନେ ଏ ଦେଶର ଐତିହାସିକ, ଅଥଚ ‘ଦେଶ’ର ଆତ୍ମାରେ ଏମାନଙ୍କର ଆସ୍ଥା ନାହିଁ। ଏ ଆସ୍ଥା ନ ରହିବାର କାରଣ ଏମାନଙ୍କର ବୌଦ୍ଧିକ ତାଲିମ। ଏମାନେ ଅକ୍ସଫୋର୍ଡ, କଲମ୍ବିଆ ଆଦି ବିଶ୍ବବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରୁଥିବା ମହାଗୁରୁମାନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଏ ଦୃଷ୍ଟିକୋଣ ଗ୍ରହଣ କରି ନେଲେ ଯେ ‘ଦେଶ’ ଗୋଟିଏ ରୋମାଣ୍ଟିକ୍‌ ଭାବବିଳାସ, ଐତିହାସିକର ଦୃଷ୍ଟିରେ ସତ୍ୟ ତର୍କ ପ୍ରତିଷ୍ଠ ଓ ପ୍ରମାଣସାପେକ୍ଷ। ସତ୍ୟ କ’ଣ? ସତ୍ୟ ହେଉଚି ଐତିହାସିକ ପୂର୍ବାଗ୍ରହ। ତର୍କ କ’ଣ? ତର୍କ ହେଉଛି ପୂର୍ବାଗ୍ରହକୁ ସତ୍ୟରେ ପରିଣତ କରିବାର ଚାତୁର୍ଯ୍ୟ। ଏଥିରେ ସ˚ହତିର ଦୃଷ୍ଟି କାହିଁ? ଶୁଭର ପରିକଳ୍ପନା କାହିଁ? କି ଇତିହାସ ସିଏ ଯିଏ ଗୋଟିଏ ବିଶାଳ ଭୂଖଣ୍ତର ମାନବ ଜୀବନକୁ ସ˚ହତିର ଦୃଷ୍ଟି ଦେଇ ନପାରେ? କି ଇତିହାସ ସିଏ ଯିଏ ଗୋଟିଏ ପ୍ରାଚୀନ ସଭ୍ୟତାକୁ ଅର୍ଦ୍ଧବୌଦ୍ଧିକ ତର୍କମାଡ଼ରେ ଉତ୍ପାଟିତ କରିି ଫିଙ୍ଗି ଦେବା ପାଇଁ ସଦା ଉଦ୍ୟତ? କି ସତ୍ୟ ସିଏ, ଯିଏ ସାମଗ୍ରିକ ଦୃଷ୍ଟିରେ ଲୋକଜୀବନକୁ ବାନ୍ଧିବା ପାଇଁ ଅକ୍ଷମ, ଅଥଚ ବିଭାଜନ ଓ ବିସ˚ଗତିର ଓକିଲାତି କରିବା ପାଇଁ ପ୍ରସ୍ତୁତ? କି ବୌଦ୍ଧିକତା ସିଏ ଯିଏ ଦେଶର ସ୍ମୃତିରେ ଦେଶର ଆତ୍ମାକୁ ଦେଖିପାରେ ନାହିଁ? କି ଶିକ୍ଷା ସିଏ ଯିଏ ରାଷ୍ଟ୍ରର ବିରୋଧ ପାଇଁ ଯୁକ୍ତି ଜୁଟାଏ ଓ ଅସତ୍ୟର ନିର୍ମାଣ ପାଇଁ ସତ୍ୟକୁ ଭ୍ରଷ୍ଟ କରେ?

ଏଇ କିଛିଦିନ ତଳେ ୟାର ଗୋଟିଏ ବିଚିତ୍ର ନମୁନା ପ୍ରସ୍ତୁତ କଲେ ଜଣେ ଐତିହାସିକ। ରଚନାଟି ଉପରେ ଉପରେ ଥିଲା ବଡେ଼ ଗୁଲାମ ଅଲ୍ଲୀଙ୍କ ରାଗ ହ˚ସଧ୍ବନିରେ ଗାୟନ। ଏଭଳି ଗୋଟିଏ ବିଷୟରେ ରଚନାଟିଏ ଦେଖି ମୁଁ ଅତି ଆଗ୍ରହର ସହିତ ତାକୁ ପଢ଼ିଲି। ମୋର ସ୍ମୃତି ଜାଗରିତ ହୋଇଗଲା। ବହୁବର୍ଷ ତଳେ ଜଣେ ସିଭିଲ ସର୍ଭିସ୍‌ ପ୍ରୋବେସନର‌୍‌ ଭାବରେ ମୁଁ ପ୍ରଥମ ଥର ପାଇଁ ହଷ୍ଟେଲ ମେସ୍‌ରେ ପାନ୍ନାଲାଲ୍‌ ବୋଷଙ୍କ ବ˚ଶୀବାଦନର ଗୋଟିଏ ରେକର୍ଡି˚ ସହିତ ପରିଚିତ ହୋଇଥିଲି। ୟାର ଗୋଟେ ପଟେ ଥିଲା ରାଗ ‘ହ˚ସଧ୍ବନି’ ଓ ଆରପଟେ ଥିଲା ରାଗ ‘ହ˚ସ ନାରାୟଣୀ’। କି ଆତୁର ବ˚ଶୀବାଦନ ଥିଲା ‘ହ˚ସଧ୍ବନି’ରେ, କି ଅପୂର୍ବ ପ୍ରଶାନ୍ତି ଥିଲା ‘ହ˚ସ ନାରାୟଣୀ’ରେ। ସେ କ୍ଷୁଦ୍ର ରେକଡ଼ର୍ଟିକୁ ସେତେବେଳର ରେକଡ଼ର୍ ପ୍ଲେଆରରେ ଲଗାଇ ରାତି ରାତି ଶୁଣୁଚି ସେ ରାଗ। ସତେ ଅବା ମୁଁ ପାଗଳ ହୋଇଯାଇଥିଲି ସେ ବ˚ଶୀବାଦନର ମୂର୍ଚ୍ଛନାରେ। ପଣ୍ତିତ ଯଶରାଜ ସେତେବେଳେ ସିମଳାରେ ଗୋଟିଏ ପ୍ରୋଗ୍ରାମ୍‌ କରୁଥାନ୍ତି, ଯେତେବେଳେ ଏବର ପ୍ରସିଦ୍ଧି ପାଇନଥିଲେ। ମୁଁ ତାଙ୍କୁ ଡାକି ଆଣିଥିଲି ହଷ୍ଟେଲକୁ ଓ ସେଇଠି ତାଙ୍କୁ ପଚାରିଥିଲି ମୋର ଏ ରାଗକୁ ନେଇ ଏ ପ୍ରକାରର ପାଗଳ ପଣର କାରଣ। ଯଶରାଜ କହିଥିଲେ: ହ˚ସଧ୍ବନିରେ ପୁଷ୍କରିଣୀରେ ସନ୍ତରଣ କରୁଥିବା ହ˚ସଟିଏ, ସନ୍ଧ୍ୟା ଆସିବା ସହିତ ତାର ଛାୟା ଲୋପ ହୋଇଯିବା ଦେଖି ବ୍ୟାକୁଳ କ୍ରନ୍ଦନ କରୁଚି ଓ ହ˚ସ ନାରାୟଣୀରେ ସେ ଦିବାଲୋକରେ ତାର ଛାୟା ଫେରି ପାଇ ପ୍ରାପ୍ତିର ଆନନ୍ଦରେ ବିଭୋର! ସେ ଦିନର ସେ ଅବର୍ଣ୍ଣନୀୟ ଅନୁଭୂତିକୁ କହିବାର ସୁଯୋଗ ମିଳି ନଥିଲା। ପାନ୍ନାଲାଲ୍‌ ବୋଷଙ୍କର ସେ ବ˚ଶୀ-ବାଦନର ମାଧୁର୍ଯ୍ୟ ଓ ଗଭୀରତା ମୁଁ କେଉଁଠି ବି ପାଇନାହିଁ। ଯଶରାଜଜୀ ମୋ ଭଳି ଜଣେ ଅର୍ବାଚୀନ, ଶାସ୍ତ୍ରୀୟ ସ˚ଗୀତ ଅଜ୍ଞ ତରୁଣକୁ ବୁଝେଇବାକୁ ଯାଇ ଯେଉଁ ମେଟାଫରଟି ବ୍ୟବହାର କରିଥିଲେ, ପ୍ରତିବିମ୍ବ ହରାଇ ପୁଣି ଫେରି ପାଇବାର, ତାହା ମୋତେ ଶାସ୍ତ୍ରୀୟ ସ˚ଗୀତ ମାଧୢମରେ ହରାଇଥିବା ଦେଶର ପୁନଃପ୍ରାପ୍ତିର ଗୋଟିଏ ଅଲୌକିକ ମେଟାଫର ହୋଇ ଏବେ ମଧୢ ବ˚ଚିଚି। କିନ୍ତୁ ଏ ବିଦ୍ବାନ ଜଣକ ରାଗ ‘ହ˚ସଧ୍ବନି’ରେ କି ପ୍ରପ˚ଚ ପୂରେଇଲେ ଦେଖନ୍ତୁ। ପ୍ରଥମେ ସ୍ପଷ୍ଟ କରିଦେଲେ ଯେ ରାଗଟି ହିନ୍ଦୁସ୍ତାନୀ ସିନା ୟାର ମୂଳ କର୍ଣ୍ଣାଟକୀ (ତାଙ୍କ ନିଜ ରାଜ୍ୟ), ପୁଣି ତାକୁ ଗାଇଲେ ବଡେ଼ ଗୁଲାମ ଅଲୀ, ଜଣେ ମୁସଲମାନ ଗାୟକ! ଶେଷରେ ନିଷ୍କର୍ଷ ହେଲା ଯେ ଭାରତୀୟତା ଏକ ବହୁ ବିଭାଜିତ ସା˚ସ୍କୃତିକତା, ଏଥିରେ ଐକ୍ୟର ସମ୍ଭାବନା ନାହିଁ। ମୋ ଭିତରେ ସତେ ଅବା ଗୋଟେ ବିସ୍ଫୋରଣ ହୋଇଗଲା। ବଡେ଼ ଗୁଲାମ ଅଲୀ ଗାଇଲା ବେଳେ କିଏ କଣ କେବେ ଭାବେ ଇଏ ହିନ୍ଦୁ ନା ମୁସଲମାନ? ରାଗ ହ˚ସଧ୍ବନି ଶୁଣିଲା ବେଳେ କିଏ କଣ ଭାବେ ଇଏ କର୍ଣ୍ଣାଟକୀ ନା ହିନ୍ଦୁସ୍ତାନୀ ରାଗ? ଆମେ ସାଧାରଣ ଲୋକେ କାନକୁ ଭଲ ଶୁଭିଲେ ଶୁଣୁ, ଆଖିକୁ ଭଲ ଦିଶିଲେ ଦେଖୁଁ, ମନକୁ ପାଇଲେ ପ୍ରଶ˚ସା କରୁଁ। ଏ ଛଳକପଟ କଲା ବାଲାଏ ଇତିହାସରେ ଜାତୀୟ ଐକ୍ୟର ବିଧ୍ବ˚ସକ ତତ୍ତ୍ବ। ଏମାନଙ୍କର ପ୍ରତିରୋଧ ଭାରତୀୟତାର ନୂଆ ଦର୍ଶନ। ଉପର-ତଳ ଦୁଇ ସ୍ତରରେ ଆମକୁ ଭଣ୍ତେଇ ଚାଲିଥିବା ବୁଦ୍ଧିଜୀବୀଙ୍କୁ ଆହ୍ବାନ ଦେଇ, ତାଙ୍କରି ତଥ୍ୟର ଆଧାରରେ ତାଙ୍କୁ ପରାସ୍ତ କରିବାକୁ ହେବ। ଶଙ୍କରାଚାର୍ଯ୍ୟ ମଣ୍ତନ ମିଶ୍ରଙ୍କୁ ତର୍କ ପାଇଁ ଆହ୍ବାନ କଲା ବେଳେ କହିଥିଲେ: ହେ ପଣ୍ତିତ ପ୍ରବର ଆପଣ ଜ୍ଞାନର ଭଣ୍ତାର ଦ୍ବୈତର ଅସତ୍ୟ ପ୍ରତିଷ୍ଠାରେ ନିୟୋଜିତ, ମୋର ଅଦ୍ବୈତର କ୍ଷୀଣରଶ୍ମିଟିଏ ଆପଣଙ୍କର ସମଗ୍ର ଭଣ୍ତାରକୁ ଉଜାଡ଼ି ଦେଇପାରେ, କାରଣ ଅଦ୍ବୈତ ହିଁ ସତ୍ୟ!

ଆମେ ସାଧାରଣ ଭାରତୀୟ। ଆମର ରାଗ ‘ଦେଶ’। ପଣ୍ତିତ ପ୍ରବର ଯିଏ ଉପରେ ସ˚ଗୀତ ଓ ତଳେ ମାରଣାସ୍ତ୍ର ଲୁଚେଇ ଆମକୁ ଭଣ୍ତେଇଲେ, ଶୁଣିଥିବେ ତ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଗାୟକ ମାନଙ୍କର ସମବେତ ସ୍ବର ଲହରୀରେ ମୁଖରିତ ରାଗ ‘ଦେଶ’, ଟେଲିଭିଜନ୍‌ରେ? ଜାଣିଥିବେ ତ ସେ ମହାପ୍ରାଣ ଗାୟକମାନଙ୍କ ଭିତରେ କିଏ କୋଉ ଜାତିର, କୋଉ ଧର୍ମର, କେହି ପଚାରିବାର ଅବକାଶ ହିଁ ନଥିଲା। ଅଣନିଶ୍ବାସୀ ହୋଇ ବହୁପଥ ଅତିକ୍ରମ କରି ନିଜ ‘ଦେଶ’ କୋଳରେ ଆସି ଆଖି ବୁଜିଦେବାର ଅର୍ଥ କଣ ବୁଝିବେ ବୌଦ୍ଧିକତାର ବ୍ୟବସାୟୀ ସ˚ପ୍ରଦାୟ? ୟାଙ୍କୁ ଆମର ଖାତିର‌୍‌ ନାହିଁ। ଆମର ରାଗ ‘ଦେଶ’। ଏଥିରୁ କି ରାଷ୍ଟ୍ରୀୟତା ବାହାରିଲା, କି ଭାରତୀୟତା ବାହାରିଲା ତାର ଆଲୋଚନା ବି ଆମେ କରୁନାହିଁ। ଭାରତ ଆମ ଦେଶ। ଆମେ ଭାରତୀୟ। ଅପତର୍କର ଦ୍ବିତଳ ପ୍ରାସାଦ ଧ୍ବସ୍ତ କରିବା ପାଇଁ ଆମର ସମବେତ ଆତୁରତା ଯଥେଷ୍ଟ!

ବାଗର୍ଥ, ଏନ୍ ୨/୨୬
ଆଇଆରସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର