ପୃଥିବୀ ବଞ୍ଚିବ

କରୋନା କାଳୀନ ଚିନ୍ତନ - ରାଜେନ୍ଦ୍ର ନାରାୟଣ ଦାସ

ପ୍ରକୃତିର ଅଯାଚିତ ଦାନ ପାଇଁ କୃତଜ୍ଞତା ଜଣାଇବାର ସମୟ ଏବେ ଆସିଛି। ଏହି କରୋନା ସମୟରେ ଡାକ୍ତରମାନେ ଦେବଦୂତ ସାଜିଛନ୍ତି। ପୁଲିସ୍‌ମାନେ ଜନତାର ହିତକାରୀ ବନ୍ଧୁ ସାଜିଛନ୍ତି। ସରକାରୀ ପ୍ରଶାସକମାନେ ପଦ-ପଦବିର ଊର୍ଦ୍ଧ୍ବକୁ ଯାଇ ସେବା ପ୍ରଦାନରେ ଲାଗିଛନ୍ତି। କରୋନା କେବେ ହେଲେ ଏକ ଯୁଗ ସନ୍ଧିର ପ୍ରଳୟ ନୁହେଁ, ଏହା ମନୁଷ୍ୟକୁ ତାର ବିଶୃଙ୍ଖଳିତ ଆଚରଣ ପ୍ରତି ସଚେତନ କରିବାକୁ ପ୍ରକୃତିର ପ୍ରୟାସ। ନିଷ୍ପତ୍ତି ଆମ ହାତରେ। ଆମେମାନେ ସଚେତନ ହେଲେ ପୃଥିବୀ ନିଶ୍ଚୟ ବଞ୍ଚି ରହିବ।

ଆଜି ସମାଜବିଜ୍ଞାନୀଙ୍କ ଠାରୁ ଆରମ୍ଭ କରି ପରିବେଶବିଜ୍ଞାନୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ତୁଣ୍ତରେ ଗୋଟିଏ ପ୍ରଶ୍ନ। କରୋନା ପରେ ପୃଥିବୀର ସ୍ଥିତି କ’ଣ ହେବ? କେହି କେହି କହୁଛନ୍ତି ଯେ ଗୋଟିଏ ଯୁଗର ଅବସାନର ସନ୍ଧିକ୍ଷଣରେ ପୃଥିବୀରେ ପ୍ରଳୟର ସୂତ୍ରପାତ ହୁଏ। ସେଥିରୁ ବର୍ତ୍ତି ଯାଇଥିବା ଜୀବମାନେ କୁଆଡ଼େ ପରବର୍ତ୍ତୀ ଯୁଗ ପାଇଁ ବିହନ ପାଲଟି ଯାଆନ୍ତି।

‘କରୋନା’ ଭଳି ଏକ ଅତିମାରୀକୁ ଆଜି ପୃଥିବୀ ନୂଆ ଦେଖୁନାହିଁ। ଏଭଳି ଅସ˚ଖ୍ୟ ମହାମାରୀ, ଦୁର୍ଭିକ୍ଷ ଓ ଦୁର୍ବିପାକକୁ ପୃଥିବୀ କାଳ କାଳ ଧରି ଦେଖିଆସିଛି। ତଥାପି ପୃଥିବୀ ବଞ୍ଚିଛି, ବଞ୍ଚୁଛି ପୁଣି ବଞ୍ଚି ରହିିବ ମଧ୍ୟ।

ମଣିଷ ଯେତେବେଳେ ନିଜକୁ ସର୍ବଶକ୍ତିମାନ ବୋଲି ମନେ କରେ ସେତିକି ବେଳେ ତାର କାର୍ଯ୍ୟକଳାପ ସହନୀୟ ହେବାର ସମସ୍ତ ସୀମା ଟପିଯାଏ। ଆଉ ସେତିକି ବେଳେ ପ୍ରକୃତି ତାର ରାଗ ଶୁଝାଏ। ଏ କଥା ଆମ ପିଲାଦିନେ ଗୁରୁଜନମାନେ କହୁଥିଲେ। ସେମାନେ ଏହା ମଧୢ କହିଥିଲେ ଯେ ପ୍ରକୃତି ଯେତେବେଳେ ଶାନ୍ତ ଥାଏ, ମଣିଷ କୁଆଡ଼େ ତା’ଠାରୁ କିଛି ଶିଖେ ନାହିଁ। ସେ ଯେତେବେଳେ ଅଶାନ୍ତ ହୁଏ, ମଣିଷ ଶିକ୍ଷା ଲାଭ କରେ। ତେଣୁ, ପ୍ରକୃତି ଆଜି ଶିକ୍ଷୟିତ୍ରୀ ସାଜି ଆସିଛି। ପ୍ରଥମେ ପ୍ରଥମେ କିଛି ଦିନ କରୋନା ସହିତ ମଣିଷ ଲଢ଼େଇ କଲା ପରେ ଆଜି ବୋଧହୁଏ ତାର ବୁଦ୍ଧି, ବଳ ଓ କୌଶଳ ପରାସ୍ତ ହୋଇଛି। ଆଜି ମଣିଷ ଅନୁଭବ କରୁଛି ଯେ ସେ ସର୍ବଶକ୍ତିମାନ ନୁହେଁ। ଏପରି ସମୟରେ ନିରହ˚କାର ଭାବେ ନିଜର ନ୍ୟୂନତା ସ୍ବୀକାର କରିବା ହିଁ ତାର ଏକମାତ୍ର ଅବଲମ୍ବନ।

ମଣିଷ ଜିହ୍ବା ଲାଳସାର ବଶବର୍ତ୍ତୀ ହୋଇ ଖାଦ୍ୟ-ଅଖାଦ୍ୟ ବାଛ ବିଚାର ନ କରିବାରୁ କୋଭିଡ୍‌-୧୯ ଭୂତାଣୁ ମଣିଷ ଦେହକୁ ସ˚କ୍ରମିତ ହେବାର କ୍ଷମତା ପାଇଗଲା। ଏହି ଭୂତାଣୁକୁ ବିନାଶ କରିବା ଲାଗି ଟିକା ବା ଔଷଧୀୟ ଉପଚାର ଉଦ୍ଭାବିତ ନ ହେବା ଯାଏ ମଣିଷ ସମାଜର ନିସ୍ତାର ନାହିଁ। ଏତିକି ବେଳେ କେବଳ ପ୍ରଣିଧାନଯୋଗ୍ୟ ହେଲା କରୋନା ଆମକୁ କ’ଣ ଶିଖାଇଛି?

ଗାନ୍ଧୀଜୀ କହୁଥିଲେ, ‘ଆଇ ସାଲ୍‌ ମିନିମାଇଜ୍‌ ମାଇସେଲ୍‌ଫ ଟୁ ଜିରୋ’ ଅର୍ଥାତ୍‌ ମୁଁ ନିଜକୁ ଶୂନ୍ୟ ଆବଶ୍ୟକତା ସ୍ତରକୁ କମାଇ ପାରିବି। କାର୍ଯ୍ୟରେ ସେ ସେଇଆ କରି ଦେଖାଇଥିଲେ। ହଳେ ଚପଲ, ଗୋଟିଏ ଚଷମା, ପକେଟ ଘଡ଼ିଟେ, ଆଣ୍ଠୁ ଲୁଚୁ ନଥିବା ଖଦଡ଼ଲୁଗା, ଚାଦର ଖଣ୍ତେ ଓ ବାଡ଼ି ଖଣ୍ତେ ଭଳି ମାତ୍ର ଛଅଟି ଦ୍ରବ୍ୟ ଥିଲା ତାଙ୍କର ସମଗ୍ର ସ˚ପତ୍ତି। ତାଙ୍କ ଭଳି ଅସାଧାରଣ ବ୍ୟକ୍ତିମାନଙ୍କର ଦୃଷ୍ଟାନ୍ତ କୋଟିକରେ ଗୋଟିଏ।

ଆଜି ସେଭଳି ଜୀବନଶୈଳୀ ପରିହାସାସ୍ପଦ ହୋଇଥିଲେ ମଧୢ ଯାହା ବିଚାରଯୋଗ୍ୟ ତାହା ହେଲା କରୋନା ଯୋଗୁଁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ମଣିଷ ଠିକ୍‌ ବୁଝିପାରିଛି ଯେ ଆବଶ୍ୟକତାକୁ ଅତି କମ୍‌ରେ ରଖି ମଧୢ ଜୀବନ ଜିଆ ଯାଇପାରେ ଏବ˚ ତାହା ସୁନ୍ଦର ମଧୢ ହୋଇପାରେ। ଏହି ଲକ୍‌ଡାଉନ୍‌ କାଳରେ ଗଙ୍ଗାନଦୀ ନିର୍ମଳ ହୋଇଯାଇଛି, ଯାହା ହଜାର ହଜାର କୋଟି ଟଙ୍କା ବ୍ୟୟରେ ମଧୢ ସଫଳ ହୋଇ ନଥିଲା। ଆଜି ପବନ ବି ବିଶୁଦ୍ଧ। ଆଜି ମଣିଷର ଅନୁପସ୍ଥିତିରେ ତା ଭୟରେ ଲୁଚି ରହିଥିବା ଜୀବମାନେ ମୁହଁ ଦେଖାଇଲେଣି। ଜନପଦ ଓ ବିପଣି କୋଳାହଳ ଶୂନ୍ୟ। ‘ହ୍ୟାଣ୍ତ୍‌ସେକ୍‌’ ବଦଳରେ ଏବେ ସର୍ବତ୍ର ପ୍ରୀତିପୂର୍ଣ୍ଣ ଭଙ୍ଗୀରେ ଭାରତବର୍ଷ ଶିଖାଇଥିବା ନମସ୍କାରର ମୁଦ୍ରା। ସିଧାସିଧା କହିଲେ କରୋନା ଶିଖାଇଛି ଯେ ‘ଏ ଜୀବନ କେବଳ ନିଜର ନୁହେଁ, ସମଗ୍ର ଜଗତ୍‌ର।’

କରୋନା ଆମକୁ ଶିଖାଇଛି ଯେ ନିଜ କାମ ନିଜ ହାତରେ କର। ଆମେ ତାହା ସ˚ପୂର୍ଣ୍ଣ ଭାବରେ ଭୁଲିଯାଇଥିଲୁ। ଆଜି ଆମେ ବାଧୢତାମୂଳକ ‘ସଙ୍ଗରୋଧ’ରେ କାଳ ଅତିବାହିତ କରୁଛେ। ସଙ୍ଗରୋଧକୁ ଉପଭୋଗ କରିବା ପାଇଁ ମାନସିକତା ପ୍ରସ୍ତୁତ କରୁଛେ। ସଙ୍ଗରୋଧଜନିତ ଏକାନ୍ତ ବାସରୁ ମାନସିକ ଶାନ୍ତିକୁ ଉପଲବ୍‌ଧି ମଧୢ କରୁଛେ।

କରୋନା ମଣିଷର ଚିନ୍ତନରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସାମାଜିକ ଗଣମାଧୢମରେ ଏକ ସୁନ୍ଦର କଥା ଏବେ ଘୂରିବୁଲୁଛି। ତାହା ହେଉଛି ଏହିପରି: ଜଣେ ଧନାଢ଼୍ୟ କରୋନା ରୋଗୀ ଦୀର୍ଘ ଏକ ମାସ ମୃତ୍ୟୁ ସହ ସ˚ଘର୍ଷ କରି ଶେଷରେ ଆରୋଗ୍ୟ ଲାଭ କଲେ। ଚିକିତ୍ସା ସମୟରେ ତାଙ୍କ ମୁହଁରେ ଅକ୍‌ସିଜେନ୍‌ ମାସ୍କ୍‌ ଦିନରାତି ଲାଗିଥିଲା। ଡାକ୍ତରଙ୍କ ଠାରୁ ଜାଣିବାକୁ ପାଇଲେ ଯେ ସେ ପ୍ରତିଦିନ ଗ୍ରହଣ କରିଥିବା ଅକ୍‌ସିଜେନ୍‌ର ମୂଲ୍ୟ ଥିଲା ଦଶ ହଜାର ଟଙ୍କା। ଏହା ଜାଣି ସେ ବିଷାଦଗ୍ରସ୍ତ ହୋଇଗଲେ। ଡାକ୍ତର ତାଙ୍କୁ ଆଶ୍ବାସନା ଦେଇ କହିଲେ, ‘ଆପଣ ଚିନ୍ତା କରନ୍ତୁ ନାହିଁ, ସରକାର ଏ ବ୍ୟୟ ବହନ କରିବେ। ଆପଣ ସରକାରଙ୍କୁ ଧନ୍ୟବାଦ ଜଣାନ୍ତୁ।’

ବ୍ୟକ୍ତି ଜଣକ କହିଲେ, ‘ମୁଁ ଟଙ୍କା ପାଇଁ ମନଦୁଃଖ କରୁନି। ମୁଁ ମନଦୁଃଖ କରୁଛି ଏଥି ଲାଗି ଯେ ମୋ ଜୀବନର ଏତେ ବର୍ଷ କାଳ ବାୟୁମଣ୍ତଳରୁ କୋଟି କୋଟି ଟଙ୍କାର ଅକ୍‌ସିଜେନ୍‌ ନେଇ ମଧୢ ମୁଁ ଈଶ୍ବରଙ୍କୁ ଥରୁଟିଏ ହେଲେ ଧନ୍ୟବାଦ ଜଣାଇନାହିଁ।’

ତେଣୁ ପ୍ରକୃତିର ଅଯାଚିତ ଦାନ ପାଇଁ କୃତଜ୍ଞତା ଜଣାଇବାର ସମୟ ଏବେ ଆସିଛି। ଏହି କରୋନା ସମୟରେ ଡାକ୍ତରମାନେ ଦେବଦୂତ ସାଜିଛନ୍ତି। ପୁଲିସ୍‌ମାନେ ଜନତାର ହିତକାରୀ ବନ୍ଧୁ ସାଜିଛନ୍ତି। ସରକାରୀ ପ୍ରଶାସକମାନେ ପଦ-ପଦବିର ଊର୍ଦ୍ଧ୍ବକୁ ଯାଇ ସେବା ପ୍ରଦାନରେ ଲାଗିଛନ୍ତି। କରୋନା କେବେ ହେଲେ ଏକ ଯୁଗ ସନ୍ଧିର ପ୍ରଳୟ ନୁହେଁ, ଏହା ମନୁଷ୍ୟକୁ ତାର ବିଶୃଙ୍ଖଳିତ ଆଚରଣ ପ୍ରତି ସଚେତନ କରିବାକୁ ପ୍ରକୃତିର ପ୍ରୟାସ। ନିଷ୍ପତ୍ତି ଆମ ହାତରେ। ଆମେମାନେ ସଚେତନ ହେଲେ ପୃଥିବୀ ନିଶ୍ଚୟ ବଞ୍ଚି ରହିବ।

ଗିଲ୍‌ବାଖ୍‌ ଷ୍ଟ୍ରାସେ ୯୫ ଏ, ୪୧୪୬୬ ନଏସ୍‌, ଜର୍ମାନୀ
[email protected]

ସମ୍ବନ୍ଧିତ ଖବର