ମହାମାରୀ କରୋନାର କରୁଣାରୁ ଆବାଳବୃଦ୍ଧବନିତା ‘କରୋନା’ କି ‘ଜନ୍ତୁ’ ସେ ବାବଦରେ କିଛି ନା କିଛି ଜାଣିଗଲେଣି। ତେବେ ଏ ଭୂତାଣୁର ଭୌତିକ ପ୍ରକୃତି ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଠିକ ଖବର ମିଳିନାହିଁ। ତେଣୁ ପ୍ରତ୍ୟେକ ଦିନ ଏହା ବିଷୟରେ କିଛି ନା କିଛି ନୂଆ କଥା ବାହାରୁଛି।

Advertisment

ଏହି ପରିପ୍ରେକ୍ଷୀରେ ପ୍ରଶ୍ନଟିଏ ଉଠିଥାଏ ଯେ କରୋନା ଭୂତାଣୁ ଫୁସ୍‌ଫୁସ୍‌ ସହିତ ହୃଦ୍‌ଯନ୍ତ୍ରକୁ ଆକ୍ରାନ୍ତ କରିପାରେ କି? ଚୀନ୍‌ ଓ ଇଟାଲି, ଯେଉଁଠାରେ ଏ ରୋଗ ପ୍ରଥମେ ଦେଖାଦେଲା, ସେଠାରୁ ଖବର ମିଳିଛି ପ୍ରତ୍ୟେକ ୫ ଜଣ କରୋନା ରୋଗୀ ମଧୢରୁ ଜଣେ ହୃଦ୍‌ ରୋଗରେ (୨୦%) ଆକ୍ରାନ୍ତ ହୋଇଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ସ୍ବତଃ ପ୍ରଶ୍ନ ହୁଏ, ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରୁଥିବା ଭୂତାଣୁ ହୃଦ୍‌ଯନ୍ତ୍ରକୁ କିପରି ଆଘାତ କରୁଛି? ଏ ବିିଷୟରେ ଜାଣିବାକୁ ହେଲେ ଶରୀରର ଜୀବ ବିଜ୍ଞାନ (physiology) ଉପରେ ଟିକେ ନଜର ପକାଇବା। ଶରୀରରେ ଥିବା ଦୁଇଟି ପାଚକ ରସ ବା ‘ଏନ୍‌ଜାଇମ୍‌’ ଯଥା ଆନ୍‌ଜତଓଟେନ୍‌ସିନ୍‌ କନ୍‌ଭର୍ଟିଙ୍ଗ ଏନ୍‌ଜାଇମ୍‌-୨’ (ଏ.ସି.ଇ-୨) ଓ ‘ଆନ୍‌ଜିଓଟେନ୍‌ସିନ ରିସେପ୍‌ଟର ବ୍ଲକର‌୍‌’ (ଏ.ଆର‌୍‌.ବି.); ଯେଉଁମାନେ ଶରୀରର ପ୍ରତ୍ୟେକ ଜୀବକୋଷରେ ପ୍ରବାହିତ ହୁଅନ୍ତି, ସେ ଦୁଇଟିକୁ ଏ ଭୂତାଣୁ ଆକ୍ରାନ୍ତ କରେ ଏବ˚ ଏହାର ଫଳ ସ୍ବରୂପ ଫୁସ୍‌ଫୁସ୍‌ ସହିତ ହୃତ୍‌ପିଣ୍ତ, ମସ୍ତିଷ୍କ, ଅନ୍ତଃନଳୀ ଇତ୍ୟାଦି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗରେ ଏହାର ଲକ୍ଷଣ ପରିଲକ୍ଷିତ ହୁଏ। ପାଚକ ରସ ନଷ୍ଟ ହେବା ଦ୍ବାରା ଶରୀରରେ ଉତ୍ତେଜନା ଓ ଅଧିକ ପ୍ରଦାହ (ଇନ୍‌ଫ୍ଲେମେସନ) ସୃଷ୍ଟି ହୁଏ। ଫଳ ସ୍ବରୂପ ଶିରା ଓ ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ ଓ ରକ୍ତ ସ˚ଚାଳନ କମିଯିବା ଦ୍ବାରା ‘ହୃଦ୍‌ଘାତ’ ହୁଏ, ଯେଉଁଥିରେ ରୋଗୀର ଜୀବନ ସ˚କଟାପନ୍ନ ହୁଏ। ସେହିପରି ଫୁସ୍‌ଫୁସ୍‌କୁ ମଧୢ ରକ୍ତ ସ˚ଚାଳନ କମିଯିବା ଦ୍ବାରା ଶରୀରରେ ଅମ୍ଳଜାନ ପରିମାଣ କମିଯାଏ। ଏହା ଦ୍ବାରା ହୃଦ୍‌ଘାତର ଆଶଙ୍କା ବଢ଼ିିଯାଏ। ତା’ଛଡା ହୃତ୍‌ପିଣ୍ତର ଗତିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ। ଏହା ସହିତ ହୃତ୍‌ପିଣ୍ତରେ ବିଭିନ୍ନ ସ˚କ୍ରମଣ ମଧୢ ଦେଖାଯାଏ।

ଏବେ ଚର୍ଚ୍ଚା କରିବା କେଉଁ କରୋନା ରୋଗୀକୁ ହୃଦ୍‌ରୋଗ ଆକ୍ରାନ୍ତ କରିବାର ସମ୍ଭାବନା ଅଧିକ। ମଧୁମେହ, ରକ୍ତଚାପ, ଶ୍ବାସ, କର୍କଟ ଇତ୍ୟାଦି ଦ୍ବାରା ଆକ୍ରାନ୍ତ ତଥା ୬୦ ବର୍ଷ ବୟସରୁ ଅଧିକ ବୟସ୍କ ଓ ମୋଟା ଲୋକଙ୍କ ପାଖରେ ଏଭଳି ହେବାର ଆଶଙ୍କା ବେଶି। ସ୍ତ୍ରୀ ଲୋକଙ୍କ ଠାରୁ ପୁରୁଷମାନଙ୍କୁୁ ଏହା ଅଧିକ ଆକ୍ରାନ୍ତ କରିଥାଏ। ତେବେ ଏହାର ଏକ ତାଲିକା କଲେ ତାହା କିଛିଟା ଏହିଭଳି ହେବ। ପଚାଶ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟରୁ ୭୪.୫%, ପୁରୁଷଙ୍କ ମଧୢରୁ ୫୪.୪%, ରକ୍ତଚାପ ରୋଗୀଙ୍କ ଭିତରୁ ୪୯.୭%, ମଧୁମେହ ରୋଗୀଙ୍କ ଭିତରୁ ୧୨-୨୨% କରୋନା କାରଣରୁ ହୃଦ୍‌ରୋଗ ଭୋଗିବାର ଆଶଙ୍କା ରହିଛି। ଏ ପରିପ୍ରେକ୍ଷୀରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ହୃଦ୍‌ରୋଗୀମାନେ ଏ ମହାମାରୀ ସମୟରେ ଡାକ୍ତରଙ୍କୁୁ ନ ପଚାରି କୌଣସି ଔଷଧକୁ ବନ୍ଦ କରିବା ଅନୁଚିତ। ସେମିତି କୌଣସି ନୂଆ ଔଷଧ ଆରମ୍ଭ କରିବା ପୂର୍ବରୁ ମଧୢ ଡାକ୍ତରଙ୍କ ସ˚ଗେ ପରାମର୍ଶ ନେବା ଜରୁରୀ। ଯେଉଁମାନେ ‘ଏ.ସି.ଇ./ଏ.ଆର.ବି. ଔଷଧ ଖାଉଛନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ବାବଦରେ ଅଧିକ ସତର୍କ ରହିବା ନିହାତି ଜରୁରୀ।

ମୋଟାମୋଟି ଦେଖିଲେ କରୋନାରେ ଆକ୍ରାନ୍ତ ବହୁତ କମ୍‌ ସ˚ଖ୍ୟକ ରୋଗୀ ସ˚କଟାପନ୍ନ ହେଉଛନ୍ତି। ଅଧିକା˚ଶ କେବଳ ଅମ୍ଳଜାନ ଚିକିତ୍ସାରେ (oxygen therapy) ଭଲ ହୋଇ ପୁଣି ଘରକୁ ଫେରିଯାଉଛନ୍ତି। କିନ୍ତୁ ବେଳେ ବେଳେ ରୋଗୀଙ୍କ ସ୍ଥିତି ସା˚ଘାତିକ ମଧୢ ହେଉଛି। ଏହାର କାରଣ କ’ଣ? ପ୍ରାୟତଃ କରୋନା ରୋଗୀଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ଅନେକ କମ ଥାଏ। କରୋନା ସମୟରେ ଶରୀରରେ ସୃଷ୍ଟି ହେଉଥିବା ପ୍ରଦାହ ମାତ୍ରାଧିକ ହେଲେ ଶରୀରରେ ଏକ ‘ଝଡ଼’ ହୁଏ, ଯାହାକୁ ‘ସାଇଟୋକାଇନ୍‌ ଷ୍ଟର୍ମ’ ବୋଲି କୁହାଯାଏ। ଏହା ଫଳରେ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗରେ ପାଣି ଜମିଯାଏ। ଏହା ରୋଗୀର ସ୍ଥିତିକୁ ସ˚କଟାପନ୍ନ କରିଦିଏ। ଏଥିରୁ ରକ୍ଷା ପାଇବାକୁ ‘ECMO’ ନାମକ ଯନ୍ତ୍ରର ଜରୁରୀ ଆବଶ୍ୟକତା ରହିଛି; କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏ ଯନ୍ତ୍ର ଭାରତର ବହୁତ କମ ଚିକିତ୍ସାଳୟରେ ଉପଲବ୍‌ଧ।

ବରିଷ୍ଠ ହୃଦ୍‌ ବକ୍ଷଶଲ୍ୟ ଚିକିତ୍ସକ, ଆପୋଲୋ ଚିକିତ୍ସାଳୟ, ଚେନ୍ନାଇ
[email protected]