‘ବନ୍ଦେ ଜନନୀ’

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

ଆଶ୍ୱାସନାର କଥା ଯେ ଏଇ (୨୦୨୦) ଜୁନ୍ ୭ ତାରିଖ ଦିନ ଓଡ଼ିଶା ସରକାର ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି। ଏହା ଫଳରେ ଦୀର୍ଘ ଦିନର ଅପେକ୍ଷା ଓ ଅସ୍ୱସ୍ତିର ଅବସାନ ଘଟିଛି। ନିଜେ ରାଜ୍ୟ ସରକାର ମଧ୍ୟ ତାଙ୍କର ସେଦିନର ପ୍ରେସ୍ ବିଜ୍ଞପ୍ତିରେ ଏହାକୁ “ଓଡ଼ିଶା ପାଇଁ ଏକ ଐତିହାସିକ ଦିନ” ବୋଲି ଅଭିହିତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଏହି ‘ରାଜ୍ୟ ସଂଗୀତ’ର ଅତୀତ ଓ ଇତିହାସ ଏବଂ ରାଜ୍ୟ ସଂଗୀତ ମାନ୍ୟତାର ନେପଥ୍ୟରେ ଥିବା ଘଟଣାକ୍ରମ ପ୍ରତି ସଂକ୍ଷିପ୍ତ ଦୃଷ୍ଟିପାତ ଆବଶ୍ୟକ।

ରାଜ୍ୟ ସରକାର ତାଙ୍କର ପ୍ରେସ୍ ବିଜ୍ଞପ୍ତିରେ ଅବଶ୍ୟ ଏ ସଂପର୍କ‌େର ସୂଚନା ଦେଇଛନ୍ତି, କିନ୍ତୁ ସେଥିରେ ସମ୍ୟକ୍ ବିବରଣୀ ନାହିଁ।

ତାହା ଆଜିଠୁଁ ପ୍ରାୟ ଚଉଠ ଶତାବ୍ଦୀ ପୂର୍ବର କଥା। ତାରିଖ-୧୯୯୪ ମସିହା, ନଭେମ୍ବର ୭। ଯାହାଙ୍କ ନାଆଁରେ ଗଠିତ ଦଳ (ବିଜୁ ଜନତା ଦଳ) ଏବେ ଶାସନ ଗାଦିରେ ଅଛି, ସେଇ ବିଜୁ ପଟ୍ଟନାୟକ ଥାଆନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଓଡ଼ିଶା ବିଧାନସଭାର ବାଚସ୍ପତି ଥାଆନ୍ତି ମାନ୍ୟବର ଯୁଧିଷ୍ଠିର ଦାସ। ତାଙ୍କରି ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ଗୃହୀତ ହେଲା ଯେ ‘ବନ୍ଦେ ଉତ୍କଳ ଜନନୀ’ ହେବ ‘ଓଡ଼ିଶାର ରାଜ୍ୟ ସଂଗୀତ’। ସେହିବର୍ଷ ଡିସେମ୍ବର ମାସ ୧ ତାରିଖରେ ବିଧାନସଭା ସଚିବଙ୍କ ଅଧ୍ୟକ୍ଷତାରେ ଧାର୍ଯ୍ୟ ହେଲା ଯେ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ, ସପ୍ତଦଶ ବିଧାନସଭାଠାରୁ, ପ୍ରତି ଉଦ୍‌ଯାପନୀ ଅଧିବେଶନରେ ଏହି ସଂଗୀତ ଗାନ କରାଯିବ। ସେହି ଅନୁସାରେ, ସପ୍ତଦଶ ଅଧିବେଶନର ଶେଷ ଦିନ, ୧୯୯୪ ମସିହା ଡିସେମ୍ବର ୨୧ ତାରିଖରେ, ବିଧାନସଭାରେ ଏହା ପ୍ରଥମକରି ଗାନ କରାଯାଇଥିଲା। ସମସ୍ତେ ଦଣ୍ଡାୟମାନ ହୋଇ ତାହାକୁ ସମ୍ମାନ ଜଣାଇଥିଲେ। କିନ୍ତୁ ଏଯାଏ ସେହି ପରମ୍ପରା ପ୍ରଚଳିତ ରହି ଆସିଥିଲେ ମଧ୍ୟ, ଏଇ ଜୁନ୍ ୭ ତାରିଖ ଯାଏ ଏହା ବିଧିବଦ୍ଧ ଭାବରେ ‘ରାଜ୍ୟ ସଂଗୀତ’ର ମାନ୍ୟତା ପାଇ ନଥିଲା।

ରାଜ୍ୟ ବିଧାନସଭାରେ ଏହା ପ୍ରଥମ କରି ଗାନ ହେବାର ଦୀର୍ଘ ଆଠ ବର୍ଷ ପରେ ଘଟିଥିଲା ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘଟଣା। ୨୦୦୨ ମସିହା, ଡିସେମ୍ବର ମାସ ୧୯ ତାରିଖ ଦିନ, ତାହାକୁ ‘ରାଜ୍ୟ ସଂଗୀତ’ର ମାନ୍ୟତା ଦେବା ନେଇ ବିଧାନସଭାରେ ବିତର୍କ ହୋଇଥିଲା ଏବଂ ରାଜ୍ୟ ସରକାର ସେ ନେଇ ବିଧିବଦ୍ଧ ଭାବରେ ଏକ ‘ସର୍କୁଲାର’ ଜାରି କରିବେ ବୋଲି ସେଦିନର ମାନ୍ୟବର ବାଚସ୍ପତି ଶରତ କୁମାର କର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଦିନ ବାଚସ୍ପତି କର ତାଙ୍କ ‘ରୁଲିଂ’ରେ କହିଥିଲେ, “ବିଧାନସଭାରେ ଜାତୀୟ ସଂଗୀତ ସହିତ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ସମ୍ମାନ ଦିଆଯାଉଛି ଏବଂ ଯେଉଁ ସଭାସମିତିରେ କୌଣସି ଘୋଷଣା କରା ନଯାଇ ଏହି ସଂଗୀତ ଗାନ କରାଯାଉଛି, ମୁଁ ମଧ୍ୟ ଲୋକମାନଙ୍କୁ ଅନୁରୋଧ କରି ଠିଆ କରାଉଛି। ସରକାରଙ୍କୁ ମଧ୍ୟ ମୁଁ ଲିଖିତ ଭାବେ ଜଣାଇଛି ଏବଂ ଆଜି ମଧ୍ୟ ଗୃହରେ ନିର୍ଦ୍ଦେଶ ଦେଉଛି ଯେ ସଂପୃକ୍ତ ବିଭାଗ- ସୂଚନା ଓ ଲୋକସଂପର୍କ ବିଭାଗ ହେଉ ଅଥବା ସ୍ୱରାଷ୍ଟ୍ର ହେଉ, ତୁରନ୍ତ ଓଡ଼ିଶା ରାଜ୍ୟରେ ଏ ବିଷୟରେ ସର୍କୁଲାର ଜାରି କରିବେ ଏବଂ ଲୋକମାନଙ୍କର ଅବଗତି ନିମନ୍ତେ ଖବରକାଗଜ ବା ଗଣମାଧ୍ୟମରେ ବହୁଳ ଭାବରେ ତାହା ପରିବେଷଣ କରିବେ। ଓଡ଼ିଶା ଭିତରେ ଯେଉଁ ଜାଗାରେ ସଭାସମିତିରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯିବ, ସେଠି ନିର୍ଦ୍ଦିଷ୍ଟ ଭାବେ ଜାତୀୟ ସଂଗୀତର ସମ୍ମାନ ଦିଆଯିବ ଓ ସମସ୍ତେ ଠିଆ ହେବେ। ଏହାକୁ ଯିଏ ଅମାନ୍ୟ କରିବେ, ସିଏ ଦଣ୍ଡନୀୟ ହେବେ।।”

କିନ୍ତୁ ଏହା ସତ୍ତ୍ୱେ, ସରକାର ସତରେ ଯେମିତି ଏ କଥାଟିକୁ ଭୁଲିଯାଇଥିଲେ। ସେଥିପାଇଁ ଏହି ସ୍ତମ୍ଭରେ, ଏହି ଲେଖକର ୧ ଜାନୁଆରି ୨୦୧୬ ତାରିଖର ଗୋଟିଏ ଲେଖାର ଶୀର୍ଷକ ଥିଲା, “ନୂଆ ବରଷ ଓ ପୁରୁଣା ପ୍ରସଙ୍ଗ: ବନ୍ଦେ ଉତ୍କଳ ଜନନୀ”। ଗତ ୭ ଜୁନ୍‌ରେ ରାଜ୍ୟ ସରକାର ଯେଉଁ ପ୍ରେସ୍‌ ବିଜ୍ଞପ୍ତି ଦେଇଛନ୍ତି, ସେଥିରେ କିନ୍ତୁ ଏ କଥା ଉପରେ ଗୁରୁତ୍ୱ ନାହିଁ; ଗୁରୁତ୍ୱ ଅଛି “କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବା” ଉପରେ।

ସେହି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, “କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନକ୍ରମେ ୨୦୨୦ ମଇ ୩୦ ତାରିଖ ଶନିବାର ସନ୍ଧ୍ୟା ୫ ଘଟିକା ୩୦ ମିନିଟ୍ ସମୟରେ ସମଗ୍ର ଓଡ଼ିଆ ଜାତି ସଂପୂର୍ଣ୍ଣ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରି ଓଡ଼ିଆ ସ୍ୱାଭିମାନକୁ ନଭଶ୍ଚୁମ୍ବୀ କରିପାରିଛନ୍ତି। ଏହା ଥିଲା ଓଡ଼ିଆ ଜାତିପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ।

ଏହି ଐତିହାସିକ ମୁହୂର୍ତ୍ତକୁ ଚିରସ୍ଥାୟୀ କରିବାପାଇଁ ତଥା ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ୍ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅନବଦ୍ୟ ସୃଷ୍ଟି ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତ ଭାବରେ ସରକାରୀ ମାନ୍ୟତା ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।”

ଏ ପ୍ରସଙ୍ଗରେ ତେଣୁ ମନକୁ ପ୍ରଶ୍ନ ଆସେ, ଯଦି ମାତ୍ର ତିନିମାସ ପୂର୍ବର ଏହି କୋଭିଡ୍‌ଜନିତ ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା, ତେବେ କ’ଣ ହୋଇଥାନ୍ତା? ଏହା ‘ରାଜ୍ୟ ସଂଗୀତ’ ଭାବରେ ମାନ୍ୟତା ପାଇବା କ’ଣ ଆହୁରି ବିଳମ୍ବିତ ହୋଇଥାନ୍ତା? ପୂର୍ବରୁ କ’ଣ ଏ ସଂଗୀତଟିକୁ ନେଇ ଓଡ଼ିଆ ସ୍ୱାଭିମାନ ନଭଶ୍ଚୁମ୍ବୀ ନଥିଲା?

ଏହି ସ୍ତମ୍ଭ ଏକ ସାହିତ୍ୟିକ-ସ୍ତମ୍ଭ ହୋଇଥିବାରୁ, ଏସବୁ ରାଜନୈତିକ ପ୍ରଶ୍ନ ବା ପ୍ରସଙ୍ଗକୁ ନଯାଇ, ସାହିତ୍ୟ ଦୃଷ୍ଟିରୁ ଏହାର ଆଲୋଚନା କରିବା।

ସମଗ୍ର ବ୍ୟାପାରଟି ଯେ ତରବରିଆ ଥିଲା- ଏହା ସାବ୍ୟସ୍ତ ହେଲା, ଯେତେବେଳେ ସେହି ମେ ୩୦ ତାରିଖ ଦିନ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସକାଳର ସମ୍ବାଦପତ୍ରଗୁଡ଼ିକରେ, ସଂଧ୍ୟାରେ ଗାନ ହେବାକୁ ଥିବା ‘ବନ୍ଦେ ଉତ୍କଳ ଜନନୀ’ର ପାଠଟି ପ୍ରକାଶ ପାଇଲା। ସେଥିରେ ତାହାର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ନାମ, ସ୍ୱାକ୍ଷର ବା ଛବି ନଥିଲା। ଫଟୋଚିତ୍ର ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିବେଦନ ଏପରି ଭାବରେ ଛାପା ହୋଇଥିଲା, ମନେହଉଥିଲା- ଯେପରି ନିଜେ ନବୀନବାବୁ ସେହି ମାତୃବନ୍ଦନାଟିର ରଚୟିତା! ପୁଣି ସରକାରଙ୍କ ବାର୍ଷିକ ସୂଚନା ପୁସ୍ତକ ‘ଓଡ଼ିଶା-୨୦୧୮’ ପର୍ଯ୍ୟନ୍ତ, ଦୀର୍ଘବର୍ଷ ଧରି ଯେଉଁ ସଂଗୀତଟି ଶୁଦ୍ଧ ରୂପରେ ଛାପା ହୋଇ ଆସୁଥିଲା, ତାହାର ଦ୍ୱିତୀୟ ପଦର ପ୍ରଥମ ଧାଡ଼ି ‘ଘନ ବନଭୂମି ରାଜିତ ଅଙ୍ଗେ’ ଥିବା ବେଳେ, ବିଜ୍ଞାପନର ସେହି ସଂଗୀତରେ ଧାଡ଼ିଟି ଥିଲା “ଘନ ଘନ ବନଭୂମି ରାଜିତ ଅଙ୍ଗେ”। ଏହି ଲେଖକ ସାମାଜିକ ଗଣମାଧ୍ୟମରେ ସେ ପ୍ରଶ୍ନ ଉଠାଇବା ପରେ ଯେଉଁ ବିତର୍କର ସୂତ୍ରପାତ ହୋଇଛି, ତାହାର ସନ୍ତୋଷଜନକ ସମାଧାନ ଏଯାଏ ହୋଇନାହିଁ। ସୂଚନା ଅନୁସାରେ, ସେହି ତ୍ରୁଟିଯୁକ୍ତ ସଂଗୀତଟିକୁ ହିଁ ‘ରାଜ୍ୟ ସଂଗୀତ’ ରୂପେ ସରକାର ଗ୍ରହଣ କରିନେଇଛନ୍ତି।

ଏ ପ୍ରସଙ୍ଗରେ ତେଣୁ ପ୍ରଶ୍ନ ଉଠେ, ଠିକ୍‌ଟି କ’ଣ? ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆମକୁ ଏହି ସଂଗୀତଟିର ଅତୀତ ଓ ଇତିହାସକୁ ଜାଣିବାକୁ ପଡ଼ିବ।

‘ଓଡ଼ିଆ ସାହିତ୍ୟକୁ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦାନ’ ଡକ୍ଟର ଶ୍ୟାମସୁନ୍ଦର ମିଶ୍ରଙ୍କର ଏକ ଗବେଷଣା ସନ୍ଦର୍ଭ। ୧୯୮୪ରେ ରେଭେନ୍‌ସା କଲେଜରେ ଓଡ଼ିଆ ବିଭାଗର ଅଧ୍ୟାପକ ଥିବାବେଳେ, ଏହି ଗବେଷଣା ସନ୍ଦର୍ଭପାଇଁ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ପାଇଥିଲେ। ସେଥିରେ ତାଙ୍କର ମାର୍ଗଦର୍ଶକ ଥିଲେ ପ୍ରାଧ୍ୟାପକ ଡକ୍ଟର ଅସିତ କବି। ସେଥିରେ ଅଧ୍ୟାପକ ମିଶ୍ର ୧୯୦୩ରୁ ୧୯୧୯ ପର୍ଯ୍ୟନ୍ତ ‘ଉତ୍କଳ ସମ୍ମିଳନୀ’ ମଣ୍ଡପର ବିଭିନ୍ନ ଅଧିବେଶନରେ ଯେଉଁସବୁ ଜାତୀୟ କବିଙ୍କ ଉଦ୍‌ବୋଧନୀ ସଂଗୀତ ଗାନ କରାଯାଇଥିଲା, ତାହାର ନାମୋଲ୍ଲେଖ ପ୍ରସଙ୍ଗରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ଏହି ସଂଗୀତଟିର ଉଲ୍ଲେଖ କରିଛନ୍ତି। ଓଡ଼ିଆ ଜାତୀୟ ଜୀବନର ଅନ୍ୟତମ ପୁରୋଧା, ସ୍ୱାମୀ ବିଚିତ୍ରାନନ୍ଦ ଦାସଙ୍କର ଏକ ଲେଖାର ଉଦ୍ଧୃତି ବି ଦେଇଛନ୍ତି। ତାହା ହେଉଛି- “ଜାତୀୟ ଜୀବନର ସେ (ଲକ୍ଷ୍ମୀକାନ୍ତ) ପ୍ରକୃଷ୍ଟ ଉପାସକ। ତାଙ୍କର ‘ବନ୍ଦେ ଉତ୍କଳ ଜନନୀ’ ପ୍ରଥମରେ ପୁରୀ ଉତ୍କଳ ସମ୍ମିଳନୀରେ ୧୯୦୮ରେ ଗୀତ ହୋଇଥିଲା। ମୋର ହୃଦୟ ସେଦିନ ଭାବରସରେ ମୁଗ୍ଧ ହୋଇଯାଇଥିଲା। ସହସ୍ର ହୃଦୟରେ ଅପୂର୍ବ ଭାବରସର ସଞ୍ଚାର!”

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ୧୯୦୩ରୁ ୧୯୩୬ ପର୍ଯ୍ୟନ୍ତ ‘ଉତ୍କଳ ସମ୍ମିଳନୀ’ର ଇତିହାସ ସଂକଳନ କରିଛନ୍ତି ଦେବେନ୍ଦ୍ର କୁମାର ଦାଶ। ପ୍ରଗତି ଉତ୍କଳ ସଂଘ, ରାଉରକେଲା ପକ୍ଷରୁ ୨୦୦୫ରେ ତାହାର ପ୍ରଥମ ଭାଗ ପ୍ରକାଶ ପାଇଛି। ସେଥିରେ ସଂକଳିତ ବିବରଣୀରେ, ୧୯୦୮ରେ ‘ଉତ୍କଳ ସମ୍ମିଳନୀ’ର ପଞ୍ଚମ ଅଧିବେଶନ ପୁରୀର ଜଗନ୍ନାଥ ବଲ୍ଲଭ ବଗିଚାରେ ଅନୁଷ୍ଠିତ ହୋଇଥିବାର ତଥ୍ୟ ଅଛି। ସେ ବର୍ଷ ଏପ୍ରିଲ୍ ୧୮ ଓ ୧୯ ତାରିଖରେ ସେହି ଅଧିବେଶନ ହୋଇଥିଲା ଏବଂ ସେଥିରେ ସଭାପତିତ୍ୱ କରିଥିଲେ ସୁରଙ୍ଗୀର ରାଜା ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ ଜଗଦ୍ଦେବ। ପୁରୀର ତତ୍କାଳୀନ ଓକିଲ ତଥା ପରବର୍ତ୍ତୀ କାଳର ‘ପ୍ରାଚୀନ ଉତ୍କଳ’ ଖ୍ୟାତ ଜଗବନ୍ଧୁ ସିଂହ ଥିଲେ ତାହାର ସଂପାଦକ।

କିନ୍ତୁ ଶ୍ରୀ ଦାଶଙ୍କ ପୁସ୍ତକର ମୁଖବନ୍ଧରେ ଥିବା ସୂଚନା ଅନୁସାରେ, ପୁରୀର ସେହି ପଞ୍ଚମ ଅଧିବେଶନର ବିବରଣୀ ପୁସ୍ତିକା ମିଳି ନପାରିବାରୁ, ସେଥିରେ କେତେକ ଆବଶ୍ୟକ ଉପାଦାନ ସଂକଳିତ ହୋଇ ପାରି ନାହିଁ। ତେବେ ସେହି ଅଧିବେଶନର ଯେଉଁ ସବୁ ବିବରଣୀ ଉପଲବ୍‌ଧ, ସେଥିରେ, ସେହି ଅଧିବେଶନରେ ଗାନ କରାଯାଇଥିବା ସଂଗୀତଗୁଡ଼ିକର ବିବରଣୀ ଅଛି। ସେଥିରେ ‘ବନ୍ଦେ ଉତ୍କଳ ଜନନୀର ନାମୋଲ୍ଲେଖ ନାହିଁ।’ ଏଥିରୁ ମନେହୁଏ, ୧୯୧୩ରେ ପୁରୀର ରାମଚଣ୍ଡୀଠାରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ନବମ ଅଧିବେଶନରେ ଗାନ କରାଯାଇଥିବା ସଂଗୀତଟିକୁ ସ୍ୱାମୀ ବିଚିତ୍ରାନନ୍ଦ ଦାସ ହୁଏତ ଭୁଲ ଭାବେ ୧୯୦୮ର ଅଧିବେଶନର ବୋଲି ଲେଖି ଦେଇଛନ୍ତି।

‘ଉତ୍କଳ ସମ୍ମିଳନୀ, ୧୯୦୩-୧୯୩୬’ ପୁସ୍ତକରେ ପୁରୀ ଜିଲ୍ଲାର ରାମଚଣ୍ଡୀ ଠାକୁରାଣୀଙ୍କ ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ ନବମ ଅଧିବେଶନର ପୂର୍ଣ୍ଣାଙ୍ଗ ବିବରଣୀ ଲିପିବଦ୍ଧ ହୋଇଛି। ୧୯୧୩ ମସିହା, ଡିସେମ୍ବର ୨୮ ଓ ୨୯ ତାରିଖରେ ସେହି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ତାହାର ପ୍ରଥମ ଦିନର ଶେଷ ଅଧିବେଶନ ପରେ, ସଂଗୀତଟି ଗାନ କରାଯାଇଥିଲା। ସେହି ଅଧିବେଶନର ବିବରଣୀ ପୁସ୍ତିକାରେ ମଧ୍ୟ ସଂଗୀତଟି ମୁଦ୍ରିତ ହୋଇଛି।

କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ତାହାର ଶୀର୍ଷକ ‘ବନ୍ଦେ ଉତ୍କଳ ଜନନୀ’ ନୁହେଁ। ତାହାର ଶୀର୍ଷକ ‘ବନ୍ଦେ ଜନନୀ’। ତାହା ବି ବର୍ତ୍ତମାନ ପ୍ରଚଳିତ ସଂଗୀତଟିଠାରୁ ସଂକ୍ଷିପ୍ତ ଏବଂ ଅନେକାଂଶରେ ଭିନ୍ନ।

ସ୍ମରଣଯୋଗ୍ୟ ଯେ, ବିଶିଷ୍ଟ ଔପନ୍ୟାସିକ ବଙ୍କିମଚନ୍ଦ୍ର ଚାଟର୍ଜୀ ୧୮୭୦ରେ ସଂସ୍କୃତରେ ଯେଉଁ ‘ବନ୍ଦେ ମାତରମ୍‌’ ସଂଗୀତଟିର ରଚନା କରିଥିଲେ, ତାହା ୧୨ ବର୍ଷ ପରେ ତାଙ୍କ ‘ଆନନ୍ଦମଠ’ ଉପନ୍ୟାସରେ ସ୍ଥାନ ପାଇ ବିଶେଷ ଲୋକପ୍ରିୟ ହୋଇଥିଲା। ସମ୍ଭବତଃ ତାହାର ପ୍ରେରଣାରେ କାନ୍ତକବି ରଚନା କରିଥିଲେ ଏହି ମାତୃ ବନ୍ଦନା ‘ବନ୍ଦେ ଜନନୀ’। ପରବର୍ତ୍ତୀ କାଳରେ ସେଥିରେ ‘ଉତ୍କଳ’ ଯୋଡ଼ାଯାଇ ତାହାକୁ ‘ବନ୍ଦେ ଉତ୍କଳ ଜନନୀ’ କରାଯାଇଛି।

ତେବେ ଓଡ଼ିଶାର ‘ରାଜ୍ୟ ସଂଗୀତ’ ମାନ୍ୟତା ପାଇଥିବା ଏହି ସଂଗୀତଟିର ଏହି ଗୋଟିଏ ରୂପ ନୁହେଁ; ଚାରିଟି ରୂପ ଏବେ ଆମ ପାଖରେ ଉପଲବ୍‌ଧ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର