ସ୍ମିତା ମାଡାମ୍ଙ୍କ କଲର୍ ଚଏସ୍କୁ ମାନିବାକୁ ହେବ, ନିତି ନୂଆ ନୂଆ କଲର୍ର ଡ୍ରେସ୍ ପିନ୍ଧିବା ସାଙ୍ଗକୁ ମ୍ୟାଚିଂ କଲର୍ର ମାସ୍କ୍ ପିନ୍ଧି ଆସୁଚନ୍ତି। ପୁଣି ଆମେ ନ କହୁଣୁ ନିଜେ ଆମ ପାଖକୁ ଆସି ଥର୍ମାଲ ଚେକିଂ ପାଇଁ କହୁଛନ୍ତି, ସାନିଟାଜର ପାଇଁ ହାତ ପତାଉଛନ୍ତି ଓ ଠିକ୍ ଭାବରେ ଦୁଇ ହାତ ଧୋଇ ସାରିବା ପରେ ହିଁ ଅଫିସ୍ ଭିତରକୁ ଯାଉଛନ୍ତି- ମ୍ୟାନେଜରଙ୍କ ପି.ଏ. ସ୍ମିତା ମାଡାମ୍ଙ୍କ ବାବଦରେ ଉତ୍ସାହ ଭରେ କହୁଥିଲା ମଦନା।
‘କାଇଁ, ଆମେ କ’ଣ ସେଇଆ କରୁନୁ କି?’ କହିଲା ଲଞ୍ଚ ବ୍ରେକ୍ରେ ଅଫିସ୍ରୁ ଯିବା ଆଗରୁ ସାନିଟାଇଜ ହେଉ ହେଉ ସତ୍ୟେନ୍ଦୁ।
‘କରୁଛନ୍ତି ଯେ ସାର୍; ହେଲେ ମାଡାମ୍ କିନ୍ତୁ ଯା କହନ୍ତୁ ଏ ମେଟରରେ ଭାରି ସିନ୍ସିଅର୍! ସିଏ ଝିଅ ପିଲା, ଅନ୍ୟମାନେ ଓଢ଼ଣି ବା ପଣତ ନାମକୁ ମାତ୍ର ଘୋଡ଼ାଇ ପରେ ନିକାଲି ଦେବା ପରି କରିପାରନ୍ତେ! ନାଇଁ, ବରଂ ଦେଖନ୍ତୁ, ସେ କେମିତି ଡ୍ରେସ୍ ସାଙ୍ଗରେ ମ୍ୟାଚିଂ ମାସ୍କ୍ ପିନ୍ଧି ଆସୁଚନ୍ତି! ମାନିବାର ଅଛି ସାର୍!’
ସତ୍ୟେନ୍ଦୁ ଦେଖୁଛି ଯେ ସୁଇପର୍ରୁ ଉଠି ଅଫିସ୍ ଆଟେଣ୍ଡାଣ୍ଟ୍ ହୋଇଥିବା ମଦନା ସ୍ୱଚ୍ଛତା କଥା ଉଠିଲେ ଆଜିକାଲି କହି ଚାଲୁଚି ଯେ ସେ ସୁଇପର ଥିବା ବେଳେ କେମିତି ସବୁବେଳେ ମାସ୍କ୍ ପିନ୍ଧି ଆସିଛି। ଠିକ ଯେମିତି ଅତୀତରେ ଫୁଟ୍ବଲ ଖେଳାଳି ଭାବେ ଅର୍ଜନ କରିଥିବା କୃତିତ୍ୱ କଥା ଉଠିଲେ ସେ ଅସରନ୍ତି ଭାବେ ବଖାଣି ଚାଲେ।
ଅଗତ୍ୟା ସତ୍ୟେନ୍ଦୁ କହିଲା, ‘ହେଲା ମଦନା, ମାନିଲି ଯେ ଆମ ସ୍ମିତା ମାଡାମ୍ ଭଲ କାମ କରୁଛନ୍ତି। ତେବେ ଅଫିସ୍କୁ ଆସୁଥିବା ଅନ୍ୟମାନଙ୍କ କଥା କହ।’
ଏଥର ମଦନା ହୋ ହୋ ହୋଇ ହସିଲା। ତା’ ପରେ ସେ କହିଲା, ‘କ’ଣ କହିବି ସାର୍, ସେ ଦିନ ବୁଢ଼ା ଲୋକ ଜଣେ ଅଫିସ୍ ଭିତରକୁ ପଶିବା ଆଗରୁ ମୁଁ ତାଙ୍କୁ ସାନିଟାଇଜର ଦବାରୁ ସେ ତାକୁ ମୁହଁରେ ଲଗାଇବାକୁ ବାହାରୁ ଥିଲେ। ତାଙ୍କୁ ଅଟକାଇ ହାତରେ ବୋଳି ଭଲକି ସଫା କର ବୋଲି କହିବାରୁ ସେ ଓଲଟି କହିଲେ, ‘ମୁଇଁ ଜାଣନି ନା କିସ, ମୁହଁରେ ଲଗାଇଲେ ରୁଗ ପଶିବନି ବଲୁଚନ୍ତି ପରା’!’
ଆଉ ଜଣେ ଲୋକ ତ ଥର୍ମାଲ ଚେକିଂ ପାଇଁ ମୁଁ ଯିମିତି ତା କପାଳ ସିଧା ମେସିନ ରଖିଚି, ‘ବାଆଗୋ, ମତେ ମାରି ପକେଇବେ ଇଠି’ ବୋଲି ହାଉଳି ଖାଇଲା। ଦୌଡ଼ି ପଳାଇବାକୁ ବସିଥିଲା।
ସତ୍ୟେନ୍ଦୁ କହିଲା- ‘ତା’ ହେଲେ ତମେ ପୂରା ଲାଗିପଡ଼ିଚ ଏ ସବୁ କାମରେ?’
‘ହଁ ସାର୍, ଏତେ ଦିନ ଲକ୍ଡାଉନ୍ ପରେ କେତେ କଷ୍ଟରେ ଅଫିସ୍ ଖୋଲିଚି ମାନେ ଆମେ ସବୁ ଏତିକି କରିପାରିବାନି?’, କହିଲା ମଦନା।
ଲଞ୍ଚ ବ୍ରେକ୍ରୁ ଫେରିବା ବେଳେ ସତ୍ୟେନ୍ଦୁକୁ ସତେ ଅବା ଅପେକ୍ଷା କରି ରହିଥିଲା ମଦନା। ଦେଖୁ ଦେଖୁ ବଡ଼ ଆଗ୍ରହରେ ପଚାରିଲା,‘ସାର୍, ମୁଁ ଜଣେ କରୋନା ଯୋଦ୍ଧା ତ? କାରଣ ଏବେ ଏବେ ମୋତେ ଆମ ମ୍ୟାନେଜର ସାର୍ ଚାମ୍ବରକୁ ଡାକି ବଡ଼ ଶ୍ରଦ୍ଧାରେ ଏହି କଥା କହିଲେ।’
ସତ୍ୟେନ୍ଦୁ କହି ଉଠିଲା- ‘ଓଃ, ଅଭିନନ୍ଦନ ମଦନା! ତା’ ହେଲେ ତ ବଡ଼ ଗୌରବର କଥା। ’
ମଦନା କହିଲା, ‘ନା ସାର୍, ଆପଣ କି ଆମ ଅଫିସ୍ର ଆଉ କେହି ଜାଣି ନଥିବେ ଯେ ଗତ ମାସରେ ଯୋଉ ଲକ୍ଡାଉନ୍ ହୋଇ ଅଫିସ୍ ବନ୍ଦ ହୋଇଗଲା, ମୋ ଭଳିଆ କାମ କରିବା ଲୋକ ହାତଗୋଡ଼ ବାନ୍ଧି ଘରେ ବସିବାକୁ ଭଲ ଲାଗିଲାନି। ଯେତେବେଳେ ଶୁଣିଲି ନୂଆ ହସ୍ପିଟାଲରେ ସୁଇପିଂ ଷ୍ଟାଫ୍ ଦରକାର, ମୁଁ ଯାଇ ସେଠି ମାଗଣାରେ ସର୍ଭିସ କରିବାକୁ କହିଲି। ସେମାନେ ରାଜି ହେଲେ। ତେଣୁ ସେଠି କାମ କଲି।’
ସତ୍ୟେନ୍ଦୁ କହିଲା, ‘ଆରେ ବାଃ, ତା’ ହେଲେ ତୁମେ ସତରେ କରୋନା ଯୋଦ୍ଧା ମଦନା! ଆମ ଅଫିସ୍ ତୁମକୁ ଏବେ ଏ ଦାୟିତ୍ୱ ଦେଇ ଠିକ୍ କରିଚି।’
ଏକଥା ଶୁଣି ମଦନା ତା’ ସ୍ୱଭାବ ସୁଲଭ ଅଜବ ଢଙ୍ଗରେ ହୋ ହୋ ହସି ଉଠିଲା।
‘ସୁହାସିତମ୍’, କସ୍ତୁରୀ ନଗର,
ରାୟଗଡ଼ା-୭୬୫୦୦୧