କିଛି ଦିନ ତଳେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ନିକଟସ୍ଥ ଏକ ଅନୁଷ୍ଠାନରେ ଜୈବିକ ଚାଷ ସଂପର୍କୀୟ ଏକ ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ସେ ଭିତରେ ଆନ୍ଧ୍ରର ବିଜୱାଡାରୁ ତାଙ୍କର ଟୋୟୋଟା ଇନୋଭା ଗାଡ଼ିରେ ଦୁଇଜଣ ଚାଷୀ ପହଞ୍ଚିଲେ। ତାଙ୍କୁ ପଚାରିଲି- ଆପଣମାନେ ଏତେ ବାଟରୁ ପନ୍ଦର କୋଡ଼ିଏ କେ.ଜି. ଧାନ ବିହନ ନେବା ପାଇଁ ଆସିଛନ୍ତି, ଆପଣମାନଙ୍କ ପାଖରେ ଦେଶୀ ବିହନ କ’ଣ କିଛି ନାହିଁ? ଉତ୍ତରରେ କହିଲେ- ବିହନର ମୂଲ୍ୟ ନାହିଁ, ସେ ଅମୂଲ୍ୟ, ଆଉ ଦେଶୀ ବିହନ କଥା, କୋକାଳୁ ସେସବୁ ଗଲାଣି। ତା’ପରେ ଅନୁଷ୍ଠାନର ଲୋକ କହିଲେ ତା’ର କିଛି ଦିନ ପୂର୍ବରୁ ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ଜଣେ ଚାଷୀ ନିଜ କାର୍ ଧରି ଆସିଥିଲେ କିଛି ବିହନ ନେବା ପାଇଁ। ଯେଉଁ ରାଜ୍ୟରେ ଦେଶୀ ଛାଡ଼ି ହାଇବ୍ରିଡ୍ ଧାନକୁ ପ୍ରଥମେ ଚାଷୀମାନେ ଗ୍ରହଣ କରିନେଲେ, ସେଇ ରାଜ୍ୟରେ ପୁଣି ଦେଶୀ ବିହନ ପାଇଁ ଆଗ୍ରହ!

Advertisment

ଆମେ ଜାଣିଛେ ପ୍ରଥମେ ସରକାରଙ୍କ ତରଫରୁ ଉନ୍ନତ କିସମର ଧାନ, ପରେ ଅଧିକ ଅମଳକ୍ଷମ ଧାନ ଓ ଏବେ ହାଇବ୍ରିଡ୍ ବା ଶଂକର ଜାତୀୟ ଧାନ। ଖାଲି ଧାନ କାହିଁକି, ମକା, ଟମୋଟୋ, ବାଇଗଣ, ଜହ୍ନି, ଭେଣ୍ଡିଠୁ ଆରମ୍ଭ କରି ସବୁ ଶଂକର ଜାତୀୟ। ଚାଷୀମାନେ କାହିଁକି ନିଜସ୍ବ ଦେଶୀ ବିହନ ଛାଡ଼ି ଶଂକର ଜାତୀୟ ବିହନକୁ ଆଦରିଲେ? ଆମେ ଦୁଇଟି ଉଦାହରଣ ଦେଲେ କାରଣ ସ୍ପଷ୍ଟ ହୋଇଯିବ।

ପ୍ରଥମେ ଧାନକୁ ନେବା। ଖାଉଟିଙ୍କର ପସନ୍ଦ, ଚାଉଳ ସୁପରଫାଇନ୍ ବା ଅତି ସରୁ ହୋଇଥିବ, ଭାତ ଆଖି ଝଲସିଲା ଭଳି ଧଳା ଦେଖାଯାଉଥିବ, ଟିକିଏ ବାସନା ଥିଲେ ଆହୁରି ଭଲ। ଚାଷୀମାନଙ୍କର ପସନ୍ଦ ବେଶୀ ଅମଳ ହେବ, ଧାନ ସହଜରେ ପଡ଼ିବ ନାହିଁ, ଚାଉଳ ପାଇଁ ଲୋକଙ୍କର ଆଗ୍ରହ ଥିବ। ସରକାର ତା’କୁ କିଣି ନେଉଥିଲେ ଭଲ। ଉଭୟ ଚାଷୀ ଓ ଖାଉଟିଙ୍କର ଆଗ୍ରହକୁ ବିଚାର କରି ବୈଜ୍ଞାନିକମାନେ ହଜାର ହଜାର ପ୍ରକାର ଧାନ ବିହନମାନଙ୍କର ଜିନ୍ ବା ଗୁଣସୂତ୍ରମାନଙ୍କର ମିଶାଣ ଫେଡ଼ାଣ କରି ଧାନ ବିହନ ବାହାର କରିଦେଲେ। ବର୍ତ୍ତମାନ ଉଭୟେ ଚାଷ ଓ ଖାଉଟିଙ୍କର ସମସ୍ୟା ସମାଧାନ ହୋଇଗଲା।

କିନ୍ତୁ, ପ୍ରକୃତରେ ସମସ୍ୟା ଆରମ୍ଭ ହେଲା। ଏବେ ଚାଷୀମାନେ ହାଇବ୍ରିଡ୍‌ ବା ଶ˚କର ଜାତୀୟ ବିହନକୁ ପ୍ରତିବର୍ଷ କିଣିବେ, ନିଜେ ବିହନ ସାଇତି ବ୍ୟବହାର କରିପାରିବେ ନାହିଁ ବା ଅନ୍ୟ ଚାଷୀଙ୍କ ସହ ଅଦଳ ବଦଳ କରିପାରିବେ ନାହିଁ। ନିଜେ ନିଜର ହାଇବ୍ରିଡ୍‌ ଧାନର ବିହନ ବ୍ୟବହାର କଲେ ସେଥିରୁ ଗଜା ହେବନି, ଗଜା ହେଲେ, ଫୁଲ ହେବନି ବା ଫୁଲ ହେଲେ ଫଳ ହେବନି। ଧାନ ଭିତରେ ଥିବା ବିହନରୁ ଗଜା ହେବା ଓ ଫୁଲ ଫଳ ହେବାର ଜିନ୍‌ ଗୁଡ଼ିକୁ କ˚ପାନି ବାହାର କରିନେଇଛି ବା ଟର୍ମିନେଟ୍‌ କରିଦେଇଛି। କେହି କେହି ଅସାଧୁ ବ୍ୟବସାୟୀ ଚାଷୀଙ୍କଠୁ ହାଇବ୍ରିଡ୍‌ ଧାନ କିଣି ବିହନ ଆକାରରେ ବିକ୍ରି କରିଦେଉଥିବାରୁ ମଝିରେ ମଝିରେ ଚାଷୀମାନେ ଗଜା ହେଲା, ବା ଫୁଲ ଫଳ ହେଲାନି ବୋଲି ଅଭିଯୋଗ କରିଥାନ୍ତି। ଅର୍ଥାତ୍‌, ପ୍ରତି ବର୍ଷ କ˚ପାନି ବିହନର ଯେଉଁ ଦାମ୍‌ ଠିକ୍‌ କରିବ, ସେହି ଦାମ୍‌ ହିଁ ଚାଷୀକୁୁ ଦେଇ କିଣିବାକୁ ପଡ଼ିବ। କଥା ସେତିକିରେ ସରେ ନାହିଁ। କ˚ପାନିର ହାଇବ୍ରିଡ୍‌ ଧାନ ବିହନରୁ ଅଧିକ ଅମଳ ପାଇଁ କ˚ପାନି ଯେଉଁ ହାରରେ ରାସାୟନିକ ସାର ଓ ଯେଉଁ ଯେଉଁ ପ୍ରକାରର କୀଟନାଶକ ବିଷ ବ୍ୟବହାର କରିବାକୁ କହିବ, ସେହି ଅନୁଯାୟୀ ଚାଷୀଙ୍କୁ କରିବାକୁ ହେବ, ନଚେତ ଉପଯୁକ୍ତ ଅମଳ ପାଇପାରିବ ନାହିଁ। ଏବେ ଚାଷୀ ପୂରା କ˚ପାନି କବ୍‌ଜାରେ, ଆଉ ଖାଉଟିମାନେ ସେଇ ଗୋଟିଏ/ଦୁଇଟି ପ୍ରକାରର ବିଷବୋଳା ଚାଉଳର ଧୋବ ଫରଫର ଭାତ ଖାଇବାକୁ ବାଧୢ।

ଅନ୍ୟ ଉଦାହରଣଟି ହେଲା ଟମୋଟୋ। ଯେମିତି ଲଙ୍କା ଓ ଆଳୁ, ଆଗ ବିଲାତି ଆଳୁ କୁହାଯାଉଥିଲା, ଦକ୍ଷିଣ ଆମେରିକାରୁ ଆସି ଆମର ଅତି ପ୍ରିୟ ହୋଇଗଲା, ସେହିଭଳି ଆମେରିକାରୁ ଆସି ଟମାଟୋ ବା ବିଲାତି ବାଇଗଣ/ପାତଳଘଣ୍ଟ ଆମର ପ୍ରିୟ ପରିବା ହୋଇଗଲା। ଅନେକ ପ୍ରକାର ଟମୋଟୋ ଥିଲା, ଗୋଟେ ଗୋଟେ ଟମାଟୋର ଓଜନ ଅଧକିଲୋ, ପାଣି/ରସ ପ୍ରଚୁର, ଚୋପା ପତଳା, ସହଜରେ ଫାଟି ଯାଏ। ଛୋଟ ପରିବାର ହେତୁ ସେସବୁ ଖାଉଟିଙ୍କୁ ସୁହାଇଲା ନାହିଁ, ଦୂରକୁ ପଠାଇବା ବ୍ୟବସାୟୀ/ଚାଷୀଙ୍କ ପକ୍ଷରେ ସୁବିଧା ହେଲାନି। ଚାଷୀ ଚାହିଁଲେ ପ୍ରଚୁର ଆମଦାନି, ଟମାଟୋଗୁଡ଼ିକ ଛୋଟ, ପଥର ଭଳି ଟାଣ, ବର୍ଷସାରା ହେଉଥିବ। ଖାଉଟି ଚାହିଁଲେ ଅଢ଼େଇଶ ଟମାଟୋରେ ଗୋଟିଏ ଡାଲମାରେ, ଗୋଟିଏ ତରକାରିରେ ଆଉ ଦୁଇଟି/ତିନିଟି ସାଲାଡରେ। କିଣିକିରି ଆଣିଲାବେଳେ ବା ଘରେ ପରିବା ଡାଲାରେ ଫାଟିବନି ଓ ବର୍ଷସାରା ପାଇବେ। ଏ ଉଭୟଙ୍କର ଚାହିଦା ମେଣ୍ଟାଇବାରେ ବୈଜ୍ଞାନିକମାନେ ନୂଆ କିସମର ଟମାଟୋ ବାହାର କଲେ। ହାଇବ୍ରିଡ୍‌ ଟମାଟୋର ମ˚ଜି କିଲୋ ପଚିଶରୁ ଅଶୀ ହଜାର ଟଙ୍କା। ଧାନ ପରି ଟମାଟୋର ମ˚ଜି ମଧୢ ଚାଷୀମାନେ କ˚ପାନିରୁ ହିଁ କିଣିବେ ଓ କ˚ପାନିର ପରାମର୍ଶ ଅନୁଯାୟୀ ରାସାୟନିକ ସାର ଓ କୀଟନାଶକ ବିଷ ପ୍ରୟୋଗ କଲେ ଯାଇ ହିଁ ଅଧିକ ଅମଳ ପାଇବେ। ନିଜେ ବିହନ ରଖିଲେ ଫୁଲ ଫଳ ହେବନି। ସେଇ ଜିନ୍‌ଗୁଡ଼ିକୁ କ˚ପାନି ବାହାର କରିନେଇଛି। ଏବେ କ˚ପାନିମାନେ ଆଉ ପାଦେ ଆଗେଇଗଲେ। ବହୁତ ଦାମ୍‌ ଦେଇ ବିହନ କିଣି ଚାରା କଲାବେଳେ ପାଣିପାଗ ଯୋଗୁ ହେଉ ବା କୌଣସି ଅସାଧୁ ବ୍ୟବସାୟୀଙ୍କ କାରସାଦି ଯୋଗୁ ହେଉ, ଚାଷୀମାନେ ଅନେକ ସମୟରେ କ୍ଷତି ସହିଲେ। ସେଥିରୁ ରକ୍ଷା କରିବା ପାଇଁ ଏବେ ବିଭିନ୍ନ ଜାଗାରେ କ˚ପାନି ତରଫରୁ ବଡ଼ ବଡ଼ ଗ୍ରିନ୍‌ ହାଉସ୍‌ରେ ଲକ୍ଷ ଲକ୍ଷ ଚାରା ଉତ୍ପାଦନ ପାଇଁ ନର୍ସରି କରାଯାଉଛି କ˚ପାନି ବିହନରୁ। ଚାଷୀମାନେ ଏଣିକି ଟମାଟୋ ମ˚ଜି ନକିଣି ସିଧାସଳଖ ଚାରା କିଣିଲେ। ଧାନ ଭଳି ଏଥିରେ ମଧୢ ଏବେ ଚାଷୀ ପୂରା କ˚ପାନି କବ୍‌ଜାରେ। ଆଉ ବର୍ଷସାରା ସେଇ ଗୋଟିଏ ଦୁଇଟି ପ୍ରକାରର ହାଇବ୍ରିଡ୍‌ ବିଷବୋଳା ଟମାଟୋ ଖାଉଟିମାନେ ଖାଇଲେ।

ଆଉ ପାଦେ ଆଗେଇ ଯାଇ ବାଇଗଣ, ମକା ଓ କପା ଭଳି ଫସଲରେ ବାହାର ପ୍ରାଣୀମାନଙ୍କର ଜିନ୍‌ ଖ˚ଜି ବି.ଟି. ବାଇଗଣ, ମକା ଓ କପା ଇତ୍ୟାଦି ଫସଲ ବାହାର କଲେ। ଏହାକୁ ଟ୍ରାନ୍‌ସଜେନିକ୍‌ ଟେକ୍ନୋଲୋଜି କୁହାଗଲା। ଏ ବିଦ୍ୟା ପ୍ରୟୋଗ କରି କାନାଡାର ଗୋଟିଏ କ˚ପାନି ବାୟୋଷ୍ଟିଲ୍‌ ଉତ୍ପାଦନ କରିବା ପାଇଁ ବାହାରିଛି। ବୁଢ଼ିଆଣୀର ସୂତା ବାହାର କରିବା ଜିନ୍‌କୁ ଛେଳିରେ ଭର୍ତ୍ତିକରି ଛେଳି ଖିରରୁ ସୂତା ବାହାର କରିବେ ଯାହା କି ସେଇ ମୋଟେଇର ଇସ୍ପାତଠୁ ମଜଭୁତ ଓ ନମନୀୟ ହେବ।

ଆଉ କିଛି ବୈଜ୍ଞାନିକ ଲାଗିଛନ୍ତି ବିଭିନ୍ନ ପ୍ରକାର ପ୍ରାଣୀମାନଙ୍କର ଜିନ୍‌କୁ ମଣିଷ ଭିତରେ ଭର୍ତ୍ତି କରି ଏକ ପ୍ରକାର ପ୍ରାଣୀ ବାହାର କରିବେ ଯାହାର ନାଁ ହେବ ପାରା ହ୍ୟୁମାନ୍‌ ଅର୍ଥାତ୍‌ ଏଇ ପ୍ରାଣୀ ବି ମଣିଷ ଭଳି ଦେଖାଯିବ, କିନ୍ତୁ ମଣିଷ ନୁହେ ଓ ସେ ଅତି ଅସ୍ବାସ୍ଥ୍ୟକର ପରିବେଶରେ ବିପଜ୍ଜନକ କାମ ମାନ କରିବ; ଯେହେତୁ ପୂରା ମଣିଷ ନୁହେ, ସେଥିପାଇଁ ମାନବିକ ଅଧିକାର ତା’ର ରହିବ ନାହିଁ ଓ ମାନବିକ ଅଧିକାର ପାଇଁ କାମ କରୁଥିବା କର୍ମୀମାନେ ହୋ ହଲ୍ଲା କରିବେ ନାହିଁ ବା କୋର୍ଟ କଚେରିକୁ ଯାଇପାରିବେ ନାହିଁ।

ଏ ବିଦ୍ୟା ବା ଅବିଦ୍ୟା ପ୍ରୟୋଗ କରି ଅନ୍ୟ ଏକ କଳ୍ପନା କରାଯାଇପାରେ। ଯେପରି ଲକ୍ଷାଧିକ ପ୍ରଜାତିର ଧାନର ଗୁଣସୂତ୍ରଗୁଡ଼ିକରୁ ବଛାବଛି କରି ହାଇବ୍ରିଡ୍‌ ଧାନ ବାହାର କରାଗଲା ସେଇଭଳି ପୃଥିବୀର ବିଭିନ୍ନ ସ୍ଥାନରେ- ବର୍ଷସାରା ବରଫ, ମରୁଭୂମିର ଭୟଙ୍କର ତାତି, ଅତ୍ୟୁଚ୍ଚ ପାହାଡ଼ ପର୍ବତ, ଅଗନା ଅଗନି ବନସ୍ତ, ବିସ୍ତୃତ ସମତଳ ଭୂମି, ଜନାକୀର୍ଣ୍ଣ ସହର ଇତ୍ୟାଦି ଜାଗାମାନଙ୍କରେ ରହୁଥିବା ଲୋକମାନଙ୍କର ଜିନ୍‌ ଏକାଠି କରି ନୂଆ ମଣିଷ ବାହାର କରିବେ। ସେଥିରେ ଖର୍ବକାୟ, ଦୀର୍ଘକାୟ, ଶତାୟୁ, ଗୋରା, କଳା, ପୀତ ବର୍ଣ୍ଣ ଇତ୍ୟାଦି ମଣିଷ ମଧୢ ରହିବେ। ବିଲେଇ ଓ ଚିଲ ଭଳି ମଣିଷ ଇତର ପ୍ରାଣୀମାନଙ୍କର ଜିନ୍‌ ସ˚ଗ୍ରହ କରି ମଣିଷ ଭିତରେ ଭର୍ତ୍ତି କରିବେ।

ଏବେ କ˚ପାନି କହିବ- ଆମ ଭ୍ରୂଣଟି ଶହେ ବର୍ଷ ବ˚ଚିବ, ତାର ମୁଣ୍ତ ନଣ୍ତା ହେବନି, ଚୁଟି ପାଚିବନି, ଦାନ୍ତ ପଡ଼ିବନି, ବିଲେଇ ଭଳି ରାତିରେ ଓ ଚିଲ ଭଳି ବହୁ ଦୂରରୁ ମଧୢ ଦେଖିପାରିବ। ଅନେକ ପ୍ରକାର କର୍କଟ ରୋଗ, ଶ୍ବାସ, ଡାଇବେଟିସ୍‌ ଇତ୍ୟାଦି ରୋଗ ହେବନି, କରୋନା ଭଳି ଅନେକ ଭୂତାଣୁକୁ ପ୍ରତିରୋଧ କରିବ। ଗଣିତ, ବିଜ୍ଞାନ, ସାହିତ୍ୟ, ସ˚ଗୀତ ଓ ସ˚ସ୍କୃତିରେ ରୁଚି ରହିବ। ର˚ଗ, ଉଚ୍ଚତା ଇତ୍ୟାଦି ମଧୢ ବେଶ୍‌ ଆକର୍ଷଣୀୟ ହେବ, ଇତ୍ୟାଦି।

ଧାନ ଚାଷୀ ଓ ଟମାଟୋ ଚାଷୀ କ˚ପାନି ଜାଲରେ ପଡ଼ିବା ଭଳି ଆମେ ସେ ଜାଲରେ ପଡ଼ିଯିବା। ଆଉ ସେତେବେଳେ ପାଞ୍ଚ ବର୍ଷର ପୁଅ ବା ଝିଅ, ବା କୋଡ଼ିଏ/ବାଇଶ ବର୍ଷର ତରୁଣ ତରୁଣୀ ସବୁ ସର୍ବତୋଭାବେ ସମାନ ଦେଖାଯିବେ। ର˚ଗରେ, ଢଙ୍ଗରେ, ରୁଚିରେ କୌଣସି ପାର୍ଥକ୍ୟ ରହିବ ନାହିଁ। ସେତେବେଳେ ‘କାଳୀ’ ଦେଖିଲି, ଗୋରୀ ଦେଖିଲି...’ ଗୀତର ପ୍ରାସଙ୍ଗିକତା ରହିବ ନାହିଁ।

ଆଉ ଯେମିତି ଟମାଟୋ ଚାଷୀମାନଙ୍କୁ ମ˚ଜି କିଣି ଚାରା କରିବା କଷ୍ଟରୁ କ˚ପାନି ଉଦ୍ଧାର କରିଦେଲା ସିଧାସଳଖ ଚାରା ଦେଇ, ସେଇଭଳି କ˚ପାନିର ଭ୍ରୂଣ କିଣି ଆଣି ତା’କୁ ବଢ଼େଇ, ଜନ୍ମ ଦେବାର କଷ୍ଟରୁ ଉଦ୍ଧାର ପାଇବା, କ˚ପାନି ସନ୍ତାନ ବଢ଼େଇ ଦେଇଦେବାର ବ୍ୟବସ୍ଥା କରିବ। ବୟସ ଅନୁପାତରେ ଅର୍ଥ ଦେଇ ସନ୍ତାନ କିଣିବା ଶ୍ରେୟସ୍କର ହୋଇଯିବ। ସେତେବେଳେ ଆମେ ଏକ ମୁସ୍କିଲ ଦୁନିଆରେ ପହଞ୍ଚିବା। ପୁ˚ସବନ କର୍ମ, ଗର୍ଭାଧାନ କର୍ମ ଓ ଜାତି କର୍ମ ଇତ୍ୟାଦି ରହିବ ନାହିଁ।

ଇଏ ଏକ ଅତି ଅବାସ୍ତବ ଓ ଉଦ୍‌ଭବ କଳ୍ପନା ପରି ମନେ ହୁଏ। କିନ୍ତୁ ଲକ୍ଷ୍ୟ କରିଛନ୍ତି ଆମ ଗୋଲାପ ଫୁଲତୋଡ଼ାର ଗୋଲାପଗୁଡ଼ିକୁ? ସେ ସବୁ ସର୍ବତୋଭାବେ ସମାନ। କେବେ ଭାବିଛନ୍ତି ଯେ ଚିକେନ୍‌ ଖାଉଛନ୍ତି, ସାରା ଦେଶରେ ସେଇ ଗୋଟିଏ ପ୍ରକାର କୁକୁଡ଼ା। ସେଇ ଜର୍ସି ଗାଈର କ୍ଷୀର। ସେଇ ଆନ୍ଧ୍ରର ଗୋଟିଏ ଦୁଇଟି ପ୍ରକାର ମାଛ।

ଧୀରେ ଧୀରେ ଆମ ଅଲକ୍ଷ୍ୟରେ ଅଥଚ ନିଶ୍ଚିତ ଭାବରେ ଆମେ ପ୍ରକୃତିରେ ଥିବା ଚମତ୍କାର ବିବିଧତା ହରାଇ ସମାନତା ବା ହୋମୋଜେନିଟି/ୟୁନିଫର୍ମିଟି ଆଡ଼କୁ ଯାଉଛେ। ଆମ ନଦୀ ନାଳରେ, ଧାନ ବିଲରେ ଓ ସମୁଦ୍ରରେ କେତେ ପ୍ରକାର ମାଛ ଥିଲେ, ହଜାର ହଜାର ପ୍ରକାର ଧାନ ଥିଲା, କେତେ ପ୍ରକାର ଦେଶୀ ଗାଈ ଥିଲେ, କେତେ ପ୍ରକାର ଭେଣ୍ତି, ଜହ୍ନି, ଝୁଡ଼ଙ୍ଗ ଇତ୍ୟାଦି ପରିବା ଥିଲା। ସେ ସବୁ ଗଲେ କୁଆଡେ଼? କେତେ ପ୍ରକାର ରୋଷେଇ ଓ ବ୍ୟଞ୍ଜନର ବ୍ୟବସ୍ଥା, କେତେ ପ୍ରକାର ପୋଷାକପତ୍ର ଓ ଭାଷା- ସବୁ ଆଖି ଆଗରେ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। କୋଟି କୋଟି ବର୍ଷର ବିବର୍ତ୍ତନ ପ୍ରକ୍ରିୟାରେ ପ୍ରକୃତି ସେଇ ବିଚିତ୍ରତା ଓ ବିବିଧତାର ଭଣ୍ତାର ସୃଷ୍ଟି କରିଥିଲା।

ପାହାଡ଼ରେ ଧାଡ଼ି ଧାଡ଼ି ହୋଇ ଗୋଟିଏ ପ୍ରକାର ଗଛ ଅଛି କି? ଆକାଶରେ ସମାନ ଆକାର ଓ ଉଜ୍ବଳତାର ତାରାମାନେ ଧାଡ଼ି ଧାଡ଼ି ହୋଇ ଅଛନ୍ତି କି? ଯଦି ସେଭଳି ହୋଇଥାନ୍ତା ତେବେ ଆମେ ଅନନ୍ତ ଆକାଶର ଓ ବଣ ଜଙ୍ଗଲର ଅପରୂପ ସୌନ୍ଦର୍ଯ୍ୟ ଓ ବର୍ଣ୍ଣ ବୈଭବରେ ଆତ୍ମହରା ହେଉନଥାନ୍ତେ।

ଆଜି କିନ୍ତୁ ଭିନ୍ନ ଏକ ଭୂତାଣୁ, ସମାନତାର ଭୂତାଣୁ ଆମକୁ କବଳିତ କରିବାରେ ଲାଗିଛି। କିଏ କହିବ, ଯଦି ଏଠୁ ସେଠୁ ଖଞ୍ଜା ଯାଇଥିବା ଗୋଟିଏ ଦୁଇଟି ଜିନ୍‌ର ବିଲୟ ବା କୋଲାପ୍‌ସ ହୁଏ, ବା କୌଣସି ଏକ ନୂଆ ବେମାର ବା କୀଟର ସ˚କ୍ରମଣକୁ ପ୍ରତିରୋଧ କରିନପାରେ, ତେବେ ସମୂଳେ ବିନାଶ ଘଟିବ। ଆଉ ଆମେ ଊର୍ଦ୍ଧ୍ବମୁଖ ହୋଇ ପ୍ରାର୍ଥନା କଲେ ଏ ସମାନତାର ଭୂତାଣୁର କବଳରୁ ରକ୍ଷା କରିବା ପାଇଁ କେହି ତ୍ରାଣକର୍ତ୍ତା ଓହ୍ଲେଇ ଆସିବେନି। ଆମକୁ ଓ ଏବଠୁ ହିଁ ପ୍ରକୃତିର ଅନିର୍ବଚନୀୟ ଶୋଭା ଓ ବିବିଧତାର ସୁରକ୍ଷା କରିବାକୁ ହେବ।

କଳିଙ୍ଗ ବିହାର, ଭୁବନେଶ୍ବର