ପିତା ଦିବସରେ ପିତୃ ସ୍ମରଣ

ବିକଳ୍ପ ବିଶ୍ବ - ଭଗବାନପ୍ରକାଶ

ଜଣେ ବ୍ୟକ୍ତିଙ୍କର ଶାରୀରିକ, ମାନସିକ, ସାମାଜିକ ଓ ନୈତିକ ବିକାଶରେ ପିତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ପିତାମାତାଙ୍କ ସହ ସମ୍ପର୍କ ସନ୍ତାନଙ୍କ ଆଚରଣ, ଚରିତ୍ର ଓ ମୂଲ୍ୟବୋଧକୁ ବିଶେଷ ପ୍ରଭାବିତ କରିଥାଏ। ଏକ ଚଉଦ ବର୍ଷର ଝିଅ ଜ୍ୟୋତି କୁମାରୀ। କରୋନା ଯୋଗୁ କାରଖାନା ସବୁ ବନ୍ଦ ହୋଇଯିବାରୁ ତାଙ୍କ ରିକ୍‌ସା ଚାଳକ ପିତା, ଜୀବିକା ହରାଇ ଜୀବନ ବଞ୍ଚାଇବା ପାଇଁ ହରିଆନାରୁ ନିଜ ରାଜ୍ୟ ବିହାର ଫେରିଯିବାକୁ ଉଦ୍‌ବିଗ୍ନ ଥିଲେ। କିନ୍ତୁ ଫେରିବାର ସବୁ ବାଟ ବନ୍ଦ ଥିଲା ତାଲାବନ୍ଦ କାରଣରୁ। ଜ୍ୟୋତି ଏକ ପୁରୁଣା ସାଇକେଲ୍‌ ଯୋଗାଡ଼ କରି ପିତାଙ୍କୁ କ୍ୟାରିଅର‌୍‌ରେ ବସାଇ ୧୨୦୦ କିଲୋମିଟର ଲମ୍ବା ରାସ୍ତା ଅତିକ୍ରମ କରି ଘରେ ପହଞ୍ଚାଇ ଦେଲେ। ଅସୀମ ଆନନ୍ଦରେ ପିତା ପୁତ୍ରୀଙ୍କ ମୁଣ୍ତ ଉପରେ ଢାଳି ଦେଲେ ଅଜସ୍ର ଆଶୀର୍ବାଦ। ସେମିତି ବାଲ୍ମିକୀ ରାମାୟଣରେ ଋଷି ଶାନ୍ତନୁଙ୍କ ପୁତ୍ର ଶ୍ରବଣ କୁମାର। ବୃଦ୍ଧ ବୟସରେ ପିତା ଇଚ୍ଛା କଲେ ତୀର୍ଥଯାତ୍ରା ପାଇଁ। ରାସ୍ତା ଖର୍ଚ୍ଚ ପାଇଁ ପଇସା ନ ଥିଲା। ଶ୍ରବଣ କୁମାର ପିତାମାତାଙ୍କୁ ଦୋଳାରେ ବସେଇ କାନ୍ଧରେ ବୋହି ତୀର୍ଥ ସ୍ଥାନକୁ ଦେଖାଇଥିଲେ। ପିତା ଦଶରଥଙ୍କ ବଚନ ରକ୍ଷା ପାଇଁ ରାମ ରାଜପଦ ତ୍ୟାଗ କରି ବନବାସରେ ରହିଥିଲେ ଚଉଦ ବର୍ଷ। ମହାଭାରତରେ ଦେବବ୍ରତ ପିତାଙ୍କ ଇଚ୍ଛା ପୂରଣ ପାଇଁ ଚିର କୁମାର ରହିବାକୁ ଶପଥ ନେଇଥିଲେ। ଏହି ଭୀଷଣ ପ୍ରତିଜ୍ଞା ଯୋଗୁ ସେ ଭୀଷ୍ମ ଭାବରେ ପରିଚିତ ହେଲେ। ପିତାରୁ ହେଲେ ପିତାମହ। ଛାନ୍ଦୋଗ୍ୟ ଉପନିଷଦରେ ଦାସୀ ଜାବାଳୀଙ୍କ ପୁତ୍ର ସତ୍ୟକାମ ପିତୃ ପରିଚୟ ଦେଇ ନ ପାରିବାରୁ ଗୁରୁକୁଳ କବାଟ ଫିଟିନଥିଲା। କୃଷିଭିତ୍ତିକ ସଭ୍ୟତା ଆରମ୍ଭ ହେଲା ପରେ ଉତ୍ତରାଧିକାର ବିବାଦ ସମାଧାନ ପାଇଁ ମଣିଷ ସୃଷ୍ଟି କରିଥିଲା ବିବାହ, ପରିବାର, ମାତାପିତା ପରମ୍ପରା। ସେଥିରୁ ସୃଷ୍ଟି ହେଲା ସମାଜ, ସ˚ସ୍କୃତି। ଜୀବନକୁ ସୁରକ୍ଷା ଦେଲେ ମାତା ଓ ଜୀବିକାକୁ ପିତା। ତ୍ୟାଗ କଲେ ନିଜର ସୁଖ, ସ୍ବାଚ୍ଛନ୍ଦ୍ୟ, ସମୟ ଓ ସ୍ବାଧୀନତା। ପିଲାଙ୍କ ଭବିଷ୍ୟତ ପାଇଁ ନିଜର ଭବିଷ୍ୟତ ଜଳାଞ୍ଜଳି ଦେଲେ ଅନେକ ପିତା।

ଏହି ଅବଦାନକୁ ସ୍ମରଣ କରି ପୃଥିବୀର ଅନେକ ଦେଶ ମେ’ ମାସ ଦ୍ବିତୀୟ ରବିବାର ଦିନଟିକୁ ମାତା ଦିବସ ଓ ଜୁନ ମାସର ତୃତୀୟ ରବିବାର ଦିନଟିକୁ ପିତା ଦିବସ ଭାବରେ ପାଳନ କରିଥାନ୍ତି। ଏହି ପ୍ରଥାଟି ପ୍ରଥମେ ଆରମ୍ଭ କରିଥିଲେ ଶ୍ରୀମତୀ ସୋନୋରା ସ୍ମାର୍ଟ ୧୯୧୦ ମସିହାରେ ଆମେରିକାରେ। ତାଙ୍କ ବାପା ଆମେରିକାନ୍‌ ମିଲିଟାରି ଅଫିସର ଉଇଲିଅମ ଜ୍ୟାକ୍‌ସନ ସ୍ମାର୍ଟଙ୍କ ସ୍ମୃତିରେ। ଜ୍ୟାକସନ୍‌ ଦୁଇ ଦୁଇଥର ବିବାହ କରିଥିବା ସତ୍ତ୍ବେ ଉଭୟ ପତ୍ନୀଙ୍କ ବିୟୋଗ ଯୋଗୁଁ ବିପତ୍ନୀକ ବା ସିଙ୍ଗଲ୍‌ ପ୍ୟାରେଣ୍ଟ ଥିଲେ। ଦୁଇପତ୍ନୀଙ୍କ ଆଡୁ ତାଙ୍କର ଥିଲେ ୧୪ଟି ପିଲା। ସେମାନଙ୍କୁ ଏକ୍‌ଲା ପାଳି, ପୋଷି, ବଡ଼ କରିବାରେ ତାଙ୍କର ସାରା ଜୀବନ କଟି ଯାଇଥିଲା। ସୋନୋରା ସେଇ ୧୪ ସନ୍ତାନ ମଧୢରୁ ଜଣେ। ମଧୢଯୁଗୀୟ ୟୁରୋପର ଇଟାଲି ଦେଶରେ ପିତା-ପୁତ୍ରୀ ସମ୍ପର୍କର ଆଉ ଏକ ହୃଦୟସ୍ପର୍ଶୀ କାହାଣୀ। ପିତାଙ୍କ ନାମ ସାଇମୋନ୍‌, ପୁତ୍ରୀ ନାଁ ପେରୋ। ବୃଦ୍ଧାବସ୍ଥାରେ ସାଇମୋନ୍‌ଙ୍କୁ ହେଲା ମୃତ୍ୟୁଦଣ୍ତ। ଦଣ୍ତର ରୂପ ହେଲା ବିନା ଖାଦ୍ୟପେୟରେ ଜେଲ୍‌ରେ ଦୁଇ ମାସ ଭିତରେ ମୃତ୍ୟୁ। ଝିଅ ପେରୋ ଜେଲର‌୍‌ଙ୍କୁ କହିଲେ ମୋ ବାପା ଅତି ବୃଦ୍ଧ। ତାଙ୍କୁ ଦିନକୁ ଥରେ ଭେଟିବାକୁ ମିନତି କଲେ ଓ ଅନୁମତି ମିଳିଲା। ସର୍ତ୍ତ ରହିଲା ଜେଲ୍‌କୁ କୌଣସି ଖାଦ୍ୟ ପାନୀୟ ନେଇ ଆସିବେ ନାହିଁ। ଦୁଇମାସ ଗଡ଼ିଗଲା। ସାଇମୋନ୍‌ଙ୍କ ମୃତ୍ୟୁ ହେଲା ନାହିଁ। ତୃତୀୟ ମାସ ପୂରିଲା। ତଥାପି ସେ ମଲେ ନାହିଁ। ଏହା ପରେ ‘ପେରୋ’ଙ୍କ ଉପରେ କଡ଼ା ନଜର ରଖାଗଲା। ଦିନେ ପ୍ରହରୀମାନେ ଦେଖିଲେ ଯେ ପେରୋ ବୃଦ୍ଧ ପିତା ସାଇମୋନ୍‌ଙ୍କୁ କୋଳରେ ବସାଇ ସ୍ତନ୍ୟପାନ କରାଉଛନ୍ତି। ଖବର ବିଦ୍ୟୁତ ବେଗରେ ରୋମ ନଗରୀରେ ବ୍ୟାପିଗଲା ଓ ରାଜାଙ୍କ କାନରେ ପଡ଼ିଲା। ରାଜା ଉଭୟଙ୍କୁ ଡକାଇଲେ ଏବ˚ ପିତାଙ୍କ ପ୍ରାଣରକ୍ଷା ପାଇଁ ପୁତ୍ରୀଙ୍କର ଅବଦାନକୁ ଉଚ୍ଚ ପ୍ରଶ˚ସା କରି ସାଇମୋନ୍‌ଙ୍କୁ ମୃତ୍ୟୁଦଣ୍ତରୁ ମୁକ୍ତ କରି ଦେଲେ।

ଆମ ପୁରାଣ, ଶାସ୍ତ୍ର, ଲୋକ କଥାରେ ପିତାଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଜୀବନଚକ୍ର ସହ ଯୋଡ଼ି ହୋଇ ରହିଥାଏ। ଏହି ସମୟ ମଧୢରେ ତାକୁ ତିନିଟି ଋଣ ଶୁଝିବାକୁ ପଡ଼େ। ଯଥା- ଦେବଋଣ, ଗୁରୁଋଣ ଓ ପିତୃଋଣ। ପୂଜା, ଅର୍ଚ୍ଚନା, ପ୍ରାର୍ଥନା ଓ ଯାଗ-ଯଜ୍ଞ ତଥା ତ୍ୟାଗ, ତପସ୍ୟା ଦ୍ବାରା ଦେବଋଣ ପରିଶୋଧ କରାଯାଏ। ଅନ୍ୟକୁ ବିଦ୍ୟା ଦାନ କରି ପରିଶୋଧ କରାଯାଏ ଗୁରୁଋଣ। ପିତାମାତାଙ୍କ ସେବା ଦ୍ବାରା ପିତୃଋଣ ପରିଶୋଧ କରାଯାଏ। ପ୍ରତି ବର୍ଷ ଭାଦ୍ରବ ମାସରେ ଦୁଇ ସପ୍ତାହ ଧରି ନୈଷ୍ଠିକ ହିନ୍ଦୁମାନେ ପିତୃ ପୁରୁଷଙ୍କ ସ୍ମୃତିରେ ପାଳନ କରିଥାନ୍ତି ପିତୃପକ୍ଷ। ଏହି ସମୟରେ ଶ୍ରାଦ୍ଧ, ତର୍ପଣ କରାଯାଇଥାଏ। ପିତୃଲୋକର ପିତା ଯମରାଜଙ୍କ ଉଦ୍ଦେଶ୍ୟରେ ପୂଜା ପ୍ରାର୍ଥନା କରାଯାଏ। ଉକ୍ତି ଅଛି ଯେ ମୃତ୍ୟୁ ପରେ ମହାଦାନୀ କର୍ଣ୍ଣ ଯେତେବେଳେ ଯମ ଲୋକରେ ପହଞ୍ଚିଲେ ତାଙ୍କ ପାଇଁ ଦ୍ବାର ଖୋଲିଲା ନାହିଁ। ସେ କହିଲେ ମୁଁ ତ ଅନେକ ଦାନ ପୁଣ୍ୟ କରିଚି, ମୋ ପାଇଁ କାହିଁକି ଦ୍ବାର ବନ୍ଦ? ଯମରାଜ କର୍ଣ୍ଣଙ୍କୁ ବୁଝାଇ କହିଲେ ତମେ ସବୁ କରିଚ, କିନ୍ତୁ ପିତୃ ପୁରୁଷଙ୍କ ସମ୍ମାନରେ ପିତୃପକ୍ଷ ପାଳନ କରି ନାହଁ। କର୍ଣ୍ଣ ମର୍ତ୍ତ୍ୟଲୋକକୁ ଫେରି ପିତୃପକ୍ଷ ସାରି ଯମ ଲୋକକୁ ଫେରିଥିଲେ। ତାତ୍ପର୍ଯ୍ୟ ହେଲା ଯେ ପିତାଙ୍କୁ ସେବା, ସମ୍ମାନ କରିନାହିଁ, ତାକୁ ଯମ ଲୋକରେ ବି ସ୍ଥାନ ମିଳେ ନାହିଁ। ତେଣୁ ଉକ୍ତି ଅଛି- ପିତା ଧର୍ମ, ପିତା ସ୍ବର୍ଗ, ପିତା ହିଁ ପରମ˚ ତପଃ। ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା। ଯାହାଙ୍କ ଉପରେ ପିତା ସନ୍ତ୍‌ୁଷ୍ଟ, ତାଙ୍କ ଉପରେ ସବୁ ଦେବତା ସନ୍ତୁଷ୍ଟ। ମହାଭାରତ ଆରଣ୍ୟକ ପର୍ବରେ ଯକ୍ଷ ଯୁଧିଷ୍ଠିରଙ୍କୁ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ ସେଥିରୁ ଗୋଟିଏ ଥିଲା- କାହାର ସ୍ଥାନ ଆକାଶ ଠାରୁ ଉଚ୍ଚ? ଉତ୍ତର ଦେଇ ଯୁଧିଷ୍ଠିର କହିଥିଲେ- ‘ପିତା’, ପୃଥିବୀଠାରୁ ବଡ଼ କିଏ? ଉତ୍ତର-‘ମାତା’। ପବିତ୍ର କୋରାନ୍‌ ଗ୍ରନ୍ଥରେ ପିତାଙ୍କ ବିଷୟରେ ୭୦ ଥର ଉଲ୍ଲେଖ କରାଯାଇଛି। ମହାପୁରୁଷ ମହମ୍ମଦଙ୍କ ଭାଷାରେ ପିତା ହେଉଛନ୍ତି ସ୍ବର୍ଗରେ ପ୍ରବେଶର ମଧୢମ ଦ୍ବାର। ଏହାର ରକ୍ଷଣାବେକ୍ଷଣ ନ କଲେ ସ୍ବର୍ଗରେ ପହଞ୍ଚି ପାରିବ ନାହିଁ। ସେମିତି ପବିତ୍ର ବାଇବେଲ୍‌ରେ କୁହାଯାଇଚି ଯଦି ଈଶ୍ବରଙ୍କ ରାଜ୍ୟରେ ଦୀର୍ଘ ସମୟ ବଞ୍ଚି ରହିବାକୁ ଚାହଁ ତା’ହେଲେ ପିତାମାତାଙ୍କ ସେବା କର। ସେମାନେ ତୁମକୁ ଏହି ପୃଥିବୀକୁ ଆଣିଛନ୍ତି। ବାଇବେଲ୍‌ରେ ଅତିକମ୍‌ରେ ପାଞ୍ଚଥର ଈଶ୍ବରଙ୍କୁ ପିତା ବୋଲି ସମ୍ବୋଧନ କରାଯାଇଛି। ଇହୁଦୀ ଧର୍ମରେ କୁହାଯାଇଛି ଈଶ୍ବରଙ୍କୁ ଯେତିକି ସମ୍ମାନ ପିତା (ଆବ୍‌ବା)ଙ୍କୁ ସମତୁଲ୍ୟ ସମ୍ମାନ ଦିଆଯିବା ଆବଶ୍ୟକ। ଜ୍ୟୁମାନେ ସମ୍ମାନ ଜଣାଇ ପିତା ବସିଥିବା ଆସନ ଉପରେ ବସନ୍ତି ନାହିଁ।

ଏମିତି ବିଭିନ୍ନ ଅଞ୍ଚଳ ଓ ସ˚ସ୍କୃତିରେ ପିତାଙ୍କୁ ଭିନ୍ନ ଭିନ୍ନ ଭାବରେ ସମ୍ମାନ ଦିଆଯାଏ। ଆମେରିକାରେ ପିତୃଦିବସରେ ପିଲାଏ ବାପାଙ୍କୁ ତାଙ୍କ ପସନ୍ଦ ରେସ୍ତୋରାରେ ଡିନର ପାଇଁ ନିମନ୍ତ୍ରଣ କରନ୍ତି। ସିନେମା ଟିକଟ କିଣି ଦିଅନ୍ତି। ବେଷ୍ଟ ସେଲର ବହି ଉପହାର ଦିଅନ୍ତି। ପିତାଙ୍କ ପିଲାଦିନର ବନ୍ଧୁଙ୍କ ସହ ମିଳନ କରାନ୍ତି। ଜର୍ମାନୀରେ ମହିଳା ଶୂନ୍ୟ କେବଳ ପିତାଙ୍କ ସଭା ହୁଏ। ମେକ୍ସିକୋରେ ପିତାମାନଙ୍କ ପାଇଁ ଲଙ୍ଗ୍‌ ରନ୍‌ ପ୍ରତିଯୋଗିତାର ଆୟୋଜନ ହୋଇଥାଏ। ଥାଇଲାଣ୍ତରେ ସେ ଦେଶର ରାଜାଙ୍କ ଜନ୍ମଦିନକୁ ପିତୃଦିବସ ଭାବେ ପାଳନ କରାଯାଏ। ଦକ୍ଷିଣ ଆଫ୍ରିକାରେ ପିତୃଦିବସରେ ପୁତ୍ର ପିତାଙ୍କ ରାତ୍ରି ଭୋଜନ ପାଇଁ ମାଛ ମାରି ଆଣି ଦିଅନ୍ତି। ଜାପାନରେ ପିଲାଏ ବାପାଙ୍କୁ ଦାମିକା ସିଗାରେଟ୍‌, ମଦ ଓ ଚକ୍‌ଲେଟ୍‌, କେକ୍‌ ଦେଲା ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ନେଇଯା’ନ୍ତି। ନେପାଳରେ ପୁତ୍ର ପିତାଙ୍କୁ ମୁଣ୍ତିଆ ମାରନ୍ତି ଓ ଝିଅ ମୁଣ୍ତରେ ପିତାଙ୍କ ହାତକୁ ସ୍ପର୍ଶ କରି ଆଶୀର୍ବାଦ ମାଗିଥାନ୍ତି। ଆଉ କେତେକ ଖ୍ରୀଷ୍ଟିଆନ୍‌ ଦେଶରେ ଯୀଶୁଙ୍କ ପିତା ଜୋସେଫ୍‌ ଅଫ୍‌ ନାଜାରେଥ୍‌ଙ୍କ ଜନ୍ମଦିନକୁ ପିତୃଦିବସ ଭାବରେ ପାଳନ କରାଯାଏ ଓ ମିଲିଟାରୀ ପ୍ୟାରେଡ୍‌ ଆୟୋଜନ କରାଯାଇଥାଏ। ଉଭୟ ଯୁବ ଓ ବୃଦ୍ଧ ପିତାମାନେ କ୍ୟାମ୍ପ୍‌ ବା ଶିବିରରେ ଏକାଠି ହୁଅନ୍ତି। ଗୀତ, ନାଚ ହୁଏ।

ଆଉ କେତେକ ସ˚ସ୍କୃତିରେ ପିତା ହେଲା ପରେ ପୁରୁଷକୁ ସାମାଜିକ ପରିଚୟ ଓ ସ୍ବୀକୃତି ମିଳିଥାଏ। ବାଲ୍ୟାବସ୍ଥାରେ କନ୍ୟାମାନଙ୍କ ଜୀବନରେ ପ୍ରଥମ ପୁରୁଷ ହେଉଛନ୍ତି ପିତା। ପିତାଙ୍କ ଆଚାର ବ୍ୟବହାର ନିକିତିରେ କନ୍ୟା ପୁରୁଷର ପ୍ରକୃତିକୁ ମାପିଥାଏ। ଏବ˚ ବାଲ୍ୟ କାଳରେ ପିତା ପିଲାଙ୍କର ହିରୋ, ରୋଲ୍‌ ମଡେଲ୍‌, ମହାନାୟକ। ମା’ ଦେଇଥାନ୍ତି ଚାଲିବା ପାଇଁ ଶକ୍ତି, ବାପା ଦେଇଥାନ୍ତି ଉଡ଼ିବା ପାଇଁ ଡେଣା ଓ ଭବିଷ୍ୟତ ପାଇଁ ସ୍ବପ୍ନ। ମା’ ଜୀବନର ମୂଳଦୁଆ ହେଲେ ବାପା ହେଉଛନ୍ତି ସ୍ତମ୍ଭ। ବୃଦ୍ଧାବସ୍ଥାରେ ମା’ ପୁଅକୁ ଅଧିକ ଖୋଜୁଥିବା ବେଳେ ଝିଅକୁ ଖୋଜିଥାନ୍ତି ବାପା। ଆଦର୍ଶ ଜୀବନ ଯାପନ ପାଇଁ ଉପଦେଶ ନ ଦେଇ ନିଜ ଜୀବନକୁ ଉଦାହରଣୀୟ କରିଥାନ୍ତି ପିତା।

(ଗଲା ରବିବାର ପିତା ଦିବସ ଅବସରରେ)

୨୯-ବି, ବିଡିଏ, ଏଚ୍‌ଆଇଜି ଡୁପ୍ଲେକ୍‌ସ, ବରମୁଣ୍ଡା, ଭୁବନେଶ୍ବର
ମୋ: ୯୯୩୭୦୨୬୦୧୭

ସମ୍ବନ୍ଧିତ ଖବର