କରୋନା କାଳୀନ ବିପର୍ଯ୍ୟୟ କାଳରେ ସାରା ବିଶ୍ବରେ ସମସ୍ତ ରାଷ୍ଟ୍ରରେ ଡାକ ବିଭାଗ ତାର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାରେ ସଫଳ ହୋଇଛି। ଏବେ ପୃଥିବୀରେ ୬.୫ ଲକ୍ଷରୁ ଅଧିକ ଡାକଘରେ କାର୍ଯ୍ୟରତ ଅଛନ୍ତି ୫୩ ଲକ୍ଷ ସୁଦକ୍ଷ କର୍ମଚାରୀ। ସେମାନଙ୍କ ଭିତରେ ରହିଛନ୍ତି ଭାରତର ୧.୫୫ ଲକ୍ଷ ଡାକଘର ଓ ୫ ଲକ୍ଷ କର୍ମଚାରୀ। ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପୃଥିବୀର କୋଣ ଅନୁକୋଣରେ ଅତ୍ୟନ୍ତ ଅପହଞ୍ଚ ସ୍ଥାନରେ ମଧୢ ଡାକ ଯୋଗାଯୋଗ ରହିଛି। ସମୁଦ୍ର ପତ୍ତନ ଠାରୁ ୪୪୪୦ ମିଟର ଉଚ୍ଚରେ ହିମାଳୟ ପାର୍ବତ୍ୟାଞ୍ଚଳରେ ରହିଛି ବିଶ୍ବର ସର୍ବୋଚ୍ଚ ଡାକଘର ସିକିମ୍ ଠାରେ ତ ପ୍ରଶାନ୍ତ ମହାସାଗରର ହାଇଡୱେ ଦ୍ବୀପରେ ଅବସ୍ଥିତ ଅଛି ବିଶ୍ବର ପ୍ରଥମ ପାଣି ତଳ ଡାକଘର ଭାନୁଆତୁ। ଏପରି କି ଚିର ବରଫାବୃତ ଅଞ୍ଚଳ ଆଣ୍ଟାର୍କଟିକାର ପୋର୍ଟଲକରେ ଏବ˚ ଶ୍ରୀନଗରର ଡାଲ ହ୍ରଦର ଭାସମାନ ଡାକଘର ରହିଛି। ଏହି ସବୁ ଡାକଘର ସର୍ବତ୍ର କରୋନା ମହାମାରୀ ମୁକାବିଲାରେ ଅତ୍ୟନ୍ତ ନିଷ୍ଠାପର ଭୂମିକା ନିର୍ବାହ କରିଛନ୍ତି।
ତାଲାବନ୍ଦ ସମୟରେ ଆୟରଲାଣ୍ଡ ଡାକ ବିଭାଗ ବୟସ୍କ ଓ ସ˚କ୍ରମିତ ବୋଲି ଆଶଙ୍କା ଜାତ କରୁଥିବା ବ୍ୟକ୍ତିମାନଙ୍କ ପରୀକ୍ଷଣ କରେଇ ପୋଷ୍ଟମ୍ୟାନ୍ମାନଙ୍କ ଜରିଆରେ ସେମାନଙ୍କ ଲାଗି ଆବଶ୍ୟକ ଔଷଧପତ୍ର ଇତ୍ୟାଦି ଯୋଗାଣରେ ସାହାଯ୍ୟ କରିଥିଲା। ଏପରିକି ତାଲାବନ୍ଦ ସମୟରେ ପରିବାରରେ ପିଲାମାନେ ଖୁସିରେ ରହିବେ ବୋଲି ଆଇରିସ୍ ଡାକ ବିଭାଗ ବିଭିନ୍ନ ଲୋକପ୍ରିୟ ଶିଶୁ ସାହିତ୍ୟ ପୁସ୍ତକ ପରିବାରକୁ ଯୋଗାଇ ଦେଇଥିଲେ। ସେମିତି ଟ୍ୟୁନିସିଆର ଡାକବିଭାଗ ପେନ୍ସନ୍ଭୋଗୀଙ୍କ ନିକଟରେ ସେମାନଙ୍କ ପେନ୍ସନ୍ ପହଞ୍ଚାଉଛି। ଅଷ୍ଟ୍ରେଲିଆ, ଫିଲିପାଇନ୍ସ ଓ ବାଲା˚ଦେଶ ଡାକ ବିଭାଗ ସ୍ବାସ୍ଥ୍ୟ କେନ୍ଦ୍ର, ସ୍ବାସ୍ଥ୍ୟ କର୍ମୀ ଓ ଜନସମୁଦାୟଙ୍କ ପାଖରେ ବିଭିନ୍ନ ସ୍ବାସ୍ଥ୍ୟ ସେବା ଉପକରଣ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ତଥା କୋଭିଡ ପରୀକ୍ଷଣ ସରଞ୍ଜାମ ପହଞ୍ଚେଇବାର ଦାୟିତ୍ବ ଗ୍ରହଣ କରିଛି। ଚେକୋସ୍ଲୋଭାକିଆ ଓ କେନିଆ ଭଳି ଦେଶର ଡାକଘର ଗୁଡ଼ିକ ଅପହଞ୍ଚ ଅଞ୍ଚଳର ଲୋକମାନଙ୍କ ପାଖରେ ଖାଦ୍ୟ ପଦାର୍ଥ ସହ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛନ୍ତି। ସେହି ଭଳି ଫ୍ରାନ୍ସର ଡାକ ବିଭାଗ ଅନ୍ଲାଇନ୍ରେ ଉପଲବ୍ଧ ହେଉ ନ ଥିବା ବହିପତ୍ର ସହ ବିଭିନ୍ନ ପାଠ୍ୟ ଉପକରଣ ବିତରଣ କରିବାର ଦାୟିତ୍ବ ନେଇଛନ୍ତି।
ସେମିତି ତାଲାବନ୍ଦ ସମୟରେ ଭାରତୀୟ ଡାକ ବିଭାଗ ମଧୢ ନିଜର ଦାୟିତ୍ବକୁ ନିଷ୍ଠାର ସହିତ ସ˚ପାଦନ କରିଛନ୍ତିି। ଏବେ ‘ପୋଷ୍ଟ ଇନ୍ଫୋ’ ନାମକ ଏକ ଆପ୍ ବଳରେ ଭାରତୀୟ ଡାକବିଭାଗ ସମସ୍ତ ଲାଗି ସବୁ ବେଳେ ସେମାନଙ୍କ ସେବାରେ ଉପସ୍ଥିତ। ଉଲ୍ଲେଖଯୋଗ୍ୟ ଯେ ସାଧାରଣ ସମୟରେ ଡାକବିଭାଗ ଦିନକୁ ହାରାହାରି ୨୫,୦୦୦ କିଲୋମିଟରରୁ ଅଧିକ ବାଟ ଯାତାୟାତ କରି ୭୫ ଟନ୍ରୁ ଅଧିକ ଚିଠିପତ୍ର ଓ ପାର୍ସଲ ଆଦି ଦେଇଥାଏ। ତାଲାବନ୍ଦର ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ଡାକ ବିଭାଗ ୨୦୦୦ ଟନ୍ରୁ ଅଧିକ ଓଜନର ଔଷଧପତ୍ର ଓ ସ୍ବାସ୍ଥ୍ୟ ସେବା ଉପକରଣ ଦେଶର କୋଣ ଅନୁକୋଣରେ ପହଞ୍ଚାଇ ପାରିଛି। କେବଳ ସେତିକି ନୁହେଁ ଡିଜିଟାଲ ସାମର୍ଥ୍ୟର ସୁଯୋଗ ନେଇ ଦିନେ କେବଳ ଚିଠି, ପାର୍ସଲ, ମନିଅର୍ଡର ଆଦି ବାଣ୍ଟୁଥିବା ଡାକବାଲା ସୂଚନା ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଗ୍ରାହକଙ୍କୁ ସେମାନଙ୍କ ଦୁଆର ମୁହଁରେ ଟଙ୍କା ପ୍ରଦାନ କରିବା ଠାରୁ ଅନ୍ୟାନ୍ୟ ବିଭିନ୍ନ ସୁବିଧା ମଧୢ ଯୋଗାଇ ଦେଇ ପାରୁଛି। କରୋନା କାଳରେ ଭାରତୀୟ ଡାକ ବିଭାଗ ବୁଝାଇ ଦେଇ ପାରିଛି ଯେ ବିପଦ କାଳରେ ତାହା ହେଉଛି ସାଧାରଣ ଲୋକଙ୍କ ପ୍ରକୃତ ବନ୍ଧୁ।
ଅଧ୍ୟକ୍ଷ, ଡାକ କର୍ମଚାରୀ ରାଷ୍ଟ୍ରୀୟ ମହାସ˚ଘ, ଓଡ଼ିଶା ସମନ୍ବୟ ସମିତି,
[email protected]