ଅପନ୍ତରା ଭୂଇଁ ପାଇଁ ଚୀନର ଆଗ୍ରହ କାହିଁକି?

ମହାମେଘବାହନ ଐର ଖାରବେଳ ସ୍ବାଇଁ

୧୯୬୨ରେ ଯେତେବେଳେ ଚୀନ, ଭାରତ ଆକ୍ରମଣ କରିଥିଲା ଓ ଅରୁଣାଚଳ ପ୍ରଦେଶ ତଥା ଅସ୍କାଇ ଚୀନର ୧୦,୦୦୦ ବର୍ଗ କିଲୋମିଟର ଦଖଲ କରିନେଇଥିଲେ, ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସ˚ସଦ ଗୃହରେ କହିଥିଲେ, ‘ଚୀନ ଏପରି ଅଞ୍ଚଳ ଦଖଲ କରିଛି, ଯେଉଁଠି ଦୂବ ମଧୢ କଅଁଳେ ନାହିଁ’। କିନ୍ତୁ ଯେଉଁମାନେ ଟି.ଭି. ପରଦାରେ ଏହି ବିବାଦୀୟ ଗଲଵାନ ଉପତ୍ୟକାର ଚିତ୍ର ଦେଖୁଛନ୍ତି, ସେମାନେ ଜାଣୁଥିବେ ଯେ, ଏହି ଅଞ୍ଚଳ ହେଉଛି ସ˚ପୂର୍ଣ୍ଣ ଧୂସର। ଗୋଟିଏ ବି ଗଛପତ୍ର, ପଶୁପକ୍ଷୀ ଅବା ମଣିଷର ଚିହ୍ନ ବା ସ୍ବରଶବ୍ଦ ସେଠାରେ ନାହିଁ। ସେହି ଅଞ୍ଚଳର ମୁଣ୍ତିଆ, ବୃକ୍ଷହୀନ ପାହାଡ଼ମାନଙ୍କ ଦେଇ କେବଳ ଗଲଵାନ ନଦୀ ବହିଯାଉଛି। ପ୍ରାୟ ଶହେ ବର୍ଷ ତଳେ କାଶ୍ମୀରର ଜଣେ ମୁସଲମାନ ବ୍ୟକ୍ତି ଗଲଵାନ ସେହି ନଦୀର ଆବିଷ୍କାର କରିଥିଲେ। ତାଙ୍କ ନାତି ଏବେ ବଞ୍ଚିଛନ୍ତି। ଏହି ଅଞ୍ଚଳକୁ ଆବିଷ୍କାର କରିଥିବା ବ୍ୟକ୍ତି ମୁସଲମାନ ହେଲେ କିପରି? ଚୀନର ଏହି ଅଞ୍ଚଳ ହେଉଛି ତିଦ୍ଦତର ଏକ ଅ˚ଶ ଯେଉଁଠି କେବଳ ବୌଦ୍ଧମାନେ ରୁହନ୍ତି। କାଶ୍ମୀର ମୁସଲମାନମାନେ କିନ୍ତୁ ଲଦାଖର କାଡଗିଲ ଅଞ୍ଚଳରେ ବସବାସ କରନ୍ତି, କାରଣ ଏହା ଜାମ୍ମୁ କାଶ୍ମୀର ପ୍ରଦେଶର ଏକ ଅ˚ଶବିଶେଷ। ଦେଢ଼ ବର୍ଷ ତଳେ ମଧୢ ଦେଢ଼ ମାସରୁ ଅଧିକ କାଳ ଧରି ଡୋକାଲାମ ଅଞ୍ଚଳରେ ଭାରତ-ଚୀନ ସୈନ୍ୟମାନେ ମୁହାଁମୁହିଁ ହୋଇ ରହିଥିଲେ। ମଝିରେ ମଝିରେ ଧସ୍ତାଧସ୍ତି ମଧୢ ହେଉଥିଲେ ଯାହା ଅତି ବିଚିତ୍ର କଥା ଅଟେ। କାରଣ ଦୁଇ ଦେଶର ସୈନ୍ୟମାନେ ଯୁଦ୍ଧରତ ଥିଲାବେଳେ ବନ୍ଧୁକ, ତୋପ କମାଣ, ଟ୍ୟା˚କ ଆଦି ବ୍ୟବହାର କରିଥାନ୍ତି। କିନ୍ତୁ ସ୍ଥାନୀୟ ଗୋଷ୍ଠୀମାନେ ବାଡ଼ିିଠେଙ୍ଗା, ଇଟାପଥର ଲୁହାଛଡ଼, ହକି ଷ୍ଟିକ୍‌ ଧରି ପିଟାପିଟି ହେବା ପରି ସୈନ୍ୟମାନେ ତାହା କରିବା ବିଚିତ୍ର। ବୋଧହୁଏ ଦୁଇ ଦେଶ ସେମାନଙ୍କର ସେନାବାହିନୀକୁ କୌଣସି ପରିସ୍ଥିତିରେ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୀମାକୁ ନେଇ ଦୁଇ ଦେଶ ମଧୢରେ ବିବାଦ ଅନେକ ଦିନ ହେଲା ଲାଗିଥିଲେ ମଧୢ ଏହାର କୌଣସି ସମାଧାନ ହୋଇପାରିନଥିଲା। ଗତ ବର୍ଷ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତରେ ତାମିଲନାଡୁର ମହାବଳୀପୁରମକୁ ଆସିବା ପରେ ଦୁଇ ଦେଶର ବିଦେଶ ସଚିବମାନେ ପରସ୍ପର ମଧୢରେ ପ୍ରାରମ୍ଭିକ ଆଲୋଚନା କଲାପରେ ସେନାବାହିନୀକୁ ନିର୍ଦ୍ଦେଶ ଦିଆଯାଇଥିଲା, ସେମାନେ ଆଲୋଚନା ଚଳାଇବା ପାଇଁ। ତେଣୁ ମେଜର ଜେନେରାଲ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିିିଲା ଓ ପ୍ରଥମେ ନିଷ୍ପତ୍ତି ହେଲା ଉତ୍ତେଜନା ହ୍ରାସ ପାଇଁ ଦୁଇ ପକ୍ଷର ସେନା ଅନ୍ତତଃ ଦୁଇ କିଲୋମିଟରରୁ ଅଧିକ ପଛକୁ ଘୁଞ୍ଚିବା ପାଇଁ। ସେତେବେଳେ ଭାରତର ଟିଭି ଚାନେଲମାନେ ଦେଖାଇଥିଲେ କେମିତି ଚୀନର ସୈୖନ୍ୟ ଓ ସାମରିକ ଯାନଗୁୁଡ଼ିିକ ପଛକୁ ହଟିଯାଉଛନ୍ତି। ଭାରତର ସୈୖନ୍ୟମାନେ ସେହି କ୍ରମରେ ଦୁଇ କିଲୋମିଟର ପଛକୁ ହଟି ଆସିଥିଲେ। କିନ୍ତୁ ସନ୍ଦେହ ଥିଲା ଚୀନର ବିଶ୍ବସନୀୟତାକୁ ନେଇ। କାଳେ ବିବାଦୀୟ ସ୍ଥଳରୁ ହଟିଆସିଥିବା ଚୀନ ସୈନ୍ୟ ପୁଣି ରାତିର ଅନ୍ଧାରର ସୁଯୋଗ ନେଇ ସେହି ଅଞ୍ଚଳକୁ ମାଡ଼ିଆସିବେ, ସେଥିପାଇଁ ଭାରତୀୟ ସୈନ୍ୟମାନେ ରାତିରେ ପୁଣି ସେଠାକୁ ଯାଇଥିଲେ। ସେମାନଙ୍କ ଆଶଙ୍କାକୁ ସତ୍ୟରେ ପ୍ରମାଣିତ କରି ଚୀନ ସୈନ୍ୟମାନେ ସେହି ବିବାଦୀୟ ଅଞ୍ଚଳକୁ ଫେରିଆସି ତାହାକୁ ଦଖଲ କରିନେବାକୁ ଚେଷ୍ଟା କରୁଥିଲେ। ଏଣୁ ଦୁଇ ପକ୍ଷ ମଧୢରେ ହାତାହାତି ସ˚ଘର୍ଷ ଆରମ୍ଭ ହୋଇଗଲା ଓ ରାତି ୩ଟା ପରେ ଆରମ୍ଭ ହୋଇ ବିଳମ୍ବିତ ପୂର୍ବାହ୍ନ ପର୍ଯ୍ୟନ୍ତ ଚାଲିଲା। ମନେହୁଏ, ସେତେବେଳେ ଭାରତ ପକ୍ଷରୁ କେହି ଏହି ଶାରୀରିକ ସ˚ଘର୍ଷର ଭିଡିଓ ସୁଟି˚ କରିଛି ଯଦ୍ଦ୍ବାରା ସୈନ୍ୟମାନଙ୍କୁ ଚିହ୍ନି ହେଉନଥିଲେ ମଧୢ କିଏ କେଉଁ ଦେଶର ଅନ୍ତତଃ ସେତକ ବାରି ହେଉଛି। ଚୀନର ସୈନ୍ୟମାନେ କଣ୍ଟା ଲାଗିଥିବା ସିମେଣ୍ଟ ଖୁଣ୍ଟି, ଲୁହାଛଡ଼, ବାଘନଖ ଆଦି ଧରି ଆକ୍ରମଣ କରୁଛନ୍ତି। ସେମାନେ ଏହି ଶାରୀରିକ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ଆସିଥିଲେ ନିଶ୍ଚୟ। ଭାରତ ପକ୍ଷରୁ ୨୦ ଜଣ ସୈନ୍ୟ ମରିଛନ୍ତି ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶିତ କରାଯାଇଛି। ସେମାନଙ୍କ ନାମ, ଠିକଣା ଆଦି ସ୍ପଷ୍ଟ ଭାବେ ପ୍ରକାଶିତ ହୋଇଥିଲା ବେଳେ ସେମାନଙ୍କ ଶବକୁ ଜନ୍ମସ୍ଥାନକୁ ପଠାଯାଇ ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ କରାଯାଇଛି। କିନ୍ତୁ ଏଯାଏ ମଧୢ ଚୀନ ପକ୍ଷରୁ କେତେ ଜଣ ସୈନ୍ୟ ମଲେ ବା ଆହତ ହେଲେ ସେ କଥା ସେ ସରକାରଙ୍କ ପକ୍ଷରୁ ଆଦୌ ପ୍ରକାଶିତ ହେଉନାହିଁ। ଯଦି ଚୀନ ସୈନ୍ୟ କେହି ମରିନାହାନ୍ତି ଅବା ଅଳ୍ପ ମରିଛନ୍ତି ଚୀନ ପକ୍ଷରୁ ସେ କଥା ମଧୢ ପ୍ରକାଶିତ କରାଯିବା ଦରକାର। କିନ୍ତୁ ତାହା ମଧୢ ହେଉନାହିଁ। ଏହାର ଅର୍ଥ ହେଲା, ଚୀନର ନିଶ୍ଚିତ ଭାବରେ ଭାରତ ଅପେକ୍ଷା ଅଧିକ ସୈନ୍ୟ ମରିଛନ୍ତି। ଏହା ପ୍ରକାଶ କରିଦେଲେ ଚୀନରେ ଜନ ଅସନ୍ତୋଷ ସୃଷ୍ଟି ହେବ ଓ ସେଠାକାର ସରକାର ଅପମାନିତ ହେବେ, ମୁଖ୍ୟତଃ ଏଇଥିପାଇଁ ହିଁ ଚୀନ ଏ ପର୍ଯ୍ୟନ୍ତ ତା’ର ମୃତକଙ୍କ ସ˚ଖ୍ୟା ପ୍ରକାଶ କରୁନାହିଁ।

ତେବେ ଏହି ହାତାହାତି ଲ‌େଢ଼ଇ ପରେ ମଧୢ ଦୁଇପକ୍ଷର ସେନାପତିମାନଙ୍କ ମଧୢରେ କଥାବାର୍ତ୍ତା ଜାରି ରହିଥିବା ଏକ ସକାରାତ୍ମକ ସ˚କେତ ମଧୢ, ଯଦିଓ ତା’ର ପରିଣାମ ଏଯାଏ କିଛି ଜଣାପଡ଼ିିନାହିଁ। ଦ୍ବିତୀୟତଃ, ଚୀନ ସେନାବାହିନୀ ଧରିନେଇଥିବା ଭାରତର ୧୦ଜଣ ସୈନ୍ୟଙ୍କୁ ଛାଡ଼ିଦେବା ଆଉ ଏକ ସକାରାତ୍ମକ ସ˚କେତ ମଧୢ। ଚୀନ ଯେ, ସେହି ବିବାଦକୁ ଆହୁରି ଅଧିକ ବଢ଼ାଇବାକୁ ଚାହେଁ ନାହିଁ, ଏହା ମନେ ହେଉଛି ଏ’ କଥାରୁ।

ହୁଏତ ବିବାଦ ବଢ଼ୁ ବଢ଼ୁ ଏକ ସ୍ଥାନୀୟ ଯୁଦ୍ଧରେ ପରିଣତ ହୋଇଯାଇପାରେ। ଦୁଇ ପକ୍ଷ ସେମାନଙ୍କର ହଜାର ହଜାର ସୈନ୍ୟ ଓ ସାମରିକ ଯାନବାହନ ତଥା ସରଞ୍ଜାମକୁ ନେଇ ବିବାଦୀୟ ସ୍ଥାନ ଓ ସୀମାନ୍ତରେ ଠୁଳ କରିସାରିଲେଣି। ଯଦି ଏପରି ଏକ ଛୋଟିଆ ଯୁଦ୍ଧ ହୁଏ ତେବେ ଚୀନ ଜିତିପାରିବନି। ଏହି ଧରଣର ଯୁଦ୍ଧରେ ଆକାଶ ବାହିନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ଓ ଯେଉଁ ଦେଶର ଯୁଦ୍ଧ ବିମାନମାନେ ଯେତେ ବେଶି ଲକ୍ଷ୍ୟଭେଦ କରିବେ, ସେ ଦେଶ ଯୁଦ୍ଧରେ ସେତେବେଶି ସଫଳତା ପାଇବ। କାରଣ ପଦାତିକ ବାହିନୀ ସେ ଅଞ୍ଚଳରେ ସେମିତି କିଛି ସଫଳତା ପାଇବାର ନାହିଁ। ଯଦି ବର୍ତ୍ତମାନର ବିବାଦ ଏକ ଖୋଲାଖୋଲି ଯୁଦ୍ଧରେ ପରିଣତ ହୁଏ ତେବେ ଦୁଇ ପକ୍ଷର ଅତି ବ୍ୟାପକ କ୍ଷତି ହେବ। ଏହା ଫଳରେ ଭାରତ ୨୦/୩୦ ବର୍ଷ ପଛକୁ ଚାଲିଯିବ। ଅପର ପକ୍ଷରେ ଆଗାମୀ ୩୦ ବର୍ଷ ମଧୢରେ ଚୀନ ଆଉ ବିଶ୍ବ ଶକ୍ତିି ହେବାର ଆଶା ଛାଡ଼ିିଦେବ। ବିଶ୍ବ ସ୍ତରରେ ମଧୢ ଚୀନ ତା’ର ମର୍ଯ୍ୟାଦା ଏହି ଯୁଦ୍ଧରେ ସମ୍ପୂର୍ଣ୍ଣ ଭାବେ ହରାଇବ। କାରଣ ଏବେ ଦକ୍ଷିଣ ଚୀନ ସାଗର ଓ ପୂର୍ବ ଚୀନ ସାଗରମାନଙ୍କରେ ଚୀନ ତା’ର ସମସ୍ତ ପଡ଼ୋଶୀ ରାଷ୍ଟ୍ର ଜାପାନ, ଦକ୍ଷିଣ କୋରିଆ, ଭିଏତନାମ, ମାଲେସିଆ, ଫିଲିପାଇନସ୍‌, ଇଣ୍ତୋନେସିଆ ଆଦିଙ୍କ ସାଙ୍ଗରେ ତିକ୍ତ ବିବାଦରେ ଲାଗିଛି। ପୂର୍ବୋକ୍ତ ସମୁଦ୍ରମାନେ ତା’ର ପ୍ରଭାବ କ୍ଷେତ୍ର ଓ ଏହି ସାଗର ମଧୢରେ ତା’ର ବିନା ଅନୁମତିରେ ଅନ୍ୟ କୌଣସି ଦେଶ ପଶିପାରିବନାହିଁ ଅବା କୌଣସି କାର୍ଯ୍ୟ କରିପାରିବ ନାହିଁ ବୋଲି ଚୀନ ବାରମ୍ବାର ଧମକ ଦେଉଛି। ଏପରିକି ଭିଏତନାମ, ନିଜ ସୀମାବର୍ତ୍ତୀ ସମୁଦ୍ରରେ ଭାରତକୁ ତୈଳ କୂପର ସନ୍ଧାନ ପାଇଁ ଅନୁମତି ଦେବାରୁ ଚୀନ ଏହାର ପ୍ରବଳ ବିରୋଧ କରିଥିଲା। ଫିଲପାଇନ୍‌ସର ରାଷ୍ଟ୍ରପତି ଡୁଟେରଟେଙ୍କୁ ତାଙ୍କ କଥା ନମାନିଲେ ଯୁଦ୍ଧ ହେବ ବୋଲି ଚୀନ ଧମକ ଦେଇଥିଲା। ଦକ୍ଷିଣ ଚୀନ ସାଗରରେ ଥିବା କେତେକ ଛୋଟ ଛୋଟ ଦ୍ବୀପମାନଙ୍କୁ ଚୀନ ଜବରଦଖଲ କରି ସେଠାରେ ସାମରିକ ଘାଟିମାନ ପ୍ରତିଷ୍ଠା କରିଛି। ଏମାନଙ୍କ ମଧୢରୁ କିଛି ଦ୍ବୀପ, ତା’ର ଅଞ୍ଚଳ ବୋଲି ଜାପାନ ଦାବି କରୁଛି ା ସେମାନଙ୍କ ସହ ବିବାଦ ବେଳେ, ପୁଣି ଭାରତ ସହ ଲଢ଼େଇ ଦେଶର ମର୍ଯ୍ୟାଦାକୁ ବଢ଼ାଇବ ନାହିଁ।

ଚୀନରେ ଗତ ଦୁଇ ଦଶନ୍ଧି ମଧୢରେ କେତେକ ମହାମାରୀ ଆରମ୍ଭ ହୋଇଥିବାରୁ ଓ କରୋନା ସେହି ଚୀନରୁ ସୃଷ୍ଟି ହୋଇଥିବାରୁ ସେଠାରେ ଥିବା ଅନେକ ବହୁରାଷ୍ଟ୍ରୀୟ କମ୍ପାନି ସେ ଦେଶ ଛାଡ଼ି ପଳାଇ ଆସିବାକୁ ଯୋଜନା କରୁଛନ୍ତି ା ଭିଏତନାମ, ଥାଇଲାଣ୍ତ, ଭାରତ, ମାଲେସିଆ ପରି ଦେଶମାନେ ସେମାନଙ୍କୁ ସୁବିଧା ଦେଲେ ସେମାନେ ପଳାଇ ଆସିବେ।

ତେବେ ଲଦାଖର ଗଲଵାନ ଉପତ୍ୟକାକୁ ମାଡ଼ିବସିବାର ଉଦ୍ୟମ କରିବାର ଚୀନର ଇଚ୍ଛାର କାରଣ ହେଲା, ଏହି ଅଞ୍ଚଳରେ ସେ ଦେଶ ତା’ର ସବୁଦିନିଆ ବନ୍ଧୁ ପାକିସ୍ତାନ ସହ ସମ୍ପର୍କ କରିପାରିବ। ପାକିସ୍ତାନ ସାରା କାଶ୍ମୀର ବା ଅନ୍ତତଃ ତା’ର ଅଧିକୃତ କାଶ୍ମୀରକୁ ଦାବି କରିଥିଲା ବେଳେ କାଶ୍ମୀରର ଏକ ଅଞ୍ଚଳ ‘ଅକ୍‌ସାଇ ଚୀନ’, ସେହି ଚୀନ କବଳରେ ଅଛି। ପାକ୍‌ ଅଧିକୃତ କାଶ୍ମୀର, ବାଲତିସ୍ତାନ ଦେଇ ବାଲୁଚିସ୍ତାନ ପ୍ରଦେଶରେ ଥିବା ଗୁଆଡାର ବନ୍ଦରକୁ ରାସ୍ତା ନିର୍ମାଣ କରିଛି। ଭାରତ ଏହି ରାସ୍ତାକୁ ନେଇ ଚୀନକୁ କେବେ ଅଡୁଆରେ ପକାଇପାରେ, ଏ ଭୟ ଚୀନର ଅଛି।

ଏହି ଅଞ୍ଚଳରେ ଅଛି ସିଆଚୀନ ହିମବାହ, ଯାହା ବହୁ ଉଚ୍ଚରେ ଅଛି। ଏଠାରୁ ରହି ଚୀନ ଓ ପାକିସ୍ତାନ ଉଭୟଙ୍କୁ ନଜରରେ ରଖିବା ସହଜ। ଏହା ବହୁ ଉଚ୍ଚରେ ଥିବାରୁ ଶତ୍ରୁ ରାଷ୍ଟ୍ର ଏହାକୁ ଦଖଲ କରିବା କଷ୍ଟ। ପ୍ରଥମେ ଏହା ଭାରତ କବଳରେ ଥିଲା। ସତୁରି ଦଶକ ବେଳକୁ ତାହା ପାକିସ୍ତାନ କବଜାକୁ ଯାଇଥିଲା। ଏବେ ତାହା ପୁଣି ଭାରତ ନିୟନ୍ତ୍ରଣରେ ଅଛି ଯାହା ଉଭୟ ପାକିସ୍ତାନ ଓ ଚୀନର ଈର୍ଷାର କାରଣ। ଏହାଛଡ଼ା ସିଆଚୀନକୁ ଲାଗିକରି ରହିଛି ଦୌଲତ ବେଗ ଓଲଡି ନାମକ ଆଉ ଏକ ସ୍ଥାନ ଯାହା ମଧୢ ଉଚ୍ଚରେ ରହିଛି। ଏଠାରେ ଭାରତ ଏକ ବିମାନ ଘାଟି ମଧୢ ସ୍ଥାପନ କରିଛି। ଏହାକୁ ଯୁଦ୍ଧ ବିମାନ ଯୋଗେ ଚୀନ ପକ୍ଷରୁ ଆକ୍ରମଣ କରାଯିବା କଷ୍ଟକର। କାରଣ ଚୀନର ବିମାନଗୁଡ଼ିକ ତଳୁ ଉଠି ଉପରେ ଥିବା ଏହି ବିମାନ ଘାଟିକୁ ଆକ୍ରମଣ କରିବେ, ଯେତେବେଳେ ଏହି ସ୍ଥାନରୁ ଭାରତର ଯୁଦ୍ଧ ବିମାନଗୁଡ଼ିକ ତଳୁ ଉଠୁଥିବା ଯୁଦ୍ଧ ବିମାନଗୁଡ଼ିକୁ ସହଜରେ ମାରି ଗଡ଼ାଇ ପକାଇବେ। ଚୀନର ସବୁଠୁଁ ବଡ଼ କ୍ରୋଧର କାରଣ ହେଲା, ଏହି ଦୌଲତ ବେଗ ଓଲଡିକୁ ଭାରତ ଏବେ ଏକ ଚମତ୍କାର ରାସ୍ତା ତିଆରି କରିସାରିଛି। ଏହି ରାସ୍ତା ଭାରତ ଚୀନ ବାସ୍ତବ ନିୟନ୍ତ୍ରଣ ରେଖାର ସମାନ୍ତର ହୋଇ ରହିଛିି। ଏହା ଏକ ଅତି ଅଗମ୍ୟ ଅଞ୍ଚଳ। ଉଚ୍ଚ ଉଚ୍ଚ ମୁଣ୍ତିଆ ପାହାଡ ମଧୢ ଦେଇ କୌଣସି ରାସ୍ତା ନିର୍ମାଣ କରିବା ଭାରତ ପକ୍ଷରେ ଆଦୌ ସମ୍ଭବ ହେବନାହିଁ ବୋଲି ଚୀନର ଧାରଣା ଥିଲା। କିନ୍ତୁ ପ୍ରତିରକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ‘ସୀମାନ୍ତ ରାସ୍ତା ସ˚ଗଠନ’(ବର୍ଡର ରୋଡ୍‌ ଅର‌୍‌ଗାନାଇଜେସନ) ପକ୍ଷରୁ ଏହି ରାସ୍ତା ତିଆରି ହୋଇଯାଇଛି। ପୂର୍ବରୁ ସୀମାନ୍ତ ଘାଟିରୁ ଦୌଲତ ବେଗ ଓଲଡିକୁ ଖାଲଢ଼ିପ ପାହାଡ଼ିିଆ ରାସ୍ତା ଦେଇ ଯିବା ପାଇଁ ଅତି କମରେ ୪ ଘଣ୍ଟା ଲାଗୁଥିଲା। ଏବେ ମାତ୍ର ୨୦ରୁ ୩୦ ମିନିଟ୍‌ ଲାଗୁଛି ଯାହା ଚୀନର ପ୍ରବଳ ଈର୍ଷାର କାରଣ ହୋଇଛି। ଚୀନ ସଦାବେଳେ ଦାବି କରୁଛି ଭାରତ ଏ ରାସ୍ତା ତିଆରି ନକରୁ। କିନ୍ତୁ ଚୀନ ତା’ର ସୀମାନ୍ତ ଘାଟିମାନଙ୍କୁ ଅନେକ ରାସ୍ତା ତିଆରି କରିସାରିଲାଣି। ଏବେ ସେଠାରେ ରେଳପଥ ବିଛାଇବାକୁ ଚାହୁଁଛି।

ଏତଦ୍‌ଭିନ୍ନ ଚୀନ ତା’ର ନିଜ ଦେଶରେ ଅନେକ ପ୍ରସଙ୍ଗକୁ ନେଇ ବିଫଳ ହୋଇଛି। ପଶ୍ଚିମ ଚୀନର ସି˚ଜିଆଙ୍ଗ ପ୍ରଦେଶରେ ଉଇଘୂର ମୁସଲମାନମାନେ, ଚୀନରୁ ଅଲଗା ହୋଇ ‘ଇଷ୍ଟ ତୁର୍କୀସ୍ତାନ’ ଦେଶ ଗଢ଼ିବାକୁ ସଦାବେଳେ ବିଦ୍ରୋହ ଚଳାଇଛନ୍ତି। ସେମାନଙ୍କ ମଧୢରୁ ୧୦ ଲକ୍ଷରୁ ଅଧିକଙ୍କୁ ‘କନ୍‌ସେଣ୍ଟ୍ରେସନ କ୍ୟାମ୍ପ’ରେ ଅଟକ କରି ରଖାଯାଇଛି। ହ˚କ˚ରେ ଗଣ ବିକ୍ଷୋଭ ସଦାବେଳେ ଚାଲିଛି। ସେଠାକାର ଲୋକମାନେ ଚୀନ ସହ ମିଶିବାକୁ ରାଜି ନୁହନ୍ତି। ସେମାନେ ଗଣତନ୍ତ୍ର ଓ ଆଇନର ଶାସନ ଛାଡ଼ିି଼ବାକୁ ରାଜି ନୁହନ୍ତି। ତାଇଵାନ, ଚୀନର ଏକ ଅ˚ଶ ବୋଲି ଚୀନ କହୁଥିଲେ ମଧୢ, ସେ ଦେଶ ଓ ତା’ର ରାଷ୍ଟ୍ରପତି, ଚୀନରେ ମିଶିବାକୁ ପ୍ରତ୍ୟାଖାନ କରିଦେଇଛନ୍ତି। ଚୀନ ବଳପୂର୍ବକ ଏ ଦେଶକୁ ଦଖଲ କରିପାରୁନି, ଏ ଦେଶ ପ୍ରତି ବିଶ୍ବ ସମର୍ଥନ ଯୋଗୁଁ। ଚୀନରେ ମଧୢ ବ୍ୟାପକ ଅସନ୍ତୋଷ, ଭାରତରେ ତାଙ୍କ କମ୍ପାନିମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ଯୋଗୁଁ। ଭାରତ ଭଳି ଏକ ବଡ଼ ବଜାରକୁ ସେମାନେ ଏକ ଜନଶୂନ୍ୟ ଅଞ୍ଚଳ ପାଇଁ ଛାଡ଼ିବାକୁ ରାଜି ନୁହନ୍ତି। କିନ୍ତୁ ଚୀନ ସରକାର ଭାରତ ସହ ଯୁଦ୍ଧ କରି ତାଙ୍କ ଦେଶରେ ସଙ୍କେତ ଦେବାକୁ ଚାହାନ୍ତି ଯେ, ଭାରତ ତାଙ୍କୁ ଆକ୍ରମଣ କରୁଛି, ସେମାନେ ଭାରତକୁ ନୁହେଁ।

ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର