ସାନିନିଉଙ୍କ ଭାଗ୍ୟ

ଲଘୁପାକ

ଭଗବାନ ଦେବାକୁ ଚାହିଁଲେ କେମିତି ଘରର ଛପର ତାଡ଼ି ଧନ ବର୍ଷା କରନ୍ତି, ତାହା ଦେଖିବାକୁ ମିଳିଛି ତାଞ୍ଜାନିଆରେ। ପୂର୍ବ ଆଫ୍ରିକାର ଏକ ଅତି ଗରିବ ଦେଶ ତାଞ୍ଜାନିଆ। ସେଠାରେ ଏକ ଖଣିରେ କାର୍ଯ୍ୟ କରୁଥିଲେ ସାନିନିଉ ଲାଇଜର। ଦରିଦ୍ର ଲାଇଜର ହାଡ଼ଭଙ୍ଗା ପରିଶ୍ରମ କରି ଖଣି ତାଡୁଥିବା ବେଳେ କେବେ ହେଲେ ଭାବି ନ ଥିଲେ ଯେ ଏମିତି କ୍ଷଣଟିଏ ଆସିବ, ଯେଉଁଥିରେ ସେ ଏକା ଥରକେ କୋଟିପତି ହୋଇଯିବେ। କିନ୍ତୁ ଗତ ସପ୍ତାହରେ ସେମିତି କ୍ଷଣଟିଏ ତାଙ୍କ ଭାଗ୍ୟରେ ଉଦୟ ହେଲା। ମାନ୍ୟାରା ଖଣିରେ କାମ କରୁଥିବା ବେଳେ ସାନିନିଉ ପାଇଲେ ଦୁଇଟି ଦୁଷ୍ପ୍ରାପ୍ୟ ତାଞ୍ଜାନାଇଟ୍ ରତ୍ନ ପଥର। ସେହି ପଥର ଦ୍ବୟକୁ ସେ ସରକାରଙ୍କୁ ବିକ୍ରି କରି ପାଇଛନ୍ତି ୩.୪ ନିୟୁତ ଡଲାର।

ପୁଣି ସେ ପାଇଥିବା ପଥରଗୁଡ଼ିକର ଆକାର ଓ ଓଜନ ମଧ୍ୟ ଆଶ୍ଚର୍ଯ୍ୟ କରିଦେବା ଭଳି। ପୂର୍ବରୁ ମିଳିଥିବା ସବୁଠାରୁ ବଡ଼ ତାଞ୍ଜାନାଇଟ୍ ପଥରର ଓଜନ ୩.୩ କିଲୋଗ୍ରାମ ହୋଇଥିବା ବେଳେ ସାନିନିଉଙ୍କୁ ମିଳିଥିବା ଦୁଇ ପଥରର ଓଜନ ହେଉଛି ଯଥାକ୍ରମେ ୯.୨ ଓ ୫.୮ କିଲୋଗ୍ରାମ। ଏହା ଉଲ୍ଲେଖଯୋଗ୍ୟ ଯେ ପୃଥିବୀର ସର୍ବାଧିକ ଦୁର୍ଲଭ ରତ୍ନ ମଧ୍ୟରୁ ତାଞ୍ଜାନାଇଟ୍ ହେଉଛି ଅନ୍ୟତମ। ସବୁଜ, ଲାଲ ଓ ନୀଳ ରଙ୍ଗରେ ଉପଲବ୍‌ଧ ଏହି ରତ୍ନ ପଥର କେବଳ ତାଞ୍ଜାନିଆରେ ମିଳିଥାଏ ସିନା, କିନ୍ତୁ ତାର ଆଦର ପୃଥିବୀର ସର୍ବତ୍ର ରହିଛି। ତେଣୁ ଏହି ମୂଲ୍ୟବାନ ରତ୍ନ ପଥରକୁ ଅଧିକାଂଶ ସମୟରେ ବିଦେଶକୁ ଚୋରା ଚାଲାଣ କରାଯାଇଥାଏ। ତେବେ, ୨୦୧୫ରେ ନିର୍ବାଚିତ ହୋଇଥିବା ରାଷ୍ଟ୍ରପତି ଜନ୍ ମାଗୁଫୁଲି ଏହି ଖଣି ଚାରିପଟେ ଏକ ସୁଉଚ୍ଚ ପାଚେରି ନିର୍ମାଣ କରିଥିବାରୁ ଏହି ଚୋରା କାରବାର ବନ୍ଦ ହୋଇଛି। ସାନିନିଉ ସରକାରଙ୍କ ଠାରୁ ଲାଇସେନ୍‌ସ ପାଇ ସେଠାରେ ଖୋଦନ କରୁଥିବା ବେଳେ ଏହି ଦୁଇ ରତ୍ନ ପଥରର ସନ୍ଧାନ ପାଇଛନ୍ତି। ଚାରି ପତ୍ନୀ ଓ ୩୦ ଜଣ ପିଲାଙ୍କୁ ନେଇ ସାନିନିଉଙ୍କ ସଂସାରର ଚକ ଏବେ ଆନନ୍ଦରେ ଗଡ଼ିବ ବୋଲି ସେ କହନ୍ତି। ତେବେ ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ପଢ଼ିବାର ସୁଯୋଗ ପାଇ ନ ଥିବାରୁ ସେ ଏହି ଟଙ୍କାରେ ସ୍କୁଲ ଖୋଲିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର