ଦୃଷ୍ଟିପାତ: ଓଟ ବଧ ଯୋଜନା

ଅଷ୍ଟ୍ରେଲିଆରେ ପ୍ରାୟ ଦଶ ହଜାର ଓଟଙ୍କୁ ଗୁଳି କରି ହତ୍ୟା କରାଯିବାର ନିଷ୍ପତ୍ତି ସମ୍ପର୍କିତ ଖବର ଏବେ ସର୍ବତ୍ର ଚର୍ଚ୍ଚାରେ। ସାଧାରଣରେ ବନ୍ୟଜନ୍ତୁଙ୍କର ଏହିପରି ହତ୍ୟାକୁ ନିଷ୍ଠୁର ଓ ଅମାନବୀୟ ବୋଲି ସମାଲୋଚନା କରାଯାଉଥିବା ସତ୍ତ୍ବେ ଯୁକ୍ତିଯୁକ୍ତ କାରଣ ପାଇଁ ବନ୍ୟ ପ୍ରାଣୀଙ୍କୁ ହତ୍ୟା କରାଯାଇପାରେ ବୋଲି ପ୍ରାୟ ସମସ୍ତେ ଏକମତ। ଏଭଳି କରାଯିବା ପଛରେ ବିଭିନ୍ନ କାରଣ ରହିପାରେ। ତେବେ ଅଷ୍ଟ୍ରେଲିଆରେ ଅସ୍ବାଭାବିକ ଜଳ ସଂକଟର ପରିପ୍ରେକ୍ଷୀରେ ଓଟଙ୍କ ସଂଖ୍ୟାଧିକତାକୁ ନିୟନ୍ତ୍ରଣ କରିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ଏଭଳି ନିୟନ୍ତ୍ରିତ ଉପାୟରେ ବଧ ପ୍ରକ୍ରିୟାକୁ ଇଂରେଜୀରେ ‘କଲିଂ’ ବୋଲି କୁହାଯାଏ। ଉଲ୍ଲେଖନୀୟ ଯେ ପୂର୍ବରୁ ଅଷ୍ଟ୍ରେଲିଆରେ କଙ୍ଗାରୁଙ୍କ ମାତ୍ରାଧିକ ବଂଶ ବୃଦ୍ଧିକୁ ରୋକିବା ଲାଗି ସେମାନଙ୍କ ‘କଲିଂ’ କରାଯାଇଛି। ୨୦୧୩ରେ ଇଂଲଣ୍ଡରେ ‘ଗୋ ଯକ୍ଷ୍ମା’ ରୋଗ ରୋକିବା ପାଇଁ ୟୁରୋପିଆନ୍ ଓଧଙ୍କୁ ହତ୍ୟା କରିବାକୁ ପ୍ରଶାସନ ବାଧ୍ୟ ହୋଇଥିଲା। ପୁଣି ଜୈବ ବିବିଧତାର ସନ୍ତୁଳନ ରକ୍ଷା କରିବାକୁ ଦକ୍ଷିଣ ଆଫ୍ରିକାରେ ହାତୀ, ଦକ୍ଷିଣ ଅଷ୍ଟ୍ରେଲିଆରେ ସିଲ୍ ମାଛ ଓ ସାର୍କ, ଆମେରିକାରେ ହରିଣ ଆଦିଙ୍କ ‘କଲିଂ’ କରାଯାଇଥାଏ। ଏପରିକି କେତେକ ସ୍ଥଳେ ଚିଡ଼ିଆଖାନାରେ କୌଣସି ପ୍ରଜାତିର ଅତ୍ୟଧିକ ବଂଶ ବୃଦ୍ଧି ହେଲେ ସେଗୁଡ଼ିକୁ ମଧ୍ୟ ଏହି ପଦ୍ଧତିରେ ହତ୍ୟା କରାଯାଇଥାଏ।

ଯଦିଓ ବିଭିନ୍ନ ସମୟରେ ଜୀବଜନ୍ତୁଙ୍କ ଏହିପରି ହତ୍ୟା ବିରୋଧରେ ସ୍ବର ଉଠିଥାଏ, ମନେ ରଖିବା ଦରକାର ଜୀବ ଜଗତ୍‌ରେ ଏକ ସନ୍ତୁଳନ ରକ୍ଷା ଲାଗି ଏହା ଆବଶ୍ୟକ। ଅଷ୍ଟ୍ରେଲିଆରେ ଜଳାଭାବରୁ ମଣିଷମାନେ ପାଣି ପାଇବାରୁ ବଂଚିତ ହେବାର ଆଶଙ୍କା ଘନୀଭୂତ ହେଉଥିବାରୁ ଏଭଳି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ତେବେ, ଏହା ମଧ୍ୟ ସତ ଯେ କୌଣସି ବନ୍ୟ ପ୍ରାଣୀଙ୍କ ‘କଲିଂ’ କରାଯିବା ସର୍ବଶେଷ ବାଟ ହୋଇଥିବା ଜରୁରୀ। ସବୁ ବିକଳ୍ପର ବିଚାର କଲା ପରେ ଏହିଭଳି ପଦକ୍ଷେପ ନିଆଯିବା ଦରାକାର।

ସମ୍ବନ୍ଧିତ ଖବର