ଆତ୍ମହତ୍ୟା ପୀଡ଼ିତ ଭାରତ

ଗୋବିନ୍ଦ ପଟ୍ଟନାୟକ

ଉଦ୍‌ବେଗର ବିଷୟ ହେଲା ଭାରତରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରତି ବର୍ଷ ବିଶ୍ବରେ ପାଖାପାଖି ୮ ଲକ୍ଷ ଲୋକ ଆତ୍ମହତ୍ୟା କରନ୍ତି। ଏମାନଙ୍କ ମଧୢରେ ୧୭% ହେଉଛନ୍ତି ଭାରତୀୟ। ରିପୋର୍ଟ ଅନୁଯାୟୀ ୨୦୧୬ ମସିହାରେ ଘଟିଥିବା ସମସ୍ତ ମୃତ୍ୟୁର କାରଣଗୁଡ଼ିକ ଭିତରେ ଆତ୍ମହତ୍ୟା ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା। ୧୫ରୁ ୨୯ ବର୍ଷ ବୟସ ମଧୢରେ ହିଁ ଅଧିକା˚ଶ ଭାରତୀୟ ଆତ୍ମହତ୍ୟା କରୁଥିବା ଦେଖାଯାଉଛି। ପୁଣି ଯାହା ଦେଖିବାକୁ ମିଳୁଛି, ତାହା ହେଲା ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆତ୍ମହତ୍ୟାର ହାର ଅଧିକ।

ଏବେ ଆମ ଦେଶରେ ଯେଉଁଭଳି ସାମାଜିକ ପରିବର୍ତ୍ତନମାନ ଦେଖା ଯିବାରେ ଲାଗିଛି, ତହିଁରେ ଭାରତୀୟ ତରୁଣମାନେ ଅଧିକରୁ ଅଧିକ ମାନସିକ ଚାପ, ଉଦ୍‌ବେଗର ଶିକାର ହେଉଛନ୍ତି ଓ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡୁଛନ୍ତି। ବିଭିନ୍ନ ରିପୋର୍ଟରେ ଏ ବାବଦରେ ଅନୁଶୀଳନମୂଳକ ଆଲେଖ୍ୟ ପ୍ରକାଶିତ ମଧୢ ହେଉଛି। ଏହା ଆମ ସମସ୍ତଙ୍କ ଲାଗି ସତର୍କ ଘଣ୍ଟି ସ୍ବରୂପ। ଆଦ୍ୟ କୈଶୋରରେ ସ୍ମାର୍ଟ ଫୋନ୍‌ ଓ କମ୍ପ୍ୟୁଟରର ଅଧିକ ବ୍ୟବହାର ମାନସିକ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଥିବା କଥା ଏବେ ବିଭିନ୍ନ ଗବେଷଣାରୁ ଜଣାପଡୁଛି। ଏହି ମାନସିକ ସ୍ଥିତିରୁ ସ୍ଥିରତା ବା ଧୈୖର୍ଯ୍ୟ ହରାଇ ପିଲାମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ପଡୁଥିବା ଓ ସେଥି ଲାଗି ଅନେକ ସମୟରେ ଆତ୍ମହତ୍ୟା କରୁଥିବା ଦେଖାଯାଉଛି। ପାଶ୍ଚାତ୍ୟ ଗବେଷକ ଜିମ୍‌ ଟ୍ବେଙ୍ଗେଙ୍କ ଅନୁଶୀଳନ ଅନୁସାରେ ୨୦୧୦ରୁ ୨୦୧୫ ମଧୢରେ ୧୩ରୁ ୧୮ ବର୍ଷ ବୟସର ବାଳିକାଙ୍କ ଆତ୍ମହତ୍ୟା ହାର ୬୫% ବୃଦ୍ଧି ପାଇଛି, ଯାହାର କାରଣ ସ୍ମାର୍ଟ ଫୋନ୍‌ ଜନିତ ମାନସିକ ଅବସାଦ ବୋଲି ସେ ନିଷ୍କର୍ଷରେ ପହଞ୍ଚିଛନ୍ତି। ଆତ୍ମହତ୍ୟାର ଏ ନୂଆ କାରଣ ନିଶ୍ଚିତ ଭାବେ ସ୍ମାର୍ଟ ଫୋନ୍‌ ବ୍ୟବହାର ନେଇ ସାଧାରଣ ଦୃଷ୍ଟିଭଙ୍ଗୀ ବଦଳାଇ ଦେଇପାରେ। ୨୦୦୧ରୁ ୨୦୧୫ ମଧୢରେ ଭାରତରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧୢରେ କୃଷି କ୍ଷେତ୍ରରେ ଆତ୍ମହତ୍ୟା କରିଥିବା ଲୋକଙ୍କ ସ˚ଖ୍ୟା ହେଉଛି ୨ ଲକ୍ଷ ୩୪ ହଜାର ୬୫୭। ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଆତ୍ମହତ୍ୟା କରିଥିବା ଲୋକଙ୍କ ସ˚ଖ୍ୟା ୩ ଲକ୍ଷ ୮୪ ହଜାର ୬୬୮। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ଆତ୍ମହତ୍ୟା କରିଛନ୍ତିି ୩୪ ହଜାର ୫୨୫। ଦାରିଦ୍ର୍ୟ ତଥା ବେକାରି ପାଇଁ ଆତ୍ମହତ୍ୟା କରିଛନ୍ତି ୭୨ ହଜାର ୩୩୩। ଏତେ ବିଶାଳ ସ˚ଖ୍ୟକ ଭାରତୀୟ ନିଜ ହାତରେ ନିଜ ଜୀବନ ନେବା ନିଶ୍ଚିତ ଭାବେ ବିମର୍ଷକର।

ଏହା ସମସ୍ତେ ଜାଣନ୍ତି ଯେ ସକାରାତ୍ମକ ବିଚାରଧାରା ଜୀବନକୁ ସରସ କରିଥାଏ। କିନ୍ତୁ, ବୈଚିତ୍ର୍ୟମୟ ପୃଥିବୀରେ ସର୍ବଦା ସମସ୍ତଙ୍କ ଲାଗି ଅନୁକୂଳ ପରିସ୍ଥିତି ଉପଲବ୍‌ଧ ହୋଇ ନ ପାରେ। ତେଣୁ, ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ମନରେ ନକାରାତ୍ମକ ଭାବନା ସୃଷ୍ଟି ହୋଇପାରେ। ପୁଣି ବ୍ୟକ୍ତିତ୍ବର ପ୍ରକାରଭେଦକୁ ନେଇ ଏଭଳି ନକାରାତ୍ମକ ଭାବନା କାହା କାହା ମନକୁ ଏଭଳି ଦୁର୍ବଳ କରି ଦେଇପାରେ ଯେ ସେ ନିରାଶାର ସମୁଦ୍ରରେ ବୁଡ଼ି ଏକ ଚରମ ପଦକ୍ଷେପ ନେବାର ଚିନ୍ତା କରିପାରେ। ତେବେ, ଭାରତ ଭଳି ଏକ ରାଷ୍ଟ୍ର ଯେଉଁଠି ସମାଜର ମୂଳପିଣ୍ତ ପରିବାର ଏବ˚ ପାରିବାରକି ସ˚ପର୍କ, ସେଠାରେ ଆତ୍ମହତ୍ୟାର ସ˚ଖ୍ୟା ଏହି ଭଳି ବୃଦ୍ଧି ପାଇବା ଏକ ବିଡ଼ମ୍ବନାର ବିଷୟ। ଏହା ସୂଚାଉଛି ଯେ ଯେଉଁ ପାରିବାରିକ ସ˚ପର୍କ ଦିନେ ଭାରତୀୟମାନଙ୍କ ଲାଗି ଶକ୍ତିର ଉତ୍ସ ଥିଲା, ତାହା ଆଜି ଆଉ ନାହିଁ। ଭାରତୀୟମାନଙ୍କ ଚେତନାରେ ଆଧୢାତ୍ମିକ ଭିତ୍ତିଭୂମି ଦୁର୍ବଳ ହୋଇପଡ଼ିଛି, ଯାହା ସେମାନଙ୍କୁ ସହନଶୀଳତା, ଧୈର୍ଯ୍ୟ ଆଦି ଯୋଗାଇ ଥାଏ। ଏଭଳି ସ୍ଥିତିରେ ପରିବର୍ତ୍ତନ ଆସୁ ବୋଲି ଆମେମାନେ ଆଶା କରିବା ଉଚିତ। ନିରାଶାର ଘନ ବାଦଲ ଭିତରେ ଆଶାର ସ୍ତୀମିତ ରେଖାଟିଏ ବି ଯଦି ଆମେ ଆବିଷ୍କାର କରି ପାରିବା ତେବେ ସେହି ମୁହୂର୍ତ୍ତରେ ଆମ ଲାଗି ଜୀବନର ଅର୍ଥ ସବୁ ଦିନ ଲାଗି ବଦଳି ଯାଇପାରେ।
ମିଶନ ଆଶ୍ରା
ମୋ-୮୨୮୦୩୩୬୩୦୦

ସମ୍ବନ୍ଧିତ ଖବର

Comments are closed.