ଜେଏନୟୁ ସମସ୍ତଙ୍କର

ପ୍ରଫେସର ରାଧାକାନ୍ତ ବାରିକ

ଦାଶ ବେନହୁରଙ୍କର ପ୍ରବନ୍ଧଟି ‘‘ଜେ.ଏନ୍‌.ୟୁ. କାହାର?’’ ‘ସମ୍ବାଦ’ରେ ପ୍ରକାଶିତ ହୋଇଛି। ଏଥିରେ ଯେଉଁ ବିଷାକ୍ତ ଗରଳ ଗୁଡ଼ାକ ବାହାରକୁ ଫୋପଡ଼ା ଯାଇଛି, ତାର କୌଣସି ପ୍ରୟୋଜନ ନ ଥିଲା। ବିଶ୍ବବିଦ୍ୟାଳୟ ତିଆରି ପଛରେ ସବୁବେଳେ ଆର୍ଥିକ ଆଉ ରାଜନୈତିକ କାରଣ ଥାଏ। ଜେ.ଏନ୍‌.ୟୁ.ରେ ବି ସେଇଟା ଅଛି। ସାମାଜିକ ବିଜ୍ଞାନରେ ଗବେଷଣା କମ୍‌ ହେଉ ଥିବାରୁ ଜେ.ଏନ୍‌.ୟୁ. ଭଳି ବିଶ୍ବବିଦ୍ୟାଳୟର ଆବଶ୍ୟକତା ସରକାର ଅନୁଭବ କଲା। ଏ ଦେଶରେ ଭିନ୍ନ ଧର୍ମ ଆଉ ଭିନ୍ନ ଜାତିର ଲୋକେ ରହୁଥିବାରୁ ଗୋଟିଏ ଏପରି ବିଶ୍ବବିଦ୍ୟାଳୟର ପ୍ରୟୋଜନ ଥିଲା, ଯେଉଁଠି ସବୁ ଜାତି ଆଉ ଧର୍ମର ଛାତ୍ରଛାତ୍ରୀ ଆସି ଏକାଠି ବସି ଆଲୋଚନା କରି ପାରିବେ। ଏଇ ଆଲୋଚନା କରିବାର ଉଦ୍ଦେଶ୍ୟରେ ଜେ.ଏନ୍‌ୟୁ. ତିଆରି ହୋଇଥିଲା। ବିଜ୍ଞାନରେ ଗୋଟେ ସାମାଜିକ ଦୃଷ୍ଟିକୋଣ ଅଛି, ତାହା ପାଇଁ ବିଜ୍ଞାନର ସ୍କୁଲ୍‌ ଆରମ୍ଭ ହେଲା।

ସମାଜର ଯେ କୌଣସି ବିଷୟରେ ଆଲୋଚନା ହେଲେ ତାର ରୂପରେଖ କ’ଣ ହେବ, ତାର ପରିକଳ୍ପନା ଜଣେ ବୁଦ୍ଧିଜୀବୀ କରିପାରିବ। ଜ୍ଞାନର ବିଶ୍ବସ୍ତରୀୟ ମାପଚୁପ ଅଛି। ନିଜ ଦେଶ ଆଉ ସମାଜର ଆଉ ଗୋଟିଏ ମାପଚୁପ ଅଛି। ଏଇ ଦୁଇ ସ୍ତରକୁ ଗୋଟିଏ କେନ୍ଦ୍ର ବିନ୍ଦୁକୁ ଆଣିବା ଅତ୍ୟନ୍ତ କଷ୍ଟକର। ତେଣୁ ଜେ.ଏନ୍‌.ୟ.ରେ ଯେଉଁ ଗବେଷକମାନେ ବସି ବିଷୟବସ୍ତୁ ଉପରେ ଆଲୋଚନା କଲେ, ସେମାନେ ସାମାଜିକ ବିଜ୍ଞାନରେ ସ୍ଥାଣୁଶୀଳତାକୁ ଭାଙ୍ଗି ଦେଲେ। ଏଇଟା ଜେ.ଏନ୍‌.ୟୁ.ର ଦାନ। ଧରାଯାଉ ପ୍ରସଙ୍ଗ ହେଲା, ଜାତି ପ୍ରଥା କିପରି ସୃଷ୍ଟି ହେଲା ଏବ˚ ତାହାର ରୂପରେଖ ଆଜି କଅଣ? ଏଇ ପ୍ରଥାକୁ ନଷ୍ଟ କରିବାକୁ କେତେ ବୌଦ୍ଧିକ ବିଚାର ପ୍ରୟୋଜନ ତାହା ଜେ.ଏନ୍‌.ୟୁ.ରେ ହୋଇଥିବା ଗବେଷଣାରୁ ଜଣେ ପାଇପାରିବ।

ଜେ.ଏନ୍‌.ୟୁ.ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶ୍ବବିଦ୍ୟାଳୟରେ ‘‘Adventurous Idea’’ର ପ୍ରଚଳନ (Nehru କହିଛନ୍ତି)। ତାର ରୂପରେଖକୁ ସଂଶିତ ଆଲେଖ୍ୟରେ କୁରୁ ପାଣ୍ତବ ଯୁଦ୍ଧ ବୋଲି ଅଭିହିତ କରାଯାଇଛି, ଯାହା ଭୁଲ୍‌। କୁରୁ ପାଣ୍ତବ ଦୁଇ ଭାଇ ଓ ଗୋଟିଏ ରାଜ ପରିବାରର। ସେମାନେ ନିଜ ଜାତି ଆଉ ସମ୍ପତ୍ତି ପାଇଁ ଲଢ଼େଇ କରିଥିଲେ, କୌଣସି ଆଇଡିଆ ବା ଅବଧାରଣା ପାଇଁ ନୁହେଁ। ସେମାନଙ୍କର ଗୁରୁ ଦ୍ରୋଣାଚାର୍ଯ୍ୟ ସାଧାରଣ ଜାତିର ଲୋକଙ୍କୁ ଶିକ୍ଷା ଦେବାକୁ ମନା କରି ଦେଇଥିଲେ। ଏକଲବ୍ୟଙ୍କର ବୌଦ୍ଧିକ ବିଚାର ଅର୍ଜୁନଙ୍କ ଠାରୁ ଅଧିକ ହୋଇଥିବାରୁ ତାର ହସ୍ତର ବୁଢ଼ା ଆଙ୍ଗୁଠିକୁ ଦ୍ରୋଣାଚାର୍ଯ୍ୟ ଗୁରୁ ଦକ୍ଷିଣା ସ୍ବରୂପ ମାଗିଥିଲେ। ଏଭଳି ମନୋଭାବ ଏବେ ବି ଜାରି ରହିଛି ଯାହା ଫଳରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଆଉ କଲେଜରେ ଜାତିଆଣ ଭେଦରେ ଛାତ୍ରଛାତ୍ରୀମାନଙ୍କୁ କମ୍‌ ନମ୍ବର ଦିଆଯାଉଛି। ସେମାନଙ୍କୁ ଏପରି ପରିସ୍ଥିତିକୁ ଠେଲି ଦିଆଯାଉଛି ଯେଉଁଠି ସେମାନେ ଆତ୍ମହତ୍ୟା କରିବାକୁ ମଧ୍ୟ ବାଧୢ ହେଉଛନ୍ତି। ଏଭଳି ପରିସ୍ଥିତି ଜେ.ଏନ୍‌.ୟୁ.ରେ କେବେ ସୃଷ୍ଟି ହୋଇପାରିବ ନାହିଁ, ସେଇଠି ସବୁ ଜାତି ଆଉ ଧର୍ମର ଛାତ୍ରଛାତ୍ରୀମାନେ ଗୋଟିଏ ପରିବାର ଭଳି ରହନ୍ତି। ସେଇଠି କର୍ଣ୍ଣକୁ ସୁତ ପୁତ୍ର କହି କୌଣସି ଝିଅ ଅବଜ୍ଞା କରିବ ନାହିଁ! ସେଇଠି ଅନେକ ପ୍ରେମ ବିବାହ ଭିନ୍ନ ଜାତିରେ ଆଉ ଭିନ୍ନ ଧର୍ମରେ ହେଉଛି। ସେଇଠି ଝିଅମାନେ ନିଜକୁ ସ୍ବତନ୍ତ୍ର ଭାବେ ଚଳେଇ ପାରୁଛନ୍ତି, ଆଉ ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ସ˚ଗ୍ରାମ କରି ପାରୁଛନ୍ତି। ନାରୀ ଶୋଷଣ, ଆଦିବାସୀ ବିସ୍ଥାପନ, ସରକାରର ଫାସିବାଦ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ଆରଏସ୍‌ଏସ୍‌ର ମନୁଶାସ୍ତ୍ର ଅନୁସାରେ ସମାଜ ତିଆରି କରିବାରେ ଜେ.ଏନ୍‌.ୟୁ. ପ୍ରତିବନ୍ଧ ହୋଇ ଥିବାରୁ ଏଇ ସରକାର ସହ ସାଲିସ କରିଥିବା ଗୁଣ୍ତାମାନଙ୍କୁ ପଠାଯାଇ ଜେ.ଏନ୍‌.ୟୁ.ର ଛାତ୍ରଛାତ୍ରୀମାନଙ୍କ ଉପରେ ଆକ୍ରମଣ କରାଯାଇଛି।

ଜେ.ଏନ୍‌.ୟୁ.ର ‘ଆଡମିସନ ପଲିସି’କୁ ଲେଖାରେ ଚ୍ୟାଲେଞ୍ଜ କରାଯାଇଛି। କିନ୍ତୁ ଯଦି ସେଠାରେ ଖାଲି ମାର୍କସ ଆଉ ଲେନିନ କହିଲେ ଆଡମିସନ ହୋଇଯାଏ, ତେବେ ଆରଏସ୍‌ଏସ୍‌ ଆଉ ବି.ଜେ.ପି.ର ଛାତ୍ର ସ˚ଗଠନ ସେଇଠି ରହିଛି କେମିତି? ଏଠାରେ ନାମ ଲେଖାରେ ‘ମେରିଟ୍‌’ ବା ଗୁଣବତ୍ତା ଏବ˚ ‘ସୋସିଆଲ ଜଷ୍ଟିସ୍‌’ ବା ସାମାଜିକ ନ୍ୟାୟକୁ ସମ୍ମିଳିତ କରାଯାଏ। ଫଳରେ ବହୁ ଗାଁଗହଳ ପିଲା, ଆଦିବାସୀ ଓ ଦଳିତ ସଂପ୍ରଦାୟର ପିଲା ପଢ଼ି ପାରିଅଛନ୍ତି। ଏଠାକାର ଅଧୢାପକମାନେ ବିଶ୍ବର ସର୍ବୋତ୍ତମ ବିଶ୍ବବିଦ୍ୟାଳୟଗୁଡ଼ିକରୁ ପାଠ ପଢ଼ି ଆସି ପଢ଼ାଇ ଥାଆନ୍ତି ଓ ଅନେକ ନୂତନ ତଥ୍ୟ ନିଜ ଗବେଷଣା ସାହାଯ୍ୟରେ ବାହାର କରିଛନ୍ତି। ଏହି ବିଶ୍ବବିଦ୍ୟାଳୟର ଛାତ୍ର ହିସାବରେ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀ ବି ଗର୍ବ ଅନୁଭବ କରନ୍ତି। ତାଙ୍କ ଭାଷାରେ ‘ଜେ.ଏନ୍‌.ୟୁ.ର ରାଜନୀତି ତାଙ୍କୁ ବିଭିନ୍ନ ଚିନ୍ତାଧାରା ବିଷୟରେ ଅବହିତ କଲା, ଫଳରେ ସେ ଦାରିଦ୍ର୍ୟ ଉପରେ ଗବେଷଣା କରିବାକୁ ବିଚାର କଲେ।’ ସେଇଟା ବିଶ୍ବବିଦ୍ୟାଳୟର ଦାନ; ତାହା ତୁମର ମସ୍ତିଷ୍କର ଦ୍ବାର ଆଉ ଝରକା ଖୋଲି ଦେଲା। ସେଇ ପବନ ଆଉ ଆଲୋକ ଆସି ତୁମ ମାନସିକ ସମୃଦ୍ଧିରେ ସାହାଯ୍ୟ କଲା।

ଓଡ଼ିଶାରୁ ୫୦୦୦ରୁ ଅଧିକ ଛାତ୍ରଛାତ୍ରୀ ସେଠାରେ ପାଠ ପଢିଛନ୍ତି। ଆଜି ସବୁ ସ୍ତରରେ ସେମାନେ କାର୍ଯ୍ୟରତ। ଅଧିକା˚ଶ ଗବେଷଣା କରିବାର ମନୋବୃତ୍ତି ନେଇ କାମ କରୁଛନ୍ତି। ସେମାନଙ୍କ ପାଖରେ ଛୋଟ ବଡ଼ କେହି ନାହାନ୍ତି; ଏବଂ ଏହା ହେଉଛି ଜେ.ଏନ୍‌.ୟୁ.ର ଛାତ୍ରଛାତ୍ରୀଙ୍କର ଏକ ବିଶେଷତ୍ବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନେ ବିଭିନ୍ନ ରାଜନୈତିକ ବିଚାର ଗୋଷ୍ଠୀରେ ଅଛନ୍ତି। କିନ୍ତୁ ସେମାନେ ମାର୍କସ୍‌ ଏବ˚ ଲେନିନ କଥା କହି ଆଡମିସନ ନେଇ ନାହାନ୍ତି। ଜେ.ଏନ୍‌.ୟୁ.ର ଭାଇସ୍‌ ଚାନ୍‌ସେଲରଙ୍କ ତଳେ ବହୁ ଓଡ଼ିଆ ଅଧୢାପକ ଉଚ୍ଚ ପଦରେ ମଧ୍ୟ ଅଛନ୍ତି।
ପ୍ରକାଶିତ ଆଲେଖ୍ୟର ଶୀର୍ଷକ ‘ଜେ.ଏନ୍‌.ୟୁ. କାହାର?’ର ଉତ୍ତର ହେଲା ଜେ.ଏନ୍‌.ୟୁ. ସମସ୍ତଙ୍କର। କିନ୍ତୁ ବି.ଜେ.ପି. ଆଉ ଆର.ଏସ୍‌.ଏସ୍‌. ସମସ୍ତଙ୍କର ହୋଇପାରିବେ ନାହିଁ; କାରଣ ସେଇଠି ବ୍ରାହ୍ମଣ ଆଉ ରାଜପୁତ୍ରଙ୍କର ଅଧିକ ଶକ୍ତି ରହିବ।
ଫୋନ୍‌-୯୯୬୮୪୦୧୭୧୩
[email protected]

ସମ୍ବନ୍ଧିତ ଖବର

Comments are closed.