ଯୁବ ଭାରତ: ଶକ୍ତି, ସ୍ବପ୍ନ ଓ ଆହ୍ବାନ

ପ୍ରଫେସର ଗଣେଶୀ ଲାଲ

ଅନ୍ୟ ଦେଶ ତୁଳନାରେ ଭାରତର ଜନସ˚ଖ୍ୟାର ବେଶୀ ଭାଗ ହେଉଛନ୍ତି ଯୁବ ବର୍ଗ। ଏହି ଯୁବ ଭାରତ ଆମର ପ୍ରମୁଖ ସ˚ପଦ ଓ ସ˚ପତ୍ତିି, ଭାରତର ଅସଲ ଶକ୍ତି କେନ୍ଦ୍ର। ତେବେ ଏହି ସ˚ପଦର ସଠିକ୍‌ ଉପଯୋଗ ଓ ପରିଚାଳନା କରି ନପାରିଲେ ତାହା ମଧ୍ୟ ବିପତ୍ତିିରେ ପରିଣତ ହୋଇପାରେ। ଆମକୁ ଉପଲବ୍‌ଧ ବିପୁଳ ଶକ୍ତି ଓ ସାମର୍ଥ୍ୟର ଠିକଣା ବିନିଯୋଗ ନିମନ୍ତେ, ତା’ର ପ୍ରକାଶ ଓ ବିକାଶ ପାଇଁ ଅନୁକୂଳ ପରିବେଶ ନିର୍ମାଣ ଏକାନ୍ତ ଜରୁରୀ। ପ୍ରଥମେ ଯୁବବର୍ଗ ନିଜର ଅଫୁରନ୍ତ ଶକ୍ତି ସ˚ପର୍କରେ ସଚେତନ ହେବା ଦରକାର। ତା’ପରେ ଅନ୍ତର୍ନିହିତ ଶକ୍ତିକୁ ଆକାର ଦେବା ପାଇଁ ଓ ତା’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଜ୍ଞତା ଓ ପୁରୋଦୃଷ୍ଟି ସହ ନିର୍ଣ୍ଣୟ କରି କାର୍ଯ୍ୟରେ ପରିଣତ କରିବା ଦରକାର। ଇତିହାସରେ ଏଭଳି ସମୟ ସବୁବେଳେ ଆସେ ନାହିଁ। ଆମର ସୋୖଭାଗ୍ୟ, ଏଭଳି ସମୟ ଆମେ ପାଇଛେ। ଏହା ଇତିହାସ ନିର୍ମାଣ କରିବାର ସମୟ। ଯଦି ଏହି ସୁଯୋଗକୁ ହାତଛଡ଼ା କରିଦେବା, ଆମକୁ ଇତିହାସ କଦାପି କ୍ଷମା ଦେବ ନାହିଁ। ଯୁବକ କିଏ? କାହାକୁ ଯୁବକ କହିବା? ତାରୁଣ୍ୟ ଗୁଣବାଚକ ନା ଆୟୁବାଚକ? ଏଭଳି ମୌଳିକ ପ୍ରଶ୍ନର ଉତ୍ତର ଖୋଜିବା ହିଁ ଯଥାର୍ଥରେ ତାରୁଣ୍ୟର ବ˚ଦନା କରିବା। ତାରୁଣ୍ୟ ହେଉଛି ଏକ ବିଶେଷ ଗୁଣ ଯାହା ଏକ ନିର୍ଦ୍ଦିଷ୍ଟ ବୟସ ବର୍ଗରେ ପ୍ରଚୁର ପରିମାଣରେ ଉପଲବ୍‌ଧ। ଏଣୁ ଆମର ଆଶା ଓ ଆହ୍ବାନ ସେହି ଦିଗରେ ବିଶେଷ କେନ୍ଦ୍ରୀଭୂତ ହେବା ଦରକାର।

ଭାରତ କେବଳ ଏକ ଭୌଗୋଳିକ ସତ୍ତା ନୁହେଁ; ଭାରତ ହେଉଛି ଏକ ଜୀବନ୍ତ ଦେବୀ; ଚେତନାର ଅସୀମ କ୍ଷେତ୍ର, ଆଲୋକର ସହସ୍ରାର। ଭାରତ ସମଗ୍ର ଜଗତ୍‌କୁ ସବୁବେଳେ ଆଲିଙ୍ଗନରେ ରଖିଆସିିଛି। ବସୁଧୈବ କୁଟୁମ୍ବକମ୍‌ର ବାର୍ତ୍ତା ଦେଇଛି। ସବୁ ମଣିଷ କେବଳ ସମାନ ନୁହନ୍ତି; ଏକ ଓ ଅଭିନ୍ନ; ଏକକ ଉତ୍ସରୁ ଉତ୍ପନ୍ନ ବୋଲି କହିଆସିଛି। ଅନ୍ୟ ସଭ୍ୟତା ମଣିଷକୁ କେବଳ ମଣିଷ ବୋଲି ବିବେଚନା କରି ଆସୁଥିବା ବେଳେ ଭାରତ ମଣିଷଠି ଦିବ୍ୟତ୍ବ ଦେଖାଇଆସୁଛି। କ୍ରୌଞ୍ଚର କ୍ରନ୍ଦନକୁ ବନ୍ଦନରେ ପରିଣତ କରିପାରେ ଭାରତ, ହୁ˚କାରକୁ ଓଁକାରରେ ବଦଳେଇ ପାରେ ଭାରତ। ଏଭଳି ଏକ ଭାରତର ଯୁବ ସମାଜ ଉପରେ ସମଗ୍ର ମାନବ ଜାତିର ଭବିଷ୍ୟତ ନିର୍ଭରଶୀଳ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶ୍ବର ନଜର ଭାରତର ଯୁବ ସମାଜ ଉପରେ। ଏହା ଯେତିକି ଗୌରବମୟ, ସେତିକି ଆହ୍ବାନପୂର୍ଣ୍ଣ ମଧ୍ୟ। ଏମିିତିି ଏକ ମହିମାନ୍ବିତ ପୃଷ୍ଠଭୂମି ଉପରେ ଦଣ୍ତାୟମାନ ହୋଇ ଭାରତୀୟ ଯୁବ ସମାଜ ଆଗାମୀ ସମୟର ନିର୍ମାଣ କିଭଳି କରିବ, ତାକୁ ଦେଖିବାକୁ କାଳ ଅପେକ୍ଷା କରିଛି। ସେ ଗୁରୁ ଦାୟିତ୍ବ ପାଇଁ ଆମେ ପ୍ରସ୍ତୁତ ତ!

ଭାରତର ଯୁବ ସମାଜ ନିଜକୁ ପ୍ରସ୍ତୁତ କରିବା ପାଇଁ ବାହାରକୁ ଅନେଇବାର ଆବଶ୍ୟକତା ନାହିଁ। ଯଦିଓ ଭିତର ଓ ବାହାରର ସୀମାକୁ ସବୁବେଳେ ଅସ୍ବୀକାର କରେ ତାରୁଣ୍ୟ। ଆମର ପ୍ରାଚୀନ ଗ୍ରନ୍ଥରାଜି; ବେଦ, ଉପନିଷଦ, ଗୀତା, ଭାଗବତ ଓ ଆମର ଦିବ୍ୟ ପୁରୁଷ ଗଣ; ରାମ, କୃଷ୍ଣ, ବୁଦ୍ଧ, ଶଙ୍କର, ବିବେକାନନ୍ଦ, ଗାନ୍ଧୀ- ଯୁବ ସମାଜର ପ୍ରେରଣାର ପ୍ରାଣ ଓ ଉତ୍ସାହର ଉତ୍ସ। ଏହି ସମୟ ହେଉଛି ଆତ୍ମ ନିରୀକ୍ଷଣ, ଆତ୍ମ ଆବିଷ୍କାର, ଆତ୍ମ ଅନୁଶୀଳନ ଓ ଆତ୍ମ ଆକଳନର ସମୟ। ବିସ୍ତରି ଯିବାର ସମୟ। ଉତ୍ତରଣ ଓ ଊର୍ଦ୍ଧ୍ବ ଉଡ଼ାଣର ସମୟ ା ଅନ୍ତର୍ନିହିତ ଚେତନାର ପ୍ରକାଶ ପୁ˚ଜ ହୋଇ ଆଲୋକ ବିକିରଣର ସମୟ। ଏବ˚ ସମୟକୁ ଶାସନ କରିବାର ମଧ୍ୟ ସମୟ।

ଫୁଲ ଫୁଟେ, କେବଳ ଫୁଟିବା ପାଇଁ। ଝରଣା ବହିଯାଏ କେବଳ ବହିବାର ଧର୍ମରେ। ଅନ୍ୟ କିଛି କାରଣ ନ ଥାଏ। ଜଣେ କେବଳ ଭଲ ପାଇଁ ଭଲ ହେବା ହିଁ ମୌଳିକ ସ୍ବାଭାବିକତା। ନିଜ ସର୍ଜନା ଶକ୍ତିର ସ୍ବାଭାବିକ ପରିପ୍ରକାଶ ହିଁ ଧର୍ମ ଓ ଏହା ବିଶ୍ବ କଲ୍ୟାଣ ଦିଗରେ ହିଁ ଅଭିପ୍ରେତ। ଏହି ପ୍ଲାବନରେ ଶତ୍ରୁ ମିତ୍ର କିଛି ନଥାଏ। ପ୍ରତ୍ୟେକ ମଣିଷ ତା ପାଇଁ ମାଧବ ‌ହୋଇଯାଏ। ଏହା ହିଁ ଭାରତୀୟ ଦର୍ଶନ ଓ ଏହାର ପ୍ରକୃଷ୍ଟ ଧାରକ ଓ ବାହକ ହେଉଛନ୍ତି ତରୁଣ। ତରୁଣଙ୍କ ଶଦ୍ଦକୋଷରେ ଅସ˚ଭବ, ଅସାମର୍ଥ୍ୟ, ଛଳନା, କୃତ୍ରିମତା, ଦୁଃଖ, ନିରାଶା, ସ˚ଦେହ, ଅନ୍ଧାର ଭଳି ଅନେକ ଶଦ୍ଦ ନଥାଏ, ଯାହା କାଳେ କାଳେ ମାନବର ଯାତ୍ରା ପଥରେ ଉଭା ହୋଇ ଦିଗଭ୍ରଷ୍ଟର ଉଦ୍ୟମ କରୁଥାନ୍ତି। ଆଜିର ଯୁବ ସମାଜ ପରିସ୍ଥିତି ଦ୍ବାରା ପରିଚାଳିତ ନ ହୋଇ ନିଜ ମନ ମୁତାବକ ପରିସ୍ଥିତି ସୃଷ୍ଟି କରି ପାରିବ। ସେ କେତେବେଳେ ଯୀଶୁ ହୋଇ ଆସିବ ତ କେତେବେଳ ମହମ୍ମଦଙ୍କୁ ମାଧ୍ୟମ କରିବ ତ କେବେ କେବେ କୃଷ୍ଣ ହୋଇ ସାରା ଦୃଷ୍ଟି ଓ ସୃଷ୍ଟିକୁ ଆକର୍ଷଣ କରିବ। ଏ କାର୍ଯ୍ୟ କେବଳ ତରୁଣ ହିଁ କରିପାରିବ। ଭାରତ ଉଦାହରଣ ହୋଇ ରହିଛି ଏବଂ ପୁଣି ଉଦାହରଣ ସୃଷ୍ଟି କରିବ: ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ।

ତାରୁଣ୍ୟ ହେଉଛି ପ୍ରେମର ଚିରନ୍ତନ ପ୍ରତୀକ; ପ୍ରେମର ଅସରନ୍ତି ଭଣ୍ତାର। ଭାରତୀୟ ଦର୍ଶନ କୁହେ ଯେ ପ୍ରେମ ସବୁବେଳେ ପୂର୍ଣ୍ଣ। ପ୍ରବହମାନତା ତାର ଧର୍ମ। ସାରା ମାନଚିତ୍ରକୁ ଗୋଟିଏ ର˚ଗରେ ର˚ଗେଇ ଦେବା ତାର ଅଭୀପ୍‌ସା। ପ୍ରେମ ଦେବାରେ ହିଁ ପ୍ରେମର ସାର୍ଥକତା। ସେ ପ୍ରେମର ଭିକାରି ହେଇପାରେନା, ସେ ତ ପ୍ରେମର ସମ୍ରାଟ। ଯେମିତି ଫୁଲ ତା’ର ସୁବାସ ପ୍ରସାରେ। ଶବ ଉପରେ ଥାଉ କି ଦେବତାଙ୍କ ମସ୍ତକରେ କି ପ୍ରେମିକାର ଗଭାରେ; ସବୁଠି ସମାନ ଭାବରେ ସେ ତାର ଗୁଣ ପ୍ରଦର୍ଶନ କରେ। ସମସ୍ତଙ୍କୁ ସ୍ବୀକାର କରିବା, ସଭିଙ୍କୁ ପ୍ରେମ କରିବା ହିଁ ତାରୁଣ୍ୟର ଲକ୍ଷଣ। ପୃଥିବୀର ଯାବତୀୟ ଦୁଃଖର କାରଣ ପ୍ରେମହୀନତା ଏବ˚ କେବଳ ଭାରତର ଯୁବ ସମାଜ ସେ ଅଭାବ ପୂରଣ କରିବା ପାଇଁ ଯୋଗ୍ୟ ଓ ସମର୍ଥ।

ଅର୍ଜୁନ ଥିଲେ ସମର୍ଥ ଧନୁର୍ଦ୍ଧର। ତାଙ୍କର ଥିଲା ବର୍ଷ ବର୍ଷର ସାଧନା, ଅଭ୍ୟାସ ଓ ସିଦ୍ଧି। ତାଙ୍କ ପାଖରେ ମଧ୍ୟ ଥିଲା ସବୁଠୁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର। ତାଙ୍କ ପାଖରେ ଯଦି ସବୁ ଥିଲା, ତେବେ କ’ଣ ନଥିଲା ଯେ, ସେ ଠିକଣା ବେଳକୁ ଗାଣ୍ତୀବ ଛାଡ଼ି ଭୀରୁ, ଦୁର୍ବଳ ଓ ଅସହାୟ ଭଳି ଆଚରଣ କଲେ? କୁଆଡ଼େ ଗଲା ସାଧିଥିବା ବିଦ୍ୟା ଓ ଆହରଣ କରିଥିବା ଯେତେକ ଆୟୁଧ। ଯାହା ନଥିଲା, ତାକୁ ଭଗବାନ ଶ୍ରୀକୃଷ୍ଣ ଦେଲେ ଏବ˚ ତାହା ଆମମାନଙ୍କ ପାଇଁ ଗୀତା ମାଧ୍ୟମରେ ଉପଲବ୍‌ଧ। ତାକୁ ପ୍ରଥମେ ହାସଲ କରିବା ଦରକାର। ଏହା ଲୌକିକ ବିଦ୍ୟା; ପର୍ଯ୍ୟାପ୍ତ ନୁହେଁ। ଅନେକ ସମୟରେ ଯନ୍ତ୍ର ଯଥେଷ୍ଟ ନୁହେଁ। ପ୍ରାଣସ୍ପନ୍ଦନହୀନ ଯାନ୍ତ୍ରିକ ସଭ୍ୟତା ସ୍ବର୍ଗର ସ୍ବପ୍ନ ଦେଖାଇ, ନର୍କମୁହାଁ ନେଇଯାଉଛି; ଦାସ କରି ଦେଉଛି। ଶିକ୍ଷା ବ୍ୟକ୍ତି-କୈନ୍ଦ୍ରିକ ନହେଇ ବସ୍ତୁ-‌କୈନ୍ଦ୍ରିକ ହେଇଛି। ବ୍ୟବସାୟ ବାଣିଜ୍ୟରେ ସୁଗମତା ଉପରେ ଯେତିକି ଗୁରୁତ୍ବ ଦିଆଯାଉଛି, ଜୀବନ ଜିଇବାର ସୁଗମତା ଉପରେ କାହାର ଚିନ୍ତା ନାହିଁ। ବାହ୍ୟ ଇ˚ଜିନିୟରିଂ ଉପରେ ସମସ୍ତ ଧ୍ୟାନ କେନ୍ଦ୍ରିତ ନ କରି ଅନ୍ତର୍ସ୍ଥ ଇଂଜିନିୟରି˚କୁ ମଧ୍ୟ ଗୁରୁତ୍ବ ଦେବା ଦରକାର। ହରେକ ରକମର ମ୍ୟାନେଜମେଣ୍ଟ ପାଠ ଭିତରେ ହଜି ଯାଉଛି ‘ଇମୋସନ ମ୍ୟାନେଜମେଣ୍ଟ’ର ମୌଳିକ ସୂତ୍ର। ଆଟମ୍‌ ଉପରେ ଅଧ୍ୟୟନ ଗବେଷଣାରେ ଅସୁବିଧା ନାହିଁ, ତେବେ ଆତ୍ମା ଉପରେ ଅଧ୍ୟୟନକୁ ଅବହେଳା କାହିଁକି? ଭାରତୀୟ ଦର୍ଶନ ମଣିଷକୁ ଆତ୍ମା ବୋଲି ବିଚାର କରେ। ଏମିତି ତ ଆମେ ଜଡ଼ ମଧ୍ୟରେ ମଧ୍ୟ ଆତ୍ମାକୁ ଅନୁଭବ କରୁ। ଜୀବନ ଜିଇବାର ସୂକ୍ଷ୍ମ କଳା ଆଜି ଅର୍ଥହୀନ କୋଳାହଳ ଭିତରେ ଲୁଚି ଯାଉଛି। ଏ ଶରୀର ମନ୍ଦିର ହେବ ନା ଶ୍ମଶାନ; ତାହା ନିର୍ଭର କରେ ବ୍ୟକ୍ତିର ଜୀବନଶୈଳୀ ଓ ଜୀବନବୋଧ ଉପରେ। ଏବେ ଏକ ଭୂତାଣୁ ସାରା ପୃଥିବୀକୁ ଡରାଉଛି। ଲୋକମାନେ ମୃତ୍ୟୁକୁ ଡରୁଛନ୍ତି। ବାସ୍ତବରେ ମୃତ୍ୟୁକୁ ଯେତିକି ଡର ନୁହେଁ, ଡର ଜୀବନ ଜିଇ ନପାରିବାର। ପୃଥିବୀ ଲୋଡ଼ୁଛି ଭାରତର ତରୁଣଠୁ ଜୀବନ ଜିିଇବାର ସୂତ୍ର; ମହା ମୃତ୍ୟୁଞ୍ଜୟ ମନ୍ତ୍ର; ସବୁ ଅଛି ଆମ ପାଖରେ- ସୂତ୍ର, ତତ୍ତ୍ବ, ପଥ- କେବଳ ମନ୍ତ୍ର ଖୋଜି ପାରିଲେ ହେଲା। ବିଶ୍ବର ଭବିଷ୍ୟ ନିର୍ମାଣ ଦାୟିତ୍ବ ଭାରତର ଯୁବ ସମାଜର। ପ୍ରଥମେ ସେଥିପାଇଁ ପ୍ରସ୍ତୁତି ଦରକାର। ବିନା ଯୁଦ୍ଧରେ ବି ପୃଥିବୀକୁ ଆପଣେଇ ହେବ ହାତମୁଠାରେ। ଡ୍ରାଗନ ବି ପାଲଟିଯିବ ପୋଷା ବିଲେଇ ଆମ କୋଳରେ। କୋଉଠୁ ମିଳିବ ମାର୍ଗଦର୍ଶନ? କିଏ ବତାଇବ ବାଟ? ଏହାର ବି ମୀମା˚ସା ହୋଇଯାଇଛି ଜନକ-ଯାଜ୍ଞବଳକ୍ୟ ସମ୍ବାଦ‌ରେ। ବୁଦ୍ଧ-ଆନନ୍ଦ ବାର୍ତ୍ତାଳାପରେ। ବୁଦ୍ଧ କହିଛନ୍ତି- ଅପ୍ପଦୀପୋ ଭବ। ନିଜେ ଆଲୋକ ହେଇଯାଅ, ଦୀପ ହେଇଯାଅ। କାରଣ ଦୀପ ହେବାର ସାମର୍ଥ୍ୟ ଅଛି ପ୍ରତ୍ୟେକଙ୍କ ପାଖରେ। ଏଥିପାଇଁ ଲୋଡ଼ା ଆତ୍ମ ଅନ୍ବେଷ ଓ ସାହସ। ଏବ˚ ତରୁଣ ପାଖରେ ଏ ଗୁଣ ଅଛି ଭରପୂର। ଅଧ୍ୟବସାୟ, ଅଦମ୍ୟ ଉତ୍ସାହ, ନିଷ୍ଠା ଓ ଆନ୍ତରିକତା ବଳରେ କିଛି ବି ଅସାଧ୍ୟ ନୁହେଁ।

ମଣିଷ ଆନନ୍ଦରୁ ଆସିଛି, ଆନନ୍ଦରେ ରହିବ ଓ ଆନନ୍ଦକୁ ଫେରିଯିବ। ଏହା ହିଁ ପଥ, ଏହା ହିଁ ତତ୍ତ୍ବ। ତେବେ ଏହା ହେଉନାହିଁ କାହିଁକି? କିଏ କରିଛି ପଥରୋଧ? ଥରେ ଭିତରକୁ ଏହି ପ୍ରଶ୍ନ ଫିଙ୍ଗିଲେ ଉତ୍ତର ଅବଶ୍ୟ ମିଳିଯିବ। ଯାବତୀୟ ବିକୃତିରେ ଅଣନିଃଶ୍ବାସୀ ପ୍ରକୃତି ଓ ପରିବେଶ। ସେଥିରୁ ମୁକ୍ତି ଦରକାର। ସ୍ବାଭାବିକତାର ରାହାକୁ ଫେରିବା ଦରକାର, ସ୍ବତଃସ୍ଫୂର୍ତ୍ତତାର ସରଣୀକୁ, ଯାହା ପ୍ରତ୍ୟେକଙ୍କର ନ୍ୟାଯ୍ୟ ଅଧିକାର। କିନ୍ତୁ ସେ ଅଧିକାରକୁ ଅବାନ୍ତର ମନେ କରି ମଣିଷ ଯେଉଁ ଅଧିକାରଗୁଡ଼ିକ ସାବ୍ୟସ୍ତ କରିବାକୁ ଶ୍ରମ, ଶକ୍ତି ଓ ସମୟ ଦେଉଛି, ତାର ପରିଣାମ ନିଶ୍ଚିତ ଭୟଙ୍କର। ମଣିଷ ଜୀବନକୁ ମହତ୍ତର କରିବାକୁ ସବୁ ଉପାଦାନ ଏଇଠି ଅଛି। ଆକାଶରେ ଘୂରି ବୁଲୁଛନ୍ତି ଦୟା, କ୍ଷମା, ମମତା, ପ୍ରୀତି, ଉଦାରତା ଭଳି ସବୁ ଈଶ୍ବରୀୟ ଗୁଣରାଜି। ସେମାନଙ୍କର ଧରାବତରଣ ପାଇଁ ପରିବେଶ ନିର୍ମାଣ କରିପାରିବ ଭାରତ ଏବ˚ ଏହାର ରୂପାୟନ କରିବ ଯୁବ ଭାରତ। ତାରୁଣ୍ୟ ହେଉଛି ପୃଥିବୀକୁ ଭଗବାନଙ୍କର ବରଦାନ। ତରୁଣ ପାଇଁ ଜୀବନର ଲକ୍ଷ୍ୟ ନୁହେଁ, ଅହ˚କାର ଅ˚କିତ କେଉଁ ଭବନ, ସାଫଲ୍ୟର ଅଳୀକ ଆଖ୍ୟାୟନ, ତାର ଲକ୍ଷ୍ୟ ହେବା ଦରକାର ମୁଗ୍‌ଧ ଭାବ ବନ, ପ୍ରତ୍ୟେକଙ୍କ ହୃଦୟରେ ସ୍ଥାୟୀ ଆସ୍ଥାନ। କ୍ଷମତାର ପ୍ରେମ ନୁହେଁ, ପ୍ରେମର କ୍ଷମତା ଯୌବନର ଧ୍ୟେୟ ହେବା ଦରକାର। ସୁଖର କଥା ସ˚ପ୍ରତି ଭାରତ ଜନସାଂଖ୍ୟକୀୟ ସୁଯୋଗର ସଦୁପଯୋଗ କରିବାକୁ ଚେଷ୍ଟିତ। ଉଭୟ ସ୍ଥୂଳ ଓ ସୂକ୍ଷ୍ମ ସ୍ତରରେ ସେ ପ୍ରକ୍ରିୟା ଚାଲିଛି। ତା ପାଖରେ ଅଛି ପ୍ରେରଣାଦାୟୀ ଅତୀତ ଓ ପାରଦର୍ଶୀ ନେତୃତ୍ବ। ଭାରତ ପୁଣି ଥରେ ବିଶ୍ବଗୁରୁ ଆସନ ମଣ୍ତନ କରିବ ଏବ˚ ତାର ମାଧ୍ୟମ ହେବ ଯୁବ ଭାରତ। ଏହା ମୋର ଆଶା ନୁହେଁ; ବିଶ୍ବାସ। ଶେଷରେ ସ୍ବାମୀ ବିବେକାନନ୍ଦଙ୍କ ସେହି ଚିର˚ତନୀ ଆହ୍ବାନ : ଉଠ, ଜାଗ୍ରତ ହୁଅ ଏବ˚ ଲକ୍ଷ୍ୟ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ପ୍ରୟାସ ଅବ୍ୟାହତ ରଖ।
ମହାମହିମ ରାଜ୍ୟପାଳ, ଓଡ଼ିଶା

ସମ୍ବନ୍ଧିତ ଖବର