ଯେଉଁ ଦିନ କୌଣସି ଅନ୍ୟାୟ ଓ ଅତ୍ୟାଚାର ସଂପର୍କିତ ବିବରଣୀ କୌଣସି ଖବରକାଗଜରେ ପ୍ରକାଶ ପାଉଛି, ସେହି ଦିନ ଯେଉଁମାନେ ଏହାର ଭୁକ୍ତଭୋଗୀ ସେମାନେ ଖୁସିରେ କୁରୁଳି ଉଠୁଛନ୍ତି। ଭାବୁଛନ୍ତି ଏଣିକି ତାଙ୍କର ଦୁଃଖ ଗଲା। ଖବରକାଗଜଗୁଡ଼ିକୁ ପ୍ରଶଂସାରେ ପୋତି ପକଉଛନ୍ତି। ସଂପାଦକ ଓ ସାମ୍ବାଦିକଙ୍କ ଛାତି କୁଣ୍ଢେମୋଟ। କିନ୍ତୁ ଦୁଇ ଦିନ ପରେ ଅବସ୍ଥା ଯଥା ପୂର୍ବଂ ତଥା ପରମ୍। ଖବର ପ୍ରକାଶନର ପ୍ରଭାବରେ ଅବସ୍ଥା ତ ସୁଧୁରୁ ନାହିଁ ବରଂ ବ୍ୟବସ୍ଥା ଆହୁରି ବିଗିଡ଼ି ଯାଉଛି।

Advertisment

ଉଦାହରଣ ସ୍ୱରୂପ ଖବରକାଗଜରେ ପ୍ରକାଶ ପାଇଲା ଯେ ଲୋକସେବା ଭବନରେ ସାଧାରଣ ଲୋକମାନଙ୍କର ପ୍ରବେଶ ଦିନକୁ ଦିନ ଅସମ୍ଭବ ହୋଇ ପଡୁଛି। ଏଠାରେ ଲୋକ କ’ଣ ମାଛିଟେ ପଡ଼ିଲେ ମଧ୍ୟ ନବ ଖଣ୍ଡ ହୋଇଯାଉଛି। ଲୋକସେବା ଭବନକୁ ଯଦି ଲୋକମାନେ ଅନାୟସରେ ଯାଇପାରିବେ ନାହିଁ, ତେବେ ଲୋକସେବା ଭବନ ନାମକରଣ କାହିଁକି? କିନ୍ତୁ ଏହି ଖବର ପ୍ରକାଶ ପାଇବା ପରେ ଲୋକସେବା ଭବନରେ ଲୋକଙ୍କର ପ୍ରବେଶ ଅଧିକ ସୁବିଧାଜନକ କ’ଣ ହେବ, ଏହା ଆହୁରି କଡ଼ାକଡ଼ି ହୋଇଯାଇଛି ଓ ନିକଟରେ ଅବସ୍ଥିତ କୃଷି ଭବନରେ ମଧ୍ୟ କୃଷକମାନଙ୍କର ପ୍ରବେଶକୁ ଏତାଦୃଶ ଅସମ୍ଭବ କରିଦିଆଯାଇଛି। ଖବରର କୌଣସି ଫଳ ନ ହେବାର ଦୁଃଖ ଠୁ ଓଲଟା ଫଳର ଦୁଃଖ ଆହୁରି ଦୁର୍ବିଷହ ହୋଇପଡୁଛି। ଧରନ୍ତୁ ଆଜି ଖବରକାଗଜରେ ଏକ ମୁଖ୍ୟ ପୃଷ୍ଠାରେ ସହରର ରାସ୍ତାଘାଟ ଖାଲଖମାର ସଚିତ୍ର ଦୃଶ୍ୟ ସହ ଏକ ବିସ୍ତୁତ ବିବରଣୀ ପ୍ରକାଶ ପାଇଛି। ଏହି ଖବର ପ୍ରକାଶ ପାଇବା ପରେ ସଂପୃକ୍ତ ଅଞ୍ଚଳର ଅଧିବାସୀମାନେ ଉଲ୍ଲସିତ ହୋଇ ପଡୁଛନ୍ତି। ‘ହେଇଟି ଦେଖ ଆଜି ଖବରକାଗଜରେ ଆମର ସାହିବସ୍ତି କଥା ବାହାରିଛି। ଏଣିକି ଆମର ଆଉ ଦୁଃଖ ରହିବ ନାହିଁ’ ବୋଲି ପରସ୍ପର କଥାବାର୍ତ୍ତା ହେଉଛନ୍ତି। କିନ୍ତୁ ଦୁଃଖ ଯିବ କ’ଣ ଦୁଇ ତିନି ଦିନ ପରେ ସେହି ସାହି ବସ୍ତିଗୁଡ଼ିକ ପୁଣି ଖୋଳା ଯାଇ ଅବସ୍ଥାକୁ ଆହୁରି ଶୋଚନୀୟ କରି ଦିଆଯାଉଛି। ଏ ସବୁ ଦେଖିଲେ ମନେ ହୁଏ ହୁଏ’ତ କର୍ତ୍ତୃପକ୍ଷ ମୁଲ୍ଲା ନସିରୁଦ୍ଦିନ କହିବା ସଦୃଶ ଲୋକମାନଙ୍କର କେଉଁଟା ସୁଖ ଆଉ କେଉଁଟା ଦୁଃଖ ତାହା ଜାଣିପାରୁ ନାହାଁନ୍ତି।

ମୁଲ୍ଲା ନସିରୁଦ୍ଦିନ ଗୋଟିଏ ଗଧ ପାଳିଥିଲେ। ଛୋଟିଆ ଚାଳିଆ ଘର ଭିତରେ ଗଧଟି ବଡ଼ କଷ୍ଟମଷ୍ଟରେ ଚଳୁଥିଲା। ଦିନେ ମୁଲ୍ଲାଙ୍କ ସ୍ତ୍ରୀ ଗୋଟିଏ ଛେଳି ଆଣି ତା’ ଭିତରେ ରଖିଲେ। ମୁଲ୍ଲା ତାଙ୍କ ସ୍ତ୍ରୀଙ୍କୁ କହିଲେ ‘ଗୋଟିଏ ଗଧକୁ ଜାଗା ନାହିଁ; ଆଉ ତୁମେ ତା’ ଭିତରେ ଛେଳିଟିଏ ଆଣି ରଖିଛ। ଛେଳିଟିକୁ ତୁରନ୍ତ ଏଠୁ ବାହାର କରିଦିଅ।’ ମୁଲ୍ଲାଙ୍କ ସ୍ତ୍ରୀ ଶୁଣିଲେ ନାହିଁ। ରାତିରେ ମୁଲ୍ଲା ଭଗବାନଙ୍କୁ ପ୍ରାର୍ଥନା କରି କହିଲେ ‘ହେ ଭଗବାନ, ତୁମେ ଆଜି ରାତିରେ ମୋ ସ୍ତ୍ରୀର ଛେଳିଟିକୁ ମାରିଦିଅ।’ ତା’ ପର ଦିନ ସକାଳୁ ମୁଲ୍ଲା ଯାଇ ଦେଖିଲେ ଛେଳି ବଦଳରେ ତାଙ୍କ ଗଧଟି ମରିକି ପଡ଼ିଛି। ମୁଲ୍ଲା ପୁଣି ଭଗବାନଙ୍କୁ ପ୍ରାର୍ଥନା କରି କହିଲେ ‘ହେ ପ୍ରଭୁ, ମୋ କଥା ଶୁଣି ଆପଣ ତୁରନ୍ତ ପଦକ୍ଷେପ ନେଲେ ସତ, କିନ୍ତୁ ଦୁଃଖର କଥା ଆପଣ ଛେଳି କିଏ ଆଉ ଗଧ କିଏ ଜାଣିପାରିଲେ ନାହିଁ।’ ଖବର କାଗଜରେ ପ୍ରକାଶିତ ସବୁ ଖବରର ପ୍ରଭାବ ଯେ କର୍ତ୍ତୃପକ୍ଷଙ୍କ ଉପରେ ପଡ଼େ ନାହିଁ, ସେ କଥା ମଧ୍ୟ ନୁହେଁ। ଏବେ ଦିନେ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ପ୍ରକାଶ ପାଇଲା ଯେ ଜନୈକ ବ୍ୟକ୍ତିଙ୍କ ମଟନ ହୋଟେଲ ସରକାରୀ ରାସ୍ତା ଅବରୋଧ କରି ଦୀର୍ଘ କାଳ ହେଲା ଲୋକମାନଙ୍କୁ ନିମ୍ନ ଧରଣର ଖାଦ୍ୟ ଖୁଆଉଛି ଏବଂ ସେଠାରେ ଏତେ ଭିଡ଼ ହେଉଛି ଯେ ଏହା ଏହି ଅଞ୍ଚଳର ଟ୍ରାଫିକ ପରିଚାଳନାରେ ବାଧା ସୃଷ୍ଟି କରୁଛି। ଖବର ପ୍ରକାଶ ପାଇବାର ମାତ୍ର ଦିନକ ଭିତରେ ତିନି ତିନିଟା ବୁଲଡୋଜର ସହ ତିନି ତିନ ଜଣ ଉଚ୍ଚପଦସ୍ଥ କର୍ମଚାରୀ ଓ ଶହ ଶହ ପୁଲିସ କର୍ମୀମାନଙ୍କର ସାହାଯ୍ୟରେ ମଟନ ଦୋକାନଟିକୁ ଭାଙ୍ଗି ଚୂରମାର କରିଦିଆଗଲା।

କିନ୍ତୁ ଏହିପରି ପଦକ୍ଷେପ ବାକି ସବୁ ଖବର ଉପରେ ପଡୁନାହିଁ କାହିଁକି? ପ୍ରତ୍ୟହ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ବାହାରୁଛି- ସହରର ସ୍ୱାସ୍ଥ୍ୟ ସେବା ଭୁଶୁଡ଼ିଗଲାଣି, ରୋଗୀମାନେ ବାରଣ୍ଡାରେ ହନ୍ତସନ୍ତ, ଅଳିଆ ଡ୍ରମ ଦ୍ୱାରା ରାସ୍ତା ଅବରୁଦ୍ଧ, ରାସ୍ତା ଖୋଳି ଠିକାଦାର ଫେରାର, ବର୍ଷାରେ ବୁଡ଼ିଗଲାଣି ଅଧେ ସହର, ପଚା ଅଣ୍ଡା, ପୋକରା ଡାଲି, ମେଲା ଗାତ, ବୁଲା କୁକୁର, ଡେଙ୍ଗୁ ମଶା ଇତ୍ୟାଦି ଇତ୍ୟାଦି।’ କାହିଁକି ୟା’ ଉପରେ ତ ଏମିତି ତ୍ୱରିତ ପଦକ୍ଷେପ ନିଆଯାଉ ନାହିଁ! ଏହାର କାରଣ ହେଉଛି ଯେ ଏହି ସବୁ ଖବରମାନଙ୍କରେ ଦୋଷୀ ଆମ ତୁମ ଭଳି ଜଣେ ନୁହେଁ। ଏ ସବୁର ଦୋଷୀ ଯିଏ, ଦୋଷ ପାଇଁ ଦଣ୍ଡବିଧାନ କରିବ ସିଏ, ତେଣୁ ସବୁ ଚୁପ୍‌ଚାପ୍‌।

ଥରେ ଘର ଭିତରେ ଚାକର ଟୋକା ରାମୁର ଗୋଡ଼ ବାଜି କାଚ ଗ୍ଲାସଟିଏ ଭାଙ୍ଗିଗଲା। ତୁରନ୍ତ ଘରର ମାଲିକାଣୀ ଚିତ୍କାର କରି କହିଲେ ‘କିଏ ସେ ଭାଙ୍ଗିଲା?’ ଉତ୍ତର ଆସିଲା ‘ଆଜ୍ଞା ମୁଁ ରାମୁ, ଭୁଲ୍‌ରେ ମୋ ଗୋଡ଼ ବାଜି କାଚ ଗ୍ଲାସଟା ଭାଙ୍ଗିଗଲା।’ ମାଲିକାଣୀ ପୁଣି ଚିତ୍କାର କରି କହିଲେ ‘ଅନ୍ଧଟେ ପରି ତ ଚାଲୁଛୁ। ଭାଙ୍ଗିଯିବନି ତ ଆଉ କ’ଣ?’ ତା’ପରେ ଅଧଘଣ୍ଟାଏ ପର୍ଯ୍ୟନ୍ତ ରାମୁ ଉପରେ ଗାଳିବର୍ଷଣ ଚାଲିବ ଯେ ଚାଲିବ। କିନ୍ତୁ ଯଦି ଦୈବାତ କେଉଁଦିନ ମାଲିକାଣୀଙ୍କ ଗୋଡ଼ ବାଜି କ’ଣ ଗୋଟେ ଭାଙ୍ଗିଯାଏ ତେବେ କୌଣସି ପାଟିତୁଣ୍ଡ ଶୁଭିବ ନାହିଁ। ଯଦି ରାମୁ ଏହାକୁ ଦେଖିଦେଲା ତେବେ ପୁଣି ତା’ ଉପରେ ଚିତ୍କାର କରି କୁହାଯିବ ‘ମୂର୍ଖଙ୍କ ପରି ତ ବାଟରେ ଘାଟରେ ଯେଉଁଠି ନାହିଁ ସେଇଠି ଜିନିଷ ରଖି ଦେଉଛୁ, ଗୋଡ଼ ବାଜି ଭାଙ୍ଗିବନି ତ ଆଉ କ’ଣ ହେବ?’ ବନ୍ଧୁଗଣ, ଆମେ ଭାଙ୍ଗିଲେ ଆମ ଚାଲିବାର ଦୋଷ ଆଉ ତୁମେ ଭାଙ୍ଗିଲେ ଆମର ରଖିବାର ଦୋଷ। ଆମ ବେଳକୁ ଦଣ୍ଡ ଆଉ ତୁମ ବେଳକୁ ସବୁ ଚୁପ୍‌ଚାପ୍‌। ସତେ ଯେମିତି କିଛି ହୋଇନାହିଁ!
ମୋ: ୯୪୩୭୦୬୭୫୬୭