ମୁଁ ବାହା ହୋଇ ନ ଥିଲେ?

ଆମରି କଥା - ନାରାୟଣ ମିଶ୍ର

ମୁଁ ଯଦି ବାହା ହୋଇ ନ ଥା’ନ୍ତି, ତେବେ ମୁଁ ଯେ ଅଟଳ ବିହାରୀ ବାଜପେୟୀଙ୍କ ପରି ପ୍ରଧାନମନ୍ତ୍ରୀ, ଅବଦୁଲ କାଲାମ୍‌ଙ୍କ ପରି ବୈଜ୍ଞାନିକ ବା ରାଷ୍ଟ୍ରପତି ହୋଇଥା’ନ୍ତି, ଅଥବା ନବୀନ ପଟ୍ଟନାୟକଙ୍କ ପରି ମୁଖ୍ୟମନ୍ତ୍ରୀ ନିଶ୍ଚିତ ହୋଇଥା’ନ୍ତି, ତା’ନୁହେଁ। କିନ୍ତୁ ସା˚ସାରିକ ଆକର୍ଷଣ ନିଶ୍ଚିତ କମି ଯାଇଥା’ନ୍ତା ଏବ˚ ମୁଁ ମୋ ନିଜ ଇଚ୍ଛାରେ, ନିଜ ବିବେକ ଅନୁସାରେ, ନିଜ ନିଷ୍ପତ୍ତି ଅନୁସାରେ ଜୀବନଟାକୁ ବିତେଇ ଥା’ନ୍ତି। ଫଳସ୍ବରୂପ ମୁଁ ଯେ କୌଣସି ସିଦ୍ଧବାବା ବା ସନ୍ନ୍ୟାସୀ ନିଶ୍ଚିତ ହୋଇଥା’ନ୍ତି, ତା’ ବି ନୁହେଁ- ମଣିଷମରା ଡକାୟତ ହୋଇଥିଲେ ବି ରତ୍ନାକରରୁ ହୁଏତ ମୋ ନିଜ ଭାବନା ଓ ନିଷ୍ପତ୍ତି ବଳରେ ବାଲ୍ମୀକି ହୋଇ ଯାଇ ପାରିଥା’ନ୍ତି। ହଁ, ପାଠକେ କହି ପାରିବେ ଯେ ମୁଁ ବିଭା ହେବାରୁ ଏବ˚ ସ୍ତ୍ରୀ ପିଲା ସୁଖର ଭରପୂର ଆନନ୍ଦ ପାଇସାରିବା ପରେ ବୈରାଗ୍ୟଧର୍ମୀ ଭାଷଣ ଦେବା ଆରମ୍ଭ କରି ଦେଇଛି ଅର୍ଥାତ୍‌ ଗୁହାଳକ ମେଣ୍ଢା ଖାଇ ବୈଷ୍ଣବ ବୋଲାଇ! ପ୍ରକୃତରେ କଥାଟା ସେଇଆ ନୁହେଁ। ବର୍ତ୍ତମାନ ଯୁଗର ବୈବାହିକ ସମ୍ପର୍କ ଓ ତଦ୍‌ଜନିତ ଅଶେଷ, ସୀମାହୀନ ଦୁଃଖ ହିଁ ଏଭଳି ଅନୁତାପର ଏକମାତ୍ର କାରଣ ବୋଲି ଖାଲି ମୁଁ ନୁହେଁ, ଆପଣମାନଙ୍କ ଭିତରୁ ଅନେକ ମୋ ସହ ଏକମତ ହେବେ।

ଏଇ ଅଧମ ଲେଖକ ଆଗରୁ ଥରେ ଲେଖିଥିଲା ଏବ˚ ଏବେ ପ୍ରାସଙ୍ଗିକତା ଦୃଷ୍ଟିରୁ ଆଉଥରେ ବି ଲେଖିବାର ସାହସ କରୁଛି ଯେ କଲମ୍ବସ୍‌ ଆମେରିକା ଆବିଷ୍କାର କରିପାରିବାର ବୋଧହୁଏ ଏକମାତ୍ର କାରଣ ଥିଲା ଯେ ସେ ଅବିବାହିତ ଥିଲେ। ତାଙ୍କୁ ଘର ଛାଡ଼ିବାର କିଛି ସମୟ ପୂର୍ବରୁ କେହି ପଚାରିବାକୁ ନ ଥିଲେ- ‘‘କୁଆଡ଼େ ଯାଉଛ? କେତେବେଳେ ଫେରିବ? କାହା ସହିତ ଯାଉଛ? ମୁଁ ତମ ସାଙ୍ଗରେ ଯିବି ନା କାହାକୁ ସାଙ୍ଗରେ ନେବା କଥା ମୋ ଅଜାଣତରେ ସ୍ଥିର କରିସାରିଛ? ଘରେ ରହି କ’ଣ ଆବିଷ୍କାର ହୁଏନି? ଯଦି ନିଶ୍ଚିତ ଯିବ, ମୋ ପାଇଁ କ’ଣ ଆଣିବ? ପହଞ୍ଚି ଫୋନ୍‌ କରିବ। ମୁଁ ବୁଝିପାରୁନି ଯେ ଏ ଆବିଷ୍କାର ଇତ୍ୟାଦି ପାଇଁ ଭଗବାନ କେବଳ ତୁମ ମୁଣ୍ତରେ ଦୁର୍ବୁଦ୍ଧି ପୂରାଇଲେ କାହିଁକି? ଇତ୍ୟାଦି। ଏତେଗୁଡ଼ାଏ ପ୍ରଶ୍ନର ଉତ୍ତର ଦେବା ପରେ ଆବିଷ୍କାର ଚିନ୍ତା ତ ନିଶ୍ଚିତ ଦବିଯିବ, ମାନସିକ ଶାନ୍ତି ଏବ˚ ପାରିବାରିକ ଶାନ୍ତି ବି ଉଭୟ ପଳେଇ ଯିବାକୁ ବାଧୢ ହେବେ!

ଏସବୁ ଆଗରୁ ଏତେ ନ ଥିଲା- ଏବେ ଏ ସବୁ ପ୍ରଶ୍ନ ଆସୁଛି; କାରଣ ସ୍ତ୍ରୀ ଲୋକମାନେ ଶିକ୍ଷିତ, ଯୋଗ୍ୟ ଓ କାମିକା ହୋଇଗଲେ ଏବ˚ ରୋଜଗାରକ୍ଷମ ବି ହୋଇଗଲେ। ଏହା ଭଲ ଲକ୍ଷଣ। କାରଣ ଜଣେ (ପୁରୁଷ) ରୋଜଗାର କରି ଘରେ ଜମିଦାର ଭଳି ଆଧିପତ୍ୟ ବିସ୍ତାର କରିବ ଏବ˚ ଅନ୍ୟ ଜଣେ (ସ୍ତ୍ରୀ) ପ୍ରଜା ଭଳି ପାଟି ବନ୍ଦ କରି ପ୍ରତିବାଦ କରିବ ନାହିଁ- ଏହା ଠିକ୍‌ ନୁହେଁ। କିନ୍ତୁ ଆଜିକାଲି ଯେମିତି ହେଉଛି କେତେକ ଶିକ୍ଷିତା ବୋହୂ ଷଡ୍‌ଯନ୍ତ୍ର କରି ପୁଅକୁ ତା’ ବାପା-ମା’ ବା ତା’ ପରିବାରଠାରୁ ଦୂରେଇ ନେବା ବି ଠିକ ନୁହେଁ। କଥା କଥାକେ ୪୯୮ (କ) ଦଫାର ଦ୍ବାହି ଦେଇ ସମସ୍ତଙ୍କୁ ବାନ୍ଧି ଜେଲ୍‌ରେ ପୂରାଇବାର ଧମକ ଦେବା ବି ଠିକ ନୁହେଁ। ଅବିବାହିତ ରହିଲେ ଏ ସବୁ ଦେଖିବାକୁ ପଡ଼ିବ ନାହିଁ। ଅବଶ୍ୟ, ସମସ୍ତଙ୍କ କ୍ଷେତ୍ରରେ ଏଭଳି ହୁଏ ନାହିଁ। ବିଭା ହୋଇନଥିଲେ ନିଜର ପିଲାଛୁଆ ନ ଥା’ନ୍ତେ ଏବ˚ ସେଥିପାଇଁ ଏ ଇ˚ରେଜୀ ମିଡିୟମ ସ୍କୁଲ୍‌ରେ ନାଁ ଲେଖାଇବା ଲାଗି ଗଳଦ୍‌ଘର୍ମ ହେବା ବା ସେମାନେ ନାଁ ଲେଖାଇବା ପରେ ଆଗାମୀ ଅନ୍ତତଃ ପନ୍ଦର କୋଡ଼ିଏ ବର୍ଷ ଯାଏ ସେମାନଙ୍କ ରି-ଆଡ୍‌ମିସନ କରିବା, ସ୍କୁଲ୍‌ ପାସ୍‌ କଲା ପରେ କଲେଜରେ ଡୋନେସନ୍‌ ଦେବା ଏବ˚ ପ୍ରତି ବର୍ଷ ସେମାନଙ୍କ ଲାଗି ଜୋତା, ବ୍ୟାଗ୍‌, ବହି, କାଗଜ, କଲମ ଇତ୍ୟାଦି କିଣି ଯୋଗାଇ ନୟାନ୍ତ ହେବାକୁ ପଡୁ ନ ଥାନ୍ତା। ସେତକ ସମୟ ଓ ସମ୍ବଳର ସଦ୍‌ବ୍ୟବହାର କରି କୌଣସି ନା କୌଣସି ଦିଗରେ ଉତ୍କର୍ଷ ଅର୍ଜନ କରି ହୋଇଥା’ନ୍ତା।

ବାହା ହୋଇ ନ ଥିଲେ ପୁରୁଷଟି ସର୍ବାଧିକ ଅଯୋଗ୍ୟ ବୋଲି ଆକ୍ଷେପ ଶୁଣୁ ନ ଥାଆନ୍ତା କି ବାରମ୍ବାର ପ୍ରମାଣିତ ହେଉ ନଥା’ନ୍ତା। ବେଳାବେଳି ଅଫିସ୍‌କୁ ବାହାରିଲେ ବାଟରେ କିଏ ନିଶ୍ଚୟ ଅପେକ୍ଷା କରିଛି ବୋଲି ଆକ୍ଷେପ, ଡେରିରେ ଗଲେ ଚାକିରି ପ୍ରତି ନିଷ୍ଠା ନ ଥିବାର ଆକ୍ଷେପ ବା ଏତେ କମ୍‌ ରୋଜଗାରରେ ଚାକର ବାକର ନ ରଖିପାରିବାର ଅଯୋଗ୍ୟତା କଥା ଅବିବାହିତ ବ୍ୟକ୍ତିର କାନ ଆଦୌ ଶୁଣେନାହିଁ।

ପଡ଼ୋଶୀଘର ସ୍ତ୍ରୀଙ୍କ ସ୍ବାମୀ ଗାଡ଼ି ଘୋଡ଼ା କରି ସାରିଲେଣି, କାହା ସ୍ବାମୀ ତା’ ସ୍ତ୍ରୀ ପାଇଁ ପ୍ରତି ମାସରେ ସୁନା ଜିନିଷ କିଣି ଦେଉଛି ବା ଆଉ କାହା ସ୍ବାମୀ ପାଞ୍ଚଖଣ୍ତ ଜାଗା ରାଜଧାନୀରେ ପକାଇ ସାରିଲାଣି ବୋଲି ବାହା ହୋଇ ନ ଥିବା ଲୋକ ଶୁଣିବ କାହିଁକି? ସ୍ତ୍ରୀ ଯେ ପୂରା ଖରାପ ଓ ପୁରୁଷଟା ସୁନାମୁଣ୍ତା, ସେ କଥା ନୁହେଁ। କିନ୍ତୁ, ପୁରୁଷର ସମସ୍ତ କ୍ଷେତ୍ରରେ, ଏପରିକି ତା’ ଚିନ୍ତା ମଧୢରେ ମଧୢ ସ୍ତ୍ରୀର ଆଧିପତ୍ୟ ବିସ୍ତାର କଥାଟା ହିଁ ଏବେ ଅଧିକରୁ ଅଧିକ ହେଉଛି। ଏଭଳି କ୍ଷେତ୍ରରେ ବିବାହିତ ପୁରୁଷଟି କରିବ କ’ଣ? ତୁମେ ଠିକ୍‌, ତୁମର ସବୁ କିଛି ଠିକ ବୋଲି ଅନିଚ୍ଛା ସତ୍ତ୍ବେ କହି କହି କାଳ କାଟିବାକୁ ବାଧୢ ହେବ।

ଲିଭ୍‌-ଇନ୍‌-ରିଲେସନସିପ୍‌ ଆଇନ ଅନୁମୋଦିତ ହେବା ପରେ ଅନେକ ଯୁବକଯୁବତୀ ବିବାହ ଭଳି ଅନୁଷ୍ଠାନକୁ ଅଦରକାରୀ ବୋଲି ଭାବିଲେଣି। ତେଣୁ ଯୁଗ ଚେତନା ବଦଳୁଥିବା ଅନୁସାରେ ଏହା ବି ଦେଖିବାକୁ ମିଳିଲାଣି ଯେ ଅନେକ ଯୁବକଯୁବତୀ ବିବାହ ବନ୍ଧନରେ ବାନ୍ଧି ହେଲେ ବି ଏହାର ପବିତ୍ରତା ବା ଗରିମାକୁ ମହତ୍ତ୍ବ ଦେଉ ନାହାନ୍ତି। ତେଣୁ ସ˚ପତ୍ତି ବା ଟଙ୍କା ଲାଗି ବାହା ହୋଇ ପଡ଼ିବାର ଉଦାହରଣ ଏବେ ଅଧିକ ମିଳିଲାଣି। ତେଣୁ ଏଥିରେ ଶିକାର ହେଉଥିବା ଲୋକେ ଭାଗ୍ୟକୁ ତିରସ୍କାର କରି କହି ଚାଲିଛନ୍ତି- ହାୟ, ବାହା ହେଲି କାହିଁକି?

ଟିକିଏ ଚିନ୍ତା କଲେ ବୁଝା ପଡ଼ିଥାଏ ଯେ ସନ୍ତାନ ଉତ୍ପାଦନ ବା ବ˚ଶ ରକ୍ଷା ଲାଗି ଏକ ପବିତ୍ର ଅନୁଷ୍ଠାନ ଭାବେ ସ୍ବୀକୃତି ପାଇଥିବା ‘ବିବାହ’ ଯୌବନ କାଳରେ ସିନା ସ˚ପାଦିତ ହୋଇଥାଏ, ଏହା ସଫଳ ହୋଇ ପ୍ରକୃତ ଆନନ୍ଦ ଦେଇଥାଏ ପରିଣତ ବୟସରେ। ତେଣୁ ବିବାହକୁ ଆନନ୍ଦମୟ କରିବା ଲାଗି ଏହି ସ˚ପର୍କକୁ ଏକ ନୂଆ ପ୍ରକାରେ ଗଢ଼ାଯିବା ଉଚିତ। ସ୍ବାମୀ ଓ ସ୍ତ୍ରୀ ଉଭୟେ ପରସ୍ପରକୁ ଭଲ ପାଇବା ସହିତ ପରସ୍ପରକୁ ସମ୍ମାନ ଦେବା ଦରକାର। ଏପରିକି ସ୍ତ୍ରୀ ସ୍ବାମୀର ଦୁର୍ବଳତା ଓ ସ୍ବାମୀ, ସ୍ତ୍ରୀର ଦୁର୍ବଳତାକୁ ମଧୢ ସମ୍ମାନ ଦେବା ରୂପକ ତ୍ୟାଗ କରିବାକୁ ହେବ। ପରସ୍ପରକୁ ଭଲ ପାଇଲେ ଯୌବନଠାରୁ ବୃଦ୍ଧତ୍ବ ପର୍ଯ୍ୟନ୍ତ ଦା˚ପତ୍ୟ ଜୀବନ ଆନନ୍ଦମୟ ହେବ; ସେଥିପାଇଁ ନିଜ ଜ୍ଞାନ, ଗୁଣର ଅହଙ୍କାରକୁ ବଳି ଦେବାକୁ ହେବ। ଯଦି କେବଳ ନିଜର ଔଦ୍ଧତ୍ୟ, ଜ୍ଞାନଗରିମା, ବ˚ଶମର୍ଯ୍ୟାଦା ବଳରେ ଅନ୍ୟକୁ ମେଣ୍ଢା ଭଳି କରି ରଖିବାର ମନୋବୃତ୍ତି ରହିବ, ତେବେ ବିବାହ ଆଦୌ ସୁଖକର ହେବନାହିଁ। ସେମିତି କ୍ଷେତ୍ରରେ ବିବାହ ନ କରି ସବୁଦିନ ପାଇଁ ଏକୁଟିଆ ରହିଯିବା ସର୍ବାଦୌ ଶ୍ରେୟସ୍କର।

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର