ଅନୁନ୍ନତ ଅଞ୍ଚଳର ଏକ ଗାଁରେ ନିର୍ବାଚନ ପ୍ରଚାର ବେଳେ ଥରେ ଜଣେ ବିଶାଳ ବପୁଧାରୀ ପ୍ରାର୍ଥୀ କିଛି ଅସ୍ଥି କଙ୍କାଳସାର ଲୋକଙ୍କୁ ଦେଖି କହି ପକାଇଲେ, “ତୁମର ଏଇ ଚେହେରା ଦେଖି ଯେ କେହି ବି କହିଦେବ ଯେ ତୁମର ଏଠି ଦୁର୍ଭିକ୍ଷ ପଡ଼ିଛି।” ଅନାହାର ସତ୍ତ୍ୱେ ନିଜର ସ୍ୱଭାବଗତ ପ୍ରତ୍ୟୁତ୍ପନ୍ନମତିତା ହରାଇ ନଥିବା ଜଣେ ଗ୍ରାମବାସୀ ଉତ୍ତର ଦେଲା, “ଆଉ ତୁମର ଏଇ ଚେହେରା ଦେଖି ଯେ କେହି ବି କହି ପାରିବ ଯେ ସେ ଦୁର୍ଭିକ୍ଷର କାରଣ ତୁମେ।” ଜନତା ଜନାର୍ଦ୍ଦନ ପାଇଁ ଉଦ୍ଦିଷ୍ଟ ଖାଦ୍ୟକୁ ଉଦରଗତ କରି ନିଜର ବପୁବର୍ଦ୍ଧନ କରୁଥିବା ନେତାଙ୍କ ପ୍ରତି ଏହି କଟାକ୍ଷ ହୁଏତ ଜଣେ ଚଟୁଳ ବ୍ୟଙ୍ଗକାରର କଳ୍ପନା ପ୍ରସୂତ ଅତିରଞ୍ଜନ ଭଳି ଲାଗିପାରେ, ହେଲେ ଏହି ହସ କଥାଟି ରାଜନୀତି ଓ ‘ଖାଇବା’ ଭିତରେ ରହିଥିବା ଦୃଢ଼ ସମ୍ପର୍କକୁ ଇଙ୍ଗିତ କରିଦେଉଛି ମାତ୍ର। ଅବଶ୍ୟ ସେ ଖାଇବା ଆମର ଚିରପରିଚିତ ଖାଦ୍ୟ ସାମଗ୍ରୀ ହୋଇପାରେ କିମ୍ବା ହୋଇପାରେ ‘ଖଟୁଳି ଖାଇ ଦିଅଁଙ୍କୁ ଖାଇବା’ରେ ନିହିତ ଖାଇବା ପ୍ରସଙ୍ଗ।
ପ୍ରସଙ୍ଗ ଯାହା ବି ହେଉ, ରାଜନୀତି ଅଛି ମାନେ ଖାଇବା କଥାଟି ସାଙ୍ଗରେ ଅଛି। ନିକଟରେ ନିର୍ବାଚନ ବଜାରରେ ତ କଥାଟି ବଡ଼ ଧରଣର ହୈଚୈ ସୃଷ୍ଟି କରିସାରିଲାଣି। ବିହାରର ଆର୍.ଜେ.ଡି. ନେତା ତେଜସ୍ୱୀ ଯାଦବଙ୍କର ମାଛ ଖାଉଥିବାର ଏକ ଭିଡିଓ କ୍ଲିପ୍ ଉପରେ କଟାକ୍ଷ କରିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ମୋଦୀ, ଯାହାଙ୍କର ‘ନା ନିଜେ ଖାଇବି ନା ଆଉ କାହାକୁ ଖାଇବାକୁ ଦେବି’ ଉକ୍ତିଟି ଆଜି ବି ଅନେକଙ୍କ ମନରେ ଝଙ୍କୃତ ହେଉଥିବ। ତେଜସ୍ୱୀ କୁଆଡ଼େ ଯେଉଁଦିନ ଆମିଷ ଭକ୍ଷଣ କରିଥିଲେ, ତାହା ଥିଲା ପବିତ୍ର ନବରାତ୍ର ସମୟ; ତେଣୁ ସେ ହିନ୍ଦୁ ଧର୍ମ ପରିପ୍ରେକ୍ଷୀରେ ଏକ ଗର୍ହିତ କାର୍ଯ୍ୟ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଲେ। ହେଲେ, ତେଜସ୍ୱୀ ଏପରି ଆରୋପକୁ କେମିତି ବା ବିନା ପ୍ରତିବାଦରେ ସହି ଯାଆନ୍ତେ? ସେ ତ ପୁଣି ରାଜନୀତିକୁ ନୂଆ ରଙ୍ଗ ପ୍ରଦାନ କରିଥିବା ଲାଲୁ ଯାଦବଙ୍କ ଦାୟାଦ, ଯେଉଁ ପୁରୁଖା ରାଜନୀତିଜ୍ଞଙ୍କର ନାଁ ସବୁ ଦିନ ପାଇଁ ମଣିଷର ପ୍ରିୟ ଖାଦ୍ୟ ସିଙ୍ଗଡ଼ା (‘ଜବ୍‌ ତକ୍ ରହେଗା ସମୋସେ ମେଁ ଆଲୁ, ତବ୍‌ ତକ୍ ରହେଗା ବିହାର ମେଁ ଲାଲୁ’) ଓ ମାନବେତର ଗୋଖାଦ୍ୟ (‘ଚାରା ଘୋଟଲା’) ସହିତ ଯୋଡ଼ି ହୋଇଯାଇଛି। ଲାଲୁ ପୁତ୍ର ଯୁକ୍ତି ବାଢ଼ିଲେ ଯେ, ସେ ମାଛ ଖାଇଛନ୍ତି ସତ, ମାତ୍ର ତାହା ନବରାତ୍ର ଆରମ୍ଭ ହେବା ପୂର୍ବ ଦିନର କଥା, କେବଳ ଯାହା ଭିଡିଓଟି ପୋଷ୍ଟ କରାଯାଇଥିଲା ଗୋଟିଏ ଦିନ ବିଳମ୍ବରେ।
ଘଟଣାଟି ସେଇଠି ସରି ଥାଆନ୍ତା ଭଲା! ହେଲେ ଏମିତି ଏକ ମତ୍ସ୍ୟ-ବିଜଡ଼ିତ ସ୍ୱାଦିଷ୍ଠ ଓ ରୋଚକ ବିବାଦଟିକୁ କେମିତି ବା ହାତଛଡ଼ା କରନ୍ତେ ନିହାତି ମତ୍ସ୍ୟପ୍ରିୟ ପଡ଼ୋଶୀ ପଶ୍ଚିମ ବଙ୍ଗଳା ରାଜ୍ୟର ନେତାମାନେ? ମୋଦୀଙ୍କ ହୁଙ୍କାପିଟା ରାଜନୈତିକ ଶୈଳୀକୁ ଏହି ବିବାଦଟି ମାଧ୍ୟମରେ ବଦନାମ କରିବାର ସୁଯୋଗଟିଏ ହାତକୁ ଆସିଗଲା ବୋଲି ଭାବି ମୁଖ୍ୟମନ୍ତ୍ରୀ ମମତା ଦିଦି ଏ ବିଷୟରେ ତାଙ୍କର ହଟ୍ଟଗୋଳ ତୀବ୍ରତର କରିସାରିଲେଣି। ଦିଦି ଲୋକଙ୍କୁ ଏ କଥା ବୁଝାଉଛନ୍ତି ଯେ ମୋଦୀ ଓ ତାଙ୍କ ଦଳ ପୁଣି କ୍ଷମତାକୁ ଆସିଲେ ବଙ୍ଗାଳିମାନେ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପାଇଁ କ’ଣ ରୋଷେଇ କରିବେ, ତାହା ମଧ୍ୟ ସେ ନିର୍ଦ୍ଧାରଣ କରିବେ। ଦିଦିଙ୍କ ତୃଣମୂଳ କଂଗ୍ରେସ ରାଜ୍ୟରେ ଆରମ୍ଭ କରିଛି, “ବିଜେପି ହଟାଓ, ମାଛ-ଭାତ ଖାଓ” ଅଭିଯାନ। ତୃଣମୂଳ କଂଗ୍ରେସର ପାରମ୍ପରିକ ସ୍ଲୋଗାନ ‘ମା, ମାଟି ମାନୁଷ’ ସହିତ ଏବେ ‘ମାଛ-ଭାତ’ ଯୋଡ଼ି ହୋଇଗଲା ବୋଲି କହିଲେ କିଛି ଭୁଲ୍‌ ହେବ ନାହିଁ। ଦିଦିଙ୍କ ଦଳର ଅନ୍ୟ ନେତାମାନେ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ହୁଏତ ଜାଣି ନଥିବେ ଯେ ବଙ୍ଗଳା ପରିବାରରେ କିଛି ଧାର୍ମିକ ରୀତିନୀତି ମାଛ ଓ ମାଂସ ବିନା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏଣେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ଧାର୍ମିକ ରୀତିନୀତି ପାଳନରେ କେତେ ଯତ୍ନବାନ ଓ ନିର୍ଦ୍ଦିଷ୍ଟ, ଏ କଥାର ପ୍ରମାଣ ମିଳିସାରିଛି ତାଙ୍କର ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ସମୟରୁ; ଯେତେବେଳେ ନବରାତ୍ର ଥିବାରୁ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରଦତ୍ତ ବିଳାସପୂର୍ଣ୍ଣ ନୈଶ ଭୋଜି ଗୁଡ଼ିକରେ ସେ କେବଳ ପାଣି ପିଇ ପିଇ ନିଜର ଉପବାସ ବ୍ରତ ପାଳନ କରିଥିଲେ।
ଖାଦ୍ୟପେୟ ସମ୍ବନ୍ଧିତ ନିଜର ଭାବନାକୁ ମୋଦୀ ବଙ୍ଗାଳୀଙ୍କ ଉପରେ ଲଦି ଦେବାର ସମ୍ଭାବନା ଅବାନ୍ତର ଶୁଭୁଛି, ହେଲେ ଖାଦ୍ୟ ରାଜନୀତିରେ ଅସମ୍ଭବ ବା କ’ଣ? ପ୍ରାୟ ତିନି ଶହ ବର୍ଷ ତଳେ (୧୭୨୬) ଇଂ‌େରଜୀ ଭାଷାରେ ଲିଖିତ ‘ଗଲିଭର୍ସ ଟ୍ରାଭେଲ୍‌ସ’ ପୁସ୍ତକରେ ନାୟକ ଗଲିଭର୍ ଲିଲିପୁଟଙ୍କ ଦ୍ୱୀପରେ ଅବସ୍ଥାନ କାଳରେ ସେମାନଙ୍କ ମଧ୍ୟରେ ଥିବା ଏକ ଅଦ୍ଭୁତ ବିବାଦ ବିଷୟରେ ଅବଗତ ହୋଇଛି। ଅଣ୍ଡାକୁ ସିଝାଇଲା ପରେ ପ୍ରଥମେ ଅଣ୍ଡାର କମ୍‌ ଓସାରିଆ ପାର୍ଶ୍ୱଟି ଭଙ୍ଗାଯିବ ନା ଓସାରିଆ ପାର୍ଶ୍ୱଟି, ସେ ନେଇ ନାଗରିକମାନଙ୍କ ଭିତରେ ଅନେକ କାଳରୁ ତୀବ୍ର ବିବାଦ ରହିଆସିଛି। ଖାଦ୍ୟ ସମ୍ବନ୍ଧିତ ଏହି ବିବାଦର ଝଡ଼ ଯୋଗୁଁ ଦ୍ୱୀପଟିରେ ଛ’ ଥର ବିଦ୍ରୋହ ଘଟିବା ସଙ୍ଗେ ସଙ୍ଗେ ଜଣେ ସମ୍ରାଟ ତାଙ୍କର ଜୀବନ ହରାଇ ସାରିଛନ୍ତି ଓ ଆଉ ଜଣେ ତାଙ୍କର ମୁକୁଟ। ‘ଗଲିଭର୍ସ ଟ୍ରାଭେଲ୍‌ସ’ ଏକ କାଳ୍ପନିକ ସୃଷ୍ଟି ହେଲେ କ’ଣ ହେଲା, ଏହି ଅଣ୍ଡା ଭଙ୍ଗା ବିବାଦ ମାଧ୍ୟମରେ ଲେଖକ ଜନାଥନ୍‌ ସ୍ୱିଫ୍‌ଟ ତତ୍କାଳୀନ ଇଂଲାଣ୍ଡ୍‌ର ରାଜନୀତିକୁ ବ୍ୟଙ୍ଗ କରିଛନ୍ତି।
ଖାଦ୍ୟ ରାଜନୀତି ସବୁବେଳେ ଏମିତି ଅବାନ୍ତର ନୁହେଁ; ବେଳେ ବେଳେ ଏହା ଜୀବନ ରକ୍ଷାକାରୀ ମଧ୍ୟ ପ୍ରତିପାଦିତ ହୋଇଥାଏ। ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ କାରାଗାରରେ ବନ୍ଦୀ ଜୀବନ କାଟୁଥିବା ଶିବାଜୀ ସାଧୁ ସନ୍ଥଙ୍କ ଉଦ୍ଦେଶ୍ୟରେ ମିଠାଇ ପଠାଇବା ବାହାନାରେ ସେହି ମିଠାଇ ଟୋକେଇରେ ଆତ୍ମ ଗୋପନ କରି ନିଜର ଜୀବନ ରକ୍ଷା କରିଥିଲେ।
ପୁଣି ଓଡ଼ିଶା ରାଜନୀତିରେ ଟଙ୍କାକିଆ ଓ ଦୁଇଟଙ୍କିଆ ଚାଉଳ ତଥା ପାଞ୍ଚଟଙ୍କିଆ ‘ଆହାର’ ଭୋଜନର ଭୂମିକା ଅର୍ଥନୀତିଜ୍ଞ ଓ ରାଜନୀତି ବିଜ୍ଞାନୀମାନେ ହୁଏତ ନିର୍ଦ୍ଦିଷ୍ଟ ଭାବରେ ଆକଳନ କରିବେ, ହେଲେ ଯେ କୌଣସି ସାଧାରଣ ବ୍ୟକ୍ତି ଏ କଥା ଜୋର ଦେଇ କହିପାରିବ ଯେ ଏବର ସରକାରଙ୍କର ଦୀର୍ଘ ଜୀବନ ପଛରେ ଏହି ସୁଲଭ ଖାଦ୍ୟଗୁଡ଼ିକର ଅବଦାନ ନିଶ୍ଚୟ ପର୍ଯ୍ୟାପ୍ତ।
ମୋ: ୯୪୩୭୦୮୯୬୫୫