ମନୁଷ୍ୟ ଏକ ହୁସିଆର ପ୍ରାଣୀ, କିନ୍ତୁ ବିଜ୍ଞ କି? ବୁଦ୍ଧିମତ୍ତା ଜ୍ଞାନର ପରିଭାଷା ନୁହେଁ। ପରମାଣୁ ବୋମା ଓ ରକେଟ୍ର ଉଦ୍ଭାବନ ଆମ ମେଧା ଶକ୍ତିର ପ୍ରମାଣ ନିଶ୍ଚୟ କିନ୍ତୁ ଆମ ପ୍ରାଜ୍ଞତାର ନୁହେଁ। ଏ ଦୃଷ୍ଟିରୁ ଦେଖିଲେ ଗୋଟିଏ ବିଲେଇ ମନୁଷ୍ୟ ପରି ବିଜ୍ଞ ଓ ଜ୍ଞାନୀ ନ ହୋଇପାରେ, ମାତ୍ର ତା’ର ଜନ୍ମଗତ କିଛି ପ୍ରକୃତି ଆମ ପ୍ରାଜ୍ଞତାର ଅଭିବୃଦ୍ଧି ପାଇଁ ଅବଶ୍ୟ ଅନୁକରଣୀୟ। ଅସ୍ତିତ୍ବର ଅର୍ଥ କ’ଣ? ଆମେ କ’ଣ କେବଳ ମରିବା ପାଇଁ ଜନ୍ମ ହୋଇଛେ? ଉତ୍ତମ ଜୀବନର ସଂଜ୍ଞା କ’ଣ? ଏସବୁ ପ୍ରଶ୍ନର ଉତ୍ତର ଆମକୁ ବିଲେଇଠାରୁ ମିଳିପାରେ। ଦର୍ଶନ ଶାସ୍ତ୍ର ବିନା ଜୀବନକୁ ଯେପରି ବ୍ୟାଖ୍ୟା କରିହୁଏନି ବିଲେଇକୁ ନ ନେଇ ଦର୍ଶନ ଶାସ୍ତ୍ରର ବ୍ୟାଖ୍ୟାନ ସେପରି ଦୁରୂହ। ଯେମିତିକି, ଅଧ୍ୟାତ୍ମ୍ୟ ବିଜ୍ଞାନ ହେଉଛି ଉପସ୍ଥିତ ନଥିବା ଏକ କଳା ବିଲେଇକୁ ଅନ୍ଧାର ଘର ଭିତରେ ଖୋଜିବା ପରି। ଧର୍ମ ଶାସ୍ତ୍ର ହେଲା ଉପସ୍ଥିତ ନଥିବା ଏକ କଳା ବିଲେଇକୁ ଅନ୍ଧାର ଘରେ ଖୋଜି ପାଇଯିବାର ଦାବି କରିବା ପରି। ବିଜ୍ଞାନ ତ ଅନ୍ଧାର ଘରେ ଆଲୋକ ଧରି କଳା ବିଲେଇକୁ ଖୋଜିବା ସହିତ ସମାନ। ଆଉ ସମାଜ ବିଜ୍ଞାନ, ତାହା ହେଉଛି କଳା ବିଲେଇ ଲୁଚିଥିବା ସନ୍ଦେହରେ ଏକ ଅନ୍ଧାର ଘରକୁ ଯାଇ ପ୍ରମାଣ ସ୍ବରୂପ ଶରୀରରେ ଆଞ୍ଚୁଡ଼ା ଦାଗ କରି ଫେରି ଆସିବା ପରି।
ବିଲେଇର ଜୀବନଚର୍ଯ୍ୟାକୁ ଲକ୍ଷ୍ୟ କରନ୍ତୁ। କୁକୁର ପରି ଖାଇବା ଲୋଭରେ କାହାରି ଦାସତ୍ବ ସ୍ବୀକାର କରେନି। ଅଳ୍ପକେ ସନ୍ତୁଷ୍ଟ ହୋଇଯାଏ। ସତର୍କତାର ସହିତ ବନ୍ଧୁତା କରେ। ରାଜକୀୟ ସମ୍ମାନ ଦାବି କରେ। ଅବସର ମିଳିଲେ ବୃଥା କାମରେ ମନ ନଦେଇ ଶୋଇପଡ଼େ। ଲଢ଼େଇ କଲେ ମୃତ୍ୟୁକୁ ଶ୍ରେୟ ମଣେ। ନିଜ ଶରୀର ଓ ପରିବେଶ ପରିଷ୍କାର ରଖେ। ଇଚ୍ଛା ହେଲେ ଯାଇ ମନୁଷ୍ୟକୁ ଭଲପାଏ ଅଥଚ ପ୍ରତିବଦଳରେ ଭଲପାଇବା ଦାବି କରେନି, ବରଂ କୌଶଳରେ ଆଦାୟ କରିନିଏ। ବ୍ୟାୟାମ କରି ଖେଳକୁଦରେ ସମୟ ବିତାଏ। ସଦାସର୍ବଦା ସତର୍କ ଥାଏ। ଆବଶ୍ୟକ ନଥିଲେ ଅନ୍ୟକୁ ଏଡ଼ାଇଯାଏ ଓ ଦରକାର ସମୟରେ କୌଶଳରେ ଧ୍ୟାନ ଆକର୍ଷଣ କରାଏ। ବ୍ରିଟିଶ ଦାର୍ଶନିକ ଜନ୍ ଗ୍ରେ ଏକ ଚମତ୍କାର ପୁସ୍ତକ ଲେଖିଛନ୍ତି, ‘ଫିଲାଇନ୍ ଫିଲୋସଫି: କ୍ୟାଟସ୍ ଏଣ୍ଡ୍ ମିନିଂ ଅଫ୍ ଲାଇଫ୍’। ସେଥିରେ ସେ କହିଛନ୍ତି, “ବିଲେଇର ଆତ୍ମଚେତନା ମନୁଷ୍ୟ ପରି ନୁହେଁ। କାରଣ ସେ ଜୀବନର ଅର୍ଥ ଖୋଜି ସମୟ ନଷ୍ଟ କରେନି। ମନୁଷ୍ୟ ପରି ଦର୍ପଣ ସମ୍ମୁଖରେ ଛିଡ଼ା ହୋଇ ଆତ୍ମପରିଚୟ ଖୋଜେନି କି ନିଜକୁ ଚିହ୍ନେନି। ନିଜକୁ ଜାଣିପାରୁନଥିବା ହେତୁ ବିଲେଇର ସ୍ବକୀୟ ଅସ୍ତିତ୍ବ ବିଷୟରେ ଚିନ୍ତା କରିବାର ସ୍ବାଧୀନତା ଥାଏ। ତେଣୁ ଅସ୍ତିତ୍ବକୁ ସାମନା କରି ଜୀବନ ବ୍ୟୟ କରିଦିଏନି।” ମାନବୀୟ ଜୀବନ ଦର୍ଶନର ଏକ ପ୍ରମୁଖ ଦିଗ ହେଉଛି ଶାନ୍ତିର ସନ୍ଧାନ। କାରଣ ଆମେ ସତତ ଉତ୍ସୁକତା, ବ୍ୟଗ୍ରତା ଓ ବ୍ୟାକୁଳତାର ଜୀବନ ଜିଇଥାଉ। ବିଲେଇ ଓ ମନୁଷ୍ୟ ମଧ୍ୟରେ ଏହା ଏକ ବଡ଼ ତାରତମ୍ୟ। ଯେ ପର୍ଯ୍ୟନ୍ତ ବିଲେଇଟି ଭୋକ ଓ ସମ୍ଭୋଗର ଜ୍ବାଳା ନ ଭୋଗିଛି ଅଥବା ଭୟ ନ ପାଇଛି ସେ ସନ୍ତୋଷର ସହିତ ଶୋଇରହିଥାଏ। ତା’ ପରି ଦୈନନ୍ଦିନ ଜୀବନର ପ୍ରାକୃତିକ ନମନୀୟତା ହାସଲ କରିପାରିବା ମନୁଷ୍ୟ ପକ୍ଷରେ ଦୁରୂହ। ବିନା କିଛି ପ୍ରତ୍ୟାଶାରେ ବିଲେଇ ମନୁଷ୍ୟକୁ ଭଲପାଏ ଅଥଚ ମନୁଷ୍ୟର ଭଲପାଇବା ସ୍ବାର୍ଥ ଓ ଉଦ୍ଦେଶ୍ୟ ପ୍ରଣୋଦିତ। ବିଲେଇର ପ୍ରତିଟି ମୁହୂର୍ତ୍ତ ସ୍ବୟଂସମ୍ପୂର୍ଣ୍ଣ କିନ୍ତୁ ମନୁଷ୍ୟର ନୁହେଁ। କାମ ନଥିଲେ ବି ମନୁଷ୍ୟ ଚୁପ୍ ବସେନି। କାମ ନଥିବା ସ୍ଥିତିରେ ବିଲେଇ ନିଶ୍ଚିନ୍ତରେ ଶୋଇରହେ। ଜୀବନର ନଶ୍ବରତାକୁ ନେଇ ସଚେତନ ମନୁଷ୍ୟ ମୃତ୍ୟୁ ଭୟରେ ଅସ୍ଥିର ହେଲାବେଳେ ବିଲେଇର ମୃତ୍ୟୁ ପ୍ରତି ଭୟ ନଥାଏ। ବିଲେଇ ତା ଭାବାବେଗକୁ ମନୁଷ୍ୟ ପରି ଲୁଚାଇ ପାରେନି।
ବିଲେଇଠାରୁ ଆମର ଅନେକ କିଛି ଶିଖିବାର ଅଛି। ଯେମିତିକି, କାହାର ବ୍ୟବହାର ପସନ୍ଦ ନହେଲେ ସେ ସ୍ଥାନ ଛାଡ଼ି ଚାଲିଯାଅ। ଦୁଃଖ ମଧ୍ୟରୁ ଅର୍ଥ ଖୋଜି ଦୁଃଖର ମାତ୍ରା ବଢ଼ାଅନି। ସୁଖର ଅନୁସରଣ ନ କଲେ ତାହା ଆପେ ଆପେ ଧରାଦେବ। ଭଲ ଲାଗୁଥିବା କାମ କେବଳ କର। ‘ମୋ ପାଖରେ ସମୟ ନାହିଁ’, ଏପରି ବ୍ୟାଖ୍ୟାନ ବୋକାମି। ଖୁସି କରିବାକୁ ଚାହୁଁଥିବା ବ୍ୟକ୍ତି ପ୍ରତି ସାବଧାନ ରୁହ। ବିଲେଇର ଅନ୍ୟାନ୍ୟ ଅନୁକରଣୀୟ ଗୁଣ ସବୁ ହେଉଛି, ନିଜ କଥା ପ୍ରଥମେ ଦେଖ। ପରିସ୍ଥିତି ସହିତ ନିଜକୁ ଖାପଖୁଆଇ ନିଅ। ‘ନା’ କହିବା ଶିଖ। ଜିଜ୍ଞାସୁ ହୁଅ। ନିଜ ବାସସ୍ଥାନ ହିଁ ଆପଣଙ୍କର ରାଜଉଆସ। ପ୍ରତ୍ୟେକ କାର୍ଯ୍ୟରୁ ମନୋରଂଜନର ସନ୍ଧାନ କର। ସ୍ନେହୀ ହୁଅ, ମାତ୍ର ଚାଟୁକାର ନୁହେଁ। ମନୁଷ୍ୟ, ମନୁଷ୍ୟ ପରି ଓ ବିଲେଇ, ବିଲେଇ ପରି। ଆମେ ବିଲେଇର ଜୀବନ ଜିଇଁ ପାରିବାନି। କେବଳ ଉନ୍ନତ ଜୀବନ ଜିଇଁବାର ଶୈଳୀଟି ତା’ ଠାରୁ ଶିଖି ପାରିବା। ନିଜକୁ ଅନ୍ତତଃ ଆମେ ପଚାରି ପାରିବା ଯେ, ଆମେ ଆମ ପରି ହୋଇ ରହିଯାଇଛେ କ’ଣ ପାଇଁ ଏବଂ ବିଲେଇ ପରି ଟିକିଏ ଅଧିକ ସୁଖକର ଜୀବନ ଜିଇଁନେଲେ କ୍ଷତି କ’ଣ? କାରଣ ଜୀବନର ଅର୍ଥ ହେଉଛି “କିଛି ସ୍ପର୍ଶ, କିଛି ଗନ୍ଧ ଯାହା ଅକସ୍ମାତ ଆସିଥାଏ ଓ ଆମେ ଜାଣିବା ପୂର୍ବରୁ ଅପସରି ଯାଏ।” ବିଲେଇଠାରୁ ଜୀବନ ଦର୍ଶନ ଶିଖନ୍ତୁ, କିନ୍ତୁ ତାକୁ ମାନବୀୟ ଗୁଣ କିଛି ଶିଖାନ୍ତୁନାହିଁ।
ହେକ୍ଟର ହିୟୁ ମନରୋଙ୍କ (ଛଦ୍ମ ନାମ ‘ସାକି’) ‘ଟୋବରମରି’ ଗଳ୍ପ ପଢ଼ିଥିବେ। ଟୋବରମରି ନାମକ ସମସ୍ତଙ୍କର ପ୍ରିୟ ଏକ ପୋଷା ବିଲେଇକୁ ଜଣେ ପଶୁବିଜ୍ଞାନୀ କଥା କହିବା ଶିଖାଇ ଦେଇଛନ୍ତି। ପରିଣତି ହୋଇଛି, ଟୋବରମରି ସମସ୍ତଙ୍କର ବ୍ୟକ୍ତିଗତ ଗୋପନୀୟ କଥା ସବୁ ଦେଖି ଓ ଶୁଣି ପ୍ରଘଟ କରିବାରେ ଲାଗିଛି। କାରଣ, ସେ ମଣିଷର ଭାଷା ଶିଖିଛି ସିନା, ଛନ୍ଦ କପଟ ଶିଖିନାହିଁ। କାଳେ ଟୋବରମରି ଅନ୍ୟ ବିଲେଇ ମାନଙ୍କୁ କଥା କହିବା ଶିଖାଇଦେବ ଓ ପରିଣତିରେ ସମସ୍ତଙ୍କର ଗୋପନୀୟତା ବିପନ୍ନ ହେବ, ସେଇ ଡରରେ ସମସ୍ତେ ଏକତ୍ର ବିଚାରକରି ତାକୁ ମାରିଦେବାର ଯୋଜନା କରିଛନ୍ତି।
ଉତ୍ତମ ଜୀବନ ଜିଇଁବାର ପ୍ରଣାଳୀ ମନୁଷ୍ୟ ବିଲେଇଠାରୁ ଶିଖିପାରେ, ମାତ୍ର ମନୁଷ୍ୟ ଠାରୁ କିଛି ଶିଖିବା ବିଲେଇ ପାଇଁ ବିପଜ୍ଜନକ।
[email protected]