ମାନବଙ୍କ ଈଶ୍ୱରୀୟ ଲୀଳା

ଓଁ ଅଭିଜ୍ଞାନ ସାହୁ

ଦିନେ ଗଙ୍ଗା କହିଲେ, ‘ମୁଁ ସମସ୍ତଙ୍କ ପାପ ଧୋଉଛି। ମୋ ଜଳରେ ମଣିଷର ଶୋଷ ମେଣ୍ଟୁଛି। ଫସଲ ହଉଛି। ସମସ୍ତଙ୍କୁ ଖାଦ୍ୟ ମିଳୁଛି। ତେଣୁ ମୁଁ ବଡ଼। କେବଳ ମୋର ପୂଜା ହେବା ଦରକାର।’ ଶିବ କହିଲେ, ‘ତୁମେ କି ବଡ଼ ହୋ? ତୁମେ ତ ମୋ ଜଟା ଭିତରୁ ବାହାରିଛ, ତେଣୁ ମୁଁ ସବୁଠୁ ବଡ଼।’ ଏହା ଶୁଣି କୈଳାସ ପର୍ବତ କହିଲେ, ‘ତୁମେ କି ପ୍ରକାର ବଡ଼? ତୁମେ ତ ମୋ ଶରୀରର ଗୋଟିଏ ଛୋଟ ଗୁମ୍ଫା ଭିତରେ ରହୁଛ, ତେଣୁ ମୁଁ ତୁମ ସମସ୍ତଙ୍କଠୁ ବଡ଼।’ ହନୁମାନ କହିଲେ, ‘ମୁଁ ତ ପୂରା କୈଳାସ ପର୍ବତକୁ ମୋ ହାତ ପାପୁଲିରେ ଧରି ଲକ୍ଷେ ଯୋଜନ ଉଡ଼ି ପାରୁଛି। ତେଣୁ ମୁଁ ବଡ଼।’ ଏହା ଶୁଣି ପ୍ରଭୁ ରାମଚନ୍ଦ୍ର କହିଲେ, ‘ତୁମେ ତ ମୋ ପାଦ ତଳେ ବସୁଛ, ତେଣୁ ସବୁଠୁ ବଡ଼ ମୁଁ।’ ଶେଷରେ ମଣିଷ କହିଲା, ‘ତୁମ ସମସ୍ତଙ୍କ ଠାରୁ ବଡ଼ ହେଲୁ ଆମେ।’ କାରଣ ସବୁଠାରୁ ଯିଏ ବଡ଼ ସେହି ପ୍ରଭୁ ରାମଚନ୍ଦ୍ରଙ୍କୁ ଆମେ ଗଲା ପଚାଶ ବର୍ଷ ହେଲାଣି ରାମଜନ୍ମ ଭୂମି ବିବାଦରେ ଏମିତି ଫସେଇ ଦେଇଥିଲୁ ଯେ ସେ ସେଥିରୁ ମୁକୁଳି ପାରି ନ ଥିଲେ। ଅତଏବ ଦୁନିଆର ସବୁଠୁ ଶ୍ରେଷ୍ଠ ଓ ବଡ଼ ହେଲା ମନୁଷ୍ୟ। ସିଏ ଯେତେବେଳେ ଯେଉଁ ଭଗବାନଙ୍କୁ ଚାହିଁବ ବିବାଦରେ ଫସେଇ ଦେଇପାରିବ। ଇଛା ହେଲେ ଭଗବାନଙ୍କୁ ଭୋକରେ ରଖିପାରିବ (ସେବାୟତଙ୍କ ଗଣ୍ତଗୋଳ ଯୋଗୁଁ ମନ୍ଦିରରେ ଭୋଗ ନୀତି ବାରମ୍ବାର ବନ୍ଦ ହେଉଥିବା ଖବର ପଢ଼ୁଥିବେ)। ଇଚ୍ଛା କଲେ ଭଗବାନ ସପରିବାର ଘରେ ଥିଲା ଅବସ୍ଥାରେ ବି ତାଙ୍କ ଘର ଭାଙ୍ଗି ଖୋଲା ଆକାଶ ତଳେ ତାଙ୍କୁ ବସେଇଦେଇପାରିବ (ମନ୍ଦିର ଉଚ୍ଛେଦ ଘଟଣା ଶୁଣିଥିବେ)। ହଁ, ନିଜେ ମଣିଷ ବୋଲି ମୁଁ ମଣିଷକୁ ବଡ଼ ପ୍ରମାଣିତ କରିବାକୁ ଯାଇ ମଣିଷ ସପକ୍ଷରେ ଅଧିକ ଗୁଡ଼ାଏ ବକି ଗଲିଣି। ଭଗବାନ ବି ମଝିରେ ମଝିରେ ତାଙ୍କ ଉପସ୍ଥିତିକୁ ଜାହିର କରିବାକୁ ଯାଇ ଭୂମିକମ୍ପ, ମହାବାତ୍ୟା, ମହାମାରୀ ଭଳି ଅନେକ କାଣ୍ତ କାରଖାନା କରୁଛନ୍ତି। ନକରିବେ ବି କାହିଁକି? ଯେତେବେଳେ ନିଜର ସୃଷ୍ଟିକୁ ନିଜ ଅକ୍ତିଆରରୁ ଖସିଯାଉଥିବା ଦେଖୁଛନ୍ତି, କି˚ବା ଯେତେବେଳେ ଦେଖୁଛନ୍ତି ସୃଷ୍ଟି ଖୋଦ ସ୍ରଷ୍ଟାଙ୍କ ପ୍ରତି ବିପଦ ହେଲାଣି, ସେତେବେଳେ ତାକୁ ସାବାଡ଼ କରିବାକୁ ହେବ।

କିନ୍ତୁ ଏ ଲଢ଼େଇରେ ମଣିଷ ବି କୋଉ ଛାଡ଼ିବା ଜନ୍ତୁ! ଭୟଙ୍କର ସୁନାମି ହେଉ କି ଭୂମିକ˚ପ ହେଉ କି ବାତ୍ୟା; କିଛି ମାସ ମଧୢରେ ସ୍ଥିତିକୁ ‘ଯଥା ପୂର୍ବ˚, ତଥା ପର˚’ରେ ପରିଣତ କରିବା ସ୍ରଷ୍ଟାଙ୍କ ଶାସ୍ତି ପ୍ରତି ଏକ ତାଚ୍ଛଲ୍ୟ ନୁହେଁ କି? ଈଶ୍ବରଙ୍କ ମାନବୀୟ ଲୀଳା ଅପେକ୍ଷା ମାନବମାନଙ୍କ ଈଶ୍ବରୀୟ ଲୀଳା ସର୍ବଦା ଅଧିକ ଚମକପ୍ରଦ; ଏଥିରୁ ପ୍ରମାଣିତ ହେଉନାହିଁ କି?

ଏହା ଭିତରେ ଉଭୟ ପଟରୁ କିଛି ପଳାୟନପନ୍ଥୀ ନିଜେ ନିଜକୁ ଅନ୍ୟ ଗୋଷ୍ଠୀର ବୋଲି ପ୍ରମାଣିତ କରିବାକୁ ଚେଷ୍ଟାରେ ଲାଗିଛନ୍ତି। କିଛି ମଣିଷ ନିଜକୁ ଭଗବାନ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଥିବା ବେଳେ ଭଗବାନଙ୍କ କିଛି ଅବତାରମାନେ ନିଜକୁ ଭଗବାନଙ୍କ କୁଳରେ ଜନ୍ମ ହେଲେ ବି ତାଙ୍କର ସମସ୍ତ କାର୍ଯ୍ୟକ୍ରମ ମାନବୀୟ ଲୀଳା ବୋଲି ଦର୍ଶାଉଛନ୍ତି। କିନ୍ତୁ ଅଧିକା˚ଶ ସମୟରେ ସେମାନେ ବିଭିନ୍ନ ମାନବଗୋଷ୍ଠୀ ଦ୍ବାରା ଆକ୍ରମିତ ଓ ଲୋକହସା ହେଉଛନ୍ତି। ସେମାନଙ୍କ ଭିତରୁ କେତେକ ଏବେ ମାମୁ ଘରେ ଏକାନ୍ତ ବାସ କରୁଥିବା ବେଳେ, ସେହି ଅବତାର ବାବା ଓ ମା’ମାନଙ୍କ ଦୈବୀ ଲୀଳା ଓ ମାନବୀୟ ଲୀଳା ଭିତରେ ପାର୍ଥକ୍ୟ ବୁଝି ପାରୁ ନ ଥିବା କେତେକ କନ୍‌ଫ୍ୟୁଜ୍‌ଡ ଭକ୍ତ ପାଗଳଖାନାରେ ପଶିଲେଣି।

ସୃଷ୍ଟି ସ୍ରଷ୍ଟାର ପ୍ରଭୁତ୍ବ ମାନିବାକୁ ନାରାଜ। ସ୍ରଷ୍ଟା ବି ଆପଣା ମହତ ଆପେ ରଖିବା ନ୍ୟାୟରେ ମାନବକୁ ନିଜ ଗାତ ନିଜେ ଖୋଳିବାକୁ ଛାଡ଼ିଦେଉଛନ୍ତି।

ଅବଶ୍ୟ ଅନେକ ସମୟରେ ସବୁ କିଛି ଈଶ୍ବରଙ୍କ ଲୀଳା ବୋଲି ବିଚାର କରାଯାଉଛି। ଏବେ ଭାବନ୍ତୁ ରଥଯାତ୍ରାକୁ ସୁପ୍ରିମକୋର୍ଟ ପ୍ରଥମେ ‘ନା’ କରିବା ଓ ପରେ ପୁଣି ‘ହଁ’ ଭରିବା ମାନବୀୟ ଲୀଳା ନା ଈଶ୍ବରଙ୍କ ଲୀଳା?

ଏକ ଆସନ୍ନ ପ୍ରସବା ନାରୀଙ୍କ ଘରକୁ ଜଣେ ଜ୍ୟୋତିଷ ଆସିଥାନ୍ତି। ଦମ୍ପତିଙ୍କ କୋଷ୍ଠୀ ଗଣନା କରି ଜ୍ୟୋତିଷ ମହୋଦୟ କହିଲେ ତାଙ୍କର ଗୋଟେ ପୁତ୍ର ସନ୍ତାନ ଜାତ ହେବ। ଦମ୍ପତି ଖୁସିରେ ଜ୍ୟୋତିଷଙ୍କୁ ସୁସ୍ବାଦୁ ବ୍ୟଞ୍ଜନ ସହ ଦାନ ଦକ୍ଷିଣାରେ ସନ୍ତୁଷ୍ଟ କଲେ। ଜ୍ୟୋତିଷ ଯିବା ପୂର୍ବରୁ ଗୋଟେ କାଗଜରେ କିଛି ଲେଖି ଏକ ନାଲିକନାରେ ଗୁଡ଼େଇ ଚାଳରେ ଖୋସି ଦେଲେ ଓ କହିଲେ ଏହି ମନ୍ତୁରା କନାକୁ ଯେପରି କେହି ନଛୁଅନ୍ତି। କିଛି ମାସ ପରେ ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେଲା। ସେମାନେ ଜ୍ୟୋତିଷଙ୍କୁ ପଚାରିବାରୁ ଜ୍ୟୋତିଷ କହିଲେ ମୋ ଗଣନା ଠିକ ଥିଲା କିନ୍ତୁ ଆପଣଙ୍କ ମନ ଦୁଃଖ ନ କରିବା ପାଇଁ କାଗଜରେ ଝିଅ ହେବ ବୋଲି ଲେଖି ଚାଳରେ ଖୋସି ଦେଇଆସିଥିଲି। ଯଦି ବିଶ୍ବାସ ହେଉନି ତେବେ ନାଲିକନାରେ ଗୁଡ଼ା ହୋଇଥିବା କାଗଜ ଦେଖନ୍ତୁ।

ସୁପ୍ରିମକୋର୍ଟ ତାଙ୍କ ସମ୍ମୁଖକୁ ଆସିଥିବା ତଥ୍ୟ, ପ୍ରମାଣ ଆଧାରରେ ନିଷ୍ପତ୍ତି ନିଅନ୍ତି। ଏହାକୁ ମଣିଷର ଲୀଳା କି ଈଶ୍ବରଙ୍କ ଲୀଳା କହିବା କେତେଦୂର ଯୁକ୍ତିଯୁକ୍ତ ତାହା ବିଚାର ସାପେକ୍ଷ।

ଖାନନଗର, କଟକ
ମୋ: ୯୪୩୭୦୧୦୭୫୮
[email protected]

ସମ୍ବନ୍ଧିତ ଖବର