ନିକଟରେ ଲଦାଖରେ ଘଟିଯାଇଥିବା ସ˚ଘର୍ଷ ଏବ˚ ଅନ୍ୟୂନ କୋଡ଼ିଏ ଜଣ ଭାରତୀୟ ସୈନିକଙ୍କ ଦୁଃଖଦ ମୃତ୍ୟୁ ପରିପ୍ରେକ୍ଷୀରେ, ଆମ ସରକାରର ଚାଇନା ନୀତିର ତାଜା ଅବଲୋକନ ଆବଶ୍ୟକ। ଭାରତ-ଚାଇନା ସ˚ପର୍କର ସାମରିକ, ରଣନୈତିକ ଓ ଅର୍ଥନୈତିକ ଦିଗ ଉପରେ ଉକ୍ତ କ୍ଷେତ୍ରରେ ଦଖଲ ଥିବା ବିଜ୍ଞ ବ୍ୟକ୍ତିମାନେ କହିବେ। ମୁଁ କେବଳ ଏହାର ଐତିହାସିକ ଦିଗ ଉପରେ ଆଲୋଚନା କରିବି। ଚାଇନା ସହ ଆମ ଦେଶର ଦ୍ବିପାକ୍ଷିକ ସ˚ପର୍କ ପ୍ରସଙ୍ଗରେ, ଆମର ପ୍ରଥମ ଏବ˚ ଏବର ପ୍ରଧାନମନ୍ତ୍ରୀଙ୍କ କୌତୂହଳପୂର୍ଣ୍ଣ ନୀତିଗତ ସାମଞ୍ଜସ୍ୟ ପାଠକଙ୍କ ଦୃଷ୍ଟିକୁ ଆଣୁଛି।
ରାଜନୈତିକ ଆଦର୍ଶ ଦୃଷ୍ଟିକୋଣରୁ ବିଚାର କଲେ, ଜଵାହରଲାଲ ନେହରୁ ଏବ˚ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଆକାଶ-ପାତାଳ ଫରକ; ଏହା ସମସ୍ତେ ଭଲ ଭାବେ ଜାଣନ୍ତି। ମୋଦୀ, ନେହରୁଙ୍କ ହିନ୍ଦୁ ଓ ମୁସଲମାନ ସ˚ପ୍ରଦାୟ ମଧ୍ୟରେ ଉତ୍ତମ ସ˚ପର୍କ, ବୈଜ୍ଞାନିକ ଗବେଷଣା ଏବ˚ ବୈଷୟିକ ଜ୍ଞାନ-କୌଶଳ ପ୍ରତି ଅଙ୍ଗୀକାରବୋଧର ଧାର ଧାରନ୍ତି ନାହିଁ। ନିଜର ସମାଲୋଚକଙ୍କ ପ୍ରତି ମୋଦୀଙ୍କ ଆଭିମୁଖ୍ୟ ଅତ୍ୟନ୍ତ କର୍କଶ, ଯାହା ନେହରୁଙ୍କ ସ୍ବଭାବ ବିପରୀତ।
ଦୁହିଁଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ଥିଲେ ହେଁ ଗୋଟିଏ ସାମଞ୍ଜସ୍ୟ ସ୍ପଷ୍ଟ ପରିଲକ୍ଷିତ ହୁଏ ଏବ˚ ତାହା ହେଉଛି ଆମର ସବୁଠାରୁ ଶକ୍ତିଶାଳୀ ପଡ଼ୋଶୀ ପ୍ରତି ଦୃଷ୍ଟିଭଙ୍ଗୀ। କମ୍ୟୁନିଷ୍ଟ୍ ଚାଇନାର ତୁଙ୍ଗ ନେତୃବୃନ୍ଦଙ୍କ ସହ ବ୍ୟକ୍ତିଗତ ସ୍ତରର ବନ୍ଧୁତା ସ୍ଥାପନ ଦ୍ବାରା ଦୁଇ ଦେଶର ଲୋକଙ୍କ ମଧ୍ୟରେ ସୁ-ସ˚ପର୍କ ରକ୍ଷା କରାଯାଇପାରିବ ବୋଲି ଆମର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ପରି ଏବର ପ୍ରଧାନମନ୍ତ୍ରୀ ମଧ୍ୟ ବିଶ୍ବାସ କରୁଛନ୍ତି।
୧୯୫୪ରେ ଜଵାହରଲାଲ ନେହରୁ ଚାଇନା ଗସ୍ତ କରିଥିଲେ। ମାଓ ଏବ˚ ଚାଉଏନ୍ଲାଇଙ୍କ ସହ ଆଲୋଚନା କରିଥିଲେ। ପଡ଼ୋଶୀ ରାଷ୍ଟ୍ରମୁଖ୍ୟଙ୍କୁ ଆତିଥ୍ୟ ପ୍ରଦାନ ଅବସରରେ ବର୍ଣ୍ଣାଢ଼୍ୟ ଆୟୋଜନ ହୋଇଥିଲା। ନେହରୁଙ୍କୁ ସ୍ବାଗତ କରିବା ପାଇଁ ବେଜି˚ ରାଜ-ରାସ୍ତାରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ର କରାଯାଇଥିଲା। ନେହରୁ ଉତ୍ସାହିତ ହୋଇ ଜଣେ ବନ୍ଧୁଙ୍କୁ ଲେଖିଥିଲେ- ଚାଇନିଜ୍ମାନଙ୍କ ଆଡ଼ୁ ଏ ଭଳି ଭାବପ୍ରବଣ ସମ୍ବର୍ଦ୍ଧନା ପାଇ ମୁଁ ଅଭିଭୂତ ଓ ଚମତ୍କୃତ।
ଭାରତ ଫେରିବା ପରେ କୋଲକାତା ମଇଦାନରେ ନେହରୁ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ଚାଇନିଜ୍ମାନେ ଯୁଦ୍ଧ ଚାହୁଁ ନ ଥିବା ସେଠାରେ ସେ ଘୋଷଣା କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଚାଇନିଜ୍ମାନେ ସେମାନଙ୍କ ରାଷ୍ଟ୍ରର ଏକତ୍ରୀକରଣ ଏବ˚ ଦାରିଦ୍ର୍ୟ ଦୂରୀକରଣରେ ବ୍ୟସ୍ତ। ଚାଇନାରେ ତାଙ୍କୁ ମିଳିଥିବା ଭବ୍ୟ ସମ୍ବର୍ଦ୍ଧନାକୁ ସେ ଏହି ଭଳି ଭାଷାରେ ବର୍ଣ୍ଣନା କରିଥିଲେ- ‘ମୁଁ ଜଵାହରଲାଲ ନେହରୁ ବା ମୋର କିଛି ସ୍ବତନ୍ତ୍ର କ୍ଷମତା ଅଛି ବୋଲି ମୋତେ ସେମାନେ ସମ୍ବର୍ଦ୍ଧିତ କରି ନ ଥିଲେ। ମୁଁ ଭାରତର ପ୍ରଧାନମନ୍ତ୍ରୀ ବୋଲି ସେମାନେ ହୃଦୟର ସହ ମୋତେ ଶ୍ରଦ୍ଧା-ସମ୍ମାନ ଦେଇଥିଲେ। ସେମାନେ ଭାରତକୁ ଭଲପାଆନ୍ତି ଏବ˚ ଭାରତ ଓ ଭାରତୀୟଙ୍କ ସହ ସୁ-ସ˚ପର୍କ, ବନ୍ଧୁତା ରକ୍ଷା କରିବାକୁ ଚାହାଁନ୍ତି।’
ଆମର ଏବର ପ୍ରଧାନମନ୍ତ୍ରୀ ନା ସେହି ଭାଷଣ ଶୁଣିଥିବେ ନା କେଉଁଠି ପଢ଼ିଥିବେ! ତଥାପି ଏପ୍ରିଲ୍ ୨୦୧୮ରେ ଚାଇନା ଗସ୍ତ ଅବସରରେ, ସି ଜିନ୍ପିଙ୍ଗ୍ଙ୍କ ସହ ସାକ୍ଷାତ୍ ପରେ, ବୁହାନ୍ରେ ମୋଦୀଙ୍କ ବକ୍ତବ୍ୟରେ ନେହରୁଙ୍କ ଭାଷଣର ପ୍ରତିଧ୍ବନି ଶୁଣିବାକୁ ମିଳିଥିଲା। ଗଭୀର ଉଚ୍ଛ୍ବାସର ସହ ମୋଦୀ ନିଜ ଚାଇନିଜ୍ ପ୍ରତିସ୍ଥାନୀୟଙ୍କ ଉଦ୍ଦେଶ୍ୟରେ କହିଥିଲେ- ‘ଏହି ଅନୌପଚାରିକ ବୈଠକ ମାଧ୍ୟମରେ ବେଶ୍ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇପାରିଛି ଏବ˚ ଆପଣଙ୍କ ବ୍ୟକ୍ତିଗତ ଅବଦାନ ଯୋଗୁଁ ଏହା ସ˚ଭବ ହୋଇଛି। ଆପଣ ବେଜି˚ ବାହାରେ ମୋତେ ଦୁଇ ଦୁଇ ଥର ଆତିଥ୍ୟ ପ୍ରଦାନ କଲେଣି। ଏହା ଭାରତ ପ୍ରତି ଆପଣଙ୍କର ଶ୍ରଦ୍ଧା ଓ ସଦିଚ୍ଛାର ପରିଚୟ। ମୁଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କୁ ଆପଣ ନିଜର ରାଜଧାନୀ ବାହାରେ ଦୁଇ ଦୁଇ ଥର ସ୍ବାଗତ କରିଛନ୍ତି। ଏହା ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।’ ଦ୍ବିପାକ୍ଷିକ ସ˚ପର୍କ ଉପରେ ମୋଦୀ କାବ୍ୟିକ ଶ୍ରେଣୀୟ ଆଲୋଚନା କରିଥିଲେ। ଭାରତ ଓ ଚାଇନାର ସଭ୍ୟତା କିପରି ନଦୀ କୂଳରେ ଜନ୍ମ ନେଇଥିଲା ଏବ˚ ୧୬୦୦ ବର୍ଷ ହେଲା କିପରି ଏହି ଦୁଇ ଦେଶ ବିଶ୍ବ ଅର୍ଥନୀତିକ ବିକାଶର ଇ˚ଜିନ୍ ରୂପେ କାର୍ଯ୍ୟ କରିଆସିଲେଣି, ମୋଦୀ ତା’ ଉପରେ କହିଥିଲେ।
ବୁହାନ୍ ପୂର୍ବରୁ ସେପ୍ଟେମ୍ବର୍ ୨୦୧୪ରେ ଅହମଦାବାଦରେ ଦୁଇ ଦେଶ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠି ସାବରମତୀ ନଦୀ କୂଳରେ ସ୍ବତନ୍ତ୍ର ଭାବେ ସ୍ଥାପନ କରାଯାଇଥିବା ଏକ ଝୁଲାରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଝୁଲିଝୁଲି ମଧୁରାଳାପ କରିଥିଲେ। ପର ବର୍ଷ ମେ ମାସରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ପ୍ରଥମ ଥର ପାଇଁ ଚାଇନା ଗସ୍ତରେ ଯାଇଥିଲେ। ସେତେ ବେଳେ ସା˚ଘାଇରେ ମୋଦୀ, ସି ଜିନ୍ପିଙ୍ଗ୍ଙ୍କ ସହ ତାଙ୍କ ବନ୍ଧୁତାକୁ ଏହି ମର୍ମରେ ବଖାଣିଥିଲେ- ‘ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଏ ଭଳି ଅନ୍ତରଙ୍ଗ ଭାବେ ଆଲୋଚନା କରୁଛନ୍ତି, ଯାହା ‘ପ୍ଲସ୍ ଵାନ୍’ ଶ୍ରେଣୀରେ ଯିବ। ପାର˚ପରିକ ବିଶ୍ବ ସ୍ତରୀୟ ସ˚ପର୍କ ତୁଳନାରେ ଏହା ଅଧିକ ଉତ୍ତମ। ଏହି ‘ପ୍ଲସ୍ ଵାନ୍’ ସ˚ପର୍କକୁ ବୁଝିବା ଏବ˚ ପ୍ରଶ˚ସା କରିବା ପାଇଁ ଅନେକଙ୍କୁ ଅନେକ ସମୟ ଲାଗିଯିବ।’
ଅକ୍ଟୋବର୍ ୨୦୧୯ରେ ମହାବଳୀପୁରମରେ ମୋଦୀ ଓ ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଉ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ସ˚ପର୍କିତ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଗୁଡ଼ିଏ ଚିତ୍ର ଏକ ସରକାରୀ େଵବ୍ସାଇଟ୍ରେ ପ୍ରକାଶ ପାଇଥିଲା। ଚିତ୍ର ସହ ଏକ ଆଲେଖ୍ୟ ମଧ୍ୟ ସ୍ଥାନ ପାଇଥିଲା। ସେଥିରେ ଲେଖାଥିଲା- ସପ୍ତମ ଶତାବ୍ଦୀର ପ୍ରସ୍ତର ଖୋଦିତ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପୃଷ୍ଠଭୂମିରେ ଭାରତ ଏବ˚ ଚାଇନାର ରାଷ୍ଟ୍ରମୁଖ୍ୟ ନାରିକେଳ ଜଳ ପାନ କରୁଥିବା ବେଳେ ପରସ୍ପରର ଆଶା ଓ କାମନାକୁ ସମ୍ମାନ ଦେଇ, ଅଧିକ ବିଶ୍ବାସ ଓ ବୁଝାମଣାର ସହ ଦ୍ବିପାକ୍ଷିକ ସ˚ପର୍କକୁ ଏକ ନୂଆ ମୋଡ଼ ଦେବା ପାଇଁ ଭାବ ଆଦାନ-ପ୍ରଦାନ କରୁଛନ୍ତି। ଏହି ସାକ୍ଷାତ୍ ଓ ବୈଠକ ସ˚ପୂର୍ଣ୍ଣ ନିଆରା ଏବ˚ ଅଭିନବ ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏବ˚ ତାଙ୍କ ସମ୍ମାନୀୟ ଅତିଥି ଚାଇନିଜ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ ମହାବଳୀପୁରମସ୍ଥିତ ୟୁନେସ୍କୋର ବିଶ୍ବ ଐତିହ୍ୟ ସ୍ଥଳୀରେ ଭ୍ରମଣ କରିଥିଲେ ଏବ˚ ସୁଦୃଶ୍ୟ-ମନୋହର ବେଳାଭୂମି ମନ୍ଦିର ନିକଟରେ ଏକ ଭବ୍ୟ ଅନୌପଚାରିକ ରାତ୍ରିଭୋଜନର ଆନନ୍ଦ ନେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ନିଜର ବ୍ୟକ୍ତିଗତ େଵବ୍ସାଇଟ୍ରେ ମଧ୍ୟ ଏକ ଆଲେଖ୍ୟ ମହଜୁଦ ଅଛି। ଉକ୍ତ ବୈଠକ ଓ ସାକ୍ଷାତ୍ ଦୁଇ ଦେଶ ମଧ୍ୟରେ ସ˚ପର୍କକୁ ଏକ ନୂଆ ଦିଶା ଦେଇଥିବା ଏବ˚ ଏହାଦ୍ବାରା ଉଭୟ ଦେଶ ଏବ˚ ଅବଶିଷ୍ଟ ବିଶ୍ବ ଉପକୃତ ହେବେ ବୋଲି ସେଥିରେ ଉଲ୍ଲେଖିତ।
ନରେନ୍ଦ୍ର ମୋଦୀଙ୍କର ଏହି ଛଅ ବର୍ଷର ପ୍ରଧାନମନ୍ତ୍ରିତ୍ବ କାଳରେ ଜିନ୍ପିଙ୍ଗ୍ଙ୍କ ସହ ଅଠର ଥର ସାକ୍ଷାତ୍ ହୋଇଛି। ‘ବୁହାନ୍ ଆବେଗ’ ଏବ˚ ‘ଚେନ୍ନାଇ ସ˚ଯୋଗ’ର ଅଭିବ୍ୟକ୍ତି ପ୍ରକୃତରେ ନେହରୁଙ୍କ ‘ହିନ୍ଦୀ-ଚିନୀ ଭାଇ ଭାଇ’ର ନୂତନ ସ˚ସ୍କରଣ। ଯଦି ଭାରତର ପ୍ରଧାନମନ୍ତ୍ରୀ ଏବ˚ ଚାଇନିଜ୍ କମ୍ୟୁନିଷ୍ଟ୍ ପାର୍ଟିର ଅଧ୍ୟକ୍ଷ ବନ୍ଧୁ ହୋଇପାରିବେ, ସେମାନଙ୍କ ଦେଶର ନାଗରିକ ମଧ୍ୟ ହୋଇପାରିବେ। ତେବେ, ବାସ୍ତବତା ଭିନ୍ନ। ଚାଇନିଜ୍ମାନଙ୍କୁ ସରଳ ବିଶ୍ବାସର ସହ ଗ୍ରହଣ କରିବା ଏକ ଭ୍ରାନ୍ତି: ନେହରୁ ବହୁ ପୂର୍ବରୁ ଏହା ଆବିଷ୍କାର କରିଥିଲେ ଏବ˚ ମୋଦୀ ଏବେ ଆବିଷ୍କାର କରିଛନ୍ତି।
ସେପ୍ଟେମ୍ବର୍ ୧୯୫୯ରେ ଯେତେବେଳେ ସୀମାରେ ଚାଇନିଜ୍ ଓ ଭାରତୀୟ ସେନା ମଧ୍ୟରେ ସ˚ଘର୍ଷ ହେଲା, ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘର ପ୍ରମୁଖ ବିଚାରକ ଦୀନ ଦୟାଲ ଉପାଧ୍ୟାୟ, ନେହରୁଙ୍କ ବିଫଳ ଚାଇନା ନୀତି ସ˚ପର୍କରେ ଧାରାବାହିକ ଭାବେ ଗୁଡ଼ିଏ ନିବନ୍ଧ ଲେଖିଥିଲେ। ସେ ପରିହାସ କରି ଲେଖିଥିଲେ- ‘କେବଳ ସେ (ନେହରୁ) ହିଁ ଜାଣନ୍ତି, ଏକ ସ˚କଟ, କେତେ ବେଳେ ଏକ ସ˚କଟ ନୁହେଁ। ନିଆଁ ବିନା କେମିତି ଧୂଆଁ ବାହାରେ ଏବ˚ ଶବ୍ଦର ନାଏଗ୍ରା ଦ୍ବାରା କିପରି ନିଆଁ ଲିଭାଯାଇପାରେ ତାହା କେବଳ ତାଙ୍କୁ ହିଁ ଜଣା!’ ଏହି ଜନସ˚ଘ ନେତା ମତ ଦେଇଥିଲେ- ‘ଏହି ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆତ୍ମ-ତୃପ୍ତି ଦାୟୀ। ପରିସ୍ଥିତି ଗୁରୁତର ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟାନୁଷ୍ଠାନ ପାଇଁ ଅନିଚ୍ଛୁକ ଥିବା ଜଣାପଡ଼ୁଛି।’ ନେହରୁଙ୍କ ଚାଇନା ନୀତି କାହିଁକି ବିଫଳ ଉପାଧ୍ୟାୟ ପ୍ରଶ୍ନ କରିଥିଲେ- ‘ଏହା କ’ଣ ସ୍ପଷ୍ଟ ଅଜ୍ଞତା? ନା ଭୀରୁତା? ନା ସାମରିକ ଦୁର୍ବଳତା, ଆଦର୍ଶଗତ ଅସ୍ପଷ୍ଟତା ଓ ଜାତୀୟବାଦ ଦୁର୍ବଳତା ଜନିତ ଜାତୀୟ ନୀତି?’
ନରେନ୍ଦ୍ର ମୋଦୀ, ଦୀନ ଦୟାଲ ଉପାଧ୍ୟାୟଙ୍କର ଜଣେ ବଡ଼ ପ୍ରଶ˚ସକ, ଏହା ସମସ୍ତେ ଜାଣନ୍ତି। ଭାବିଲେ ବିସ୍ମିତ ହେବାକୁ ହୁଏ, ଯଦି ଉପାଧ୍ୟାୟ ଏବେ ଜୀବିତ ଥାଆନ୍ତେ, କ’ଣ ଭାରତର ଅଞ୍ଚଳ ମଧ୍ୟକୁ ଚାଇନିଜ୍ ଅନୁପ୍ରବେଶ ଏବ˚ ଭାରତୀୟ ସୈନିକଙ୍କ ମୃତ୍ୟୁ ପ୍ରସଙ୍ଗରେ ଲେଖିଥାଆନ୍ତେ? ସେ କ’ଣ ଏହାକୁ ପ୍ରଧାନମନ୍ତ୍ରୀଙ୍କ ଅଜ୍ଞତା ଭାବେ ବର୍ଣ୍ଣନା କରିଥାଆନ୍ତେ? ନା ଆତ୍ମ-ତୃପ୍ତି, ନା ଭୀରୁତା, ନା ସାମରିକ ଦୁର୍ବଳତା, ନା ଆଦର୍ଶଗତ ଅସ୍ପଷ୍ଟତା?
ଦେଶର ବୈଦେଶିକ ନୀତିକୁ ଜଵାହରଲାଲ ନେହରୁଙ୍କ ତୁଳନାରେ ନରେନ୍ଦ୍ର ମୋଦୀ ବହୁତ ଅଧିକ ବ୍ୟକ୍ତିଗତ କରିଦେଇଥିବା ସ୍ପଷ୍ଟ। ନେହରୁ, ଭାରତ ଓ ଚାଇନାର ଲୋକଙ୍କ ମଧ୍ୟରେ ବନ୍ଧୁତା କଥା କହିଥିଲେ। ତେବେ, ମାଓଙ୍କ ବାବଦରେ କେବେ ହେଲେ ଭାବପ୍ରବଣ ହୋଇ କିଛି କହି ନ ଥିଲେ। ଅପରପକ୍ଷେ ମୋଦୀ, ଜିନ୍ପିଙ୍ଗ୍ଙ୍କ ବାବଦରେ ରସଗର୍ଭକ ବକ୍ତବ୍ୟ ଦେଇଛନ୍ତି। ୨୦୧୮ରେ ବୁହାନ୍ରେ ମୋଦୀ ଭାବପ୍ରବଣ ହୋଇଉଠି ଜିନ୍ପିଙ୍ଗ୍ଙ୍କ ଅବିରତ ପ୍ରଶସ୍ତିଗାନ କରିଚାଲିଥିଲେ। ଅପରପକ୍ଷେ ଚାଇନିଜ୍ ରାଷ୍ଟ୍ରପତି ନିଜ ବକ୍ତବ୍ୟକୁ ଅତି ସୀମିତ ରଖିଥିଲେ- ‘ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ମୁଁ ବେଶ୍ ଆନନ୍ଦିତ। ବସନ୍ତ କାଳରେ ଜଣଙ୍କୁ ଭେଟିବା ଏକ ପ୍ରକୃଷ୍ଟ ସମୟ।’ ହଁ ପ୍ରକୃତରେ! ଚାଇନାରେ ବସନ୍ତ କାଳରେ ଜଣେ ଭାରତୀୟ ରାଜନେତାଙ୍କୁ ଭେଟିବା ନିଶ୍ଚିତ ଭାବେ ଏକ ଉପଯୁକ୍ତ ସମୟ ଏବ˚ ଗ୍ରୀଷ୍ମରେ ଭାରତର କିଛି ଅ˚ଶ ଦଖଲ କରିନେବା, ତାହାଠାରୁ ମଧ୍ୟ ଉପଯୁକ୍ତ ସମୟ।
୧୯୫୯ରେ ସୀମାରେ ହୋଇଥିବା ଉତ୍ତେଜନା ଓ ସ˚ଘର୍ଷ ତିନି ବର୍ଷ ପରେ ଏକ ସ˚ପୂର୍ଣ୍ଣ ଯୁଦ୍ଧର ରୂପ ନେଇଥିଲା। ଏବେ ସେହି ପରି ଘଟି ନ ପାରେ! ତେବେ, ଏହା ସାମାନ୍ୟ ଆଶ୍ବସ୍ତି ମାତ୍ର। ଆମର ଶକ୍ତିଶାଳୀ ଓ ଅପୂର୍ବାନୁମେୟ ପଡ଼ୋଶୀ ସହ ସୀମାରେ ଉତ୍ତେଜନା, ଆମ ସାଧାରଣତନ୍ତ୍ର ଇତିହାସର ଏକ ଅତି ଖରାପ ସମୟରେ ଆସିଛି। ଆମର ଅର୍ଥନୈତିକ ଅବସ୍ଥା ଖରାପ। ବେଶ୍ କିଛି ବର୍ଷ ହେଲା ଅଭିବୃଦ୍ଧି କ୍ରମାଗତ ଭାବେ ପତନମୁଖୀ। ମହାମାରୀ ଯୋଗୁଁ ଏହା ଶୀଘ୍ର ଠିକ୍ ହେବାର ସ˚ଭାବନା କମ୍। ନାଗରିକତ୍ବ ସ˚ଶୋଧନ ଆଇନ ଆମ ସମାଜକୁ ଭଙ୍ଗୁରଶୀଳ କରିଛି। ଦୁଇ ପଡ଼ୋଶୀ ବା˚ଲାଦେଶ ଓ ନେପାଳ ସହ ସ˚ପର୍କ ତିକ୍ତ। ଆଉ ଆମର ସବୁଠାରୁ ବଡ଼ ଶତ୍ରୁ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଉପଦ୍ରବ-ଉତ୍ପାତ ଜାରିରଖିଛି।
ଏସବୁ ସମସ୍ୟାର ପ୍ରତିହତ ପାଇଁ ଆମେ ପ୍ରଥମେ ଏଗୁଡ଼ିକୁ ବୁଝିବା ଆବଶ୍ୟକ। ତେବେ, ଏସବୁକୁ ବୁଝିବାର ସାମର୍ଥ୍ୟ ଆମର ଏବର ରାଜନୈତିକ ସ˚ସ୍କୃତି ପାଖରେ ନାହିଁ। ସରକାର ଓ ଶାସକ ଦଳ ଦୃଷ୍ଟିରେ ଆମ ପ୍ରଧାନମନ୍ତ୍ରୀ ନିଖୁଣ; ସେ କୌଣସି ଭୁଲ୍ କରି ନ ପାରନ୍ତି ବା ତାଙ୍କ ଦ୍ବାରା କୌଣସି ଭୁଲ୍ ହେବାର ସ˚ଭାବନା ନାହିଁ; ଏବ˚ ତାଙ୍କର ନୀତିଗୁଡ଼ିକ ସମାଲୋଚନା ଊର୍ଦ୍ଧ୍ବରେ। ଦୀନ ଦୟାଲ ଉପାଧ୍ୟାୟଙ୍କୁ ଦେଶ-ବିରୋଧୀ କହିବାର ଭାବନା ସୁଦ୍ଧା ନେହରୁଙ୍କ ମଧ୍ୟରେ କେବେ ହେଲେ ଆସି ନ ଥିବ। ଅପରପକ୍ଷେ ଯେଉଁ ପୂର୍ବତନ ଅଭିଜ୍ଞ ସେନାନାୟକମାନେ ଲଦାଖରେ ଚାଇନିଜ୍ ଅନୁପ୍ରବେଶ ବାବଦରେ କିଛି ସପ୍ତାହ ତଳେ ଚେତାବନୀ ଦେଇଥିଲେ, ସେମାନଙ୍କୁ ଦକ୍ଷିଣପନ୍ଥୀ ତଥା ପୋଷା ଗଣମାଧ୍ୟମର ଶରବ୍ୟ ହେବାକୁ ପଡ଼ୁଛି।
ଆମ ସୈନିକମାନଙ୍କର ଦୁଃଖଦ ମୃତ୍ୟୁ ପରିପ୍ରେକ୍ଷୀରେ ଆମକୁ ଆମ ଚାଇନା ନୀତିର ପୁନଃ ପର୍ଯ୍ୟାଲୋଚନା କରିବାକୁ ହେବ। ତେବେ, ଆମ ଦେଶ ଯେଉଁ ଅବସ୍ଥା ଭିତରେ ଏବେ ଗତି କରୁଛି, ତାହାକୁ ଦୃଷ୍ଟିରେ ରଖି ଆମକୁ କେବଳ ଗୋଟିଏ ରାଷ୍ଟ୍ର ସହ ସ˚ପର୍କ ନୁହେଁ, ଚାରି ଆଡ଼କୁ ଦେଖିବାକୁ ହେବ। ଆମର ବିତ୍ତୀୟ ନୀତି, ଆମର ସାମାଜିକ ନୀତି, ଆମର ବୈଦେଶିକ ନୀତି, ସବୁ ପ୍ରତି ଦୃଷ୍ଟି ଦେବାକୁ ହେବ। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ପ୍ରବୃତ୍ତି ଦ୍ବାରା ଆମେ ପରିଚାଳିତ ନ ହୋଇ, କଠୋର ବାସ୍ତବତାକୁ ଦେଖିବାକୁ ହେବ।