କୃଷି କ୍ଷେତ୍ରରେ ଚମକ ଆସି ପାରିବ

ପ୍ରବାସୀ ଶ୍ରମିକ ଚିନ୍ତା - ଦେବେନ୍ଦ୍ର ମାଝୀ

ସ˚ପ୍ରତି କରୋନା ମହାମାରୀ ସର୍ବତ୍ର ଆତଙ୍କ ଖେଳାଇ ଥିବା ବେଳେ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଭିଟାମାଟିକୁ ଫେରି ଆସୁଛନ୍ତି। ଏବେ ସେମାନଙ୍କ ଲାଗି ଜୀବିକାର ପଥ ଖୋଜିବାର ବେଳ ଆସିଯାଇଛି। ସରକାର ଏଥି ଲାଗି ଅନେକ ଚିନ୍ତା କରୁଛନ୍ତି। ବିଭିନ୍ନ ପଦସ୍ଥ ଅଫିସର ଓ ଅର୍ଥନୀତି ବିଶାରଦମାନେ ରାଜ୍ୟ ସରକାରଙ୍କୁ ଏ ବାବଦରେ ନିଶ୍ଚିତ ଭାବେ ସୁପରାମର୍ଶ ଦେଉଥବେ। ମାତ୍ର, ସତ କହିଲେ, ଗ୍ରାମାଞ୍ଚଳରେ ପହଞ୍ଚିଥିବା ପ୍ରବାସୀମାନଙ୍କ ପାଇଁ କର୍ମସ˚ସ୍ଥାନର ସହଜ ଓ ସୁଲଭ ବ୍ୟବସ୍ଥା କେବଳ କୃଷିକ୍ଷେତ୍ରରେ ହୋଇପାରିବ। ଆମ ରାଜ୍ୟର କୃଷିକ୍ଷେତ୍ର ପ୍ରାୟ ଦଶ ଲକ୍ଷ ଅତିରିକ୍ତ ଶ୍ରମବଳଙ୍କୁ ଅକ୍ଳେଶରେ କର୍ମସ˚ସ୍ଥାନ ଯୋଗାଇ ଦେଇପାରିବ।

ହୀରାକୁଦ ଜଳସେଚିତ ଅଞ୍ଚଳ କଥା ବିଚାରକୁ ନିଆଯାଉ। ଏ ଅଞ୍ଚଳର କୃଷିକ୍ଷେତ୍ର ଅର୍ଥାତ୍‌ ବରଗଡ଼, ସୋନପୁର ଓ ସମ୍ବଲପୁର ଆଦି ଜିଲ୍ଲାରେ କୃଷି ଶ୍ରମିକଙ୍କ ଘୋର ଅଭାବ ରହିଛି। ସେମିତି ଇନ୍ଦ୍ରାବତୀ ଅଞ୍ଚଳରେ ସମାନ ସ୍ଥିତି। କାରଣ ଏହି ସବୁ ଅଞ୍ଚଳରେ ବର୍ଷ ସାରା ଚାଷ କାମ ଚାଲିଥାଏ। ଏଠାରେ କୃଷି ଶ୍ରମିକଙ୍କ ଅଭାବ ପୂରଣ ଲାଗି ପ୍ରତି ବର୍ଷ ହଜାର ହଜାର ଶ୍ରମିକ ପଡ଼ୋଶୀ ଜିଲ୍ଲାମାନଙ୍କରୁ ଆସିଥା’ନ୍ତି। କାମ ସରିଲେ ସେମାନେ ଫେରି ଯାଆନ୍ତି। ଏହାର ଅର୍ଥ ଏହି ସେଚାଞ୍ଚଳରେ କୃଷି ଶ୍ରମିକଙ୍କ ଲାଗି ସୁଯୋଗ ରହିଛି। ଏବେ ଯେଭଳି ନିର୍ମାଣ ଶ୍ରମିକମାନେ ପଞ୍ଜିକୃତ ହେଉଛନ୍ତି ଓ ସେମାନଙ୍କ ଗଣତି ହେଉଛି, ସେହିଭଳି କୃଷି ଶ୍ରମିକଙ୍କ ପଞ୍ଜୀକରଣ କରାଯାଇ ସେମାନଙ୍କ ଗଣନା କରାଯିବା ଉଚିତ। ତାହା ସହିତ ନିର୍ମାଣ ଶ୍ରମିକଙ୍କ ଭଳି ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନା‌େର ସାମିଲ କରାଯିବା ଦରକାର। ତାହା ହେଲେ ସେମାନଙ୍କୁ କମ୍‌ ମଜୁରି ପ୍ରଦାନ କରି ଶୋଷଣ କରାଯିବାର ସମ୍ଭାବନା କମିବ ଏବ˚ କୃଷି ଶ୍ରମିକ କ୍ଷେତ୍ରରେ ମଧୢ ପେସାଦାରି ଆସିବ। ମନେ ରଖାଯିବା ଉଚିତ ଯେ ପ୍ରବାସୀମାନଙ୍କ କର୍ମସ˚ସ୍ଥାନ ପାଇଁ ‘ମନରେଗା’ ଯୋଜନା ଏକମାତ୍ର ବିକଳ୍ପ ନୁହେଁ କିମ୍ବା କାହା ଜମା ଖାତାରେ ପୁଳାଏ ଟଙ୍କା ପକାଇଦେଲେ ମଧୢ ତାହା ସ୍ଥାୟୀ ସମାଧାନର ବାଟ ତିଆରି କରିପାରିବ ନାହିଁ।

ତେଣୁ ବର୍ତ୍ତମାନ ସରକାର କୃଷି ଶ୍ରମିକମାନଙ୍କୁ ସ୍ବତନ୍ତ୍ର ରୂପେ ବର୍ଗୀକରଣ କରି ସେମାନଙ୍କ ନାମ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ କରନ୍ତୁ। ସେମାନେ ଯେତେବେଳେ କୃଷିକ୍ଷେତ୍ରରେ କାମ କରିବେ ସରକାରୀ ନିୟମାନୁସାରେ ଆଠ ଘଣ୍ଟା କାମ କରିବା ସହ ସରକାର ଧାର୍ଯ୍ୟ କରିଥିବା ଦରରେ ମାଲିକମାନଙ୍କ ଠାରୁ ମଜୁରି ଦାବି କରିପାରିବେ। ଏହା ଫଳରେ ରାଜ୍ୟର ଅଣ ସ˚ଗଠିତ କୃଷିକ୍ଷେତ୍ର ସ˚ଗଠିତ ହୋଇପାରିବ। ବିଭିନ୍ନ ଗାଁରେ ‘ପହ୍ଲା ରୁଆ’ (ତଳି ରୁଆ) ମହିଳା ଦଳ ଅଛନ୍ତି। ସେମାନେ ପ୍ରାୟ ୨୦ରୁ ୪୦ ଜଣିଆ ଦଳ ହୋଇ କୃଷିକ୍ଷେତ୍ରରେ ପ୍ରତି ବର୍ଷ କାମ କରନ୍ତି। ସରକାର ସେମାନଙ୍କୁ ନେଇ ଦଳ ଭାବେ ମଧୢ ପଞ୍ଜୀକରଣ କରି ପାରନ୍ତି। ଏକ ଦଳ ଭାବେ ସେମାନଙ୍କୁ ଦକ୍ଷ କରିବା ଲାଗି ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଦିଆଯାଇପାରେ। ଫଳରେ ସେମାନେ କେବଳ ତଳି ରୁଆ କାମରେ କାହିଁକି, ଅନ୍ୟାନ୍ୟ ଅଧିକ ବୈଷୟିକ ବୁଦ୍ଧି ଲୋଡ଼ା ପଡୁଥିବା କାମରେ ବି ନିୟୋଜିତ ହୋଇପାରନ୍ତି।

କହିବା ବାହୁଲ୍ୟ ଯେ କୃଷି ଶ୍ରମିକଙ୍କ ଅଭାବ ହେତୁ ଆଜି ଅନେକ ଚାଷୀ ଚାଷ ପ୍ରତି ବୀତସ୍ପୃହ ହୋଇ ପଡ଼ିଛନ୍ତି। ଏହାର କାରଣ ଭାବେ ଯାହା କୁହାଯାଉଛି ତାହା ହେଲା ସରକାରଙ୍କ ଦାରିଦ୍ର୍ୟ ବିମୋଚନ ଯୋଜନାରେ ଆଉ ଦରିଦ୍ରମାନଙ୍କ ଠାରେ ଖାଦ୍ୟାଭାବ ନ ରହିବାରୁ ସେମାନେ ଅଧିକ ଅର୍ଥ ଉପାର୍ଜନ ଲାଗି ନିକଟସ୍ଥ ସହରଗୁଡ଼ିକୁ ବା ପଡ଼ୋଶୀ ରାଜ୍ୟକୁ ଚାଲିଗଲେ। ଫଳରେ ଚାଷ କାମ କରିବାକୁ କେହି ରହିଲେ ନାହିଁ। କିନ୍ତୁ ପ୍ରକୃତ କଥା ହେଲା, ଯଦି କୃଷି ଶ୍ରମିକମାନଙ୍କ କ୍ଷେତ୍ରଟି ସ˚ଗଠିତ ହୋଇଥାଆନ୍ତା ଓ ଆଖପାଖ ଜମିରେ କୃଷିଭିତ୍ତିକ କର୍ମ କରି ଶ୍ରମିକମାନେ ଉଚିତ ମଜୁରି ପାଉଥାଆନ୍ତେ, ହୁଏତ ସେମାନଙ୍କ ଭିତରୁ ଅନେକ ଲୋକ ଗାଁ ଛାଡ଼ି ବାହାରକୁ ଯାଆନ୍ତେ ନାହିଁ। ପୁଣି ଆଜିକାଲି ଅନେକ କୃଷି ଯନ୍ତ୍ରପାତି ବାହାରିଲାଣି। ତାକୁ ଚଳାଇବା ଲାଗି ଏହି କୃଷି ଶ୍ରମିକମାନଙ୍କୁ ତାଲିମ ଦେଇ ଯୋଗ୍ୟ କରାଯାଇପାରନ୍ତା। ପୁଣି ଆମ ରାଜ୍ୟର ଜମିଗୁଡ଼ିକର ଆକାର ଓ ଆୟତନ ଯେମିତି, ଅନେକ ସ୍ଥଳରେ ଯନ୍ତ୍ରପାତି କାମ କରେ ନାହିଁ; କେ‌େତକ ଜମିରେ ପହ୍ଲା ରୁଆ ଯନ୍ତ୍ର ଏପରିକି ଧାନକଟା ଯନ୍ତ୍ର ଚାଲିବ ନାହିଁ ବା ସେଠାକୁ ଯାଇପାରେ ନାହିଁ। ତେଣୁ କୃଷି ଶ୍ରମିକମାନଙ୍କ ଆବଶ୍ୟକତା ସର୍ବଦା ରହିବ।

କହିବା ବାହୁଲ୍ୟ ଆଜିର ଦିନରେ ଚାଷୀର ମୁଖ୍ୟ ସମସ୍ୟା କୃଷି ଶ୍ରମିକ। ସାର, ବିହନ ବା ବିଭିନ୍ନ ଯନ୍ତ୍ରପାତି ସବୁ ଯୋଗାଡ଼ ହୋଇଯିବ, ହେଲେ କୃଷି ଶ୍ରମିକ ନାହାନ୍ତି। ଏହାର ଏକ ବଡ଼ କାରଣ ଅନେକ ଜମି ମାଲିକ କୃଷି ଶ୍ରମିକମାନଙ୍କୁ କମ୍‌ ମଜୁରି ଦେଇ ଅଧିକ କାମ କରାଇ ଶୋଷଣ କରିବାରେ ବ୍ୟସ୍ତ। ଚାଷୀ ବା ଜମି ମାଲିକମାନଙ୍କ କହିବାର କଥା ହେଲା ଯେ ଚାଷରୁ ଯେଉଁ ଆୟ ହେଉଛି, ସେଥିରେ କୃଷି ଶ୍ରମିକମାନଙ୍କୁ ସରକାରୀ ନିର୍ଦ୍ଧାରିତ ଦୈନିକ ମଜୁରି ଦେବା ଅସମ୍ଭବ। ଏହା ସହିତ ସାର, ବିହନ ଆଦିର ଦର ବହୁଗୁଣିତ ହେଲାଣି। ପୁଣି ଯେଉଁ ଯନ୍ତ୍ରପାତି ଚାଷ କାମରେ ଲାଗୁଛି ତାର ଭଡ଼ା ଦେବାକୁ ପଡ଼ୁଛି। କିନ୍ତୁ ଏହା ବି ସେମାନେ ସ୍ବୀକାର କରିବା ଦରକାର ଯେ ଯଦି ଲୋକେ ଟିକିଏ ଦୂରର ସହରରେ ମଜୁରି ଖଟି ଗାଁରେ ଯେଉଁ ଟଙ୍କା ପାଉଥିଲେ, ତାର ଦୁଇ ବା ତିନି ଗୁଣ ପାଇପାରିବେ, ତେବେ ସେମାନେ କୃଷି ଶ୍ରମିକ ଭାବେ କାମ କରିବେ କାହିଁକି? ଏଣୁ ଯାହା ବର୍ତ୍ତମାନର ସର୍ବାଧିକ ବଡ଼ ଆବଶ୍ୟକତା ତାହା ହେଲା ଏହି କ୍ଷେତ୍ରକୁ ସ˚ଗଠିତ କରିବା, ପେସାଦାର କରିବା। ତାହା ହେଲେ ଚାଷରେ ବି ଭଲ ରୋଜଗାର ହେବ ଏବ˚ ସେହି ଟଙ୍କା କୃଷି ଶ୍ରମିକମାନଙ୍କୁ ରୋଜଗାର ଦେବାରେ ଖର୍ଚ୍ଚ ହେବ।

ଏବେ ଗୋଟିଏ ଉଦାହରଣ ଦେଉଛି। ପ୍ରବାସୀମାନଙ୍କ ଭିତରେ ବିଭିନ୍ନ ବର୍ଗର ଶ୍ରମିକ ରହିଛନ୍ତି। କିଛି ଉଚ୍ଚ ଶିକ୍ଷିତ ଯୁବକ ମଧୢ ଅଛନ୍ତି ଯେଉଁମାନେ ବିଭିନ୍ନ କଳକାରଖାନାରେ କାମ କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ। ସେମାନେ ଏବେ ଫେରିଛନ୍ତି। ସେମାନଙ୍କୁ କୃଷି ଶ୍ରମିକ ରୂପେ ବ୍ୟବହାର କରାଯାଇପାରିବ ନାହିଁ। କିନ୍ତୁ କୃଷି କ୍ଷେତ୍ରରେ ସେମାନଙ୍କର ଉପଯୋଗିତା ରହିଛି। ଯେମିତି କି ଏଭଳି ପ୍ରବାସୀମାନଙ୍କୁ ଏକତ୍ର କରି ଗାଁରେ ଉତ୍ପାଦିତ ହେଉଥିବା ପନିପରିବାର ବିପଣନରେ ବ୍ୟବହାର କରାଯାଇପାରେ। ସରକାର ଚାହିଁଲେ ସେମାନଙ୍କର ଏକ ଦଳ ଗଠନ କରି ସ୍ଥାନୀୟ ବଜାରରେ ବିଭିନ୍ନ ଉତ୍ପାଦର ବିକ୍ରି ଲାଗି ସୁଯୋଗ ସୃଷ୍ଟି କରାଯାଇପାରେ। ଅନେକ ଦକ୍ଷ ଲୋକଙ୍କୁ ଟ୍ରାକ୍‌ଟର ବା ଅନ୍ୟାନ୍ୟ ଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣର ପ୍ରଶିକ୍ଷଣ ଦିଆଯାଇପାରେ। ମୂଳ କଥା ହେଲା, ଆମ ରାଜ୍ୟର ମାନବ ସମ୍ବଳକୁ ଆମ କୃଷିକ୍ଷେତ୍ରରେ ନିୟୋଜିତ କରିବା ସହିତ ସେମାନଙ୍କ ଆୟର ପଥ କେମିତି ସୁଗମ ହେବ, ତାର ବ୍ୟବସ୍ଥା କରାଯାଇପାରେ।

କୃଷିକ୍ଷେତ୍ର ଆମ ଦେଶ ବା ରାଜ୍ୟରେ ସର୍ବାଧିକ ଲୋକଙ୍କୁ ନିୟୋଜିତ କରିଥିବା ବେଳେ ଏହା ଏଭଳି ଅସ˚ଗଠିତ ଯେ ଏଥିରୁ ନା ଚାଷୀ ନା କୃଷି ଶ୍ରମିକ କେହି ହେଲେ ଲାଭବାନ ହୋଇପାରୁଛନ୍ତି! ଉତ୍ତମ ପରିଚାଳନା ସହିତ ଦୂରଦୃଷ୍ଟିସ˚ପନ୍ନ ପଦକ୍ଷେପ ଗ୍ରହଣ କରି ଏହି କ୍ଷେତ୍ରକୁ ସମୃଦ୍ଧ କରାଯାଇପାରେ। ଏବେ ଯେତେବେଳେ ଅନେକ ପ୍ରବାସୀ ଶ୍ରମିକ ପୁଣି ରାଜ୍ୟକୁ ଫେରି ଆସିଛନ୍ତି ଓ ବାହାର ରାଜ୍ୟରେ ଅନେକ ଦୁର୍ଦଶା ଭୋଗି ସାରିଛନ୍ତିି, ସେମାନଙ୍କୁ ପୁଣି ଥରେ ବାହାରକୁ ପଠାଇବା ଲାଗି ପରିବେଶ ସୃଷ୍ଟି କରା ନ ଯାଉ। ଏହା ମଧୢ ସତ ଯେ ବର୍ତ୍ତମାନ କରୋନା ପରିସ୍ଥିତି ଯାହା, ସେଥିରେ ସେମାନେ ବାହାର ରାଜ୍ୟରେ କେବେ ସେମାନଙ୍କ ପୁରୁଣା କର୍ମ ସ˚ସ୍ଥାନ ଫେରି ପାଇବେ ତାହା କହିବା କଷ୍ଟକର।

[email protected]

ସମ୍ବନ୍ଧିତ ଖବର