ଆପଣଙ୍କ ବାଲ୍ୟ ସ୍ମୃତି କେତେ ସଜଳ?

ମନ ପରିଭାଷା - ଫକୀର ମୋହନ ସାହୁ

ମନୁଷ୍ୟର ସ୍ମରଣ ସାମର୍ଥ୍ୟ ତାକୁ ଏକ ସ୍ବତନ୍ତ୍ର ଜୀବରେ ପରିଣତ କରିଥାଏ। ନିତିଦିନିଆ ଜୀବନର ଘଟଣା ସମ୍ପର୍କରେ ସ୍ମୃତି, ଜ୍ଞାନ ସମ୍ବଳିତ ସ୍ମୃତି ଏବ˚ କୌଣସି କାର୍ଯ୍ୟ କୌଶଳର ସ୍ମୃତି ଆଦିର ଭିତ୍ତିଭୂମି ଅଲଗା ଅଲଗା। ବିଭିନ୍ନ ଧରଣର ସ୍ମୃତି ମସ୍ତିଷ୍କର ଅଲଗା ଅଲଗା ସ୍ଥାନରେ ସ˚ଗଠିତ ହୁଏ। ସୁତରା˚, ସେଗୁଡ଼ିକର ସ˚ରକ୍ଷଣ ଓ ଅଭିବ୍ୟକ୍ତିରେ ଭିନ୍ନତା ଦେଖାଦିଏ। ନିତିଦିନିଆ ଜୀବନର ଘଟଣା ସମ୍ପର୍କିତ ସ୍ମୃତି ମଧୢରୁ ଏକ ବିଶେଷ ଧରଣର ସ୍ମରଣ ହେଉଛି ଆତ୍ମଜୀବନୀମୂଳକ ସ୍ମୃତି। ଆପଣଙ୍କ ନିଜ ଜୀବନର ଘଟଣାସବୁ ସ୍ମରଣ କଲା ବେଳେ ଏହା ଏକ ବିଶେଷ ଅନୁଭବ ପ୍ରଦାନ କରିଥାଏ। ମନୋବୈଜ୍ଞାନିକ ଗବେଷଣାରୁ ଦେଖାଯାଉଛି ଯେ ସାଧାରଣତଃ ଲୋକମାନେ ତିନି ଚାରି ବର୍ଷ ବୟସର ସ୍ମୃତିକୁ ମନେ ପକାଇ ପାରନ୍ତି। ଖୁବ୍‌ ଅଳ୍ପ ସ˚ଖ୍ୟକ ଲୋକ ଏହା ଠାରୁ କମ୍‌ ବୟସର ଘଟଣା କିଛି ମନେ ପକାଇ ପାରନ୍ତି। ଦୁଇ-ତିନି ବର୍ଷ ବୟସ ସୀମାର ପୂର୍ବବର୍ତ୍ତୀ ସ୍ମୃତି ଯେ ଆଦୌ ନ ଥାଏ, ଏମିତି ବି ନୁହେଁ। କେତେକ ମନୋବିଜ୍ଞାନୀ ପରୀକ୍ଷା କରି ଦେଖିଛନ୍ତି ଯେ ଛ’ସପ୍ତାହରୁ ଚାଳିଶ ସପ୍ତାହର ବୟସ ହୋଇଥିବା ଛୁଆମାନଙ୍କ ଠାରେ ମଧୢ କିଛି କାଳ ପର୍ଯ୍ୟନ୍ତ ମନେ ରଖିବା ଭଳି ସ୍ମୃତି ଶକ୍ତି ଥାଏ। ତେବେ ଛୁଆମାନଙ୍କର ଭାଷା ଜ୍ଞାନ ବିକଶିତ ହୋଇ ନ ଥିବାରୁ ସେମାନେ ସେମାନଙ୍କ ସ୍ମୃତିକୁ ଶବ୍ଦରେ ପ୍ରକାଶ କରିପାରନ୍ତି ନାହିଁ। କିନ୍ତୁ ସେମାନଙ୍କ ସ୍ମୃତିକୁ ଅଧିକ ଦିନ ସାଇତିବା ଲାଗି ମସ୍ତିଷ୍କର ଅନୁରୂପ ବିକାଶ ହୋଇ ନଥାଏ।

ଆତ୍ମଜୀବନୀ-ମୂଳକ ସ୍ମୃତିରୁ ଡାଏରି ଲେଖିବାର ଇଚ୍ଛା ଆରମ୍ଭ ହୋଇଥାଏ। ଏଭଳି ପ୍ରତ୍ୟହ ଡାଏରି ଲିଖନ ପରିଶେଷରେ ଏକ ଆତ୍ମଜୀବନୀକୁ ଜନ୍ମ ଦେଇପାରେ। ବିଶିଷ୍ଟ ଲେଖକ ଫ୍ରାନ୍‌ଜ କାଫକାଙ୍କ ଡାଏରି ସେହି ପର୍ଯ୍ୟାୟଭୁକ୍ତ। ପ୍ରସିଦ୍ଧ ଆନା ଫ୍ରାଙ୍କ୍‌ଙ୍କ ଡାଏରିରୁ ନାଜିମାନଙ୍କ ଅତ୍ୟାଚାର ଦ୍ବାରା ନିପୀଡ଼ିତ ତାଙ୍କ ପରିବାରର କାହାଣୀ ଆଜି ବିଶ୍ବ ବିଶ୍ରୁତ।

ସ୍ମୃତି ଚାରଣ କରିବା ସମୟରେ ଲୋକମାନେ ସାଧାରଣତଃ ନିକଟ ଅତୀତର ଘଟଣା ସବୁର ଉଲ୍ଲେଖ କରନ୍ତିି। ତଥାପି ଜୀବନର କେତେକ ସନ୍ଧିକ୍ଷଣର କଥା ଦୂର ଅତୀତରେ ଘଟିଥିଲେ ବି ଅଧିକ ପ୍ରକାଶିତ ହୁଏ। ପରିଣତ ବୟସରେ ବିଶେଷ କରି ପ୍ରାକ୍‌-ଯୌବନର କଥା ଅଧିକ ମନେପଡ଼େ। ସେମିତି କି କଲେଜ ଜୀବନର ସ୍ମୃତି, ଚାକିରି ଆରମ୍ଭର ସୁଖଦ ଅନୁଭବ, ବିବାହର ବିଶେଷ ଅନୁଭୂତି ଓ ପେସାଗତ ପରିକଳ୍ପନାର କଥା ସବୁ ପରିଣତ ବୟସର ସ୍ମୃତି ଚାରଣରେ ପ୍ରାଧାନ୍ୟ ଲାଭ କରେ। ବ୍ୟକ୍ତିଗତ ଜୀବନରେ ଏପରି ସବୁ ଘଟଣାର ଗୁରୁତ୍ବ ଅଧିକ ଥାଏ ବୋଲି ଏଗୁଡ଼ିକର ସ୍ମରଣ ସହଜ ଓ ସ୍ବାଭାବିକ ହୋଇଥାଏ, ଯାହା ହୁଏତ ସେହି ଘଟଣା ସବୁ ଘଟୁଥିବା ବେଳେ ସେଭଳି ଲାଗୁ ଥାଇ ନ ପାରେ।

ଆତ୍ମଜୀବନୀମୂଳକ ସ୍ମୃତି ସାମଗ୍ରୀ ମଧ୍ୟରେ ଅନ୍ୟତମ ଆକର୍ଷଣୀୟ ଦିଗ ହେଉଛି ‘ଫ୍ଲାସ୍‌ ବଲ୍‌ବ’ ସ୍ମୃତି। ହୁଏ’ତ ଅତୀତରେ ଘଟିଥିବା ଘଟଣାଟି ଅତି ସାମାନ୍ୟ କିମ୍ବା ମାମୁଲି ହୋଇ ଥାଇପାରେ। କିନ୍ତୁ କୌଣସି ଏକ ବିଶିଷ୍ଟ କ୍ଷଣରେ ତାହା ଘଟିଥିଲେ ମନ ଭିତରେ ସର୍ବଦା ଜଳି ରହିଥାଏ। ଉଦାହରଣ ସ୍ବରୂପ ହୁଏତ ଗତକାଲି ଆମେ କ’ଣ ଖାଇଥିଲୁ କିଂବା କେଉଁ ବନ୍ଧୁଙ୍କ ସହିତ କେଉଁ ବିଷୟରେ କଥାବାର୍ତ୍ତା କରିଥିଲୁ, ତାହାର ସଠିକ ସ୍ମୃତି ଆମ ମନରେ ନ ଥାଇପାରେ। ମାତ୍ର ଓଡ଼ିଶା ମହାବାତ୍ୟା ଦିନ ଆମେ କ’ଣ ଜଳଖିଆ ଖାଇଥିଲେ ତାହା ‘ଫ୍ଲାସ୍‌ ବଲ୍‌ବ’ ସ୍ମୃତିରେ ପରିଣତ ହୋଇ ଅମ୍ଳାନ ହୋଇ ରହିଯାଇଛି। ସେମିତି ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଖବର ପାଇଥିବା ଲୋକ ଏ ପର୍ଯ୍ୟନ୍ତ ମନେ ରଖିଛନ୍ତି ଯେ ସେମାନେ ସେହି କ୍ଷଣରେ କ’ଣ କରୁଥିଲେ! ସେମାନେ ଶେଷ ପର୍ଯ୍ୟନ୍ତ ଏହା ମନେ ରଖିବେ। ମୋଟ ଉପରେ ସାମାନ୍ୟ ଘଟଣାଟି ଅସାମାନ୍ୟ ଘଟଣା ସହିତ ସ˚ଶ୍ଳିଷ୍ଟ ହେଲେ ତାହାର ସ୍ମୃତି ସାରା ଜୀବନ ସଜଳ ରହିପାରେ।

ପରିଶେଷରେ କୁହାଯାଇପାରେ ଯେ ଆତ୍ମଜୀବନୀ ହେଉଛି ଜଣେ ବ୍ୟକ୍ତିଙ୍କ ଜୀବନ ସମ୍ପର୍କିତ ସ୍ମୃତିର ଏକ ବିଶେଷ ପରିପ୍ରକାଶ। କିନ୍ତୁ ଏଥିରେ ବାସ୍ତବତାର ପ୍ରତିଫଳନ କେତେ ତାହା ନିଧାର୍ଯ୍ୟ ଭାବରେ କୁହାଯାଇ ପାରିବ ନାହିଁ। ପ୍ରତିଟି ଆତ୍ମଜୀବନୀର ପୃଥକ୍‌ ପୃଥକ୍‌ ଭାବେ ବିଶ୍ଳେଷଣ କରାଗଲେ ତାହା ହୁଏତ ନିର୍ଣ୍ଣିତ ହୋଇପାରେ।

ଜାଭିୟର୍ ବିଶ୍ବବିଦ୍ୟାଳୟ
ଭୁବନେଶ୍ବର-୧୩

ସମ୍ବନ୍ଧିତ ଖବର