୨୦୦୨-୦୩ ମସିହାରେ ଚୀନ୍ରେ ‘ସର୍ସ୍’ ଭୂତାଣୁର ସଂକ୍ରମଣରେ ପ୍ରାୟ ୫୦ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ତାର ପ୍ରାୟ ଅଠର ବର୍ଷ ପରେ ଏବେ ‘କରୋନା’ ଭୂତାଣୁର ସଂକ୍ରମଣ ପୁଣି ଚୀନ୍ରେ ଏକ ପ୍ରକାର ସ୍ବାସ୍ଥ୍ୟଗତ ଜରୁରୀ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ସଦ୍ୟତମ ଖବରରୁ ପ୍ରକାଶ ଯେ ଏହି ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ଚୀନ ସରକାର ପ୍ରାୟ ୧୩ଟି ସହରର ୪୧ ନିୟୁତ ଲୋକଙ୍କୁ ‘କ୍ବାରାନ୍ଟାଇନ୍’ ବା ଆବଦ୍ଧ କରି ରଖିବାକୁ ବାଧ୍ୟ ହୋଇଛନ୍ତି। କାରଣ ଏହାକୁ ନିୟନ୍ତ୍ରଣ କରା ନ ଗଲେ ମଣିଷ ଠାରୁ ମଣିଷକୁ ବ୍ୟାପୁଥିବା ଏହି ଘାତକ ଶ୍ବାସପ୍ରଶ୍ବାସଜନିତ ସଂକ୍ରମଣ ଖୁବ୍ ଶୀଘ୍ର ଏକ ବିରାଟ ମହାମାରୀରେ ପରିଣତ ହୋଇପାରେ। ତେବେ, ଏବେ ସୁଦ୍ଧା ଏହି ରୋଗରେ ୨୬ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଏହା ମଧ୍ୟ ଜଣାପଡ଼ିଲାଣି ଯେ ଏହି ଭୂତାଣୁ ସିଙ୍ଗାପୁର ଓ ଭିଏତ୍ନାମରେ ପହଞ୍ଚି ସାରିଛି।
ଏହି ପରିପ୍ରେକ୍ଷୀରେ ଯାହା ଉଲ୍ଲେଖଯୋଗ୍ୟ ତାହା ହେଲା ଜଗତ୍କରଣର ଏ ସମୟରେ ଏକ ସଂକ୍ରମଣର ପ୍ରଭାବ ଖୁବ୍ ଶୀଘ୍ର ବିଶ୍ବ ବ୍ୟାପୀ ହୋଇପାରେ। ଏହାର ଏକ ଅତି ଭୟାବହ ରୂପ ଦେଖିବାକୁ ମିଳିଥିଲା ୨୦୦୯ ମସିହାରେ ଯେଉଁ ସମୟରେ ସ୍ବାଇନ୍ ଫ୍ଲୁ ସାରା ବିଶ୍ବରେ ବ୍ୟାପି ଯାଇ ଅନେକ ଲୋକଙ୍କ ପ୍ରାଣ ନେଇଥିଲା। ଏବେ ବି ସ୍ବାଇନ୍ ଫ୍ଲୁର ଭୂତାଣୁ ସ୍ଥାନେ ସ୍ଥାନେ ମୁଣ୍ଡ ଟେକିଥାଏ।
ସ୍ବାଇନ୍ ଫ୍ଲୁର ଆରମ୍ଭ ହୋଇଥିଲା ଯୁକ୍ତରାଷ୍ଟ୍ର ଆମେରିକାରୁ। ତେଣୁ ଏହା ଖୁବ୍ ଶୀଘ୍ର ଅନ୍ୟତ୍ର ବ୍ୟାପି ଯାଇଥିଲା। କିନ୍ତୁ ଅପର ପକ୍ଷରେ ଆଫ୍ରିକାର କଂଗୋରେ ବ୍ୟାପିଥିବା ଅତ୍ୟନ୍ତ ଘାତକ ‘ଇବୋଲା’ର ସଂକ୍ରମଣ ପ୍ରାୟ ଆଫ୍ରିକା ଭିତରେ ହିଁ ସୀମିତ ରହିଥିଲା, ବାହାରକୁ ଯାଇ ପାରି ନ ଥିଲା। ଏହାର କାରଣ ଜଗତ୍କରଣର ପ୍ରଭାବଜନିତ ନାଗରିକମାନଙ୍କ ବିଶ୍ବ ବ୍ୟାପୀ ଚଳପ୍ରଚଳର ଧାରାରୁ କଂଗୋ ଏବେ ସୁଦ୍ଧା ବାହାରେ ରହିଛି।
ସେ ଯାହା ହେଉ, ଏବେ ଠାରୁ ଆମ ଦେଶରେ କରୋନା ଭୂତାଣୁକୁ ରୋକିବା ଦିଗରେ ଉଦ୍ୟମ ଆରମ୍ଭ ହୋଇଯିବା ଆବଶ୍ୟକ। କାରଣ ଏହି ଭୂତାଣୁ ଭାରତରେ ପହଞ୍ଚିବାର ସମ୍ଭାବନା ବେଶ୍ ଅଧିକ। ଏହି ରୋଗର ଉତ୍ପତ୍ତି ସ୍ଥଳ ଚୀନ୍ର ୟୁହାନ୍ ସହରରେ ଦୁଇ ଜଣ ଭାରତୀୟ ରହିଥିବା କଥା ଜଣାଯାଇଛି। ତାହା ନ ହେଲେ ମଧ୍ୟ ସିଙ୍ଗାପୁର ବା ଅନ୍ୟାନ୍ୟ ସହରରୁ ଏହି ଭୂତାଣୁ ଭାରତରେ ପହଞ୍ଚିଯାଇପାରେ। ତେଣୁ ଏବେ ଠାରୁ ଏ ନେଇ ସଚେତନତାର ବାର୍ତ୍ତା ପ୍ରସାର କରିବା ସହିତ ଏହାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/virus.jpg)