କରୋନା ଓ କବୀରର ଚିତ୍ର

ଝରକା

ଜଣେ ଛଅ ବର୍ଷର ବାଳକ, ତା’ ଦ୍ବାରା ଅଙ୍କିତ କିଛି ପେଣ୍ଟିଂ, ସାମାଜିକ ଗଣ ମାଧ୍ୟମ ଏବଂ ତାର ଉଦ୍ୟମୀ ପିତାମାତା- ଏ ସମସ୍ତେ ମିଶି ଏହି କରୋନା ପାନ୍‌ଡେମିକ କାଳରେ ଏକ ହୃଦୟଗ୍ରାହୀ ଦୃଶ୍ୟପଟ ସୃଷ୍ଟି କରିଛନ୍ତି। କଥା ହେଲା ଏହି ବାଳକ କବୀର ମୋଦୀ ଦ୍ବାରା ଅଙ୍କିତ ଚିତ୍ରକୁ ସାମାଜିକ ଗଣମାଧ୍ୟମ ଜରିଆରେ ବିକ୍ରି କରି ତହିଁରୁ ଲବ୍‌ଧ ୫୪,୦୦୦ ଟଙ୍କାକୁ କରୋନା ଲଢ଼େଇ ଲାଗି ଦାନ ଆକାରରେ ମୋଦୀ ପରିବାର ଦ୍ବାରା ପ୍ରଦାନ କରାଯାଇଛି।

କବୀର ଦ୍ବାରା ଅଙ୍କିତ ଚିତ୍ରର ଗ୍ରାହକ କେବଳ ଭାରତର ଚେନ୍ନାଇ ଓ ବେଙ୍ଗାଲୁରୁରେ ନାହାନ୍ତି, ଆମେରିକା ଏବଂ ଇଂଲଣ୍ଡରୁ ମଧ୍ୟ ଅନେକ ଲୋକ କବୀରର ଚିତ୍ର ସେମାନଙ୍କ ଘରେ ଟାଙ୍ଗିବା ପାଇଁ ଇଚ୍ଛା ପ୍ରକାଶ କରି କିଣି ନେଇଛନ୍ତି। ଲକଡାଉନ୍‌ ପରେ ପ୍ରବାସୀ ଶ୍ରମିକମାନଙ୍କ କଷଣ ମୋଦୀ ପରିବାରକୁ ବିଚଳିତ କରିଥିଲା। ତା’ ପରେ ସେମାନେ କବୀର ଦ୍ବାରା ଅଙ୍କିତ ପେଣ୍ଟିଂର ଉପଯୋଗ ଏକ ମହତ ଉଦ୍ଦେଶ୍ୟରେ କରିବାକୁ ସ୍ଥିର କରିଥିଲେ।

କବୀର ଏବେ ଏ ନେଇ ବେଶ୍ ଉତ୍ସାହିତ। ସେ କହେ ଯେ ସ୍କୁଲ ଖୋଲିଯିବା ପରେ ମଧ୍ୟ ତାର ବଳକା ସମୟରେ ଚିତ୍ର ଆଙ୍କିବ ଏବଂ ତାକୁ ବିକ୍ରି କରି ପ୍ରାପ୍ତ ଅର୍ଥକୁ ଦରିଦ୍ରଙ୍କ ସେବାରେ ନିୟୋଜିତ କରିବ। କରୋନା ଭଳି ଏକ ଅସାଧାରଣ ସ୍ଥିତି କବୀରର ଚିତ୍ରଗୁଡ଼ିକୁ ଏଭଳି ନୂଆ ଅର୍ଥ ପ୍ରଦାନ କରିଛି ବୋଲି ତାର ପିତାମାତା କହନ୍ତି।

ସମ୍ବନ୍ଧିତ ଖବର