ପ୍ଲାଷ୍ଟିକ ଆବର୍ଜନାର ପିରାମିଡ

ଅଲେଖ ଚନ୍ଦ୍ର ସାମଲ

ଆମେ ଦୋକାନରୁ କିଛି କିଣିବା ପରେ ସାଧାରଣତଃ ଦୋକାନୀ ପ୍ଲାଷ୍ଟିକ ବା ପଲିଥିନ୍‌ ମୁଣାରେ ଜିନିଷ ବଢ଼ାଇ ଦିଅନ୍ତି। ଘରକୁ ଫେରି ଜିନିଷ ସାଇତିବା ପରେ ଆମେ ମୁଣା ଫୋପାଡ଼ି ଦେଉ। ଅର୍ଥାତ୍‌ ଅଳ୍ପ କିଛି ସମୟ ଭିତରେ ଆମେ ମୁଣାଠାରୁ ମୁକ୍ତି ପାଇଯାଉ। କିନ୍ତୁ ପ୍ରକୃତରେ ସେମିତି ହୋଇଥାଏ କି? କାରଣ ଗୋଟିଏ ପଲିଥିନ ମୁଣା ସ˚ପୂର୍ଣ୍ଣ ଭାବେ ମାଟିରେ ମିଶିବା ପାଇଁ ଶହେରୁ ପାଞ୍ଚ ଶହ ବର୍ଷ ଲାଗିଯାଏ। ଆଉ ଏହି ଲମ୍ବା ସମୟ ମଧୢରେ ଏହା ପରିବେଶର କ୍ଷତି କରିଚାଲେ।

ଉଲ୍ଲେଖଯୋଗ୍ୟ ଯେ, ସ˚ପ୍ରତି ସାରା ବିଶ୍ବରେ ବାର୍ଷିକ ପ୍ରାୟ ୫୦,୦୦୦ କୋଟି ପଲିଥିନ ମୁଣା ଫୋପଡ଼ା ଯାଉଛି। ଏହାର ଅର୍ଧେକ କୌଣସି ନା କୌଣସି ବାଟରେ ସମୁଦ୍ରକୁ ଯାଉଛି। ଏହାର ଏକ କୁପରିଣାମ ସ୍ବରୂପ ବାର୍ଷିକ ଦଶ ଲକ୍ଷ ସାମୁଦ୍ରିକ ପକ୍ଷୀ ଏବ˚ ଏକ ଲକ୍ଷ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀଙ୍କ ଅକାଳ ମୃତ୍ୟୁ ଘଟୁଛି। ମଣିଷ ମଧୢ ଏହା କବଳରୁ ମୁକ୍ତ ନୁହେଁ। ପ୍ରାୟ ୯୩% ଆମେରିକୀୟଙ୍କ ଶରୀରରେ ‘ବିସ୍‌ଫିନୋଲ-ଏ’ (ପ୍ଲାଷ୍ଟିକ୍‌ ତିଆରିରେ ବ୍ୟବହୃତ ରାସାୟନିକ) ଠାବ କରାଯାଇଥିବା ହେଉଛି ଏହାର ଏକ ପ୍ରମାଣ। ଏହା ଦ୍ବାରା ଶରୀରରେ ହରମୋନ ଭାରସାମ୍ୟ ନଷ୍ଟ ହେଉଛି। ଆମ ରାଜ୍ୟର ଦ୍ବୈତ-ନଗର କଟକ-ଭୁବନେଶ୍ବର ସହ ଛଅଟି ସହରରେ ପଲିଥିନ୍‌ ନିଷିଦ୍ଧ ହୋଇଛି। ଏହାର ବ୍ୟବହାର ଏକ ଦଣ୍ତନୀୟ ଅପରାଧ ବୋଲି ବ୍ୟବସ୍ଥା ହୋଇଛି। ସ˚ପ୍ରତି ପ୍ଲାଷ୍ଟିକ୍‌ ଏବ˚ ପ୍ଲାଷ୍ଟିକ ତିଆରି ପଦାର୍ଥ ସାରା ପୃଥିବୀରେ ଆବର୍ଜନାର ପିରାମିଡ୍‌ ତିଆରି କରିବାରେ ଲାଗିଛନ୍ତି। ପୁଣି କେବଳ ପୃଥିବୀ ନୁହେଁ, ମହାକାଶ ମଧୢ ଏଥିରୁ ବାଦ୍‌ ପଡ଼ିନାହିଁ। ସୁଲଭ୍ୟ ହୋଇଥିବାରୁ ଦିନକୁ ଦିନ ଏହାର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ବ୍ୟବହାର ତୁଳନାରେ ପୁନଃ-ପ୍ରକ୍ରିୟାକରଣ ହୋଇ ପାରୁ ନଥିବାରୁ ଏହା ଜୀବଜଗତ୍‌ ପାଇଁ ବିପଦ ଆଣିଛି। ବିଶେଷ କରି ପୃଥିବୀର ସବୁଠାରୁ ବୃହତ୍‌ ପରିସ˚ସ୍ଥାନ ବୋଲି କୁହାଯାଉଥିବା ସମୁଦ୍ର ଏବେ ମାନବ ସମାଜର ବର୍ଜ୍ୟ ବସ୍ତୁର ଏକ ଗନ୍ତାଘର ପାଲଟିଲାଣି। ପୂର୍ବରୁ ପ୍ଲାଷ୍ଟିକ୍‌ ପାଣି ବୋତଲ ଯୋଗୁ ସମୁଦ୍ର ପାଣି ପ୍ରଦୂଷିତ ହେଉଥିବା ଜଣାପଡ଼ିଥିଲା। ହେଲେ ଏବେ କେବଳ ପ୍ଲାଷ୍ଟିକ୍‌ ବୋତଲ ନୁହେଁ, ବର˚ ପ୍ରତିଟି ଭଙ୍ଗା ପ୍ଲାଷ୍ଟିକ୍‌ ଖଣ୍ତ, କାରଖାନାର ଅତି କ୍ଷୁଦ୍ର ମାଇକ୍ରୋ ପ୍ଲାଷ୍ଟିକ୍‌ ଏବେ ଜଟିଳ ପ୍ରଦୂଷଣଗତ ସମସ୍ୟା ସୃଷ୍ଟି କରିଛି। ଗୋଆସ୍ଥିତ ‘ନେସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସିଏନ୍‌ଗ୍ରାଫି’ର ଏକ ବିସ୍ତୃତ ବିଶ୍ଳେଷଣ ଅନୁଯାୟୀ ପ୍ଲାଷ୍ଟିକ୍‌ ପଦାର୍ଥ ଜନିତ ପ୍ରଦୂଷଣ ଆଗାମୀ ଦିନରେ ଭୟଙ୍କର ସମସ୍ୟା ସୃଷ୍ଟି କରିବ। ମନୁଷ୍ୟ ଜାତି ତିଷ୍ଠି ରହିବା ଦିଗରେ ଦେଖା ଦେଇଥିବା ୧୦ଟି ପ୍ରମୁଖ ପ୍ରତିବନ୍ଧ ମଧୢରେ ଏହା ଅନ୍ୟତମ ବୋଲି ସେହି ରିପୋର୍ଟରୁ ଜଣାଯାଇଛି।

ପ୍ଲାଷ୍ଟିକ୍‌ ଟୁକୁଡା ସାମୁଦ୍ରିକ ଜୀବନ ଚକ୍ରକୁ ପ୍ରଭାବିତ କରୁଛି। ଖାଦ୍ୟ ଅନ୍ବେଷଣରେ ଥିବା ମାଛ, ତିମି, ସିଲ୍‌, ସାମୁଦ୍ରିକ କଇଁଚ ପ୍ଲାଷ୍ଟିକ୍‌ ବ୍ୟାଗ, ବୋତଲ ବା ଅନ୍ୟାନ୍ୟ ପଦାର୍ଥ ଖାଇଦିଅନ୍ତି। ଏହାଦ୍ବାରା ସେମାନଙ୍କ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ। ଏହା ସହ ସମୁଦ୍ରର ନିମ୍ନ ଭାଗରେ ଜମି ରହୁଥିବା ବର୍ଜ୍ୟବସ୍ତୁ ପ୍ରାକୃତିକ ଖାଦ୍ୟର ଉପଲବ୍‌ଧତାକୁ ମଧୢ ପ୍ରଭାବିତ କରିଥାଏ। ‘ଆମେରିକା ଜର୍ନାଲ ଅଫ୍‌ ସାଇନ୍‌ସ’ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ସମୁଦ୍ର ଉପକୂଳରେ ଅବସ୍ଥିତ ଦେଶମାନଙ୍କରେ ପ୍ରତିବର୍ଷ ୨୭୫ ନିୟୁତ ଟନ୍‌ ପ୍ଲାଷ୍ଟିକ ଆବର୍ଜନା ବାହାରୁଛି। ସେଥିରୁ ୧୨.୭ ନିୟୁତ ଟନ୍‌ ସିଧାସଳଖ ସମୁଦ୍ରରେ ମିଶୁଛି। ୨୦୧୫ରେ ଵାସି˚ଟନ ଡିସି ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ହାରାହାରି ୧୦-୨୦ ନିୟୁତ ଟନ୍‌ ଓଜନର ପ୍ଲାଷ୍ଟିକ୍‌ ପ୍ରତି ବର୍ଷ ସମୁଦ୍ର ଜଳରାଶିରେ ପ୍ରବେଶ କରୁଛି। ସଦ୍ୟତମ ଆକଳନ ଅନୁଯାୟୀ ସମ୍ପ୍ରତି ୫.୨୫ ଟ୍ରିଲିୟନ ଟନ୍‌ର ପ୍ଳାଷ୍ଟିକ୍‌ ସମୁଦ୍ରରେ ଅଛି। ଏହାଦ୍ବାରା ପ୍ରତିବର୍ଷ ହାରାହାରି ୧୩ ବିଲିଅନ ଆମେରିକୀୟ ଡଲାର ମୂଲ୍ୟର ସାମୁଦ୍ରିକ ପରିବେଶ ନଷ୍ଟ ହେବାରେ ଲାଗିଛି।

ପ୍ଳାଷ୍ଟିକଜାତ ଦ୍ରବ୍ୟର ବ୍ୟବହାର ଭାରତରେ ଏକ ସଙ୍କଟମୟ ସ୍ଥିତି କରିଛି। ପ୍ରତିବର୍ଷ ହାରାହାରି ଜଣେ ଭାରତୀୟ ୮ କିଲୋଗ୍ରାମ ପଲିଥିନ୍‌ ବ୍ୟବହାର କରୁଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି। ଏହି କ୍ରମରେ ଭାରତରେ ପ୍ରତିବର୍ଷ ୮ ନିୟୁତ ଟନ୍‌ ପ୍ଳାଷ୍ଟିକ୍‌ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ନିକଟରେ ଜର୍ଜିଆ ବିଶ୍ବବିଦ୍ୟାଳୟ ପକ୍ଷରୁ ହୋଇଥିବା ସର୍ଭେ ଅନୁଯାୟୀ ପ୍ଲାଷ୍ଟିକ୍‌ ଜାତ ପଦାର୍ଥ ପରିଚାଳନା କରିବାରେ ଭାରତ ଏକ ବିଫଳ ରାଷ୍ଟ୍ର ଭାବେ ଅଷ୍ଟମ ସ୍ଥାନରେ ରହିଛି। ଏହି କ୍ରମରେ ଚୀନ ପ୍ରଥମ ସ୍ଥାନରେ ରହିଛି। ଚାଇନାରେ ଜଣେ ବ୍ୟକ୍ତି ଭାରତୀୟଙ୍କ ଠାରୁ ୩ ଗୁଣା ଅଧିକ ପଲିଥିନ୍‌ ବ୍ୟବହାର କରିଥାନ୍ତି। ଉପକୂଳ ଭାରତରେ ହାରାହାରି ୮୭% ବର୍ଜ୍ୟବସ୍ତୁ ପରିଚାଳନା ଠିକ୍‌ ଭାବେ ହୋଇ ନଥାଏ। ଗୋଟିଏ ଗୋଟିଏ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ୧୦୦୦ ବର୍ଷ ଯାଏ ସେମିତି ରହିଥାଏ। ଯଦି ବି ଏହା ମାଟିରେ ମିଶିଯାଏ, ତେବେ ସେଥିରୁ ବିଷାକ୍ତ ପଦାର୍ଥ ଜାତ ହେଉଥାଏ। କେତେକା˚ଶରେ ଏହା କ୍ୟାନସରର ମଧୢ ଏକ କାରଣ। ଭାରତରେ ହାରାହାରି ୪୭% ପ୍ଲାଷ୍ଟିକ୍‌ ପୁନଃ ପ୍ରକ୍ରିୟାକରଣ କରାଯାଇଥାଏ। ଏହାର ଅର୍ଥ ଅଧାରୁ ଅଧିକ ବର୍ଜ୍ୟବସ୍ତୁ ଭାବେ ଫିଙ୍ଗା ଯାଉଛି।

ଏଭଳି ପରିସ୍ଥିତିରେ ସରକାର ପ୍ଲାଷ୍ଟିକ୍‌ ବ୍ୟବହାର ନିୟମକୁ ଅଧିକ କଡ଼ାକଡ଼ି କରିବା ଉଚିତ। ଏହାର ପରିଚାଳନା ନିମନ୍ତେ ଦୀର୍ଘମିଆଦୀ ଯୋଜନା ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଛି।

ପୂର୍ବତନ ବନସେବା ଅଧିକାରୀ
ମୋ : ୯୪୩୭୨୫୭୧୨୩

ସମ୍ବନ୍ଧିତ ଖବର