ସ୍ମୃତି ଓ ସ˚ସ୍କାର

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ଏଇ କିଛିଦିନ ଭିତରେ ରାଷ୍ଟ୍ରୀୟ ସ୍ତରରେ ଆୟୋଜିତ ଗୋଟିଏ ୱେବିନାର‌୍‌ରେ ଅଧ୍ୟକ୍ଷତା କରିବାର ସୁଯୋଗ ମିଳିଲା। ବିଷୟ ଥିଲା: ନାଗରିକର ସାମାଜିକ ଦାୟିତ୍ବ ନିର୍ବାହରେ ଜାତୀୟ ସ˚ସ୍କାରର ଭୂମିକା। ବଡ଼ ଜଟିଳ, ଚିନ୍ତା ଉଦ୍ରେକକାରୀ ବିଷୟ। ପ୍ରକୃତରେ ଏଭଳି ଏକ ଆଲୋଚନା ମୁଁ ଶୁଣିବାକୁ ଚାହୁଁଥିଲି। ‘ଜାତୀୟ ସ୍ମୃତି’ ଓ ‘ଜାତୀୟ ସ˚ସ୍କାର’ ଭଳି ଶବ୍ଦ ଆଉ ବ୍ୟବହାରରେ ଆସୁନାହାନ୍ତି, କାରଣ ଉଦାରବାଦୀ ଶିକ୍ଷା ପ୍ରଣାଳୀରେ ଗୋଷ୍ଠୀ ବା ସମୂହର ସ୍ଥିତିକୁ ନେଇ ଉପଲବ୍‌ଧ ବୈଜ୍ଞାନିକ ପ୍ରମାଣସିଦ୍ଧ ତଥ୍ୟ ଆଧାରରେ ହିଁ ଜ୍ଞାନ ଓ ତର୍କର ଉପପାଦ୍ୟ ପ୍ରସ୍ତୁତ କରାଯାଉଚି। ସେ ଦିଗରୁ ଉଦାରବାଦକୁ ନବ୍ୟ-ବୈଜ୍ଞାନିକତା ବା ‘ନିଓ ସାଇଣ୍ଟିଜମ୍‌’ ବି କୁହାଯାଇପାରେ। ୟା’ର ପରିଣତି ହେଲା ଏହି ଯେ ପ୍ରମାଣ ଭିତ୍ତିକ ଚିନ୍ତନ ଓ ପରିସ˚ଖ୍ୟାନ ଭିତ୍ତିକ ଗଣନାର ଆଧାରରେ ଆପାତସିଦ୍ଧ ନିଷ୍କର୍ଷ ଗୁଡ଼ିକ ଆମର ବୌଦ୍ଧିକତାକୁ ଆଚ୍ଛନ୍ନ କରି ରଖିଚନ୍ତି। ସ୍ମୃତି ଓ ସ˚ସ୍କାର ଯେ ପ୍ରମାଣ ଓ ଗଣନା ଠାରୁ ଅଧିକ ଶକ୍ତିଶାଳୀ ଏ ପାଠ ଧୀରେ ଧୀରେ ଅପସୃତ ହୋଇ ହୋଇ ଏବେ ସମ୍ପୂର୍ଣ୍ଣ ଅନ୍ତର୍ହିତ ହୋଇ ସାରିଲାଣି। କଳ୍ପନା କ’ଣ ପଚାରିଲେ ଏବେ ଦୃଷ୍ଟାନ୍ତ ଠାରୁ ବଡ଼ ହୋଇଚି ମସ୍ତିଷ୍କର କର୍ମ କ୍ଷମତାର ମ୍ୟାପି˚। ସେହିଭଳି ସ˚ସ୍କାର କ’ଣ ପଚାରିଲେ ଏବେ ଗଣନା ହେଉଛି ରୀତିନୀତି, ନୀତିକାନ୍ତି ଓ ବ୍ୟାବହାରିକ ବୈଚିତ୍ର୍ୟର। ସେହିଭଳି ହୃଦୟ କହିଲେ ହୃତ୍‌ପିଣ୍ତ ବୋଲି କୁହଯାଉଚି ଓ ତାର ଗତିକୁ ଚିତ୍ରରେ ଓହ୍ଲାଇ ଦେଇ କେବଳ ଚିକିତ୍ସା ପାଇଁ ଉପାଦାନ ବା ସ˚କେତ ଭାବରେ ବ୍ୟବହାର କରାଯାଇପାରୁଚି। କିନ୍ତୁ ଏ ସବୁ ଭିତରେ ମେଧା, କଳ୍ପନା ଓ ସମ୍ବେଦନା ଭଳି ମାନବୀୟ ଐନ୍ଦ୍ରୀୟତା ପ୍ରାୟ ପାଠରୁ ବାହାରି ଗଲେଣି। ଭାରତୀୟ ସଭ୍ୟତାରେ ମାନବୀୟ ଐନ୍ଦ୍ରୀୟତାର ଉଦ୍ଦୀପନ ମନ୍ତ୍ରୋଚ୍ଚାରଣରେ କରାଯାଇଥିଲା। ଯେ କୌଣସି ସମୟରେ ଛନ୍ଦୋବନ୍ଧ ଗୋଟିଏ ଶ୍ଳୋକ, ସ୍ତୋତ୍ର ବା ମନ୍ତ୍ର ମୋ ଭିତରେ ଅପୂର୍ବ ରୋମାଞ୍ଚ ସୃଷ୍ଟି କରେ। ଉଦାତ୍ତ ଶୁଦ୍ଧ ଆବୃତ୍ତି ଆଉ ନାହିଁ, କାରଣ ସ୍ମୃତି ବା ସ୍ମରଣୀୟତା ଉପରେ ଆଉ ଗୁରୁତ୍ବ ନାହିଁ। ନିରବ ପଠନ, ନିରବ ଚିନ୍ତନ ଓ ନିରବ ଲିଖନ ଉଦାରବାଦୀ ଶିକ୍ଷାପଦ୍ଧତିିର ଅବଦାନ, ଯାହା ମଣିଷକୁ ଆପାତତଃ ରୂଢ଼ିମୁକ୍ତ, ସ˚ସ୍କାରବର୍ଜିତ, କଳ୍ପନାବିମୁଖ ପ୍ରମାଣ ପୁରୁଷରେ ପରିଣତ କରିଚି।

ଏଭଳି ସମୟରେ,ୱେବିନାର‌୍‌ର ଆୟୋଜକ ‘ଇଥୋସ୍‌’ର ଆଲୋଚନା ପାଇଁ ଭୂମି ପ୍ରସ୍ତୁତ କଲେ, ତାହା ହିଁ ଥିଲା ମୋର ଆଗ୍ରହର କାରଣ। ଆଲୋଚନା ଇ˚ରେଜୀରେ ହେଲା, କାରଣ ଦେଶ ଓ ବିଦେଶର ପ୍ରାୟ ତିନି ଶହ ଆଗ୍ରହୀ ବୁଦ୍ଧିଜୀବୀ ଓ କୌତୂହଳୀ ଶିକ୍ଷାନବିସ ଏ ୱେବିନାର‌୍‌ ସହିତ ସ˚ଯୁକ୍ତ ହୋଇଥିଲେ। ଯଦି ଏ ଆଲୋଚନା ଓଡ଼ିଆ ବା ଭାରତୀୟ ‘ଭାଷା’ (ଆଞ୍ଚଳିକ ଭାଷା)ରେ ହୋଇଥାନ୍ତା, ତେବେ ‘ଇଥୋସ୍‌’ର ତତ୍ତୁଲ୍ୟ ଶବ୍ଦ କ’ଣ ହୋଇଥାନ୍ତା? କହିବାରେ ଦ୍ବିଧା ନାହିଁ ଯେ ସ˚ସ୍କୃତି ବିମୁଖ ହୋଇ ଭାରତର ବହୁ ଆଞ୍ଚଳିକ ଭାଷା ତାଙ୍କର ସ˚ପ୍ରେଷଣ କ୍ଷମତା ଓ ସ˚ପ୍ରସାରଣ କ୍ଷମତା ହରାଇଚନ୍ତି। ତେଣୁ ଇଥୋସ୍‌ର ଅର୍ଥ କିଏ ବୁଝୁଚି ଏଥିକ୍ସ, କିଏ ବୁଝିଚି ମୂଲ୍ୟବୋଧ ତ କିଏ ବୁଝିଚି ଧର୍ମ! ସିଧାସଳଖ ତତ୍ତୁଲ୍ୟ ଶବ୍ଦଟି ହେଉଚି ସ˚ସ୍କାର। ଅର୍ଥାତ୍‌ ‘ଇଣ୍ତିଆନ୍‌ ଇଥୋସ୍‌’ର ତତ୍ତୁଲ୍ୟ ଶବ୍ଦ ହେବ ‘ଜାତୀୟ ସ˚ସ୍କାର’ ବା ‘ଭାରତୀୟ ସ˚ସ୍କାର’। କିନ୍ତୁ ଏ ଶବ୍ଦଟିକୁ ଏଡ଼ାଇ ଯାଇ ନୀତି ଓ ମୂଲ୍ୟବୋଧ ଭଳି ଶବ୍ଦ ବ୍ୟବହାର କରି ଓ ଧର୍ମକୁ ସାକ୍ଷୀ କରି ଭୁଲ୍‌ ଶ୍ଳୋକ ବୋଲି ଆମେ ନିଜକୁ ପ୍ରବଞ୍ଚିତ କରି ଚାଲିଚେ। ଆତ୍ମପ୍ରବଞ୍ଚନା ଏତେ ବଢ଼ିଗଲାଣି ଯେ ଆମେ ଆମର ଅଜ୍ଞତା ବା ଅଶୁଦ୍ଧିକୁ ଆଉ ସ୍ବୀକାର କରିବାକୁ ପ୍ରସ୍ତୁତ ନୋହୁଁ। ଏପରିକି ଅଜ୍ଞତାର ବିଭାମଣ୍ତଳରେ ଆମେ ଆଖିବୁଜି ରହିବା ଆରମ୍ଭ କଲୁଣି। ଗୋଟିଏ ସଭାରେ ଜଣେ ବକ୍ତା ଅନର୍ଗଳ ଶ୍ଳୋକ ପରେ ଶ୍ଳୋକ ପଢ଼ି ଶ୍ରୋତାଙ୍କୁ ଧରଶାୟୀ କରିଦେଲେ ଓ ଶ୍ରୋତାଙ୍କ କରତାଳି ବନ୍ଦ ହେଲା ନାହିଁ। ମୁଁ ଜାଣିବାକୁ ଚାହିଁଲି ଏ ଶ୍ଳୋକର ତାତ୍ପର୍ଯ୍ୟ ବିଷୟବସ୍ତୁର ପରିପ୍ରେକ୍ଷୀରେ କ’ଣ ଥିଲା। ବିସ୍ମୟର କଥା ଯେ ବିଷୟ ଥିଲା ଭାରତର ସ˚ଘୀୟ ଗଣତନ୍ତ୍ର ଓ ଶ୍ଳୋକଗୁଡ଼ିକ ଥିଲେ କାଳିଦାସଙ୍କ ‘ରଘୁବ˚ଶ’ରୁ ଓ ଭାରବିଙ୍କର ‘ଉତ୍ତରରାମଚରିତ’ରୁ। ଏ ଶ୍ଳୋକଗୁଡ଼ିକୁ ବକ୍ତା ମନେ ରଖିଚନ୍ତି, ତେଣୁ ଅଭ୍ୟାସ କରି କରି ସୁଲଳିତ କଣ୍ଠରେ ଗାଇ ପାରୁଥିବା ଏ ସୁନ୍ଦର ଶ୍ଳୋକଗୁଡ଼ିକ ସେସବୁ ସଭାରେ ଗାଇ ଲୋକଙ୍କୁ ମନ୍ତ୍ରମୁଗ୍ଧ କରି ଦିଅନ୍ତି। ଅର୍ଥାତ୍‌ ବିଷୟ ଯାହାବି ହେଉ, ସେ ଯାହା ଜାଣନ୍ତି ତାକୁ ଇ କହିବେ, ସୁନ୍ଦର କରି ଲୋକଙ୍କ ମନ ମୋହିବେ।

ଏ ୱେବିନାର‌୍‌ରେ ବିବିଧ କ୍ଷେତ୍ରରୁ ଆସିଥିବା ବିଜ୍ଞ ଜନେ ତାଙ୍କ ନିଜ ନିଜ ପାଠ ପଢ଼େଇଲେ। ପ୍ରାୟ ସମସ୍ତେ ଯେହେତୁ ପରିଚାଳନା ବିଦ୍ୟା (ମ୍ୟାନେଜ୍‌ମେଣ୍ଟ)ର ବିଦ୍ବାନ୍‌, ସେମାନେ ଅନର୍ଗଳ କହିଲେ କର୍ପୋରେଟ୍‌ ସୋସିଆଲ ରେସ୍‌ପନ୍‌ସିବିଲିଟି (ସି.ଏସ୍‌.ଆର‌୍‌) ବିଷୟରେ। ଜଣଙ୍କୁ ମୁଁ ପଚାରିଲି ବିଷୟ ଯେତେବେଳେ ନାଗରିକର ସାମାଜିକ ଦାୟିତ୍ବ, ଆପଣ କର୍ପୋରେଟ୍‌ ସାମାଜିକ ଦାୟିତ୍ବ ବିଷୟରେ କିଆଁ କହିଲେ? ତାଙ୍କର ଉତ୍ତର ଥିଲା ମୋତେ ‘ସି.ଏସ୍‌.ଆର‌୍‌’ ବିଷୟରେ କହିବାକୁ କୁହାଯାଇଥିଲା। ସେଇଭଳି ‘ଇଥସ୍‌’କୁ ନେଇ ବହୁବର୍ଣ୍ଣୀ ଆଲୋଚନା ଭିତରେ ସ˚ସ୍କାରର ପ୍ରସଙ୍ଗ ଉଠିଲା ନାହିଁ, କାରଣ ‘ସ˚ସ୍କାର’ ଉପରେ ଯଥେଷ୍ଟ ସ୍ପଷ୍ଟୀକରଣ ହୋଇନାହିଁ। ହୋଇନାହିଁ କାରଣ ‘ଇଥସ୍‌’ର ପ୍ରଜ୍ଞାପାଠ ‘ଇଥସ୍‌’ରେ ନାହିଁ, ଅଛି ‘ସ˚ସ୍କାର’ରେ। ଅଭିଧାନରେ ‘ସ˚ସ୍କୃ’ ଶବ୍ଦରୁ ଯେଉଁ ବିବିଧ ଭାବବାଚୀ ଶବ୍ଦ ଉତ୍ପନ୍ନ ହୁଅନ୍ତି ସେଗୁଡ଼ିକ ସବୁ ଆଗ୍ରିଗେଟିଭ୍‌ ବା ଯୋଡ଼ିବା, ଏକାଠି କରିବା, ସ˚ପାଦିବା ଅର୍ଥରେ। ସ˚ସ୍କାର ବା ଇଥୋସ୍‌ ସେହିଭଳି ଭାବବାଚୀ ଏକ ଶବ୍ଦ। କିନ୍ତୁ ଇ˚ରେଜୀ ଭାଷାରେ, ଆମେରିକାନ୍‌ ବ୍ୟବହାର ଦ୍ବାରା ବହୁ ପ୍ରସାରିତ ଅର୍ଥରେ ସ˚ସ୍କାର ବା ଇଥୋସ୍‌ ବହୁ ସ˚କୁଚିତ। ୟାର କାରଣ ସ˚ସ୍କାର ସଭ୍ୟତାର ଭାଷା। ଯାହାର ସଭ୍ୟତା ନାହିଁ, ତା’ର ସ˚ସ୍କାର ମଧୢ ନାହିଁ। ଆମେରିକାନ୍‌ଙ୍କର ଚାରିଶହ-ପାଞ୍ଚଶହ ବର୍ଷର ଇତିହାସ ଅଛି, କିନ୍ତୁ ‘ସଭ୍ୟତା’ ନାହିଁ। ଭାରତୀୟଙ୍କର ଅନ୍ତତଃ ପାଞ୍ଚ ହଜାର ବର୍ଷରୁ ଅଧିକ କାଳର ସଭ୍ୟତା ଅଛି ଓ ସେ ସଭ୍ୟତାକୁ ବିକୃତ କରି ଉପସ୍ଥାପିତ କରିଥିବା ଇତିହାସ ଅଛି। ଦୁଃଖର କଥା ଯେ ନବ୍ୟ-ବୈଜ୍ଞାନିକ କବଳିତ ସଭ୍ୟତାବିମୁଖ ଐତିହାସିକତା ଆମକୁ ଆମ ସ˚ସ୍କାର ସହିତ ସ˚ଯୁକ୍ତ ହେବାକୁ ଦେଇନାହିଁ। କହିରଖେ ଯେ ଭାରତୀୟ ଜାତୀୟ ସ˚ସ୍କାର ‘ଆସିମିଲେଟିଭ୍‌’ ବା ଗ୍ରହଣଶୀଳ; ତେଣୁ ଏଥିରେ ମୌଳ ହିନ୍ଦୁତ୍ବର ଲେଶ ନାହିଁ। କହିରଖେ ଯେ ଭାରତୀୟଙ୍କ ଜାତୀୟ ସ˚ସ୍କାର ମୂଳତଃ ଧର୍ମନିରପେକ୍ଷ। ବୌଦ୍ଧିକ ସ୍ତରରେ ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ ସଭ୍ୟତା କେବଳ ଭାରତୀୟଙ୍କର। ନବ୍ୟ ବୈଜ୍ଞାନିକ ପ୍ରମାଣିକତାରେ ଉଦ୍‌ବୁଦ୍ଧ ଐତିହାସିକ ଯେହେତୁ କଳ୍ପନା, ମେଧା, ହୃଦୟ ଆଦି ଆବର୍ଜନାଠାରୁ ଦୂରରେ ରହନ୍ତି ତେଣୁ ସେମାନେ ନା ସ˚ସ୍କାର ବୁଝନ୍ତି ନା ସ୍ମୃତି ବୁଝନ୍ତି।

େଵବିନାର‌୍‌ରେ ମୁଁ ଯାହା କହିବାକୁ ଚାହିଁଥିଲି ମୋର ଅଧୢକ୍ଷୀୟ ବକ୍ତବ୍ୟରେ ତାକୁ ‘ଲୋକକ୍ଷେତ୍ର’ରେ ଉପସ୍ଥାପିତ କରିବାର ଉଦ୍ଦେଶ୍ୟ ଏହି ଯେ ସମାନ ଭାବଧାରାକୁ ନେଇ ବିମର୍ଶ ବା ଡିସ୍‌କୋର୍ସ ଆରମ୍ଭ ହେଲେ ଆମେ ଆମର ସଭ୍ୟତା ପାଠ ପାଇଁ ଉପାଦାନ ପ୍ରସ୍ତୁତ କରିପାରିବା।

ଭାରତୀୟ ସ˚ସ୍କାରର ପ୍ରାୟ ଛ’ହଜାର ବର୍ଷର କ୍ରମ ପରିଣାମ ଶଙ୍କରଙ୍କ ଅଦ୍ବୈତରେ ପ୍ରସ୍ଫୁଟିତ ଓ ଉପନିଷଦ୍‌ରେ ପରିଶୀଳିତ ହେଲା ବୋଲି ମୋର ବିଶ୍ବାସ। ମୁଁ ବ୍ରହ୍ମ (ଅହ˚ ବ୍ରହ୍ମୋସ୍ମି), ଏହି ଭାବ ଏକ ବ୍ୟକ୍ତିର ଭାବ ନୁହଁ, ସମୂହକୁ ବ୍ୟକ୍ତିରେ ଓ ବ୍ୟକ୍ତିକୁ ସମୂହରେ ନିବିଷ୍ଟ କରିବାର ସୂତ୍ର। ଇଏ ଯଦି ଭାରତୀୟ ସ˚ସ୍କାର, ତେବେ ପାଶ୍ଚାତ୍ୟ ସ˚ସ୍କାର କ’ଣ? ରେନାଁସାଁ ବା ନବୋନ୍ମେଷର ଶେଷ ଆଡ଼କୁ ରେନେ ଡେକାର୍ଟେ କହିଲେ ‘ମୁଁ ଚିନ୍ତା କରେ, ତେଣୁ ମୁଁ ଅଛି’! (କଜିଟୋ ଏଗୋର୍ସମ୍‌) ୟାର ଅର୍ଥ? ଏହାର ମୋତେ ଅର୍ଥ ଦିଶୁଚି। ଗୋଟିଏ ହେଲା ‘ମୁଁ ଭାବୁଚି ମୁଁ ଅଛି ତେଣୁ ମୁଁ ଅଛି’। ଆଉ ଗୋଟିଏ ହେଲା ମୋ ପାଖରେ ଚିନ୍ତା କରିବାର ସାମର୍ଥ୍ୟ ଅଛି, ତେଣୁ ମୋର ଅସ୍ତିତ୍ବ ଅଛି ବୋଲି ମୁଁ ଜାଣିପାରୁଚି। ଆମର ‘ମୁଁ ବ୍ରହ୍ମ’ ଓ ତାଙ୍କର ‘ଅଛି’ ତ!’ ଭିତରେ ପାର୍ଥକ୍ୟ ଦେଖନ୍ତୁ। ଯିିଏ ‘ଅଛି’ ବୋଲି କହୁଚି ସିଏ ନିଜ ଜାଗା ମାଡ଼ି ବସିଚି, ସିଟ୍‌ରୁ ହଟୁ ନଥିବା ଅନୁପ୍ରବେଶକାରୀ ଭଳି। ମୁଁ ବସିଚି ତ, କିଏ କ’ଣ କରିବ କରୁ, ବା କାହାର ଦମ୍ଭ ଅଛି ମତେ ହଟେଇବା। ରେନେ ଡେକାର୍ଟେଙ୍କର ଚିନ୍ତନବାଦୀ ଅସ୍ତିତ୍ବବୋଧ ଏକ ପ୍ରକାରର ଆତ୍ମପ୍ରତିଷ୍ଠାର ଦର୍ଶନ। ସେଇଠି ‘ମୁଁ ବ୍ରହ୍ମ’ରେ ଏ କଳୁଷିତ ସ˚ସାର ଲିପ୍ତ କଳେବରରେ ବ୍ରହ୍ମବୋଧର ପ୍ରତିଷ୍ଠା। ଏ ବ୍ରହ୍ମ ‘ଆତ୍ମ’ ନୁହେଁ ବ୍ରହ୍ମାଣ୍ତ ବ୍ୟାପୀ, ଜୀବାତ୍ମାର ସାମୂହିକ ବ୍ୟାପ୍ତିର ସୂଚକ। ତେଣୁ ମୋ ଭିତରେ ଯେଉଁ ବ୍ରହ୍ମ, ସେଇ ବ୍ରହ୍ମ ସେ ଉପେକ୍ଷିତ, ଲାଞ୍ଛିତ, ଦରିଦ୍ର ଭିତରେ। ସିଏ ବି ମୁଁ! ଏ ବୋଧ ଭିତରେ ସାମାଜିକ ଉତ୍ତରଦାୟିତ୍ବର ପୃଷ୍ଠଭୂମି ଲେଖା ସରିଚି; ଆମେ ଅନୁଭବ କଲେ ହେଲା।

ଦ୍ବିତୀୟ ସ˚ସ୍କାର ଇଶାବାସ୍ୟ ଉପନିଷଦ୍‌ରେ। ‘ତେନ ତ୍ୟକ୍ତେନ ଭୁ˚ଜିଥା’। ଅର୍ଥାତ୍‌ ଯିଏ ତ୍ୟାଗ କରେ ସେ ହିଁ ଭୋଗ କରେ। ୟା’ର ଲୋକାଚାରୀ ବ୍ୟବହାର ହେବ ‘ନିଜେ ବଞ୍ଚ, ଅନ୍ୟକୁ ବଞ୍ଚିବାକୁ ଦିଅ’ (ଲିଭ୍‌ ଆଣ୍ତ ଲେଟ୍‌ ଲିଭ୍‌)। ୟାର ଠିକ୍‌ ବିପରୀତ ପାଶ୍ଚାତ୍ୟ ସ˚ସ୍କାର ‘ଲେସେ ଫେଆର‌୍‌’, ଯାହା ପୁଞ୍ଜିବାଦର ମୂଳ। ‘ଲେସେ ଫେଆର୍‌’ର ଅର୍ଥ ‘ଲିଭ୍‌ ହିମ୍‌ ଆଲୋନ୍‌’ (ସେ କ’ଣ କରୁଚି କରୁ)। ଅର୍ଥାତ୍‌ ଭାରତୀୟ ସ˚ସ୍କାରରେ ମୁଁ ଏକା ନୁହେଁ, ଅନ୍ୟମାନେ ବି ମୋର, ତାଙ୍କ ବଞ୍ଚିବା ମୋ ବଞ୍ଚିବାର ଅପର ପକ୍ଷ, ଦୁହେଁ ମିଶିଲେ ସମୂହର ସମ୍ବର୍ଦ୍ଧନ। ସମୂହର ସମ୍ବର୍ଦ୍ଧନ ପାଶ୍ଚାତ୍ୟ ଇଥୋସ୍‌ ନୁହେଁ, ଇଏ ଭାରତୀୟ ସ˚ସ୍କାର। ତେଣୁ ଏଇ ସ˚ସ୍କାରର ସ୍ମରଣ ଭାରତୀୟଙ୍କୁ ନାଗରିକ ଦାୟିତ୍ବ ନିର୍ବାହ ପାଇଁ ଦୁର୍ବିପାକରେ, ବିପର୍ଯ୍ୟୟରେ ପ୍ରେରିତ କରିବ।

ତୃତୀୟ ସ˚ସ୍କାର ଲୋକଚାରରେ। ୟାକୁ ଗୋଟିଏ ଶବ୍ଦରେ କରିବା କଷ୍ଟକର, କିନ୍ତୁ ଓଡ଼ିଆ ଭଳି ଏକ ଅତ୍ୟୁନ୍ନତ ଭାଷାରେ ୟାର ନିର୍ମାଣ ଅବଶ୍ୟ ସମ୍ଭବ ହେବ। ୟାକୁ ମୁଁ କହେଁ ‘ଅଭାବର ଉତ୍ସବ’। ଅର୍ଥାତ୍‌ ଆମର ଏଠି ଅଭାବୀରୁ ଅଭାବୀ ଲୋକଟିଏ ବି ଘରେ ଉତ୍ସବଟିଏ କରେ, ଏକୁଟିଆ କରେନି, ବନ୍ଧୁକୁଟୁମ୍ବଙ୍କୁ ନେଇ କରେ। ଉଧାର ପଇସାରେ ବି ଉତ୍ସବଟିଏ କରି ପଡ଼ିଶା ଘରକୁ ପିଠା-ତରକାରି ପଠାଏ। ପିଲାଏ ସକାଳୁ ଡେଉଁଥାନ୍ତି ମା’ ପିଠା କରିବ ଖାଇବେ; ପିଲାଙ୍କ ବିକଳ ଦେଖି କାନ୍ଦୁଥିବା ମା’, ବିଳମ୍ବରେ ଧାରଉଧାର କରି, ବା ଅଥକ ପରିଶ୍ରମ କରି ଯୋଗାଡ଼ କରିଥିବା ଉପାଦାନ ନେଇ ଫେରିଥିବା ବାପା ହାତରୁ ବ୍ୟାଗ ଛଡ଼େଇ ନେଇ ମଣ୍ତା ଗଢ଼େ, କାକରା ଗଢ଼େ। ଖଣ୍ତିଏ ଖାଇ ଦେଇ ପିଲାଏ ଜାଣିଯା’ନ୍ତି ଯେ ଏତିକି ତାଙ୍କର ପ୍ରାପ୍ତି, ଏତିକି ଯଥେଷ୍ଟ। ଅଭାବ ବି ପେଟ ପୂରାଏ! ଅସ˚ଖ୍ୟ ଦରିଦ୍ର ଭାରତୀୟ ଅଳ୍ପକୁ ଯଥେଷ୍ଟ ଭାବି ବଞ୍ଚନ୍ତି ଏବେ ବି। ଅଭାବ ଭିତରେ ହିଁ ସବୁ ଉତ୍ସବ ପାଳନ୍ତି ଭାରତୀୟ ବଣ୍ଟାବଣ୍ଟିରେ। ପାଶ୍ଚାତ୍ୟ ‘ଇଥସ୍‌’ ପ୍ରାଚୁର୍ଯ୍ୟ, ଲୋଭ ଓ ଅପଚୟର! ଆମର ଅଭାବରେ ଆନନ୍ଦର, ଉତ୍ସବର! ନିଜ ମୁହଁରୁ ଆଧାର ବଳେଇ ପଶୁପକ୍ଷୀଙ୍କୁ ଖୁଆଉଥିବା ଭାରତୀୟ ଦରିଦ୍ରତମଙ୍କ ଭିତରେ ଅଛନ୍ତି। ମହାମନ୍ୟ ଦରିଦ୍ରଙ୍କର ଏ ଦେଶରେ ସ୍ବାର୍ଥ ଓ ବିଳାସ ପଶିଲା କେମିତି? ଏଠି ବି ଆମର ସ˚ସ୍କାର ଉପରେ ପାଶ୍ଚାତ୍ୟ ପଲସ୍ତରା।

ପଲସ୍ତରା ଖୋଳିଲେ ଦିଶିବ ‘ଜାତୀୟ ସ୍ମୃତି’। ୟୁଙ୍ଗ୍‌ ଯେଉଁ ଜାତୀୟ ସ୍ମୃତି କଥା କହିଥିଲେ, ତା’ର ପ୍ରୟୋଗ ପାଶ୍ଚାତ୍ୟ ସଭ୍ୟତା ହୋଇପାରିଲା ନାହିଁ ବୋଲି ପାଠକୁ ‘ଜେନେଟିକ୍‌ ମେମୋରି’ (ଜୀବକୋଷୀୟ ସ୍ମୃତି) ଆଡ଼କୁ ଟାଣି ନିଆଗଲା। କିନ୍ତୁ ଆମ ସଭ୍ୟତାରେ ‘ଜାତୀୟ ସ୍ମୃତି’ର ଉଦ୍‌ଘାଟନ କରିବା ପାଇଁ ଆମେ ପ୍ରସ୍ତୁତ ନୋହୁଁ କାହିଁକି? ଆମର ଜାତୀୟ ସ୍ମୃତି ଭିତରେ ଆମର ଜାତୀୟ ସ˚ସ୍କାର, ଆମର ଶାସ୍ତ୍ର ପୁରାଣ କାବ୍ୟ ଓ ପର˚ପରାରେ ଆମର ଜାତୀୟ ସ˚ସ୍କାର। ଅସ˚ଖ୍ୟ ଦୁର୍ବିପାକ ଭିତରେ ସଭ୍ୟତା ରଚିଥିବା ଭାରତୀୟଙ୍କ ନିଜ ପାଠ କେବେ ଆଉ ଲେଖାହେବ? ମନ, ହୃଦୟ, ବୋଧ, ମେଧା ଓ ଇନ୍ଦ୍ରିୟ ଆମର ଶିକ୍ଷକ। ପ୍ରମାଣ ଓ ଗଣନା ଆମର ଶିକ୍ଷକ ନୁହନ୍ତି। ନୂଆ ପାଠ କିଏ ଲେଖିବ, କେବେ ପଢ଼ିବା?

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର

Comments are closed.